');}

ଗେହ୍ଲା ମନମୋହନ

print

ବହୁ ପ୍ରତୀକ୍ଷା ପରେ ପିଲାଟିଏ ହେଲେ, ସେ ଘରେ ସବୁଠାରୁ ଗେହ୍ଲା ହୋଇଥାଏ । କାରଣ ତା’ର ଆବିର୍ଭାବରେ ଗୃହଲକ୍ଷୀ୍ମର ବନ୍ଧ୍ୟାଦୋଷ ଯେ କଟିଗଲା ! ଆଉ ପୁଅ ହୋଇଥିଲେ କଥା କହିଲେ ନସରେ । ବଂଶ ରକ୍ଷାର ପ୍ରତିଶୃତି ତା ଦେହରୁ ଝଟକୁଥାଏ ପରା ! ପରିବାରରେ ଯଦି ସମସ୍ତେ କଳା, ତାହାଲେ ତାଙ୍କ ଭିତରେ ଯିଏ ସବୁଠାରୁ କମ୍ କଳା ସେ ହିଁ ଗେହ୍ଲା ହୋଇଥାଏ । ପରିବାରର ସବୁପିଲା ଗେହ୍ଲା ହୋଇ ପାରନ୍ତି ନାହିଁ । ପୁଣିି ଜଣଙ୍କର ଗେହ୍ଲା ଆଉ  ଜଣଙ୍କର ଗେହ୍ଲା ହୋଇ ନପାରେ । କିଏ କାହାକୁ କେତେଦୂର ଆନନ୍ଦ ଦେଉଛି  ତାହାରି ଉପରେ ନିର୍ଭର କରୁଛି କିଏ କାହାର ଗେହ୍ଲା କିଏ ଯଦି ବାପାର ଗେହ୍ଲା ତ ଆଉ କିଏ ମା’ର ଗେହ୍ଲା ।
ପରିବାରରେ କେବଳ ଗେହ୍ଲା ନଥାନ୍ତି । ସାରଙ୍କର ଗେହ୍ଲା ଛାତ୍ର ଥାନ୍ତି । ମାଲିକଙ୍କର ଗେହ୍ଲା ଭୃତ୍ୟ ଥାନ୍ତି । ଦୋକାନୀଙ୍କର ଗେହ୍ଲା ସେଲ୍ସମ୍ୟାନ ଥାନ୍ତି । ଡକେଇତ ଦଳର ସର୍ଦ୍ଦାରର ମଧ୍ୟ ଜଣେ ଅଧେ ଗେହ୍ଲା ସହଯୋଗୀ ଥାନ୍ତି । ଏ ସବୁ କ୍ଷେତ୍ରରେ ଗେହ୍ଲାର ସର୍ବନିମ୍ନ  ଗୁଣତ ନିଶ୍ଚିତ ଆନୁଗତ୍ୟ ଓ ଇମାନଦାରୀ ତା ଛଡା ଆଉ କିଛି ଅଧିକ ।

ଏହାଛଡା ମଦୁଆମାନଙ୍କର ମଧ୍ୟ ଗେହ୍ଲା ଭାଟିପିଲା ଥାନ୍ତି । ଭାଟିରେ ପହଞ୍ôଚଗଲେ ସେହି ପିଲାଟିକୁ ଖୋଜାହୁଏ । ସେ ଗ୍ଲାସରେ ମଦ ନଢାଳିଲେ- କାଳେ ନିଶାରେ ସେ -ମଜା ଆସେ ନାହିଁ । ରସିକମାନଙ୍କର ଗେହ୍ଲା ଭାଡୁଆ ମଧ୍ୟ ଥାନ୍ତି । ସେମାନେ ବାଟ କଢେଇ ନନେଲେ ମେଜାଜଟା ବେତାଳିଆ ହୋଇଯାଏ । ଦୁର୍ବଳତା କାହାର କେଉଁଠି ତାକୁ ନେଇ କିଏ କାହାର ଗେହ୍ଲା ।
‘ଛାଡି ରହି ହେବନାହିଁ’ (indispensable) ଏହିଭଳି ଗୋଟିଏ ଭାବ ଗେହ୍ଲା ସହ ସଂପୃକ୍ତ । ଗଣତନ୍ତ୍ରରେ ଏହିଭଳି ଭାବରେ କୌଣସି ସ୍ଥାନ ନାହିଁ ବୋଲି କୁହାଯାଏ । ତେଣୁ ଯୁଗ୍ମ ସଂସଦୀୟ କମିଟି (JPC)ର ରିପୋର୍ଟରେ ଅର୍ଥମନ୍ତ୍ରଣାଳୟ ପ୍ରତି ମନ୍ତବ୍ୟକୁ ଭିତ୍ତ୍ିକରି ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କର ଇସ୍ତଫାକୁ ନେଇ ଆଲୋଚନା ବେଳେ ସି.ପି.ଏମ୍. ସାଂସଦ ସୋମନାଥ ଚାଟାର୍ଜୀ କୁହନ୍ତି, ‘‘କୌଶଳପୂର୍ଣ୍ଣ ଭାବେ ସୃଷ୍ଟି କରାଯାଇଥିବା (contrived projection) କୌଣସି ବ୍ୟକ୍ତିବିଶେଷର ଅପରିହାର୍ଯ୍ୟତା (indispensability)କୁ ଆଳକରି ଗୋଟିଏ ସୁନ୍ଦର ନଜିର (precedent)କୁ ନଷ୍ଟକରି ଦିଆନଯାଉ ।’’

ଜେ.ପି.ସି.ର ଆସ୍ପର୍ଦ୍ଧା :
କିନ୍ତୁ ମନମୋହନ ସିଂହ ତ ଗେହ୍ଲା । ତେଣୁ ତାଙ୍କୁ ଛାଡି ରହିହେବ ବା କିପରି ? ଇଏ ତ ଯୁଗ୍ମ ସଂସଦୀୟ କମିଟିର ନଗ୍ନ ଆସ୍ପର୍ଦ୍ଧା ଯେ, ସେ ଗେହ୍ଲା ମନମୋହନଙ୍କର ଅର୍ଥମନ୍ତ୍ରଣାଳୟ ପ୍ରତି ଆକ୍ଷେପ କରିବାର ସାହସ କରିଛି ଓ ତାଙ୍କର ଦାୟିତ୍ୱବୋଧକୁ ଆହ୍ୱାନ କରି ତାଙ୍କ ମନରେ ଆଘାତ ଆଣିଛି । ତେଣୁ ଥାଉ ପଛେ ଯୁଗ୍ମସଂସଦୀୟ କମିଟିର ଆକ୍ଷେପ ପଛରେ ସର୍ବସମ୍ମତି- ସର୍ବସମ୍ମତିରେ ପଛେ ଅଂଶୀଦାର ହୋଇଥାନ୍ତୁ ମନମୋହନଙ୍କ ଦଳରୁ କମିଟିରେ ସଂଖ୍ୟାଗରିଷ୍ଠ ପନ୍ଦର ଜଣ କଂଗ୍ରେସ(ଇ) ସଭ୍ୟ ଓ ପୁନଶ୍ଚ ସେମାନଙ୍କ ମଧ୍ୟରେ ଥାନ୍ତୁ ପଛେ ମଣିଷଙ୍କର ଆୟାର, ମୁରଲୀ ଦେଓରା ଓ ଏସ୍.ଏସ୍. ଆହୁଲିଓା୍ୱଲିଆଙ୍କ ପରି ଉଚ୍ଚକଣ୍ଠି ଟାଣୁଆ ସଭ୍ୟ – ମନମୋହନଙ୍କ ପ୍ରତି ତାଙ୍କର ମନ୍ତ୍ରଣାଳୟ ପ୍ରତି ଆକ୍ଷେପ କରିବାର ଆସ୍ପର୍ଦ୍ଧା ପାଇଁ ଜେ.ପି.ସି.କୁ ଛାଡି ଦିଆଯାଇ ନପାରେ । କଂଗ୍ରେସ(ଇ) ସଭ୍ୟ ବୁଟା ସିଂହ ଜେ.ପି.ସି. ରିପୋର୍ଟକୁ ସମାଲୋଚନା କରି ଏହାର ସର୍ବସମ୍ମତ ଚରିତ୍ରକୁ ହିଁ ପ୍ରଶ୍ନ କରିଲେ । ତାଙ୍କ ଦୃଷ୍ଟିରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ରିପୋର୍ଟ ନୁହେଁ । ରାଜ୍ୟସଭାରେ କଂଗ୍ରେସ(ଇ) ସଦସ୍ୟ ମୁରଲୀଧର ଭଣ୍ଡାରେ, ମଦନ ଭାଟିଆ ଓ ବିଶ୍ୱଜିତ୍ ପୃଥ୍ୱୀରାଜ ସିଂହ ପ୍ରତିଭୁତି ହେରଫେରରେ ଗାଏବ ହୋଇଥିବା ଟଙ୍କାର ସଂଧାନରେ ଜେ.ପି.ସି. ଅସଫଳ ହୋଇଛି ବୋଲି ଅଭିଯୋଗ କରି ଏହି ରିପୋର୍ଟର ଗୁରୁତ୍ୱ ହ୍ରାସ କରିଦେବାର ଉଦ୍ୟମ ରଚିଥିଲେ । ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ପି. ଚିଦାମ୍ବରମ୍ କହିଲେ, ମନ୍ତ୍ରୀସ୍ତରୀୟ ବିଚ୍ୟୁତି (ministerial lapses)କୁ ନୈତିକ ଦାୟିତ୍ୱ (moral responsibility)ସହ ସମାନ କରିବା ଜେ.ପି.ସି.ର ଠିକ୍ ନୁହେଁ । ପ୍ରଣବ ମୁଖାର୍ଜୀ ଜେ.ପି.ସି.ର ଅନୁମୋଦନକୁ ଗୁରୁତ୍ୱ ନଦେବା ପାଇଁ ଇଙ୍ଗିତ ଦେଇ କହିଲେ ଯେ, ସରକାର ତଦନ୍ତ କମିଶନର ରିପୋର୍ଟକୁ ଯେପରି ଗ୍ରହଣ କରିବା ଓ ତାର ନିର୍ଦ୍ଦେଶକୁ କା ର୍ଯ୍ୟକାରୀ କରିବା ପାଇଁ ବାଧ୍ୟ ନୁହନ୍ତି । କେନ୍ଦ୍ର ଶକ୍ତିମନ୍ତ୍ରୀ ଏନ.କେ.ପି. ସାଲଭେ ଏହି ରିପୋର୍ଟକୁ ଗୋଟିଏ ବିରାଟ ଶୂନ (Big Zero) ବୋଲି ଅଭିହିତ କରି ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି ଯୁକ୍ତି ବାଢିଲେ । ଏହିଠାରେ ସ୍ମରଣ କରାଯାଇପାରେ ଯେ, ଶ୍ରୀ ସାଲଭେ, ପ୍ରତିଭୂତି ହେରଫେର ଘଟଣା ପ୍ରଘଟ ହେବାମାତ୍ରେ ରାଜ୍ୟସଭାରେ ୨୯.୦୪.୧୯୯୨ ଦିନ କହିଥିଲେ, ‘ମୁଁ ଯଦି କେବେ ଅର୍ଥମନ୍ତ୍ରୀ ହୋଇଥାନ୍ତି ଏବଂ ଏହିଭଳି ପରିସ୍ଥିତି ଉପୁଜିବାକୁ ଦେଇଥାନ୍ତି, ଯେଉଁଠି ଅସଲି ଓ ସଚ୍ଚା ପୁଞ୍ଜି ନିବେଶକାରୀ, ମଧ୍ୟବିତ୍ତ ଶ୍ରେଣୀଲୋକ, ଚାକିରିଆ ଲୋକ ଠକିଯିବେ, ମୋର ମନେହୁଏ ମୁଁ ଅଫିସରେ ବସି ରହିନଥାନ୍ତି । ଯଦି ଅର୍ଥମନ୍ତ୍ରୀ ଜାଣନ୍ତି ନାହିଁ ଯେ ଏଭଳି ଘଟଣା ଘଟୁଛି, ତାହାଲେ ସେ ତାଙ୍କର ପଦବୀ ପାଇଁ ଯୋଗ୍ୟ ନୁହନ୍ତି ।’ ଏହିଭଳି ପ୍ରତିକ୍ରିୟାର ପ୍ରତ୍ୟୁତ୍ତରରେ ବୋଧହୁଏ ଅର୍ଥମନ୍ତ୍ରୀ ମନମୋହନ ସିଂହ ୩୦.୦୪.୧୯୯୨ ଦିନ ଲୋକସଭାରେ କହିଲେ, ‘‘ଏହାର ଅର୍ଥ ନୁହେଁ ଯେ, ଷ୍ଟକ ବଜାରର ଉଠିବା-ପଡିବା ନେଇ ମୁଁ ମୋର ନିଦ୍ରା ନଷ୍ଟ କରିବି ।’’ ‘‘But that does not mean that I should lose my sleep simply becaurse stock market goes up one day and falls the next day’’ । ଅର୍ଥମନ୍ତ୍ରୀଙ୍କର ଏତାଦୃଶ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେଇ ଜେ.ପି.ସି. ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଲେ, ‘‘ସହଜରେ ନିଦ୍ରା ନହରାଉଥିବା ଜଣେ ଅର୍ଥମନ୍ତ୍ରୀ ରହିବା ଭଲକଥା । କିନ୍ତୁ ଜଣେ ନିଶ୍ଚିତ ଆଶା କରିବ ଯେ, ଏଭଳି ଏକ ଆକସ୍ମିକ ବିପତ୍ତି ଯେତେବେଳେ ପଡିବ, ସେତେବେଳେ କୌଣସି ସତର୍କ ଘଣ୍ଟି ବାଜିବ ଯାହା ତାଙ୍କ ନିଦ୍ରାରେ ବିଘ୍ନ ଆଣିବ ।’’
ମତରେ ସିଧାସଳଖ ୧୮୦ ଡିଗ୍ରୀ ପରିବର୍ତ୍ତନ କରିବା ଦୋଷରେ ଯଦି ଏନ.କେ.ପି. ସାଲଭେ ଦୋଷୀ, ତାହାହେଲେ ପୁରୁଖା କଂଗ୍ରେସ(ଇ) ନେତା ଓ କଂଗ୍ରେସ(ଇ) କାର୍ଯ୍ୟକାରିଣୀ ସମିତିର ମୁଖପାତ୍ର ଶ୍ରୀଯୁକ୍ତ ଭି.ଏନ୍. ଗାଡଗିଲ ମଧ୍ୟ ପଛରେ ନାହାନ୍ତି । ୨୧ ଡିସେମ୍ବର ୧୯୯୩ରେ ଯେତେବେଳେ ଜେ.ପି.ସି. ରିପୋର୍ଟ ଦାଖଲ କରାଗଲା – ସେତେବେଳେ ଏ ଭଦ୍ରଲୋକ ଏହାକୁ ସ୍ୱାଗତ କରିଥିଲେ । କିନ୍ତୁ ପରେ ବଦଳିଯାଇ କହିଲେ ଯେ, ସଂସଦ ଦ୍ୱାରା ତଦନ୍ତ କରାଯାଇ ସତ୍ୟର ଉଦ୍ଘାଟନ ସମ୍ଭବ ନୁହେଁ । ତେଣୁ ଯୁଗ୍ମ ସଂସଦୀୟ କମିଟି ନିଯୁକ୍ତି ପ୍ରଥା ଅବ୍ୟାହତ ରଖିବାରେ ଯଥାର୍ଥତା କେତେ ତାହା ସଂସଦ ଆଲୋଚନା କରିବା ଉଚିତ ।
ଜେ.ପି.ସି. ଓ ଏହାର ରିପୋର୍ଟ ଉପରେ କଂଗ୍ରେସ(ଇ) ସଭ୍ୟମାନଙ୍କର ଆକ୍ରମଣ ଏତେ ତୀବ୍ର ଥିଲା ଯେ, ଜେ.ପି.ସି.ର  କଂଗ୍ରେସ(ଇ) ସଭ୍ୟମାନେ କାନ୍ଦୁରା ଓ ଦୋଷୀ ଭଳି ଦିଶିଲେ । ଏମାନଙ୍କ ବିରୋଧରେ କଂଗ୍ରେସ(ଇ)  ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରେ କି – ଏଭଳି ପ୍ରଶ୍ନମାନ ମଧ୍ୟ ସାମ୍ବାଦିକମାନଙ୍କ ତରଫରୁ କଂଗ୍ରେସ(ଇ) ମୁଖପାତ୍ରଙ୍କୁ ହେଲା । ଏହି ସଭ୍ୟମାନଙ୍କ ମଧ୍ୟରୁ ମଣିଶଙ୍କର ଆୟାର, ଶ୍ରବଣ ପଟେଲ ଇତ୍ୟାଦି ମନମୋହନ ସିଂହଙ୍କର ଇସ୍ତଫା ଗ୍ରହଣ ନକରିବା ପାଇଁ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଅନୁରୋଧ କରି ପତ୍ର ଲେଖିଲେ ଓ ବିବୃତିମାନ ଦେଲେ ।
କଂଗ୍ରେସ(ଇ) ସଭ୍ୟମାନଙ୍କର ଜେ.ପି.ସି. ଓ ଏହାର ରିପୋର୍ଟ ଉପରେ ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ଜନତା ଦଳର ସାଂସଦ ଓ ଜେ.ପି.ସି.ର ସଭ୍ୟ ଜୟପାଲ ରେଡ୍ଡି କୁହନ୍ତି, ‘‘ଯେଉଁ ନଗ୍ନ ବିଦ୍ୱେଷଭାବ କଂଗ୍ରେସ ସଭ୍ୟମାନେ ରିପୋର୍ଟ ପ୍ରତି ଦେଖାଇଲେ ତାହା ହେଉଛି ରାଜନୈତିକ ଦେବାଳିଆମି ଓ ନୈତିକ ଅବକ୍ଷୟର ସ୍ୱୀକାରୋକ୍ତି । ପ୍ରଧାନମନ୍ତ୍ରୀ ସଂସଦକୁ ପ୍ରତିଶୃତି ଦେଇଥିଲେ ଯେ, ସେ ରିପୋର୍ଟକୁ ସମ୍ମାନ ଦେବେ । କିନ୍ତୁ ଦେଖିଲା ବେଳକୁ ଭିତରେ ରହି ସଂସଦୀୟ ଓ ରାଜନୈତିକ ଆଦର୍ଶ ପ୍ରତି ସେ ହିଁ ଅନ୍ତର୍ଘାତୀ ପ୍ରମାଣିତ ହେଲେ । ଆମେ ବର୍ତ୍ତମାନ ଏହି ଘଟଣାକୁ ଲୋକଙ୍କ ପାଖକୁ ନେବୁ । ଏହି ରିପୋର୍ଟ ସଂସଦରେ ବଜେଟ ତଥା ଅନ୍ୟାନ୍ୟ ଅଧିବେଶନ ମାନଙ୍କରେ ବାରମ୍ବାର ପଡିବ । ଜେ.ପି.ସି.ର ନିଷ୍କର୍ଷ, ନ୍ୟାୟିକ ତଦନ୍ତ ସହ ସମାନ ନୁୁôହେଁ – ପ୍ରଣବ ମୁଖାର୍ଜୀ ଓ ଭି.ସି. ଶୁକ୍ଲାଙ୍କର ଏପରି ଯୁକ୍ତି ଯେ କେବଳ ହାସ୍ୟାଷ୍ପଦ ନୁହେଁ- ଏହା ବିପଜ୍ଜନକ ମଧ୍ୟ ।’’
କିନ୍ତୁ ବିଡମ୍ବନା ଏହିଯେ ଜନତାଦଳର ଅନ୍ୟତମ ବରିଷ୍ଠ ନେତା ଓ ଆମର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତା ୨୬.୧୨.୯୩ ରିଖ ଦିନ ନିଖିଳ ଓଡିଶା ଆଇନଜୀବି  ସମ୍ମିଳନୀ ଉଦ୍ଘାଟନ ଅବସରରେ ଜେ.ପି.ସି.ର କାର୍ଯ୍ୟକଳାପ ଓ ରିପୋର୍ଟର ତୀବ୍ର ସମାଲୋଚନା କରି କହିଲେ – ଜେ.ପି.ସି. ବିଭିନ୍ନ ଶ୍ରେଣୀର ଶହ ଶହ ଲୋକଙ୍କ ଠାରୁ ବୟାନ ନେଇ ପରିଶେଷରେ ପ୍ରକୃତ ଦୋଷୀକୁ ଶାସ୍ତିବିଧାନ କରିବାରେ କେବଳ ଯେ ସମର୍ଥ ହୋଇନାହାନ୍ତି, ସେତିକି ନୁହେଁ, ଅପରପକ୍ଷେ ସାରା ପୃଥିବୀରେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଖ୍ୟାତି ଅର୍ଜନ କରିଥିବା ଡକ୍ଟର ମନମୋହନ ସିଂହ ଯୁଗ୍ମ ସଂସଦୀୟ କମିଟିର ଯୋଗୁଁ କେନ୍ଦ୍ର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।’’ ସତେ ଯେପରି ଅପରାଧ ଜେ.ପି.ସି. ହିଁ କରିଛି ।
‘ସଚ୍ଚୋଟପଣିଆମି’ ପ୍ରତି ବିଜୁବାବୁଙ୍କର ଏତାଦୃଶ ଅନୁରାଗ ଦ୍ୱାରା କେହି କେହି ବିସ୍ମିତ ହୋଇପାରନ୍ତି । କିନ୍ତୁ ଯେଉଁମାନେ ସ୍ମରଣ କରିପାରିବେ ଯେ, ବିଜୁବାବୁ ଏକଦା ଶିଳ୍ପପତି ଥିଲେ- ସେମାନେ ବିଜୁବାବୁଙ୍କର ଏତାଦୃଶ ଦଳମତର ବିପରିତ ମତ ଶୁଣି ଆଦୌ ଚକିତ ହେବେ ନାହିଁ । ବରଂ ଆଜି ଶିଳ୍ପପତି ତଥା ବଡ ବଡ ବ୍ୟବସାୟୀମାନଙ୍କର ଗେହ୍ଲା ମନମୋହନଙ୍କ ପ୍ରତି ବିଜୁଙ୍କର ସ୍ନେହ ସ୍ୱାଭାବିକ ବୋଲି ଯୁକ୍ତି ବାଢିବେ । ଆଦର୍ଶ ଉପରେ ଅଟଳ ରହି କ୍ଷମତାକୁ ପଦାଘାତଚ କରିବାର ମଣିଷ ମନମୋହନ ନୁହନ୍ତି – ଏହାହିଁ ସ୍ପଷ୍ଟ ହୁଏ । ହଠାତ୍ ହୁଏତ ମନଭିତରେ ଆସୁଥିବା କ୍ରୋଧରୁ ସେ ଇସ୍ତଫା ପତ୍ର ଲେଖନ୍ତି କିନ୍ତୁ କ୍ଷମତା ବୃନ୍ତରୁ ବିଚ୍ୟୁତ ହୋଇଯିବାର ଆଶଙ୍କାରେ ସେ ପରବର୍ତ୍ତୀ କାଳରେ ଆକ୍ରାନ୍ତ ହୁଅନ୍ତି ଓ ଇସ୍ତଫା ପତ୍ର ଗ୍ରହଣ ହେବା ଉପରେ ଜୋର ଦିଅନ୍ତି ନାହିଁ । ଏକ ନିଯୁକ୍ତି ପାଇଲେ ନିଜର ଭାବମୁର୍ତ୍ତି ବଢାଇବା ପାଇଁ ଯଦି ମନମୋହନ ଏ’ଭଳି କୌଶଳ ଅବଲମ୍ବନ କରୁଥାନ୍ତି, ତାହାଲେ ମନମୋହନଙ୍କର ବହୁ ପ୍ରଚାରିତ ବ୍ୟକ୍ତିଗତ ସଚ୍ଚୋଟପଣିଆ ବିଷୟାଦି କ୍ଷେତ୍ରରେ ହୁଏତ ଥାଇପାରେ, କିନ୍ତୁ ତାଙ୍କର ବୋ÷÷ଦ୍ଧିକ ଓ ଆଧ୍ୟାତ୍ମିକ ସଚ୍ଚୋଟ ପଣିଆ ସମ୍ମୁଖରେ ପ୍ରଶ୍ନବାଚୀଟିଏ ଦଣ୍ଡାୟମାନ ହୁଏ । ମନକୁ ଆସେ ‘ରାଜନୀତିର ଅନଭିଜ୍ଞ ମନମୋହନଙ୍କ ଠାରୁ ହିଁ କେହି ରାଜନୀତି ଶିକ୍ଷା କରିବା ଉଚିତ ।
ଶିଳ୍ପପତି ଓ ବ୍ୟବସାୟୀଙ୍କର ଗେହ୍ଲା ମନମୋହନ:
ମନମୋହନ ସିଂହ ଭାରତୀୟ ଶିଳ୍ପପତି ଓ ସେୟାର ଦଲାଲମାନଙ୍କର ଯେ କେତେଦୂର ଗେହ୍ଲା, ତାହା ମନମୋହନ ସିଂହଙ୍କ ଇସ୍ତଫା ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ୨୪ ଡିସେମ୍ବର ୧୯୯୩ ଦିନ ମନମୋହନ ସିଂହ ନିଜର ଇସ୍ତଫା ସମ୍ବାଦ ଘୋଷଣା କରିବା ମାତ୍ରେ ତାଙ୍କ ସମର୍ଥନରେ ପ୍ରତିକ୍ରିୟାମାନ ଶିଳ୍ପପତି, ବ୍ୟବସାୟୀ ଓ ସେୟାର ଦଲାଲମାନଙ୍କଠାରୁ ହିଁ ସର୍ବପ୍ରଥମେ ଆସିଥିଲା । ପ୍ରତିଭୁତି ହେରଫେରରେ ମୁଖ୍ୟ ଆସାମୀ ହର୍ଷଦ ମେହେଟ୍ଟା ଏହାକୁ ଏକ ଦୁଃଖଦ ପରିସ୍ଥିତି ବୋଲି କହିଥିଲେ । ଅନ୍ୟ ଏକ ଆସାମୀ ଭୂପେନ ଦଲାଲ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ, ଏସିଆ ପ୍ୟାସିଫିକ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, କନ୍ଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ, ବେଙ୍ଗଲ ଚାମ୍ବର୍ସ ଅଫ କମର୍ସ, ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ, ଉକ୍ରଳ ଚାମ୍ବର୍ସ ଅଫ କମର୍ସ ପ୍ରଭୃତି ଶିଳ୍ପଗୋଷ୍ଠୀ ଓ ବଣିକ ସଂଘମାନଙ୍କ ତରଫରୁ ମନମୋହନ ସିଂହଙ୍କର ଇସ୍ତଫା ପ୍ରଧାନମନ୍ତ୍ରୀ ଗ୍ରହଣ ନକରନ୍ତୁ ବୋଲି ଅନୁରୋଧ ମାନ ଯାଇଥିଲା ଓ ବିବୃତ୍ତିମାନ ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଏତାଦୃଶ ଅନୁରୋଧ ଉପରେ ବିରକ୍ତି ପ୍ରକାଶ କରି ତାଙ୍କ ଦପ୍ତରର ଅଫିସରମାନେ ବିସ୍ମୟ ପ୍ରକାଶ କରିଥିଲେ ଯେ, କାହିଁକି ଅର୍ଥମନ୍ତ୍ରୀଙ୍କର ସମର୍ଥକମାନେ ଅର୍ଥମନ୍ତ୍ରୀଙ୍କୁ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ କରୁନାହାନ୍ତି ?
ଏ ସମସ୍ତ ଅନୁରୋଧ ପତ୍ର ବା ବିବୃତିରେ ସମାନ ଆଶଙ୍କା ପ୍ରକଟିତ ହୋଇଥିଲା ଯେ, ଇସ୍ତଫା ଗ୍ରହଣ କରିନେଲେ ଅର୍ଥନୀତିର ଉଦାରୀକରଣ ପ୍ରକ୍ରିୟାରେ ମନ୍ଥରତା ଆସିଯିବ ଓ ଆନ୍ତର୍ଜାତିକ ସମର୍ଥନ ପ୍ରତ୍ୟାହୃତ ହୋଇଯିବ । ଶିଳ୍ପପତିମାନଙ୍କର ଜଣେ ବଳିଷ୍ଠ ସମର୍ଥକ, ବିଶିଷ୍ଟ ଆଇନଜ୍ଞ ମନମୋହନ ସିଂହଙ୍କର ଇସ୍ତଫା ଗ୍ରହଣ କରାଗଲେ,ଏକ ବିପର୍ଯ୍ୟୟକାରୀ ତୃଟି ଘଟିବ ବୋଲି ଚେତାଇ ଦେଇଥିଲେ । ଘଟଣାକ୍ରମଟିକୁ ସଜାଡି ନେି କୁହାଯାଇପାରେ ଯେ, ଏହି ଶିଳ୍ପପତିମାନଙ୍କର ମନମୋହନଙ୍କ ସମର୍ଥନରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହିଁ କଂଗ୍ରେସ(ଇ) ସଭ୍ୟମାନଙ୍କ ତରଫରୁ ମନମୋହନଙ୍କ ସପକ୍ଷରେ ବିବୃତ୍ତିମାନ ପ୍ରକାଶ ପାଇଲା ଓ ଇସ୍ତଫା ଗ୍ରହଣ କରାଗଲେ ଅର୍ଥନୈତିକ ଉଦାରୀକରଣ ମନ୍ଥର ହୋଇଯିବ ତଥା ଆନ୍ତର୍ଜାତିକ ସମର୍ଥନ ପ୍ରତ୍ୟାହୃତ ହୋଇଯିବ – ସେହି କାରଣଗୁଡିକର ପୁନରାବୃତ୍ତି ହେଲା ।
କିଏ ବା ନଜାଣେ ଯେ, ଅର୍ଥନୈ÷ତିକ ଉଦାରୀକରଣ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସମର୍ଥନ (ନିର୍ଦ୍ଦେଶ)ରେ ଚାଲିଛି । ଏହି ଉଦାରୀକରଣ ଫଳରେ ଦେଶୀ ଶିଳ୍ପପତିମାନଙ୍କୁ ଅନେକ ରିହାତି ମିଳିଛି – କଳାଧନକୁ ଧଳା କରିଦେବାର ବାଟକୁ ସରକାରୀ ସ୍ୱୀକୃତି ମିଳିଛି । ନାଲିଫିତା କଟକଣା ସବୁକୁ ଉଠାଇ ଦିଆଯାଇଛି । ଶ୍ରମ ଆଇନରେ  ପରିବର୍ତ୍ତନ କରାଯିବ ବୋଲି ପ୍ରତିଶୃତି ମିଳୁଛି । ଭି.ପି. ସିଂହ ଅର୍ଥମନ୍ତ୍ରୀ ଥିବାବେଳେ ଯେଉଁ ନିୟମ ଗୁଡିକୁ ଧରି ଦେଶୀ ଶିଳ୍ପପତି ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିଲେ ସେ ନିୟମଗୁଡିକୁ ସବୁ କୋହଳ କରି ଦିଆଯାଇଛି । ତେଣୁ ସ୍ୱାଭାବିକ ଯେ ଦେଶୀ ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ଗତ ୪୫ବର୍ଷରେ ପ୍ରଥମ ଥର ପାଇଁ ‘ସଚ୍ଚୋଟପଣିଆ’, ‘ସାଧୁତା’, ‘କର୍ତ୍ତବ୍ୟ ପରାୟଣତା’ ଓ ‘ବିଶ୍ୱାସନୀୟତା’ ଭଳି ଗୁଣମାନ ମନମୋହନଙ୍କ ଠାରେ ଦୃଶ୍ୟ ହୋଇଛି । ଏହା ଭିନ୍ନ କଥା ଯେ ଯେତେବେଳେ ମନମୋହନଙ୍କର ‘ସଚ୍ଚୋଟପଣିଆ’ ଓ‘ସାଧୁତା’ ଦ୍ୱାରା ତାଙ୍କର ସମର୍ଥକମାନେ ମୁଗ୍ଧ ହୋଇ ଏହାକୁ ପ୍ରଚାର କରିବାରେ ବ୍ୟସ୍ତ ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍. ଶେଷାନ ଜଣାଇଛନ୍ତି ଯେ ମନମୋହନ ମିଥ୍ୟା ଠିକଣା ଦେଇ ଆସାମରୁ ରାଜ୍ୟସଭାର ସଦସ୍ୟ ହୋଇଛନ୍ତି । ତେବେ ଏହି ଉଦାରୀକରଣ ଫଳରେ ସରକାର ଦେଶୀ ଶିଳ୍ପପତିଙ୍କ ପ୍ରତି ଯେତିକି ଉଦାର ହୋଇଛନ୍ତି, ତାହାଠାରୁ ବୋଧହୁଏ ଅଧିକ ଉଦାର ହୋଇଛନ୍ତି ବିଦେଶୀ ପୁଞ୍ଜି ପ୍ରତି- ବହୁଦେଶୀୟ କମ୍ପାନୀମାନଙ୍କ ପ୍ରତି  । ତେଣୁ ମନମୋହନଙ୍କ ଇସ୍ତଫା ଫଳରେ ଆମେରିକା ସ୍ତବ୍ଧ ବୋଲି ଖବର ବାହାରିଛି । ଅଣ ଆବାସିକ ଭାରତୀୟମାନଙ୍କ ତରଫରୁ ଉଦାରୀକରଣ ପ୍ରକ୍ରିୟା ମନ୍ଥର ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ବ୍ରିଟିଶ ସରକାରଙ୍କର ଭାରତରେ ରାଷ୍ଟ୍ରଦୂତ ସାର୍ ନିକୋଲାସ ଫେନ୍ନ (Sir Nicholas Fenn) ଭାଇବୀର ସିଂହଙ୍କୁ ଆନ୍ତର୍ଜାତିକ ପୁରସ୍କାର ଗ୍ରହଣ କରୁ କରୁ (ତା ୨୬.୧୨.୧୯୯୩) ମନମୋହନ ସିଂହଙ୍କୁ ଉଦାରୀକରଣର ଏକ ଆନ୍ତର୍ଜାତିକ ପ୍ରତୀକ (Inernational Symbol) ବୋଲି ଅଭିହିତ କରି – ପ୍ରଧାନମନ୍ତ୍ରୀ ନରସିଂହ ରାଓ ମନମୋହନ ସିଂହଙ୍କର ଇସ୍ତଫା ଗ୍ରହଣ ନକରିବା ପରାମର୍ଶ ଦେଇଥିବାର ଖବର ମଧ୍ୟ ସମ୍ବାଦପତ୍ରରେ ବାହାରିଛି । କଂଗ୍ରେସ(ଇ) ଦଳର ମୁଖପାତ୍ର ଶ୍ରୀ ଭି.ଏନ୍. ଗାଡଗିଲ ଏହି ସବୁକୁ ଲକ୍ଷ୍ୟ କରି କହିଥିଲେ, ‘ତାଙ୍କର ଇସ୍ତଫା ଅର୍ଥନୈ÷ତିକ ସୁଧାର ବିଷୟରେ ଭୂଲ ସଙ୍କେତ ଦେବ ।’ କହିବା ବାହୁଲ୍ୟ ଯେ, ଦେଶୀ ଶିଳ୍ପପତି ଓ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନେ ‘ଆନ୍ତର୍ଜାତିକ ସମର୍ଥନ’ ପାଇଁ ମନମୋହନଙ୍କର ଅପରିହାର୍ଯ୍ୟତାକୁ ଦର୍ଶାଇ- ଏହାହିଁ ଜଣାଇଦେଲେ ଯେ, ମନମୋହନ ପ୍ରକୃତରେ ଭାରତୀୟ ବଜାରକୁ ଉନ୍ମୁକ୍ତ କରିଦେବା ପାଇଁ ଦାବି କରୁଥିବା ଆନ୍ତର୍ଜାତିକ ଗୋଷ୍ଠୀର ଗେହ୍ଲା । ଏହା କେବଳ ଭାରତ ବାହାରୁ ଶିଳ୍ପପତିମାନଙ୍କର ମନ୍ତବ୍ୟରୁ ନୁହେଁ, ବରଂ ଜଣେ ରାଷ୍ଟ୍ରଦୂତଙ୍କର ଉଲ୍ଲିଖିତ ମନ୍ତବ୍ୟରୁ ମଧ୍ୟ ସ୍ପଷ୍ଟ ହୁଏ । ଏହାଛଡା ଯେଉଁମାନେ ବିତର୍କିତ ଡଙ୍କେଇ ଚିଠାର ଉତ୍ସ ଆନ୍ତର୍ଜାତିକ ସଂସ୍ଥା ଗାଟର ପରାମର୍ଶଦାତା ପ୍ରଫେସର ଜଗଦୀଶ ଭଗବତୀଙ୍କର ଏକ ସାକ୍ଷାତକାରକୁ ସ୍ମରଣ କରିପାରିବେ, ତାହାଲେ ସେମାନେ ମନମୋହନ ପ୍ରକୃତରେ କାହାର ଗେହ୍ଲା ତାଙ୍କର ଠିକଣା ପାଇପାରିବେ ।
   ଆଇ.ଏମ.ଏଫ. ଓ ବିଶ୍ୱବ୍ୟାଙ୍କର ଗେହ୍ଲା ମନମୋହନ ।
ଏହି ସାକ୍ଷାତକାର ପ୍ରଫେସର ଭଗବତୀ ଦେଇଥିଲେ ୧୯୯୨ମସିହାର ଉତ୍ତରାର୍ଦ୍ଧରେ ଭାରତ ପରିଦର୍ଶନରେ ଥିବାବେଳେ ସେ କହିଥିଲେ, ‘‘ଯଦି ଡକ୍ଟର ମନମୋହନ ସିଂହଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଏ, ତାହାଲେ ଦେଶକୁ ବହୁତ ବଡ ମୂଲ୍ୟ ଦେବାକୁ ପଡିବ କାରଣ ବିଦେଶୀ ପୁଞ୍ଜି ନିବେଶକାରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ସମର୍ଥନ ଅନ୍ତର୍ହିତ ହୋଇଯିବ ।’’ ଏହିଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବର୍ଷିୟାନ ସାମ୍ବାଦିକ ନିଖିଲ ଚକ୍ରବର୍ତ୍ତୀ ଲେଖିଥିଲେ, ‘‘ଆଶ୍ଚର୍ଯ୍ୟର କଥା ଯେ ସେ (ପ୍ରଫେସର ଭଗବତୀ) ଆମର ଅର୍ଥମନ୍ତ୍ରୀଙ୍କୁ ବିଶ୍ୱବ୍ୟାଙ୍କର ଜଣେ ବିଶ୍ୱସ୍ତ ଏଜେଣ୍ଟ ଭାବେ ଉତ୍ତୋଳିତ କରିବାର ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି । ଜଣେ ଭାବିଥିବ ଯେ ଆମ ଅର୍ଥମନ୍ତ୍ରୀ ଆମ ନିଜ ଜନଗଣଙ୍କ ପ୍ରତି ହିଁ ଉତ୍ତରଦାୟୀ ହେବେ ଯେତେ ଶକ୍ତିଶାଳୀ ହେଲେ ବି ବିଦେଶ ଶକ୍ତିକୁ ନୁହେଁ ’’ (ମେନଷ୍ଟ୍ରିମ, ୦୨ଜାନୁଆରୀ ୧୯୯୩) ।
ତେଣୁ ଇସ୍ତଫାରେ ମାତ୍ର ୩ଦିନ ପରେ ୨୭ ତାରିଖ ଦିନ ଯେତେବେଳେ କଂଗ୍ରେସଦଳ ତରଫରୁ ମନମୋହନଙ୍କର ଇସ୍ତଫା ଗ୍ରହଣ ନକରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟି କରାଗଲା, ସେତେବେଳେ ସର୍ବଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଶ୍ରୀ ଗାଡକିଲଙ୍କୁ ସାମ୍ବାଦିକମାନେ ପଚାରିଥିଲେ – ‘‘ମନମୋହନଙ୍କର ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତରଫରୁ ଭାରତ ସରକାରଙ୍କ ଉପରେ ଚାପ ପଡୁଛି କି ?’’ ପ୍ରତ୍ୟାଶିତ ଉତ୍ତର ଥିଲା ‘ନାଁ’ । କହିବା ବାହୁଲ୍ୟ ଯେ ମନମୋହନଙ୍କ ପ୍ରତି ଗେହ୍ଲାର ପ୍ରକୃତ ଉତ୍ସ – ମା’ର ଗେହ୍ଲାପରି – ଭାରତ ବାହାରେ । ଦେଶ ଭିତରେ ଯେଉଁ ଗେହ୍ଲା ଆମେ ଦେଖୁଛୁ – ତାହାକୁ ଧାଇର ଗେହ୍ଲା ସହ ତୁଳନା କରାଯାଇପାରେ ।

                                                            ମନମୋହନ ଜଣେ ଅଭ୍ୟାସଗତ ଇସ୍ତଫାଦାତା ?
ଜେ.ପି.ସି. ରିପୋର୍ଟକୁ ଭିତ୍ତିକରି ମନମୋହନ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦ୍ୱାରା ଅନେକଙ୍କର ମନେ ହୋଇଥିଲା ଯେ ଲାଲବାହାଦୁର ଶାସ୍ତ୍ରୀ, କୃଷ୍ଣମାଚାରୀ ବା ଭି.କେ. କୃଷ୍ଣମେନନଙ୍କ ସ୍ତରରେ ବୋଲି, କାରଣ ଏମାନଙ୍କର ବ୍ୟକ୍ତିଗତ ଭୁମିକାକୁ ପ୍ରଶ୍ନ କରାଯାଇ ନଥିଲା । କିନ୍ତୁ ଏମାନେ ମନ୍ତ୍ରଣାଳୟର ବିଫଳତା ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ – ଯଦିଓ ପ୍ରଥମରୁ ହିଁ ମନମୋହନଙ୍କର ଇସ୍ତଫାକୁ ଏବେ ନାଟକ ବୋଲି କହି ଏହାର ଅବସାନ ପାର୍ଲିଆମେଣ୍ଟରେ ଜେ.ପି.ସି. ରିପୋର୍ଟ ଆଲୋଚନା ସରିବା ମାତ୍ରେ ଘଟିବ ଓ ମନମୋହନ ସିଂହଙ୍କର ଇସ୍ତଫା ପ୍ରଧାନମନ୍ତ୍ରୀ ଗ୍ରହଣ କରିବେ ନାହିଁ ବୋଲି ଜନତାଦଳର ନେତା ଜର୍ଜ ଫର୍ଣ୍ଣାଣ୍ଡେଜ ଭବିଷ୍ୟତ ବାଣୀ କରିଥିଲେ । ଏହି ଭବିଷ୍ୟତ ବାଣୀ ଯେ ସତ୍ୟହେଲା ଓ ମନମୋହନ ଫେରିଲେ ତାହା ଆଜି ଭାରତବର୍ଷର ଜନସାଧାରଣଙ୍କୁ କହିବାର ଆବଶ୍ୟକତା ନାହିଁ ।
କିନ୍ତୁ ମନମୋହନଙ୍କର ଇସ୍ତଫା ଖବର ପ୍ରଚାରିତ ହେବାମାତ୍ରେ ଏହାକୁ ବିରୋଧୀଦଳର ନେତୃବର୍ଗ ସ୍ୱାଗତ କରିଥିଲେ ଓ ଏତାଦୃଶ ପଦକ୍ଷେପ ପାଇଁ ମନମୋହନ ସିଂହଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ସଂସଦୀୟ ଗଣତନ୍ତ୍ରରେ ଏହା ଏକ ଭଲ ଉଦାହରଣ ବୋଲି ସି.ପି.ଏମ୍. ଦଳର ଲୋକସଭା ସଦସ୍ୟ ସୋମନାଥ ଚାଟାର୍ଜୀ କହିଲା ବେଳେ – ଏହି ଇସ୍ତଫା ଦ୍ୱାରା ମନମୋହନ ସିଂହ ରାଜନୈତିକ ସଚ୍ଚୋଟପଣିଆ ଦେଖାଇଛନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଜନତାଦଳର, ନେତା ଭି.ପି.ସିଂହ ମନ୍ତବ୍ୟ ଦେଇଥିଲେ । ବି.ଜେ.ପି. ନେତା ଜଶୱନ୍ତ ସିଂହ କହିଥିଲେ, ‘‘ଡକ୍ଟର ମନମୋହନ ସିଂହ ଇସ୍ତଫା ଦେଇ ଉଚ୍ଚଲୋକ- ଚରିତ୍ରତ୍ତାର ପରିଚୟ ଦେଇଛନ୍ତି ।’’
ଏହି ମନ୍ତବ୍ୟଗୁଡିକ ଦେବା ସମୟରେ ଏମାନେ ନିଶ୍ଚୟ ଭାବିଥିବେ ଯେ ମନମୋହନ ସିଂହ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆନ୍ତରିକତାର ସହ ନେଇଛନ୍ତି ଓ ସେହି ନିଷ୍ପତ୍ତିରେ ସେ ଅଟଳ ରହିବେ । କିନ୍ତୁ ମନମୋହନ ସିଂହ ଯେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ ନାହିଁ ଏହା କହିବାର ଆବଶ୍ୟକତା ନାହିଁ । ଇସ୍ତଫା ଦେଇସାରି ୪ଦିନ ପର୍ଯ୍ୟନ୍ତ ଅଫିସ ନ ଯିବା, ତାପରେ ଅଫିସ ଯିବା ଓ ଜେ.ପି.ସି. ରିପୋର୍ଟର ଲୋକସଭାରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ଭାବେ ଅଂଶ ଗ୍ରହଣ କରିବା ଅନ୍ତରାଳରେ ମନମୋହନ ସିଂହଙ୍କର ବ୍ୟବହାରର ଚିତ୍ରଣ କରିବାକୁ ଯାଇ ଜଣେ କଂଗ୍ରେସ(ଇ) ସାଂସଦ କହନ୍ତି, ‘‘ଏ’ତ ଠିକ୍ ଗୋଟିଏ ଗେହ୍ଲା ପିଲା (Spoilt child)ର ବ୍ୟବହାର ଭଳି ଯିଏ ତା’ ଦ୍ୱାରା ହୋଇଥିବା ଛୋଟିଆ ଭୂଲଟିକୁ ନମାନି ଅଝଟ କରେ ଯେ ପରିବାର ସାରା ସମସ୍ତେ ତାକୁ ଘେରି ବସନ୍ତୁ ଓ କହନ୍ତୁ ଯେ ସେମାନେ ତାକୁ କେତେ ଭଲ ପାଆନ୍ତି ।’’  (ସନଡେ, ୨-୮ଜାନୁଆରୀ ୧୯୯୪) ଅବଶ୍ୟ ମନମୋହନଙ୍କର ଅର୍ଥମନ୍ତ୍ରୀତ୍ୱ କାଳରେ ହୋଇଥିବା ୬୦୦୦କୋଟି ଟଙ୍କାର ମହାଲୁଣ୍ଠନ ଗୋଟିଏ ଛୋଟିଆ ଭୁଲ ବୋଲି କୁହାଯାଇନପାରେ । ଖେଳର ଓସ୍ତାଦ୍ । ଇସ୍ତଫା ଦେବା ଓ ଇସ୍ତଫା ଗ୍ରହଣ ହେଉ ଏହା ଉପରେ ଜିଦ୍ ନଧରିବା ବା ଇସ୍ତଫା ଦେବା ପାଇଁ ସ୍ଥିରକରିବା ଓ ପୁନଶ୍ଚ ଏଥିରୁ କ୍ଷାନ୍ତ ହେବା- ମନମୋହନଙ୍କ ଜୀବନରେ ନୂତନ ଘଟଣା ନୁହେଁ । ଅବଶ୍ୟ ଏଥରକ ଇସ୍ତଫା ନାଟକ ଭଳି – ପୁର୍ବ ଇସ୍ତଫା ଗୁଡିକର ଏଭଳି ପ୍ରଚାର ହୋଇଥିବାର ନଜିର ନାହିଁ । ମନମୋହନଙ୍କ ବ୍ୟକ୍ତିତ୍ୱର ଏହି ଦିଗଟି ଯଦି ଜେ.ପି.ସି. ସଦସ୍ୟ ଜୟପାଲ ରେଡ୍ଡୀ ଜାଣିଥାନ୍ତେ, ତାହାଲେ ସେ ହୁଏତ କହି ନଥାନ୍ତେ, ‘‘ମୁଁ ତାଙ୍କ (ମନମୋହନଙ୍କ ) ପାଇଁ ଦୁଖିତ । ଯଦିଓ ସେ ତାଙ୍କର ସଚ୍ଚୋଟପଣିଆ (integrity) ଇସ୍ତଫା ଦେଇ ପ୍ରମାଣ କରିଥିଲେ । ଇସ୍ତଫା ପତ୍ୟାହାର କରି ସେ ନିଜର ଭାବମୂର୍ତ୍ତିକୁ ମଳିନ କରିଦେଲେ ।’’ ମନମୋହନଙ୍କ ଦ୍ୱାରା ପୂର୍ବର ଏ ଭଳି ଇସ୍ତଫା ଆତଙ୍କ ସୃଷ୍ଟି କରାଯାଇଥିବାର କେତୋଟି ଦୃଷ୍ଟାନ୍ତ ଏକ ପ୍ରସିଦ୍ଧ ବ୍ୟବସାୟୀ ପତ୍ରିକା ବିଜିନେସ୍ ୱାର୍ଲଡ (୧୨-୨୫ ଜାନୁଆରୀ ୧୯୯୪) ରେ ପ୍ରକାଶିତ ହୋଇଛି ଯାହା ଉଲ୍ଲେଖନୀୟ ।
ଅର୍ଥମନ୍ତ୍ରଣାଳୟ ସହ ଗୁରୁତର ମତଭେଦ ଯୋଗୁଁ ଅଶିଦଶକର ଆଦ୍ୟଭାଗରେ ମନମୋହନ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ପତ୍ରଟି ପଠାଇଥିଲେ କିନ୍ତୁ ଇସ୍ତଫା ଗ୍ରହଣ ହେଉ ଏହା ଉପରେ ଜୋର ଦେଇନଥିଲେ । ପରେ ତାଙ୍କୁ ଯୋଜନା କମିଶନର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା । ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିବାବେଳେ ରାଜୀବ ଗାନ୍ଧୀ ଯୋଜନା କମିଶନକୁ ବିଦୁଷକମାନଙ୍କର ଗୋଠ (a pack of jokers) ବୋଲି କହିଥିଲେ । ଏହାର ପ୍ରତିବାଦରେ ମନମୋହନ ଭାବିଥିଲେ ଇସ୍ତଫା ଦେବେ ବୋଲି, କିନ୍ତୁ ଏ ଦିଗରେ ଆଗେଇଲେ ନାହିଁ । ଅଳ୍ପଦିନପରେ ସାଉଥ କମିଶନର ସଚିବ ଭାବେ ନିଯୁକ୍ତି ପାଇଲେ । ୧୯୯୦ରେ ସେ ଫେରିଲେ ତକ୍ରାଳୀନ  ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଅର୍ଥନୈତିକ ପରାମର୍ଶଦାତା ଭାବେ । ଏହି ନିଯୁକ୍ତି ସେ ପାଇଥିଲେ ଆଜିର ଅର୍ଥସଚିବ  ଓ ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରଣାଳୟରେ ବିଶେଷ ସଚିବ ମୋଣ୍ଟେକ ସିଂହ ଆହୁଲି ୱାଲିଆଙ୍କର ପରାମର୍ଶରେ । କିନ୍ତୁ ଚନ୍ଦ୍ରଶେଖରଙ୍କର ବିଶ୍ୱସ୍ତ ବାମପନ୍ଥୀ ଅର୍ଥନୈତିଜ୍ଞ ଏସ.କେ. ଗୋୟାଲଙ୍କ ସହ ତାଙ୍କର ଗୁରୁତର ମତଭେଦ ହେଲା ଓ ଏଠାରୁ ସେ ଚୁପ୍କରି ଖସିଗଲେ ବିଶ୍ୱବିଦ୍ୟାଳୟ ଅନୁଦାନର ଆୟୋଗ (ୟୁ.ଜି.ସି)ର ଅଧ୍ୟକ୍ଷ ଭାବେ ।

ଆଦର୍ଶ ଉପରେ ଅଟଳ ରହି କ୍ଷମତାକୁ ପଦାଘାତ କରିବାର ମଣିଷ ମନମୋହନ ନୁହନ୍ତି – ଏହାହିଁ ସ୍ପଷ୍ଟ ହୁଏ । ହଠାତ୍ ହୁଏତ ମନଭିତରେ ଆସୁଥିବା କ୍ରୋଧରୁ ସେ ଇସ୍ତଫା ପତ୍ର ଲେଖନ୍ତି କିନ୍ତୁ କ୍ଷମତା ବୃନ୍ତରୁ ବିଚ୍ୟୁତ ହୋଇଯିବାର ଆଶଙ୍କାରେ ସେ ପରବର୍ତ୍ତୀକାଳରେ ଆକ୍ରାନ୍ତ ହୁଅନ୍ତି ଓ ଇସ୍ତଫା ପତ୍ର ଗ୍ରହଣ ହେବା ଉପରେ ଜୋର ଦିଅନ୍ତି ନାହିଁ । ଅବଶ୍ୟ ଆଉ ଏକ ନିଯୁକ୍ତି ପାଇଲେ ସେ ଖସିଯାଆନ୍ତି । ନିଜର ଭାବମୂର୍ତ୍ତୀ ବଢାଇବା ପାଇଁ ଯଦି ମନମୋହନ ଏଭଳି କୌଶଳ ଅବଲମ୍ବନ କରୁଥାନ୍ତି, ତାହାଲେ ମନମୋହନଙ୍କର ବହୁ ପ୍ରଚାରିତ ବ୍ୟକ୍ତିଗତ ସଚ୍ଚୋଟପଣିଆ ବିଷୟାଦି କ୍ଷେତ୍ରରେ ହୁଏତ ଥାଇପାରେ, କିନ୍ତୁ ତାଙ୍କର ବୌଦ୍ଧିକ ବା ଆଧ୍ୟାମିôକ, ସଚ୍ଚୋଟପଣିଆ ସମ୍ମୁଖରେ ପ୍ରଶ୍ନବାଚୀଟିଏ ଦଣ୍ଡାୟମାନ ହୁଏ । ମନକୁ ଆସେ ‘ରାଜନୀତିର ଅନଭିଜ୍ଞ’ ମନମୋହନଙ୍କ ଠାରୁ ହିଁ କେହି ରାଜନୀତି ଶିକ୍ଷା କରିବା ଉଚିତ । ଗେହ୍ଲା ଆମ୍ପୁଡିଲା । ମନମୋହନ କେଡେ ଗେହ୍ଲା ତାହାତ ସ୍ପଷ୍ଟ ଭାବରେ ପ୍ରତିପଦିତ ହୋଇଗଲା- ମା’ର ଗେହ୍ଲା ଯେତେ ପ୍ରତ୍ୟକ୍ଷ ନୁହେଁ – ମା’ର ନିର୍ଦ୍ଦେଶରେ ଧାଈର ଗେହ୍ଲା ବେଶ ପ୍ରତ୍ୟକ୍ଷ । ତେଣୁ ଜେ.ପି.ସି. ଉପରେ ନଦି ଦିଆଗଲା ଦୋଷ । ଗେହ୍ଲାପାଇଁ ଏହାଠାରୁ ବଳି ଅପୂର୍ବ ସୁଯୋଗ କେତେବେଳେ ବା ଆସିବ ଜେ.ପି.ସି. ରିପୋର୍ଟକୁ ଆମ୍ପୁଡି କ୍ଷତବିକ୍ଷତ କରିବାର । ତେଣୁ ଜେ.ପି.ସି. ରିପୋର୍ଟ ଯେତେବେଳେ ବିଦେଶୀ ବ୍ୟାଙ୍କ – ବ୍ୟାଙ୍କ ଅଫ ଆମେରିକା, ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କ, ଏନ.ଜେଡ୍. ଗ୍ରୀଣ୍ଡଲେସ୍ ବ୍ୟାଙ୍କ ଏବଂ ସିଟି ବ୍ୟାଙ୍କକୁ ପ୍ରତିଭୁତି ହେରଫେର ମାମଲାରେ ସଂଶ୍ଲିଷ୍ଟ ଥିବା ଦର୍ଶାଇ ଏମାନଙ୍କ ବିରୋଧରେ ପ୍ରତିରୋଧ ମୂଳକ ବ୍ୟବସ୍ଥା ଉଭୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଅର୍ଥମନ୍ତ୍ରଣାଳୟ ଅତିଶୀଘ୍ର କରିବା ଉଚିତ ବା ଅନ୍ତତଃ ପକ୍ଷେ ବର୍ଷକ ପାଇଁ ଏହି ଚାରୋଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦିଆଯିବା ଉଚିତ ବୋଲି ଅନୁମୋଦନ କରିଥିଲେ, ତାର ପ୍ରତ୍ୟୁତ୍ତରରେ ମନମୋହନ ସିଂହ କହିଥିଲେ ଯେ ସରକାର ଏହି ବ୍ୟାଙ୍କ ଗୁଡିକ ସହ ସଭ୍ୟ (Civilised)ଭାବେ ବ୍ୟବହାର କରିବ । ସତେ ଯେପରି ଜେ.ପି.ସି.ର ଏତାଦୃଶ୍ୟ ଅନୁମୋଦନ ଅସଭ୍ୟ ଥିଲା । ସଭ୍ୟ ବ୍ୟବହାରର ଉଦାହରଣ ଦେଖାଇ ମନମୋହନ ବ୍ୟାଙ୍କ ଅଫ ଆମେରିକାକୁ ଶତକଡା ୮୦ଭାଗ ଅଂଶଧନ ଥାଇ ଏକ ନୂୂତନ ଅର୍ଥସେବା (ୠସଦ୍ଭବଦ୍ଭମସବକ୍ଷ  ଝରକ୍ସଙ୍ଖସମର ଝରମଗ୍ଧକ୍ଟକ୍ସ) ସଂସ୍ଥା ଭାରତ ବର୍ଷରେ ସ୍ଥାପନ କରିବା ପାଇଁ ଜାନୁଆରୀ ୧୭ତାରିଖ (Financial  Service Sector) ସଂସ୍ଥା ଭାରତ ବର୍ଷରେ ସ୍ଥାପନ କରିବା ପାଇଁ ଜାନୁଆରୀ ୧୭ତାରିଖ ଦିନ ଅନୁମତି ଦେଇଦେଲେ ।
ଗେହ୍ଲାର ଆମ୍ପୁଡା କେତେଦୂର ଗଭୀର ହୋଇପାରେ ! ବିଡମ୍ବନା ଯେ ସଚ୍ଚୋଟ ମନମୋହନ ୩୦ଡିସେମ୍ବର ୧୯୯୩ ଦିନ ଲୋକସଭାରେ ପ୍ରତିଶୃତି ଦେଇ କହିଥିଲେ ଯେ ‘‘ସରକାର ଜେ.ପି.ସି. ରିପୋର୍ଟକୁ ଗ୍ରହଣ କରିଛି ଓ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବ, ଯେଉଁମାନ ଦୋଷୀ ତାଙ୍କ ପ୍ରତି ଦଣ୍ଡବିଧାନ କରିବ ।’’
ଉପସଂହାର
ମନମୋହନ କେତେ ଗେହ୍ଲା ଓ କେଉଁମାନଙ୍କର ଗେହ୍ଲା ତାହା ତ ଆମେ ଜାଣିଲେ । କିନ୍ତୁ ‘ତୋ ଭଳିଆ ପିଲା କିଏ ଅଛି ରେ’ ସୁରରେ ‘ମନମୋହନ ଭଳି ସଚ୍ଚୋଟ ବା କିଏ’ ଯେଉଁ ବୃନ୍ଦଗାନ ବା କୋରସ ଆମେ କଂଗ୍ରେସ ସଭ୍ୟମାନଙ୍କ ଠାରୁ ଶୁଣିଲେ ସେଥିରୁ ଏହାହିଁ ଜଣାପଡିଲା ଯେ କଂଗ୍ରେସ ଦଳରେ ବୋଧହୁଏ ଆଉକେହି ସଚ୍ଚୋଟ ଲୋକ ନାହାନ୍ତି । ସେଥିପାଇଁ ବୋଧହୁଏ ରାଜ୍ୟସଭାରେ ଅର୍ଥନୀତିଜ୍ଞ ଅଶୋକ ମିତ୍ର ପଚାରିଥିଲେ ‘‘କଂଗ୍ରେସରେ କ’ଣ ଆଉ ସଚ୍ଚୋଟ ଲୋକ ନାହାନ୍ତି ?’’
ଏହା କଂଗ୍ରେସ ଦଳର ଅନେକଙ୍କ ପାଇଁ ଅଶ୍ୱସ୍ତିକର ଯେ ହୋଇନଥିବ ତାନୁହେଁ – କିନ୍ତୁ ସେମାନେ ତ ନାଚାର । ମନମୋହନଙ୍କୁ ଦୋଳିରେ ବସାଇ, ଝୁଲାଇ ତାଙ୍କୁ ବୋଧ କରିବାକୁ ହେବ ଏ’ତ ମା’ଙ୍କ  ନିର୍ଦ୍ଦେଶ – ସେମାନେ ତ ଧାଈମାତ୍ର ।
ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରତିଭୂତି ହେରଫେର୍ ମାମଲାରେ ‘‘ମୋତେ ଉତ୍ତରଦାୟୀ କରାଯାଇ ପାରିବ ନାହିଁ ।’’ ଏହିଭଳି ଭାବି ନେଇଥିବା ଏବଂ ଜେ.ପି.ସି. ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ ତାର ପ୍ରତିବାଦରେ ଇସ୍ତଫା ଦେଇଥିବା ମନମୋହନ ସିଂହ ପରବର୍ତ୍ତୀ କାଳରେ ଲୋକସଭାରେ କହିଥିଲେ – ‘‘ମୋ ଠାରେ ନ୍ୟସ୍ତ କରାଯାଇଥିବା ବିଷୟ ଗୁଡିକରେ ଘଟିଥିବା ସମସ୍ତ ଘଟଣା ପାଇଁ ମୋର ପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ୱକୁ ମୁଁ ସ୍ୱୀକାର କରୁଛି ।’’
ଏହା ହିଁ ବିସ୍ମୟ ଯେ ମନମୋହନଙ୍କର ଦାୟିତ୍ୱବୋଧ ଉପରେ ଜେ.ପି.ସି.ର ମନ୍ତବ୍ୟର ପ୍ରତିବାଦ କରି ଯେଉଁ ମନମୋହନ ଇସ୍ତଫା ଦେଇଥିଲେ ସେହି ସଚ୍ଚୋଟ ମନମୋହନ ସଂପୂର୍ଣ୍ଣ ଘଟଣା ପାଇଁ ନିଜର ଦାୟିତ୍ୱକୁ ସ୍ୱୀକାର କରିବା ପରେ – କିପରି ଇସ୍ତଫା ପତ୍ୟାହାର କରିନେଲେ ?
ବୋଧହୁଏ ବିବେକ ବା ନୀତି ନୈତିକତାର ତାଡନା ଅପେକ୍ଷା ଆଉ କାହାର ତାଡନା ଅଧିକ ଥିଲା ।

ଯାହା ପ୍ରତି ସ୍ନେହର ଆତିଶଯ୍ୟ ସେ ହିଁ ଗେହ୍ଲା । ଗେହ୍ଲାର ଦୋଷତୃଟି ତାକୁ ସ୍ନେହ କରୁଥିବା ମଣିଷମାନଙ୍କୁ ଆଦୌ ଦୃଶ୍ୟ ହୁଏନା । ବରଂ ଏମାନେ ଗେହ୍ଲାର ଦୋଷତୃଟି ଦେଖାଇବାକୁ ଧୃଷ୍ଟତା କରିଥିବା ମଣିଷମାନଙ୍କୁ ଉପରେ ଲମ୍ଫ ଦେଇଥାନ୍ତି ଓ ସେମାନଙ୍କୁ ଓଲଟା ଆକ୍ଷେପ କରିଥାନ୍ତି । ଗେହ୍ଲା ଜାଣେ ଯେ ସେ ଗେହ୍ଲା ବୋଲି । ଗେହ୍ଲା ଜାଣେ ତାକୁ ଛାଡି ସେମାନେ ରହିପାରିବେ ନାହିଁ । ତା ବିଚ୍ଛେଦର ଯନ୍ତ୍ରଣା ସେମାନେ ସହି ପାରିବେ ନାହିଁ । ସେ ଅଝଟ କଲେ, ରୁଷିଲେ ସେମାନେ ତାକୁ ମନେଇବେ; ସେ ମାଗୁଥିବା ଜିନିଷ ଆଣିଦେବେ; ସେ ଯାହା ଉପରେ ଚିଡୁଥିବ – ସେ ଜିନିଷଗୁଡିକୁ ତା ନଜରରୁ ସେମାନେ ଦୁରାଇଦେବେ । ଗେହ୍ଲା ସବୁ ଜାଣେ  । ଏହିମାନଙ୍କ ବଳରେ ତାକୁ ଚିଡାଉଥିବା ଲୋକଟିକୁ ସେ ଆମ୍ପୁଡି, ରାମ୍ପୁଡି ପକାଏ ।

Comments are closed.