ମଦ-ମୋଦୀ-ମେଦିନୀ

  • 11/12/2014

ମଦ ଉପରେ କଟକଣାକୁ ଶେଷରେ ଗୁଜୁରାଟର ମୋଦୀ ସରକାର କୋହଳ କଲେ । ରାଜ୍ୟର ଶିଳ୍ପ ମନ୍ତ୍ରୀ ଅନୀଲ ପଟେଲ ଏତ୍ଦ୍ୱାରା ଖୁବ୍ ଉଲ୍ଲସିତ । ଏହାଦ୍ୱାରା ଯେଉଁମାନେ ଅଭିଯୋଗ କରୁଥିଲେ ଯେ ରାଜ୍ୟର ଏତାଦୃଶ କଟକଣା ପୁଞ୍ଜିନିବେଶ କ୍ଷେତ୍ରରେ ଅନ୍ତରାୟ କରେ, ସେମାନେ ନିଶ୍ଚିତ ଭାବରେ କିଛିଟା ଆଶ୍ୱସ୍ତ ହେଉଥିବେ । (For those who have been complaining that the states prohibition policy was acting as a hurdle in the way of attracting investments to it, this comes as a breather – The statesman, 1st Jan 07) ହୋଟେଲ ଶିଳ୍ପକୁ ତ ଏଭଳି ନିଷ୍ପତ୍ତ ଦେଉଛି ଚରମ ସୁଖ (ରାଜ୍ୟର ଶିଳ୍ପପତି ମାନେ ଆଶାବାଦୀ ହୋଇପଡ଼ିଛନ୍ତି ଯେ ସେମାନେ ଏହା ଫଳରେ ଅଧିକରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀ କରାଇପାରିବେ । – ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ହାସଲ କରିପାରିବେ । କହିବା ବାହୁଲ୍ୟ ଯେ ଏଭଳି ନିଷ୍ପତ୍ତି ଜାତୀୟ, ଆନ୍ତର୍ଜାତୀୟ ସମ୍ମିଳନୀ ସାଙ୍ଗରେ ମଦର ମୁକ୍ତ ପ୍ରବାହର ପ୍ରତିଶ୍ରୁତି ବହନ କରେ । ବିଶେଷ ଅର୍ଥନୈତିକ ଅଞ୍ଚଚଳରେ (SEZ) ଏ କଟକଣା ତ ମୂଳରୁ କୋହଳ । ବିଦେଶୀ ପୁଞ୍ଜିନିବେଶକୁ ସହଜ କରିବା ପାଇଁ ମଦର ଆବଶ୍ୟକତାକୁ ନରେନ୍ଦ୍ର ମୋଦୀଙ୍କର ବିଜେପି ସରକାର ସ୍ୱୀକୃତି ଦେବା ଅନେକଙ୍କ ପାଇଁ ଅଶ୍ୱସ୍ତିର କାରଣ ହୋଇପାରେ । ସେହିମାନଙ୍କ ପାଇଁ ତ ନିଶ୍ଚୟ ଯେଉଁମାନେ ବିଜେପି ଏକ ‘ନୀତି ନୈତିକତା’ର ଦଳ ବୋଲି ଏଯାବତ୍ ବିଶ୍ୱାସ କରନ୍ତି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଶ୍ରୀ ସୁଦର୍ଶନଙ୍କର ପଶ୍ଚିମ ଅର୍ଥନୈତିକ ଢ଼ାଞ୍ଚଚାକୁ ପ୍ରତ୍ୟାଖ୍ୟାନ କରିବାର ଆହ୍ୱାନକୁ ଗମ୍ଭୀରତାର ସହ ନିଅନ୍ତି । (The statesman, Orissa Plus – 1st January 07)
ତେବେ ଗୋଟିଏ କଥା ସ୍ପଷ୍ଟ ଯେ ବର୍ତ୍ତମାନର ଅର୍ଥନୀତି – ମଦାଶ୍ରିତ ହୋଇଛି । ଯେଉଁଠି ମଦର ପ୍ରବାହ ଉପରେ ଅଙ୍କୁଶ ନାହିଁ – ସେଠାରେ ପୁଞ୍ଜିନିବେଶର ପ୍ରତିଶ୍ରୁତି ଅଧିକ – ଏହାହିଁ ମୋଟାମୋଟି ସମ୍ବାଦ । ଓଡ଼ିଶାକୁ ଏତେ ପରିମାଣରେ ପୁଞ୍ଜି ନିବେଶର ପ୍ରତିଶ୍ରୁତି ପଛରେ ମଦ ପ୍ରବାହର ଭୂମିକା ତା’ହେଲେ କେତେ? ଏହା ଅନୁସନ୍ଧାନ ସାପେକ୍ଷ ।
ପୁଞ୍ଜିନିବେଶର ପରିଣତି କ’ଣ? ଏହା ଯେତେ ବଢ଼ିବ ମେଦିନୀ ଉପରୁ ସାଧାରଣ ମଣିଷର ଅଧିକାର ସେତେ ସଙ୍କୁଚିତ ହେବ । ଉଦାହରଣର ତ’ ଅଭାବ ନାହିଁ । ଗୋପାଳପୁର, କାଶୀପୁର, କଳିଙ୍ଗନଗର, ସିଙ୍ଗୁର, ନନ୍ଦିଗ୍ରାମ – ଏ ସବୁଠାରେ ମେଦିନୀ ଉପରୁ ସାଧାରଣ ମଣିଷର ଅଧିକାର ଉପରେ ପୁଞ୍ଜିର ଆରମ୍ଭ ହୋଇଛି ନିର୍ମମ ପ୍ରହାର । ପୁଞ୍ଜି ନିବେଶ ପାଇଁ ମୋଦି ପ୍ରାୟ କ୍ଷମତାସୀନ ନେତୃତ୍ୱର ପାଗଳାମି ବଢ଼ିଛି । ମଦ ନିଶ୍ଚିତ ଏ ପାଗଳାମିକୁ ଅଧିକ ତୀବ୍ର କରିବ । ଏହି ନିଶାରେ କ୍ଷମତାସୀନ ଆହୁରି ଉଚ୍ଚସ୍ୱରରେ, ଅଧିକ ଜୋର ଦେଇ ପୁଞ୍ଜି ପାଗଳାମିକୁ, ସାଧାରଣ ମଣିଷର ମେଦିନୀ ଉପରୁ ଅଧିକାର ସଙ୍କୋଚନକୁ ଯଥାର୍ଥ ସାବ୍ୟସ୍ତ କରିବ । ମଦମତ୍ତ ହୋଇ ଉଠିବ କ୍ଷମତାସୀନ ନେତୃତ୍ୱ ଓ ତାର ସହଯୋଗୀ ଗୋଷ୍ଠୀ – ମେଦିନୀ ଦୋହଲିଯିବ । କି ପ୍ରକାର ପେଟେଣ୍ଟ ମେଡ଼ିସିନ ସାଧାରଣ ମଣିଷ ଦେଲେ – କ୍ଷମତାସୀନର ନିଶା ଭଙ୍ଗ ହେବ – ତାହା ହୁଏତ କଳିଙ୍ଗନଗରରୁ ନନ୍ଦିଗ୍ରାମ ଯାଏଁ ଚାଲିଥିବା ଲଢ଼େଇରୁ ଜଣାପଡ଼ିବ ।

୧୬-୩୦ ଜାନୁଆରୀ ୨୦୦୭

Print Friendly, PDF & Email