ଟିମ୍ ଆନ୍ନାରେ ପୁଣି ଫାଟ !

  • 05/09/2015

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଟିମ ଆନ୍ନାରୁ ସହଯୋଗୀମାନେ ଓହରିବା ଏକ ନିୟମିତ ଦୃଶ୍ୟ ହୋଇଛି । ସେହି ଦୃଷ୍ଟିରୁ ଗଣମାଧ୍ୟମରେ ପ୍ରଚାରିତ ସଦ୍ୟତମ ଫାଟରେ ନୂତନତ୍ୱ କିଛି ନାହିଁ । କିନ୍ତୁ ଯେଉଁ କାରଣରୁ ଏହି ଫାଟ ଦେଖାଦେଉଛି – ତାହା ନିଶ୍ଚିତ ଭାବରେ ଅନନ୍ୟ । ଟିମ୍ ଆନ୍ନା ଦ୍ୱାରା ପ୍ରସ୍ତୁତ ୧୫ଜଣ ଦୁର୍ନୀତିଗ୍ରସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ସ୍ଥାନପାଇବା -ଏହି ଫାଟର କାରଣ ହୋଇଛି । ମନମୋହନ ସିଂହ ଯେ ଦୁର୍ନୀତିଗ୍ରସ୍ତ -ଟିମ୍ଆନ୍ନାର ସଦସ୍ୟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସନ୍ତୋଷ ହେଗଡ଼େ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନୁହନ୍ତି । ଏହି ତାଲିକାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଏମ୍. କ୍ରିଷ୍ଣା ସ୍ଥାନିତ ହେବାକୁ ମଧ୍ୟ ସନ୍ତୋଷ ହେଗ୍ଡେ ଗ୍ରହଣ କରିପାରିନାହାନ୍ତି । ଏସ୍.ଏମ୍.କ୍ରିଷ୍ଣା ଓ ସନ୍ତୋଷ ହେଗଡ଼େ ଉଭୟେ ହେଉଛନ୍ତି କର୍ଣ୍ଣାଟକର ଅଧିବାସୀ । ସ୍ୱାଭାବିକ ସନ୍ତୋଷ ହେଗଡ଼େ ଟିମ ଆନ୍ନାର ଏହି ତାଲିକାଠାରୁ ନିଜକୁ ଦୂରେଇ ନେଇଛନ୍ତି । ଏସ୍.ଏମ୍.କ୍ରିଷ୍ଣା ମାନହାନି ମକଦ୍ଧମା କରିବେ ବୋଲି ଟିମ୍ ଆନ୍ନାକୁ ଧମକ ଦେଇଛନ୍ତି । ମନମୋହନ ସିଂହ ମଧ୍ୟ ଆହ୍ୱାନ ଦେଇଛନ୍ତି ଟିମ ଆନ୍ନାକୁ -ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ପ୍ରମାଣ କରିବା ପାଇଁ । ଅଭିଯୋଗ ପ୍ରମାଣିତ ହେଲେ- ଜନଜୀବନ (Public Life)ରୁ ସମ୍ପୂର୍ଣ୍ଣ ଓହରି ଯିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ମନମୋହନ ସିଂହଙ୍କର ସାଧୁତାକୁ ତ ଟିମ ଆନ୍ନାର ମୁଖିଆ ଆନ୍ନା ହଜାରେ ମଧ୍ୟ ସ୍ୱୀକାର କରନ୍ତି । କିନ୍ତୁ ପ୍ରଶାନ୍ତ ଭୂଷଣଙ୍କର ଅଭିଯୋଗ ଯେ ମନମୋହନ ଉପା ସରକାର ଦ୍ୱାରା ହେଉଥିବା ଦୁର୍ନୀତିର ଘଣ୍ଟ ଘୋଡ଼ାଉଛନ୍ତି । ତାଙ୍କ ଭାଷାରେ, “କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଶୀଖଣ୍ଡୀ ଭଳି ଏକ ଢାଲ ସଦୃଶ ବ୍ୟବହାର କରୁଛନ୍ତି । ସେମାନେ ତାଙ୍କୁ ସ୍ୱଚ୍ଛ ବୋଲି ଦେଖାଇ କ୍ୟାବିନେଟ୍ ସ୍ୱଚ୍ଛ ବୋଲି କହୁଛନ୍ତି । କାହିଁକି ପ୍ରଧାନମନ୍ତ୍ରୀ ଶୀଖଣ୍ଡୀ ଭଳି ବ୍ୟବହୃତ ହେବା ପାଇଁ ଅନୁମତି ଦେଉଛନ୍ତି?” ସମସ୍ତେ ଜାଣନ୍ତି ଭୀଷ୍ମଙ୍କୁ ମାରିବା ପାଇଁ ପାଣ୍ଡବମାନେ ଶୀଖଣ୍ଡୀଙ୍କୁ ବ୍ୟବହାର କରିଥିଲେ , (The New Indian Express, May- 29-2012)ା ଆନ୍ନା ହଜାରେ ଓ ଟିମ ଆନ୍ନାକୁ ମୂଳରୁ ସମାଲୋଚନା କରି ଆସୁଥିବା ଶୁଦ୍ରକ କିନ୍ତୁ ଟିମ ଆନ୍ନା ଦ୍ୱାରା ପ୍ରସ୍ତୁତ ଏହି ତାଲିକା ଓ ସେହି ତାଲିକାରେ ମନମୋହନ ସିଂହଙ୍କ ନାମକୁ ଅନ୍ତର୍ଭୁକ୍ତ କରିବାର ସାହସକୁ ତାରିଫ ନକରି ରହିପାରୁନାହିଁ । ତେବେ ମନମୋହନଙ୍କୁ ମହାଭାରତରେ ପାଣ୍ଡବ ପକ୍ଷରେ ଥିବା ଶୀଖଣ୍ଡୀ ନକହି,ତାଙ୍କୁ କୌରବ ପକ୍ଷର ଧୃତରାଷ୍ଟ୍ର, ଏପରିକି ଭୀଷ୍ମ ବୋଲି କହିଥିଲେ ବୋଧହୁଏ ଅଧିକ ଯୁକ୍ତିଯୁକ୍ତ ହୋଇଥାନ୍ତା ।
ପ୍ରଶାନ୍ତ ଭୂଷଣ ମନମୋହନ ସିଂହଙ୍କୁ ଶୀଖଣ୍ଡୀ ବୋଲି କହି କଂଗ୍ରେସକୁ ପାଣ୍ଡବଙ୍କ ସ୍ଥାନ, ନିଜ ଅଜାଣତରେ ବୋଧହୁଏ ଦେଇ ଦେଇଛନ୍ତି । ତାହା ହେଲେ ଦୁର୍ନୀତି ବିରୋଧୀ ମହାଭାରତରେ- ଟିମ୍ ଆନ୍ନା କ’ଣ କୌରବର ଭୂମିକା ନିର୍ବାହ କରୁଛି ? -ଏପରି ପ୍ରଶ୍ନ ସମାଲୋଚକଙ୍କ ମନରେ ଆସିବା ସ୍ୱାଭାବିକ । -ଶୁଦ୍ରକ

Print Friendly, PDF & Email