ଦିନାକେତେ ଗଣମାଧ୍ୟମରେ ଦରଦାମ ବୃଦ୍ଧିକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଲା । ଭାରତର ପ୍ରଧାନମନ୍ତ୍ରୀ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିବାବେଳେ ଏପରି ବୃଦ୍ଧି କିପରି ହେଉଛି ପ୍ରଶ୍ନ କରି ଅନେକେ ମନମୋହନ ସିଂହଙ୍କର ଅର୍ଥନୀତିରେ ପାରଦର୍ଶିତାକୁ ମଧ୍ୟ ପ୍ରଶ୍ନ କରିପକାଇଲେ । ଭାରତୀୟ ରାଜନୀତିରେ ସବୁଠାରୁ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଯେଉଁମାନେ କହୁଥିଲେ-ସେମାନଙ୍କୁ ଏହି ଦରବୃଦ୍ଧି ମନମୋହନଙ୍କ ବିରୁଦ୍ଧରେ ଆହୁରି ଉଚ୍ଚସ୍ୱରରେ କହିବା ପାଇଁ ଖୋରାକ ଯୋଗାଇଥିଲା ।
ଠିକ୍ ଏହି ସମୟରେ ଆସିଗଲା ଅଣୁଚୁକ୍ତିକୁ ନେଇ ବିତର୍କ, ଆସ୍ଥା ଭୋଟପାଇଁ ପାଗଭିଡ଼ା । ତା’ପରେ ସଂସଦରେ ଆସ୍ଥା ଭୋଟଗ୍ରହଣ ପ୍ରକ୍ରିୟା । ଗୃହଭିତରେ ଭୋଟ କିଣାବିକାର ପ୍ରମାଣ ଦେବାକୁ ଯାଇ କିଛି ସାଂସଦଙ୍କ ଦ୍ୱାରା ବିଡ଼ାବିଡ଼ା ନୋଟ୍ର ପ୍ରଦର୍ଶନ । ମନମୋହନଙ୍କ ସରକାରର ଆସ୍ଥାଭୋଟରେ ବିଜୟ । ମନମୋହନ ସିଂହ ଶକ୍ତିଶାଳୀ ବୋଲି ଗଣମାଧ୍ୟମରେ ଆରମ୍ଭ ହୋଇଗଲା ପ୍ରଚାର । ‘ଜୋ ଜିତା ୱହି ସିକନ୍ଦର’ ନ୍ୟାୟରେ ମନମୋହନ ସିକନ୍ଦର ହେଲେ । ଏପରିକି ଉପା ଯଦି ନିର୍ବାଚନ ପରେ ସରକାର କରେ, ତା’ହେଲେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି – କେହି କେହି କହିବା ଆରମ୍ଭ କରିଦେଲେ । ରାହୁଲ ଗାନ୍ଧୀଙ୍କୁ ଯେଉଁମାନେ ଭାବୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁ ବସିଛନ୍ତି – ତାଙ୍କୁ କ’ଣ ଆହୁରି ଅପେକ୍ଷା କରିବାକୁ ପଡ଼ିବ?
ତେବେ ଆସ୍ଥାଭୋଟରେ ମନମୋହନଙ୍କ ବିଜୟ ପରେ ଦରଦାମ ବୃଦ୍ଧି ଆଉ ମୁଖ୍ୟ ପ୍ରସଙ୍ଗ ହୋଇ ରହିନାହିଁ । ଯଦିଓ ଶତକଡ଼ା ୧୨ରେ ଏହି ହାର ପହଞ୍ଚôଲାଣି । ଏହି ସମ୍ବାଦକୁ ଖବରକାଗଜମାନେ ଭିତରପୃଷ୍ଠାକୁ ନେଇଗଲେଣି । ଆସ୍ଥାଭୋଟରେ ବିଜୟ ପଛରେ ପ୍ରଚୁର ଅର୍ଥ କାରବାରର ଅଭିଯୋଗ ଯେତେବେଳେ ଗଣମାଧ୍ୟମରେ ଜୋର ଧରୁଥିଲା-ସେତିକିବେଳେ ହୋଇଗଲା ବାଙ୍ଗାଲୋର – ଅହମ୍ମଦାବାଦରେ କ୍ରମିକ ବୋମା ବିସ୍ଫୋରଣ । ଗଣମାଧ୍ୟମ ଓ ସମ୍ବାଦପତ୍ରମାନେ ନୋଟ ନେଇ ଭୋଟ ପ୍ରସଙ୍ଗକୁ ପଛରେ ପକାଇ ଅଗ୍ରାଧିକାର ଦେଲେ ବୋମା ବିସ୍ଫୋରଣ ଉପରେ । ପ୍ରଥମେ ଦରଦାମ ବୃଦ୍ଧି, ତା’ପରେ ନୋଟ ନେଇ ଭୋଟ ପ୍ରସଙ୍ଗ, ତା’ପରେ କ୍ରମିକ ବୋମା ବିସ୍ଫୋରଣ-ଲୋକଙ୍କ ନଜରକୁ ଗୋଟିଏ ପ୍ରସଙ୍ଗରୁ ଆଉ ଗୋଟିଏ ପ୍ରସଙ୍ଗକୁ ଡେଇଁବାକୁ ବାଧ୍ୟ ହେଲା ।
ଏହିଭଳି ଦୃଷ୍ଟିକୁ ଡିଅାଁଇବା କୌଣସି ସୁଚିନ୍ତିତ ଯୋଜନାର ଅଂଶ ନା ସଦ୍ୟତମ ସମ୍ବାଦଉପରେ ଅଗ୍ରାଧିକାର ଦେବାପାଇଁ ଗଣମାଧ୍ୟମର ନିଦେ୍ର୍ଧଶର ପରିଣତି-ତାହା ଅନୁସନ୍ଧାନସାପେକ୍ଷ । କିନ୍ତୁ ଏହିଭଳି ଘଟଣାକ୍ରମକୁ ଦେଖି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ କହିବା ଯେ, ବୋମା ବିସ୍ଫୋରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସଙ୍ଗଠିତ କରାଯାଇଛି – ସବୁମହଲରୁ ଏପରିକି ତାଙ୍କ ନିଜ ଦଳଭିତରୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛି । ଅବଶ୍ୟ ଶ୍ରୀମତୀ ସ୍ୱରାଜ ଏହାକୁ ନିଜର ବ୍ୟକ୍ତିଗତ ମତ ବୋଲି କହିଛନ୍ତି । (The Statesman, 11 August, 2008) ।