');}

ପଦ୍ମ ସମ୍ମାନ ଫେରାଇବା ପ୍ରସଂଗରେ

print

                                                                                                                                                                          ବୀରେନ୍ଦ୍ର ନାୟକ
ଓଡିଶାରେ କୈାଣସି ପୁରସ୍କୃତ ସାହିତ୍ୟିକ ସେମାନଙ୍କର ପୁରସ୍କାର ବା ସମ୍ମାନ ଫେରାଇ ନାହାନ୍ତି ବୋଲି ଅପବାଦର ଇତ୍ୟବସରରେ ଅବସାନ ଘଟିଛିି । କବି ଜୟନ୍ତ ମହାପାତ୍ର ତାଙ୍କର ପଦ୍ମଶ୍ରୀ ଫେରାଇବା ପାଇଁ ରାଷ୍ଟ୍ରପତିଙ୍କୁ ତାଙ୍କର ଇଚ୍ଛା ଜଣାଇଛନ୍ତି । କେହି କେହି ଦର୍ଶାଇପାରନ୍ତି ଯେ ଜୟନ୍ତ ମହାପାତ୍ର ଓଡିଆ ଭାଷା ସାହିତ୍ୟରେ ଅକଦେମୀ ପୁରସ୍କୃତ ସାହିତ୍ୟିକ ନୁହନ୍ତି । ସାହିତ୍ୟ ଅକାଦେମୀ ପୁରସ୍କାର ସେ ପାଇଛନ୍ତି ଇଂରାଜୀ ଭାଷା ସାହିତ୍ୟର କବିତା ବିଭାଗରେ । ଓଡିଆଙ୍କ ପାଇଁ ଗୈାରବର କଥା ହେଉଛି ଯେ ସେ ହେଉଛନ୍ତି ଏହି ବିଭାଗରେ ପୁରସ୍କୃତ ହୋଇଥିବା ପ୍ରଥମ ଭାରତୀୟ କବି । ୧୯୮୧ ମସିହାରେ ସେ ପୁରସ୍କୃତ ହୋଇଥିଲେ ତାଙ୍କର ଦୀର୍ଘ କବିତା  Relationship ପାଇଁ । ୨୮ ବର୍ଷ ପରେ ୨୦୦୯ରେ ସେ ପଦ୍ମଶ୍ରୀ ଦ୍ୱାରା ଭୂଷିତ ହୋଇଥିଲେ । ଯେତେବେଳେ ତାଙ୍କର କେତେକ ସହପୁରସ୍କୃତ ସାହିତ୍ୟିକ ସମାନ କାରଣ ଦର୍ଶାଇ(ବୃଦ୍ଧି ପାଉଥିବା ଅସହିଷ୍ଣୁତା ) ସେମାନଙ୍କର ଅକାଦେମୀ ପୁରସ୍କାରକୁ ଫେରାଉଥିଲେ ସେତେବେଳେ ସେ ତାଙ୍କର ଅକଦେମୀ ପୁରସ୍କାରକୁ ଫେରାଇନାହାନ୍ତି । ସେ ଫେରାଇଛନ୍ତି ପାଇଥିବା ପଦ୍ମଶ୍ରୀ ସମ୍ମାନ । ତାଙ୍କ ପୂର୍ବରୁ ସମାନ କାରଣରୁ  ଅକାଦେମୀ ପୁରସ୍କାର ବିଜେତା ପଂଜାବୀ ଲେଖିକା ଦଲୀପ କୈାର ତିୱାନା ପଦ୍ମଶ୍ରୀ ଫେରାଇଛନ୍ତି । କିନ୍ତୁ ସେ ମଧ୍ୟ ଫେରାଇନାହାନ୍ତି ପାଇଥିବା ଅକାଦେମୀ ପୁରସ୍କାର । ୧୯୭୧ ମସିହାରେ ଦଲୀପ କୈାର ତିୱାନା ଅକାଦେମୀ ପୁରସ୍କାର ପାଇଥିଲେ ଓ ୨୦୦୪ରେ ପଦ୍ମଶ୍ରୀରେ ଭୂଷିତ ହୋଇଥିଲେ । ଅନ୍ୟତମ ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା ଯିଏ ପଦ୍ମଶ୍ରୀ ଫେରାଇଛନ୍ତି ସେ ହେଉଛନ୍ତି କନ୍ନଡ ସାହିତ୍ୟିକ ଦେବାନୁରୁ ମହାଦେବ । କିନ୍ତୁ ଏହା ସହିତ ସେ ମଧ୍ୟ ଫେରାଇଛନ୍ତି ଅକାଦେମୀ ପୁରସ୍କାର । ଦେବାନୁରୁ ମହାଦେବ ୧୯୯୦ରେ ପାଇଥିଲେ ସାହିତ୍ୟ ଅକାଦେମୀ ପୁରସ୍କାର ଓ ୨୦୧୧ରେ ପଦ୍ମଶ୍ରୀରେ ଭୂଷିତ ହୋଇଥିଲେ  । ଉଲ୍ଲେଖଯୋଗ୍ୟ ଯେ ସାହିତ୍ୟିକମାନେ ପଦ୍ମ ସମ୍ମାନ ଫେରାଇବା କୈାଣସି ନୂତନ ଘଟଣା ନୁହେଁ । ସ୍ମରଣ କରାଯାଇପାରେ ଯେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରୀ ଜରୁରୀକାଳୀନ ପରିସ୍ଥିତିର ପ୍ରତିବାଦରେ କନ୍ନଡ ସାହିତ୍ୟିକ ଶିବରାମ କରନ୍ଥ ଓ ହିନ୍ଦି ସାହିତ୍ୟିକ ଫଣିଶ୍ୱରନାଥ ରେଣୁ ଯଥାକ୍ରମେ ପଦ୍ମଭୂଷଣ ଓ ପଦ୍ମଶ୍ରୀ ଫେରାଇଥିଲେ । ସେହିଭଳି ସ୍ୱର୍ଣ୍ଣ ମନ୍ଦିରରେ ସେନାର ପ୍ରବେଶ ପ୍ରତିବାଦରେ ଖୁଶୱନ୍ତ ସିଂହ ୧୯୭୪ ମସିହାରେ ପାଇଥିବା ତାଙ୍କର ପଦ୍ମଭୂଷଣ ସମ୍ମାନକୁ ୧୯୮୪ ମସିହାରେ ଫେରାଇଥିଲେ । ଏହା ଭିନ୍ନ କଥା ଯେ ପରବର୍ତ୍ତୀ ସମୟରେ, ୨୦୦୭ ମସିହାରେ ଖୁଶୱନ୍ତ ସିଂହଙ୍କୁ ପଦ୍ମବିଭୂଷଣ ସମ୍ମାନରେ ଭୂଷିତ କରାଯାଇଥିଲା ।
ଫେରାଇବା ପଛରେ ବକ୍ତବ୍ୟ
ତେବେ ଜୟନ୍ତ ମହାପାତ୍ର, ଦଲୀପ କୈାର ତିୱାନା ଓ ଦେବାନୁରୁ ମହାଦେବ ପଦ୍ମଶ୍ରୀ ଫେରାଇବା ପଛରେ ଯେଉଁ କାରଣର ଉଲ୍ଲେଖ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ତାହା ଏଠାରେ ଦର୍ଶାଇବା ପ୍ରାସଂଗିକ ହେବ । ସର୍ବପ୍ରଥମେ ପଦ୍ମଶ୍ରୀ ଫେରାଇଥିବା ଦଲୀପ କୈାର ତିୱାନା କୁହନ୍ତି୧, “ଏହା ସବୁଠାରୁ ବଡ ପୁରସ୍କାର ଯାହା ମୋତେ ଦିଆଯାଇଛି, ଏବଂ ଏହି ପୁରସ୍କାରକୁ ମୁଁ ଫେରାଇ ପ୍ରତିବାଦ କରୁଛି ବଢୁଥିବା ସାମ୍ପ୍ରଦାୟୀକ ଆକ୍ରମଣ ବିରୋଧରେ । ଏହି ହାରରେ ବଢିଲେ ଆମ ଦେଶ ଧ୍ୱଂସ ହୋଇଯିବ । ଆମେ ଏକବିଂଶ ଶତାବ୍ଦୀରେ ରହୁଛୁ । ସମୟ ଆସିଛି ଆଜି ଚିନ୍ତା କରିବାର ଓ କାର୍ଯ୍ୟ କରିବାର ।” ତିୱାନାଙ୍କ ପରେ ଫେରାଇଥିବା ଦେବାନୁରୁ ମହାଦେବ କୁହନ୍ତି୨, “ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ସରକାରକୁ ସମ୍ବେଦନଶୀଳ ଓ ସମାଜ ଅଭିମୁଖୀ କରି ରଖିବାକୁ ହେଲେ, ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଏକ ନିୟନ୍ତ୍ରଣକାରୀ ଲଗାମ ଭାବେ କାର୍ଯ୍ୟ କରିବା ଉଚିତ । ଯାହାହେଉ, ଏହା ମୋର ପ୍ରକୃତି ବିରୋଧୀ ହେଲେ ହେଁ, ମୁଁ ମୋ ନିଜ ଉପରେ ବେଶ ନିୟନ୍ତ୍ରଣ ରଖିଛି ଓ ଅସହିଷ୍ଣୁତାର ପ୍ରତିବାଦରେ ସମ୍ପ୍ରତି ଚାଲିଥିବା ପୁରସ୍କାର ଫେରାଇବା ପ୍ରସଂଗ ଉପରେ କୈାଣସି ପ୍ରତିକ୍ରିୟା କରିନାହିଁ । କିନ୍ତୁ ଯେତେବେଳେ କିଛି ଲେଖକ ଏବଂ କଳାକାର ସରକାରଙ୍କ ସପକ୍ଷରେ ସଂଗଠିତ ହେଲେ, ସେତେବେଳେ ମୁଁ ଅନୁଭବ କଲି ଯେ ଏହା ଏକ ନିଶ୍ଚିତ ଅଶୁଭ ସୂଚନା । ଏହି ଗତିବିଧି ଦ୍ୱାରା ବିରକ୍ତ ହୋଇ ମୁଁ ବର୍ତ୍ତମାନ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନ ଫେରାଉଛି ।” ଜୟନ୍ତବାବୁ କୁହନ୍ତି୩  “କେବଳ ଲେଖକୀୟ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ଭଳି ଘଟଣାର ପ୍ରତିବାଦରେ ମୁଁ ଏହି ସମ୍ମାନ ଫେରାଇବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି ।……….  ମୋତେ ବାଧିବା ପରେ ମୁଁ ବ୍ୟକ୍ତିଗତ ଭାବେ ବହୁତ ଭାବିଚିନ୍ତି ଏଇ ନିଷ୍ପତ୍ତିି ନେଇଛି । ଅନ୍ୟକୁ ଦେଖି ମୁଁ ସମ୍ମାନ ଫେରାଇନାହିଁ । ମୁଁ ନିଜ ଦେଶରେ ତୃତୀୟ ଶ୍ରେଣୀର ନାଗରିକ ହୋଇ ରହିବାକୁ ଚାହେଁନି । ମୋର ବି ସ୍ୱାଧୀନତା ରହିବା ଦରକାର; ଲେଖାଲେଖି, ଖାଇବାପିଇବା ସବୁ କ୍ଷେତ୍ରରେ ।” ସେ ସମ୍ପ୍ରତିକ ପରିବେଶରେ ଦେଖିଛନ୍ତି ଅସହିଷ୍ଣୁତା : “ଖାଇବାପିଇବାକୁ ନେଇ କଟକରେ ବି ଏଭଳି ଅନୁଭବ ରହିଛି ।” ସେ କରିଛନ୍ତି ପ୍ରଶ୍ନ “ସ୍ୱାଧୀନତା ବିନା ବଂଚିବି କେମିତି?” । ହିନ୍ଦୁ ଖବରକାଗଜକୁ ସାକ୍ଷାତକାର ଦେଇ ସେ କୁହନ୍ତି୪, “ସମାଜରେ ବୃଦ୍ଧି ପାଉଥିବା ଅପ୍ରତିସାମ୍ୟତା (asymmetry) ହେତୁ, ବିଶେଷତଃ ଏହି କିଛି ଦିନ ହେଲା, ମୁଁ. , ପ୍ରତିବାଦର  କ୍ଷୁଦ୍ର ସ୍ୱରର ଏକ ଅଂଶ ଭାବେ, ମର୍ଯ୍ୟାଦା ପୂର୍ଣ୍ଣ ନାଗରିକ ପୁରସ୍କାର ଫେରାଇ ଦେବାକୁ ନିଷ୍ପତ୍ତି କରିଛି ।”  ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ଫେରାଇବା ନିଷ୍ପତ୍ତି ଓଡିଶାର ସାହିତ୍ୟିକମାନଙ୍କ ମଧ୍ୟରେ ପ୍ରଚଣ୍ଡ ପ୍ରତିକ୍ରିୟା ସୃଷ୍ଟି କରିଛି । କିଛି ନମୂନା ପ୍ରତିକ୍ରିୟା ଗଣମାଧ୍ୟମରେ ଯେପରି ପ୍ରକାଶିତ ହୋଇଛି ତାହା ଉପରେ ଅଲୋଚନା ଏହି ନିବନ୍ଧଟିର ଉଦ୍ଦେଶ୍ୟ ।
ନିଷ୍ପତ୍ତିକୁ ନାପସନ୍ଦ
ହରପ୍ରସାଦ ଦାସ:(କେନ୍ଦ୍ର ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା  ୧୯୯୯ )
ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ଫେରାଇବା ହରପ୍ରସାଦଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଛି । ଅକାଦେମୀ ପୁରସ୍କାର ଫେରାଉଥିବା ଲେଖକଙ୍କୁ ଅତି ନିର୍ମମ ଭାବେ ସମାଲୋଚନା କରିଥିବା ହରପ୍ରସାଦ (ସମାଜ, ନଭେମ୍ବର ୫, ୨୦୧୫) କୁହନ୍ତି୫, “ଆମ ସମସ୍ତଙ୍କ ଅଗ୍ରଜ ଏବଂ ସମସ୍ତଙ୍କ ପ୍ରିୟ ଜୟନ୍ତ ଭାଇ ଏ ଭଳି ଗୋଟିଏ କାର୍ଯ୍ୟ କିପରି କଲେ ମୁଁ ଭାବି ପାରୁନି । ତାଙ୍କର ଜଣେ ପ୍ରଶଂସକ ଭାବେ ମୁଁ ମର୍ମାହତ ।” କିନ୍ତୁ ହରପ୍ରସାଦ ଜୟନ୍ତବାବୁଙ୍କ ଏତାଦୃଶ ପଦ୍ମଶ୍ରୀ ସମ୍ମାନ ଫେରାଇପାରିବା ଆମ ରାଷ୍ଟ୍ରର ଉଦାରତା ଓ ସହିଷ୍ଣୁତାର ପ୍ରମାଣ ବୋଲି ଦର୍ଶାଇବାର ପ୍ରଚେଷ୍ଟା କରିଛନ୍ତି । ତା ନହେଲେ ସେ କୁହନ୍ତେ ନାହିଁ , “ସେ ଯେ ଜଣେ ନାଗରିକ ଭାବେ ରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରୀୟ ଗୈାରବ ଫେରାଇ ପାରୁଛନ୍ତି, ତାହା ପୁଣି ଗୋଟେ ପତ୍ର ମାଧ୍ୟମରେ । ଏହା କଣ ଗୋଟିଏ ସହିଷ୍ଣୁ ଓ ଉଦାର ରାଷ୍ଟ୍ରର ସର୍ବଶ୍ରେଷ୍ଠ ଉଦାହରଣ ନୁହେଁ । ଗୋଟିଏ ଅସହିଷ୍ଣୁ ରାଷ୍ଟ୍ରରେ ଜଣେ ନାଗରିକ ଏଭଳି ସାହସ କରିପାରିଥାନ୍ତ ?” ଅର୍ଥାତ୍ ହରପ୍ରସାଦ, କ୍ଷମତାସୀନ ରଜନୈତିକ ନେତାମାନଙ୍କ ଭଳି ପ୍ରତ୍ୟାଖ୍ୟାନ କରନ୍ତି ଧାରଣାକୁ ଯେ ଭାରତରେ ଅସହିଷ୍ଣୁତା ଅଛି । ବରଂ ହରପ୍ରସାଦଙ୍କ ବିଚାରରେ (“ଏ ଭଳି ଗୋଟିଏ କାର୍ଯ୍ୟ କିପରି କଲେ”),  ଜୟନ୍ତବାବୁ ପଦ୍ମଶ୍ରୀ ଫେରାଇ ଯେପରି ଏକ ଅକ୍ଷମଣୀୟ ପ୍ରାୟ ମୁଣ୍ଡକାଟ ଦଣ୍ଡ ପାଇଲା ଭଳି ଅପରାଧ କରି ପକାଇଛନ୍ତି ଓ ଏହା ‘ତାକ୍ରାଳିକ ଆବେଗ’ରୁ ବୋଲି ସେ ମନେ କରିଛନ୍ତି । ଯଦିଓ ଜୟନ୍ତବାବୁ ପଦ୍ମଶ୍ରୀ ଫେରାଇବାର ନଷ୍ପତ୍ତି ‘ବହୁତ ଭାବିଚିନ୍ତି’ ନେଇଛନ୍ତି ବୋଲି ଘୋଷଣା କରନ୍ତି । ସ୍ୱାଭାବିକ ହରପ୍ରସାଦ ଚାହାନ୍ତି ଯେ ଜୟନ୍ତବାବୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ଓ ସେଇଥିପାଇଁ ସେ କୁହନ୍ତି, “ସୁଯୋଗ ପାଇଥିଲେ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅନୁରୋଧ କରିଥାନ୍ତି ।” ହରପ୍ରସାଦଙ୍କ ଦୃଷ୍ଟିରେ “ଗୈାରବ ଫେରାଇବାର ପଦାର୍ଥ ନୁହେଁ ।”
ସୀତାକାନ୍ତ ମହାପାତ୍ର (କେନ୍ଦ୍ର ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା  ୧୯୭୪ ,  ପଦ୍ମଭୂଷଣ ୨୦୦୨,ପଦ୍ମବିଭୂଷଣ ୨୦୧୧)
ଜୟନ୍ତବାବୁଙ୍କର ପଦ୍ମଶ୍ରୀ ଫେରାଇବାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ପଦ୍ମ ସମ୍ମାନର ଶୀର୍ଷରେ (ପଦ୍ମବିଭୂଷଣ)  ପହଂଚିଥିବା କବି ସୀତାକାନ୍ତ ମହାପାତ୍ର । ତାଙ୍କ ମତରେ୫ “ଯଦି ପୁରସ୍କାର ଫେରାଇଲେ ଅସହିଷ୍ଣୁତା ହଟିଯାଆନ୍ତା ତେବେ ମୁଁ ଏହି ମୁହୂର୍ତରେ ମୋର ସମସ୍ତ ପୁରସ୍କାର ଫେରାଇ ଦିଅନ୍ତି ।” ଅର୍ଥାତ୍ ସୀତାକାନ୍ତବାବୁ ଅସହିଷ୍ଣୁତା ନାହିଁ ବୋଲି କହୁ ନାହାନ୍ତି ଯେପରି ହରପ୍ରସାଦ କହୁଛନ୍ତି । ବରଂ ସେ ସ୍ୱୀକାର କରୁଛନ୍ତି  ଯେ ଅସହିଷ୍ଣୁତା ରହିଛି । କିନ୍ତୁ ସେ ନିଶ୍ଚିତ ଯେ ଏହା ପୁରସ୍କାର ଫେରାଇଲେ  ହଟିଯିବ ନାହିଁ । ସୀତାକାନ୍ତବାବୁଙ୍କର ଏହି ଭଳି ମନ୍ତବ୍ୟ ସ୍ମରଣ କରାଇଦିଏ ଆକର୍ଷଣୀୟ ଚାକିରୀ ଇତ୍ୟାଦି ଛାଡି ଅସହେଯାଗ ଆନ୍ଦୋଳନରେ ଝାସ ଦେଇଥିବା ବ୍ୟକ୍ତିଙ୍କୁ  ଚାକିରୀରେ ଥିବା ଲୋକଙ୍କର କହିବା ଯେ ଅସହେଯାଗ ଫଳରେ ଯଦି ବ୍ରିଟିଶ ଶାସନର ଅବସାନ ହେବ ତାହାହେଲେ ସେମାନେ ମଧ୍ୟ ସେମାନଙ୍କର ଚାକିରୀ ଜୀବନର ସମସ୍ତ ସୁଖସ୍ୱାଚ୍ଛନ୍ଦ ଓ ନିରାପତ୍ତା ଛାଡି ଦେଇ ଆନ୍ଦୋଳନରେ ଓହ୍ଲାଇ ପଡିବେ । “ସତ୍ ସାହିତ୍ୟିକର ପ୍ରଥମ ଗୁଣ ହେଉଛି ନିର୍ଭୀକତା”, ଏହି ମତ ପୋଷଣ କରୁଥିବା ସୀତାକାନ୍ତବାବୁ ପୁରସ୍କାର ଫେରାଇବାରେ ନିର୍ଭୀକତା ଦେଖନ୍ତି ନାହିଁ ବରଂ କୁହନ୍ତି, “ଯଦି ସାହିତ୍ୟିକମାନେ ନିର୍ଭୀକ ମତାମତ ଉପସ୍ଥାପନ ନ କରି ଏ ଭଳି ପୁରସ୍କାର ଫେରାଇବେ ତେବେ ସାଧାରଣ ଲୋକ କଣ କରିବେ ।”  ନିର୍ଭୀକ ମତ ଉପସ୍ଥାପନ କରି ତ ଅକାଦେମୀ ପୁରସ୍କାର ବିଜେତା କନ୍ନଡ ସାହିତ୍ୟିକ କୁଲବର୍ଗୀ ଆତତାୟୀଙ୍କର ଚୋଟର ଶୀକାର ହେଲେ । ଏହାହିଁ ତ ରହିଛି ପୁରସ୍କାର ଫେରାଇବାର ପ୍ରକରଣ ମୂଳରେ । କିଏ ପ୍ରଶ୍ନ କରିପାରେ ଜୟନ୍ତବାବୁଙ୍କ ନିର୍ଭୀକତାକୁ ଯେତେବେଳେ ତା ଦୃଷ୍ଟିରେ ପଡେ ତାଙ୍କ କବିତାର ନିମ୍ନୋକ୍ତ ଧାଡି ଗୁଡିକ ଯାହା କଳିଂଗ ନଗରରେ ୧୨ ଜଣ ଆଦିବାସୀ ପୁଲିସ ଗୁଳିରେ ଟଳିପଡିବାର ବ୍ୟଥାରେ ଲେଖିଥିଲେ
ଏମାନେ ବି ତ ଆମ ଦେଶର ପିଲା
ଜଙ୍ଗା ଜାରିକା
ଦେଓରୀ ତିିରିଆ
ସୁଦାମ ବାର୍ଲା
ଯୋଉମାନଙ୍କ ଧନୁଶର ବା ହତିଆର କାମକୁ ନଥିଲା
ସେଦିନର ପୁଲିସ୍ର ଗୁଳି ଚାଳଣାରେ
ଯୋଉଠି ସ୍ତ୍ରୀମାନେ ଜୀବନ ବିକଳରେ
ଦୌଡ଼ିଦୌଡ଼ି ପଶିଯାଇଥିଲେ ପୋଖରୀ ଭିତରକୁ
କିନ୍ତୁ ନିରାପଦ ରହି ପାରିନଥିଲେ । ଂଂଂଂଂଂଂଂଂ
ଂଂଂଂଂଂଂଂଂଂଂଂଂଂଂଏମିତି ନିଶ୍ଚେ ଜାଗା ଥିବ
ଯୋଉଠି ଏପରି ଗଣହତ୍ୟା ହୁଏନାଇଁ
କିମ୍ବା ସ୍ତନ, ପାପୁଲି କାଟିଦିଆଯାଏ ନାଇଁ (ଦ୍ରଷ୍ଟବ୍ୟ-ବୁଲିବାର ଇଚ୍ଛା)ତେଣୁ ପୁରସ୍କାର ଫେରାଉଥିବା ଲେଖକମାନେ ଯେ ନିର୍ଭୀକ ହୋଇ ଲେଖିନାହାନ୍ତି ଏପରି କହିବା ସେମାନଙ୍କର କୃତି ସମ୍ପର୍କରେ ନିଜର ଅଜ୍ଞତାକୁ ପ୍ରକାଶ କରିବା । ଏହାପରେ ସେମାନେ ପୁରସ୍କାର ଫେରାଇ ସେମାନଙ୍କର ଚରମ ନିର୍ଭୀକତା ଦେଖାଇଛନ୍ତି – ଏହାକୁ ପ୍ରତ୍ୟେକ ସତ୍ ସାହିତ୍ୟିକ ପ୍ରଶଂସା କରିବା ଉଚିତ । ବିଡମ୍ବନା ଯେ ସୀତାକାନ୍ତବାବୁଙ୍କର ଏହି ଭଳି ପ୍ରତିକୁଳ ମନ୍ତବ୍ୟ ୨୪ତାରିଖ ସମ୍ବାଦରେ ପ୍ରକାଶ ପାଇଥିବା ବେଳେ, ୨୯ତାରିଖର “ସର୍ବସାଧାରଣ ସପ୍ତରଂଗ”ରେ  ଜୟନ୍ତବାବୁଙ୍କର ନିଷ୍ପତ୍ତି ପ୍ରତି ସୀତାକାନ୍ତବାବୁଙ୍କର ସମର୍ଥନ ପ୍ରକାଶ ପାଏ୬ । ସେ କୁହନ୍ତି  “ତାଙ୍କ ପରି ଜଣେ ବିରାଟ ଲେଖକ ଏପରି କଲାବେଳେ ନିଶ୍ଚିତ ଭାବରେ ତାଙ୍କର ଅନ୍ତର୍ନିହିତ ପ୍ରେରଣାରୁ କରିଥିବେ । ମୁଁ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି ।” ସୀତାକାନ୍ତବାବୁ ତାଙ୍କମତରେ ପରିବର୍ତ୍ତନ ଆଣିବା ଓ ଜୟନ୍ତବାବୁ ପଦ୍ମଶ୍ରୀ ଫେରାଇବା ପ୍ରତି ଅନୁକୂୁଳ ମତ ପୋଷଣ କରିବା ଏକ ସୁଖକର ସମ୍ବାଦ ନିଶ୍ଚୟ । କିନ୍ତୁ ଉଲ୍ଲେଖ ଯୋଗ୍ୟ ଯେ ୨୩/୧୧/୨୦୧୫ ଦିନ ବିଜେଡି ଛାତ୍ର ସମ୍ମୀଳନୀର ମଂଚରୁ ରାଜ୍ୟର ମନ୍ତ୍ରୀ ସଂଜୟଦାସ ବର୍ମା ଜୟନ୍ତବାବୁ ପଦ୍ମଶ୍ରୀ ଫେରାଇବାକୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ ।
ପ୍ରତିଭା ରାୟ (କେନ୍ଦ୍ର ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା  ୨୦୦୦ , ପଦ୍ମଶ୍ରୀ ୨୦୦୭ )
ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ଫେରାଇବା ତାଙ୍କର “ବ୍ୟକ୍ତିଗତ ପ୍ରତିବାଦ” ବୋଲି ମନେ କରନ୍ତି ପ୍ରତିଭା ରାୟ୫ । ପ୍ରତିଭା ଦେବୀଙ୍କ ମତରେ ଏହା “ଯଥେଷ୍ଟ ଭାବପ୍ରବଣତା ଯୋଗୁ ତାଙ୍କ ପାଇଁ ଯଥାର୍ଥ ହୋଇପାରେ” କିନ୍ତୁ “ଏହା ଏକ ଠିକ ବାଟ” ନୁହେଁ ବା “ଏହା ଦ୍ୱାରା ସେ ଯାହା ଚାହୁଁଛନ୍ତି ତାହା ସାଧିତ ହୋଇ ପାରିବ ନାହିଁ ।” ଜୟନ୍ତବାବୁ ଯାହା ଚାହାନ୍ତି ଅର୍ଥାତ୍ “ସ୍ୱାଧୀନତା…. ଲେଖାଲେଖି, ଖାଇବାପିଇବା ସବୁ କ୍ଷେତ୍ରରେ ।”ତାହାକୁ ପ୍ରତିଭା ରାୟ ମହୋଦୟା ନିଶ୍ଚିତ ଅସ୍ୱୀକାର କରୁନାହାନ୍ତି । କିନ୍ତୁ ପଦ୍ମ ସମ୍ମାନ ଫେରାଇ ଏହି ସ୍ୱାଧୀନତା ହାସଲ କରାଯାଇ ପାରିବ ନାହିଁ -ଏହି ସମ୍ବାଦ ସେ ଦେଉଛନ୍ତି । କିପରି ହାସଲ କରାଯାଇ ପାରିବ ତାହାର ଉପାୟ ତାଙ୍କଠାରୁ ଆଶା କରିବା ଅଯୈ÷ାକ୍ତିକ ହେବ ନାହିାଁ
ପ୍ରଫୁଲ୍ଲ କର (ପଦ୍ମଶ୍ରୀ ୨୦୧୫ )
ଗତବର୍ଷ ପଦ୍ମଶ୍ରୀରେ ଭୂଷିତ ସଂଗୀତଜ୍ଞ ପ୍ରଫୁଲ୍ଲ କର ମହୋଦୟଙ୍କ ମତରେ୫  ଜୟନ୍ତବାବୁ “ପୁରସ୍କାର ଗ୍ରହଣ କରୁଥିଲେ କାହିଁକି ପୁଣି ଫେରାଇଲେ କାହିଁକି?” ବାବ୍ରୀ ମସଜିଦ ଭଂଗା ସମୟରେ “ସେ କାହିଁକି ପୁରସ୍କାର ଫେରାଇଲେ ନାହିଁ?”-ପ୍ରଶ୍ନ କରନ୍ତି ପ୍ରଫୁଲ୍ଲବାବୁ । ବୋଧହୁଏ ଏହି ପ୍ରଶ୍ନ ପ୍ରଫୁଲ୍ଲବାବୁ କରିନଥାନ୍ତେ ଯଦି ସେ ସ୍ମରଣ କରିପାରିଥାନ୍ତେ ଯେ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦ ଭଂଗା ଯାଇଥିଲା ଓ ଏହାର ୧୭ ବର୍ଷ ପରେ ଅର୍ଥାତ୍ ୨୦୦୯ରେ ଜୟନ୍ତବାବୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ । ତେବେ କର ମହାଶୟ “ଅନୁମାନ କରିପାରୁ ନାହାନ୍ତି” ଯେ  ଏହା ଦ୍ୱାରା “ଅସହିଷ୍ଣୁତା ହଟିଯିବ ଏବଂ ଦେଶରେ ଶାନ୍ତି ଫିଟିବା ପାଇଁ ଏହା ବାଟ ଫିଟାଇବ ।” ନିଜେ ଜୟନ୍ତବାବୁ ମଧ୍ୟ ମନେ କରନ୍ତି ତାଙ୍କର ପଦ୍ମଶ୍ରୀ ଫେରାଇବା ଏକ ସମାଧାନ ନୁହେଁ । ତାଙ୍କରି ଭାଷାରେ୭, “ମୁଁ ଜାଣେ ଯେ ମୋର କାର୍ଯ୍ୟ ସମସ୍ୟାର ସମାଧାନ ନୁହେଁ । କିନ୍ତୁ ମୁଁ ଗଭୀର ଭାବରେ ଅନୁଭବ କଲି ଯେ ଏହି ବିଷୟର ପ୍ରତିବାଦ ହେବା ଉଚିତ ଏବଂ ଏହା ମୋର ପ୍ରତିବାଦ କରିବାର ଏକ ସାମାନ୍ୟ ଶୈଳୀ ।”  ପ୍ରଫୁଲ୍ଲବାବୁ, ସୀତାକାନ୍ତବାବୁ ଓ ପ୍ରତିଭା ରାୟଙ୍କ ପରି ପୁରସ୍କୃତ ବ୍ୟକ୍ତିମାନେ ଯେତେବେଳେ ପୁରସ୍କାର ଫେରାଇବାକୁ ଅସହିଷ୍ଣୁତା ବିରୋଧରେ ଏକ ପ୍ରଭାବହୀନ ରଣନୀତି ବୋଲି ବିଚାର କରନ୍ତି, ସେତେବେଳେ ସେମାନଙ୍କ ବକ୍ତବ୍ୟରୁ କୈାଣସି ପ୍ରଭାବଶାଳୀ ରଣନୀତି ସମ୍ପର୍କରେ ସୂଚନା ମିଳେ ନାହିଁ ।
ମନୋଜ ଦାସ (ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା ୧୯୭୨ , ପଦ୍ମଶ୍ରୀ ୨୦୦୧)
ମନୋଜ ଦାସ ପୁରସ୍କାର ଫେରାଇବାର ପରମ୍ପରାକୁ ଅଶୋଭନୀୟ ବୋଲି ବିଚାର କରନ୍ତି୫ । ତାଙ୍କର ପ୍ରଶ୍ନ ଯେ “ପୁରସ୍କାର ଫେରାଉଥିବା ବ୍ୟକ୍ତି କାହା ପାଖରେ ପ୍ରତିବାଦ କରୁଛି?”  କାରଣ ତାଙ୍କ ଦୃଷ୍ଟିରେ ସରକାର ନୁହନ୍ତି ରାଷ୍ଟ୍ରପତି ହିଁ ଏହି ପୁରସ୍କାର ଦିଅନ୍ତି । ଏହା ଠିକ ଯେ ରାଷ୍ଟ୍ରପତିଙ୍କ ହାତରୁ ହିଁ ଏହି ପୁରସ୍କାର ନିଆଯାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଘରୋଇ ବିଭାଗ ଏଥିପାଇଁ ମନୋନୟନ ରାଜ୍ୟ ସରକାରମାନଙ୍କ ଠାରୁ , ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ସାସଂଦମାନଙ୍କ ଠାରୁ ଆହ୍ୱାନ କରିଥାଏ । ଏପରିକି ଜଣେ ନିଜକୁ ମନୋନୀତ କରି ମଧ୍ୟ ଆବେଦନ କରିପାରେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପଦ୍ମ ପୁରସ୍କାର କମିଟି ସମ୍ମୁଖରେ ଏ ମନୋନୟନ ଗୁଡିକ ପେଶ କରାଯାଇଥାଏ ଓ ଏହି କମିଟିର ସୁପାରିଶ ଅନୁସାରେ ହିଁ ପଦ୍ମ ପୁରସ୍କାର ଦିଆଯାଇଥାଏ ଯାହା ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସରେ ହିଁ ରାଷ୍ଟ୍ରପତି ଦେଇଥାନ୍ତି । ଏହା ଯେତେବେଳେ ପଦ୍ଧତି ସେତେବେଳେ ପଦ୍ମ ପୁରସ୍କାର ସରକାର ଦିଅନ୍ତି ନାହିଁ ରାଷ୍ଟ୍ରପତି ଦିଅନ୍ତି କେତେଦୂର ଗ୍ରହଣୀୟ ହୋଇପାରେ ତାହା ବିଚାର ସାପେକ୍ଷ । ମନୋଜବାବୁ ଅସହିଷ୍ଣୁତା ବିରୋଧରେ ପୁରସ୍କାର ନ ଫେରାଇ “ଲୋକଙ୍କ ପାଖକୁ ଯାଇ ଅସହିଷ୍ଣୁତା ବିରୋଧରେ ସଚେତନତା ସୃଷ୍ଟି” କରିବାର ଆବଶ୍ୟକତା ରହିଛି ବୋଲି ଲେଖକଙ୍କୁ ପରାମର୍ଶ ଦେଇଛନ୍ତି । ଏହା ନିଶ୍ଚିତ ଭାବରେ ନିର୍ଭୀକ ଭାବେ ଲେଖିବାଠାରୁ ଅଧିକ କ୍ରାନ୍ତିକାରୀ ମନେହୁଏ । କିନ୍ତୁ ଯେଉଁ ଶକ୍ତି ଗୁଡିକ ଅସହିଷ୍ଣୁତା ବାତାବରଣ ସୃଷ୍ଟି କରିଛନ୍ତି ସେମାନେ ଏହି ଉଦ୍ୟମୀ ଲେଖକମାନଙ୍କୁ ଲୋକମାନଙ୍କ ନିକଟରେ ନିରାପଦରେ ପହଚିଂବାକୁ ଦେବେ ତ? ଦାଭୋଲକର, ପନ୍ସାରେଙ୍କ ଭଳି ହେତୁବାଦୀ ମାନେ ତ ରାସ୍ତାରେ ଚାଲୁଥିବା ବେଳେ ଏହି ଅସହିଷ୍ଣୁ ଉନ୍ମାଦ ବ୍ୟକ୍ତିମାନଙ୍କ ଦ୍ୱାରା ନିହତ ହୋଇଥିଲେ ।
ଗୈାରହରି ଦାସ (କେନ୍ଦ୍ର ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା  ୨୦୧୨)
ତିନି ବର୍ଷ ତଳେ ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିବା ଗୈାରହରି ଦାସ ଜୟନ୍ତବାବୁଙ୍କର ନିଷ୍ପତ୍ତିକୁ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ମୋହର ବସାଇ୬ “ସେଥିରେ କହାର କିଛି କହିବାର ନାହିଁ ” ବୋଲି ମନ୍ତବ୍ୟ କରିଛନ୍ତି । ଅଥଚ ପ୍ରଶ୍ନ କରିଛନ୍ତି ଜୟନ୍ତବାବୁଙ୍କ ଦ୍ୱାରା ପଦ୍ମଶ୍ରୀ ଫେରାଇବା ପ୍ରସଂଗକୁ – “ନିଜର ନିରାପତ୍ତା ନା ଦେଶର ସହିଷ୍ଣୁତା”ା ସେ ଧାରଣା ଦେବା ପାଇଁ ଚାହାନ୍ତି ଯେ ଦେଶର ସହିଷ୍ଣୁତା ନୁହଁ ନିଜର ନିରାପତ୍ତା ହିଁ ତାଙ୍କର ପ୍ରକୃତ ଲକ୍ଷ୍ୟ । ଅର୍ଥାତ୍ ଜୟନ୍ତବାବୁ ଏକାନ୍ତ ବ୍ୟକ୍ତିଗତ ସ୍ୱାର୍ଥକୁ ହିଁ ଅଗ୍ରାଧିକାର ଦେଇଛନ୍ତି । ସେ ଜାଣିବାକୁ ଚାହିଁଛନ୍ତି ଜୟନ୍ତବାବୁଙ୍କଠାରୁ କାରଣ ଯେ “୮୮ବର୍ଷ ଧରି ଯେଉଁ ସହର ତାଙ୍କୁ ସୁରକ୍ଷା ଦେଇ ଆସିଥିଲା ତାହା ହଠାତ୍ କିଭଳି ଅସହିଷ୍ଣୁ ହେଲା”ା ତାଙ୍କର ଅଭିଯୋଗ ଯେ “ଯେଉଁ କଟକ ଓ ଓଡିଶା ତାଙ୍କୁ ସବୁବେଳେ ନିଜର ଭାବିି ଆସିଥିଲା ସେ ଏପରି କଥା କହି ହଠାତ୍ ତାକୁ ପର କରିଦେଇଛନ୍ତି ।”ଗୈାରହରି ଏପରି ମତ ରଖିଛନ୍ତି ହିନ୍ଦୁ ଖବରକାଗଜରେ ପ୍ରକାଶିତ ଜୟନ୍ତବାବୁଙ୍କର ଏକ ବୟାନକୁ ଭିତ୍ତି କରି । ଜୟନ୍ତବାବୁ କହିଥିଲେ୪, “ଯେହେତୁ ମୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଓ ରହୁଛି ସଂଖ୍ୟାବହୁଳ ସମ୍ପ୍ରଦାୟଙ୍କ ଘେରରେ, ମୁଁ ମୋର ଲେଖାରେ ମନୋନିବେଶ କରିପାରୁନାହିଁ କାରଣ ମୁଁ  ଶଙ୍କିତ ଯେ ମୋର ପ୍ରତିବେଶୀ ମୋର ଲେଖା ଉପରେ କି ପ୍ରକାର ପ୍ରତିକ୍ରିୟା କରିବେ ।” ଗୈାରହରି ଜୟନ୍ତବାବୁଙ୍କ ଏହି ବକ୍ତବ୍ୟକୁ ତାଙ୍କର ଅସୁରକ୍ଷା ଭାବର ଅଭିବ୍ୟକ୍ତି ବୋଲି ଧରିନେଇ  ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ “ଅସୁରକ୍ଷିତ ମଣୁଥିବା କବି ଜୟନ୍ତ ମହାପାତ୍ରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଉ ।”
କିନ୍ତୁ ସେହି ହିନ୍ଦୁ ଖବରକାଗଜରେ ଜୟନ୍ତବାବୁଙ୍କ ଉପରୋକ୍ତ ବକ୍ତବ୍ୟ ପ୍ରକାଶ ପାଇବା ମାତ୍ର ସପ୍ତାହେ ନ ପୁରୁଣୁ ପ୍ରକାଶିତ ତାଙ୍କର ଏକ ସାକ୍ଷାତକାର ବେଶ ଉଲ୍ଲେଖନୀୟ କାରଣ ଏହି ସାକ୍ଷାତକାରରେ ସେ ତାଙ୍କ ଚାରିପଟେ ଥିବା ହିନ୍ଦୁ ସମାଜରେ ବଢିବା ଫଳରେ ତାଙ୍କ ଭିତରେ କିପରି ହିନ୍ଦୁପଣିଆ ରହିଛି ତାହାର ସୂଚନା ସେ ଦେଇଛନ୍ତି । ଆପଣ କେତେଦୂର ବିଶ୍ୱାସରେ ଖ୍ରୀଷ୍ଟିଆନ (Are you a Christian of conviction?) ପ୍ରଶ୍ନର ଉତ୍ତରରେ ସେ କୁହନ୍ତି୮,“ଏହା ଏକ ଜଟିଳ ପ୍ରଶ୍ନ । ମୁଁ ଖ୍ରୀଷ୍ଟିଆନ ହୋଇ ମଧ୍ୟ , ବଢିଛି ହିନ୍ଦୁ ପରିବେଶରେ । ମୁଁ ମୋର ହିନ୍ଦୁବାଦକୁ ଛାଡିପାରି ନ ଥାନ୍ତି -ଏହା ଅଛି । ମୋ ଜେଜେବାପାଙ୍କୁ ବୟସ ଯେତେବେଳେ ୧୬, ଓଡିଶାରେ ପଡିଥିଲା ଏକ ଭୟଙ୍କର  ଦୁର୍ଭିକ୍ଷ । ସେ ସେତେବେଳେ ଅନାଥ ଓ ଅନାହାରରେ । ଚାରିପଟେ ଗଦା ଗଦା ଶବ ଏବଂ ତାହାରି ଭିତରେ ପିଲାଟିଏ ତେନ୍ତୁଳି ପତ୍ର ଚୋବାଉଥାଏ ବଂଚିବା ପାଇଁ । କୋଡିଏ ମାଇଲ ସେ ଚାଲି ଚାଲି ଗଲା ବ୍ରିଟିଶ ମାନେ ଖୋଲି ଥିବା ଏକ ଖାଦ୍ୟଛତ୍ରକୁ ଏବଂ ଖ୍ରୀଷ୍ଟିଆନ ହୋଇଗଲା । ତାଙ୍କର ରକ୍ତ ମୋ ଭିତରେ ଆଜି ମଧ୍ୟ ଅଛି । ହିନ୍ଦୁ ରକ୍ତ ଆଜି ମଧ୍ୟ ମୋ ଭିତରେ ପ୍ରବାହିତ ହେଉଛି । ମୁଁ ତେଣୁ ଉଭୟକୁ ଛାଡି ପାରିବି ନାହିଁ । ମୋ ମା ଖ୍ରୀଷ୍ଟଙ୍କର କୃଶବିଦ୍ଧ ହେବାର ଦୃଶ୍ୟ ମୋତେ ଦେଖାଇଛି । ମୁଁ ସେ ପୀଡାକୁ କଦାପି ଭୁଲିପାରିବି ନାହିଁ । ଏବଂ ଏହାପରେ, ମୁଁ ମୋର ହିନ୍ଦୁପଣିଆକୁ ଭୁଲି ଯିବି କିପରି? ”  ତେଣୁ ଜୟନ୍ତବାବୁ ନିଜକୁ ଯେତିକି ଖ୍ରୀଷ୍ଟିଆନ ବୋଲି ବିଚାର କରନ୍ତି ସେତିକି ହିନ୍ଦୁ ବୋଲି ମଧ୍ୟ ବିଚାର କରନ୍ତି । କିନ୍ତୁ ବର୍ତ୍ତମାନର ଅସହିଷ୍ଣୁତାର ପରିବେଶରେ ତାଙ୍କର ଏହି ସମ୍ମିଳିତ ପରିଚୟ ଗ୍ରହଣୀୟ ହେବ ତ -ଏହି ଆଶଙ୍କା ତାଙ୍କ ମନରେ ଉପୁଜିବା ସ୍ୱାଭାବିକ । ଗ୍ରାହାମ ସ୍ଟେନସ ଓ ତାଙ୍କର ଦୁଇ ପୁତ୍ରଙ୍କୁ ହତ୍ୟା ଉପରେ କବିତା  ‘‘Uneven Mercies’’୯ରେ ଲେଖିଥିବା ଧାଡି  “burns alive/a missionary and his two sons to teach them/a lesson because they professed another faith.. ”: ଆଜିକା ସମୟରେ କେଉଁ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିବ? କାରଣ ୧୯୯୬ରେ ୟୁ ଆର୍ ଅନନ୍ତମୂର୍ତ୍ତି ଲେଖିଥିବା ଏକ ଘଟଣାକୁ ଶ୍ରୋତାଙ୍କ ସମ୍ମୁଖରେ ୨୦୧୪ରେ ବୟାନ କରି କୁଲବର୍ଗୀ ତ ରୋଷର ସମ୍ମୁଖୀନ ହେଲେ ଓ ଶେଷକୁ ନିହତ ହେଲେ । ଏହି ଭାବନା ତାଙ୍କର ଏକାଗ୍ରତାକୁ ବ୍ୟାହତ କରିବା ସ୍ୱାଭାବିକ । ୮୮ ବର୍ଷ ଧରି ସହଜରେ କଟକ ସହରରେ ବିଚରଣ କରି ଆସିଥିବା ଜୟନ୍ତ ମହାପାତ୍ର ଶଙ୍କାଗ୍ରସ୍ତ ହେବା ଅସ୍ୱାଭାବିକ ନୁହେଁ ଯେ ସାରା ଦେଶରେ ଯେଉଁ ଅସହିଷ୍ଣୁତାର ପରିବେଶ ସୃଷ୍ଟି ହୋଇଛି ତାହା କଟକକୁ ବ୍ୟାପିବ ନାହିଁ ତ ! ଏହି ଆଶଙ୍କାର ଅର୍ଥ ନୁହେଁ ଯେ ସେ କଟକକୁ ପର କରି ଦେଉଛନ୍ତି । ସେ ପରା କୁହନ୍ତି୧୦, “ମୁଁ ମୋର ସାରା ଜୀବନ କଟକରେ ରହି ଆସିଛି । ଏହାର ମାଟି ମୋତେ ତା ଭାଷାରେ, ତାର ସଂସ୍କୃତିରେ, ତାର ସଂସ୍କାରରେ, ତାର ଧର୍ମ ପଦ୍ଧତିରେ କଥା କହିଛି । ଏ’ ସବୁର ପ୍ରତିଫଳନ ହୋଇଛି ଯାହା ମୁଁ ଲେଖିଛି । ମୁଁ ଯାହା ଜାଣି ନାହିଁ, ଯାହା ମୁଁ ନିଜେ ବଂଚିନାହିଁ  ତାହା  ମୁଁ  ଲେଖି ପାରେ ନାହିଁ ” । ତାଙ୍କ କବିତାରେ ସେ ସ୍ମରଣ କରନ୍ତି ଜନ୍ମସ୍ଥାନ କଟକକୁ , ଏହାର ଗଳି ରାସ୍ତାକୁ କ୍ଷତ ବିକ୍ଷତ କରିଥିବା ନରମ ମାଟିର ଗୁଳାକୁ ଯେଉଁ ମାଟିରେ ପବିତ୍ର ରୂପ ନିଅନ୍ତି ଦେବୀ । (“And the town of Cuttack where I was born,/Its lanes scarred by ruts from whose clay/The goddesses take their sacred shapes..”) । ସବୁ ସାକ୍ଷାତକାରରେ ଜୟନ୍ତବାବୁ ଗର୍ବର ସହ ଘୋଷଣା କରିଛନ୍ତି୧୧ “Orissa  is  my  land,  my  roots  are  there”   Gaõ “My own writing has always reflected an Oriya sensibility and I have felt myself to be an Oriya poet who happened to write in English..”୧୨ା ଯେଉଁମାନେ ଗୈାରହରିଙ୍କ ଭଳି କହୁଛନ୍ତି ଯେ ୮୮ବର୍ଷ ଧରି କଟକ ସହର ତାଙ୍କୁ ସୁରକ୍ଷା ଦେଇ ଆସିଛି ଓ ଏବେ ଜୟନ୍ତବାବୁ କଟକକୁ ପର କରିଦେଉଛନ୍ତି, ସେମାନେ ଜୟନ୍ତବାବୁଙ୍କ ପ୍ରତି କଟକର ଅନୁଗ୍ରହ ଓ ଜୟନ୍ତଙ୍କର ଅକୃତଜ୍ଞତା ପ୍ରତି ହିଁ ପ୍ରକାରାନ୍ତରେ ଇଂଗିତ କରିଛନ୍ତି । ସେମାନେ ଉଭୟ କଟକ ସହର ଓ କଟକୀ ଜୟନ୍ତ ମହାପାତ୍ରଙ୍କର ଅବମାନନା କରୁଛନ୍ତି । ସେମାନେ ଜୟନ୍ତବାବୁଙ୍କର ‘ହିନ୍ଦୁ’ରେ ପ୍ରକାଶିତ ବକ୍ତବ୍ୟର ଏକ ଅନୁଦାର ବିଶ୍ଳେଷଣ କରୁଛନ୍ତି ।
ଶ୍ରୀ ନାରଦ
ସମ୍ବାଦ ରବିବାରରେ “ରାଜଧାନୀ ରାଜନୀତି”ର ସ୍ତମ୍ଭକାର ଶ୍ରୀ ନାରଦଙ୍କର ମନ୍ତବ୍ୟକୁ ଯଦି ବିଶ୍ୱାସ କରାଯାଏ୧୩ତାହାହେଲେ ବିଜେଡି ସରକାରଙ୍କର ଜୟନ୍ତବାବୁଙ୍କ ପ୍ରତି ଆଦର ଉପରଠାଉରିଆ ଯଦିଓ ସଂଜୟ ଦାସବର୍ମା ବିଜେଡି ଛାତ୍ର ସମାବେଶରେ ମୁକ୍ତକଣ୍ଠରେ ଜୟନ୍ତବାବୁଙ୍କ ପଦ୍ମଶ୍ରୀ ଫେରାଇବାକୁ ସ୍ୱାଗତ କରିଛନ୍ତି । ଶ୍ରୀ ନାରଦଙ୍କର ଏହି ଧାରଣାର କାରଣ ହେଉଛି “ବିଭିନ୍ନ ଲୋକଙ୍କ ପାଇଁ ପଦ୍ମ ସମ୍ମାନ ନିମନ୍ତେ ସୁପାରିସ କରୁଥିବା ବିଜେଡି କେବେ ଜୟନ୍ତଙ୍କ ନାମ ସୁପାରିସ କରି ନ ଥିଲା ।” ତାହାହେଲେ ଗୈାରହରି ସରକାରଙ୍କଠାରେ ଜୟନ୍ତଙ୍କ ପାଇଁ ସୁରକ୍ଷାର ବୃଥା ଅନୁରୋଧ କରୁ ନାହାନ୍ତି କି? କିନ୍ତୁ ସୁପାରିସ ପ୍ରସଂଗରେ ଶ୍ରୀ ନାରଦ ଦର୍ଶାନ୍ତି ଯେ “ତାଙ୍କ ଲାଗି ଦୀଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ  ସୁପାରିଶ କରିଥିଲେ” ଓ ଏହା ସହିତ ଯୋଡନ୍ତି ଏକ ଅତ୍ୟନ୍ତ ସୃଜନଶୀଳ ଅନୁମାନ ଯେ “ଶୀଲା ଯେହେତୁ ସୋନିଆଙ୍କର ଅଧସ୍ତନ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ସୋନିଆଙ୍କ ସମ୍ମାନ ଅବଶ୍ୟ ରହିଛି, ତେଣୁ ସେହି ସୂତ୍ରରେ କବିଙ୍କୁ ଏହି ଉପାଧି ମିଳିଥିବ ।” ଅର୍ଥାତ୍  ଜୟନ୍ତ ମହାପାତ୍ର ଖ୍ରୀଷ୍ଟିଆନ ହୋଇଥିବା ହେତୁ ଖ୍ରୀଷ୍ଟିଆନ ସୋନିଆ ଗାନ୍ଧୀଙ୍କର ପ୍ରଭାବରେ ଦୀଲ୍ଲୀ ମୁଖ୍ୟମନ୍ତୀ ଶିଲା ଦୀକ୍ଷିତ ଜୟନ୍ତଙ୍କ ନାମ ପଦ୍ମଶ୍ରୀ ପାଇଁ ସୁପାରିସ କରିଥିବେ । ସଂଜୟ ଦାସବର୍ମାଙ୍କ ଅଭିନନ୍ଦନକୁ ପ୍ରଶ୍ନକରି ଶ୍ରୀ ନାରଦ କୁହନ୍ତି “ଯଦି କଳିଂଗନଗର ପାପୁଲି କଟା ଘଟଣା କିମ୍ବା କନ୍ଧମାଳ ଦଂଗା ସମୟରେ ପଦ୍ମ ଉପାଧି ଫେରସ୍ତ ଦେଇଥାନ୍ତେ ତାହାହେଲେ କଅଣ ଏହି ରାଗରାଗିଣୀରେ ଅଭିନନ୍ଦନ ଗୀତ ଗାଇଥାନ୍ତେ?” କିପରି ଫେରାଇଥାନ୍ତେ ଜୟନ୍ତ ତାଙ୍କର ପଦ୍ମଶ୍ରୀ, ପାଇବା ପୂର୍ବରୁ ? ତଥ୍ୟ ହେଉଛି  କଳିଂଗନଗର ପାପୁଲି କଟା ଘଟଣା ଘଟିଥିଲା୨୦୦୬ ରେ,  କନ୍ଧମାଳ ଦଂଗା ୨୦୦୮ରେ ଓ ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ପାଇଲେ ୨୦୦୯ରେ । ନାରଦ ପୃଥିବୀ ପ୍ରଦିକ୍ଷଣ କରି ନାରାୟଣଙ୍କୁ ସଠିକ ଖବର ଦେଉଥିଲେ ବୋଲି ପୁରାଣର କଥା ।  ସ୍ତମ୍ଭକାର ଶ୍ରୀ ନାରଦଙ୍କ ପାଠକ ନାରାୟଣଙ୍କୁ  ଭୁଲ ଧାରଣା ଦେଉଛନ୍ତି କିପରି?
ଶ୍ରୀ ନାରଦଙ୍କ ଭଳି ଯେଉଁମାନେ ଜୟନ୍ତ ମହାପାତ୍ର ଖ୍ରୀଷ୍ଟିଆନ ହୋଇଥିବାରୁ ପଦ୍ମଶ୍ରୀ ପାଇଛନ୍ତି ବୋଲି ଏକ ଧାରଣା ଦେବାକୁ ଆଜି ଚେଷ୍ଟା କରୁଛନ୍ତି ସେମାନେ ଏକ ନିମ୍ନମାନର ସାମ୍ପ୍ରଦାୟୀକ ମନୋଭାବ ପ୍ରକାଶ କରୁନାହାନ୍ତି କି? ଜୟନ୍ତବାବୁଙ୍କର ହିନ୍ଦୁରେ ପ୍ରକାଶିତ ସାକ୍ଷାତକାର ( “ଯେହେତୁ ମୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଓ ରହୁଛି ସଂଖ୍ୟାବହୁଳ ସମ୍ପ୍ରଦାୟଙ୍କ ଘେରରେ, ମୁଁ ମୋର ଲେଖାରେ ମନୋନିବେଶ କରିପାରୁନାହିଁ କାରଣ ମୁଁ  ଶଙ୍କିତ ଯେ ମୋର ପ୍ରତିବେଶୀ ମୋର ଲେଖା ଉପରେ କି ପ୍ରକାର ପ୍ରତିକ୍ରିୟା କରିବେ ।”) କୁ  କଦର୍ଥ କରି ଶ୍ରୀ ନାରଦ ଯେପରି କହୁଛନ୍ତି “ତୁମେ ଖ୍ରୀଷ୍ଟିଆନ ହୋଇଥିବା ହେତୁ ପରା ପଦ୍ମଶ୍ରୀ ପାଇଛ” । ନିଶ୍ଚିତ ଭାବରେ ଜୟନ୍ତବାବୁ ପାଇଥିବା ପୁରସ୍କାର ଓ ସମ୍ମାନର ହେତୁ ତାଙ୍କର ଧର୍ମ ବୋଲି ଧାରଣା ସୃଷ୍ଟି କରିବାର ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ଓ ବେଦନାଦାୟକ ସେମାନଙ୍କ ପାଇଁ ଯେଉଁମାନେ ଜାଣିଛନ୍ତି ତାଙ୍କର ‘ହିନ୍ଦୁପଣିଆ’୮ା
ନିଷ୍ପତ୍ତିକୁ ପସନ୍ଦ
ସୈାଭାଗ୍ୟ ମିଶ୍ର (କେନ୍ଦ୍ର ସାହିତ୍ୟ ଆକଦେମୀ ପୁରସ୍କାର ବିଜେତା ୧୯୮୬)
ସୈାଭାଗ୍ୟ ମିଶ୍ର ମହୋଦୟ ଜୟନ୍ତବାବୁଙ୍କର ପୁରସ୍କାର ଫେରାଇବାକୁ “ସମ୍ପୂର୍ଣ୍ଣ ସମର୍ଥନ” କରୁଛନ୍ତି । ତାଙ୍କ ଦୃଷ୍ଟିରେ “ଲେଖକ ହିସାବରେ ସେ ସେତିକି ସଚେତନ ବୋଲି ଏ ଭଳି ପଦକ୍ଷେପ ନେଇଛନ୍ତି ।” ପୁରସ୍କାର ନ ଫେରାଇ ଲେଖା ମାଧ୍ୟମରେ ପ୍ରତିବାଦ କରିବାକୁ ଯେଉଁମାନେ ପରାମର୍ଶ ଦେଉଛନ୍ତି ସେମାନଙ୍କୁ ସେ ପଚାରିଛନ୍ତି – “ଲେଖା ମାଧ୍ୟମରେ କଣ ପ୍ରତିବାଦ ହୋଇ ନାହିଁ କି? କିନ୍ତୁ ଅବସ୍ଥା ସୁଧୁରିଛି କି?” ତେଣୁ ପୁରସ୍କାର ଫେରାଇ ପ୍ରତିବାଦ କରିବାକୁ ସେ ଉଚିତ ମନେ କରିଛନ୍ତି କାରଣ ଏହାଦ୍ୱାରା “ଆମେ ଦେଶର ଦୁରାବସ୍ଥାକୁ କେତେ ଅନୁଭବ କରୁ ତାହା ଜଣାଇପାରିବା ।” ସୈାଭାଗ୍ୟବାବୁଙ୍କର କ୍ଷୋଭ ଯେ୫ “ଆମ ସାହିତ୍ୟିକଙ୍କର ପ୍ରତିବାଦ କରିବାର ସାହାସ ନାହିଁ ।” କିନ୍ତୁ ଜୟନ୍ତବାବୁ ରହି ପାରନ୍ତି ନାହିଁ କିଛି ନ କହି । ତାଙ୍କରି ଭାଷାରେ୧୪, “ମୁଁ କହିପାରିବି ନାହିଁ କବିତା  ସମାଜର କିଛି କରେ ବୋଲି । ମୁଁ ଭାବେ କିଛି କରେ ନାହିଁ ।…….ଯେତେବେଳେ ଜଣେ ଏହି ବିଶ୍ୱକୁ ଦେଖେ ଓ ଏହାର ଚାରିଆଡେ ନୈରାଶ୍ୟ ଦେଖି ଆହତ ହୁଏ, ସେତେବେଳେ ତା ପକ୍ଷରେ ନୀରବ ରହିବା କଷ୍ଟକର ହୋଇପଡେ ।”
ବିଭୂତି ପଟ୍ଟନାୟକ (ଓଡିଶା ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ୧୯୮୫)
ଜୟନ୍ତବାବୁ ଅକାଦେମୀ ପୁରସ୍କାର ନ ଫେରାଇ ପଦ୍ମଶ୍ରୀ ଫେରାଇ ଥିବାରୁ ବିଭୂତିବାବୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି୬ । କାରଣ “କେନ୍ଦ୍ର ସାହିତ୍ୟ ଅକାଦେମୀର ଉପସଭାପତି ଚନ୍ଦ୍ରଶେଖର କାମ୍ବାର ବୈାଦ୍ଧିକ ଅସହିଷ୍ଣୁତା ପ୍ରତିବାଦରେ ଲେଖକମାନେ ସାହିତ୍ୟ ଅକାଦେମୀ ପୁରସ୍କାର ନ ଫେରାଇ ପଦ୍ମ ସମ୍ମାନ ଫେରାଇବା ପାଇଁ ଲେଖକମାନଙ୍କୁ ନିବେଦନ” କରିଥିଲେ । ଏହି ଭଳି ମନ୍ତବ୍ୟ ଫଳରେ ବିଭୂତିବାବୁ ଉଲ୍ଲେଖ କରନ୍ତି ଶରବ୍ୟ ହୋଇଥିବାର ପ୍ରଶ୍ନ ଯେ “ଓଡିଶାର ଦୁଇ ବିଶିଷ୍ଟ ଓ ବରିଷ୍ଠ କବି ରମାକାନ୍ତ ରଥ ଓ ସୀତାକାନ୍ତ ମହାପାତ୍ର ସାଂପ୍ରଦାୟିକ ସନ୍ତ୍ରାସର ପ୍ରତିବାଦରେ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧି ଫେରାଇ ନଦେବା ଲାଗି ଦୃଢ ସଂକଳ୍ପ ହୋଇଥିଲା ବେଳେ ଜୟନ୍ତ ମହାପାତ୍ର ଅତର୍ଚ୍ଛାରେ ପଦ୍ମଶ୍ରୀ ଫେରାଇ ଦେଉଛନ୍ତି କାହିଁକି?” ବିଭୂତିବାବୁଙ୍କର ଉତ୍ତର ଥିଲା “ରମାକାନ୍ତ, ସୀତାକାନ୍ତ-ଉଭୟ ସବର୍ଣ୍ଣ ହିନ୍ଦୁ । ଜୟନ୍ତବାବୁ କିନ୍ତୁ ଏକ ସମ୍ଭ୍ରାନ୍ତ ଖ୍ରୀଷ୍ଟୀୟ ପରିବାରର ସନ୍ତାନ, ସେଥିପାଇଁ ସେ ସାଂପ୍ରଦାୟିକ ସନ୍ତ୍ରାସର ଶିକାର ହୋଇଥିବା ସମ୍ଭବ ।”  ଅବଶ୍ୟ ନିଜେ ଜୟନ୍ତ ବାବୁ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ବା ତାଙ୍କର ଏ ଯାବତ୍ ପ୍ରକାଶିତ ସାକ୍ଷାତକାର ମାନଙ୍କରେ କୈାଣସି ଠାରେ ସେ ନିଜେ ସାମ୍ପ୍ରଦାୟିକ ସନ୍ତ୍ରାସର ଶୀକାର ହୋଇଛନ୍ତି ବୋଲି ଉଲ୍ଲେଖ କରି ନାହାନ୍ତି । ସେ ଦେଶରେ ବୃଦ୍ଧି ପାଉଥିବା ଅସହିଷ୍ଣୁତାର ପ୍ରତିବାଦରେ ହିଁ ତାଙ୍କର ପଦ୍ମଶ୍ରୀ ସମ୍ମାନକୁ ଫେରାଇବାର ଇଚ୍ଛା ପ୍ରକଟ କରିଛନ୍ତି । କୁଲବର୍ଗୀ, ପନ୍ସାରେ ଓ ଦାଭୋଲକର ସମସ୍ତେ ସବର୍ଣ୍ଣ ହିନ୍ଦୁ ହିଁ ଥିଲେ ଯେଉଁ ମାନେ ଅସହିଷ୍ଣୁତାର ଶୀକାର ହୋଇଥିଲେ କାରଣ ସେମାନେ ହେତୁବାଦୀ ଥିଲେ ଓ ହିନ୍ଦୁ ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତାରୁ ସମାଜକୁ ମୁକ୍ତ କରିବାର ସାହାସ ଦେଖାଇଥିଲେ । ତେଣୁ  ଅସହିଷ୍ଣୁତାର ଅର୍ଥ ବ୍ୟାପକ, ସାଂପ୍ରଦାୟିକ ସନ୍ତ୍ରାସ ଏହାର ଏକ ଅଂଶ ହୋଇପାରେ ମାତ୍ର ।  ।ଅପର ପକ୍ଷେ ନିଜେ ଜୟନ୍ତବାବୁ କୁହନ୍ତିି୩ , “ମୋର କୈାଣସି ରାଜନୈତିକ ଦଳ ସହ କିଛି ସମ୍ପର୍କ ନାହିଁ । କୈାଣସି ଧର୍ମ ସାଂଗେ ବି ନାହିଁ । ମୋ ପୁରସ୍କାର ଫେରାଇବା ପଛରେ ଏସବୁ କିଛି ନାହିଁ । କେବଳ ଲେଖକୀୟ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ଭଳି ଘଟଣାର ପ୍ରତିବାଦରେ ମୁଁ ଏହି ସମ୍ମାନ ଫେରାଇବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି ।”  ତେଣୁ ଜୟନ୍ତବାବୁ ପଦ୍ମଶ୍ରୀ ଫେରାଇବା ପ୍ରସଂଗରେ ତାଙ୍କ ଉପରେ ସାଂପ୍ରଦାୟିକ ସନ୍ତ୍ରାସର ଏକ କାଳ୍ପନିକ ଅନୁଭୂତିକୁ ଲଦି ଦେବା ଯଥାର୍ଥ ହେଉଛି କି ?
ଉପସଂହାର
ପଦ୍ମଶ୍ରୀ ଫେରାଇ ଜୟନ୍ତ ମହାପାତ୍ର ବିତର୍କିତ ହୋଇପଡିଛନ୍ତି ଓଡିଶାର ଲେଖକ ସମ୍ପ୍ରଦାୟ ମଧ୍ୟରେ । କେତେକଙ୍କୁ ଛାଡିଦେଲେ ଅଧିକାଂଶ  ସାହିତ୍ୟିକ ଏହାକୁ ନାପସନ୍ଦ କରୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ସାହିତ୍ୟିକଙ୍କ ମତାମତରୁ ଜଣାପଡେ । ପଂଜାବୀ ଲେଖିକା ଦଲୀପ କୈାର ତିୱାନା ବା  କନ୍ନଡ ଲେଖକ ଦେବାନୁରୁ ମହାଦେବ ସେମାନଙ୍କ ପଦ୍ମଶ୍ରୀ ଫେରାଇବା ବେଳେ ସେମାନଙ୍କ ରାଜ୍ୟର ସାହିତ୍ୟିକଙ୍କ ଦ୍ୱାରା କିପରି ସମାଲୋଚିତ ହୋଇଥିଲେ ତାହା ଜଣା ନାହିଁ । ତେବେ ଏହି ଦୁଇ ରାଜ୍ୟରେ ଏମାନଙ୍କ ବ୍ୟତିତ ଅନ୍ୟ କେତେକ ସାହିତ୍ୟିକ ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରି ପୁରସ୍କାର (ଯଦିଓ ଅକାଦେମୀ ପୁରସ୍କାର) ଫେରାଇବାର ପ୍ରକରଣ ଆରମ୍ଭ କରି ଦେଇଥିଲେ । ତେଣୁ ଉପରୋକ୍ତ ଦୁଇ ଲେଖକଙ୍କ ବିରୁଦ୍ଧରେ ସେମାନଙ୍କ ଭାଷାର ସାହିତ୍ୟିକମାନଙ୍କର ସମାଲୋଚନା, ଯଦି ହୋଇଥାଏ, ସେପରି ତୀବ୍ର ହୋଇନଥିବା ସମ୍ଭବ ଯେପରି ଜୟନ୍ତବାବୁ ଶରବ୍ୟ ହେଇଛନ୍ତି । ପୁନରାବୃତ୍ତି କରିବାର ଆବଶ୍ୟକତା ନାହିଁ ଯେ  ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରି ପୁରସ୍କାର ବା ସମ୍ମାନ ଫେରାଇବାରେ ଓଡିଶାର ପ୍ରଥମ ସାହିତ୍ୟିକ ହେଉଛନ୍ତି ଜୟନ୍ତବାବୁ । ଏହା ତ ଭିନ୍ନ କଥା ଯେ  ଓଡିଶାର ଲେଖକ ସମ୍ପ୍ରଦାୟର ସେ ଜଣେ ବାହାରିଆ ମଣିଷ  । ତାଙ୍କ ନିଜ ଭାଷାରେ୩ “ମୋର ପ୍ରକୃତରେ ବଡବଡିଆ ଲେଖକ, ସାହିତ୍ୟିକଙ୍କ ସହ ବେଶୀ ସମ୍ପର୍କ ନାହିଁ । ଭୁବନେଶ୍ୱରର ସାହିତ୍ୟିକଙ୍କ ପାଖକୁ ମୁଁ ଯାଏ ନାହିଁ ।” ସେ ସଚେତନ ଯେ “ସେମାନଙ୍କ ଅନୁସାରେ ମୁଁ ସମ୍ମାନ ଫେରାଇ ଭୁଲ କରିଛି ।” କିନ୍ତୁ ଏଥିପାଇଁ ସେ ବିଚଳିତ ନୁହନ୍ତି କାରଣ “ସ୍ୱାଧୀନତାକୁ ଯଦି ମୋଠାରୁ ଛଡାଇ ନିଆଯାଏ, ମୁଁ ବଂଚିବି କିପରି?” ଜୟନ୍ତବାବୁଙ୍କ ପାଇଁ ସ୍ୱାଧୀନତା ହିଁ ତାଙ୍କର ଲେଖନୀର ଶକ୍ତି । କାରଣ ଏହି ସ୍ୱାଧୀନତାର ଶକ୍ତି ଉପରେ  ଜୟନ୍ତବାବୁଙ୍କ କବିତାରେ ରୂପ ନେଇଛି ଦଳିତ, ନିଷ୍ପଷିତ, ଅବହେଳିତ, ଶୋଷିତର ବ୍ୟଥା, ଧର୍ମ ଓ କ୍ଷମତାର ଔଦ୍ଧତ୍ୟ, ଶିଶୁର କ୍ଷୁଧା ଓ ନାରୀର ନୀରବ ଯନ୍ତ୍ରଣା, ତାଙ୍କର ଅନନ୍ୟ ପ୍ରକାଶ ଭଂଗୀରେ । ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରି କେନ୍ଦ୍ର ସାହିତ୍ୟ ଅକାଦେମୀର ସମସ୍ତ ପଦବୀରୁ ନିକଟ ଅତୀତରେ ଇସ୍ତଫା ଦେଇଥିବା ମାଲାୟଲି ସାହିତ୍ୟିକ କେ ସଚିଦାନନ୍ଦନ ଏକଦା (୧୬ ବର୍ଷ ପୂର୍ବେ) ଜୟନ୍ତଙ୍କ କବିତା ସମ୍ପର୍କରେ କହିଥିଲେ୧୫, “ଜୟନ୍ତ ହତ୍ୟାକାରୀ ସାଂଗରେ ସ୍ୱର ମିଳାନ୍ତି ନାହିଁ , ସ୍ୱର ମିଶାନ୍ତି ନିହତ ହୋଇଥିବା ମଣିଷ ସହ । ତାଙ୍କ ଦାରିଦ୍ର୍ୟର ରୁଟିକୁ ସେ ଧୂର୍ତ୍ତ ମାଲିକ ସହ ନୁହଁ,  ସେ ତାକୁ ବାଣ୍ଟି ଖାଆନ୍ତି ନୀରବ ଭୃତ୍ୟ ସହ, ହତଭାଗା ଅନାଥ ଶିଶୁ ସହ, ଅଧା ଭୋକିଲା ହଳିଆ ସହ, ଗ୍ରାମୀଣ ଅର୍ଦ୍ଧଜାଗ୍ରତ ଶିଳ୍ପୀ ସହ, ସହସ୍ର ବିପତ୍ତିରୁ ବର୍ତ୍ତି ଯାଇଥିବା ମଜବୁତ ବ୍ୟକ୍ତି ସହ ।…..ମହାପାତ୍ରଙ୍କର ସମୁଦାୟ କୃତି ମାନବଜାତି ସମ୍ପର୍କିତ ବ୍ୟାପକ ବିଷୟ ପ୍ରତି, ବିଶେଷତଃ ଆମ ସମାଜକୁ ନେଇ,  ତାଙ୍କର ଗଭୀର ସମ୍ବେଦନଶୀଳତା ଦର୍ଶାଏ ।” । ଏହି ସ୍ୱାଧୀନତା ହିଁ ତାଙ୍କୁ ଶକ୍ତି ଦିଏ ବେଧଡକ କହିବାକୁ ଯେ ସେ ଚାହାନ୍ତି ନାହିଁ ରହିବାକୁ ସେ ଅଂଚଳରେ ଯାହାକୁ ପବିତ୍ର କୁହାଯାଉଛି । ଦେଖନ୍ତି ସେ ଆଜି  ଧର୍ମପୀଠ ଓ ମନ୍ଦିର ମାଳିନୀ ଅଂଚଳରେ  ରକ୍ତର ସ୍ତୁପ । ଚାହାନ୍ତି ଶ୍ମଶାନ ଶବଶୂନ୍ୟ ହେଉ, ସେଠି ଫୁଲ ଫୁଟୁ । ସୂର୍ଯ୍ୟସ୍ନାତ ପଥ କରୁ ଚକମକ, ତାର ଛାଇ ନ ପଡୁ  । ଚାହାନ୍ତି ସେ ଅଗ୍ନିର ଶିଖା ଯାହା ଶୂନ୍ୟ ହୃଦୟକୁ ପ୍ରେମର ଉଷ୍ମତା ଦେବ,  ଜାଳିବ ନାହିଁ ସହରକୁ ଦୟନୀୟ ଘୃଣାରେ । ଚାହାନ୍ତି ତାଙ୍କ ସରକାର ବଗିଚା ଉପରେ ଘୁରିବୁଲୁ ଥିବା ପ୍ରଜାପତି ଭଳି ହେଉ, ବିରୁଡି ବା ସାପ ପରି ନୁହେଁ ।୧୬
(“The land some call holy/is not the one I want to live in./Today the land of shrines and temples/offers its troubled tombs of blood/……/I want the graveyard to flower without its corpses,/and the sunlit street/to sign without its shadows./I want the flames to warm the empty heart/of love, not burn the city with pitiable hatred./……../I want my government to hover/like a butterfly over a garden;/not be, as it is, like a wasp or snake/….) ସ୍ୱାଭାବିକ ଏହି ସ୍ୱାଧୀନତାକୁ ଜୟନ୍ତବାବୁ ଚାହାନ୍ତି ନାହିଁ ହରାଇବା । ସେ ଚାହାନ୍ତି ନାହିଁ କୈାଣସି ଲେଖକର ଲେଖକୀୟ ସ୍ୱାଧୀନତା ଅପହୃତ ହେଉ । ଏହି ସ୍ୱାଧୀନତା ନ ଥିଲେ ଲେଖକ ଆଉ ଲେଖକ ହୋଇ ବଂଚିବ ନାହିଁ ଏହାହିଁ ତାଙ୍କର ବାର୍ତ୍ତା । ଓଡିଆ ସାହିତ୍ୟିକଙ୍କୁ କ’ଣ ଅଜଣା ତାମିଲ ଲେଖକ ପେରୁମଲ ମୁରୁଗନଙ୍କର ବହୁ ଚର୍ଚ୍ଚିତ ଘୋଷଣା ଯେ ‘ଲେଖକ ପେରୁମଲ ମୁରୁଗନ ମୃତ । ଯେହେତୁ ସେ ଭଗବାନ ନୁହେଁ, ତେଣୁ ନିଜକୁ ପୁର୍ନଜୀବିତ କରି ପାରିବ ନାହିଁ । ତାର ପୁର୍ନଜନ୍ମରେ ବିଶ୍ୱାସ ନାହିଁ । ଏକ ସାଧାରଣ ଶିକ୍ଷକ ଭାବେ ସେ ବଂଚିବ ପି ମୁରୁଗନ ନାଁରେ । ମୋତେ ଏକାକୀ ଛାଡି ଦିଅ ।’୧୭ ପଦ୍ମଶ୍ରୀ ଫେରାଇ ଜୟନ୍ତବାବୁ ଲେଖକୀୟ ସ୍ୱାଧୀନତାକୁ ନେଇ ଏକ ବ୍ୟାପକ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଓଡିଶାର ସାହିତ୍ୟିକ ସମ୍ପ୍ରଦାୟ ଏହି ପ୍ରଶ୍ନକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ । ୨୦୧୪ ସାହିତ୍ୟ ଅକାଦେମୀ ବାଳ ସାହିତ୍ୟ ପୁରସ୍କାର ବିଜେତା ଦାଶ ବେନହୁର (ଜିତେନ୍ଦ୍ର ନାରାୟଣ ଦାଶ)ଙ୍କ ଭଳି ଏହା କହି ଏହି ପ୍ରଶ୍ନଟିକୁ ଏଡାଇଯିବା ଉଚିତ ହେବ ନାହିଁ ଯେ୫”ଏ ଭଳି ଫେରାଇବା କେବଳ ଶିକ୍ଷିତ ଶ୍ରେଣୀଙ୍କ ଭିତରେ ରହିବ । ତେଣୁ ଏ ପୁରସ୍କାର ଫେରାଇବାର ପ୍ରଭାବ ସୁଦୂରପ୍ରସାରୀ ହେବ ନାହିଁ…” ।
ଏହା କହିବା ଅନାବଶ୍ୟକ ଯେ  ପୁରସ୍କାର ବା ସମ୍ମାନ ଲେଖକୀୟ ସ୍ୱାଧୀନତା ଠାରୁ ଯେ ବଡ ନୁହେଁ ତାହା ପଦ୍ମଶ୍ରୀ ଫେରାଇ ଜୟନ୍ତବାବୁ ପ୍ରତିପାଦିତ କରିଛନ୍ତି ଓ  ଓଡିଶାର ଯୁବ ଲେଖକମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି ।

ସହାୟକ ଉପାଦାନ ସୂଚୀ

1.http://www.ndtv.com/india-news/novelist-dalip-kaur-tiwana-returns-padma-shri-award-over-communal-attacks-1231634
2.Dalit writer returns Padma Shri, Sahitya Akademi awards, H M Aravind, Times of India,  Nov 15, 2015;http://timesofindia.indiatimes.com/india/Dalit-writer-returns-Padma-Shri-Sahitya-Akademi-awards/articleshow/49787478.cms“
୩. ‘ସ୍ୱାଧୀନତା ବିନା ବଂଚିବି କେମିତି?’, ସମାଜ, ୨୪ ନଭେମ୍ବର ୨୦୧୫
4.Poet Jayant Mohapatra to return Padma Shri, keep Akademi award,Pradip Das, The Hindu,November 23, 2015;Poet Jayant Mohapatra to return Padma Shri, keep Akademi award – The Hindu http://www.thehindu.com/news/national/other-states/poet-jayant-mohapatra-to-return-padma-shr..
୫ “ନିଷ୍ପତ୍ତିକୁ ନାପସନ୍ଦ”, ସମ୍ବାଦ, ମହାନଗର, ୨୪ ନଭେମ୍ବର ୨୦୧୫
୬.. ସର୍ବସାଧାରଣ ସପ୍ତରଂଗ, ୨୯ ନଭେମ୍ବର ୨୦୧୫, ପୃ-୬
7. Poet Jayant Mahapatra writes to president to return his Padmashree, Binita Jaiswal, Times of India, Nov 22, 2015 ; http://timesofindia.indiatimes.com/india/Poet-Jayant-Mahapatra-writes-to-president-to-return-his-Padmashree/articleshow/49883596.cms
8.‘History and tradition, my arms’,Sukrita Paul Kumar,The Hindu,November 28, 2015;conversation with Jayanta Mahapatra – The Hindu http://www.thehindu.com/books/literary-review/sukrita-paul-kumar-in-conversation-with-jayant..
9.Land: Poems;Jayanta Mahapatra, New Delhi: Authorspress, 2013, Pp. 59
10..THE EXPLOSIVE ART OF POETRY, Jayanta Mahapatra,talked to Vinita Agrawal,http://www.leap-plus.com/the-explosive-art-of-poetry/.
11.Mitra, Zinia. Poetry of Jayanta Mahapatra: Imagery and Experiential Identity. Delhi.Authors Press,2012.25
12.Jayanta Mahapatra on Indian poetry in English,http://www.cse.iitk.ac.in/users/amit/books/mahapatra-1987-selected-poems.html
13.i´û\ eaòaûe, 29 ^ùb´e, 2015
14.Jayanta Mahapatra | ‘Something in me refuses to die’,Sridala Swami,Livemint, Jan 11 2013;http://www.livemint.com/Leisure/Tejg57qNEfUBT7jGQV0UbI/Jayanta-Mahapatra–Something-.
15.Satchidanandan, K. Indian Literature: Positions and Propositions.Delhi: Pencraft International.1999, pp226-27)
16.“The land that is not”, Jayanta Mahapatra Random Descent, Orissa: Third Eye Communications, 2005, p.70 (Quoted from “ Jayanta Mahapatra’s India, -Because I cannot grow a rose,/I plant the seeds of the thistle”by Syamala Kallury and Anjana N Dev published in The Indian Imagination of Jayanta Mahapatra, edited by Jayadeep Sarangi and Gauri Shankar Jha,Delhi: Sarup & Sons, 2006,pp.60-61)
17.Why Indian author Perumal Murugan quit writing,Soutik Biswa,BBC New..15 January 2015,http://www.bbc.com/news/world-asia-india-30808747

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>