');}

ସାହିତ୍ୟିକର ପ୍ରତିବାଦ

print

ବୀରେନ୍ଦ୍ର ନାୟକ
ପୁରସ୍କାର ଫେରାଇବାର ହେତୁ
ଗତ କିଛି ଦିନ ହେବ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ବିଭିନ୍ନ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତିଷ୍ଠାନ ବା ଅକାଦେମୀ ଦ୍ୱାରା ପୁରସ୍କୃତ ବ୍ୟକ୍ତିମାନେ  ସେମାନଙ୍କର ପୁରସ୍କାରକୁ ଫେରାଇଦେବାର ସମ୍ବାଦ ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି ଓ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚାର ବିଷୟ ହୋଇଛି । ଏହି ପୁରସ୍କାର ଫେରାଇବାର ପ୍ରକରଣ ଆରମ୍ଭ ହୋଇଛି କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା ପୁରସ୍କୃତ  କନ୍ନଡ ସାହିତ୍ୟିକ,ବିଦ୍ୱାନ ଓ କନ୍ନଡ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି,ହେତୁବାଦୀ ୭୮ବର୍ଷ ବୟସ୍କ  ଏମ୍ ଏମ୍ କଲବୁର୍ଗୀଙ୍କର ହତ୍ୟା ପରେ । ୩୦ ଅଗଷ୍ଟ ୨୦୧୫, ସକାଳ ୮ଟା ୪୦ ମିନିଟରେ ଦୁଇ ଜଣ ଅଜଣା ଆତତାୟୀଙ୍କ ଗୁଳିରେ ନିଜ ବାସଭବନ ସମ୍ମୁଖରେ ଟଳି ପଡିଥିଲେ କୁଲବର୍ଗୀ । ଏହାର ପ୍ରତିକ୍ରିୟାରେ କର୍ଣ୍ଣାଟକ ସାହିତ୍ୟ ଅକାଦେମୀ ଦ୍ୱାରା ପୁରସ୍କୃତ ୧୭ ବର୍ଷର କିଶୋରୀ, ରିଆ ବିଥାସା (ଲେଖକୀୟ ନାମ: ‘ମୁଡ୍ଡୁ ତୀର୍ଥାହାଲୀ’) ନିଜର ପୁରସ୍କାର ଫେରାଇ ଦେବାକୁ ଯାଇ ଯାହା କହିଛନ୍ତି ତାହା ବେଶ ମର୍ମସ୍ପର୍ଶୀ । ସେ କୁହନ୍ତି, “ମୁଁ ମୋ ପିଲାଟି ଦିନରୁ କଲବୁର୍ଗୀଙ୍କୁ ଜାଣିଛି । ତାଙ୍କର ଲେଖା ସବୁ ବହି ପଢିଛି । ଯେଉଁ ଦିନ ତାଙ୍କର ହତ୍ୟା ହେଲା, ସେ ଦିନ ମୁଁ ବହୁତ କାନ୍ଦିଛି । ମୋ ପୁରସ୍କାରକୁ ଫେରାଇ ଦେବାକୁ ଚାହିଁଛି । କିନ୍ତୁ ମୋ ବାପା-ମା ମୋତେ ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କରିବା ପାଇଁ କହିଲେ । ଏତେ ଦିନ ଗଲା , କିଛି ହେଲା ନାହିଁ । ତେଣୁ ଅନ୍ୟ ଲେଖକମାନଙ୍କ ପରି ମୁଁ ମୋ ପରସ୍କାର ଫେରାଇ ଦେଇଛି ।”୧ କୁଲବର୍ଗୀ କନ୍ନଡ ସାହିତ୍ୟର ଜଣେ ଆଗଧାଡିର ବିଦ୍ୱାନ ଥିଲେ ଓ ବହୁଳ ଭାବରେ ପୁରସ୍କୃତ ମଧ୍ୟ ଥିଲେ । ହେତୁବାଦୀ ଥିଲେ । ଅଂଧବିଶ୍ୱାସକୁ ଖୋଲାଖୋଲି ବିରୋଧ କରୁଥିଲେ । ମୂର୍ତ୍ତି ପୁଜାକୁ ବିରୋଧ କରୁଥିଲେ । ସ୍ୱାଭାବିକ ସେ ରୁଢିବାଦୀ ଗୋଷ୍ଠୀର କ୍ରୋଧର ଶୀକାର ହେଉଥିଲେ । କିନ୍ତୁ ଆତତାୟୀ ଦ୍ୱାରା ହତ୍ୟା ବୋଧହୁଏ ଅସହିଷ୍ଣୁତାର ଥିଲା ଚରମ ଅଭିବ୍ୟକ୍ତି । ଏହା ପୂର୍ବରୁ ମହାରାଷ୍ଟ୍ରରେ ହେତୁବାଦୀ ନରେନ୍ଦ୍ର ଧାବୋଲକର ଓ ଗୋବିନ୍ଦ ପଂସାରେଙ୍କ ହତ୍ୟା ପ୍ରଗତିଶୀଳ, ବାକ୍ ସ୍ୱାଧୀନତା ପ୍ରତି ପ୍ରତିବଦ୍ଧ ବୈାଦ୍ଧିକ ସମାଜକୁ ଦୋହଲାଇ ଦେଇଥିଲା । ପ୍ରତିବାଦର ସ୍ୱର ଉଠିଲେ ମଧ୍ୟ ତାହା ଗଣମାଧ୍ୟମରେ ସେପରି ଚର୍ଚ୍ଚିତ ହୋଇ ନଥିଲା ଯେପରି କୁଲବର୍ଗୀଙ୍କ ହତ୍ୟାର ପ୍ରତିବାଦରେ ପୁରସ୍କାର ଫେରାଇବାର ପ୍ରକରଣ ଚର୍ଚ୍ଚାର ବିଷୟ ହେଲା । ଚ୍ଚର୍ଚ୍ଚା ମଧ୍ୟ ହୋଇ ନ ଥିଲା ଯେତେବେଳେ ହିନ୍ଦି ସାହିତ୍ୟିକ ଉଦୟ ପ୍ରକାଶ ତାଙ୍କର ଅକାଦେମୀ ପୁରସ୍କାର ପ୍ରଥମେ ଫେରାଇଲେ ବା କର୍ଣ୍ଣାଟକ ସାହିତ୍ୟ ପରିଷଦକୁ ୬ଜଣ କନ୍ନଡ ସାହିତ୍ୟିକ ସେମାନଙ୍କର ପୁରସ୍କାରକୁ ଫେରାଇଥିଲେ   । ଚର୍ଚ୍ଚା ଜୋର ଧରିଲା ଯେତେବେଳେ ଜୱାହାର ଲାଲ୍ ନେହେରୁଙ୍କ ଭାଣିଜୀ ୮୮ ବର୍ଷ ବୟସ୍କା ନୟନତାରା ସହଗାଲ ତାଙ୍କର ପୁରସ୍କାର ଫେରାଇଲେ ଓ ଏହା ପରେ ପରେ ଫେରାଇବାର ପ୍ରକରଣ ଆରମ୍ଭ ହୋଇଗଲା ।
ନୟନତାରାଙ୍କର ପତ୍ର
କ’ଣ କହି ନୟନତାରା ଫେରାଇଲେ ତାଙ୍କର ପୁରସ୍କାର ଯାହା ସେ କେନ୍ଦ୍ର ସାହିତ୍ୟ ଅକାଦେମୀରୁ ପାଇଥିଲେ ୧୯୮୬ରେ ? ତାଙ୍କରି ଭାଷାରେ, “ଏକ ସଦ୍ୟ ଅଭିଭାଷଣରେ ଭାରତର ଉପରାଷ୍ଟ୍ରପତି ଡକ୍ଟର ହମିଦ ଅନ୍ସାରୀ, ଆମକୁ ମନେପକାଇ ଦେବାର ଆବଶ୍ୟକତା ଅନୁଭବ କଲେ ଯେ ଭାରତର ସମ୍ବିଧାନ ସବୁ ଭାରତୀୟଙ୍କୁ ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ ଓ ଉପାସନାର ସ୍ୱାଧୀନତା ଦେଇଛି । ଭିନ୍ନ ମତ ପୋଷଣ କରିବାର ଅଧିକାର ସାମ୍ବିଧାନିକ ପ୍ରତିଶୃତିର ଏକ ଅଭିନ୍ନ ଅଂଶ । ଏହା କହିବାର ଆବଶ୍ୟକତା ସେ ଅନୁଭବ କଲେ କାରଣ ଭାରତୀୟ ସଂସ୍କୃତିର ବିବିଧତା ଓ ଆଲୋଚନା ଉପରେ ଆଜି ହେଉଛି ଉଗ୍ର ଆକ୍ରମଣ ।
ଯେଉଁ ହେତୁବାଦୀ ମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ନ କରୁଛନ୍ତି ବା ଯେଉଁମାନେ ହିନ୍ଦୁ ଧର୍ମର ବିକୃତିକରଣର କୁତ୍ସିତ ଓ ବିପଜ୍ଜନକ ଦିଗକୁ ପ୍ରଶ୍ନ କରୁଛନ୍ତି,ହିନ୍ଦୁତ୍ୱକୁ ପ୍ରଶ୍ନ କରୁଛନ୍ତି, ତାହା ବୈାଦ୍ଧିକ କ୍ଷେତ୍ରରେ ହେଉ ବା କଳା କ୍ଷେତ୍ରରେ ହେଉ ବା ଖାଦ୍ୟପେୟ କ୍ଷେତ୍ରରେ ହେଉ ବା ଜୀବନଚର୍ଯ୍ୟା ରେ ହେଉ, ସେମାନଙ୍କୁ ନାମମାତ୍ର କରିଦିଆ ଯାଉଛି,ନିର୍ଯ୍ୟାତନା ଦିଆଯାଉଛି ବା ହତ୍ୟା କରାଯାଉଛି ।
ଜଣେ ଖ୍ୟାତନାମା କନ୍ନଡ ଲେଖକ ଓ ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଏମ ଏମ କୁଲବର୍ଗୀ ଏବଂ ଦୁଇଜଣ ଅନ୍ଧବିଶ୍ୱାସ ବିରୋଧୀ ମରାଠୀ, ନରେନ୍ଦ୍ର ଧାବେଲକର ଓ ଗୋବିନ୍ଦ ପଂସାରେ ବନ୍ଧୁକଧାରୀ ବ୍ୟକ୍ତିଙ୍କ ଦ୍ୱାରା ନିହତ ହୋଇଛନ୍ତି । ଅନ୍ୟ ପ୍ରତିବାଦୀ ମାନଙ୍କୁ ସତର୍କ କରି ଦିଆଯାଇଛି ଯେ ଏହା ପରେ ସେମାନଙ୍କର ପାଳି । ଏଇ ନିକଟ ଅତୀତରେ ଦିଲ୍ଲୀ ଉପକଂଠରେ ଥିବା ବିସାରା ଗାଁର ଏକ କମାର,ମହମ୍ମଦ ଅଖଲାକକୁ ତା ଘରୁ ଟାଣି ଆଣି ନିର୍ମମ ଭାବେ ହତ୍ୟା କରାଯାଇଛି ଏହି ସନ୍ଦେହରେ ଯେ ତା ଘରେ ଗୋମାଂସ ରନ୍ଧା ହେଉଥିଲା ।
ଏହି ସବୁ ଘଟଣାରେ ନ୍ୟାୟର ଗତି ମନ୍ଥର ହୋଇଛି ।  ପ୍ରଧାନମନ୍ତ୍ରୀ ଏହି ଆତଙ୍କରାଜ ଉପରେ ନୀରବ ରହିଛନ୍ତି । ଆମେ ଧରିନେବା ଯେ ତାଙ୍କ ଆଦର୍ଶକୁ ସମର୍ଥନ କରୁଥିବା ଏହି ଖଳ ବ୍ୟକ୍ତିମାନଙ୍କୁ ସେ ଅଲଗା କରିଦେବା ପାଇଁ ସାହସ କରିପାରୁ ନାହାନ୍ତି ।
ଏହା ଦୁଃଖର ବିଷୟ ଯେ ସାହିତ୍ୟ ଅକାଦେମୀ ନୀରବ ରହିଛି । ଅକାଦେମୀମାନଙ୍କର ପ୍ରତିଷ୍ଠା ହୋଇଥିଲା ସୃଜନୀ କଳ୍ପନା(creative imagination) ର ରକ୍ଷକ ଭାବେ , ଏବଂ କଳା, ସାହିତ୍ୟ, ସଂଗୀତ ଓ ମଂଚରୁ ପ୍ରସ୍ତୁତ ଉକ୍ରୃଷ୍ଟ ସର୍ଜ୍ଜନାର ପୃଷ୍ଠପୋଷକ ଭାବେ ।
କଲବୁର୍ଗୀଙ୍କର ହତ୍ୟାର ପ୍ରତିବାଦ କରି ହିନ୍ଦି ଲେଖକ ଉଦୟ ପ୍ରକାଶ ସାହିତ୍ୟ ଅକାଦେମୀ ପୁରସ୍କାର ଫେରାଇଛନ୍ତି । ଛ’ଜଣ କନ୍ନଡ ଲେଖକ କନ୍ନଡ ସାହିତ୍ୟ ପରିଷଦକୁ ସେମାନଙ୍କର ପୁରସ୍କାର ଫେରାଇ ଦେଇଛନ୍ତି ।
ନିହତ ହୋଇଥିବା ସେହି ଭାରତୀୟ ମାନଙ୍କ ସ୍ମୃତିରେ, ସେହି ଭାରତୀୟ ମାନଙ୍କର ସମର୍ଥନରେ ଯେଉଁମାନେ ଭିନ୍ନ ମତ ରଖିବାର ଅଧିକାର ପ୍ରତି ପ୍ରତିବଦ୍ଧ ଓ ସେ ସବୁ ପ୍ରତିବାଦୀ ଯେଉଁମାନେ ବର୍ତ୍ତମାନ ଭୟ ଓ ଅନିଶ୍ଚିତତା ଭିତରେ କାଳାତିପାତ କରୁଛନ୍ତି ସେ ସମସ୍ତଙ୍କ ସମର୍ଥନରେ ମୁଁ ମୋର ସାହିତ୍ୟ ଅକାଦେମୀ ପୁରସ୍କାର ଫେରାଉଛି ।-ସ୍ୱା:ନୟନତାରା ସେହଗଲ,୬ ଅକ୍ଟୋବର,୨୦୧୫, ଦେହରାଦୁନ”୨
ପ୍ରତିବାଦର ଆୟତନ
ଅଠାଅଶି ବର୍ଷୀୟା ନୟନତାରାଙ୍କ ସହିତ ସ୍ୱର ମିଳାଇ, ୧୦/୧୦/୨୦୧୫ ଦିନ , ନବେ ବର୍ଷୀୟା ହିନ୍ଦି ଲେଖିକା କୃଷ୍ଣା ସୋବତୀ ଫେରାଇ ଦେଇଥିଲେ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅକାଦେମୀର ସର୍ବୋଚ୍ଚ ସମ୍ମାନ- ‘ସାହିତ୍ୟ ଅକାଦେମୀ ଫେଲୋ’ । ନୟନତାରା ଭାରତର ଅଗଠନ (Unmaking) ଦ୍ୱାରା ବିବ୍ରତ ହୋଇ ପଡୁଥିଲେ, ବର୍ଷୀୟାନ ଲେଖିକା କୃଷ୍ଣା ସୋବତୀ କହୁଥିଲେ ଭାରତ ଆଉ ଏକ ‘ଦାଦ୍ରୀ ଏବଂ ବାବ୍ରୀ’କୁ ବର୍ଦାସ୍ତ କରିପାରିବ ନାହିଁ ।୩  କହିବା ବାହୁଲ୍ୟ ଯେ ନବେ ବର୍ଷର କୃଷ୍ଣା ସୋବତୀଙ୍କଠାରୁ ସତର ବର୍ଷର ରିଆ ବିଥାସା, ବ୍ୟବଧାନ ପ୍ରାୟ ତିନୋଟି ପିଢିର, କିନ୍ତୁ ପ୍ରତିବାଦର ସ୍ୱର ଗୋଟିଏ । ସାରା ଜୋସେଫ,କେ ସଚ୍ଚିଦାନନ୍ଦନଙ୍କ ରାଜ୍ୟ କେରଳ ଠାରୁୁ ଆରମ୍ଭ କରି ଗୁଲାମ ନବି ଖୟାଲଙ୍କ କାଶ୍ମୀର ପର୍ଯ୍ୟନ୍ତ ଓ ତେଲୁଗୁ ଲେଖକ ଏମ ଭୁପାଳ ରେଡ୍ଡୀଙ୍କ ତେଲଂଗାନା ପ୍ରଦେଶରୁ ଆରମ୍ଭକରି ଗଣେଶ ଡେଭୀଙ୍କର ଗୁଜରାଟ ପର୍ଯ୍ୟନ୍ତ, ଭାରତର ଉତ୍ତର ରୁ ଦକ୍ଷିଣ, ପୂର୍ବ ରୁ ପଶ୍ଚିମ, ସବୁଠାରେ ପ୍ରତିଧ୍ୱନିତ ହୋଇଛି ଲେଖକ-କଳାକାରର ପ୍ରତିବାଦ ଭିନ୍ନ ମତ ପ୍ରତି ସୃଷ୍ଟି ହୋଇଥିବା ଅସହିଷ୍ଣୁତାର ବାତାବରଣ ବିରୋଧରେ, ଲେଖକ ଉପରେ ହିଂସ୍ର ଆକ୍ରମଣ ବିରୋଧରେ । ଅଭୂତପୂର୍ବ ଏହି ପ୍ରତିବାଦର ଆୟତନ ଯାହା ଆବୃତ କରିି ସାରିଲାଣି ପ୍ରାୟ ଅର୍ଦ୍ଧଶତକରୁ  ଅଧିକ ସାହିତ୍ୟିକ ଓ କଳାକାର ।
ଅସହିଷ୍ଣୁତା ଓ ହିଂସା ବିରୋଧୀଙ୍କୁ ସମର୍ଥନ
ପୁରସ୍କାର ଫେରାଇ ପ୍ରତିବାଦ ଜଣାଇବାକୁ ବାହାରୁ ପ୍ରଥମେ ବୋଧହୁଏ ସମର୍ଥନ ଜଣାଇଥିଲେ ବୁକର ପୁରସ୍କାର ବିଜେତା ଔପନ୍ୟାସିକ ସଲମାନ ରସଦୀ ।୪ ସାହିତ୍ୟିକ ମାନଙ୍କର ଏତାଦୃଶ ପ୍ରତିବାଦ ମଧ୍ୟ ସମର୍ଥନ ପାଇଲା  ୧୫୦ ରାଷ୍ଟ୍ରର ସାହିତ୍ୟିକ ମାନଙ୍କର ଯେଉଁମାନେ ସମବେତ ହୋଇଥିଲେ କାନାଡାର କ୍ୟୁବେକ ସହରରେ ଅନୁଷ୍ଠିତ PEN International ର ୮୧ତମ କଂଗ୍ରେସରେ । PEN International ଲେଖକ ମାନଙ୍କର ଏକ ପ୍ରତିଷ୍ଠିତ ଆନ୍ତର୍ଜାତିକ ସଂଗଠନ । ଏହି ସଂଗଠନର ସଭାପତି John Ralston Saul ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସାହିତ୍ୟ ଅକାଦେମୀକୁ ପତ୍ର ଲେଖି ଜଣାଇଲେ, “୫୦ରୁ ଊଦ୍ଧ୍ୱର୍ ଔପନ୍ୟାସିକ, ବିଦ୍ୱାନ, କବି ଓ ବୁଦ୍ଧିଜୀବୀ ଯେଉଁମାନେ ସେମାନଙ୍କର ପୁରସ୍କାର ଅକାଦେମୀକୁ ଫେରାଇଛନ୍ତି, ଆମ୍ଭେ ସେମାନଙ୍କ ସହ ଏକ ହୋଇ ଠିଆ ହେଉଛୁ ଓ ସେମାନଙ୍କର ସାହସକୁ ସାଧୁବାଦ ଜଣାଉଛୁ ।”୫ ଲଣ୍ଡନରେ ରହୁଥିବା ଭାରତୀୟ ଔପନ୍ୟାସିକା ଶ୍ରୀମତୀ ଅନୀତା ଦେଶାଇ ଏହି ଲେଖକମାନଙ୍କୁ ସମର୍ଥନ ଜଣାଇ ତାଙ୍କ ପ୍ରତିକ୍ରିୟାରେ କୁହନ୍ତି, “ଆଜିକାର ଭାରତକୁ ମୁଁ ଚିହ୍ନି ପାରୁନାହିଁ , ଯେଉଁଠି ଲେଖକ, ବିଦ୍ୱାନ ଓ ଯେଉଁମାନେ ଧର୍ମ ନିରପେକ୍ଷ ତଥା ତର୍କସଂଗତ ବିଚାରରେ ବିଶ୍ୱାସ କରନ୍ତି, ସେମାନଙ୍କୁ ‘ହିନ୍ଦୁତ୍ୱ’ର ଧ୍ୱଜ ତଳେ ସନ୍ତ୍ରାସ ଓ ଧର୍ମାନ୍ଧତା  ନୀରବ କରିଦେବାକୁ ଚାହୁଁଛି ।”୬ ୭୮ ବର୍ଷ ବୟସ୍କା ଅନୀତା ଦେଶାଇ ୧୯୭୮ ମସିହାରେ ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ ଓ ୨୦୦୭ ମସିହାରେ ସାହିତ୍ୟ ଅକାଦେମୀର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଅକାଦେମୀ ଫେଲୋ’ମଧ୍ୟ ପାଇଥିଲେ । ଏହି ପୁରସ୍କାର ଓ ସମ୍ମାନକୁ ଫେରାଇବା ପୂର୍ବରୁ ସେ ଚାହିଁଛନ୍ତି୬ ସାହିତ୍ୟ ଅକାଦେମୀଠାରୁ ସ୍ପଷ୍ଟିକରଣ ଯେ ‘ସାହିତ୍ୟ ଅକାଦେମୀ କୈାଣସି ସରକାର ବା ତାର ନୀତିକୁ ପ୍ରତିନିଧିତ୍ୱ କରେ ନାହିଁ । ବରଂ ଏହା ଏକ ସ୍ୱାଧୀନ ସଂଗଠନ ୍ୟାହାି ବାକ୍ ସ୍ୱାତନ୍ତ୍ର୍ୟ, ପ୍ରଶ୍ନ କରିବାର ଓ ଭିନ୍ନମତ ପୋଷଣ କରିବାର ଅଧିକାରକୁ ସୁରକ୍ଷା ଦେବ, ସଂକ୍ଷେପରେ ସାମ୍ବିଧାନିକ ପ୍ରତିଶୃତି ଗୁଡିକୁ ସୁରକ୍ଷା ଦେବ ।’
ସାହିତ୍ୟ ଅକାଦେମୀର ପ୍ରସ୍ତାବ
ଅକ୍ଟୋବର ୨୩ ତାରିଖରେ ସାହିତ୍ୟ ଅକାଦେମୀ ତାର କାର୍ଯ୍ୟ ନିର୍ବାହୀ ସମିତିର ବିଶେଷ ବୈଠକରେ ଲେଖକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉଚିତ ପଦକ୍ଷେପ ନେବାପାଇଁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ କରିଛି ଯେଉଁଥିରେ କୁହାଯାଇଛି ଯେ “ ଭାରତର ପ୍ରତ୍ୟେକ ଭାଷାରେ ଲେଖକମାନଙ୍କର ଅଭିବ୍ୟକ୍ତିରେ ସ୍ୱାଧୀନତାର ଅଧିକାରକୁ  ଅକାଦେମୀ ଦୃଢ ଭାବରେ ସମର୍ଥନ କରୁଛି ଏବଂ ଦେଶର ଯେ କୈାଣସି ଅଂଚଳରେ ଲେଖକ ଉପରେ ହେଉଥିବା ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରୁଛି । ରାଜ୍ୟ ଓ କେନ୍ଦ୍ର ସରକାର ଠାରେ ଦାବି କରୁଛି ଯେ ଦୋଷୀ ବିରୁଦ୍ଧରେ ସହସା କାର୍ଯ୍ୟାନୁଷ୍ଠାନ କରାଯାଉ ଓ ଲେଖକମାନଙ୍କର ସୁରକ୍ଷା ବର୍ତ୍ତମାନ ପାଇଁ ଓ ଭବିଷ୍ୟତ ପାଇଁ ନିଶ୍ଚିତ କରାଯାଉ ।”୭ ଏହି ପ୍ରସ୍ତାବ ମାଧ୍ୟମରେ ମଧ୍ୟ ଅନୁରୋଧ କରାଯାଇଛି ଯେ ପୁରସ୍କାର ଫେରାଇଥିବା ସାହିତ୍ୟିକ ଓ ଅକାଦେମୀରୁ ସମ୍ପର୍କ ଛିନ୍ନ କରିଥିବା ବ୍ୟକ୍ତି ମାନେ ସେମାନଙ୍କର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ । କେତେକ ସାହିତ୍ୟିକ (ଯେପରି ବିକ୍ରମ ସେଠ) ଅକାଦେମୀର ଏହି ପ୍ରସ୍ତାବ ଦ୍ୱାରା ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅନେକେ ଏହା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କର ଅସନ୍ତୋଷର ମୂଳ କାରଣ ହେଉଛି କଲବୁର୍ଗୀ ମହାଶୟଙ୍କର ଶୋକସଭା ପାଇଁ ଦାବିକୁ ଅଣଦେଖା କରାଯିବା ଓ ଅକାଦେମୀର ସଭାପତିଙ୍କର ଏହି ପ୍ରସଂଗରେ ଅସମ୍ବେଦନଶୀଳ ଭୂମିକା ପାଇଁ କୈାଣସି କାର୍ଯ୍ୟାନୁଷ୍ଠାନ ନ ହେବା । ଦାଦ୍ରୀ ରେ ହତ୍ୟା ପ୍ରସଂଗର ଉଲ୍ଲେଖ ନହେବା ମଧ୍ୟ ଅସନ୍ତୋଷର ଆଉ ଏକ କାରଣ ଥିଲା ।  ନୟନତାରା ସହଗଲ ମଧ୍ୟ ଅକାଦେମୀର ପ୍ରସ୍ତାବରେ ଅସନ୍ତୁଷ୍ଟ । ତାଙ୍କ ଦୃଷ୍ଟିରେ ପ୍ରସ୍ତାବଟିରେ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ସମସ୍ୟାର ବ୍ୟାପକତାକୁ ଧରି ପାରିନାହିଁ ଯେ ପ୍ରକୃତ ପକ୍ଷେ ଭାରତର ଅବଧାରଣା କିପରି ସଙ୍କଟରେ । ଏହି ପ୍ରସ୍ତାବରେ ପ୍ରତ୍ୟେକ ବ୍ୟକ୍ତିର ଖାଇବା ଓ ପୂଜା କରିବାର ଅଧିକାରର ପ୍ରସଂଗ ମଧ୍ୟ ପ୍ରତିଫଳିତ ହେବା ଉଚିତ ଥିଲା ।୮ ତେବେ ସାହିତ୍ୟ ଅକାଦେମୀର ବିଶେଷ ବୈଠକ ବସିବା ପୂର୍ବରୁ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁତା ଓ ହିଂସାର ପ୍ରତିବାଦରେ ଲେଖକମାନଙ୍କର ଏକ ଶୋଭାଯାତ୍ରା ବାହାରିଥିଲା ଓ ସାହିତ୍ୟ ଅକାଦେମୀ କାର୍ଯ୍ୟାଲୟ ପର୍ଯ୍ୟନ୍ତ ଯାଇଥିଲା । ଏହାର ଆୟୋଜକ ମାନେ ଥିଲେ ‘ଜନବାଦୀ ଲେଖକ ସଂଘ’, ‘ପ୍ରଗତିଶୀଳ ଲେଖକ ସଂଘ’, ‘ଜନ ସଂସ୍କୃତି ମଂଚ’, ‘ଦଳିତ ଲେଖକ ସଂଘ’ ଓ ‘ସାହିତ୍ୟ ସଂବାଦ’ । କେକି ଏନ ଦାରୁୱାଲା, ଗୀତା ହରିହରନ,ଅନୁରାଧା କପୁର, ଶେଖର ଯୋଶୀ ଏବଂ ଜାବେଦ ଅଲିଙ୍କ, ପରି ବିଶିଷ୍ଟ ସାହିତ୍ୟିକମାନେ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ । ଏମାନେ ଦାବି କରୁଥିଲେ ସାହିତ୍ୟ ଅକାଦେମୀର ସଭାପତିଙ୍କର ଇସ୍ତଫା ।୯କିନ୍ତୁ ଆଉ ଏକ ଲେଖକଙ୍କର ଦଳ ମଧ୍ୟ ଶୋଭାଯାତ୍ରାରେ ବାହାରି ଥିଲା The Joint Action Group of Nationalist-Minded Artists & Thinkers (JANMAT)ର ପତାକା ତଳେ । ଏହି ରାଷ୍ଟ୍ରୀୟବାଦୀ ମାନସ ଗୋଷ୍ଠୀରେ ଥିଲେ ବ୍ୟାସ ସମ୍ମାନ ବିଜେତା ନରେନ୍ଦ୍ର କେହାଲୀ ଓ କମଲ କିଶୋର ଗୋଏଙ୍କା, ମଂଚ କଳାକାର ସୁରେଶ ଶର୍ମା, ଲୋକସଂଗୀତ ଗାୟିକା ମାଲୀନୀ ଅୱସ୍ଥୀ ଆଦି । ସେମାନେ ସାହିତ୍ୟ ଅକାଦେମୀକୁ ଏକ ସ୍ମାରକ ପତ୍ର ଦେଇଥିଲେ ଯେଉଁଥିରେ ପୁରସ୍କାର ଫେରାଇଥିବା ସାହିତ୍ୟିକଙ୍କର ଉଦ୍ଦେଶ୍ୟକୁ ପ୍ରଶ୍ନ କରିଥିଲେ ଓ ସେମାନଙ୍କ ଚାପରେ ନ ଆସିବା ପାଇଁ ଅନୁରୋଧ କରିଥିଲେ ।ଏହି ସଂଗଠନର ଆବାହକ Avnijesh Awasthy ଇଙ୍ଗବଗ୍ଦଗ୍ଧଷଚ୍ଚ ଙ୍କ ମତରେ ପୁସ୍ତକ ଫେରାଇବାର ପ୍ରକରଣ ‘ଏକ ଡ୍ରାମା ଛଡା ଆଉ କିଛି ନୁହଁ ଯାହା ସେହି ମାନଙ୍କ ଦ୍ୱାରା ଅଭିନୀତ ହେଉଛି ଯେଉଁ ମାନେ ସାହିତ୍ୟମନସ୍କ ନୁହନ୍ତି ବରଂ ରାଜନୈତିକ ଉଦ୍ଦେଶ୍ୟରେ ଏହା କରୁଛନ୍ତିି । ଏ ସମୁଦାୟ ଅନ୍ଦୋଳନ ଯେ ରାଜନୈ÷ତିକ ତାହା ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ  ହୋଇଯାଇଛି ।’୧୦ ସାହିତ୍ୟିକ-କଳାକାରଙ୍କ ଭିତରୁ ଏକ ଗୋଷ୍ଠୀ ବାହାରି ସାହିତ୍ୟିକ ମାନଙ୍କ ଦ୍ୱାରା ପୁରସ୍କାର ଫେରାଇବାକୁ ଖୋଲା ଖୋଲି  ବିରୋଧ କରିବା ଓ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିବାର ଏହା ବୋଧହୁଏ ପ୍ରଥମ ଦୃଷ୍ଟାନ୍ତ ଅଟେ ।ଏହା ପୁର୍ବରୁ ଅବଶ୍ୟ ବ୍ୟକ୍ତିଗତ ସ୍ତରରେ ବିଜେପି ସାଂସଦ ଶ୍ରୀମତୀ କିରଣ ଖେରଙ୍କର ସ୍ୱାମୀ ଅଭିନେତା ଅନୁପମ ଖେର ଲେଖକମାନଙ୍କ ଦ୍ୱାରା ପୁରସ୍କାର ଫେରାଇବାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ । ତାଙ୍କ ମତରେ ଏହାର ଅସଲ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ସୁନାମକୁ ନଷ୍ଟ କରିବା’(“discredit” )୧୧
ଅସହିଷ୍ଣୁତା ଓ ହିଂସା ବିରୋଧୀଙ୍କୁ ବିରୋଧ
ତେବେ କ୍ଷମତାସୀନ ଦଳର ପ୍ରବକ୍ତାଗଣ ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ବିଚାରକଗଣ ପ୍ରଥମରୁ ହିଁ ଏହି ପୁରସ୍କାର ଫେରାଇବାର ପ୍ରକରଣକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଟିଭି ଚ୍ୟାନେଲ ମାନଙ୍କରେ ହେଉଥିବା କୋଳହାଳ ପୂର୍ଣ୍ଣ ଆଲେଚନାରେ ଆକ୍ରାମକ ଢଂଗରେ ବ୍ୟକ୍ତ କରିଛନ୍ତି । ସେମାନେ ଫେରାଇଥିବା ବ୍ୟକ୍ତିମାନଙ୍କୁ ତିନି ଭାଗରେ ବିଭକ୍ତ କରିଛନ୍ତି :କଂଗ୍ରେସ, କମ୍ୟୁନିଷ୍ଟ ଓ ନରେନ୍ଦ୍ର ମୋଦୀ ବିରୋଧୀ । ସେମାନେ ଦର୍ଶାନ୍ତି ଯେ ଗତ ସାଧାରଣ ନିର୍ବାଚନରେ ବିଜେପି ଓ ମୋଦୀଙ୍କୁ ନ ଜିତେଇବା ପାଇଁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ନିବେଦନ ପତ୍ରରେ କିପରି ପୁରସ୍କାର ଫେରାଇ ଥିବା କେତେଜଣଙ୍କର ନାଁ  ଥିଲା । ସେମାନେ ପ୍ରଶ୍ନ କରନ୍ତି ଯେ କାହିଁକି ଏହି ଲେଖକମାନେ ଇନ୍ଦିରା ଗାଂଧୀଙ୍କର ଜରୁରୀକାଳୀନ ପରିସ୍ଥିତି ବିରୋଧରେ ପ୍ରତିବାଦ କରି ସେମାନଙ୍କର ପୁରସ୍କାରକୁ ଫେରାଇ ନ ଥିଲେ? କାହିଁକି ସେମାନେ ରାଜୀବ ଗାଂଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୯୮୪ ମସିହାରେ ହୋଇଥିବା ଶିଖ ଦଂଗାର ପ୍ରତିବାଦ କରି ପୁରସ୍କାର ଫେରାଇ ନ ଥିଲେ?୧୯୮୬ ମସିହାରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଦଂଗା ପରେ ପରେ ଲକ୍ଷାଧିକ କାଶ୍ମୀରୀଙ୍କର ନିଜ ଜନ୍ମଭୂମିକୁ ଛାଡି ପଳାୟନର ପ୍ରତିବାଦ କରି ସେମାନଙ୍କର ପୁରସ୍କାର ଫେରାଇ ନ ଥିଲେ?୧୯୯୨ରେ ବମ୍ବେ ଦଂଗାର ପ୍ରତିବାଦରେ କାହିଁକି ପୁରସ୍କାର ଫେରାଇ ନ ଥିଲେ?୨୦୧୩ ରେ ଉତ୍ତରପ୍ରଦେଶର ମୁଜଫରନଗରରେ ହୋଇଥିବା ଦଂଗାର ପ୍ରତିବାଦରେ କାହିଁକି ଏହି ସାହିତ୍ୟିକମାନେ ସେମାନଙ୍କର ପୁରସ୍କାର ଫେରାଇ ନ ଥିଲେ ? ଅବଶ୍ୟ ଏହି ମାନେ ପ୍ରଶ୍ନ କରନ୍ତି ନାହିଁ କାହିଁକି ଏହି ସାହିତ୍ୟିକମାନେ ୧୯୯୨ରେ ବାବ୍ରୀ ମସଜିଦକୁ ଭଂଗାଯିବାର ପ୍ରତିବାଦରେ  ବା ୨୦୦୨ରେ ଗୁଜରାଟରେ ହୋଇଥିବା ଦଂଗାର ପ୍ରତିବାଦରେ ପୁରସ୍କାର ଫେରାଇ ନ ଥିଲେ?ତେଣୁ ଏହି ସାହିତ୍ୟିକଙ୍କ ବିରୋଧରେ ସେମାନେ ଆଣନ୍ତି ବାଛ ବିଚାରର ଅଭିଯୋଗ ଓ ପୁରସ୍କାର ଫେରାଇବା ପଛରେ ମୋଦୀ ସରକାରଙ୍କର ଭାବମୂର୍ତ୍ତିକୁ ନ୍ୟୁନ କରିବାର ରାଜନୈତିକ ଉଦ୍ଦେଶ୍ୟ ।୧୨   ତେଣୁ ମୋଦୀ ସରକାରର ମନ୍ତ୍ରୀମାନେ  ଏହି ସାହିତ୍ୟିକମାନଙ୍କୁ ଓ ସେମାନଙ୍କର ପ୍ରତିବାଦକୁ ନ୍ୟୁନ କରିବା ପାଇଁ କାହିଁକି ବା ପଛାନ୍ତେ । ମନ୍ତ୍ରୀମଣ୍ଡଳର ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ଜେଟଲୀ ସାହିତ୍ୟିକମାନଙ୍କ ଦ୍ୱାରା ପୁରସ୍କାର ଫେରାଇ ପ୍ରତିବାଦ ଦର୍ଶାଇବାକୁ ସାହିତ୍ୟିକମାନଙ୍କ ଦ୍ୱାରା ପ୍ରତିବାଦର ଏକ ମନଗଢା ଉଦ୍ଭାବନ ବୋଲି ଅଭିହିତ କରିଛନ୍ତି । ତାଙ୍କ ଭାଷାରେ , “ଏହି ପ୍ରତିବାଦ ଦର୍ଶାଇବାକୁ ସାହିତ୍ୟିକମାନଙ୍କ ଦ୍ୱାରା ପ୍ରତିବାଦର ଏକ ମନଗଢା ଉଦ୍ଭାବନ ବୋଲି ଅଭିହିତ କରିଛନ୍ତି । ତାଙ୍କ ଭାଷାରେ , “ଏହି ପ୍ରତିବାଦ ବାସ୍ତବ ନା ଏକ ମନଗଢା ଉଦ୍ଭାବନ? ଏହା କଣ ଆଦର୍ଶଗତ ଅସହିଷ୍ଣୁତାର ଏକ ଉଦାହରଣ ନୁହଁ ?”୧୩ (“Is this protest real or a manufactured one? Is this not a case of ideological intolerance?” ) ତାଙ୍କ ଦୃଷ୍ଟିରେ ଯେଉଁ ସାହିତ୍ୟିକମାନେ ଏହିଭଳି ପ୍ରତିବାଦ କରୁଛନ୍ତି ସେମାନେ ବାମପନ୍ଥୀ ବା ନେହେରୁଙ୍କ ମତାଦର୍ଶ ପ୍ରତି ଅନୁଗତ । ପୂର୍ବ ସରକାର ମାନଙ୍କର ପୃଷ୍ଠପୋଷକତାକୁ ଉପଭୋଗ କରିଥିବା ଏହି ସାହିତ୍ୟିକମାନେ ମୋଦୀ ସରକାରଙ୍କ ସମୟରେ ସହଜ ଅନୁଭବ କରୁନାହାନ୍ତି -ତେଣୁ ପ୍ରତିବାଦ । ଯେଉଁ ଅସହିଷ୍ଣୁତାର ପ୍ରତିବାଦରେ ଏହି ଲେଖକମାନେ ସେମାନଙ୍କର ପୁରସ୍କାର ଫେରାଇଛନ୍ତି, ସେ ଭଳି ଅସହିଷ୍ଣୁତା ସମାଜରେ ନାହିଁ ବୋଲି ରୋକ ଠୋକ ମନା କରନ୍ତି ଅରୁଣ ଜେଟଲୀ ।୧୩(“There is no atmosphere of intolerance in the country..”) । ତାଙ୍କର ସହଯୋଗୀ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ତ ଏହି ପ୍ରତିବାଦୀ ଲେଖକମାନଙ୍କୁ ଲେଖିବା ବନ୍ଦ କରିଦେବା ପାଇଁ ପରାମର୍ଶ ଦିଅନ୍ତି । ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ ଲେଖକର ଲେଖନୀକୁ ଅବରୋଧ କରିବ, ଲେଖକର ଏହି ଉଦବେଗର ଉତ୍ତରରେ ମହେଶ ଶର୍ମା କୁହନ୍ତି ି ‘ଯଦି ସେମାନେ କହୁଛନ୍ତି ଯେ ସେମାନେ ଲେଖିପାରୁ ନାହାନ୍ତି ତାହାହେଲେ ନ ଲେଖନ୍ତୁ । ସେତେବେଳେ  ଆମେ ଦେଖିବା ।’୧୪(“If they say they are unable to write,let them first stop writing. We will then see.”) ମୋଦୀ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଲେଖକମାନଙ୍କର ପ୍ରତିବାଦ ବିରୋଧରେ ଏହି ଭଳି କଟୁ ଓ ଅପମାନଜନକ ମନ୍ତବ୍ୟ ଦେଉଥିବା ବେଳେ, କଥାରେ ଧୁରନ୍ଧର, ‘ମନ କି ବାତ’ ବ୍ୟକ୍ତ କରିବାରେ ଧୁରୀଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାଶୟ କିନ୍ତୁ ଏ ବିଷୟ ଉପରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି ।କିନ୍ତୁ ଏହି ପ୍ରତିବାଦୀ ଲେଖକମାନଙ୍କ ବିରୋଧରେ ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସିଧା ସଳଖ ବାହାରି ଆସିଛି । ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏକ ‘ବୁଦ୍ଧି ଶୁଦ୍ଧି ଯଜ୍ଞ’ ପାଳନ କରିଛି ଯେଉଁଠାରେ ଦୈବୀ ଶକ୍ତିକୁ ପ୍ରାର୍ଥନା କରାଯାଇଛି ପୁରସ୍କାର ଫେରାଉଥିବା ସାହିତ୍ୟିକଙ୍କୁ ସଦବୁଦ୍ଧି ଦେବାପାଇଁ । ତାଙ୍କର ଜାତୀୟ ସମ୍ପାଦକ ପୂଜା ଶକୁନ ପାଣ୍ଡେଙ୍କ ମତରେ ଏହି ସାହିତ୍ୟିକ ମାନେ ‘ଦେଶ ଦ୍ରୋହ’ ଦୋଷରେ ଦୋଷୀ ।୧୫ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଏହି ପୁରସ୍କାର ଫେରାଇବା ପ୍ରକରଣ ଦ୍ୱାରା ଏତେ ଉତକ୍ଷିପ୍ତ ଯେ ତାଙ୍କର ଯୁଗ୍ମ ସାଧାରଣ ସମ୍ପାଦକ ଦତ୍ତତ୍ରେୟ ହୋସାବଲେ ଏହାକୁ ‘ନଂଗା ନାଚ’ ବା ଲଂଗଳା ନାଚ ବୋଲି କହିଛନ୍ତି । ସେ ମଧ୍ୟ ଏହି ପ୍ରତିବାଦୀମାନଙ୍କୁ ସତର୍କ କରାଇଦେଇଛନ୍ତି ଯେ “ ‘ଜନତା ସବୁ ଜାଣୁଛି’ା ତେଣୁ ଗଣମାଧ୍ୟମରେ ଅପ୍ରାସଂଗିକ ଆଲୋଚନା କରନାହିଁ । ଯଦି କରୁଛ ତାହାହେଲେ ନିଜ ଭିତରକୁ ଦେଖ କାରଣ ଏହା ଏକ ଷଡଯନ୍ତ୍ର ।”୧୬
ତଟସ୍ଥ ସାହିତ୍ୟିକ  
ଅନେକ ସାହିତ୍ୟିକଙ୍କର ମନ୍ତବ୍ୟ ଦୃଷ୍ଟିକୁ ଆସିଛି ଯେଉଁମାନେ ସାହିତ୍ୟିକ-କଳାକାରଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି କିନ୍ତୁ ପୁରସ୍କାର ଫେରାଇବାର ନିଷ୍ପତ୍ତିରୁ କ୍ଷାନ୍ତ ହୋଇଛନ୍ତି । ଯେପରି ଅକାଦେମୀ ପୁରସ୍କାର ବିଜେତା ଅମିତାଭ ଘୋଷ । ସାହିତ୍ୟିକ-କଳାକାର ମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଏହି ଶକ୍ତି ଗୁଡିକୁ ସରକାର ପ୍ରକାରାନ୍ତରେ ଉତ୍ସାହିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଓ ସାହିତ୍ୟ ଅକାଦେମୀ ନିର୍ଲ୍ଲଜଭାବରେ ତାର କର୍ତ୍ତବ୍ୟ ନିର୍ବାହରେ ଖିଲାଫ କରିଛି ବୋଲି କଟୁ ଶବ୍ଦରେ କହିଛନ୍ତି । କିନ୍ତୁ ଏଥି ପାଇଁ ସେ ପୁରସ୍କାର ଫେରାଇବେ ନାହିଁ ବୋଲି ମତ ଦେଇଛନ୍ତି । କାରଣ ଏତଦ୍ ଦ୍ୱାରା ଅନୁଷ୍ଠାନର ଇତିହାସକୁ ପ୍ରତ୍ୟାଖାନ କଲା (“କ୍repudiation of the institution’s history.”) ଭଳି ହେବ ।୧୭  ମନମୋହନ ସିଂହ ସରକାରରେ ଏକଦା ମନ୍ତ୍ରୀ ଓ ଲେଖକ ଶଶି ଥରୁରଙ୍କ ମତରେ “ଜଣେ ବର୍ତ୍ତମାନର ବାତାବରଣକୁ ବିରୋଧ କରିବା ଉଚିତ….ସ୍ୱାଧୀନତା ପାଇଁ ଠିଆ ହେବା ଉଚିତ….କିନ୍ତୁ ପୁରସ୍କାରକୁ ଅସମ୍ମାନ କରିବା ଉଚିତ ନୁହେଁ । ”୧୮ ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ହିନ୍ଦି ସାହିତ୍ୟିକ ନାମୱାର ସିଂହ ପୁରସ୍କାର ଫେରାଇବାକୁ ସମର୍ଥନ କରନ୍ତି ନାହିଁ । ତାଙ୍କ ମତରେ ସାହିତ୍ୟ ଅକାଦେମୀ ସରକାର ନୁହେଁ । ଏହି ମତ ମଧ୍ୟ ପୋଷଣ କରନ୍ତି ିସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ହିନ୍ଦି ଲେଖିକା ମୃଦୁଳା ଗର୍ଗ, ଯଦିଓ ସେ ପୁରସ୍କାର ଫେରାଉ ଥିବା ସାହିତ୍ୟିକମାନଙ୍କର ଭାବନାକୁ ସମର୍ଥନ କରନ୍ତି ।୧୯ ଏଠାରେ ସ୍ମରଣ କରାଯାଇପାରେ ଯେ ସାହିତ୍ୟ ଅକାଦେମୀ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱଂୟଶାସିତ ସଂସ୍ଥା । ସେହି ଭଳି ପଂଜାବୀ ଲେଖକ ଗୁରଦୟାଲ ସିଂହ ତାଙ୍କର ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନକୁ ଫେରାଇ ଦେବାକୁ ମନା କରି ଦିଅନ୍ତି , ଯଦିଓ ସେ ବଢୁଥିବା ଅସହିଷ୍ଣୁତା ଓ ହିଂସାକୁ ନେଇ ବେଶ ବିବ୍ରତ ଓ ଚିନ୍ତିତ ବୋଲି ସ୍ପଷ୍ଟ ଶବ୍ଦରେ ଘୋଷଣା କରନ୍ତି ।୨୦ବଂଗଳାର ବହୁ ଲେଖକ କଳାକାର ଯେଉଁମାନେ ସେମାନଙ୍କର କୋଣସି ପୁରସ୍କାର ଫେରାଇ ନାହାନ୍ତି, ସେମାନେ କିନ୍ତୁୁ ହେତୁବାଦୀଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଦୃଢ ସହସା ପଦକ୍ଷେପ ନେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଓ ଏତଦ୍ ଦ୍ୱାରା ଭାରତୀୟ ଗଣତନ୍ତ୍ରକୁ ବିପନ୍ନ କରିବା ପାଇଁ ହେଉଥିବା ସୁପରିକଳ୍ପିତ ଷଡଯନ୍ତ୍ରକୁ ପ୍ରତିରୋଧ କରିହେବ ବୋଲି ଦର୍ଶାଇଛନ୍ତି ।୨୧( “We appeal to you to take firm and immediate steps to combat this well-planned conspiracy to endanger Indian democracy,”)  । ବଂଗଳା କବି ସୁବୋଧ ସରକାର ପୁରସ୍କାର ଫେରାଇଲେ ସ୍ୱାଧୀନ ଚିନ୍ତା ଉପରେ ଆକ୍ରମଣ ବନ୍ଦ ହୋଇଯିବ ବୋଲି ମନେ କରନ୍ତି ନାହିଁ ।୧୯
ପୁରସ୍କାର ଫେରାଇବା ଭାରତୀୟ ପରମ୍ପରା

ପୁରସ୍କାର ଓ ସମ୍ମାନ ଫେରାଇଥିବା ସାହିତ୍ୟିକଙ୍କ ସଂଖ୍ୟା ନ ଫେରାଇଥିବା ସାହିତ୍ୟିକଙ୍କ ସଂଖ୍ୟା ତୁଳନାରେ ନିଶ୍ଚିତ କମ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହି ଫେରାଇବା ପ୍ରକରଣ ଯେ ଖୁବ ପ୍ରଭାବୀ ହୋଇଛି ଏଥିରେ ସନ୍ଦେହ ନାହିଁ । କେବଳ ସ୍ମାରକ ପତ୍ର ଦେଇଥିଲେ ବା ଶୋଭାଯାତ୍ରା କରିଥିଲେ ଏହା ସେପରି ପ୍ରଭାବ ପକାଇ ପାରି ନ ଥାନ୍ତା ଯେପରି ପୁରସ୍କାର/ସମ୍ମାନ ଫେରାଇବା ଦ୍ୱାରା ପଡିଛି । ଏହି ନିଆରା ଢଂଗର ବିରୋଧକୁ ଆଜି ସାହିତ୍ୟିକଙ୍କ ପରେ ବୈଜ୍ଞାନିକ, ଚଳଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ବିଦ୍ୱାନ ମଧ୍ୟ ପ୍ରତିବାଦ ଦର୍ଶାଇବା ପାଇଁ ଗ୍ରହଣ କରିଲେଣି । ଏହି ଢଂଗର ବିରୋଧକୁ ଯେପରି ସମାଲୋଚନା କରାଗଲେ ମଧ୍ୟ ଏହା ଯେ ଆମର ପରମ୍ପରା ସହ ସୁସଂଗତ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ଏହି ଦିଗଟି ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ମହାତ୍ମା ଗାନ୍ଧୀଙ୍କର ପୈାତ୍ର ଗୋପାଳକୃଷ୍ଣ ଗାନ୍ଧୀ ଯେତେବେଳେ ସେ ଉଲ୍ଲେଖ କରନ୍ତି କିପରି ରବୀନ୍ଦ୍ରନାଥ ଟାଗୋର ତାଙ୍କର ସାର୍ ଉପାଧୀ ଓ ମହାତ୍ମା ଗାଂଧୀ କାଇଜର ହିନ୍ଦ ମେଡାଲ, ୧୯୧୯ରେ ଜାଲିୱାନାବାଗ ଗୁଳିକାଣ୍ଡର ପ୍ରତିବାଦରେ , ବ୍ରିଟିଶ ସରକାରଙ୍କୁ ଫେରାଇ ଦେଇଥିଲେ ।  ସେ ମଧ୍ୟ ଉଲ୍ଲେଖ କରନ୍ତି ଖୁସୱନ୍ତ ସିଂହ ୧୯୮୪ରେ ଅପରେସନ ବ୍ଲୁସ୍ଟାରର ପ୍ରତିବାଦରେ ପଦ୍ମଭୂଷଣ ଫେରାଇ ଦେଇଥିବା ଦୃଷ୍ଟାନ୍ତ । ତାଙ୍କ ଭାଷାରେ, “ଭିନ୍ନମତାବଲମ୍ବୀ ଯେ ସୁରକ୍ଷିତ ଅନୁଭବ କରନ୍ତୁ  ଏହା ସରକାର ଚାହାନ୍ତି କି ନାହିଁ -ଏହି ବେଦନାଦାୟୀ, ଅନବରତ ଯନ୍ତ୍ରଣା ଦେଉଥିବା ସନ୍ଦେହର କାରଣରୁ ହିଁ ସାହିତ୍ୟ ଅକାଦେମୀ ପୁରସ୍କାର ଫେରାଇ ଦିଆଯିବା ହୋଇଛି ବେଶ ଗୁରୁତ୍ୱ ପୂର୍ଣ୍ଣ । ପରିତ୍ୟାଗର ଏକ ଦୃଷ୍ଟାନ୍ତ ଭାବେ, ଏହା ପ୍ରାଚୀନ ଭାରତର ସେହି ପରମ୍ପରାର ଅଂଶ ଯେଉଁ ପରମ୍ପରାରେ କ୍ଷମତା ଓ ଲୋକମତକୁ ପ୍ରଭାବିତ କରିବା ପାଇଁ କିଛି ତ୍ୟାଗ କରିବାକୁ ପଡିଥାଏ ଯାହା ଆଧୁନିକ ସମୟରେ ଟାଗୋରଙ୍କ ଦ୍ୱାରା ହିଁ ପୁନଃପ୍ରବର୍ତ୍ତନ ହୋଇଛି । ”୨୨
ଉପସଂହାର
ସମାଜରେ ବଢୁଥିବା ଅସହିଷ୍ଣୁତା ଓ ହିଂସା ବିରୋଧରେ ଏକ ନିଆରା ଢଂଗରେ ସାହିତ୍ୟିକ ମାନେ ପ୍ରତିବାଦ ଜାହିର କରିବା କ୍ଷମତାସୀନ ମାନଙ୍କୁ ଓ ସେମାନଙ୍କ ଆଦର୍ଶର ପୃଷ୍ଠପୋଷକମାନଙ୍କୁ ଯେ ବିଚଳିତ କରିଛି ଏଥିରେ ସନ୍ଦେହ ନାହିଁ । ଭିନ୍ନ ମତ ପ୍ରତି ଅସହିଷ୍ଣୁତା ଓ ଏହାକୁ ପୋଷଣ କରୁଥିବା ହେତୁବାଦୀ ବୁଦ୍ଧିଜୀବୀ ପ୍ରତି ହିଂସାର ବାତାବରଣ ନାହିଁ ବୋଲି କ୍ଷମତାସୀନ ଓ ସେମାନଙ୍କ ଆଦର୍ଶର ପୃଷ୍ଠପୋଷକ ମାନେ ଯେତେ ଉଚ୍ଚ ସ୍ୱରରେ କହିଲେ ମଧ୍ୟ ଏହାକୁ ଗ୍ରହଣ କରୁ ନ ଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ଚାଲିଛି । ଏହି ବାତାବରଣ ଭାରତର ଐକ୍ୟକୁ ବିପନ୍ନ କରିବ, ସାଂସ୍କୃତିକ ବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ, ସଂଖ୍ୟା ଲଘୁଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିବ, ଦେଶର ବିକାଶ ପଥରେ ଅନ୍ତରାୟ ହେବ-ଏହି ଭଳି ଆଶଙ୍କାମାନ ଶୁଣିବାକୁ ମିଳିଲାଣି, ଭାରତର ମହାମହିମ ରାଷ୍ଟ୍ରପତି, ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତୀ, ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ମାନଙ୍କ ସ୍ୱରରେ । ପ୍ରତିଷ୍ଠିତ ସଂସ୍ଥା ଗକ୍ଟକ୍ଟୟଚ୍ଚର ସର୍ବେକ୍ଷଣ ମଧ୍ୟ ଏହି ଆଶଙ୍କାର ସୂଚନା ଦିଏ । ଅରୁଣ ଜେଟଲୀ ନିଶ୍ଚିତ ଭାବରେ ଏହି ମାନଙ୍କର ଆଶଙ୍କାକୁ ମନଗଢା ଉଦ୍ଭାବନ ( ‘ଜ୍ଞବଦ୍ଭଙ୍କଲବମଗ୍ଧଙ୍କକ୍ସରୟ’) କହିବାର ଧୃଷ୍ଟତା କରିବେ ନାହିଁ । କହିବା ବାହୁଲ୍ୟ ଯେ ଭିନ୍ନ ମତ ପ୍ରତି ଅସହିଷ୍ଣୁତା  ଭାରତ ଭୂଇଁରେ ଆଜି ଏକ ବାସ୍ତବିକତା । ଏହାକୁ କ୍ଷମତାସୀନ ସରକାର ଓ ଏହାର ଆଦର୍ଶର ପୃଷ୍ଠପୋଷକମାନେ ସ୍ୱୀକାର କରିବା ହିଁ  ହେବ ସେମାନଙ୍କର ବିଜ୍ଞତା । ଏହା ଭାରତୀୟ ସମାଜ ପାଇଁ କେବଳ ମଂଗଳକର ହେବ ନାହିଁ., ସେମାନଙ୍କର ନିଜର କ୍ରମକ୍ଷୟୁଷ୍ଣୁ ବିଶ୍ୱସନୀୟତା ପାଇଁ ପ୍ରତିରୋଧକ ମଧ୍ୟ ହେବ ।
କ୍ଷମତାସୀନ ଓ ସେମାନଙ୍କ ଆଦର୍ଶର ପୃଷ୍ଠପୋଷକମାନଙ୍କର ପ୍ରଶ୍ନ ଯେ କାହିଁକି ଏହି ସାହିତ୍ୟିକମାନେ ପୂର୍ବେ ଘଟିଥିବା ବିଭିନ୍ନ ଦଂଗା  ଆଦି ସମୟରେ ଏହି ପରି ପ୍ରତିବାଦ କରି ନ ଥିଲେ? ଅର୍ଥାତ୍ ଯଦି ସେ ସମୟରେ ସାହିତ୍ୟିକମାନେ ଏହି ଭଳି ପ୍ରତିବାଦ କରିଥାନ୍ତେ ତାହାହେଲେ  ି ଏହି ପ୍ରଶ୍ନକର୍ତ୍ତାମାନେ ଆଜି ପ୍ରତିବାଦୀ ସାହିତ୍ୟିକଙ୍କୁ ପ୍ରଶ୍ନ କରନ୍ତେ ନାହିଁ -ଏହି ସମ୍ବାଦ ସେମାନେ ଦେବାକୁ ଚାହୁଁଛନ୍ତି କି? କିନ୍ତୁ ଏହା ହୋଇଥିଲେ ସାହିତ୍ୟିକ ମାନେ ବାବ୍ରୀ ମସଜିଦ ଭଂଗା ଯିବାର ପ୍ରତିବାଦରେ, ଗୁଜରାଟ ଦଂଗାର ପ୍ରତିବାଦରେ ପୁରସ୍କାର ଫେରାଇଥିବାର  ଦୃଷ୍ଟାନ୍ତ ମଧ୍ୟ ଆମ ପାଖରେ ଥାନ୍ତା । ଏହାକୁ ପ୍ରଶ୍ନକର୍ତ୍ତାମାନେ କିପରି ଗ୍ରହଣ କରୁଥାନ୍ତେ? ତେବେ ଏହି ପ୍ରଶ୍ନ ଶୁଣି ମନ ଭିତରେ ଏକ ସଦୃଶ ପ୍ରଶ୍ନ ଉଦ୍ରେକ ହୁଏ ଯେ  ପାଣ୍ଡବ ମାନେ କୁରୁ ସଭାରେ ଦ୍ରୋପଦୀଙ୍କ ପ୍ରତି ହେଉଥିବା ଅପମାନଜନକ ବ୍ୟବହାରର ପ୍ରତିବାଦରେ ସହସା ଯୁଦ୍ଧ ଡାକରା ଦେଇ ନ ଥିବା ବେଳେ ପରବର୍ତ୍ତୀ କାଳରେ କୈାରବଙ୍କ ସହିତ ଯୁଦ୍ଧ କରିବା ଉଚିତ ଥିଲା କି?
କ୍ଷମତାସୀନ ଓ ସେମାନଙ୍କ ଆଦର୍ଶର ପୃଷ୍ଠପୋଷକମାନଙ୍କ ଦ୍ୱାରା ପ୍ରଶ୍ନ ମଧ୍ୟ ହୋଇଛି ଯେ କାହିଁକି ସାହିତ୍ୟିକମାନେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିର ଏତାଦୃଶ ବିରୋଧ ପ୍ରଦର୍ଶନ କରି ନ ଥିଲେ । ଏହା ଠିକ ଯେ ପୁରସ୍କାର ଫେରାଇବାର କୈାଣସି ଦୃଷ୍ଟାନ୍ତ ନାହିଁ ।  ଯେଉଁମାନେ ଏବେ ଫେରାଉଛନ୍ତି, ସେମାନେ ସେତେବେଳେ ଅକାଦେମୀ ପୁରସ୍କାର ପାଇ ନ ଥିଲେ । କିନ୍ତୁ ସେ ସମୟରେ ମରାଠୀ ସାହିତ୍ୟ ସମ୍ମିଳନୀର ସଭାନେତ୍ରୀ ସମାଜବାଦୀ ଲେଖିକା ଦୁର୍ଗା ଭାଗୱତ ମୁମ୍ବାଇ ମରାଠୀ ଗ୍ରନ୍ଥ ସଂଗ୍ରାହଳୟର ସଭା ଗୃହରେ ଜରୁରୀକାଳୀନ ଅବସ୍ଥା ଜାରିହେବାକୁ ଯେପରି କଠୋର ଶବ୍ଦରେ ନିନ୍ଦା କରିଥିଲେ ତାହା ଆଜି ମଧ୍ୟ ସ୍ମରଣୀୟ । ଦୁର୍ଗା ଭାଗୱତ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ମରାଠୀ ଲେଖକ ସମୁଦାୟର ପ୍ରେରଣାର ଉତ୍ସ ଥିଲେ । ସେ ରବୀନ୍ଦ୍ରନାଥ ଟାଗୋରଙ୍କର ଉଦାହରଣ ଦେଇ ଲେଖକ କଳାକାରଙ୍କୁ ଆହ୍ୱାନ ଦେଇଥିଲେ ସେମାନେ ପାଇଥିବା ରାଜ୍ୟ ଓ ଜାତୀୟ ପୁରସ୍କାର ଓ ସମ୍ମାନକୁ ଫେରାଇଦେବା ପାଇଁ । କିନ୍ତୁ ଏହା ସେପରି ସମର୍ଥନ ପାଇ ନଥିଲା । ହାତ ଗଣତି କେତେଜଣ, ଯେପରି ହିନ୍ଦି ଲେଖକ ଫୁଲେଶ୍ୱର ନାଥ ରେଣୁ, ଏହାର ସମର୍ଥନରେ ବାହାରିଥିଲେ । ଦୁର୍ଗା ଭାଗୱତ  ୧୯୭୬ ମସିହାରେ ଗିରଫ ହୋଇଥିଲେ । ରାମ ମନୋହର ଲୋହିଆଙ୍କର ଅନୁଯାୟୀ ଓ ଜୀବନୀକାର, ଲେଖିକା ଇନ୍ଦୁମତୀ କେଲକାର ଜରୁରୀକାଳୀନ ପରିସ୍ଥିତିର ପ୍ରତିବାଦ କରି ଗିରଫ ହୋଇଥିଲେ ।  । ସେତେବେଳେ ଗିରଫ ହୋଇଥିଲେ ହିନ୍ଦି ଲେଖକ ମୁରଲୀ ମନୋହର ପ୍ରସାଦ ସିଂହ, କବି ଗିରିଧର ରାଠୀ ଓ ନାଗାର୍ଜୁନ ନାମରେ ପରିଚିତ ବୈଦ୍ୟନାଥ ମିଶ୍ର । କହିବା ବାହୁଲ୍ୟ ଯେ ସେ ସମୟରେ ଅନେକ ସାହିତ୍ୟିକ କଳାକାର ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି, ନିଜର ବାକ୍ ସ୍ୱାଧୀନତା ଉପରେ ଅଂକୁଶର ବିରୋଧ କରିଛନ୍ତି ଓ ଏଥିପାଇଁ କାରାବରଣ କରିଛନ୍ତି ।୨୩କିନ୍ତୁ ବିଡମ୍ବନା ଯେ ଆଜି ଜରୁରୀକାଳୀନ ପରିସ୍ଥିତରେ ସାହିତ୍ୟିକଙ୍କ ଭୂମିକା ଉପରେ ପ୍ରଶ୍ନ ଉତଥାପିତ କରୁଥିବା ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଭୂମିକା ସେତେବେଳେ ବେଶ ସଂଦିଗ୍ଧ ଥିଲା । ଏହା ଜଣା ପଡେ ଆଜିର ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏକଦା ଲେଖିଥିବା ଏକ ନିବନ୍ଧରୁ । ସେ ଲେଖନ୍ତି୨୪, “୧୯୭୫ରୁ ୭୭, ସେହି ସମୟ କାଳରେ ବିଜେପି/ଅର ଏସ ଏସର ଅଧିକାଂଶ ନେତା ଇମର୍ଜେନ୍ସି ବିରୋଧରେ ସଂଗ୍ରାମ ପ୍ରତି ବିଶ୍ୱାସଘାତକତା କରିଥିଲେ ।  ମହାରାଷ୍ଟ୍ର ବିଧାନସଭାର ବିବରଣୀରେ ଏହାର ଉଲ୍ଲେଖ ରହିଛି ଯେ କିପରି ତକ୍ରାଳୀନ ଆର ଏସ ଏସ ମୁଖ୍ୟ ବାଲାସାହେବ ଦେଓରସ, ପୁନାର ୟେରୱାଡା ଜେଲରୁ ଇନ୍ଦିରା ଗାନ୍ଧୀଙ୍କୁ ଅନେକ କ୍ଷମାପତ୍ର ଲେଖିଥିଲେ ଏହା ଜଣାଇ ଯେ ଆର ଏସ ଏସ ଜେପିଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରୁ ଅଲଗା ହୋଇଯିବ ଓ କୁଖ୍ୟାତ ବିଂଶ ସୂତ୍ରୀ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ କରିବ । ସେ (ଇନ୍ଦିରା) କୈାଣସି ପତ୍ରର ଉତ୍ତର ଦେଇ ନ ଥିଲେ । ଶ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦିରା ଗାଂଧୀଙ୍କୁ କ୍ଷମାପତ୍ର ଲେଖିଥିଲେ ଏବଂ ଶ୍ରୀମତୀ ଗାନ୍ଧୀ ତାଙ୍କୁ ଅନୁଗୃହୀତ କରିଥିଲେ । ପ୍ରକୃତରେ ୨୦ ମାସର ଇମର୍ଜେନ୍ସିର ଅଧିକାଂଶ ସମୟ ଶ୍ରୀ ବାଜପେୟୀ ପାରୋଲରେ ବାହାରେ ରହିଥିଲେ, ଏହି ଲିଖିତ ପ୍ରତିଶୃତି ଦେଇ ଯେ ସେ  କୈାଣସି ସରକାର ବିରୋଧୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ନାହିଁ ।”  ନିକଟ ଅତୀତରେ ପ୍ରକାଶିତ ଗୋଇନ୍ଦା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଟି ଭି ରାଜେଶ୍ୱରଙ୍କ ଲିଖିତ ପୁସ୍ତକ “India: The Crucial Years” ରେ ମଧ୍ୟ  ସୂଚନା ମିଳେ  ଇମର୍ଜେନ୍ସି ସମୟରେ ସରକାରୀ କାର୍ଯ୍ୟକ୍ରମ ପ୍ରତି ଦେଓରସଙ୍କର ଦୃଢ ସମର୍ଥନ ଥିବାର ।୨୫   ତେଣୁ ଯେଉଁମାନଙ୍କର ଇମର୍ଜେନ୍ସି ସମୟରେ ଭୂମିକା ଏହି ଭଳି ସଂଦିଗ୍ଧ, ସେମାନେ ବା ସେମାନଙ୍କ ତରଫରୁ ଅନ୍ୟମାନେ ସାହିତ୍ୟିକ-ଲେଖକଙ୍କୁ ସେମାନଙ୍କର ଇମର୍ଜେନ୍ସି ସମୟର ଭୂମିକା ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ ମନେହୁଏ । ବରଂ ବିଜେପିର ପିତାମହ, ମାର୍ଗଦର୍ଶକ ଲାଲକୃଷ୍ଣ ଆଦୱାନୀଙ୍କର ସତର୍କବାଣୀ ଯେ ଇମର୍ଜେନ୍ସୀର  ପୁନରାବୃତ୍ତି ହୋଇପାରେ ତାହା ପ୍ରତି ସେମାନେ ସଚେତ ହୁଅନ୍ତୁ । ଆଦୱାନୀ ସତର୍କବାଣୀ ଶୁଣାଇ କହିଥିଲେ ,“ଆଜିକା ସମୟରେ, ସବୁ ପ୍ରକାର ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ସତ୍ତେ୍ୱ, ଯେଉଁ ଶକ୍ତିମାନେ ଗଣତନ୍ତ୍ରକୁ ଦଳି ଦେଇ ପାରନ୍ତି ସେମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି ।”୨୬  ( “At the present point of time, the forces that can crush democracy, notwithstanding the constitutional and legal safeguards, are stronger, ”)
ବୋଧହୁଏ ଆମର ସାହିତ୍ୟିକ, କଳାକାର, ବୈଜ୍ଞାନିକ, ବିଦ୍ୱାନ ଓ ବୁଦ୍ଧିଜୀବୀ, ଆଦୱାନୀ ମହାଶୟ ଇଂଗିତ କରିଥିବା ସେହି ଗଣତନ୍ତ୍ର ବିରୋଧୀ ଶକ୍ତି ଗୁଡିକ ବିରୁଦ୍ଧରେ ଆଜି ସେମାନଙ୍କର ସ୍ୱର ଉତ୍ତୋଳନ କରୁଛନ୍ତି, ପୁରସ୍କାର/ ସମ୍ମାନ ଫେରାଉଛନ୍ତି ।
ସହାୟକ ଉପାଦାନ ସୂଚୀ

1.Karnataka teen returns state Sahitya award, says cried a lot when Kalburgi was killed; http://indianexpress.com/article/india/india-news-india/17-year-old-from-karnataka-returns-state-sahitya-award/#sthash.tcGEZ9bd.dpuf; October 15, 2015
2.The Unmaking of India: Why I am Returning My Sahitya Akademi Award
3.Two more writers return Sahitya Akademi awards, another resigns-The Indian Express,October 11, 2015,http://indianexpress.com/article/india/india-news-india/two-more-writers-return-sahitya-akademi-awards-anoth.
4.Rushdie backs authors, 7 more return Sahitya Akademi awards – The Economic Times, 12th October 2015.
5.Outlook India News : Writers From 150 Countries Stand in Solidarity With Indian Writers;http://www.outlookindia.com/news/printitem.aspx?91723
6.Writers’protest: Ripples in UK | Free Press Journal By FPJ Bureau| Oct 22, 2015;http://www.freepressjournal.in/writers-protest-ripples-in-uk/
7.Sahitya Akademi breaks its silence, passes resolution condemning killing of writers: By ET Bureau | 23 Oct, 2015
8.Nayantara Sahgal faults framing of Sahitya Akademi resolution,The Hindu,October 24, 2015
9.Writers Hold Protest March in Delhi Ahead of Crucial Sahitya Akademi Meeting,http://www.ndtv.com/india-news/writers-hold-protest-march-in-delhi-ahead-of-crucial-sahitya-akademi-meetin…October 23, 2015
10.http://economictimes.indiatimes.com/news/politics-and-nation/sahitya-akademi-breaks-its-silence-passes-resolution-condemning-killing-of-writers
11Authors Returning Sahitya Akademi Awards To Discredit PM Modi, Says Actor Anupam Kher, 14/10/2015 ;http://www.huffingtonpost.in/2015/10/14/sahitya-akademi-anupam-kher_n_8292296.html
12.Writers returning awards: A ploy to tarnish Modi Govt’s image,October15, 2015; http://www.oneindia.com/feature/writers-returning-sahitya-akademy-awards-a-ploy-to-malign-modi-government-s-image-1898106.html.
13.Writers have manufactured a controversy & protest: Arun Jaitley, Times of India, Oct 15, 2015;http://timesofindia.indiatimes.com/india/Writers-have-manufactured-a-controversy-protest-Arun-Jaitley/articleshow/49372780.cms
14.Let (writers) stop writing, then we will see: Culture Minister Mahesh Sharma The Indian Express,October 13, 2015
15.Authors returning awards: Hindu Mahasabha performs ‘Buddhi Shuddhi Yajna’ – Oneindia,Monday, October 19, 2015;http://www.oneindia.com/india/authors-returning-awards-hindu-mahasabha-performs-buddhi-shuddhi-narendra.
16.Sangh equates writers’ protest to ‘nanga naach’:’Naked’ outburst by RSS, The Telegraph, Bhubaneswar, 31st October, 2015
17.Sahitya Akademi row: Now, author Amitav Ghosh hits out at Narendra Modi government,15 October 2015 | Latest News & Updat… http://www.dnaindia.com/india/report-sahitya-akademi-row-now-author-amitav-ghosh-hits-out-at-narendra-mod..
18.http://www.ndtv.com/india-news/awards-shouldnt-be-dishonoured-shashi-tharoor-on-sahitya-akademi-row-1232597?ndtv_nextstory, October 15, 2015.
19.The Howl Anthology; http://www.outlookindia.com/printarticle.aspx?295613
20.Taslima Nasrin, other renowned authors question writers returning Akademi awards , 17 October 2015;http://www.catchnews.com/national-news/taslima-nasrin-other-renowned-authors-question-writers-returning-a..
21.Bengal Intellectuals Seek President’s Intervention in Cases of Attacks on Rationalists,October 15, 2015;http://www.ndtv.com/india-news/bengal-intellectuals-seek-presidents-intervention-in-cases-of-attacks-on-rationalists-1232599?ndtv_prevstory
22.Writers as dissenters: Badges of honour dulled by shame, Hindustan Times, Oct 14, 2015
23.How artists and individuals creatively resisted Emergency,Dipti Nagpaul,The Indian Express, July 5, 2015;http://indianexpress.com/article/lifestyle/life-style/the-morning-after-how-artists-and-individuals-creatively-resi.
24.Unlearnt lessons of the Emergency, The Hindu, June 13, 2000
25.IB ex-chief ’ s book: RSS chief Deoras had backed some Emergency moves, The Indian Expres.September 19, 2015;http://indianexpress.com/article/india/india-others/ib-ex-chiefs-book-rss-chief-deoras-had-backed-some-emerg..“
26.Advani statement on Emergency aimed at Narendra Modi: Congress – Livemint,Jun 18 2015;http://www.livemint.com/Politics/HshmBsyOZR9xEUvcMLWVYK/LK-Advani-statement-on-antidemocratic-fo

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>