ଭାରତର କୃଷିମନ୍ତ୍ରୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ କଂଗ୍ରେସପାର୍ଟି (ଏନ୍.ସି.ପି)ର ଅଧ୍ୟକ୍ଷ ଶରଦ ପାୱାର ଇତ୍ୟବସରରେ ଓଡ଼ିଶାର ବଡ଼ଚଣା ଅଞ୍ଚଳରେ ଏକ ନିର୍ବାଚନୀସଭାକୁ ସମ୍ବୋଧନ କରି କହିଛନ୍ତି, ‘ରାଜ୍ୟରେ କଂଗ୍ରେସ ଯେତେବେଳେ ବି କ୍ଷମତାକୁ ଆସିଛି, ସେତେବେଳେ କଂଗ୍ରେସ ନେତାମାନେ ନିଜ ଭାଇବନ୍ଧୁ ମାନଙ୍କ ସମ୍ପତ୍ତ ବଢ଼ାଇବା ପାଇଁ ରାଜକୋଷ ଲୁଟ୍ କରିଛନ୍ତି’(ଧରିତ୍ରୀ-୯/୪/୨୦୦୯) । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ କଂଗ୍ରେସକୁ ସମାଲୋଚନା କରୁଥିବା ଶରଦ ପାୱାର କେନ୍ଦ୍ରରେ ଓ ମହାରାଷ୍ଟ୍ର ରାଜ୍ୟରେ କଂଗ୍ରେସ ସହ କ୍ଷମତାରେ ଅଛନ୍ତି । ଅଥଚ ଆମ ରାଜ୍ୟରେ କଂଗ୍ରେସ ଦଳକୁ ସମାଲୋଚନା କରୁଥିବା ଶରଦପାୱାରଙ୍କର ସମ୍ପତ୍ତ ଗତ ପାଞ୍ଚବର୍ଷ ଭିତରେ ଶତକଡ଼ା ୨୩୬ଭାଗ ବୃଦ୍ଧିପାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ୨୦୦୪ରେ ତାଙ୍କ ନିଜ ଘୋଷଣା ଅନୁଯାୟୀ ସମ୍ପତ୍ତର ପରିମାଣ ଥିଲା ୨କୋଟି ୫୩ଲକ୍ଷ ଯାହା ପୁଣି ତାଙ୍କରି ଘୋଷଣା ଅନୁଯାୟୀ ୨୦୦୯ମସିହାରେ ହେଉଛି ୮କୋଟି ୫୩ଲକ୍ଷ । ଏହା ସହିତ ଶରଦପାୱାରଙ୍କର କନ୍ୟା ମାତ୍ର ୩୦ମାସ ତଳେ ରାଜ୍ୟସଭା ସଦସ୍ୟା ହୋଇଥିବା ସୁପ୍ରିୟା ସୁଲେଙ୍କର ସମ୍ପତ୍ତ ଏହି ୩୦ମାସ ଭିତରେ ୪୨କୋଟି ଟଙ୍କାରୁ ବୃଦ୍ଧିପାଇ ପ୍ରାୟ ୫୨କୋଟି ଟଙ୍କାରେ ପହଞ୍ଚôଛି । (ଦ୍ରଷ୍ଟବ୍ୟ-The Economic Times, 7/4/2009) ଆଉଏକ ସୂତ୍ରରୁ ଜଣାପଡ଼ିଛି ଯେ ସୁପ୍ରିୟା ସୁଲେଙ୍କର ୫୨କୋଟି ୩୨ଲକ୍ଷଟଙ୍କାର ସମ୍ପତ୍ତ ଭିତରୁ ତାଙ୍କ ନିଜ ନାମରେ ଅଛି ୧୫କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତ, ତାଙ୍କ ସ୍ୱାମୀ ସଦାନନ୍ଦ ଭାଲଚନ୍ଦ୍ର ସୁଲେଙ୍କ ନାଁରେ ୩୫କୋଟି ୭୮ଲକ୍ଷ ଟଙ୍କା ଓ ତାଙ୍କର ପୁଅଝିଅଙ୍କ ନାଁରେ ୧କୋଟି ୧୬ଲକ୍ଷ ଟଙ୍କାର ସମ୍ପତ୍ତ ଅଛି । ୩୦ଜୁନ୍ ୧୯୬୯ରେ ଜନ୍ମିତ ଶରଦ କନ୍ୟା ୧୯୯୨ମସିହାରେ ବିବାହ କରିଥିଲେ । ବିବାହ ସମୟରେ ସୁପ୍ରିୟାଙ୍କର ସମ୍ପତ୍ତର ପରିମାଣ କେତେଥିଲା ତାହା ଜଣାପଡ଼ିଲେ ଶରଦ ପାୱାରଙ୍କର ସମ୍ପତ୍ତର ତ ଏକ ଆକଳନ କରାଯାଇ ପାରିବ ଓ ବିବାହ ପରଠାରୁ ସୁପ୍ରିୟାଙ୍କର ସମ୍ପତ୍ତ କେଉଁ ହାରରେ ବୃଦ୍ଧିପାଇଛି,ତାହାର ଗୋଟିଏ ଅନୁମାନ ଆମର ହୋଇପାରିବ । ତେବେ ଲାଭାସା କର୍ପୋରେସନ (Lavasa Corporation)ସହ ତାଙ୍କ ଝିଅ, ଜୋଇଁଙ୍କର ସମ୍ପୃକ୍ତି ଓ ଏହି କର୍ପୋରେସନକୁ ମହାରାଷ୍ଟ୍ର ସରକାରଙ୍କ ଅହେତୁକ ଅନୁକମ୍ପା (ଦ୍ରଷ୍ଟବ୍ୟ-ଦି ଟାଇମ୍ସ ଅଫ୍ ଇଣ୍ଡିଆ, ୧୪ଜାନୁଆରୀ ୨୦୦୬) ଶରଦ ପାୱାରଙ୍କର ବନ୍ଧୁବାନ୍ଧବଙ୍କର ସମ୍ପତ୍ତ ବୃଦ୍ଧିର ଉତ୍ସ କେଉଁଠି ତାହାର ସୂଚନା ଦେଉଛି । ଏହି କମ୍ପାନୀ କେଉଁଭଳି ଭାବେ ସାଧାରଣ ଲୋକଙ୍କୁ ଜଳ, ଜମି, ଜଙ୍ଗଲକୁ ଉଦ୍ବାସ୍ତୁ କରୁଛି – ତାହାର ସୂଚନା ମିଳେ Down to Earth ସେପ୍ଟେମ୍ବର ୧୫, ୨୦୦୮ ସଂଖ୍ୟାରେ ପ୍ରକାଶିତ ଏକ ପ୍ରବନ୍ଧରୁ । (ଦ୍ରଷ୍ଟବ୍ୟ – Houl of the hills by Nidhi Jamwal) ଶରଦ ପାୱାରଙ୍କର ଏହି ପୃଷ୍ଠଭୂମି ସମ୍ପର୍କରେ ଅବଗତ ହେଲାପରେ – ରାଜ୍ୟ କଂଗ୍ରେସ ଦଳର କ୍ଷମତାସୀନ ନେତୃତ୍ୱର ପ୍ରିୟାପ୍ରୀତି ତୋଷଣ ପ୍ରବଣତାକୁ ଶରଦ ପାୱାର ସମାଲୋଚନା କେଉଁ ନୈତିକ ଅଧିକାର ବଳରେ କରୁଛନ୍ତି – ଏ ପ୍ରଶ୍ନ ସ୍ୱାଭାବିକ କେହି କେହି କରିପାରନ୍ତି । ଅବଶ୍ୟ ଯେଉଁମାନେ ବୁଝିଛନ୍ତି ଯେ ନିର୍ଲଜ୍ଜତା ସମ୍ପ୍ରତି ହୋଇଛି ରାଜନୀତି କରୁଥିବା ବ୍ୟକ୍ତିଙ୍କର ଭୂଷଣ, ସେମାନେ ଆଦୌ ଶରଦ ପାୱାରଙ୍କର ଆଚରଣରେ ବିସ୍ମିତ ହେବେନାହିଁ ବରଂ ଆମୋଦିତ ହେଉଥିବେ ସ୍ୱାଗତୋକ୍ତି କରି ଯେ ‘କିଏ କାହାକୁ କହୁଛି’ ।