');}

ଶୁଭ ସନ୍ଧ୍ୟା

print

୨୩ନଭେମ୍ବର ୨୦୦୧, ଶହୀଦ ଭବନ
ନବକୃଷ୍ଣ ଚୋଧୁରୀ ଜନ୍ମ ଶତବାର୍ଷିକୀ କମିଟି ତରଫରୁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆଜି ଏକ ପବିତ୍ର ଦିବସ । ନବବାବୁ ବଞ୍ଚିଥିଲେ ଶତାୟୁ ହୋଇଥାନ୍ତେ । ନବବାବୁଙ୍କର ଉକ୍ରଟ ପ୍ରଚାର ବିମୁଖ ଚରିତ୍ର ସହିତ ଯେଉଁମାନେ ପରିଚିତ ସେମାନେ ସ୍ୱୀକାର କରିବେ ଯେ ଏ’ଭଳି ସମାରୋହକୁ ସେ କଦାପି ପସନ୍ଦ କରିପାରି ନଥାନ୍ତେ । ଏହାହିଁ ବୋଧହୁଏ କାରଣ ଯେ ନବବାବୁଙ୍କର ନୂତନ ଓଡିଶା ଗଠନରେ ଗଠନମୂଳକ ଭୂମିକା ତାଙ୍କ ଜୀବଦ୍ଦଶାରେ ଯେତେ ପ୍ରଚାରିତ ହେବା କଥା ତାହା ହୋଇପାରିଲା ନାହିଁ । ଅଥଚ ତାଙ୍କର ମୃତ୍ୟୁ ପରେ ଇତ୍ୟବସରରେ ପ୍ରକାଶିତ ହୋଇଛି ଚାରୋଟି ଜୀବନ ଚରିତ ଓ ପ୍ରକାଶ ପାଇଛି ଓ ପାଉଛି ଅନେକ ପ୍ରବନ୍ଧ । ନବବାବୁଙ୍କର ବ୍ୟକ୍ତିତ୍ୱର ପ୍ରସାର ଓ ଗଭୀରତା ପ୍ରମାଣ ମିଳୁଛି ଏହି ପ୍ରବନ୍ଧ ଗୁଡିକରୁ, ଜୀବନୀ ଗୁଡିକରୁ । ଲୋକ ସଂପର୍କ ନବବାବୁଙ୍କର ଏତେ ବ୍ୟାପକ ଥିଲା ଯେ – ନୂତନ ନୂତନ ଅଭିଜ୍ଞତାର ଦୃଷ୍ଟାନ୍ତ ପାଇବା ଅସ୍ୱାଭାବିକ ନୁହେଁ । ତାଙ୍କ ସହ ଅଭିଜ୍ଞତା ର ଲୋକେ ଅନେକେ ମରି ହଜିଗଲେଣି । ତଥାପି ଯେଉଁମାନେ ଅଛନ୍ତି ତାଙ୍କର ଅଭିଜ୍ଞତା ଗୁଡିକୁ ସଂଗ୍ରହ କରିବା ଏକ ଆହ୍ୱାନ ହୋଇ ଆମ ସମ୍ମୁଖରେ ଆବିର୍ଭୂତ ହୋଇଛି ।
ନବବାବୁଙ୍କ ବ୍ୟକ୍ତିତ୍ୱର ଉଭୟ ପ୍ରସାର ଓ ଗଭୀରତା ଥିଲା ଅକଳନୀୟ । ସେ ଜଣେ ରାଜନୈତିକ ବ୍ୟକ୍ତି ଥିଲେ । କିନ୍ତୁ ଦଳୀୟ ରାଜନୀତିରୁ ବହୁତ ଶୀଘ୍ର ଉଦ୍ଧ୍ୱର୍କୁ ଯାଇ ପାରୁଥିଲେ, ରାଜ୍ୟର ସ୍ୱାର୍ଥ ଓ ସାଧାରଣ ମଣିଷର ମଙ୍ଗଳ ପାଇଁ ଯୋଜନା ପ୍ରସ୍ତୁତ କଲା ବେଳେ । ବ୍ୟତିବ୍ୟସ୍ତ ହେଉଥିଲେ ସେ ସାଧାରଣ ମଣିଷର ଦୁର୍ଦ୍ଦଶା ଦେଖି । ବ୍ୟାକୁଳ ହୋଇପଡୁଥିଲେ । କେମିତି ତାଙ୍କ ପାଇଁ କିଛି କରିପାରନ୍ତେ ?  କେମିତି ମିଳନ୍ତା ଗୋଟିଏ ପନ୍ଥା ଯାହା ମୁକ୍ତି ଦିଅନ୍ତା ବିଭିନ୍ନ ଶୃଙ୍ଖଳରେ ବନ୍ଧା ମଣିଷଟିକୁ । ତେଣୁ ଅନବରତ ସନ୍ଧାନ । କ୍ଷମତାରେ ରହିକି କିଛି କରାଯାଇପାରେ କି ? ନା, କ୍ଷମତାରେ ରହି କିଛି କରାଯାଇ ପାରେନା । କଂଗ୍ରେସରେ ରହି କିଛି କରାଯାଇପାରେ କି ? ନା ସେଥିରେ ମଧ୍ୟ କିଛି ହୋଇପାରେନା । ଭୂଦାନରେ ଯଦି କିଛି ହୋଇପାରେ ? ନକ୍ସଲମାନେ କିଛି କରିପାରନ୍ତେ କି ? ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ୱାନରେ ଯଦି କିଛି ପରିବର୍ତ୍ତନ ଆସିପାରେ ? ଅସ୍ଥିରତା । ସହସା ମୁକ୍ତି କେମିିତି ମିଳିବ, ଏତେ ଦିନ ଧରି ଶୋଷିତ ମଣିଷକୁ ଶୋଷକ ହାତରୁ ଏହାକୁ ନେଇ ଅସ୍ଥିରତା । ଯିଏ କହୁଛି ଯେ ସେ ମୁକ୍ତିର ପଥ ଜାଣିଛି, ମୁକ୍ତି ଦେବାର ଯୋଜନା ତା ପାଖରେ ଅଛି, ସେ ତାକୁ ବ୍ୟାକୁଳ ହୋଇ ଧରିଛନ୍ତି । ତା ସହିତ କିଛି ଦିନ ମାତିଛନ୍ତି, ତାକୁ ନୈତିକ ସମର୍ଥନ ଦେଇଛନ୍ତି – କାରଣ ସେ ପରା ପ୍ରତିଶୃତି ଦେଇଛି ମଣିଷକୁ ମୁକ୍ତ କରିବ ବୋଲି । ତେଣୁ ମୂଳତଃ ଗାନ୍ଧୀବାଦୀ ନବକୃଷ୍ଣଙ୍କର ବହୁ ମତବାଦ, ଆଦର୍ଶ ସହ ସାକ୍ଷାତକାର ଥିଲା ସ୍ୱାଭାବିକ ।
ତେଣୁ ନବକୃଷ୍ଣଙ୍କର ଏହି ବ୍ୟାପକ ବ୍ୟକ୍ତିତ୍ୱଟିକୁ ହେଜିବା ପାଇଁ ନବବାବୁ ଯେଉଁ ଯେଉଁ ଆଦର୍ଶ ଗୁଡିକର ଗଳିକନ୍ଦିରେ ବିଚରଣ କରିଥିଲେ- ସେହି ଆଦର୍ଶ ଗୁଡିକର ବ୍ୟାଖ୍ୟାକାର ମାନଙ୍କରଠାରୁ ନବବାବୁଙ୍କର ଆଦର୍ଶଗତ ସଂଚାର ପଥଟି ବିଷୟରେ ଅବଗତ ହେବା ଏକ ସୌଭାଗ୍ୟ ନିଶ୍ଚୟ ।
ଯେଉଁମାନେ ଏହି ସୋ÷÷ଭାଗ୍ୟ ଦ୍ୱାରା ଆମକୁ ଅନୁଗୃହୀତ କରୁଛନ୍ତି ସେମାନେ କେହି ଆପଣମାନଙ୍କ ନିକଟରେ ଅଜଣା ଅଶୁଣା ନୁହନ୍ତି- ତେଣୁ ସେମାନଙ୍କର ପରିଚୟ ଦେବା ମୋ ପକ୍ଷରେ ଧୃଷ୍ଟତା ହେବ ବୋଲି ମୁଁ ମନେକରେ । ଶ୍ରୀଯୁକ୍ତ ମନମୋହନ ଚୌଧୁରୀ ସାରା ଭାରତରେ ଜଣେ ବିଶିଷ୍ଟ ସର୍ବୋଦୟ ନେତା ଭାବେ ପରିଚିତ । ନିର୍ବିବାଦ ଗାନ୍ଧୀବାଦୀ କିନ୍ତୁ ଅନ୍ଧ ଅନୁଯାୟୀ ନୁହନ୍ତି । ଭୂଦାନ ଆନ୍ଦୋଳନରେ ସେ ଥିଲେ ସକ୍ରିୟ । ସମସ୍ତ ଚୌଧୁରୀ ପରିବାର ଥିଲେ ସକ୍ରିୟ । ନବକୃଷ୍ଣ ଚୋ÷÷ଧୁରୀଙ୍କର ଭୂଦାନ ଆନ୍ଦୋଳନ ସହ ସଂପୃକ୍ତି ବିଷୟରେ ଆମକୁ ଅବଗତ କରାଇବା ପାଇଁ ବୋଧହୁଏ ତାଙ୍କ ଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ଆଉ କେହି ହୋଇ ପାରନ୍ତି ବୋଲି ମୁଁ ଭାବି ପାରୁ ନାହିଁ । ତାଙ୍କୁ ମୁଁ ସ୍ୱାଗତ କରୁଛି ଓ ଜନ୍ମ ଶତବାର୍ଷିକୀ କମିଟି ତରଫରୁ ତାଙ୍କର ସଦୟ ସମ୍ମତି ପାଇଁ କୃତଜ୍ଞତା ଜଣାଉଛି । ଶ୍ରୀଯୁକ୍ତ କିଶନ୍ ପଟ୍ଟନାୟକଙ୍କର ରାଜନୈତିକ ଚିନ୍ତନର କେନ୍ଦ୍ରରେ ସମାଜବାଦ ତାଙ୍କର ରାଜନୈତିକ ଜୀବନର ଆରମ୍ଭରୁ ଏଯାବତ୍ ଏକ ଅର୍ଦ୍ଧଶତାବ୍ଦୀ ଧରି ଅବିଚଳିତ ଜଣାଇ ବରିବା କିଶନ୍ ବାବୁଙ୍କର ଦୃଢ ରାଜନୈତିକ ଚରିତ୍ରର ସୂଚନା । ସମାଜବାଦର ଏକ ଅପୂର୍ବ ବ୍ୟାଖ୍ୟାକାର ହେବା ସହ କ୍ଷେତ୍ରକର୍ମୀ ମାନଙ୍କ ଗହଣରେ ରହି ତାଙ୍କୁ ଦିଗ୍ଦର୍ଶନ ଦେବାରେ ସେ ହେଉଛନ୍ତି ଏକ କ୍ଲାନ୍ତି ବିହୀନ ବ୍ୟକ୍ତିତ୍ୱ ।
ତିରିଶ ବର୍ଷତଳେ ଯେତେବେଳେ ମୁଁ ବନାରସ ବିଶ୍ୱବିଦ୍ୟାଳୟ ଛାତ୍ର ହୋଇ ନୂଆ କରି ଯାଇଥାଏ, ମୋତେ ସେଠାକାର ଜଣେ ଛାତ୍ର ନେତା ଯିଏକି ଉତ୍ତର ପ୍ରଦେଶରେ ତକ୍ରାଳୀନ ଭାଷା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ – ସେ ପଚାରିଥିଲେ, ‘‘ତୁମେ କିଶନ୍ ପଟ୍ଟନାୟକଙ୍କୁ ଜାଣ ?’’ ମୁଁ ହଁ କହିଥିଲି । ‘‘ସେ ନାଁ ଶୁଣିଛି  ଖୁବ କମ୍ ବୟସରେ ସେ ଏମ୍.ପି.’’, ସେ କହିଥିଲେ ସେ ହେଉଛନ୍ତି ଆମର ନେତା । ସମାଜବାଦୀ ନବଦଳ ସଭାର ନେତା ଥିଲେ କିଶନ୍ ପଟ୍ଟନାୟକ । ଆମର ସୌଭାଗ୍ୟ ଯେ ସେ ନବବାବୁଙ୍କର ସମାଜବାଦ ସହ ସଂପୃକ୍ତି ବିଷୟରେ ଆମକୁ ଅବଗତ କରାଇବେ ।
ନକ୍ସଲପନ୍ଥୀ ମାନଙ୍କ ପ୍ରତି ନବବାବୁଙ୍କର ସହାନୁଭୂତି ସର୍ବବିଦିତ । ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦଣ୍ଡରୁ ମୁକ୍ତ କରାଇବା ପାଇଁ ତାଙ୍କର ବ୍ୟାକୁଳତା ଓ ସଫଳ ଭୂମିକା ସଂପର୍କରେ ପ୍ରାୟଃ ସମସ୍ତେ ଅବଗତ । ତେଣୁ ନବବାବୁଙ୍କର ରାଜନୈତିକ ବ୍ୟକ୍ତିତ୍ୱର ଏହି ଦିଗଟି ନକ୍ସଲ ଆନ୍ଦୋଳନ ସହ ସଂପୃକ୍ତ ଶ୍ରୀଯୁକ୍ତ ଗଣନାଥ ପାତ୍ରଙ୍କୁ ଜନ୍ମ ଶତବାର୍ଷିକୀ କମିଟି ଅନୁରୋଧ କରିଥିଲା । ଏହି ସଭାରେ ସାମିଲ ହୋଇ ତାଙ୍କର ବକ୍ତବ୍ୟ ରଖିବା ପାଇଁ । ଶ୍ରୀଯୁକ୍ତ ଗଣନାଥ ପାତ୍ର ଭୟଙ୍କର ଅସୁସ୍ଥ ଓ ନେଲୋର ଠାରେ ଚିକିତ୍ସିତ ହେଉଛନ୍ତି । ତଥାପି ସେ ଆମର ଅନୁରୋଧ ରକ୍ଷାକରି ତାଙ୍କର ବକ୍ତବ୍ୟଟିକୁ (Casette) କରି ପଠାଇଛନ୍ତି । ଆପଣମାନେ ଯଦି ଅନୁମତି ଦିଅନ୍ତି ତାହାଲେ ଆମେ ଏହି (Casette)ଟି ବଜାଇ ତାଙ୍କର ବକ୍ତବ୍ୟ ଶୁଣି ପାରିବା ।  ଗଣନାଥବାବୁ ତାଙ୍କର ଅସୁସ୍ଥତା ସତ୍ତେ୍ୱ ଆମକୁ ଏହିଭଳି ଅନୁଗୃହୀତ କରିଥିବାରୁ କମିଟି ତରଫରୁ ମୁଁ ତାଙ୍କପ୍ରତି କୃତଜ୍ଞତା ଜ୍ଞାପନ କରୁଛି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।
ଶ୍ରୀମତୀ ବୀଣାପାଣି ଦାସ ସର୍ବଭାରତୀୟ ମହିଳା ସାଂସ୍କୃତିକ ସଂଗଠନର ନେତ୍ରୀ, ସାମ୍ୟବାଦୀ ଚିନ୍ତାଧାରା ପ୍ରୟୋଗ କ୍ଷେତ୍ରରେ ଏକ ଶ୍ରୀମତୀ ବୀଣାପାଣି ଦାସ ସର୍ବଭାରତୀୟ ମହିଳା ସାଂସ୍କୃତିକ ସଂଗଠନର ନେତ୍ରୀ, ସାମ୍ୟବାଦୀ ଚିନ୍ତାଧାରା ପ୍ରୟୋଗ କ୍ଷେତ୍ରରେ ଏକ ଅବିଚଳିତ ବ୍ୟକ୍ତିତ୍ୱ । ମହିଳା ମାନଙ୍କୁ ସଂଗଠନ କରିବା  ବିଶେଷତଃ ଅପସଂସ୍କୃତି ବିରୁଦ୍ଧରେ ସଂଗ୍ରାମ ପାଇଁ ମହିଳା ମାନଙ୍କୁ ପ୍ରସ୍ତୁତ କରାଇବାରେ ତାଙ୍କର ଭୂମିକା ଅନବେଦ୍ୟ । ସେ ସାମ୍ୟବାଦର ଏକ ବହୁଚର୍ଚ୍ଚିତ ପ୍ରବକ୍ତା ଶିବଦାସ ଘୋଷଙ୍କ ଦ୍ୱାରା ଉଦ୍ବୃଦ୍ଧ ଓ ଅନୁପ୍ରାଣିତ । ନବବାବୁଙ୍କର ଶିବଦାସ ଘୋଷ ଓ ତାଙ୍କର ଅନୁଗାମୀ ମାନଙ୍କ ସହ ଥିଲା ସଂପର୍କ । ସେ ସଂପର୍କଟି କିପରି ଥିଲା – ନବବାବୁଙ୍କର ଅକପଟ ସ୍ନେହ ଓ ଶ୍ରଦ୍ଧାର କି ନଜିର ବହନ କରିଥିଲା – କିଭଳି ଭାବେ ଶିବଦାସ ଘୋଷଙ୍କ ଅନୁଗାମୀ ମାନେ ନବବାବୁଙ୍କୁ ଦେଖୁଥିଲେ ସେ ବିଷୟରେ ବୀଣା ଅପା ଆମକୁ କହିବେ । ତାଙ୍କର ସଦୟ ସ୍ୱୀକୃତି ପାଇଁ  ତାଙ୍କୁ କମିଟି ତରଫରୁ କୃତଜ୍ଞତା ଜଣାଉଛି ।
ଏହି ସବୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ମାନଙ୍କ ବ୍ୟତିରେକେ ଏ ସଭାର ମଧ୍ୟ ଆକର୍ଷଣ ହେଉଛନ୍ତି ପ୍ରଫେସର ରାମଜୀ ସିଂହ, ଯିଏ ସୁଦୂର ଭାଗଲପୁରରୁ ଆମ ସହିତ ନବବାବୁଙ୍କୁ ଏହି ଅବସରରେ ଶ୍ରଦ୍ଧା ନିବେଦନ କରିବାକୁ ଆସିଛନ୍ତି । ପ୍ରଫେସର ରାମଜୀ ସିଂହଙ୍କର ଗାନ୍ଧୀ ଚିନ୍ତନ ଓ ସର୍ବୋଦୟ ଚିନ୍ତନରେ ବ୍ୟୁତ୍ପତ୍ତି ସର୍ବସ୍ୱୀକୃତ । ସେ ବାରଣାସୀ ସ୍ଥିତ ଗାନ୍ଧୀ ଶିକ୍ଷା ପ୍ରତିଷ୍ଠାନର ଏକଦା ଥିଲେ ନିର୍ଦ୍ଦେଶକ ଓ ଅଧୂନା ବିହାର ସର୍ବୋଦୟ ମଣ୍ଡଳର ସଭାପତି । ଆଚାର୍ଯ୍ୟ କୂଳର ଉପସଭାପତି । ଜୈନ ବିଶ୍ୱଭାରତୀର ପୂର୍ବତନ କୁଳପତି ଓ ଜଣେ ପୂର୍ବତନ ସାଂସଦ । ବେଶ ସକ୍ରିୟ ସେ ଗାନ୍ଧୀ-ବିନୋବା ଦର୍ଶନ ପ୍ରଚାର ଓ ପ୍ରସାରରେ । ଅଧ୍ୟୟନ ଓ ଗବେଷଣାରେ । ସେ କଷ୍ଟ ସ୍ୱୀକାର କରି ଏତେ ବାଟରୁ ଆସି ଆମ ସହିତ ସାମିଲ ହୋଇଥିବାରୁ ମୁଁ ତାଙ୍କୁ କମିଟି ତରଫରୁ କୃତଜ୍ଞତା ଜଣାଉଛି ।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଆମର ଏହି ସଭାଟି ଏଠାରେ ଉପସ୍ଥିତ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି ମୋର ଆଶା ।
ଧନ୍ୟବାଦ ।

Comments are closed.