');}

ଦେଶରେ କ’ଣ ହେଉଛି?

print

ବୀରେନ୍ଦ୍ର ନାୟକ
ଗତ ପ୍ରାୟ ତିନି ସପ୍ତାହ ହେବ ଜବାହାରଲାଲ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା(ଫେବୃ।।ରୀ ୯,୨୦୧୬) ଏକ ଛାତ୍ର ସଂଗଠନ ଦ୍ୱାରା ଆହୂତ ସଭାକୁ ନେଇ ସାରା ଦେଶରେ ଯେପରି ଚର୍ଚ୍ଚା ଚାଲିଛି ତାହାଦ୍ୱାରା ବହୁ ସୀମିତ ପ୍ରଶ୍ନ ସହ ଅନେକ ବୃହତ୍ତର ପ୍ରଶ୍ନ ମନଭିତରେ ଉଠୁଛି । ଅନେକ ଆଶଙ୍କା ଓ ଆତଙ୍କରେ ମନ ଗ୍ରସିତ ହେଉଛି । ଦେଶ ତ କେବଳ ଭୈାଗଳିକ ସୀମାବଦ୍ଧ ପୃଥିବୀର ଅଂଶ ନହେଁ । ଏହି ଭୈାଗଳିକ ସୀମିତ ଖଣ୍ଡରେ ବସବାସ କରୁଥିବା ଜନସାଧାରଣଙ୍କୁ ତ ନେଇ ଦେଶ । ଗଣତନ୍ତ୍ରରେ ଦେଶର ମାଲିକ ଜନସାଧାରଣ, କୈାଣସି କ୍ଷମତାସୀନ ଦଳ ବା ଗୋଷ୍ଠୀ ନୁହେଁ । ଏହି ଜନସାଧାରଣଙ୍କ ଭିତରେ ସାମ୍ୟ, ସଂପ୍ରୀତି ହିଁ ହେଉଛି ଦେଶର ସ୍ୱୟଂପ୍ରଭୂତା ଓ ଅଖଣ୍ଡତା ପାଇଁ ପ୍ରତିଶୃତି । ଭାରତରେ ବିବିଧତା ଏକ ବାସ୍ତବିକତା । ତେଣୁ କ୍ଷମତାସୀନ ଦଳ ବା ଗୋଷ୍ଠୀ ଉପରେ ଗୁରୁ ଦାୟିତ୍ୱ ଯେ କିପରି ସବୁ ବର୍ଗ ଭିତରେ ସାମ୍ୟ ଓ ସଂପ୍ରୀତି କାଏମ ରହିବ ଯାହା ଫଳରେ ଦେଶ ଅଧିବାସୀଙ୍କ ପାଇଁ ଆକର୍ଷଣୀୟ ହେବ, ଦେଶପ୍ରେମ ସ୍ୱାଭାବିକ ଉଦ୍ରେକ ହେବ , ଜୋର ଜବରଦସ୍ତ କରି ନୁହେଁ ବା ଆଇନର ବଳରେ ନୁହଁ । ମହାତ୍ମା ଗାଂଧୀ ପରା କହିଥିଲେ୧ “ଆଇନ ଦ୍ୱାରା ସଂପ୍ରୀତି ସୃଷ୍ଟି କରାଯାଇ ପାରେ ନା”  (“Affection cannot be manufactured by law”) । ସେହିଭଳି ଦେଶରେ ଥିବା ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ମଧ୍ୟ ଦାୟିତ୍ୱ ସେମାନଙ୍କର ନିଜସ୍ୱ ବିଶ୍ୱସନୀୟତାକୁ ଦୃଢ କରିବା, ଯେପରି ପ୍ରତ୍ୟେକ ବର୍ଗର ନାଗରିକ ଅନୁଭବ କରିବ ଯେ ତା ପ୍ରତି କେଉଁଠି ଅନ୍ୟାୟ ହେଉ ନାହିଁ ।  କହିବା ବାହୁଲ୍ୟ ଯେ ଜନସମୁଦାୟ ମଧ୍ୟରେ ସାମ୍ୟ ଓ ସଂପ୍ରୀତି ଦାବି କରେ ସହିଷ୍ଣୁତା, ବିଶେଷକରି  ଅନ୍ୟର ବିଚାର ପ୍ରତି । କିନ୍ତୁ ଏହି ସହିଷ୍ଣୁତା କ୍ଷମତାସୀନ ଦଳ ବା ଗୋଷ୍ଠୀର ଅଭିଧାନରୁ ଯଦି ନିରୁଦ୍ଦିଷ୍ଟ ହୁଏ, ତାହାହେଲେ ବିବିଧତା ଭରା ଦେଶ ପାଇଁ ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ହୋଇ ନ ପାରେ । ଭାରତ ଭୂଇଁରେ ଅନ୍ୟର ବିଚାର ପ୍ରତି ସହିଷ୍ଣୁତା ଯେପରି ତ୍ୱରିତ ଗତିରେ କ୍ଷୀଣକାୟ ହୋଇ ଚାଲିଛି ିଓ ଭିନ୍ନ ବିଚାରକୁ ଦବାଇ ଦେବାର ପ୍ରବଣତାକୁ ସମ୍ବରଣ କରିବାର ଦୃଶ୍ୟ ଯେପରି ବିରଳ ହେଉଛି, ତାହା ବାସ୍ତବିକ ମନକୁ ଅଶାନ୍ତ କରୁଛି । ନିକଟ ଅତୀତରେ ଭାରତୀୟ ପ୍ରଶାସନିକ ସେବାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଶୋଇ ପାରୁନାହାନ୍ତି ବୋଲି ସର୍ବସମ୍ମୁଖରେ ସ୍ୱୀକାର କରି ଏହି ଅଶାନ୍ତ ମାନସିକ ସ୍ଥିତିର ହିଁ ଦୃଷ୍ଟାନ୍ତ ଦେଇଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟର ମନ୍ତ୍ରୀ ମୁକ୍ତାର ଅବ୍ୱାସ ନକ୍ୱୀଙ୍କ ଉପସ୍ଥିତିରେ ‘ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିକାଶ’ ଶୀର୍ଷକ ଦିନିକିଆ ସଂପାନରେ ସଂଖ୍ୟାଲଘୁ କମିଶନର ଅତିରିକ୍ତ ସଚିବ ଅଜୟ କୁମାର ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଉ ଦେଉ ଲୋତକଭରା ଆଖିରେ କହିଲେ୨ “ଏବେ ପରିସ୍ଥିତି ଏପରି ହୋଇଛି ଯେ ଏହା ଲୋକଙ୍କୁ  ଶୋଇବାକୁ ଦେଉନାହିଁ । ମୋତେ ଏବେ ନିଦ ଆସୁ ନାହିଁ । ….ମୁଁ ଜନ୍ମିତ ହିନ୍ଦୁ, ପଢିଛି ଗୋଟିଏ କନଭେଣ୍ଟ ସ୍କୁଲରେ….ମୋର ସବୁଠାରୁ ଘନିଷ୍ଠ ବଂଧୁ ହେଉଛି ମୁସଲମାନ । ଆମେ ସାଂଗ ହୋଇ ପଢିଛୁ ନିର୍ଭୟରେ,…ମୁଁ ଜାଣେ ଯେ ଯାହା ମୁଁ କହିଲି ତାହା ସହିତ ସମସ୍ତେ ଏକମତ ହେବେ ନାହିଁ । କିନ୍ତୁ ମୁଁ କହିବାକୁ ଚାହେଁ ଯେ ଆମେ ଶାନ୍ତିରେ, ଐକବଦ୍ଧ ଓ ଭୟଶୂନ୍ୟ ହୋଇ ବଂଚିବାକୁ ଚାହୁଁ । …..ମୁଁ ଏହା ନ କହିଥିଲେ ଆଜି ଶୋଇ ପାରି ନ ଥାନ୍ତି ।” ଆଇଆଇଏମ୍ ଅହମଦାବାଦର  ସ୍ନାତକ ଓ ୧୯୮୪ ମସିହାରୁ  ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଏହି ଅଫିସରଙ୍କର ଏଭଳି ଭାବନା ଉପସ୍ଥିତ ବହୁ ଅଂଶଗ୍ରହଣକାରୀଙ୍କୁ ପ୍ରଭାବିତ କରିଥିଲା ବୋଲି ସମ୍ବାଦ ।୩  ଏହି ଅନୁଭବ ବହୁ ସଚେତନ ଓ ସମ୍ବେଦନଶୀଳ ପଦସ୍ଥ ଭାରତୀୟଙ୍କର ହେଉଥିବ ଯେଉଁମାନେ ଅଜୟକୁମାରଙ୍କ ଭଳି ଖୋଲାଖୋଲି ସ୍ୱୀକାର କରିବା ପାଇଁ ସାହାସ କରି ପାରୁ ନ ଥିବେ ।  କାରଣ ସେମାନେ ତ ନିକଟ ଅତୀତରେ ଦେଖିଥିବେ ଯେତେବେଳେ ସମାଜରେ ଦୃଶ୍ୟମାନ ଅସହିଷ୍ଣୁତାର ହିଂସ୍ରକ ଅଭିବ୍ୟକ୍ତି ବିରୁଦ୍ଧରେ ପ୍ରତିବାଦ କରି ଲେଖକ/ସାହିତ୍ୟିକମାନେ ସେମାନଙ୍କର ପୁରସ୍କାର ଓ ସମ୍ମାନ ଫେରାଇଲେ, ସେତେବେଳେ କେଉଁ ପ୍ରକାରର ପ୍ରତିକ୍ରିୟା କ୍ଷମତାସୀନ ଦଳର ମନ୍ତ୍ରୀ ଓ ସମର୍ଥକମାନେ କରୂଥିଲେ; ଏହି ଲେଖକମାନଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନ ଥିଲେ ।  ସେମାନେ ତ ଦେଖୁଥିବେ  କି ଦୁର୍ଦ୍ଦଶା ହେଉଛି ଜେ ଏନ ୟୁ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କର; କିପରି ଏକ ବିବାଦିତ ପ୍ରସଂଗ ଉପରେ ବିଶ୍ୱବିଦ୍ୟାଳୟ ପରିସରରେ ବିତର୍କ କଲେ ଦେଶଦ୍ରୋହର ଦଫା ଲାଗିଯାଉଛି, ଗିରଫଦାରୀ ହେଉଛି ଓ ବିଚାରାଳୟର ପରିସରରେ କ୍ଷମତାସୀନ ଦଳ ସହ ନିକଟ ସମ୍ପର୍କର ଅସ୍ଫାଳନ କରୁଥିବା ଓକିଲମାନେ ଏହି ଛାତ୍ର ଓ ତାଙ୍କର ସମର୍ଥକଙ୍କୁ ମାଡ ମାରୁଛନ୍ତି, ତାହା ପୁଣି ପୁଲିସର ଉପସ୍ଥିତିରେ ।୪ ନିଶ୍ଚିତ ଭାବରେ ସେମାନେ ଆତଙ୍କିତ ହେଉଥିବେ ଓ ପାଟି ଫିଟାଇବା ପାଇଁ ସାହାସ କରୁ ନଥିବେ । ସେମାନେ ତ ତାଙ୍କ ଛାତ୍ର ଜୀବନରେ ବହୁ ବିତର୍କରେ ସାମିଲ ହୋଇଥିବେ, ବହୁ ଶୋଭାଯାତ୍ରାରେ ସାମିଲ ହୋଇଥିବେ, ବହୁ ନ କହିବା କଥାମାନ କହିଥିବେ । କାରଣ ବିଶ୍ୱବିଦ୍ୟାଳୟ ପରିସର ତ ଏହି ବିତର୍କ ପାଇଁ, ବିଭିନ୍ନ ମତ ମତବାଦର ବୈଚାରିକ ସଂଘର୍ଷ ପାଇଁ ଉକ୍ରୃଷ୍ଟ ପରିବେଶ ବୋଲି ସେମାନେ ଭାବି ଏହା କରିଥିବେ । ସେମାନେ ସ୍ୱପ୍ନରେ ଭାବି ନ ଥିବେ ଯେ ବିଶ୍ୱବିଦ୍ୟାଳୟ ପରିସରରେ ମୁକ୍ତ ବିଚାର ଆଲୋଚନା, ଭିନ୍ନ ମତ ରଖିବା ଦିନେ ଦେଶଦ୍ରୋହ ବୋଲି ଅରୋପର ଶରବ୍ୟ ହେବ । ସେମାନେ ତ ସ୍ମରଣ କରୁଥିବେ ଶିକ୍ଷା କମିଶନ (୧୯୬୪-୬୬) କିପରି ଉଚ୍ଚ ଶିକ୍ଷା ଉପରେ ତାଙ୍କର ଅଧ୍ୟାୟ ଜବାହାରଲାଲ ନେହେରୁଙ୍କ ଉକ୍ତିରୁ ଆରମ୍ଭ କରିଥିଲେ । ଏହି ଉକ୍ତିଟି ଥିଲା୫: “ବିଶ୍ୱବିଦ୍ୟାଳୟ ଠିାଆ ହୋଇଛି ମାନବବାଦ ପାଇଁ, ସହିଷ୍ଣୁତା ପାଇଁ, ବିବେକ ପାଇଁ, ଦୁଃସାହାସିକ ଭାବନା ପାଇଁ ଓ ସତ୍ୟର ସନ୍ଧାନ ପାଇଁ । ଏହା ଠିଆ ହୋଇଛି ଆହୁରି ଉଚ୍ଚତର ଲକ୍ଷ୍ୟ ଆଡକୁ ମଣିଷ ଜାତିର ଯାତ୍ରା ପାଇଁ । ଯଦି ବିଶ୍ୱବିଦ୍ୟାଳୟ ଗୁଡିକ ସେମାନଙ୍କର କର୍ତ୍ତବ୍ୟ ଉପଯୁକ୍ତ ଭାବରେ ନିର୍ବାହ କରନ୍ତି, ତାହାଲେ ଏହା ଦେଶ ଓ ଲୋକଙ୍କ ପାଇଁ ମଂଗଳକର ହେବ ।” ( “A university stands for humanism, for tolerance, for reason, for the adventure of ideas and for the search of truth. It stands for the onward march of the human race towards even higher objectives. If the universities discharge their duties adequately, then it is well with the nation and the people.” ।) ଏହା ସେ କହିଥିଲେ ୧୯୪୭ ମସିହାରେ, ଅହ୍ଲାବାଦ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ଅବସରରେ । ସେମାନେ ମଧ୍ୟ ସ୍ମରଣ କରୁଥିବେ ଶିକ୍ଷା କମିଶନର ଆପ୍ତ ବାକ୍ୟ, “ମହାନ ବିଶ୍ୱବିଦ୍ୟାଳୟ ଓ ଭୀରୁ ଲୋକଙ୍କ ମଧ୍ୟରେ ମେଳ ହୋଇପାରେନା” (“Great universities and timid people go ill together.”) ସେମାନେ ଅଶ୍ଚର୍ଯ୍ୟ ହେଉଥିବେ ଯେ ଯେଉଁ ଜବାହାରଲାଲ ସ୍ୱାଧୀନ ଭାରତରେ ବିଶ୍ୱବିଦ୍ୟାଳୟର ଏହି ଭଳି ପରିକଳ୍ପନା କରିଥିଲେ, ସେହି ଜବାହାରଲାଲଙ୍କ ନାଁରେ ଠିଆ ହୋଇଥିବା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ପରିସର ଭିତରେ ଏକ ବିତର୍କ ପାଇଁ ଏତେ ବିବାଦିତ ହୋଇ ପଡିଛି ଯେ ବିିଶ୍ୱବିଦ୍ୟାଳୟର ଛାତ୍ର ଦେଶଦ୍ରୋହ ଅଭିଯୋଗର ଶରବ୍ୟ ହୋଇଛି, ବନ୍ଦୀ ହୋଇଛି । ସତେ ଯେପରି ବିଶ୍ୱବିଦ୍ୟାଳୟ ପରିସର ଭିତରେ ‘ଦୁଃସାହାସିକ ଭାବନା’(‘the adventure of ideas’)  ରେ ଲିପ୍ତ ହୋଇ ଛାତ୍ର ଏକ ଅକ୍ଷମଣୀୟ ଅପରାଧ କରିଦେଇଛି । ସେମାନେ ପ୍ରଶ୍ନ କରୁଥିବେ ଆମେ ଭାରତୀୟ କ’ଣ ଏତେ ଭୀରୁ ଯେ ଜେ ଏନ୍ ୟୁ ଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପରିସରରେ କିଛି ଛାତ୍ରଙ୍କ ମଧ୍ୟରେ ବିତର୍କ ଆମକୁ ଏପରି ଆତଙ୍କିତ କରି ଦେଇପାରେ ଯେ ଏହି ବିଶ୍ୱବିଦୟାଳୟକୁ ସମ୍ପୂର୍ଣ ବନ୍ଦ କରିଦେବାର ପ୍ରସ୍ତାବ ମଧ୍ୟ ଦିଆଯଇପାରେ ଓ ଏହା ଆସିପାରେ୬ ରାଜ୍ୟ ସଭାର ବିଜେପି ସାଂସଦ, ପାଓନିଅର ପତ୍ରିକାର ସମ୍ପାଦକ ଡଃ ଚନ୍ଦନ ମିତ୍ରଙ୍କ ଠାରୁ? ସେମାନେ ଭାବୁଥିବେ- ଆମେ ତ ଆତଙ୍କିତ ହୋଇନାହୁଁ କାଶ୍ମୀର ଭୂଇଁରେ ଦୀର୍ଘ ଦିନରୁ ଚାଲି ଆସୁଥିବା ଭାରତ ବିରୋଧୀ ସ୍ଲୋଗାନ ଶୁଣି, ନା ଏହି ସ୍ଲୋଗାନ ଭାରତକୁ ଖଣ୍ଡ ବିଖଣ୍ଡିତ କରିଦେଇଛି । ଆମେ ତ ଶୁଣି ଆସିଛୁ ତାମିଲନାଡୁରେ ଶ୍ରୀଲଙ୍କାର ଏଲ୍ ଟି ଟି ଇର ସମର୍ଥକଙ୍କ ଦ୍ୱାରା ଭାରତ ବିରୋଧୀ ସ୍ଲୋଗାନ । ଆମେ ତ ଦେଖୁଛୁ ରାଜୀବ ଗାନ୍ଧୀଙ୍କ ହାତ୍ୟାକରୀ ପାଉଥିବା ସହୀଦର ସମ୍ମାନ, ଆମେ ତ ଦେଖୁଛୁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ପାଉଥିବା ସହୀଦର ସମ୍ମାନ୭ । ବହୁ ସକ୍ରୀୟ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ସହ ଭାରତ ସରକାର ଆଲେଚନା କରିବା ତ ଆମେ ଦେଖୁଛୁ । ଆମେ ଦେଖୁଛୁ ଯେ ଭାରତୀୟ ସମ୍ବିଧାନକୁ ପୋଡିଥିବା ନେତୃତ୍ୱ ସହ (ଅକାଳୀ ଦଳର ପ୍ରକାଶ ସିଂହ ବାଦଲ) ସହ ମିଳିତ ହୋଇ ସରକାର ଗଠନ୮ ।  ଆମେ ତ ଦେଖୁଛୁ ସଂସଦ ଉପରେ ଆକ୍ରମଣ ଅଭିଯୋଗରେ ଫାଶୀ ପାଇଥିବା ଅଫଜଲ ଗୁରୁକୁ ଯେଉଁମାନେ ସମ୍ମାନ କରନ୍ତି ସେମାନଙ୍କ ସହ ମିଳିତ ହୋଇ ସରକାର ଗଠନ୯ । ଖୋଲାରେ ଭାରତ ବିରୋଧୀ ସ୍ଲୋଗାନ ଭାରତକୁ ଭାଂଗି ପାରି ନାହିଁ, ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କର ହତ୍ୟାକାରୀଙ୍କର ଗୁଣକୀର୍ତ୍ତନ ମଧ୍ୟ ଭାରତର ମଂଜକୁ ଦୋହଲାଇ ପାରିନାହିଁ, ୀଅପର ପକ୍ଷରେ ଆମର ରାଜନୈତିକ ଦଳଗୁଡିକ ବିଚ୍ଛିନ୍ନତାବାଦୀ ଶକ୍ତି ମାନଙ୍କ ସହ କ୍ଷମତା ବଣ୍ଟନରେ ଅଂଶ ଗ୍ରହଣ କରିଛନ୍ତି ।  ତେଣୁ ବିବ୍ରତ ଅଥଚ ନୀରବ ରହିଥିବା ଗୋଷ୍ଠୀ ଆଜି ହତଚକିତ ଯେ ଏକ ବିଶ୍ୱବିଦ୍ୟାଳୟ ପରିସରରେ କୈାଣସି ବିତର୍କିତ ବିଷୟ ଉପରେ ଆଲୋଚନା ଦ୍ୱାରା ବା କିଛି  ବିବାଦିତ ସ୍ଲୋଗାନ ଦ୍ୱାରା କାହିଁକି ଆଜିର ସରକାର ଏତେ ବିଚଳିତ ହୋଇପଡିଲେ? ଦେଶଦ୍ରୋହ ଭଳି ସଂଗୀନ ଅଭିଯୋଗରେ ଛାତ୍ରଙ୍କୁ ବନ୍ଦୀ କରି ପକାଇଲେ । ସେମାନଙ୍କ ଅଭିଜ୍ଞତା କହୁଥିଲା ଯେ ଯଦି ସରକାର ବିଶ୍ୱବିଦ୍ୟାଳୟ ପରିସରରେ ଏପରି ବିତର୍କ ବା ସ୍ଲୋଗାନକୁ ନାପସନ୍ଦ କରୁଥିଲେ ତାହାହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ଛାତ୍ରମାନଙ୍କୁ ସତର୍କ କରାଇ ଦେବା ପାଇଁ  ଓ ଭବିଷ୍ୟତରେ ଏପରି କାର୍ଯ୍ୟରେ ଲିପ୍ତ ନ ହେବା ପାଇଁ ତାଗିଦ କରିବାକୁ  ନିର୍ଦ୍ଦେଶ ଦେଇପାରିଥାନ୍ତେ । ସେମାନେ ତ ମନେ ରଖିଛନ୍ତି କିପରି ୨୦୦୧ ମସିହାରେ ତକ୍ରାଳୀନ ଗୃହମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଦୱାନୀ ଦେଶଦ୍ରୋହ ଅଭିଯୋଗରେ ଗିରଫ ଦୀଲ୍ଲୀ ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଓ ଏହା ମାତ୍ର ପନ୍ଦର ଦିନ ମଧ୍ୟରେ ପ୍ରତ୍ୟାହାର ହୋଇଥିଲା୧୦ ।  ଆଜି ସେହି ଛାତ୍ରମାନଙ୍କ ମଧ୍ୟରୁ କେତେଜଣ ଶିକ୍ଷକ ଓ ଅଧ୍ୟାପକ ହୋଇଛନ୍ତି୧୧ । ସେମାନେ ତେଣୁ ଆଶ୍ଚର୍ଯ୍ୟ ହେବା ଅସ୍ୱାଭାବିକ ନୁହେଁ ଯେ ଆଦୱାନୀଙ୍କ ମାର୍ଗ ଦର୍ଶନରେ ଚାଲୁଛି ବୋଲି ଦାବି କରୁଥିବା ଆଜିର ସରକାର କାହିଁକି ଆଦୱାନୀଙ୍କର ଉଦାହରଣକୁ ଅନୁସରଣ କରୁନାହିଁ ?
କହିବା ବାହୁଲ୍ୟ ଯେ ବରିଷ୍ଠ ଆଇ ଏ ଏସ ଅଫିସର ଅଜୟକୁମାର ଯାହା ପ୍ରକାଶ୍ୟରେ କହିପାରିଲେ, ତାହା ଅନେକେ ସେହି ଭଳି କହିବାର ସାହସ ନ କଲେ ମଧ୍ୟ ଉପରୋକ୍ତ ବହୁ ପ୍ରଶ୍ନ ଓ ଭାବନା ଦ୍ୱାରା ଜର୍ଜରିତ ହେଉଥିବେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ କାହିଁକି ଏପରି ହେଉଛି, ବିଶ୍ୱବିଦ୍ୟାଳୟର ପରିସରରେ ବିଚାରର ବିବିଧତାକୁ କାହିଁକି ଲୋପ କରିଦେବାର ପ୍ରଚେଷ୍ଟା ହେଉଛି, ତାହାର ସବିଶେଷ ଅନୁଶୀଳନର ଆବଶ୍ୟକତା ରହିଛି । ଏହା ସ୍ୱୀକାର କରିବାକୁ ହେବ ଯେ ଦେଶଦ୍ରୋହ ଓ ଦେଶପ୍ରେମର ପରିଭାଷାକୁ ପୁନର୍ବିଚାର ପାଇଁ ଆଜିର କ୍ଷମତାସୀନ ରାଜନୈତିକ ଦଳ ଏକ ଅବସର ଯୋଗାଇଛି, ଯଦିଓ ଏଥିପାଇଁ କିଛି ତରୁଣଙ୍କୁ ବନ୍ଦୀଶାଳାରେ ମୂଲ୍ୟ ଦେବାକୁ ପଡୁଛି । ବ୍ରିଟିଶ ଶାସନକାଳରେ ଭଗତ ସିଂହଙ୍କ ଭଳି ତରୁଣମାନେ ତ ଦେଶଦ୍ରୋହ ଓ ଦେଶପ୍ରେମର ଦ୍ୱନ୍ଦକୁ ତୀକ୍ଷ୍ଣ କରିବାକୁ ଯାଇ ବହୁ ନିର୍ଯ୍ୟାତନାର ଶୀକାର ହୋଇଛନ୍ତି । କିନ୍ତୁ  ବିଡମ୍ବନା ଯେ ଏହି ବ୍ରିଟିଶ ଶାସନର ବିଚାରପତି ଜ.ଝ. ଈକ୍ସକ୍ଟକ୍ଟଜ୍ଞଲସରକ୍ଷୟ ମହାତ୍ମା ଗାଂଧୀଙ୍କୁ ଦେଶଦ୍ରୋହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବା ସହ ଏହା ମଧ୍ୟ କହିଥିଲେ ଯେ୧ “ଏହି ସତ୍ୟକୁ ଅଣଦେଖା କରିବା ଅସମ୍ଭବ ଯେ ଆପଣଙ୍କ ଦେଶବାସୀଙ୍କ ଦୃଷ୍ଟିରେ ଆପଣ ଜଣେ ମହାନ ଦେଶପ୍ରେମୀ ଓ ମହାନ ନେତା ( “It would be impossible to ignore the fact that in the eyes of millions of your countrymen you are a great patriot and a great leader.”)…
ବ୍ୟବହୃତ ଉପାଦାନ ସୂଚୀ

1.(Section 124 A: An Evil Law,Ajit Sahi,Countermedia.in,27 October, 2010;http://www.countercurrents.org/sahi271010.htm)))
2.(Cannot sleep, says IAS officer,Imran Ahmed Siddiqui, The Telegraph (Kolkata,Edn), 25th February 2016,http://www.telegraphindia.com/1160225/jsp/nation/story_71256.jsp#.Vs-_OUBb00Q)
3(Minister watching, Minority panel official says: Can’ t sleep at night,mahaul worrying,  Abantika Ghosh, The Indian Express,25th February 2016,http://indianexpress.com/article/india/india-news-india/minister-watching-minority-panel-officia…)
4.(I was assaulted on court premises before police, Kanhaiya told SC panel,
The Telegraph,Kolkata,27th February 2016;http://www.telegraphindia.com/1160227/jsp/frontpage/story_71682.jsp#.VtGRM0Bb00Q  )
5.(paragraph 11.01, Education and National Development, vol.3, Higher Education, Report of The Education Commission 1964-66, NCERT, 1970)
6.(Government Should Take This Chance To Shut Down JNU,Chandan Mitra,NDTV, 17th February,2016; http://www.ndtv.com/opinion/government-should-take-this-chance-to-shut-down-jnu-1278181)
7.(You can’t make India intolerant: PC, The Telegraph, Kolkata, 26th February 2016;http://www.telegraphindia.com/1160226/jsp/nation/story_71457.jsp#.VtGCykBb00Q )
8.(Prakash Singh Badal burnt Indian constitution during Khalistan movement, says Congress,http://www.catchnews.com/national-news/amarinder-singh-rubbishes-sukhibir-badal-allegations…)
9.(i)First Mufti remark, now Afzal Guru demand: PDP reveals its strategy for Kashmiri voters, FirstPost , 3rd March 2015; http://www.firstpost.com/printpage.php?idno=2131477&sr_no=0
(ii)Can BJP charge PDP with sedition for celebrating Afzal Guru?,Sourish Bhattacharyya,DailyO, 17th February 2016;http://www.dailyo.in/politics/pdp-mehbooba-mufti-shutdown-jnu-afzal-guru-kashmir-modi-government-kanhaiya-kumar-abvp/story/1/905)
10.(Two tales of sedition,Deepak Nayyar,The Indian Express,20th February, 2016;http://indianexpress.com/article/opinion/columns/jnu-kanhaiya-kumar-two-tales-of-sedition/99/p…)
11.(Why 14 years on, these 4 men want PM Modi to do an Advani,Ritika Chopra,The Indian Express,26th February , 2016;http://indianexpress.com/article/india/india-news-india/why-14-yrs-on-these-4-men-want-naren.)

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>