୧-୧୬ ମାର୍ଚ୍ଚ, ୨୦୧୦
ପ୍ରତ୍ୟେକବର୍ଷ ଦୋଳଯାତ ହେବା ଭଳି ପ୍ରତ୍ୟେକ ବର୍ଷ ସଂସଦରେ ବଜେଟ ପେଶ୍ ହୁଏ । ମୂଳ ଫ୍ରେଞ୍ଚ ଶବ୍ଦ ‘Bougette’ର ଅର୍ଥ ହେଉଛି ଚମଡ଼ା ବ୍ୟାଗ । ଏକ ଚମଡ଼ା ବ୍ୟାଗରେ ଅର୍ଥମନ୍ତ୍ରୀ ଆଗାମୀ ଆର୍ଥିକବର୍ଷରେ ଆୟବ୍ୟୟର ଏକ ଦସ୍ତାବିଜ ଆଣି ସଂସଦ ସମ୍ମୁଖରେ ପେଶ୍ କରନ୍ତି- ଯାହା ସରକାରଙ୍କର ଆଭିମୁଖ୍ୟକୁ ପ୍ରତିଫଳିତ କରେ- ସାଂସଦମାନେ ଏହି ଆଭିମୁଖ୍ୟ ଉପରେ ବିତର୍କ କରନ୍ତି ଓ ପରିଶେଷରେ କିଛି ସଂଶୋଧନ ସହ ଏହା ଗୃହୀତ ହୋଇଥାଏ । ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଏହାର କୌଣସି ଅଂଶ ପ୍ରଘଟ ହୋଇଯିବାକୁ ଏକ ଗୁରୁତର ତ୍ରୁଟି ଭାବେ ବିବେଚନା କରାଯାଇଥାଏ । ଏଥିପାଇଁ ଅର୍ଥମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ ଦାବି ହେବା ବା ଅର୍ଥମନ୍ତ୍ରୀ ଏହି ତ୍ରୁଟି ପାଇଁ ନୈତିକ ଦାୟିତ୍ୱ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ । ବଜେଟ ପେଶ୍ ହେବା ଦିନଟିକୁ ସମାଜର ବିଭିନ୍ନ ବର୍ଗ ଅତ୍ୟନ୍ତ ଉକ୍ରଣ୍ଠାର ସହ ଅପେକ୍ଷା କରିଥାନ୍ତି । ସଂସଦରେ ଏହା ଉପରେ ବିତର୍କ ମଧ୍ୟ ଅତ୍ୟନ୍ତ ରୋଚକ ହୋଇଥାଏ । ସଂସଦ ବାହାରେ ମଧ୍ୟ ବିଭିନ୍ନ ଆଲୋଚନା ଚକ୍ରମାନ ଆୟୋଜନ ହୋଇଥାଏ । ନାନି ପାଲକିୱାଲାଙ୍କର ବଜେଟ ଉପରେ ସାଧାରଣ ନାଗରିକଙ୍କର ବିଶାଳ ସମାବେଶରେ ଅଭିଭାଷଣ ତ ଏକ ସମୟରେ ବମ୍ବେ ଅଧିବାସୀଙ୍କ ପାଇଁ ଥିଲା ବହୁ ପ୍ରତୀକ୍ଷିତ ଘଟଣା । ଏବେ ଟି.ଭି ଚ୍ୟାନେଲର ବହୁଳତା ଭିତରେ ବଜେଟ ଆଲୋଚନା ତ ପ୍ରଥା ହୋଇଗଲାଣି । କିନ୍ତୁ ମୂଳ ଯେ ସଂସଦରେ ବିତର୍କ- ଏହାକୁ ଆମେ କଦାପି ଅସ୍ୱୀକାର କରିପାରିବା ନାହିଁ । ବାହାରେ ଯେତେ ଆଲୋଚନା ହେଲେ ମଧ୍ୟ ସଂସଦରେ ବିତର୍କ ହିଁ ବଜେଟ ପ୍ରସ୍ତାବରେ ପରିବର୍ତ୍ତନ ଆଣିବା ଦିଗରେ ଅଧିକ ପ୍ରଭାବୀ । ତେଣୁ ଏହା ବାସ୍ତବିକ ଚିନ୍ତାର ବିଷୟ ଯେ, ବଜେଟ ଉପରେ ହେଉଥିବା ଆଲୋଚନାର ସମୟ କ୍ରମଶଃ ହ୍ରାସପାଉଛି । ଏକ ଅନୁସନ୍ଧାନରୁ (PRS Legislative Research)ଜଣାପଡ଼ିଛି ଯେ ୧୯୮୬ରେ ୧୨୪ଘଣ୍ଟା ବଜେଟ ଆଲୋଚନା ହୋଇଥିବା ବେଳେ ଗତ ଦଶକରେ ଏହା ହାରାହାରି ୪୦ଘଣ୍ଟାକୁ ଖସିଯାଇଛି । (ଦ୍ରଷ୍ଟବ୍ୟ- Zeitgeist, New Indian Express 27 Feb, 2010) ଅବଶ୍ୟ ସଂସଦୀୟ ଅଧିବେଶନର ସମୟକାଳରେ ମଧ୍ୟ ଦ୍ରୁତ ହ୍ରାସ ହୋଇଛି । ୫୦ଦଶକରେ ସବୁଠାରୁ ଅଧିକ ଦିନର ଅଧିବେଶନ ହୋଇଥିଲା ୧୯୫୬ମସିହାରେ । ୧୫୧ଦିନ ଲୋକସଭା ଅଧିବେଶନ ହୋଇଥିବା ବେଳେ ୧୧୩ଦିନ ରାଜ୍ୟସଭା ଅଧିବେଶନ ବସିଥିଲା । ୨୦୦୯ରେ ଏହା ଯଥାକ୍ରମେ ୬୩ ଓ ୬୪ଦିନକୁ ଖସିଯାଇଛି । ଲୋକସଭାରେ ପଚରା ଯାଇଥିବା ୧୧୦୦ ପ୍ରଶ୍ନରୁ ମାତ୍ର ୨୬ଟି ପ୍ରଶ୍ନ ଅର୍ଥାତ ଶତକଡ଼ା ୨୪ଭାଗ ପ୍ରଶ୍ନର ହିଁ ଉତ୍ତର ଦିଆଯାଇଛି । ଏହି ପ୍ରଶ୍ନର ଉତ୍ତର ଦିଆଯାଇଥିବା ବେଳେ ପ୍ରଶ୍ନ ପଚାରିଥିବା ସାଂସଦ ଯେ ନିଶ୍ଚିତ ଉପସ୍ଥିତ ଅଛନ୍ତି ଏପରି ନୁହେଁ । ଏହି ପରିସଂଖ୍ୟାନ ଗୁଡ଼ିକରୁ ଜଣାପଡ଼ୁଛି ଯେ ସଂସଦର ଭୂମିକା କ୍ରମଶଃ ଗୌଣ ହୋଇପଡ଼ିଲାଣି । ସାଂସଦମାନେ ସେମାନଙ୍କର ଦାୟିତ୍ୱକୁ ଗମ୍ଭୀରତାର ସହ ନେଉନାହାନ୍ତି-ନୀତି ନିର୍ଦ୍ଧାରଣରେ ସେମାନେ ଯେପରି ଏକ ରବରଷ୍ଟାମ୍ପ ଭଳି ହିଁ କାର୍ଯ୍ୟ କରୁଛନ୍ତି । ଶିକ୍ଷା ଅଧିକାର ବିଲ୍ ଯେତେବେଳେ ସଂସଦରେ ଗୃହୀତ ହେଲା, ସେତେବେଳେ ମାତ୍ର ୫୪ଜଣ ସାଂସଦ ଅର୍ଥାତ ଶତକଡ଼ା ୧୦ଭାଗ ସାଂସଦ ଉପସ୍ଥିତ ଥିଲେ ବୋଲି ଯେତେବେଳେ ସୂଚନା ମିଳୁଛି- ସେତେବେଳେ କେଉଁଭଳି ଗୁରୁତ୍ୱ ଆମର ସାଂସଦମାନେ ଦେଉଛନ୍ତି ତାହା ସହଜରେ ଅନୁମାନ କରିହେଉଛି । ତଥାପି ଏତେ ଏତେ ଅର୍ଥ ବ୍ୟୟକରି ସାଂସଦ ହେବାପାଇଁ ଯେଉଁ ତଣ୍ଟିକଟା ଲଢ଼େଇ ଚାଲିଛି-ତା’ପଛରେ ତା’ହେଲେ ଅସଲ ଉଦେ୍ଧଶ୍ୟ କ’ଣ?
ଏହିଭଳି ପରିବେଶରେ ଯେତେବେଳେ ଜଣେ ସଚେତନ ବୁଦ୍ଧିଜୀବୀ ବଜେଟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରିବା ପାଇଁ ଶୁଦ୍ରକ ସହ ପରାମର୍ଶ କରୁଥିଲେ , ସେତେବେଳେ ଶୁଦ୍ରକ ଭିତରେ ସ୍ୱାଭାବିକ ଏକ ବୀତସ୍ପୃହ ଭାବ ଉଦ୍ରେକ ହୋଇଥିଲା । କେବଳ ପ୍ରଥାଟିକୁ କାଏମ ରଖିବା ପାଇଁ ଆଲୋଚନା କରାଯାଇପାରେ ବୋଲି ମତ ଦେଉଥିଲା ।
-ଶୁଦ୍ରକ