ଏହା ହିଁ ହେବାର ଥିଲା

  • 04/09/2015

ଟିମ୍ ଆନ୍ନା (Team Anna) ପରିଶେଷରେ ସ୍ଥିର କଲେ ଯେ ସେମାନେ ଆଗାମୀ ନିର୍ବାଚନରେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୋଧରେ ବା ସପକ୍ଷରେ ପ୍ରଚାର କରିବେ ନାହିଁ । (ଦ୍ରଷ୍ଟବ୍ୟ:  Indian Express, 12 January 2012) ଏହା ପୂର୍ବରୁ ସେମାନେ ଘୋଷଣା କରିଥିଲେ ଯେ ସେମାନେ କଂଗ୍ରେସ ଦଳ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ । ଏହାର ଆଧାର ଥିଲା ଆନ୍ନାହଜାରେଙ୍କ ଘୋଷଣା । ୨୭ ଡିସେମ୍ବର ୨୦୧୧ଦିନ ତିନିଦିନିଆ ଅନଶନରେ ବସି ମାତ୍ର ଦେଢ଼ଦିନ ପରେ ଅନଶନ ଭାଙ୍ଗି ଉଠିଯିବା ପରେ, ଆନ୍ନା ହଜାରେ କଂଗ୍ରେସ ବିରୋଧରେ ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଗଣମାଧ୍ୟମ ପାଠକ ତଥା ଦର୍ଶକଙ୍କୁ ସୂଚାଇ ଦେଇଥିଲା । ଏଠାରେ ସ୍ମରଣ କରାଯାଇ ପାରେ ଯେ ଆନ୍ନାଙ୍କର ଏହି ବମ୍ବେଇଆ ଅନଶନ ଦିଲ୍ଲୀ ଅନଶନଗୁଡ଼ିକ ଭଳି ଆକର୍ଷଣୀୟ ହୋଇନଥିଲା । ସାରାଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଦାବି କରୁଥିବା ଆନ୍ନା ଓ ତାଙ୍କର ଟିମ୍ର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଜନସାଧାରଣଙ୍କର ଅଂଶଗ୍ରହଣ ଅତ୍ୟନ୍ତ ନିରୁତ୍ସାହଜନକ ଥିଲା । (ଦ୍ରଷ୍ଟବ୍ୟ: The Times of India, 28 December 2011) । ଆନ୍ନା ହଜାରେ କ’ଣ ସତରେ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରିବେ? ଏହି ପ୍ରଶ୍ନ ଶୁଦ୍ରକର ମନକୁ ଆନେ୍ଦାଳିତ କରୁଥିଲା । କାରଣ ଆନ୍ନା ହଜାରେଙ୍କର ଉନ୍ନତ ଭାବମୂର୍ତ୍ତି, ସରକାରୀ ସମ୍ମାନ (ପଦ୍ମଶ୍ରୀ, ପଦ୍ମଭୂଷଣ) ଇତ୍ୟାଦି ସବୁ ତ କଂଗ୍ରେସ ଦଳ କ୍ଷମତାରେ ଥିଲାବେଳେ ସମ୍ଭବ ହୋଇଛି । ପୁଣି ଅନଶନ ବେଳେ, ସେ କଥାବାର୍ତ୍ତା ପାଇଁ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ବା ମହରାଷ୍ଟ୍ରର କଂଗ୍ରେସ ନେତାମାନଙ୍କୁ ଯେପରି ଅଗ୍ରାଧିକାର-ତାହାର ପୃଷ୍ଠଭୂମିରେ ଆନ୍ନା ହଜାରେ କଂଗ୍ରେସ ବିରୋଧରେ ପ୍ରଚାର କରିବେ ଏହା ଆଦୌ ବିଶ୍ୱାସଯୋଗ୍ୟ ହେଉନଥିଲା । ତେବେ ପରିବର୍ତ୍ତିତ ସ୍ଥିତିରେ ବିଶେଷତଃ ବମ୍ବେ ଅନଶନରେ ଜନସାଧାରଣଙ୍କର ନୈରାଶ୍ୟଜନକ ଅଂଶଗ୍ରହଣ ଓ ରାଜ୍ୟସଭାରେ ଲୋକପାଳ ବିଧେୟକ ଗୃହୀତ ହୋଇ ନପାରିବାର କ୍ଷୋଭରୁ ଏପରି ପ୍ରତିକ୍ରିୟା ଆନ୍ନା ହଜାରେ କରିପାରିଥାନ୍ତି ବୋଲି ମନଭିତରେ ଏକ ଭାବନା ମଧ୍ୟ ଆସିଥିଲା । ତେବେ ଏ ସମସ୍ତ ଆଶଙ୍କା ନିରର୍ଥକ ଥିଲା । କଂଗ୍ରେସ ବିରୋଧରେ ଆନ୍ନା ହଜାରେ ଯେ କଦାପି ଯିବେ ନାହିଁ-ଶୁଦ୍ରକ ମନରେ ବସା ବାନ୍ଧିଥିବା ଏହି ଧାରଣା ଦୃଢ଼ୀଭୂତ ହୋଇଗଲା ଯେତେବେଳେ ରାଲେଗାଁସିଦ୍ଧିଠାରେ ବିଶ୍ରାମ କରୁଥିବା ଆନ୍ନା ହଜାରେଙ୍କୁ ଭେଟିସାରିବା ପରେ ଟିମ୍ ଆନ୍ନା ଘୋଷଣା କଲେ ଯେ ସେମାନେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୋଧରେ ବା ସପକ୍ଷରେ ନିର୍ବାଚନୀ ପ୍ରଚାର କରିବେ ନାହିଁ । ଏହି ସମସ୍ତ ଘଟଣାକ୍ରମ ଉପରେ କେନ୍ଦ୍ର ଆଇନମନ୍ତ୍ରୀ ସଲମାନ ଖୁର୍ସିଦଙ୍କର ମତ ବେଶ୍ ତାପôର୍ଯ୍ୟପୂର୍ଣ୍ଣ । ତାଙ୍କରି ଭାଷାରେ ଆନ୍ନା ନିଜେ କେଭେ କହିନଥିଲେ ଯେ ସେ କୌଣସି ଦଳ ବିରୋଧରେ ପ୍ରଚାର କରିବେ ବୋଲି । ଏକ ଧାରଣା ମାତ୍ର ସୃଷ୍ଟି କରାଯାଇଥିଲା ଯେ ଆନ୍ନା ଓ ତାଙ୍କର ସହଯୋଗୀମାନେ କଂଗ୍ରେସ ବିରୁଦ୍ଧରେ ପ୍ରଚାର କରିପାରନ୍ତି । କିନ୍ତୁ ଏପରି କୌଣସି ନିଷ୍ପତ୍ତି ତାଙ୍କ ଦ୍ୱାରା ନିଆଯାଇ ନଥିଲା । ଆଲୋଚନା ପରେ, ସେମାନେ ଦୁର୍ନୀତି ବିରୋଧରେ ହିଁ ପ୍ରଚାର କରିବାର ଯେଉଁ ନିଷ୍ପତ୍ତି ନେଲେ- ତାହାକୁ ଆମେ ସ୍ୱାଗତ କରୁଛୁ ।’ (‘Anna himself had never said he would campaign against any party. But it was being thought out that he along with his friends would perhaps campaign against congress. But this decision was never taken by him. Now after discussions, they have decided that they would campaign against corruption, which we welcome’- Khursid said. (The Economic Times, 11 January 2012)
ଇତ୍ୟବସରରେ ଆନ୍ନା ହଜାରେଙ୍କ ଗ୍ରାମ ରାଲେଗାଁସିଦ୍ଧିର ସରପଞ୍ଚ ଓ ଆନ୍ନା ଅନୁଯାୟୀ, ଆନ୍ନାଙ୍କର ଆଶୀର୍ବାଦ ନେଇ, କଂଗ୍ରେସ ସହଯୋଗୀ ଶରଦ ପାୱାରଙ୍କର ଏନ୍.ସି.ପି.(N.C.P) ଦଳର ଟିକେଟରେ ପଞ୍ଚାୟତ ନିର୍ବାଚନ ଲଢ଼ୁଛନ୍ତି । ମାନେ ହେଉଛି କଂଗ୍ରେସ ଦଳକୁ କ୍ଷମତାରେ ରହିବାପାଇଁ ସାହାଯ୍ୟ କରୁଥିବା ଶରଦ ପାୱାରଙ୍କର ଏନ୍.ସି.ପି. ଦଳ ପ୍ରତି ଆନ୍ନା ହଜାରେଙ୍କର ପ୍ରତିକୂଳ ମନୋଭାବ କ୍ରମଶଃ ହ୍ରାସ ପାଉଛି । ତା’ନହେଲେ ସେ ତାଙ୍କର ଅନୁଯାୟୀଙ୍କୁ ଶରଦ ପାୱାରଙ୍କ ଏନ୍.ସି.ପି. ଦଳରେ ଯୋଗଦେବାକୁ ଅନୁମତି ଦିଅନ୍ତେ କିପରି । ଆନ୍ନା ହଜାରେ ଓ ଶରଦ ପାୱାରଙ୍କ ମଧ୍ୟରେ ବିଦ୍ୱେଷ କାହାକୁ ବା ଅଜଣା । -ଶୁଦ୍ରକ

Print Friendly, PDF & Email