');}

ମୁଦ୍ରା ଅଚଳ ନିଷ୍ପତ୍ତିର ଇତିହାସ

print

                                                                                                                                                                        ବୀରେନ୍ଦ୍ର ନାୟକ
ମୁଦ୍ରା ଅଚଳ ନିଷ୍ପତ୍ତି ସାହସିକତାର ମାପକାଠି !
ସାହସିକତାର ଏକ ମାପକାଠି ହେଉଛି ମୁଦ୍ରା ଅଚଳ ନିଷ୍ପତ୍ତି ଓ ଏହି ମାପକାଠିରେ ନରେନ୍ଦ୍ର ମୋଦୀ  ଇନ୍ଦିରା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ଭଳି ଏକ ଧାରଣା ଦେଉଥିଲେ ନରେନ୍ଦ୍ର ମୋଦୀ ତାଙ୍କର ଉଦ୍ବୋଧନରେ । ଉଦ୍ବୋଧନଟି ଥିଲା ଭାରତୀୟ ଜନତା ପାର୍ଟିର  ସାଂସଦମାନଙ୍କୁ, ମୁଦ୍ରା ଅଚଳ ନିଷ୍ପତ୍ତି ନେବାର ୩୯ତମ ଦିବସରେ, ୧୬ ଡିସେମ୍ବର ୨୦୧୬ ଦିନ, ସଂସଦ ଭବନର ପରିସରରେ କିନ୍ତୁ ସଂସଦ ପଟଳ ବାହାରେ । ସଂଯୋଗ ବଶତଃ ଏହି ଦିନଟି ମଧ୍ୟ ଥିଲା ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସଂଘଟିତ ୧୯୭୧ ବଂଗଳା ଦେଶ ମୁକ୍ତି ଯୁଦ୍ଧରେ ବିଜୟର ୪୫ ତମ ବାର୍ଷିକୀ  । ଏହି ମୁକ୍ତି ଯୁଦ୍ଧରେ ବିଜୟ ହିଁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ୱାଧୀନୋତ୍ତର ଭାରତରେ ସବୁଠାରୁ ସାହସୀ ରାଜନେତା ଭାବେ ପ୍ରତିପାଦିତ କଲା । ନରେନ୍ଦ୍ର ମୋଦୀଙ୍କର ପୂର୍ବସୁରୀ, ଭାରତୀୟ ଜନସଂଘ/ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀ ତାଙ୍କୁ ‘ମା ଦୁର୍ଗା’ ବୋଲି ଆଖ୍ୟାୟିତ କରିଥିଲେ ବୋଲି କୁହାଯାଏ । କିନ୍ତୁ ଇନ୍ଦିରା ଯେ ମୁଦ୍ରା ଅଚଳ କରିବାର ନିଷ୍ପତ୍ତି ନେବାରେ ପଛ ଘୁଂଚା ଦେଇଥିଲେ ଏହା  ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ମାଧବ ଗୋଡବୋଲେଙ୍କ ଲିଖିତ ପୁସ୍ତକରୁ ଉଦ୍ଧାର କରି ବିଜେପି ସାଂସଦମାନଙ୍କୁ ଜଣାଉଥିଲେ ମୋଦୀ । ‘ତକ୍ରାଳୀନ ଅର୍ଥମନ୍ତ୍ରୀ ୱାଇ ଭି ଚାଭନ ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିକଟରେ ମୁଦ୍ରା ଅଚଳ ନିଷ୍ପତ୍ତି ପାଇଁ ପ୍ରସ୍ତାବ ରଖିଲେ ସେତେବେଳେ ଇନ୍ଦିରା ପଚାରିଲେ କଂଗ୍ରେସଦଳକୁ କଣ ଆଉ ନିର୍ବାଚନ ଲଢିବାର ଆବଶ୍ୟକତା ନାହିଁ ?’ ଇନ୍ଦିରାଙ୍କର ଏହି ପ୍ରତିକ୍ରିୟାର ବ୍ୟୁତ୍ପତି କରି ମୋଦୀ ତାଙ୍କର ବଶମ୍ବଦ ସାଂସଦମାନଙ୍କୁ ପଚାରୁଥିଲେ, “ମୋତେ କୁହ, କିଏ ବଡ, ଦେଶ ନା ଦଳ ?……ଯଦି ୧୯୭୧ରେ ମୁଦ୍ରା ଅଚଳ ନିଷ୍ପତ୍ତି ନିଆ ଯାଇଥାନ୍ତା ତାହାହେଲେ ରାଷ୍ଟ୍ର ଆଜିକା ଦିନ ଦେଖନ୍ତା ନାହିଁ । ” କହିବା ବାହୁଲ୍ୟ, ମୋଦୀ ଏହି ଉଦ୍ବୋଧନ ଦ୍ୱାରା ଦର୍ଶାଇବାକୁ ଚାହୁଁଥିଲେ ଯେ ସେ ଇନ୍ଦିରାଙ୍କଠାରୁ ଅଧିକ ସାହସୀ ଓ ସେ ରାଷ୍ଟ୍ର ସ୍ୱାର୍ଥକୁ ଦଳର ସ୍ୱାର୍ଥର  ଉଦ୍ଧ୍ୱର୍ରେ ରଖି ମୁଦ୍ରା ଅଚଳର ନିଷ୍ପତ୍ତି ନେଇଛନ୍ତି୧ । ମୋଦୀଙ୍କର ମୁଦ୍ରା ଅଚଳ ନିଷ୍ପତ୍ତିକୁ ପ୍ରଶଂସକ-ସମାଲୋଚକ ସମସ୍ତେ ଏହାକୁ ଏକ ସାହସିକ ନିଷ୍ପତ୍ତି କହିବାରେ କୁଣ୍ଠିତ ହୋଇ ନାହାନ୍ତି । ଯେଉଁମାନେ ଏହାକୁ ଏକ ‘ଜୁଆ’୨, ‘ତୁଗଲକି ଫର୍ମାନ୍’୩  , ‘ଏକଛତ୍ରବାଦୀ’୪ ବା ଏକ ସଂଗଠିତ ‘ଲୁଟ’ର  ଉପକ୍ରମ୫ବୋଲି ଅଭିହିତ କରୁଛନ୍ତି, ସେମାନେ ପ୍ରକାରାନ୍ତରେ ମେ।।ଦୀଙ୍କର ସାହସୀକତାକୁ ହିଁ ସ୍ୱୀକୃତି ଦେଉଛନ୍ତି । ଜୁଆଖେଳିବା ପାଇଁ ସାହସ ଦରକାର, ଲୁଟ କରିବା ପାଇଁ ମଧ୍ୟ ସାହସ ଦରକାର, ତୁଗଲକଙ୍କ ପରି ବେପରୁଆ ନିଷ୍ପତ୍ତି ନେବା ପାଇଁ ମଧ୍ୟ ସାହସ ଦରକାର ଓ ସାହସ ଥିଲେ ହିଁ ଜଣେ ଏକଛତ୍ରବାଦୀ ଆଚରଣ କରିପାରେ । ଯଦିଓ ଏହି ସାହାସିକତାକୁ ସମାଲୋଚକମାନେ, ଯେପରି ବିଜେପିର ପୁର୍ବତନ ମନ୍ତ୍ରୀ ଅରୁଣ ସୈାରୀ, କୁଅରେ ଡେଇଁବା ବା ଆତ୍ମହତ୍ୟା କରିବାର ସାହାସିକତା ବୋଲି ଛିଗୁଲେଇଛନ୍ତି୬ । ତେବେ ମୋଦୀଙ୍କର ସାହସିକତା ଅଧିକ ଜାଜୁଲ୍ୟମାନ ହୋଇଥାନ୍ତା ଯଦି ଏହି ମୁଦ୍ରା ଅଚଳ ନିଷ୍ପତ୍ତି ପ୍ରସଂଗରେ ଉପରୋକ୍ତ ବକ୍ତବ୍ୟଟିକୁ ସଂସଦର ପଟଳରେ ରଖିଥାନ୍ତେ ଓ ବିରୋଧୀଦଳମାନଙ୍କର ନଛୋଡବନ୍ଧା ଦାବିକୁ ନିଷ୍ପ୍ରଭ କରି ଦେଇଥାନ୍ତେ । ଏହା ସେ କଲେ ନାହିଁ । ସଂସଦର ଶୀତକାଳୀନ ଅଧିବେଶନଟି ସମ୍ପୂର୍ଣ୍ଣ ନିରର୍ଥକ ହୋଇଗଲା । ଅବଶ୍ୟ ଏହା ହେବା ଫଳରେ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ସଂସଦୀୟ ଉପସ୍ଥିତି ଭତ୍ତାକୁ ନେବେ ନାହିଁ ବୋଲି ଘୋଷଣା କରିବାର ଏକ ସୁଯୋଗ ପାଇଲେ, ଓ ଏଥିପାଇଁ ବେଶ ପ୍ରଚାରିତ ମଧ୍ୟ ହେଲେ ।
ସାହସୀ ମୋଦୀ ନା ମୋରାରଜୀ
ଏହା ଅବଶ୍ୟ ତାତ୍ପର୍ଯ୍ୟ ପୂର୍ଣ୍ଣ ଯେ ମୋଦୀଜୀ ୧୯୭୧ରେ ଇନ୍ଦିରା ଗାନ୍ଧୀ ମୁଦ୍ରା ଅଚଳ ନିଷ୍ପତ୍ତି ନେଇଥିଲେ ଆଜିକାର ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ଯେତେବେଳେ କହୁଛନ୍ତି ସେତେବେଳେ ୧୯୭୮ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀଙ୍କର ମୁଦ୍ରା ଅଚଳ ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛନ୍ତି । ନିଶ୍ଚିତ ଭାବରେ ଏହାକୁ ଉଲ୍ଲେଖ କରିଥିଲେ ଆଜିକା ପରିସ୍ଥିତ ପାଇଁ ସେ ଇନ୍ଦିରା ଗାନ୍ଧୀଙ୍କୁ ଦାୟୀ କରିବାର ରାଜନୈତିକ ଅବସର ପାଇ ନଥାନ୍ତେ । ପ୍ରଶ୍ନ ଉଠିଥାନ୍ତା ଯେ ୧୯୭୮ ମସିହାରେ ତ ମୋରାରଜୀ ମୁଦ୍ରା ଅଚଳର ନିଷ୍ପତ୍ତି ନେଇଥିଲେ ଏବଂ କାର୍ଯ୍ୟକାରୀ କରିଥିଲେ, ତାହାହେଲେ ଆଜିକାର ପରିସ୍ଥିତି ଉପୁଜିଲା କିପରି? ତେଣୁ ମୋଦୀ ଚତୁରତାର ସହିତ ଏଭଳି ପ୍ରଶ୍ନ ପାଇଁ ସୁଯୋଗ ସୃଷ୍ଟି କରି ନାହାନ୍ତି । ଅପର ପକ୍ଷରେ ସେ ଇନ୍ଦିରାଙ୍କ ସମୟର କଥାକୁ ଉଠାଇ ପ୍ରକାରାନ୍ତରେ ଇନ୍ଦିରା ହିଁ ଏଯାବତ୍ ସବୁଠାରୁ ସାହସୀ ରାଜନେତା ବୋଲି ସ୍ୱୀକାର କରି ନିଜକୁ ତାଙ୍କଠାରୁ ଅଧିକ ସାହସୀ ବୋଲି ପ୍ରତିପାଦିତ କରିବା ପାଇଁ ଉଦ୍ୟମ କରିଛନ୍ତି । ଏକ ଇଂରାଜୀ ଦୈନିକ ତାଙ୍କ ସମ୍ପାଦକୀୟରେ ମୋଦୀଙ୍କର ଏତାଦୃଶ ଉଦ୍ୟମ ପଛରେ ଥିବା ମାନସିକତା ଉପରେ ମନ୍ତବ୍ୟ କରି କୁହନ୍ତି୭, “Narendra Modi is obsessed with being a “strong leader”” । କିନ୍ତୁ ମୁଦ୍ରା ଅଚଳ ନିଷ୍ପତ୍ତି ଯଦି ସାହାସିକତାର ଏକ ମାପକାଠି ହୁଏ ଓ ଏହାକୁ ଆଧାର କରି ମୋଦୀ ନିଜକୁ ଇନ୍ଦିରାଙ୍କ ଠାରୁ ଅଧିକ ଶକ୍ତିଶାଳୀ ବୋଲି ପ୍ରତିପାଦିତ କରୁଛନ୍ତି, ତାହାହେଲେ ମୋରାରଜୀ ହିଁ ଏହି ମାପକାଠିରେ ସ୍ୱାଧୀନୋତ୍ତର ଭାରତରେ ପ୍ରଥମ ଉଦାହରଣ ହେବେ ଓ ନରେନ୍ଦ୍ର ମୋଦୀଙ୍କଠାରୁ ଅଧିକ ସାହସିକତାର ପରିଚୟ ଦେଇଥିଲେ ବୋଲି ଇତିହାସରେ ରହିବେ । କାରଣ ମୁଦ୍ରା ଅଚଳ ନିଷ୍ପତ୍ତି ପ୍ରକୃତ ଅର୍ଥରେ ମୋରାରଜୀ ହିଁ ନେଇଥିଲେ ଯେତେବେଳେ ସେ ୧୦୦୦, ୫୦୦୦ ଓ ୧୦,୦୦୦ଟଙ୍କିଆ ନୋଟ ଗୁଡିକୁ ସମ୍ପୂର୍ଣ୍ଣ ଅଚଳ ବୋଲି ଘୋଷଣା କଲେ । ଏହାଦ୍ୱାରା ଏହି ମୂଲ୍ୟର କାଗଜ ଟଙ୍କା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହେଲା ଓ ସବୁଠାରୁ ବଡ ନୋଟ ଗୁଡିକୁ ସମ୍ପୂର୍ଣ୍ଣ ଅଚଳ ବୋଲି ଘୋଷଣା କଲେ । ଏହାଦ୍ୱାରା ଏହି ମୂଲ୍ୟର କାଗଜ ଟଙ୍କା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହେଲା ଓ ସବୁଠାରୁ ବଡ ମୂଲ୍ୟର ନୋଟ ୧୦୦ଟଙ୍କା  ହିଁ ରହିଲା । କିନ୍ତୁ ମୋଦୀ ସେ ଭଳି କରିନାହାନ୍ତି । ଏଯାବତ୍ ଆମର ପରିଚିତ ଆକାର ଓ ରଂଗର ୫୦୦ଟଙ୍କିଆ ନୋଟକୁ ପ୍ରଚଳନରୁ ସହସା କାଢି ନେଇଛନ୍ତି ଓ ତା ସ୍ଥାନରେ ଭିନ୍ନ ଆକାର ଓ ରଂଗର ୫୦୦ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ କରିଛନ୍ତି  । ଏହି ନୂତନ ନୋଟ ଅଧିକ ସୁରକ୍ଷିତ ଅର୍ଥାତ୍ ଏହାକୁ ଜାଲ କରାଯାଇ ପାରିବ ନାହିଁ ବୋଲି ଯେପରି ଧାରଣା ଦେଉଛନ୍ତି । ସେହିଭଳି ୧୦୦୦ଟଙ୍କିଆ ନୋଟ ଏକ ପରିବର୍ତ୍ତିତ ରୂପରେ ଆସିବ ବୋଲି କୁହାଯାଉଛି । ବରଂ ଏଯାବତ୍ ପ୍ରଚଳନରେ ଆସି ନ ଥିବା ଉଚ୍ଚ ମୂଲ୍ୟର ୨୦୦୦ଟଙ୍କିଆ ନୋଟର ପ୍ରଚଳନ କରାଇଛନ୍ତି ମୋଦୀ ମହାଶୟ । ତେଣୁ ଉଚ୍ଚ ମୁଲ୍ୟର ନୋଟ ଆଉ ପ୍ରଚଳନରେ ରହିବ ନାହିଁ ଏପରି ନିଷ୍ପତ୍ତି ନେବାର ସାହସ ମୋଦୀ କରିନାହାନ୍ତି ଯାହା ମେରାରଜୀ କରିଥିଲେ । ଯାହା ମୋରାରଜୀ କରିଥିଲେ ତାହା ପାଇଁ ହିଁ  ‘ବିମୁଦ୍ରୀକରଣ’ ବା ‘ବିମୁଦ୍ରାୟନ’ ପଦଟିର ବ୍ୟବହାର ଯଥାର୍ଥ, ଯାହା ମୋଦୀ କରିଛନ୍ତି ତାହା ପାଇଁ ନୁହେଁ ଯଦିଓ ଏହି ପଦଟିର ବ୍ୟବହାର ବହୁଳ ହେଉଛି । କୈାଣସି ମୂଲ୍ୟ ଅପରିବର୍ତ୍ତିତ ଥାଇ ନୋଟର ଆକାର ବା ରଂଗରେ ପରିବର୍ତ୍ତନ ବିମୁଦ୍ରୀକରଣ ନୁହେଁ । ୨୦୧୪ ମସିହା ଜାନୁଆରୀ ମାସରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେ ୨୦୦୫ ମସିହା ପୂର୍ବରୁ ଜାରି କରାଯାଇଥିବା ନୋଟ ଗୁଡିକୁ ୩୧ ମାର୍ଚ୍ଚ ୨୦୧୪ ସୁଦ୍ଧା ସମାନ ମୂଲ୍ୟର ନୂତନ ନୋଟରେ ବଦଳାଇ ନେବା ପାଇଁ । ଏହାକୁ କେହି ସେତେବେଳେ ବିମୁଦ୍ରୀକରଣ ବୋଲି କହି ନଥିଲେ ଯଦିଓ ତକ୍ରାଳୀନ ବିରୋଧୀଦଳ ଭାରତୀୟ ଜନତା ପାର୍ଟି ଏହାର ସମାଲୋଚନା କରିଥିଲା, ଓ ଯାହା କଂଗ୍ରେସ ବର୍ତ୍ତମାନ ମୋଦୀଙ୍କ ନିଷ୍ପତ୍ତି ବିରୋଧରେ କହୁଛି ଠିକ ତାହାହିଁ କହିଥିଲା୮ । ଆଜି ଯେପରି  ମୁଦ୍ରା ଅଚଳ ନିଷ୍ପତ୍ତିକୁ ଭିତ୍ତି କରି ମୋଦୀଙ୍କୁଏକ ସାହସୀ ଓ ଦୃଢ ବ୍ୟକ୍ତିତ୍ୱ ବୋଲି ଗଣମାଧ୍ୟମରେ ଉପସ୍ଥାପିତ କରାଯାଉଛି ମୋରାରଜୀଙ୍କ ସମୟରେ ସେଭଳି ସଂକିର୍ତ୍ତନ ତକ୍ରାଳୀନ ଗଣମାଧ୍ୟମରେ ହେବା ଦେଖାଯାଏ ନାହିଁ । ଏହା ତ ଭିନ୍ନ କଥା ଯେ ମୋରାରଜୀଙ୍କର ସ୍ପଷ୍ଟବାଦୀତା ଓ ନୈଷ୍ଠିକ ଜୀବନ ଚର୍ଯ୍ୟା ଭାରତୀୟ ରାଜନୀତିରେ ଏଯାବତ୍ ଅନତିକ୍ରମଣୀୟ ହୋଇ ରହିଛି ।
୧.୮୨% ବନାମ ୮୬.୬%
ମୋରାରଜୀ ଯେଉଁ ଉଚ୍ଚ ମୂଲ୍ୟର ମୁଦ୍ରା ତ୍ରୟ (୧୦୦୦, ୫୦୦୦, ୧୦,୦୦୦ ଟଙ୍କିଆ ନୋଟ) ଅଚଳ ହେଲା ବୋଲି ନିଷ୍ପତ୍ତି ନେଇଥିଲେ, ତକ୍ରାଳୀନ ଅର୍ଥମନ୍ତ୍ରୀ ଏଚ୍ ଏମ୍ ପଟେଲଙ୍କର ସଂସଦରେ ପ୍ରଦତ୍ତ ବିବୃତି (ମାର୍ଚ୍ଚ ୨୩, ୧୯୭୮) ଅନୁସାରେ ତାହାର ମୋଟ ମୂଲ୍ୟ ଥିଲା ୧୪୫ କୋଟି ଟଙ୍କା ଓ ପ୍ରଚଳନରେ ଥିବା ସମସ୍ତ ନୋଟର ସମୁଦାୟ ମୂଲ୍ୟ ଥିଲା ୮୦୦୦କୋଟି ଟଙ୍କା । ଅର୍ଥାତ୍ ମୋରାରଜୀ ଅଚଳ କରିଦେଇଥିବା ମୁଦ୍ରାର ମୋଟ ମୂଲ୍ୟ ପ୍ରଚଳନରେ ଥିବା ସମସ୍ତ ନୋଟର ସମୁଦାୟ ମୂଲ୍ୟର ମାତ୍ର ୧.୮୨ ପ୍ରତିଶତ । ପ୍ରାସଂଗିକ ହେବ ଉଲ୍ଲେଖ କରିବା ଯେ ସେ ତେବେଳେ ୫୦୦ଟଙ୍କିଆ ନୋଟର ପ୍ରଚଳନ ନ ଥିଲା । ତେଣୁ ମୋରାଜୀଙ୍କର ଅଚଳ ନିଷ୍ପତ୍ତି ପରେ ୧୦୦ଟଙ୍କିଆ ନୋଟ ହିଁ ସର୍ବୋଚ୍ଚ ମୂଲ୍ୟର ନୋଟ ହୋଇ ରହିଲା । କିନ୍ତୁ ମୋଦୀ ମହାଶୟ ଯେଉଁ ମୁଦ୍ରା ଦ୍ୱୟ (୫୦୦ ଓ ୧୦୦୦ଟଙ୍କିଆ ନୋଟ)ଅଚଳ ହେଲା ବୋଲି ନିଷ୍ପତ୍ତି ନେଲେ, ତାହା ର ମୋଟ ମୂଲ୍ୟ ୧୪.୨ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ, ୍ରପ୍ରଚଳନରେ ଥିବା ସମସ୍ତ ନୋଟର ସମୁଦାୟ ମୂଲ୍ୟ ଥିଲା ୧୬.୪ ଲକ୍ଷ କୋଟି ଟଙ୍କା (୩୧ ମାର୍ଚ୍ଚ ୨୦୧୬ ସୁଦ୍ଧା) ।ଅର୍ଥାତ୍ ମୋଦୀ ଅଚଳ କରି ଦେଇଥିବା ମୁଦ୍ରାର ମୋଟ ମୂଲ୍ୟ ପ୍ରଚଳନରେ ଥିବା ସମସ୍ତ ନୋଟର ସମୁଦାୟ ମୂଲ୍ୟର ୮୬.୬ ପ୍ରତିଶତ୯ ।  ଏହି ଦୁଇଟି ସଂଖ୍ୟାକୁ ତୁଳନା କରି କେହି କେହି ମୋଦୀଙ୍କୁ ଅଧିକ ସାହସୀ ବୋଲି ବିଚାର କରି ପାରନ୍ତି । କାରଣ ତାଙ୍କର ନିଷ୍ପତ୍ତି ଦ୍ୱାରା ସେ ଅଧିକ ଲୋକଙ୍କୁ ଅସୁବିଧାରେ ପକାଇବାର ରିସ୍କ ବା ବିପଦ ନିଜ ମୁଣ୍ଡକୁ ଯେ ନେଇଛନ୍ତି । ଏହି ଅସୁବିଧାର ବ୍ୟାପକତା ଓ ଗଭୀରତା କେତେ ତାହାତ ସମ୍ବାଦ ପତ୍ରରେ ଦୃଶ୍ୟମାନ ଶିରୋନାମା ଗୁଡିକ କହୁଛି । ଯେପରି “No cash, no job, nowhere to go”, “As if drought weren’t bad enough”, “ Demonetisation proves to be the kiss of death for farmers, “Farmers and small traders hit hard by demonetisation” ଇତ୍ୟାଦି ।    ମୋଦୀଙ୍କ ଆସ୍ଫାଳିତ ୫୦ ଦିନିଆ କଣ୍ଟ (୩୦ ଡିସେମ୍ବର ୨୦୧୬) ଯେତେ ପାଖକୁ ଆସୁଛି ସମ୍ବାଦ ପତ୍ରରେ ଏହି ଭଳି ଶିରୋନାମା କାହିଁକି ଅଧିକରୁ ଅଧିକ ପ୍ରକାଶିତ ହେଉଛି । ୧୦୦ ପାଖା ପାଖି ଲୋକଙ୍କର ଏହି ଅସୁବିଧାରୁ ଇତ୍ୟବସରରେ ମୃତ୍ୟୁ ହୋଇଛି । କିନ୍ତୁ ମୋଦୀ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି, ତାଙ୍କ ନିଷ୍ପତ୍ତିର ସମାଲେଚକମାନଙ୍କୁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ଥାନର ସେନା ସହ ତୁଳନା କରିଛନ୍ତି୧୦ । ଏହା ସେ ବାରଣାସୀରେ ଏକ ସଭାରେ ରାହୁଳ ଗାନ୍ଧୀ ତାଙ୍କ ବିରୋଧରେ ଆଣିଥିବା ୪୫ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗକୁ ପରିହାସ କରୁ କରୁ କହୁଥିଲେ୧୧ । ମୋଦୀଙ୍କର ନିଷ୍ପତ୍ତି କଳାଧନ ବିରୋଧରେ ‘surgical strike’ ନିଷ୍ପତ୍ତିର ପରିଣତିରେ ଲମ୍ବା ଧାଡିରେ ଠିଆ ହେବାକୁ ଦେଶପ୍ରେମର ପରୀକ୍ଷା ଓ ପରିଶେଷରେ ନିଷ୍ପତ୍ତିର ସମାଲୋଚକମାନଙ୍କୁ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ଥାନର ସେନା ସଦୃଶ ବୋଲି ଆଖ୍ୟାୟିତ କରିବା ଦର୍ଶାଉଛି ଯେ ମୋଦୀ ତାଙ୍କର ନିଷ୍ପତ୍ତିକୁ ରାଷ୍ଟ୍ର ପାଇଁ ଏକ ଯୁଦ୍ଧ ବୋଲି ଉପସ୍ଥାପିତ କରିବାକୁ ଚାହିଁଛନ୍ତି ଓ ସମର ଶାସ୍ତ୍ରର ପଦ(terminology) ଗୁଡିକୁ ତାଙ୍କ ନିଷ୍ପତ୍ତି ସନ୍ଦର୍ଭରେ ଏକ ମେଟାଫର ବା ରୁପକ ଭାବେ ପ୍ରୟୋଗ କରି ଉଲ୍ଲସିତ ହେଉଛନ୍ତି । କିନ୍ତୁ ଏଭଳି ତୁଳନା ଦ୍ୱାରା ମୋଦୀ  ତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ସଂସଦ ପଟଳରେ ମତ ରଖିଥିବା ସାଂସଦମାନଙ୍କର ବିଶେଷ ଅଧିକାର (Privilage) କୁ କ୍ଷୁର୍ଣ୍ଣ କରୁ ନାହାନ୍ତି ତ? ତେବେ ଜଣେ ସାହସୀ ବ୍ୟକ୍ତି ହିଁ ଏପରି   କରିପାରେ । ମୋଦୀ  ମୋରାରଜୀଙ୍କ ଠାରୁ ଅଧିକ ସାହସୀ ଏହାରର ଆଉ ଏକ ଦୃଷ୍ଟାନ୍ତ ହେଲା ମୋରାରଜୀଙ୍କର ନିଷ୍ପତ୍ତି ପଛରେ ଥିଲା ଏକ ଅଧ୍ୟାଦେଶ (High Denomination Bank Notes (Demonetisation) Ordinance 1978) ଯାହା ଜାରି କରିଥିଲେ ତକ୍ରାଳୀନ ରାଷ୍ଟ୍ରପତି ନୀଳମ ସଂଜୀବ ରେଡ୍ଡୀ, ସହସା ଆହୂତ କ୍ୟାବିନେଟର ସଂକ୍ଷିପ୍ତ ଗୋପନୀୟ ସଭା ପରେ ପରେ, ୧୬ ଜାନୁଆରୀ ୧୯୭୮ ଦିନ ।  ମାତ୍ର ତିନି ମାସ ଭିତରେ (ମାର୍ଚ୍ଚ ୧୯୭୮) ଏହି ଅଧ୍ୟାଦେଶ ସ୍ଥାନରେ ଗୃହୀତ ହେଲା The High Denomination Bank Notes (Demonetisation) Act, 1978 । ପ୍ରାସଂଗିକ ଉଲ୍ଲେଖ କରିବା ଯେ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ତକ୍ରାଳୀନ ବ୍ରିଟିଶ ସରକାର ଏକ ଅଧ୍ୟାଦେଶ ବଳରେ, ଜାନୁଆରୀ ୧୨, ୧୯୪୬ ରୁ ୫୦୦, ୧୦୦୦ ଓ ୧୦,୦୦୦ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ୧୨ । କହିବା ବାହୁଲ୍ୟ ଯେ ମୋଦୀଙ୍କ ନିଷ୍ପତ୍ତି ପୂର୍ବରୁ ଭାରତ ଭୂମିରେ ଯେଉଁ ଦୁଇଥର ମୁଦ୍ରା ଅଚଳ ନିଷ୍ପତ୍ତି ହୋଇଥିଲା ତାହା ପଛରେ ଥିଲା ଅଧ୍ୟାଦେଶ । କିନ୍ତୁ ମୋଦୀ ଛାଁ ନିଷ୍ପତ୍ତି ନେଇଗଲେ, ଯଦିଓ ନିଷ୍ପତ୍ତି ନିଜେ ଘୋଷଣା କରିବା ପୂର୍ବରୁ ସେ କ୍ୟାବିନେଟର ଏକ ସଭା ଆହୂତ କରିଥିଲେ ଓ ସଭାକୁ ମୋବାଇଲ ଫୋନ ନ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ତାଙ୍କର ଭାଷଣ ନ ସରିବା ପର୍ଯ୍ୟନ୍ତ କେହି ସଭାଗୃହ ଛାଡିବେ ନାହିଁ ବୋଲି ତାଗିଦ କରିଥିଲେ । ପୂର୍ବ ଦୃଷ୍ଟାନ୍ତ ଦେଇ ଯେଉଁମାନେ ଅଧ୍ୟାଦେଶ ନ କରି ମୋଦୀଙ୍କ ନିଷ୍ପତ୍ତି ନେବାକୁ ପ୍ରଶ୍ନ କଲେ ସେମାନଙ୍କୁ , ମନ୍ତ୍ରୀମଣ୍ଡଳର ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟ ସଭାରେ ଉତ୍ତର ଦେଇ କହିଲେ ଯେ ମୁଦ୍ରା ଅଚଳ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ ଅଧିକୃତ, କୈାଣସି ଅଧ୍ୟାଦେଶର ଆବଶ୍ୟକତା ନାହିଁ୧୩ା   ଅଧ୍ୟାଦେଶ ଜାରି ହୋଇଥିଲେ ଏହାକୁ ଉପସ୍ଥାପିତ କରିବାକୁ ପଡିଥାନ୍ତା ଚଳିତ ଶୀତକାଳୀନ ସଂସଦ ଅଧିବେଶନରେ । ରାଷ୍ଟ୍ରକୁ ସମ୍ବୋଧିତ କରିଥିବା ପ୍ରଧାନମନ୍ତ୍ରୀ ହୁଏତ ବାଧ୍ୟ ହୋଇଥାନ୍ତେ ଏହି ପ୍ରସଂଗ ଉପରେ ନିଜର ବକ୍ତବ୍ୟ ରଖିବା ପାଇଁ । କିନ୍ତୁ ସେ ତ ଯେପରି ସ୍ଥିର କରି ନେଇଥିଲେ ଯେ ସଂସଦରେ  ବକ୍ତବ୍ୟ ରଖିବେ ନାହିଁ ,  ସଂସଦ ଅଚଳ ହେଉପଛେ ଓ ଅଧିବେଶନଟି ନିଷ୍ଫଳ ହେଉପଛେ । ତେଣୁ ଅଧ୍ୟାଦେଶ କାହିଁକି ଆଣନ୍ତେ ? ଏହା ଛଡା ରାଜ୍ୟ ସଭାରେ ତ ତାଙ୍କ ଦଳର ସଂଖ୍ୟାଗରିଷ୍ଠତା ନାହିଁ । ସଂସଦୀୟ ସ୍ୱୀକୃତିକୁ ଉପେକ୍ଷା କରିବା କ’ଣ କମ ବଡ ସାହସିକତା! ଏହା ମୋରାରଜୀ ବିମୁଦ୍ରୀକରଣ ନିଷ୍ପତ୍ତି ବେଳେ ତ କରି ପାରି ନଥିଲେ । ଉଲ୍ଲେଖଯୋଗ୍ୟ ଯେ  ଏହି ନିଷ୍ପତ୍ତି ବେଳେ ମୋରାରଜୀଙ୍କ ମନ୍ତ୍ରୀମଣ୍ଡଳରେ ଥିଲେ ଅଟଳ ବିହାରୀ ବାଜପେୟୀ ଓ ଲାଲ କୃଷ୍ଣ ଆଦୱାନୀ, ଯେଉଁମାନେ ଆଜି ମୋଦୀଙ୍କର  ମାର୍ଗ ଦର୍ଶକ ମଣ୍ଡଳର ସଦସ୍ୟ ।  ଏମାନଙ୍କର ପରାମର୍ଶ ନେଇଥଲେ ହୁଏତ ସେମାନେ ଅଧ୍ୟାଦେଶ ସପକ୍ଷରେ କହିଥାନ୍ତେ । ମୋଦୀ ତ ନିଜେ ନେବେ ନିଷ୍ପତ୍ତି । ସେ କାହିଁକି କାହାର ପରାମର୍ଶ ନେବେ? ଏପରିକି ମୋଦୀ ତାଙ୍କ ଦଳ ଓ ଦଳ ଆଦର୍ଶର ପୃଷ୍ଠପୋଷକ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହ ମଧ୍ୟ ପରାମର୍ଶ କରି ନାହାନ୍ତି । ତା ନ ହେଲେ ସମ୍ବାଦ ପତ୍ରରେ ଶିରୋନାମା ପ୍ରକାଶ ପାଆନ୍ତା ନାହିଁ ଯେ୧୪ ‘Sangh leaves it to Modi to reap or pay on note recall’’  । ଏତେ ବଡ ନିଷ୍ପତ୍ତି ନିଜେ ନିଜେ ନେଇ ଯିବା ନିଶ୍ଚିତ ଭାବରେ ସାହାସିକତା ପରିଚୟ । ଏହି ସାହାସିକତା ଉତୁରିକି ଯଦି ମୋଦୀ କେନ୍ଦ୍ରିକ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ଆଡକୁ ଅତିକ୍ରମଣ କରେ ତାହାହେଲେ ନିଶ୍ଚିତ ଭାରତୀୟମାନେ ହିଟଲରଙ୍କ ଶାସନରେ ଜର୍ମାନ ନାଗରିକଙ୍କ ଭଳି ଭାଗ୍ୟର ସମ୍ମୁଖୀନ ହେବାର ସୁଯୋଗ ପାଇବେ !
ମୁଦ୍ରା ଅଚଳ ନିଷ୍ପତ୍ତି ଓ ରିଜର୍ଭ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ଆଇନ-୧୯୩୪ର ଧାରା ୨୬(୨) ଅନୁସାରେ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ସୁପାରିଶ କ୍ରମେ କେନ୍ଦ୍ର ସରକାର ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରି ମୁଦ୍ରା ଅଚଳ ନିଷ୍ପତ୍ତି ଘୋଷଣା କରିପାରିବେ, କେଉଁ ଦିନ ଠାରୁ ଏହା କାର୍ଯ୍ୟକାରୀ ହେବ ତାହା ଏହି ବିଜ୍ଞପ୍ତିରେ ଉଲ୍ଲେଖ  କରିବେ । ଏହା ଛଡା ସମ୍ବିଧାନର ଧାରା ୨୪୬(୧) ଅନୁସାରେ ସଂସଦର ହିଁ କେବଳ କ୍ଷମତା ରହିଛି ସପ୍ତମ ସିଡୁଲର ୧ନମ୍ବର ତାଲିକାରେ ଉଲ୍ଲିଖିତ ବିଷୟ ଗୁଡିକ ସମ୍ପର୍କରେ ଆଇନ କରିବାର । ଏହି ତାଲିକାର ୩୬ ନମ୍ବରରେ ଉଲ୍ଲେଖ ହୋଇଛି currency,coinage and legal tender । ତେଣୁ ଏ ଦୁଇଟି ବ୍ୟବସ୍ଥାକୁ ମିଶାଇ ପଢିଲେ ମୁଦ୍ରା ଅଚଳ ସମ୍ପର୍କିତ ବିଜ୍ଞପ୍ତି ଅନ୍ୟୁନ ଏକ ଅଧ୍ୟାଦେଶ ବଳରେ ହିଁ ପ୍ରକାଶିତ ହେବା ଉଚିତ । ବୋଧହୁଏ ମୋରାରଜୀଙ୍କ ସରକାର ତାଙ୍କର ନିଷ୍ପତ୍ତି ସମୟରେ ଏହି ଦିଗଟି ସମ୍ପର୍କରେ ସଚେତନ ଥିଲେ । ଅପରପକ୍ଷରେ ସମ୍ବିଧାନ ପ୍ରଣୟନ ପରେ ଜନ୍ମିତ (୧୭ ସେପ୍ଟେମ୍ବର ୧୯୫୦ ) ନରେନ୍ଦ୍ର ଦାମୋଦରଦାସ ମୋଦୀ ଏହି ସାମ୍ବିଧାନିକ ଆବଶ୍ୟକତା ଅନୁଭବ କରୁ ନଥିଲେ । ମୋଦୀଙ୍କ ମୁଦ୍ରା ଅଚଳ ନିଷ୍ପତ୍ତି କେତେ ବୈଧ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଉଚ୍ଚତମ ନ୍ୟାୟାଳୟରେ ମାମଲା ମଧ୍ୟ ଦାଏର ହୋଇଛି । ଏହାର ବୈଧତାକୁ ବିଚାର କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ଏକ ସାମ୍ବିଧାନିକ ପୀଠ ଗଠନ କରିଛନ୍ତି୧୪ । କିନ୍ତୁ ଯଦି ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କର ସମ୍ମତିକୁ ବିଚାର କରାଯାଏ ତାହାହେଲେ, ମୋଦୀ ଅଧିକ ଭାଗ୍ୟବାନ୍ ବୋଲି ମନେହୁଅନ୍ତି । କାରଣ ୧୯୪୬ ଓ ୧୯୭୮ରେ ହୋଇଥିବା ମୁଦ୍ରା ଅଚଳ ନିଷ୍ପତ୍ତି ଉପରେ ତକ୍ରାଳୀନ ଘଭର୍ନର ମାନଙ୍କର ଭିନ୍ନ ମତ ରହିଥିଲା ବୋଲି ଇତିହାସ କୁହେ । ଯେପରି ୧୯୪୬ରେ ଗଭର୍ନର ସାର୍ ଚିନ୍ତାମନ୍ ଦେଶମୁଖ ଭାବୁ ନଥିଲେ ଯେ ଏହା ଦ୍ୱାରା ଟିକସ ଫାଙ୍କି କଳାଧନ ରଖିଥିବା ଲୋକଙ୍କ ଠାରୁ ସରକାର ଏକ ଆଖି ଦୃଶିଆ ଟିକସ ରାଜସ୍ୱ ପାଇଯିବେ ବୋଲି, ବରଂ ଆଶଙ୍କା ପ୍ରକାଶ କରିଥିଲେ ଯେ ଏହାଦ୍ୱାରା ଉଚ୍ଚ ମୂଳ୍ୟର ନୋଟ ରଖିଥିବା ସଚ୍ଚୋଟ ଲୋକମାନେ ହିଁ ହଇରାଣ ହରକତରେ ପଡିପାରନ୍ତି । ୧୯୭୮ରେ ତକ୍ରାଳୀନ ଗଭର୍ନର ଆଇ ଜି ପଟେଲ ମଧ୍ୟ ବିଶ୍ୱାସ କରି ନ ଥିଲେ ଯେ ମୁଦ୍ରା ଅଚଳ ନିଷ୍ପତ୍ତିର  ଅସାଧୁ ଉପାୟରେ ଧନ ଅର୍ଜନ ଉପରେ ସେହିଭଳି କୈାଣସି ପ୍ରତିରୋଧାତ୍ମକ ପ୍ରଭାବ ପଡିବ୧୫ । ଅପର ପକ୍ଷରେ ୨୦୧୬ ମୁଦ୍ରା ଅଚଳ ନିଷ୍ପତ୍ତିକୁ ବର୍ତ୍ତମାନର ଗଭର୍ନର ଉର୍ଜ୍ଜିତ ପଟେଲ “once in a lifetime event” ବା ଜୀବଦ୍ଦଶାରେ ଥରେ ଘଟୁଥିବା ଘଟଣା ବୋଲି କୁହନ୍ତି୧୬ । ଉର୍ଜ୍ଜିତ ପଟେଲଙ୍କର ପୂର୍ବାଧିକାରୀ ରଘୁରାମ ରାଜନ ତାଙ୍କ କାର୍ଯ୍ୟକାଳ ସମୟରେ ମୁଦ୍ରା ଅଚଳ ନିଷ୍ପତ୍ତି ସପକ୍ଷରେ ନ ଥିଲେ । ଏହାଦ୍ୱାରା ନଗଦ ଆକାରରେ ଥିବା କଳା ପଇସାର ଉଚ୍ଛେଦ ହେବ ବୋଲି ସେ ବିଶ୍ୱାସ କରୁ ନଥିଲେ । ତାଙ୍କ ବିଚାରରେ ମୁଦ୍ରା ଅଚଳ ନିଷ୍ପତ୍ତିକୁ  କିପରି ପ୍ରଭାବହୀନ କରିହେବ ତାହାର ରାସ୍ତା ଚତୁର ବ୍ୟକ୍ତି ବାହାର କରିନିଏ୧୭ (‘Unfortunately, my sense is the clever find ways around it.’)  । ଏହି ବିଚାର ସେ ରଖିଥିଲେ ୨୦୧୪ ମସିହାରେ,  ଲଳିତ କେ ଦୋଷି ସ୍ମାରକୀ ବକ୍ତୃତା ଦେବା ବେଳେ  । ଏହା ମଧ୍ୟ ପ୍ରତିଫଳିତ ହୋଇଥିଲା ମାର୍ଚ୍ଚ ୧୫, ୨୦୧୬ରେ ରିଜର୍ଭ ବ୍ୟାଙ୍କ ଲେଖିଥିବା ଏକ ପତ୍ରରୁ (DCM(CC)No.3233/03:43:01/2015-16 March 15, 2016) । ଏହି ପତ୍ରଟି ଲେଖାଯାଇଥିଲା ବାଂଗାଲୋର ସ୍ଥିତ Anti Land Grabbing Action Committee ର ଆବାହକ ଶ୍ରୀ ଏ ଟି ରାମାସ୍ୱାମୀ, କଳାଧନର ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ୧୨ ଜାନୁଆରୀ ୨୦୧୬ରେ ଲେଖିଥିବା ପତ୍ର ଓ ରିଜର୍ଭ ବ୍ୟାଙ୍କକୁ ଦେଇଥିବା ଏହି ପତ୍ରର ପ୍ରତିଲିପିର ଉତ୍ତରରେ । ୫୦୦ ଓ ୧୦୦୦ ଟଙ୍କିଆ ନୋଟର ପ୍ରଚଳନକୁ ପ୍ରତ୍ୟାହାର କରିବା ପ୍ରସଂଗରେ ରିଜର୍ଭ ବ୍ୟାଙ୍କ ଲେଖିଥିଲେ , “Banknotes in Rs.500 and Rs.1000 denomination constitute 85% of the value of notes in circulation and have a critical role in meeting genuine needs for cash for members of public. In view of this, the withdrawal of banknotes in higher denomination , 500 and 1000 is not feasible presently.Further as per Section 24 of the RBI Act, 1934, all the decisions regarding denominations/non-issue/discontinuance of bank notes are taken on approval of the Central Government.” । କିନ୍ତୁ Section 24 of the RBI Act, 1934 ଅନୁସାରେ, “The Central Government may, on the recommendation of the Central Board, direct the non-issue or the discontinuance of issue of bank notes of such  denominational values as it may specify in this behalf”” । ତେଣୁ ବର୍ତ୍ତମାନର ଗଭର୍ନର ଉର୍ଜ୍ଜିତ ପଟେଲଙ୍କର ମଧ୍ୟ ମତ ଥିଲା ଯେ ସମୁଦାୟ ପ୍ରଚଳିତ ନୋଟର ଶତକାଡା ୮୫ ଭାଗ ମୂଲ୍ୟର ନୋଟକୁ ଅଚଳ କରିଦେବା  ସମ୍ଭବ ନୁହେଁ । କାରଣ ଏହି ପତ୍ର ଲେଖା ହେଲା ବେଳେ ସେ ଥିଲେ ବ୍ୟାଙ୍କର ଡେପୁଟି ଗଭର୍ନର । ତେଣୁ ମାତ୍ର ୬ ମାସ ପରେ ଗଭର୍ନର ଭାବେ ମୁଦ୍ରା ଅଚଳ ନିଷ୍ପତ୍ତିକୁ, ସ୍ୱୀକୃତି ଦେଇ,  ଜୀବଦ୍ଦଶାରେ ଏକ ବିଶେଷ ଘଟଣା ବୋଲି ଅଭିହିତ କରିବା ବାସ୍ତବିକ ଏକ ବିଡମ୍ବନା ।  ରଘୁରାମ ରାଜନଙ୍କର ଗଭର୍ନର ଭାବେ କାର୍ଯ୍ୟକାଳକୁ  ବୃଦ୍ଧି ନ କରିବା ପଛରେ ଯଦି ତାଙ୍କର ବିମୁଦ୍ରୀକରଣକୁ ବିରୋଧ ହେଉଛି କାରଣ ବୋଲି ମାନି ନିଆଯାଏ୧୮ , ତାହା ହେଲେ ଉର୍ଜ୍ଜିତ ପଟେଲଙ୍କୁ ଗଭର୍ନର ଭାବେ ଅବସ୍ଥାପିତ କରିବାର କ’ଣ ପ୍ରାକ୍ସର୍ତ୍ତ ଥିଲା ଯେ ମୋଦୀଙ୍କର ବିମୁଦ୍ରୀକରଣ ଯୋଜନାକୁ ସେ ବିରୋଧ କରିବେ ନାହିଁ? ଏହି ଯୋଜନାରେ ତାଙ୍କୁୁ ମୋଦୀଙ୍କ ପ୍ରଦର୍ଶନୀର ଏକ ଅତିରିକ୍ତ ଚରିତ୍ର (Urjit Patel is an ‘extra’in the PM Modi show) ବୋଲି ଅଭିହିତ କରାଯାଇଛି୧୯ ।  କହିବା ବାହୁଲ୍ୟ ଯେ ରିଜର୍ଭ ବ୍ୟାଙ୍କ ଗଭର୍ନର ଭାବେ ଉର୍ଜ୍ଜିତ ପଟେଲଙ୍କର ବିମୁଦ୍ରୀକରଣ ପ୍ରସଂଗରେ ଭୂମିକା ବେଶ ସମାଲେଚନାର ଶରବ୍ୟ ହୋଇଛି । ତାଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ ତାହାର ସ୍ୱୟଂଶାସିତ ଚରିତ୍ର ସହ ସାଲିସ କରିଛି ବୋଲି ଅଭିଯୋଗ ଉଠିଛି । ପ୍ରାୟ ପ୍ରତ୍ୟେକ ଦିନ ଏକାଧିକ ପରିପତ୍ର ଓ ବିଜ୍ଞପ୍ତି ପ୍ରକାଶ କରି୨୦ (ଯେପରି ୧୯ ଡିସେମ୍ବର ସୁଦ୍ଧା ୫୯ଟିି) ନିଜର ଅପରଣାମଦର୍ଶିତାକୁ ପ୍ରଦର୍ଶନ କରିଛି । ରିଜର୍ଭ ବ୍ୟାଙ୍କକୁ ବିଦ୍ରୁପ କରି ରିଭର୍ସ(Reverse)ବ୍ୟାଙ୍କ  କୁହାଯିବା ଆରମ୍ଭ ହୋଇଛି୨୧ । ବିଦ୍ରୁପ କେବଳ ଏତିକିରେ ସୀମିତ ନାହିଁ, ଉର୍ଜ୍ଜିତଙ୍କର  ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ କମ୍ପାନୀ ସହ ପୂର୍ବ ସମ୍ପର୍କକୁ୨୨(President of business development in Reliance Industries) ନଜିର ଦେଇ କେହି କେହି ରିଜର୍ଭ ବ୍ୟାଙ୍କକୁ ରିଲାଏନ୍ସ ବ୍ୟାଙ୍କ ବୋଲି କହିଲେଣି୨୩ ।  ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି , ବିମୁଦ୍ରୀକରଣ ପର୍ଯ୍ୟାୟରେ ରିଜର୍ଭ ବ୍ୟାଙ୍କର ଇତସ୍ତତଃ ଭୂମିକା ପାଇଁ ଗଭର୍ନର ପଦରୁ ଉର୍ଜ୍ଜିତ ଇସ୍ତଫା ଦିଅନ୍ତୁ ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ (All India Bank Officers Confederation) ଦାବି କରିଛି୨୪ ।  ତାଙ୍କୁ କଳା ପତାକା ଦେଖାଯାଇଛି୨୫ । ରିଜର୍ଭ ବ୍ୟାଙ୍କର ଆଠ ଦଶକର ଇତିହାସରେ କୈାଣସି ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କ ଇସ୍ତଫା ଦାବି ହେବା ବା ତାଙ୍କୁ କଳା ପତାକା ଦେଖା ହେବାର ନଜିର ଦେଖାଯାଏ ନାହିଁ । ରିଜର୍ଭ ବ୍ୟାଙ୍କର ଜଣେ ଉଚ୍ଚ ପଦସ୍ଥ ଅଫିସରଙ୍କ ଭାଷାରେ୨୬, “ ଅଶି ବର୍ଷର ଇତିହାସ ଥିବା ଆର ବି ଆଇ(RBI) କେଭେଁ ଏପରି ଅପମାନଜନକ ସ୍ଥିତିରେ ଉପନୀତ ହୋଇ ନଥିଲା ଯେ  ମଗା ଯାଉ ଥିବା ନଗଦ ଟଙ୍କା ଯୋଗାଇବା ପାଇଁ ବ୍ୟାଙ୍କ ଅସମର୍ଥ ହେଉଥିବ ।” ( “Never in its history of 80 years has the RBI had to bear the ignominy of not being able give banks cash when asked for,,”) । କ୍ୱଚିତ ମୁହଁ ଖୋଲୁ  ଥିବା ଅପବାଦରେ ମଣ୍ଡିତ ଉର୍ଜ୍ଜିତ କିନ୍ତୁ ସମାଲୋଚନା ପ୍ରତି ଅତ୍ୟନ୍ତ ଅସହିଷ୍ଣୁ । ତା ନ ହେଲେ ତାଙ୍କୁ ସମାଲୋଚନା କରିଥିବା  The Economist ର ସାମ୍ବାଦିକ Stanley Pingal,  ବ୍ୟାଙ୍କର  ଦ୍ୱିମାସିଆ ପ୍ରେସ କନଫେରେନ୍ସରୁ ବାସନ୍ଦ ହୋଇ ନ ଥାନ୍ତେ୨୭ । ତେବେ ଉର୍ଜ୍ଜିତଙ୍କ ପ୍ରତି ଏକ ଉଦାର ଦୃଷ୍ଟିକୋଣ ରଖି କୁହାଯାଇପାରେ ଯେ ସେ ବୁଝିଥିଲେ ଯେ କେନ୍ଦ୍ର ସରକାରଙ୍କର ମୁଖିଆ ଭାବେ ମୋଦୀ ମୁଦ୍ରା ଅଚଳ ନିଷ୍ପତ୍ତି ନେବେ ହିଁ ନେବେ, ତାଙ୍କୁ ବିରୋଧ କରିବା ଅର୍ଥ   ରଘୁରାମ ରାଜନଙ୍କର ଭାଗ୍ୟକୁ ଆଦରିବା । ଗଭର୍ନର ହେବାର ଲୋଭକୁ ଡେପୁଟି ଗଭର୍ନର ଉର୍ଜ୍ଜିତ କେତେଦୂର ସମ୍ବରଣ କରିପାରିଥାନ୍ତେ ?
ମୁଦ୍ରା ଅଚଳ/ପ୍ରତ୍ୟାହାର/ବିମୁଦ୍ରୀକରଣ: ଏକ ଅଶୁଭ ସଂକେତ?
ଯେଉଁ ସରକାର ମୁଦ୍ରା ଅଚଳ/ପ୍ରତ୍ୟାହାର/ବିମୁଦ୍ରୀକରଣ ନିଷ୍ପତ୍ତି ନେଇଛନ୍ତି ସେ ସରକାର କ୍ଷମତା ହରାଇଛନ୍ତି । ୧୯୪୬ ମସିହାରେ (ଜାନୁଆରୀ ୧୨)ଏହି ନିଷ୍ପତ୍ତି ନେଇଥିଲେ ବ୍ରିଟିଶ ସରକାର । ମାତ୍ର ଦେଢ ବର୍ଷ ପରେ ବ୍ରିଟିଶ ସରକାର ଭାରତରୁ ବିଦାୟ ନେଲେ । ୧୯୭୮ମସିହାରେ (୧୬ ଜାନୁଆରୀ) ମୋରାରଜୀଙ୍କ ଜନତା ପାର୍ଟି ସରକାର ଏହି ନିଷ୍ପତ୍ତି ନେଇଥିଲେ ଓ ଦେଢ ବର୍ଷ ପରେ(୧୫ ଜୁଲାଇ ୧୯୭୯) ମୋରାରଜୀଙ୍କ ନେତୃତ୍ୱରେ ସରକାରର ପତନ ହେଲା । ୨୦୧୪ରେ ମନମୋହନଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏହି ଭଳି ଏକ ନିଷ୍ପତ୍ତି ନେଇଥିଲେ (ଜାନୁଆରୀ ୨୦୧୪) ଓ ସ୍ମରଣ କରାଇବାର ଆବଶ୍ୟକତା ନାହିଁ ଯେ ମାତ୍ର ପାଂଚ ମାସ ପରେ ମନମୋହନଙ୍କ କଂଗ୍ରେସ ସରକାରର ପତନ ହେଲା । ଏହି ଭଳି ସଂଯୋଗ କେବଳ ଭାରତରେ ନୁହଁ , ଯୁକ୍ତ ରାଷ୍ଟ୍ର ଆମେରିକାରେ ମଧ୍ୟ ଦେଖାଯାଇଛି । ୧୯୬୯ ମସିହାରେ ତକ୍ରାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ୧୦୦୦ଡଲାର ଓ ତଦୂଦ୍ଧ୍ୱର୍ ମୂଲ୍ୟର ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେଇଥିଲେ ଓ ସେ ହିଁ ଏକ ମାତ୍ର ମାର୍କିନ ରାଷ୍ଟ୍ରପତି ଯିଏ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । ଏହି ଦୃଷ୍ଟାନ୍ତ ଗୁଡିକର ପୃଷ୍ଠଭୂମିରେ ମୋଦୀଙ୍କର ମୁଦ୍ରା ଅଚଳ ନିଷ୍ପତ୍ତି ତାଙ୍କ ପାଇଁ  ଓ ତାଙ୍କ ସରକାରଙ୍କ ପାଇଁ କେତେଦୂର ଶୁଭ ବା ଅଶୁଭ ହେବ ତାହା ଭବିଷ୍ୟତ ହିଁ କହିବ ।
ବ୍ୟବହୃତ ଉପାଦାନ ସୂଚୀ

1.Courage, thy name not Indira- Modi says he mustered will to do what predecessorcould not , The Telegraph, 17th December 2016,http://www.telegraphindia.com/1161217/jsp/frontpage/story_125274.jsp.
2.Demonetisation is gamble by Modi, but Forbes calling it ‘immoral’is unjustified ,Dinesh Unnikrishnan , Firstpost, Dec 23, 2016 , http://www.firstpost.com/printpage.php?idno=3170210&sr_no=0 3.DEMONETISATION –A TUGHLAQI FIRMAN ,MiteshPatel ,SaafBaat , November 12, 2016 ,https://www.saafbaat.com/wp/economy/demonetisation-tughlaqi-firman ; History revisited: How Tughlaq’ s currency change led to chaos in 14th century India ,Shoaib Daniyal , Nov 15, 2016 , Scroll.in, http://scroll.in/article/print/821406
4.Demonetisation a Despotic Action, Says Amartya Sen , The Wire,  30 /11/2 0 16 ,http://thewire.in/83574/demonetisation-a-despotic-action-says-amartya-sen/
5.Organised loot, legalised plunder: Manmohan on demonetisation chaos , The Telegraph, November  24 , 2016
6..Jumping into a well also radical: Arun Shourie’s jab at demonetisation ,November 17, 2016 ,http://www.rediff.com/news/report/jumping-into-a-well-also-radical-aru.
7.Two leaders- The negative aspects of Indira Gandhi’s legacy are present in Narendra Modi’s reign ,The Telegraph , December 18, 2016,http://www.telegraphindia.com/1161218/jsp/opinion/story_125332.jsp#.
8.Bad in 2014, Great in 2016 –BJP’s Flip-Flop on Currency Exchange,BY THE WIRE S T AFF ON 11/11/2 016,http://thewire.in/79611/demonetisation-500-rs-1000-rs-video-2014-bjp-.; How BJP had termed demonetisation as ‘ anti-poor’in 2014 ,The Times of India , November 11, 2016 ;Old video of Meenakshi Lekhi on black money goes viral ,November 12, 2016 ,http://www.siasat.com/news/must-watch-old-video-meenakshi-lekhi-bla.
9.Why 1978 demonetisation didn’t hurt India , Abhilash Gaur , November 16, 2016 ,http://blogs.timesofindia.indiatimes.com/paperweight/why-1978-demonetisation-didnt-hurt-india/
10.Opposition’s protest is like Pakistan army’s cover-fire to militants: PM on note ban , The Times of India ,Dec 22, 2016,http://timesofindia.indiatimes.com/india/oppositions-protest-is-like-pakis.
11.Narendra Modi in Varanasi: PM flays Rahul Gandhi, but sidesteps his allegations , Firstpost,Dec 22, 2016 ,http://www.firstpost.com/printpage.php?idno=3168398&sr_no=0
12.Demonetisation: Three times India faced the big move.,Express Web Desk| New Delhi | Updated: November 18, 2016
13.No ordinance needed on demonetization, piyush goyal said in rajya sabha , IANS, Nov.16, 2016 ,. http://navbharattimes.indiatimes.com/india/no-ordinance-needed-on-demo.
14.Constitution bench to scan note recall , The Telegraph, December 17, 2016,http://www.telegraphindia.com/1161217/jsp/nation/story_125254.jsp#
15.Demonetization in 1946 and 1978: Stories from the past November 15, 2016, 2:49 PM IST  Sanjiv Shankaran  in  Cash Flow  |  Economy, India |  TOhttp://blogs.timesofindia.indiatimes.com/cash­flow/demonetization­in­1946­and­1978­stories­from­the­past/
16.Urjit Patel on demonetization: Here are 9 things he said ,DNA Web Team | Mon, 28 Nov 2016-08:41am , Mumbai , DNA webdesk , http://www.dnaindia.com/money/report-urjit-patel-on-demonetization-ûhere-are-9-things-he-said-2277667
17.Here’s What Raghuram Rajan Thinks Of Currency Demonetisation ,Rimin Dutt Business Editor, HuffPost India ,.09/11/2016 ,http://www.huffingtonpost.in/2016/11/09/heres-what-raghuram-rajan-thinks-of-currency-demonetisation/.
18.Modi Set Aside Rajan’s ‘Reservations’ on Demonetisation Plan ,Chandan Nandy ,November 9, 2016 ,quint.co/india/2016/11/09/modi-set-aside-rajans-reservations-on-demonetisation-plan-rs-500-note-rs-1000-note-black-money-urijit-patel ; Did the Govt Use Rajan’s Exit to Push Demonetisation Through, Ira Dugal, BloombergQuint , November 24, 2016
19.Demonetisation: Urjit Patel is an ‘extra’in the PM Modi show until govt needs funds ,Dinesh Unnikrishnan. Firstpost, Nov 22, 2016..http://www.firstpost.com/printpage.php?idno=3118136&sr_no=0.
20.View: 59th circular by RBI, how many more to come?,B y T K Arun, The Economic Times , Dec 20, 2016 ,http://economictimes.indiatimes.com/markets/stocks/news/view-demoneti.
21.Congress Mocks RBI, Calls It ‘Reverse Bank Of India’ ,The Huffington Post , 21/12/2016 ,http://www.huffingtonpost.in/2016/12/21/congress-mocks-rbi-calls-it-reverse-bank-of-india
22.EXCL: New RBI Guv Urjit Patel worked for Ambani and scamster Jignesh Shah , Neha Manchanda , ,http://www.indiasamvad.co.in/investigation/rbi-guv-urjit-patel-worked-f.
23. ‘Reverse’ Bank of India: Is That The RBI’s New Identity , Akriti Paracer The Quint, December 21, 2016 , https://www.thequint.com/currency-ban/2016/12/21/reserve-bank-of-india-is-that-rbi-new-identity-black-money-demonetisation-not.
24.Demonetisation: Bank officers union calls for Urjit Patel’ s resignation; focus on RBI’s role , by FP Staff , Firstpost,  Nov 21, 2016 ,http://www.firstpost.com/printpage.php?idno=3116364&sr_no=0.
25.Note Ban Fallout: Urjit Patel Shown Black Flags at Kolkata Airport , Sushant Talwar , The Quint, December 15, 2016 ,https://www.thequint.com/india/2016/12/15/rbi-governor-urijit-patel-heckled-at-kolkata-airport-over-demonetisation-note-ban-congress-black-flag-trinamool
26.Figures who became public faces of the demonetisation implementation,Jayanta Roy Chowdhury ,The Telegraph , 30th December 2016 , https://www.telegraphindia.com/1161230/jsp/nation/story_127608.jsp#.WGZcv7lb1qA
27.Figures who became public faces of the demonetisation implementation,Jayanta Roy Chowdhury ,The Telegraph , 30th December 2016 , https://www.telegraphindia.com/1161230/jsp/nation/story_127608.jsp#.WGZcv7lb1qA.    .

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>