');}

କନ୍ଧମାଳରେ ଦଙ୍ଗା : ଧର୍ମ ଅନୁରକ୍ତିର ଅଭିବ୍ୟକ୍ତି ନା ଆଦିବାସୀର ହଂସଗୀତି!

print
୧୬-୩୦ ସେପ୍ଟେମ୍ବର, ୨୦୦୮
କନ୍ଧମାଳରେ ଦଙ୍ଗା ଦୁଇଦଶନ୍ଧି ଭିତରେ ବିଭିନ୍ନ ମାପରେ ସଙ୍ଗଠିତ ହୋଇଛି – ଯଦିଓ ଏଥରକ ଦଙ୍ଗାର ଭୟାବହତା ଓ ବ୍ୟାପକତା ପୂର୍ବ ଦଙ୍ଗାଗୁଡ଼ିକୁ ବଳିପଡ଼ିଛି । ପୁଲିସ ପଶିପାରୁ ନାହିଁ ବୋଲି ଯେତେବେଳେ ସ୍ୱୀକାର କରାଯାଉଛି – ସେତେବେଳେ ପ୍ରଶାସନର ଜାଣତରେ ହଣାକଟା, ଲୁଟ୍ତରାଜ, ଗୃହଦାହ ଯେ ଚାଲିଛି ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ପ୍ରତିଶୋଧ ଯେ ନିର୍ବିରୋଧ ତା’ର ସ୍ୱରୂପ ଦେଖାଇଚାଲିଛି-ଏହା ଜଣାପଡ଼ୁଛି । କେହି କେହି ଗୁଜୁରାଟର ଦଙ୍ଗା ସମୟରେ ଗୁଜୁରାଟ ସରକାରଙ୍କର ଭୂମିକା ସହ ଯଦି ଓଡ଼ିଶା ସରକାରଙ୍କର ଭୂମିକାକୁ ତୁଳନା କରୁଛନ୍ତି – ସେମାନେ ଓଡ଼ିଶାଭୂଇଁରେ ଅସୁରକ୍ଷାର ଏକ ଭୟଙ୍କର ଭବିଷ୍ୟତ ପ୍ରତି ଯେ ଇଙ୍ଗିତ କରୁଛନ୍ତି-ଏଥିରେ ସନେ୍ଦହ ନାହିଁ । ମୁଖ୍ୟ ରାଜନୈତିକ ଦଳ ଯେଉଁମାନେ ସେହି ଅଞ୍ଚଳରୁ ନିର୍ବାଚିତ ହେଉଛନ୍ତି ବା ହେବାର ସମ୍ଭାବନାକୁ ଅଣଦେଖା କରିପାରୁ ନାହାନ୍ତି-ସେମାନେ ଖୁବ୍ ସତର୍କତାର ସହ ନିଜର ବିବୃତ୍ତଗୁଡ଼ିକୁ ତିଆରି କରୁଛନ୍ତି । କାରଣ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ସମର୍ଥନକୁ ହରାଇବା ବିଜ୍ଞତାର ପରିଚୟ ହେବନାହିଁ ବୋଲି ସେମାନେ ବୁଝିଛନ୍ତି । କହିବାବାହୁଲ୍ୟ ଯେ ଦଙ୍ଗା ସିନା ତା’ର ନିଜସ୍ୱ ଗତିରେ କ୍ଲାନ୍ତ ହୋଇପଡ଼ି ନିସ୍ତବ୍ଧ ହୋଇଯିବ – କୌଣସି ମୁଖ୍ୟ ରାଜନୈତିକ ଦଳ ଏହାର ଗତିକୁ ରୋଧ କରିବା ପାଇଁ ସଚେତନ ଉଦ୍ୟମ କରିବେନାହିଁ । ପରସ୍ପରପ୍ରତି ଦୋଷାରୋପରେ ନିଜର ଭୂମିକାକୁ ସୀମିତ ରଖିବାକୁ ହିଁ ନିରାପଦ ମଣିବେ । ବୋଧହୁଏ ଏହି ଧାରଣା ଆମ୍ଭ ମନରେ ଆସନ୍ତା ନାହିଁ ଯଦି ଆମ୍ଭେ ଦେଖୁଥାନ୍ତୁ ଯେ ସରକାରୀ ଦଳ ଓ ବିରୋଧୀ ଦଳମାନଙ୍କର ଏକ ସମନ୍ୱୟ ସମିତି ଗଠିତ ହୋଇ – ଦଙ୍ଗା ଅଞ୍ଚଳକୁ ସହସା ଯାଇଥାନ୍ତେ ଓ ଲୋକଙ୍କ ଭିତରେ ଶାନ୍ତିପ୍ରତିଷ୍ଠା ପାଇଁ ଉଦ୍ୟମ କରିଥାନ୍ତେ । ଏପରି ଉଦ୍ୟମ ହୋଇଥିବାର କୌଣସି ସମ୍ବାଦ ଆମ୍ଭ ନଜରକୁ ଆସିନାହିଁ । ବରଂ ବିଶ୍ୱହିନ୍ଦୁ ପରିଷଦର ପ୍ରବୀଣ ତୋଗାଡ଼ିଆ, ହତ୍ୟା ଘଟଣା ପରଦିନ ଆସି ପହଞ୍ଚô ସରକାରୀ ସୁରକ୍ଷା ଭିତରେ କନ୍ଧମାଳ ଅଞ୍ଚଳ ଯିବା ଅଥଚ ବିରୋଧୀଦଳର ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଶାସନ କନ୍ଧମାଳ ଭିତରକୁ ଯିବାପାଇଁ ଅନୁମତି ନ ଦେବା, ରାଜ୍ୟ ସରକାରଙ୍କର ଦଙ୍ଗାର ସମାଧାନ ଦିଗରେ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ କିଛି କଳାକାର, ଅବସରପ୍ରାପ୍ତ ପ୍ରଶାସକ ଓ ପୁଲିସ ଅଫିସର ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଏକତ୍ରିତ ହୋଇ ଦଙ୍ଗାକୁ ନିନ୍ଦାକରିବା, ନିଷ୍କ୍ରିୟତା ପାଇଁ ସରକାରଙ୍କୁ ଭର୍ତ୍ସନା କରିବା ଓ ତୁରନ୍ତ ସମାଧାନ ପାଇଁ ଦାବି କରିବା – ନିଶ୍ଚିତ ଭାବରେ ଏକ ସୁଖକର ଦୃଶ୍ୟ । ଓଡ଼ିଶାରେ ସିଭିଲ ସୋସାଇଟି (Civil Society)ର ଅଭାବକୁ ଏହିଭଳି ଉଦ୍ୟମ ପୂରଣ କରିବବୋଲି-ସିଭିଲ ସର୍ଭିସରୁ ଅବସର ନେଇ ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ୟକ୍ତିମାନେ ମତପୋଷଣ କରୁଛନ୍ତି । ସାଧାରଣ ଲୋକ, ବିଶେଷତଃ ଆଦିବାସୀ ଓ ଦଳିତଙ୍କର ଜୀବନଜୀବିକା ଉପରେ ଯେତେବେଳେ ଚାଲିଛି ଅବିଶ୍ରାନ୍ତ ଆକ୍ରମଣ; ଜଳ, ଜଙ୍ଗଲ ଓ ଖଣି ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଦେଶୀ ବିଦେଶୀ କମ୍ପାନୀ ଦ୍ୱାରା, ଯେତେବେଳେ ଏହିଭଳି ଦଙ୍ଗା ଆଦିବାସୀ ଓ ଦଳିତଙ୍କର ଏହି କମ୍ପାନୀଗୁଡ଼ିକ ବିରୋଧରେ ଐକ୍ୟବଦ୍ଧତାକୁ ଦୁର୍ବଳକରୁଛି-ସେତେବେଳେ ଏହି କମ୍ପାନୀ ମାନଙ୍କର ବିଭିନ୍ନ ଆଳରେ ପୃଷ୍ଠପୋଷକତାକୁ ଅକୁଣ୍ଠିତ ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କର ନେତୃତ୍ୱରେ ଚାଲୁଥିବା ସିଭିଲ ସୋସାଇଟିର ଗତିଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ଉଚିତ । ବିଶେଷତଃ ସେମାନେ ହିଁ ତୀକ୍ଷ୍ଣ ଦୃଷ୍ଟିରଖିବା ଉଚିତ ଯେଉଁମାନେ ଜୀବନ ଜୀବିକା ପାଇଁ ଲଢ଼ୁଥିବା ଆଦିବାସୀ ଓ ଦଳିତଙ୍କ ସହ ଆନ୍ତରିକତାର ସହିତ ଅଛନ୍ତି ଓ ସାମାଜିକ କାର୍ଯ୍ୟରେ ବୁଦ୍ଧିଜୀବୀମାନଙ୍କର ଭୂମିକାକୁ ସମ୍ମାନ ଦିଅନ୍ତି ।
କିଏ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କଲା? ଏହି ସନ୍ଧାନ ବେଶ୍ ବିତର୍କିତ ହୋଇପଡ଼ିଛି । ସମ୍ବାଦପତ୍ରର ସୂଚନା ଅନୁସାରେ ଜନ୍ମାଷ୍ଟମୀ ସନ୍ଧ୍ୟାରେ ଦଳେ ଲୋକ ମାରଣାସ୍ତ୍ର ଧରି ଜଲେଶପେଟା ଆଶ୍ରମ ଭିତରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ହତ୍ୟା କରିଛନ୍ତି । ଏହା ଘଟିବ ବୋଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଶଙ୍କାକରି ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ଯେ ସଠିକ୍ ପଦକ୍ଷେପ କଲେ ନାହିଁ -ତାହାର ପ୍ରମାଣ ହେଉଛି ଜିଲ୍ଲା ଏସ୍.ପି.ଙ୍କର ନିଲମ୍ବନ । ତେବେ ଯେଉଁ ଦଳ ପଶି ଏହିଭଳି ହତ୍ୟା କଲେ – ସେମାନେ ମାଓବାଦୀ ବୋଲି ରାଜ୍ୟ ପୁଲିସ ପ୍ରଶାସନ ତରଫରୁ ସହସା ଘୋଷଣା କରିଦିଆଗଲା । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କର ଆଶଙ୍କାକୁ ଜିଲ୍ଲା ପୁଲିସ ପ୍ରଶାସନ ଗୁରୁତ୍ୱ ନଦେବା ଅଥଚ ରାଜ୍ୟ ପୁଳିସ ପ୍ରଶାସନ ଘଟଣା ଘଟିବାର କିଛି ସମୟପରେ ଏହା ମାଓବାଦୀଙ୍କ କାର୍ଯ୍ୟ ବୋଲି କହିବା – ପୁଲିସ ପ୍ରଶାସନର ଦୁର୍ବଳତାକୁ ହିଁ ସୂଚିତ କରେ । ଏହା ତ ଭିନ୍ନ କଥା ଯେ ସଂଘ ପରିବାର ଏହି ହତ୍ୟାକାଣ୍ଡ ମାଓବାଦୀମାନେ ଘଟାଇ ନାହାନ୍ତି ବୋଲି ଦୃଢ଼ତାର ସହ କହୁଥିବାବେଳେ – ମାଓବାଦୀଙ୍କ ନାମରେ ପରସ୍ପରବିରୋଧୀ ବିବୃତ୍ତ ଗଣମାଧ୍ୟମରେ ବାହାରିବାରେ ଲାଗିଛି । ଭୂମିଗତ ମାଓବାଦୀ ସଙ୍ଗଠନ ପି.ଏଲ୍.ଜି.ଏ. (P.L.G.A) ନାମରେ ବଣ୍ଟାଯାଉଥିବା ଏକ ପ୍ରଚାରପତ୍ର (Leaflet)ରେ ଏହି ସଙ୍ଗଠନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ମୃତୁ୍ୟଦଣ୍ଡ ଦେଇଛି ବୋଲି କହୁଥିବା ବେଳେ (ଦ୍ରଷ୍ଟବ୍ୟ – ଧରିତ୍ରୀ – ୭/୯/୦୮), ଏହି ସଙ୍ଗଠନ ନାଁରେ ବନ୍ଧା ହୋଇଥିବା ବ୍ୟାନରରେ ଲେଖାହୋଇଛି ଯେ ‘ପୂଜନୀୟ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛରେ ଆମର ହାତ ନାହିଁ’ । (ଦ୍ରଷ୍ଟବ୍ୟ – ଧରିତ୍ରୀ, ୧୧/୯/୦୮) । ବାସ୍ତବିକ ହତ୍ୟାକାରୀ ପ୍ରକୃତରେ କିଏ ? ତାହାର ସନ୍ଧାନ ପାଇବା ଅଧିକରୁ ଅଧିକ ଜଟିଳ ହୋଇପଡ଼ିଛି । ତେବେ ଏକ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ହତ୍ୟାକାରୀକୁ ଠାବ କରାଯାଇପାରେ ।
ଏହି ହତ୍ୟା ଯେ ଦୁଇ ସମ୍ପ୍ରଦାୟ ଭିତରେ ବିଦ୍ୱେଷକୁ ତୀବ୍ର କରିଛି, ଏଥିରେ ସନେ୍ଦହ ନାହିଁ । ଏହି ବିଦ୍ୱେଷ ବୃଦ୍ଧି ଯେଉଁମାନଙ୍କର ଲକ୍ଷ୍ୟ – ଏହି ଦୁର୍ଦ୍ଧଶା, ଅବହେଳା ଓ ଶୋଷଣ ଦ୍ୱାରା ପୀଡ଼ିତ ଦୁଇ ସମ୍ପ୍ରଦାୟର ସଂଖ୍ୟାଗରିଷ୍ଠ ଜନସାଧାରଣ ଭିତରେ ଏହି ବୈଷମ୍ୟ ବୃଦ୍ଧି ଯେ ଶେଷକୁ ଉଭୟଙ୍କ ପାଇଁ କାଳହେବାକୁ ଯାଉଛି-ତାହା ଏହି ଦୁଇ ସମ୍ପ୍ରଦାୟକୁ ବୁଝାଇବା ଆଜି ପ୍ରତ୍ୟେକ ଜନବାଦୀ, ଆଦିବାସୀର ଅସ୍ତିତ୍ୱର ସୁରକ୍ଷା ପାଇଁ ବ୍ୟାକୁଳ ମଣିଷ ପାଇଁ ଏକ ଆହ୍ୱାନ ହୋଇଛି । ଏହିଭଳି କ୍ରମବର୍ଦ୍ଧିଷ୍ଣୁ ବିଦ୍ୱେଷ ଯେ ଆଦିବାସୀ ସମାଜର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟିକରିଛି-ତାହା ପ୍ରତ୍ୟେକ ଆଦିବାସୀ ଯେଉଁ ଧର୍ମାବଲମ୍ବୀ ହେଉନା କାହିଁକି ବୁଝିବା ଦରକାର । ଅବଶ୍ୟ ଏହି ବିଦ୍ୱେଷ ଦ୍ୱାରା ଯଦି ଆଦିବାସୀସମାଜ ଲୋପ ହୋଇଯାଏ – ତା’ହେଲେ ତା’ ମାଟିରେ ଥିବା ଜଳ, ଜଙ୍ଗଲ ଓ ଖଣିକୁ ଆଖେଇଥିବା ବିଶ୍ୱ ସାହୁକାର ପାଇଁ ସେହିପରି ଏକ ସୁଯୋଗ ସୃଷ୍ଟି ହୋଇଯିବ – ଯେପରି ଆମେରିକାରେ ସେଠାକାର ଆଦିମ ଅଧିବାସୀ ନିଃଶେଷ ହୋଇଯିବା ଦ୍ୱାରା ଶ୍ୱେତ ଇଉରୋପୀୟଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲା ।
ଅବଶ୍ୟ ଏଥିପାଇଁ ଯେପରି କଳଙ୍କ ଶ୍ୱେତ ଇଉରୋପୀୟମାନେ ବହନ କରୁଛନ୍ତି – ସେପରି କଳଙ୍କ ବିଶ୍ୱ ସାହୁକାରମାନଙ୍କ ମୁଣ୍ଡରେ ବୋଳାଯାଇପାରିବ ନାହିଁ – କାରଣ ଧର୍ମକୁ ଆଳ କରି ପରସ୍ପର ଭିତରେ ବିଦ୍ୱେଷ ଫଳରେ ଆଦିବାସୀସମାଜ ନିଜେ ନିଃଶେଷ ହୋଇଯିବାର ଯେ ଯୋଜନା କରିଛି ।

Leave a Reply

Your email address will not be published.

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>