ଏହି ଶିରୋନାମାରେ ୨୩ ଜୁନ ୨୦୧୩ ଦିନ ଏକ ଆଲୋଚନା ଚକ୍ର ଲୋକସ୍ୱର ଅନୁଷ୍ଠାନ ତରଫରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି । ଏହା ବୋଧହୁଏ ଥିଲା ଏକ ଅପୂର୍ବ ସଂଯୋଗ ଯେ ପ୍ରାୟ ତିନି ଦଶନ୍ଧି ପୂର୍ବେ ଏହି ଦିନ (୨୩ ଜୁନ ୧୯୮୪) ଭ୍ରଷ୍ଟାଚାର ବିହୀନ ରାଜନୀତିର ଅନନ୍ୟ ପ୍ରତୀକ ନବକୃଷ୍ଣ ଚୈାଧୁରୀଙ୍କର ହୋଇଥିଲା ମହାପ୍ରୟାଣ । ଆଡଭୋକେଟ ଅଜିତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବିଷୟରେ ଆଲୋଚନା କରିଥିଲେ ସର୍ବଶ୍ରୀ ସୁରେନ୍ଦ୍ର ପ୍ରଧାନ, ଅଜୟ ଜେନା, ପ୍ରଫୁଲ୍ଲ ସାମନ୍ତରା ଓ ଲିଂଗରାଜଙ୍କ ପରି ମୁଖ୍ୟସ୍ରୋତ ରାଜନୀତିର ପ୍ରଲୋଭନର ଉଦ୍ଧ୍ୱର୍ରେ ଥିବା ସୁପରିଚିତ ସାମାଜିକ-ରାଜନୈ÷ତିକ ବ୍ୟକ୍ତିବୃନ୍ଦ । ଏ ଲେଖକ ସେହି ସଭାରେ ଶ୍ରୋତା ଭାବେ ଉପସ୍ଥିତ ହେବାର ସୈାଭାଗ୍ୟ ପାଇଥିଲା । ସ୍ୱାଭାବିକ ଭାରତବର୍ଷର ରାଜନୀତିର ଆଧାର ଯେହେତୁ ଗଣତନ୍ତ୍ର, ତେଣୁ ସମସ୍ତେ ନିର୍ବାଚନ ସଂସ୍କାର ଉପରେ ହିଁ ଗୁରୁତ୍ୱ ଦେଇଥିଲେ ଓ ମତଦାନକୁ କିପରି ଧନବଳର ପ୍ରଭାବରୁ ମୁକ୍ତ ରଖାଯାଇ ପାରିବ ତାହାର ଉପାୟ ନିର୍ଦ୍ଧାରଣ ହିଁ ନିର୍ବାଚନ ସଂସ୍କାରର ମୂଳ ବିଷୟ ହେବା ଉଚିତ ବୋଲି ଯୁକ୍ତି ବାଢିଥିଲେ, ଏତଦ୍ ଦ୍ୱାରା ଭ୍ରଷ୍ଟାଚାର ବିହୀନ ରାଜନୀତି ସମ୍ଭବ ବୋଲି ଧାରଣା ଦେବାର ଆନ୍ତରିକ ଉଦ୍ୟମ କରିଥିଲେ ।
ଆମେ ଭ୍ରଷ୍ଟାଚାର ବିହୀନ ରାଜନୀତିର ପରିଣତି ଯଦି ଏକ ନିର୍ମଳ ଶାସନକୁ ହିଁ ବୁଝୁ, ତାହାଲେ ଗତ ଶତାବ୍ଦୀର ଷାଠିଏ ଦଶକର ଶେଷାର୍ଦ୍ଧରେ ଓଡିଶା ମାଟିରେ ଉଠିଥିବା ନିର୍ମଳ ଶାସନର ଆହ୍ୱାନକୁ ସ୍ମରଣ କରିପାରିବା । ଏହି ଆହ୍ୱାନ ଥିଲା ବିଜୁ-ବୀରେନ-ନୀଳମଣି (ଥ୍ରୀ ମସ୍କିଟିଅରସ୍) କତ୍ତୃକ ଶାସନର ଦୁର୍ନୀତି ବିରୋଧରେ- ଏହି ଆହ୍ୱାନରୁ ଜନକଂଗ୍ରେସର ହୋଇଥିଲା ସୃଷ୍ଟି କଂଗ୍ରେସ ବିରୁଦ୍ଧରେ । କ୍ଷମତାସୀନ ସ୍ୱତନ୍ତ୍ର -ଜନକଂଗ୍ରେସ ସରକାରର ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ ନିର୍ମଳ ଶାସନର ତତ୍ତ୍ୱ ବୁଝାଇବାକୁ ଯାଇ ନିର୍ଦ୍ଧାରିତ ୩୮୨ଟି ସ୍ଥାନରୁ ୩୭୫ ଟି ସ୍ଥାନରେ ସଭାମାନ କରିଥିଲେ । ଯୋଗାଣ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର ସଚିବାଳୟକୁ ସାଇକେଲରେ କିଛିକାଳ ଯିବା ଆସିବା କରି ନିର୍ମଳ ଶାସନର ସମ୍ଭାବନା ପ୍ରତି ବିଶ୍ୱାସ ସୃଷ୍ଟି କରୁଥିଲେ । ସରଳ ବିଶ୍ୱାସୀ ଜନସାଧାରଣ ଭାବି ଆସୁଥିଲେ ଯେ ଓଡିଶାର ରାଜନୀତିରେ ଏକ ଦୁର୍ନୀତି ମୁକ୍ତ ପରିବେଶ ସୃଷ୍ଟି ହେଉଛି । ତାହା ଯେ ହେଲା ନାହିଁ, ଏହା କହିବା ବାହୁଲ୍ୟ ମାତ୍ର । ଏହା ବା ହୁଅନ୍ତା କିପରି ? ଉତ୍ତର ପଚାଶ ଦଶକରେ, ନବକୃଷ୍ଣ ଚୈାଧୁରୀଙ୍କ ଅପସାରଣ ପରେ, ମହତାବ ଯେଉଁ ପନ୍ଥା ମାନ ଅବଲମ୍ବନ କଲେ, ବିଜୁ-ବୀରେନ-ନୀଳମଣିଙ୍କୁ ବ୍ୟବହାର କରି, କ୍ଷମତାରେ ରହିବା ପାଇଁ ବିଧାୟକ କିଣା-ବିକାର ପରଂପରା ଆରମ୍ଭ କରିଥିଲେ (ବିଶଦ ସୂଚନା ପାଇଁ ନୀଳମଣି ରାଉତରାୟଙ୍କ ଲିଖିତ ‘ସ୍ମୃତି ଓ ଅନୁଭୂତି’ ଦ୍ରଷ୍ଟବ୍ୟ),ସେହି ମହତାବ ହିଁ ଥିଲେ ଜନକଂଗ୍ରେସ ଦଳର ଜନକ । ତଥାପି ଓଡିଶା ବାସୀଙ୍କୁ ନିର୍ମଳ ଶାସନର ଆହ୍ୱାନ କିଛିକାଳ ମୋହଗ୍ରସ୍ତ କରି ରଖିଥିଲା । ଯେଉଁମାନେ ଏହି ଆହ୍ୱାନରେ ପ୍ରବଂଚନାର ଗନ୍ଧ ବାରିପାରୁଥିଲେ, ସେମାନଙ୍କର ସ୍ୱର ନିର୍ମଳ ଶାସନ ଆହ୍ୱାନର କୋଳହାଳ ଭିତରେ ନିସ୍ତେଜ ହୋଇପଡୁଥିଲା ।
ଜାତୀୟ ସ୍ତରରେ ଦୁର୍ନୀତି ବିରୋଧରେ ସ୍ୱର ଉଠିବା ଓ କ୍ଷମତା ପରିବର୍ତ୍ତନରେ ଏହା ନିର୍ଣାୟକ ହେବା ପ୍ରସଂଗରେ ଦୁଇଟି ମାତ୍ର ଦୃଷ୍ଟାନ୍ତ ଉଲ୍ଲେଖ କରାଯାଇ ପାରେ । ପ୍ରଥମଟି ହେଉଛି ଗୁଜରାଟରେ ଚିମନଭାଇ ପଟେଲ ସରକାରର ଦୁର୍ନୀତି ବିରୋଧରେ ଉଠିଥିବା ସ୍ୱର, ବିହାରକୁ ବ୍ୟାପିବା ଓ ପରେ ଏହା ଇନ୍ଦିରା ଗାଂଧୀଙ୍କ ଏକଛତ୍ରବାଦୀ ଶାସନର ବିରୋଧକୁ ରୁପାନ୍ତରିତ ହେବା ଓ ଇନ୍ଦିରା ସରକାରକୁ କ୍ଷମତାଚ୍ୟୁତ କରିବା । ଦ୍ୱିତୀୟଟି ହେଉଛି ବୋଫର୍ସ ଦୁର୍ନୀତି ବିରୋଧରେ ସ୍ୱର ରାଜୀବ ଗାଂଧୀଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ଓ ଭି.ପି.ସିଂହଙ୍କ ସରକାରକୁ କ୍ଷମତାଧିଷ୍ଠିତ କରାଇବା । କିନ୍ତୁ ଏହା କହିବା ଅନାବଶ୍ୟକ ଯେ ଉଭୟ ପରିସ୍ଥିତିରେ, ଏହ ବିସ୍ଥାପନ ସାମୟିକ ବୋଲି ପ୍ରମାଣିତ ହୋଇଥିଲା । ଇନ୍ଦିରା ଗାଂଧୀ ପୁନର୍ବାର କ୍ଷମତାକୁ ଫେରିଥିଲେ । ସେହିଭଳି ଫେରିଥିଲା ରାଜୀବ ଗାଂଧୀଙ୍କ କଂଗ୍ରେସ ଦଳ ତାଙ୍କ ଅବର୍ତ୍ତମାନରେ, ନରସିଂହ ରାଓଙ୍କ ନେତୃତ୍ୱରେ । ସତେଯେପରି କ୍ଷମତା ରାଜନୀତିରେ ଦୁର୍ନୀତି ପ୍ରସଂଗର ଦୀର୍ଘମିଆଦି ପ୍ରଭାବ କିଛି ନାହିଁ । ବରଂ କ୍ଷମତାକୁ ଆସିଲା ପରେ ଯେତେବେଳେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୈ÷ାଣସି ଉଦ୍ୟମ ଆରମ୍ଭ ହୋଇଛି (ଯେପରି ଭି.ପି.ସିଂହଙ୍କ ଦ୍ୱାରା ଉଦ୍ୟମ) ସେତେବେଳେ ସରକାରକୁ ଭାଂଗି ଦେବାର ଉଦ୍ୟମ ଆରମ୍ଭ ହୋଇଯାଇଛି ଭିତରୁ ଓ ବାହାରୁ । ଏହି ଅଭିଞତାରୁ ପ୍ରମାଣିତ ହୁଏ ଯେ ଦୁର୍ନୀତିକୁ ପ୍ରସଂଗ କରି କ୍ଷମତା ବଦଳାଯାଇପାରେ କିନ୍ତୁ ଦୁର୍ନୀତି ଉତ୍ପାଟନର ଉଦ୍ୟମ, ବିଶେଷତଃ କେର୍ପାରେଟ ଦୁର୍ନୀତିର, କ୍ଷମତାସୀନ ହୋଇଥିବା ଦଳ ପାଇଁ ଘାତକ ହୁଏ । ଅର୍ଥାତ୍ ନୂତନ ଭାବେ କ୍ଷମତା ଅକ୍ତିଆର କରିଥିବା ଦଳ ଯଦି କ୍ଷମତାରେ କାଏମ ରହିବାକୁ ଚାହେଁ ତାହାଲେ ଦୁର୍ନୀତି ସହ ସାଲିସ କରିବା ପାଇଁ ବାଧ୍ୟ, ଏହାହିଁ ସମ୍ବାଦ । କ୍ଷମତା ରାଜନୀତି ଓ ଦୁର୍ନୀତି ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ !
ଏହି ଅଭିଞତାର ପୃଷ୍ଠଭୂମିରେ, ଆଜିର ପ୍ରାୟ ସମସ୍ତ ରାଜନୈତିକ ଦଳ, ଏପରିକି ଯେଉଁମାନେ ଇନ୍ଦିରା ବା ରାଜୀବଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ପ୍ରକଟିତ ହୋଇଥିବା ନେତା ମାନଙ୍କ ଦ୍ୱାରା ପରିଚାଳିତ (ଯେପରି ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂହ ଯାଦବ ଆଦି), କ୍ଷମତାରେ ରହିବା ପାଇଁ ବେଶ ବ୍ୟବହାରିକ ହୋଇଛନ୍ତି, ଦୁର୍ନୀତି ପ୍ରସଂଗକୁ ଯେତେ ସମ୍ଭବ ଅଣଦେଖା କରୁଛନ୍ତି ଓ କର୍ପୋରେଟ ସାନ୍ନିଧ୍ୟ ପାଇଁ ବ୍ୟାକୁଳତା ଦେଖାଉଛନ୍ତି । ଏହାହିଁ ବୋଧହୁଏ କାରଣ ଯେ ଆଜି ସାଂସଦ ଓ ବିଧାୟକ ମାନଙ୍କ ମଧ୍ୟରେ ଅପରାଧୀ ପୃଷ୍ଠଭୂମି ଥିବା ବ୍ୟକ୍ତି ଓ କୋଟିପତି ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । ଶିଳ୍ପପତି ଓ ରାଜପରିବାରର ସଭ୍ୟ ମାନେ ଅଧିକ ସଂଖ୍ୟାରେ ସଂସଦ ଓ ବିଧାନ ସଭାର ସଭ୍ୟପଦ ପାଇଁ ଆଗ୍ରାହାନ୍ୱିତ ହେଉଥିବା ଦେଖାଯାଉଛି । ସବୁ ମୁଖ୍େୟସ୍ରାତର ରାଜନୈତିକ ଦଳ ଅର୍ଥବଳ ଓ ବାହୁବଳ ଥିବା ବ୍ୟକ୍ତିଙ୍କୁ ଦଳୀୟ ପ୍ରାର୍ଥୀ କରୁଛନ୍ତି । ଏହିଭଳି ସାମର୍ଥ୍ୟ ନ ଥିବା ବ୍ୟକ୍ତି ପାଇଁ ପ୍ରାର୍ଥୀଟିଏ ହେବା କ୍ରମଶଃ ସ୍ୱପ୍ନ ହୋଇଯାଉଛି । ଅପର ପକ୍ଷରେ କୈାଣସି ମୁଖ୍େୟସ୍ରାତର ରାଜନୈତିକ ଦଳ ନିଜ ପାଂଠିର ଉତ୍ସ ସଂପର୍କରେ ସ୍ୱଚ୍ଛ ନୁହନ୍ତି । ପାଂଠିର ଏକ ଆଖିଦୃଶିଆ ଅଂଶର ଉତ୍ସ କେଉଁଠି, ତାହା ଜଣାଇବା ପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି । ସୂଚନା ଅଧିକାର ଆଇନର ବଶ୍ୟତା ସ୍ୱୀକାର କରିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି । ଏହି ଭଳି ଦୃଶ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବିଶେଷଞ ଆଲୋଚକ ମାନେ ମତ ବ୍ୟକ୍ତ କରୁଛନ୍ତି
ଯେଉଁମାନେ ଅତୀତରେ ରାଜନୀତି ଦୁର୍ନୀତି ମୁକ୍ତ ଥିଲା ବୋଲି କହନ୍ତି ଓ ବର୍ତ୍ତମାନର ଦୃଶ୍ୟ ଦେଖି ମର୍ମାହତ ହୋଇପଡୁଛନ୍ତି, ସେମାନେ ଗତ ଶତାବ୍ଦୀର ଉତ୍ତର ତିରିଶ ଦଶକରେ କେତାଟି ପ୍ରଦେଶରେ ଗଠିତ ଦେଶୀ ସରକାରଙ୍କ ଠାରେ ଦୁର୍ନ୍ନୀତିର ଛିଟା ଦେଖି କ୍ଷୁବ୍ଧ ଗାଂଧୀଙ୍କର ଉକ୍ତିକୁ ସ୍ମରଣ କରିବା ଉଚିତ । ସ୍ୱାଧୀନୋତ୍ତର ଭାରତରେ ନବକୃଷ୍ଣ ଯେତେବେଳେ ଜବାହାରଲାଲଙ୍କ ଦୃଷ୍ଟି ଦଳ ଭିତରେ ଓ ଶାସନରେ ଘଟୁଥିବା ଦୁନର୍୍ୀତି ପ୍ରତି ଆକର୍ଷଣ କଲେ ସେତେବେଳେ ଦୁର୍ନ୍ନୀତିର ସ୍ୱଳ୍ପ୍ପାକାରର ଦ୍ୱାହି ଦେଇ ସ୍କୁଲ ପିଲାଙ୍କ ପରି ବ୍ୟବହାର ନ କରିବାକୁ ନବକୃଷ୍ଣଙ୍କୁ ପରାମର୍ଶ ଦେଇଥିଲେ ନେହେରୁ । ଶୁଣାଯାଏ ଏହାପରେ ନବକୃଷ୍ଣଙ୍କର ନେହେରୁଙ୍କ ସଂପର୍କରେ ମୋହଭଂଗ ହୋଇଥିଲା । ନିଶ୍ଚିତ ଯେ ସେ ସମୟରେ ଦୁର୍ନ୍ନୀତିର ଆକାର ଆଜିର ଦୁର୍ନ୍ନୀତି ତୁଳନାରେ ନଗଣ୍ୟ ଥିଲା ଓ ସୀମିତ ଥିଲା ମଧ୍ୟ ଦୁର୍ନ୍ନୀତିର ପ୍ରକାର ଭେଦ । କିନ୍ତୁ ଯଦି ଆମେ ଇତ୍ୟବସରରେ ସଂଘଟିତ ବସ୍ତୁଗତ ସ୍ଥିତିରେ ପରିବର୍ତ୍ତନ/ବିବର୍ତ୍ତନର ବିପୁଳତାକୁ ବିଚାରକୁ ନେଉ, ତାହାଲେ ଗତ ଶତାବ୍ଦୀର ଚତୁର୍ଥ ଦଶକରେ ଗାଂଧୀଙ୍କୁ ବିବ୍ରତ କରିଥିବା ଦୁର୍ନ୍ନୀତିର କ୍ରମପରିଣତି ଯେ ଆଜିର ଦୃଶ୍ୟମାନ ଦୁର୍ନ୍ନୀତି, ଏହା କହିବା ଅସଂଗତ ହେବ ନାହିଁ । ଅଳ୍ପ ମାତ୍ରାରେ ନିଶା ସେବନ କରୁ କରୁ କିଛିଦିନ ପରେ ନିଶାସକ୍ତ ହୋଇଗଲା ଭଳି । ଅବଶ୍ୟସାଂପ୍ରତିକ ଦୁର୍ନ୍ନୀତିର ଆକାର ଦ୍ୱାରା ବ୍ୟଥିତ ଲିଂଗରାଜ, ଉଲ୍ଲିଖିତ ଆଲୋଚନା ଚକ୍ରରେ, ଏହି ଆକାରର ଦୁର୍ନ୍ନୀତିକୁ ଦେଶଦ୍ରୋହ ବୋଲି ଆଖ୍ୟାୟିତ କରିଛନ୍ତି । କିନ୍ତୁ ବିଡମ୍ବନା ଯେ ଯେଉଁମାନେ ଏହିଭଳି ମହାଦୁର୍ନ୍ନୀତିର ନାୟକମାନଙ୍କୁ ବିରୋଧ କରୁଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ ବୋଲି ଘୋଷଣା କରାଯାଉଛି ।
କହିବା ବାହୁଲ୍ୟ ଯେ ଭାରତୀୟ ରାଜନୀତିରେ କ୍ଷମତା ସହ ଦୁର୍ନ୍ନୀତି ଆରମ୍ଭରୁ ଦୃଶ୍ୟମାନ ହୋଇଛି ଓ ଏହାକୁ ବନ୍ଦ କରିବାର କୈ÷ାଣସି ଦୃଢ ଉଦ୍ୟମ ପ୍ରଥମରୁ ହୋଇ ନାହିଁ । ବରଂ ଅଣଦେଖା କରି ଦିଆଯାଇଛି । ଯେଉଁମାନେ ଏହା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ସେମାନେ ନେତୃତ୍ୱ ଦ୍ୱାରା ଉପହସିତ ହୋଇଛନ୍ତି । ଯେଉଁମାନେ କ୍ଷମତା ଭିତରେ ଥାଇ ଦୁର୍ନ୍ନୀତି ବିରୋଧରେ କିଛି ଠୋସ ପଦକ୍ଷେପ ନେବାକୁ ଉଦ୍ୟମ କରିଛନ୍ତି, ସେମାନଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଛି । ଗତ ଶତାବ୍ଦୀର ଉତ୍ତର ଅଶି ଦଶକରେ ମାତ୍ର ୬୪ କୋଟି ଟଂକାର ଦୁର୍ନ୍ନୀତି ପରିମାଣ ଦ୍ୱାରା ବିବ୍ରତ ଭାରତବର୍ଷର ନାଗରିକ, ଆଜି ଲକ୍ଷ ଲକ୍ଷ କୋଟି ଟଂକାର ଦୁର୍ନ୍ନୀତି ବିଷୟ ଶୁଣିବାରେ ଅଭ୍ୟସ୍ତ ହୋଇଗଲାଣି । ଗଣ ମାଧ୍ୟମରେ ଏହି ଆକାରର ଦୁର୍ନ୍ନୀତି ପ୍ରଘଟ ହେଉଥିଲେ ହେଁ, ଏହାର କୈ÷ାଣସି ପ୍ରଭାବ ପଡିଲା ପରି ଦେଖାଯାଉନାହିଁ ; ଦୁର୍ନ୍ନୀତିର ଆକାର ସିନା ବଢୁଛି, ଛିଡୁଥିବାର ଦେଖାଯାଉ ନାହିଁ । ମନେହେଉଛି ଯେପରି ଆଲକୋହୋଲିକ(Alchoholic) ହୋଇଯାଇଛି ଭାରତରେ କ୍ଷମତା ରାଜନୀତି ।
ନିର୍ବାଚନ ସଂସ୍କାର କିପରି ହେଲେ, ଏହି ଦୃଶ୍ୟରେ ଆସିବ ଉଜାଣି, ଏହା ଏକ ବଡ ପ୍ରଶ୍ନ । ପୂର୍ବେ ଏକ ନିର୍ବାଚନ ଆଇନରେ ସଂସ୍କାର ହୋଇଥିଲା ଯାହା ଫଳରେ ଆମେ ଆଜି ଜାଣି ପାରୁଛନ୍ତି କେତେ ସଂଖ୍ୟକ କୋଟିପତି, କେତେ ସଂଖ୍ୟକ ଅପରାଧୀ ପୃଷ୍ଠଭୂମି ଥିବା ବ୍ୟକ୍ତି ନିର୍ବାଚନ ଲଢୁଛନ୍ତି ଓ ବିଜୟଲାଭ କରୁଛନ୍ତି ,ଏବଂ ଜାଣୁଛନ୍ତ ିଯେ କୋଟିପତି ଓ ଅପରାଧୀ ପୃଷ୍ଠଭୂମିର ବ୍ୟକ୍ତି ମାନଙ୍କର ସଂଖ୍ୟା ସଂସଦ ଓ ବିଧାନସଭାରେ ଅଧିକରୁ ଅଧିକ ବୃଦ୍ଧି ପାଇବାରେ ଲାଗିଛି । ଅର୍ଥାତ୍ ଏହି ସଂସ୍କାରର କୈଣସି ଅନୁକୂଳ ପ୍ରଭାବ ପଡି ନାହିଁ କେବଳ ପରିସଂଖ୍ୟାନ ଉପଲବ୍ଧ ହେବା ବ୍ୟତିତ । ସଂସ୍କାର ମଧ୍ୟ ହୋଇଛି ଯାହା ଫଳରେ ପ୍ରାର୍ଥୀ ଦାଖଲ କରୁଛି ନିର୍ବାଚନ କମିଶନ କୁ ତାର ନିର୍ବାଚନୀ ଖର୍ଚ୍ଚର ହିସାବ; ପ୍ରାର୍ଥୀର ନିର୍ବାଚନୀ ବ୍ୟୟ ଉପରେ ସୀମା ମଧ୍ୟ ସ୍ଥିର କରାଯାଇଛି । ଏହା ସତ୍ତେ୍ୱ୍ୱ ଖର୍ଚ୍ଚ ହେଉଛି ଅମାପ ଅର୍ଥ । କହିବା ଅନାବଶ୍ୟକ ଯେ ନିର୍ବାଚନ କମିଶନକୁ ନିର୍ବାଚନୀ ଖର୍ଚ୍ଚ ଦାଖଲ ଧର୍ମକୁ ଆଖି ଠାର ମାତ୍ର । ଉଲ୍ଲିଖିତ ଆଲୋଚନା ସଭାରେ ଲିଂଗରାଜଙ୍କର ପ୍ରସ୍ତାବ ଥିଲା ମତଦାନ ପ୍ରକ୍ରିୟାରେ ଅର୍ଥବଳକୁ ହ୍ରାସ କରିବାକୁ ହେଲେ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ଦଳ ମାନଙ୍କର ନିର୍ବାଚନୀ ଖର୍ଚ୍ଚ ରାଷ୍ଟ୍ର ବହନ କରିବା ଉଚିତ ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆଇନରେ ସଂସ୍କାର କରାଯିବା ଉଚିତ । ପୃଥିବୀର ଅନେକ ରାଷ୍ଟ୍ରରେ ଏପରି ବ୍ୟବସ୍ଥା ଅଛି , ବିଶେଷତଃ ଯେଉଁ ଗୁଡିକ ପୁଂଜିବାଦୀ ଗଣତାନ୍ତ୍ରିକ ରାଷ୍ଟ୍ର । କିନ୍ତୁ ଏହା ଦ୍ୱାରା ଯେଉଁ ସର୍ତ୍ତ ଗୁଡିକ ଆରୋପିତ ହେବ ତାହା ମୁଖ୍ୟ ସ୍ରୋତର ରାଜନୈତିକ ଦଳ ବାହାରେ ଯେଉଁ ରାଜନୈତିକ ଦଳ ଅଛି ସେମାନଙ୍କ ପାଇଁ କେତେ ଅନୁକୁଳ ହେବ-ତାହା ବିଚାର କରାଯିବା ଉଚିତ । ଯଦି ନିଷ୍ପତି ହୁଏ ଯେ ସେହି ରାଜନୈତିକ ଦଳ ମାନେ ହିଁ ନିର୍ବାଚନୀ ଖର୍ଚ୍ଚ ବାବଦ ରାଷ୍ଟ୍ରର ସାହାଯ୍ୟ ପାଇବେ ଯେଊଁମାନେ ଅନ୍ୟୁନ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାର ସ୍ଥାନ ସଂସଦ ବା ବିଧାନ ସଭାରେ ଦଖଲ କରିଆସୁଥିବେ, ତାହାଲେ ବିକଳ୍ପ ରାଜନୀତି ପ୍ରତି ପ୍ରତିବଦ୍ଧ ରାଜନୈତିକ ଦଳ ଗୁଡିକ, ଭାରତରେ ଅନେକ ଏପରି ଅଛନ୍ତି, କିପରି ଉପକୃତ ହେବେ ? ବ୍ୟାପକ ପ୍ରଶ୍ନ ଉଠିପାରେ ଯେ ଆଜି ଭାରତବର୍ଷର ଏକ ରାଷ୍ଟ୍ର ଭାବେ ଯାହା ଚରିତ୍ର ସେଥିରେ କ’ଣ ଏପରି ଏକ ସଂସ୍କାର ସମ୍ଭବ ଯାହା ବିକଳ୍ପ ରାଜନୀତିରେ ବିଶ୍ୱାସ କରୁଥିବା ଦଳ ଗୁଡିକ ପାଇଁ ଅନୁକୂଳ ହେବ ? ରାଷ୍ଟ୍ର ନିର୍ବାଚନୀ ଖର୍ଚ୍ଚ ବହନ କଲେ, ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥର ପ୍ରୟୋଗ କ’ଣ ସଂପୂର୍ଣ ଲୋପ ପାଇଯିବ ? ଯେଉଁ ବିପୁଳ ପାଂଠି ମୁଖ୍ୟ ସ୍ରୋତର ରାଜନୈତିକ ଦଳ ମାନେ ସଂଗ୍ରହ କରୁଛନ୍ତି, ତାହା ସେମାନେ କେଉଁଠାରେ ବିନିଯୋଗ କରିବେ ? ରାଷ୍ଟ୍ର ନିର୍ବାଚନୀ ଖର୍ଚ୍ଚ ବହନ କରିବାର ବ୍ୟବସ୍ଥା ସହିତ ଯଦି ପାଂଠି ସଂଗ୍ରହ ଉପରେ କଟକଣା ଜାରୀ କରେ ତାହାଲେ ତ କଥା ଦୋସରା । କିନ୍ତୁ ଯେପରି ପୂର୍ବରୁ କହିଛି ଆମ ରାଷ୍ଟ୍ରର ଯାହା ଚରିତ୍ର ସେଥିରେ ଏତେ ବଡ ସଂସ୍କାର ଆଶା କରିବା ଆକାଶରୁ ତାରା ତୋଳିବା ସଦୃଶ । ତଥାପି ଏହା ଏକ ଉତ୍ତମ ପ୍ରସ୍ତାବ ଏଥିରେ ସନ୍ଦେହ ନାହିଁ । ଯେଉଁମାନେ ବିଶ୍ୱାସ କରନ୍ତି ଯେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ଗୋଟିଏ ପ୍ରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ହେଉ ଓ ଏହାର ବ୍ୟୟ ଭାର ସରକାର ସଂପୂର୍ଣ ଭାବେ ବହନ କରନ୍ତୁ, ସେମାନେ ନିଶ୍ଚିତ ଭାବରେ ଉପରୋକ୍ତ ପ୍ରସ୍ତାବ ସହିତ ଏକମତ ହେବେ । କିନ୍ତୁ ଯେପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରୁ ରାଷ୍ଟ୍ର ତ୍ୱରିତ ଗତିରେ ଓହରିବାରେ ଲାଗିଛି ଓ ଏକ ବୈଷମ୍ୟଯୁକ୍ତ ସମାଜ ଗଠନରେ ରାଷ୍ଟ୍ରର ପରିଚାଳକ ମାନେ ତାଙ୍କର ସମସ୍ତ ପ୍ରଚେଷ୍ଟାକୁ ନିୟୋଜିତ କରିଛନ୍ତି, ସେତେବେଳେ ନିର୍ବାଚନୀ ଖର୍ଚ୍ଚର ବ୍ୟୟ ଭାର ବହନ କରିବା ଓ ପାଂଠି ସଂଗ୍ରହ ଉପରେ ଅଙ୍କୁଶ ଲଗାଇବା ଭଳି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବୈଷମ୍ୟହାନୀ କାରକ ପଦକ୍ଷେପ ରାଷ୍ଟ୍ରଠାରୁ ଆଶା କରିବା ବୃଥା ବୋଲି ମନେ ହୁଏ । ଯେତେବେଳେ ମୁଖ୍ୟସ୍ରୋତର ରାଜନୈତିକ ଦଳ ମାନେ ସୂଚନା ଅଧିକାର ପରିସରଭୁକ୍ତ ନ ହେବା ପାଇଁ ବ୍ୟାକୁଳ ଓ ସେମାନଙ୍କ ଯୁକ୍ତିର ଆଧାର ହେଉଛି ଯେ ସେମାନେ ରାଷ୍ଟ୍ରଠାରୁ କୈାଣସି ଅର୍ଥ ନିଅନ୍ତି ନାହିଁ ସେତେବେଳେ ନିର୍ବାଚନୀ ଖର୍ଚ୍ଚ ବାବଦ ରାଷ୍ଟ୍ରଠାରୁ ଅର୍ଥ ଗ୍ରହଣ କରି ‘ଆ ବଳଦ ମତେ ବିନ୍ଧ’ କେଉଁ ମୁଖ୍ୟସ୍ରୋତର ରାଜନୈତିକ ଦଳ ଚାହିଁବ ? ରାଷ୍ଟ୍ର ଯେଉଁ ପରିମାଣରେ ଅର୍ଥ ଦେବ ତାହାଠାରୁ ଯଥେଷ୍ଟ ଅଧିକ ପରିମାଣର ଅର୍ଥ ଯେ ତାଙ୍କୁ ବାହାରୁ ହେଉଛି ଉପଲବ୍ଧ ।
ରାଜନୀତି କୁ ଭ୍ରଷ୍ଟାଚାର ବିହୀନ କରିବା ପ୍ରସଂଗରେ ଭାରତୀୟ ସମାଜରେ ବିଶେଷତଃ ମଧ୍ୟବିତ୍ତ ବର୍ଗ ଭିତରେ ଭ୍ରଷ୍ଟାଚାର ପ୍ରତି ଥିବା ମାନସିକତାକୁ ଅଣଦେଖା କରାଯାଇ ନ ପାରେ । ଲିଂଗରାଜ ଏହି ମାନସିକତାରେ ଥିବା ବିରୋଧାଭାସର ଏକ ନମୂନା ଦେଇଛନ୍ତି । ତାଙ୍କ ମତରେ ମଧ୍ୟବିତ୍ତ ବର୍ଗରେ ରାଜନୀତି ପ୍ରତି ଏକ ଅସୂୟା ଭାବ ରହିଛି । ଏହି ବର୍ଗ ଭାବେ ଯେ ରାଜନୀତି ହେଉଛି ଦୁବୃର୍ତ୍ତ ମାନଙ୍କର ଶେଷ ଆଶ୍ରୟ ସ୍ଥଳ । (Politics is the last resort of scoundrels) ଅଥଚ ଏହି ବର୍ଗ ତାର ସାମନ୍ୟ ସ୍ୱାର୍ଥ ପାଇଁ ଏହି ରାଜନୈତିକ ବ୍ୟକ୍ତି ମାନଙ୍କ ନିକଟରେ କୃପାପ୍ରାର୍ଥୀ ହୋଇ ଦଣ୍ଡାୟମାନ ହୁଏ । ସେମାନଙ୍କ ସହ ମଂଚରେ ବସିବା ପାଇଁ ବ୍ୟାକୁଳତା ଦେଖାଏ, ସାହିତ୍ୟ-କଳାର ଉପଲକ୍ଷ ଦେଇ । ସେମାନଙ୍କୁ ପ୍ରଶଂସା କରି ନିବନ୍ଧ ଲେଖେ, ଭାଷଣ ଦିଏ । ଏହା ତ ମଧ୍ୟବିତ୍ତ ବର୍ଗର ବହୁ ଚର୍ଚ୍ଚିତ ସୁବିଧାବାଦୀ ଚରିତ୍ର । ଏହି ବର୍ଗ ସୁବିଧା ହାସଲ କରିବା ପାଇଁ ବିପୁଳ ଅର୍ଥ ଲାଂଚ ଦେବା ପାଇଁ ପଶ୍ଚାଦପଦ ହୁଏ ନାହିଁ । ଏପରିକି ବିଶ୍ୱବିଦ୍ୟାଳୟର କୁଳପତି ହେବା ପାଇଁ କୋଟି, କୋଟି ଟଙ୍କା ଲାଂଚ ଦିଏ ।ମେଡିକାଲ କାଉନ୍ସିଲର ଅଧ୍ୟକ୍ଷ ଭାବେ କଲେଜକୁ ସ୍ୱୀକୃତି ଦେବା ପାଇଁ କୋଟି, କୋଟି ଟଙ୍କା ଉକ୍ରୋଚ ନିଏ । ଏହି ବର୍ଗର ସାହିତ୍ୟିକ, କଳାକାର, ସାମ୍ବାଦିକ, ଅଧ୍ୟାପକ ସଂଦିଗ୍ଧ ବିତ୍ତଶାଳୀଙ୍କର ପୃଷ୍ଠପୋଷକତା ନିର୍ବିକାର ଗ୍ରହଣ କରିଥାଏ, ଅର୍ଥର ଉତ୍ସକୁ ପ୍ରଶ୍ନ କରେ ନାହିଁ । ଏହି ଭଳି ଉଦାହରଣ ର ସଂଖ୍ୟାରେ ନିତ୍ୟ ନିୟମିତ ବୃଦ୍ଧି ଘଟୁଛି । ଅସାଧୁ ବ୍ୟକ୍ତି ବା ଠକ (racketeer)କୁ ସମ୍ମାନସ୍ପଦ (worthy racketeer) ବୋଲି ସ୍ୱୀକୃତି ଦିଆ ଯାଉଛି । ପ୍ରକୃତରେ ଯାହା ବିବ୍ରତ କରେ ତାହା ହେଉଛି ମଧ୍ୟବିତ୍ତ ବର୍ଗର ଏହି ଭଳି ‘ମହାନ’ ବ୍ୟକ୍ତି ମାନେ ବିଭିନ୍ନ ସଭା ସମିତିରେ ଦୁର୍ନ୍ନୀତି ବିରୁଦ୍ଧରେ ବିଷୋଦଗାର କରି, ଶ୍ରୋତା ମାନଙ୍କ କରତାଳି ଦ୍ୱାରା ଅଭିନନ୍ଦିତ ହୁଅନ୍ତି । ଜାଣିବା ଶୁଣିବା ଲୋକେ ଏହା ଦେଖି ନିଶ୍ଚିତ ହୋଇଯାନ୍ତି ଯେ ସମାଜରୁ ଦୁର୍ନ୍ନୀତି/ଭ୍ରଷ୍ଟାଚାର କଦାପି ଲୋପ ପାଇବ ନାହିଁ । ଲିଂଗରାଜଙ୍କ ଦ୍ୱାରା ଉତଥାପିତ ଦୁର୍ନ୍ନୀତି ବା ଭ୍ରଷ୍ଟାଚାର ପ୍ରତି ମଧ୍ୟବିତ୍ତ ବର୍ଗର ମାନସିକତାରେ ବିରୋଧାଭାସ, ମଧ୍ୟବିତ୍ତ ବର୍ଗ ଭିତରେ ଦୁର୍ନ୍ନୀତି ବା ଭ୍ରଷ୍ଟାଚାରର ଗ୍ରହଣୀୟତା (ହୋଇପାରେ ଅନ୍ୟନ୍ୟୋପାୟ ହୋଇ) ପ୍ରତି ଇଂଗିତ କରେ ଓ ଏହି ଭଳି ସାମାଜିକ ପରିବେଶରେ ରାଜନୀତି କିପରି ଭ୍ରଷ୍ଟାଚାର ବିହୀନ ହୋଇ ପାରିବ ସେ ସଂପର୍କରେ ଏକ ଆଶଙ୍କା ସୃଷ୍ଟି କରେ ।
ଦୁର୍ନ୍ନୀତି/ଭ୍ରଷ୍ଟାଚାର ପ୍ରସଂଗ ର ଐତିହାସିକତା ଓ ସାଂପ୍ରତିକ ଦୃଶ୍ୟକୁ ବିଚାରକୁ ନେଲେ ଭାରତରେ ଭ୍ରଷ୍ଟାଚାର ବିହୀନ ରାଜନୀତି ନିକଟ ଭବିଷ୍ୟତରେ ସଂଭବ ନୁହେଁ ବୋଲି ମନେ ହୁଏ । ତଥାପି ଏ ଲେଖକ ଦୁର୍ନ୍ନୀତି/ଭ୍ରଷ୍ଟାଚାର ସଂପର୍କରେ ଏହି ଭଳି ଆଲୋଚନା ସଭାକୁ ଏକ ସଚେତନତାର ନଜିର ବୋଲି ସ୍ୱାଗତ କରେ ଓ ଆଶା କରେ ଯେ ଦୁର୍ନ୍ନୀତି/ଭ୍ରଷ୍ଟାଚାର କୁ ବିରୋଧ ଉଚ୍ଚାରଣରେ ସୀମିତ ନ ରହି, ଆଚରଣକୁ ସଂକ୍ରମିତ କରିବ ଯାହାଦ୍ୱାରା ବିରୋଧର ବିଶ୍ୱସନୀୟତା ପ୍ରତିପାଦିତ ହୋଇ ପାରିବ, ସମାଜରେ ବ୍ୟାପୁଥିବା ଦୁର୍ନ୍ନୀତିରେ ଏକ ଉଜାଣି ଆସିବ ଏବଂ ଯେଉଁ ସାମାଜିକ ପରିବେଶ ସୃଷ୍ଟି ହେବ ତାହାହିଁ ଏକ ଭ୍ରଷ୍ଟାଚାର ବିହୀନ ରାଜନୀତିର ସମ୍ଭାବନାକୁ ଉଜାଗର କରିିବ ।