ସଲାମ୍, ସମଶେର !

  • 30/03/2017

ସବୁ ଶେଷ ହୋଇଯାଉଥିବା ବେଳେ ନୈରାଶ୍ୟ ଓ ବିରକ୍ତିରେ ଜୀବନ ଓ ସଂସାର ପ୍ରତି ମନ ବୀତସ୍ପୃହ ହୋଇଯାଉଥିବା ବେଳେ କାହିଁକି ଆଶାର କିରଣ ଦିଶେ ? କାହିଁକି ମନରେ ଆସେ ଯେ ନା ସବୁ ଶେଷ ହୋଇନାହିଁ । ବଡ ସହର, ବଡଘର, ବଡଲୋକ, ବଡ କଥାରେ ସିନା ସବୁ ଶେଷ । କିନ୍ତୁ ପଲ୍ଲୀଗାଁ, ଚାଳଘର, ସାଧାରଣ ଲୋକ, ସାନ କଥାରେ ଏବେବି ଯେପରି ରହିଛି ବଞ୍ôଚବା ପାଇଁ ଅନୁରୋଧଟିଏ  ।
ସମଶେର ଅଲ୍ଲୀ ମୋତେ ଯାଚୁଥିଲା ଟଙ୍କା । ପଚାଶ ଟଙ୍କା । କହୁଥିଲା – ‘‘ବାବୁ ଏ ଟଙ୍କା ନିଅ । ଆମକୁ ଦେଖିବାକୁ ଆସିଛ । ଆମ କଥା ବୁଝିବାକୁ ଆସିଛ । ଲୋକଙ୍କ ଠାରୁ ସାହାଯ୍ୟ ନେଇ ବାତ୍ୟା ଦୁର୍ଗତଙ୍କୁ ଦେଉଛ । ମୋଠାରୁ ଏଇ ପଚାଶ ଟଙ୍କା ରଖ ।’’
କୋହକୁ ଚାପିରଖି କହୁଥିଲା ସମଶେର ଅଲ୍ଲୀ । ସ୍ୱରରେ ଥିଲା ଓଜନିଆ ଆନ୍ତରିକତା । ପ୍ରଳୟଙ୍କରୀ ବାତ୍ୟାରେ ହଜିଯାଇଛନ୍ତି ତାର ଦୁଇଭାଇ । ତାଙ୍କୁ ସେ ଆଉ କେବେ ଦେଖିବ ନାହିଁ । ହଜିଯାଇଛନ୍ତି ତାର କୁନି କୁନି ପୁତୁରା ଝିଆରୀ । ସେମାନେ ଆଉ କେବେ ଫେରିବେ ନାହିଁ । ଭାଇ ବନ୍ଧୁ ପଡିଶା ସମସ୍ତେ ହୋଇଛନ୍ତି ଗୃହଶୂନ୍ୟ । ତା ନିଜ ଘର ମାଟିରେ ମିଶିଛି । ସେହି ଡିହ ଉପରେ ଠିଆ ହୋଇ ସମଶେର ଯାଚୁଛି ପଚାଶ ଟଙ୍କା ।
ସତେ ଯେପରି ସେ କେବଳ ଦିଘାତ ଗାଁର ନୁହେଁ ସାରା ଓଡିଶାର । କେବଳ ମୁସଲମାନଙ୍କର ନୁହେଁ – ହିନ୍ଦୁ ଓ ଖିରସ୍ତାନ ସମସ୍ତଙ୍କର । ସବୁ ଦୁର୍ଗତଙ୍କର । ଆଶ୍ଚର୍ଯ୍ୟ ହେଉଥିଲି ମୁଁ । ଆଶ୍ୱସ୍ତ ମଧ୍ୟ ହେଉଥିଲି ଯେ ସବୁ ସରିଯାଇନାହିଁ । ସାଧାରଣ ମଣିଷଟା ଠିକ୍ ଅଛି । ତାର ମଣିଷ ପଣିଆ ଠିକ୍ ରହିଛି । ତାକୁ ନେଇ ବେପାର କରୁଥିବା ମଣିଷ କେବଳ ଯାହା ବଦଳିଯାଇଛି  – ହୋଇଯାଇଛି ଶାଗୁଣା । ପକ୍ଷୀ ଶାଗୁଣା ନିଶ୍ଚିହ୍ନ ହୋଇଯିବା ଫଳରେ ବିବ୍ରତ ଭଗବାନ ପ୍ରକୃତିର ସନ୍ତୁଳନର ତାଡନାରେ କିଛି ମଣିଷଙ୍କୁ ଶାଗୁଣା କରିଦେଲେ କି ? ଯାହା ଦେଖି ଅବଶିଷ୍ଟ ଶାଗୁଣା ଲଜ୍ଜିତ ହୋଇ ଆତ୍ମଗୋପନ କରିଛନ୍ତି ।
ସମଶେର ଅଲ୍ଲୀ କହୁଥିଲା – ବାବୁ ଦେଖୁଛନ୍ତି ତା ଘର କେମିତି ଭାଙ୍ଗିଛି । ଏହା ଭିତରେ ମଣିଷ ତା ପିଲାପିଲିଙ୍କୁ ଧରି ରହିପାରିବେ କି ? କିନ୍ତୁ ଅଫିସର କହୁଛନ୍ତି ଆଂଶିକ ଭାଙ୍ଗିଛି । ଘୁଷ ଦେଲେ କାଳେ ଲେଖିଦେବ ପୁରା ଭାଙ୍ଗିଛି ବୋଲି ।
କୋହରେ ରୁଦ୍ଧ ହୋଇଯାଉଥିଲା ସମଶେରର ସ୍ୱର । ‘‘ସେଦିନ ଯାଇଥିଲି ପୁଲିସ ଥାନାକୁ । ବାତ୍ୟାରେ ମରିଥିବା ଭାଇ ବଷୟରେ ରିପୋର୍ଟ ଲେଖିବାକୁ । ସରକାର କହୁଥିଲେ ବାତ୍ୟାବେଳେ ମରିଥିବା ଲୋକଙ୍କୁ କ୍ଷତିପୂରଣ ମିଳିବ । କିନ୍ତୁ ପୁଲିସ କ’ଣ କହିଲେ ? ତାର ଆଗରୁ ରୋଗ ଥିବ । ସେହି ରୋଗରୁ ସେ ମରିଥିବ । ସେଥିପାଇଁ କ’ଣ କ୍ଷତିପୂରଣ ମିଳିବ ? ଫେରିଲା ବେଳକୁ ଜଣେ କହିଲା କିଛି ଖର୍ଚ୍ଚକଲେ ତୁମ ମନମୁତାବକ ରିପୋର୍ଟ ମିଳିଯିବ । ମୁଁ ମନାକଲି ।’’ ସମଶେର ହୋଇପଡୁଥିଲା ଭାବପ୍ରବଣ । ମୋ ହାତକୁ ଧରିପକାଇ କହିଲା – କୁହନା ବାବୁ, କ୍ଷମତାରେ ଥିବା ଏ ଲୋକମାନେ କାହିଁକି ଏତେ ଅମଣିଷ ହୋଇପଡିଛନ୍ତି ? ଏତେ ପାଠ, ଏତେବଡ ଚାକିରୀ, ଆଉ ଏତେ ଅମଣିଷ ! ସମଶେର କଇଁ କଇଁ ହୋଇ କାନ୍ଦୁଥିଲା । ପୋଷ୍ଟମ୍ୟାନ ସମଶେର ଅଲ୍ଲୀ କାନ୍ଦୁଥିଲା ।
ରାଜଧାନୀର ବଡ ବଡ ଲୋକଙ୍କ ଘରେ ଚିଠି ବାଣ୍ଟି ଏହି ସମ୍ବାଦବାହକଟି ଯେମିତି ବଡଲୋକଙ୍କ ଅମଣିଷ ପଣିଆରେ ପେଶି ହୋଇଯାଇଥିଲା । ବଙ୍ଗୋପସାଗର ଭିତରେ ଶହ ଶହ ମାଇଲ ଦୂରରୁ ଆସିଥିବା ବାତ୍ୟା ବଡ ଲୋକଙ୍କର ବିକଟାଳ ରୂପକୁ ଯେମିତି ତା’ ଆଗରେ ଉଲଗ୍ନ ଠିଆ କରିଦେଇଥିଲା ।
ସମଶେର ମୋତେ ନେଇ ଗାଁ ଭିତରେ ବୁଲୁଥିଲା । ଘର ପରେ ଘର ଭାଙ୍ଗି ଧସି ଯାଇଥିବା ଘର ଦେଖାଇ ଦେଖାଇ କହିଚାଲିଥିଲା ତାର କୋହ ଭରା ରୁଦ୍ଧ ସ୍ୱରରେ ଅମାନବିକତାର କାହାଣୀ । ପଛେ ପଛେ ଚାଲିଥିଲେ ଗାଁର କିଛି ହତଶ୍ରୀ ଯୁବକ । ରମଜାନ ଦେଖେଇଦେଲା- ଏଇଟା ସମଶେର ଭାଇର ପୋଖରୀ । ବାତ୍ୟା ଦିନ ବର୍ଷା ପାଣିରେ ପୋଖରୀ ଉଚ୍ଛୁଳିଲା । ମାଛ ସବୁ ବାହାରିଗଲେ । ସମଶେର ଭାଇ କହିଲା- ଡେରି କରନା । ମାଛ ସବୁ ଗୋଟାଇ ନେଇ ଖାଇ ଦିଅ । ସମଶେର ବାଉଳି ଚାଉଳି ହେଉଥିଲା । କେମିତି ଚଳିବେ ତା ଗାଁର ଲୋକ ? କେଉଁଠୁ ମଜୁରୀ ପାଇବେ । କାହା ଘରେ ଯାଇ ଖଟିବେ । ଥା’ନ୍ତା କି ତା’ର ବହୁତ ପଇସା ତାହେଲେ ସେ ସମସ୍ତଙ୍କୁ ଅଟକାଇ ଦିଅନ୍ତା – ଖାଇବା ରହିବାର ବନ୍ଦୋବସ୍ତ କରି । ସେହି ମାସ ପାଇଥିା ଦରମାରେ ତ ସେ ଖୋଇସାରିଥିଲା ତା ଗାଁ ଲୋକଙ୍କୁ । ନୁରଜାହାଁ ବିବି କହୁଥିଲା – ‘‘ସମଶେର ତା ଦରମା ଆଣି ଆମକୁ ଡାକିଲା । ଥୋଇଦେଲା ତା ଦରମା ପଇସା, ଆଉ ଖନ୍ଦା ଲଗାଅ ।’’
କିନ୍ତୁ ପୋଷ୍ଟମ୍ୟାନ୍ ସମଶେରର ଦରମା କେତେ ଦିନକୁ ବା ପା’ନ୍ତା ?
ମୋର ମନେପଡୁଥିଲା ଆମ ସହରର ଭି.ଆଇ.ପି. କଲୋନୀର ବାସିନ୍ଦାଙ୍କର କଥା । ଏହି କଲୋନୀର କୌଣସି ଘରର ମୂଲ୍ୟ ତିରିଶ ଲକ୍ଷ୍ୟରୁ କମ୍ ହେବ ନାହିଁ । କୌଣସି ବାସିନ୍ଦା ଉଚ୍ଚ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ଠାରୁ କମ୍ ଦରର ନୁହନ୍ତି । ମାତ୍ର ତିରିଶଟି ପରିବାରର ଏହି କଲୋନୀରୁ ତିନିହଜାର ଟଙ୍କା ଦୁର୍ଗତଙ୍କ ପାଇଁ ସାହାଯ୍ୟ ଯୋଗାଡ କରିହେଲା ନାହିଁ । ବ୍ୟସ୍ତ ହେଉଥିଲେ କଲୋନୀ ବାସିନ୍ଦା ଆସୋସିଏସନର କୋଷାଧ୍ୟକ୍ଷ କାହିଁକି  ଏତେ ହୃଦୟହୀନ ହୋଇଯାଇଛନ୍ତି ସମାଜର ବଡ ଲୋକମାନେ ? ଏତେ ବଡ ବାତ୍ୟା, ଏତ ବଡ ବିପର୍ଯ୍ୟୟ ଅଥଚ ବଡଲୋକଙ୍କ ମୁଣାରୁ ବାହାରି ପାରେନା ପରିବାର ପିଛା ମାତ୍ର ଶହେ ଟଙ୍କା !
ସମଶେର ଅଲ୍ଲୀ ସାଙ୍ଗରେ ବୁଲୁ ବୁଲୁ ବାରମ୍ବାର ମନେ ପଡୁଥିଲା କୋଷାଧ୍ୟକ୍ଷଙ୍କର ବ୍ୟସ୍ତତା ଆଉ ମୁଣ୍ଡ ମୋର ନଇଁ ଆସୁଥିଲା ସମଶେର ଅଲ୍ଲୀ ସାମନାରେ । ହୃଦୟ କହୁଥିଲା – ସଲାମ୍, ସମଶେର ! ଏନ୍-୬, ଜୟଦେବ ବିହାର ଭୂବନେଶ୍ୱର ।

Print Friendly, PDF & Email