ନୀରାରାଡ଼ିଆ ବର୍ତ୍ତମାନ ଗଣମାଧ୍ୟମରେ ବହୁଚର୍ଚ୍ଚିତ ମହିଳା । ମୂଳତଃ ପଞ୍ଜାବୀ, ବ୍ରିଟିଶ ନାଗରିକ ନୀରା ହେଉଛନ୍ତି ଗୁଜରାଟୀ ବୋହୂ ଯଦିଓ ତାଙ୍କର ସ୍ୱାମୀ ଜନକ ରାଡ଼ିଆଙ୍କୁ ସେ ବହୁଦିନରୁ ଛାଡ଼ପତ୍ର ଦେଇଛନ୍ତି । ୫୦ବର୍ଷୀୟା ଏହି ମହିଳା ଭାରତୀୟ ବଂଶୋଦ୍ଭବ (Person of Indian Origin (PIO)) ଭାବେ ସ୍ୱୀକୃତି ପାଇ ୧୫ବର୍ଷ ତଳେ ବିଭିନ୍ନ ବିମାନ ଚଳାଚଳ କମ୍ପାନୀର ଭାରତୀୟ ପ୍ରତିନିଧି ଭାବେ ଭାରତରେ ପ୍ରବେଶକରି ଦଶବର୍ଷ ତଳେ କନସଲଟିଂ କମ୍ପାନୀ ପୁଞ୍ଜି ସ୍ଥାପନା କଲେ । ଏହି କମ୍ପାନୀଗୁଡ଼ିକ ହେଲେ ବୈଷ୍ଣବୀ କମୁ୍ୟନିକେସନ୍ସ (Vaishnavi Communications), ନୱେସିସ (Noess), ଭିକ୍ଟମ (Victom) ଏବଂ ନୁ୍ୟକମ କନସଲଟିଂ (Newcom Cojsulting), ଟାଟା କମ୍ପାନୀ ଓ ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ କମ୍ପାନୀର ମୁଖ୍ୟ ଲବିଷ୍ଟ (Lobbyist) ଭାବେ ଦାୟିତ୍ୱ ନେଲେ ଯାହାପାଇଁ ଏହି କମ୍ପାନୀମାନେ ପ୍ରତ୍ୟେକେ ବାର୍ଷିକ ୩୦କୋଟି ଟଙ୍କାଦେଲେ । କିନ୍ତୁ ରତନଟାଟା ଓ ମୁକେଶ ଅମ୍ବାନୀଙ୍କର ବିଶ୍ୱାସଭାଜନ ହେବା ପୂର୍ବରୁ ସେ ଯେ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନଙ୍କୁ ବେଶ୍ ପ୍ରଭାବିତ କରିପାରୁଛନ୍ତି, ତାହା ବେଶ୍ ଦକ୍ଷତାର ସହ ସାବ୍ୟସ୍ତ କରିସାରିଥିଲେ । ଏନ୍ଡିଏ ସରକାରରେ ୧୯୯୮-୯୯ରେ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ଅନନ୍ତକୁମାରଙ୍କର ଅତ୍ୟନ୍ତ ନିକଟତର ହୋଇ ପାରିଥିଲେ । ଏହି ସମ୍ପର୍କରୁ ତାଙ୍କର ସମ୍ପର୍କ ହେଲା ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସହିତ ଯାହାକୁ ମାଧ୍ୟମ କରି ବାଜପେୟୀଙ୍କର ପୋଷ୍ୟ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହ ସମ୍ପର୍କ ବଢ଼ିଲା । ଅନନ୍ତକୁମାରଙ୍କ ସହ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ଅନନ୍ତକୁମାର ପରବର୍ତ୍ତୀକାଳରେ ଯେତେବେଳେ ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ହେଲେ, ନୀରା ରାଡ଼ିଆଙ୍କର ବିଶାଳ ଭୋଜି ବା ପାର୍ଟିରେ ଖାଦ୍ୟପେୟ ସରକାରୀ ଅଶୋକା ହୋଟେଲ ଏବଂ ଆଇଟିଡିସି (ITDC)ରୁ ହିଁ ପଠାଗଲା । କହିବା ବାହୁଲ୍ୟ ଯେ ନୀରା ରାଡ଼ିଆ ବିଜେପି ସରକାରଙ୍କ ଅମଳରେ ବେଶ୍ ପ୍ରଭାବୀ ଥିଲେ – ଯେକୌଣସି କାର୍ଯ୍ୟ କରାଇ ପାରିବାର ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ସ୍ୱାଭାବିକ ସେ ରତନ ଟାଟାଙ୍କର ଦୃଷ୍ଟିରେ ପଡ଼ିଲେ । କାରଣ ରତନ ଟାଟା ତାଙ୍କ କମ୍ପାନୀଗୁଡ଼ିକ ପାଇଁ କ୍ଷମତାର ଅଳିନ୍ଦରେ ନିଜ ସପକ୍ଷରେ ନିଷ୍ପତ୍ତ କରାଇ ପାରୁଥିବା ଲବିଷ୍ଟ (Lobbyist) ବା ଲୋକସମ୍ପର୍କ ବିଶେଷଜ୍ଞର ସନ୍ଧାନରେ ଥିଲେ । ବମ୍ବେଡାଇଂର ମାଲିକ ନୁସ୍ଲୀ ୱାଡ଼ିଆ ତାଙ୍କର ଏହି ପସନ୍ଦକୁ ସ୍ୱୀକୃତି ଦେବାପରେ ରତନଟାଟା ଟାଟା କମ୍ପାନୀପୁଞ୍ଜ ଭିତରେ ଥିବା ୯୦ଟି କମ୍ପାନୀର ଆକାଉଣ୍ଟସ୍ ଦାୟିତ୍ୱ ରାଡ଼ିଆଙ୍କର ବୈଷ୍ଣବୀ କମୁ୍ୟନିକେଶନ୍ସକୁ ୨୦୦୧ମସିହାରେ ଦେଇଦେଲେ । ଏହା ଏହି କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଅସ୍ୱସ୍ତିକର ହୋଇଥିଲା- ସେମାନେ ନୀରା ରାଡ଼ିଆଙ୍କର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଯେତେବେଳେ ଜାଣିଲେ ଯେ ନୀରାଙ୍କ ବିରୁଦ୍ଧରେ ପଦୁଟିଏ ବି ଶୁଣିବାକୁ ରତନ ଟାଟା ଚାହାନ୍ତି ନାହିଁ- ସେମାନେ ନୀରବ ହୋଇଗଲେ । ରତନ ଟାଟାଙ୍କ ପରାମର୍ଶରେ ମୁକେଶ ଅମ୍ବାନୀ ରିଲାଏନ୍ସ କମ୍ପାନୀର ଲବିଷ୍ଟର ଦାୟିତ୍ୱ ନୀରା ରାଡ଼ିଆଙ୍କୁ ଦେଲେ ୨୦୦୮ ମସିହାରେ ।
ବିଜେପି କ୍ଷମତାରୁ ଚାଲିଯିବା ପରେ ନୀରା ରାଡ଼ିଆ ଯେ ଉପା (UPA) ସରକାରଙ୍କ ଅମଳରେ ତାଙ୍କର ପ୍ରଭାବ ହରାଇଲେ ନାହିଁ ତାହାର ପ୍ରମାଣ ମିଳୁଛି ନିକଟରେ ପ୍ରଘଟ ହୋଇଥିବା, ବିଭିନ୍ନ ବ୍ୟକ୍ତିଙ୍କ ସହ ଫୋନରେ ହୋଇଥିବା ତାଙ୍କର କଥୋପକଥନର ଟେପ୍ରୁ । ଏହି କଥୋପକଥନକୁ ସରକାରଙ୍କର ଆୟକର ବିଭାଗର ଅନୁରୋଧରେ ହିଁ ଟେପ କରାଯାଇଥିଲା । ଟୁ.ଜି ସ୍ପେକ୍ଟ୍ରମ ଦୁର୍ନୀତିରେ ମନ୍ତ୍ରୀ ଏ. ରାଜାଙ୍କର ସମ୍ପୃକ୍ତିକୁ ନେଇ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ଏହି ଟେପ ସରକାରଙ୍କ ତରଫରୁ କରାଯାଇଥିଲା । କିନ୍ତୁ ଏହା ସରକାରଙ୍କ ନିକଟରେ ସୁରକ୍ଷିତ ଥିବାବେଳେ କିପରି ପ୍ରଘଟ ହେଲା ଓ କାହିଁକି ପ୍ରଘଟ ହେଲା, ତାହା ନିଶ୍ଚିତ ଅନୁସନ୍ଧାନସାପେକ୍ଷ । ରତନ ଟାଟା ତ’ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି ଏହି ଫୋନ ଟ୍ୟାପିଂ ବିରୋଧରେ । ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି, ତାହା ଦେଖିବାକୁ ରହିଲା ।
ତେବେ ପ୍ରଘଟ ହୋଇଥିବା ନୀରା ରାଡ଼ିଆଙ୍କ ସହ କଥୋପକଥନର ଏହି ଟେପ ଗୁଡ଼ିକରୁ ଜଣାପଡ଼ୁଛି ଯେ ନିଷ୍ପତ୍ତ ଏକ ପଣ୍ୟବସ୍ତୁ ଯାହାର ବଜାରରେ କ୍ରେତା, ବିକ୍ରେତା, ଦଲାଲ ସମସ୍ତେ ଏକାଠି ହୋଇଛନ୍ତି ଓ ଏହି ବଜାର ସମସ୍ତଙ୍କ ଅଲକ୍ଷ୍ୟରେ ଚାଲିଛି । ଏହିଭଳି ଏକ ବଜାର ରହିଛି ବୋଲି ସନେ୍ଦହ ତ ଅନେକଙ୍କ ମନରେ ଥିଲା । କିନ୍ତୁ ରାଡ଼ିଆଙ୍କ କଥୋପକଥନର ଟେପ ଏହି ସନେ୍ଦହକୁ ଦୂର କରିଛି । ସେଥିପାଇଁ ନୀରା ରାଡ଼ିଆ ଧନ୍ୟବାଦାର୍ହ ।
ନୀରା ରାଡ଼ିଆଙ୍କ କଥୋପକଥନରୁ ଆମ ମୁଖ୍ୟଧାରାର ଗଣମାଧ୍ୟମର ପ୍ରକୃତ ସ୍ୱରୂପ ଧରାପଡ଼ି ଯାଇଛି । ନୀରା ଯେତେବେଳେ ରତନ ଟାଟାଙ୍କୁ କହୁଛନ୍ତି ଯେ ‘ଗଣମାଧ୍ୟମ ବହୁତ, ବହୁତ ଲୋଭୀ’(The media is very, very greedy) ସେତେବେଳେ ଅନୁମାନ କରାଯାଇପାରେ ଯେ ଗଣମାଧ୍ୟମକୁ ସନ୍ତୁଷ୍ଟ କରିବା ପାଇଁ କେଉଁ ପରିମାଣର ଅର୍ଥ ଆବଶ୍ୟକ । ଅର୍ଥ ବିନିମୟରେ ସମ୍ବାଦ ତ ବର୍ତ୍ତମାନ ଅଲିଖିତ ସର୍ତ୍ତ । ଏହା ଆମେ ଅଭିଜ୍ଞତାରୁ ବୁଝିପାରୁଥିଲେ । କିନ୍ତୁ ନୀରା ରାଡ଼ିଆଙ୍କର କଥୋପକଥନ ପ୍ରଘଟ ହୋଇଯିବା-ଆମର ଏହି ଅଭିଜ୍ଞତାକୁ ଏକ ଭିତ୍ତ ଯୋଗାଇଦେଲା । ତେଣୁ ନୀରା ରାଡ଼ିଆ ଧନ୍ୟବାଦାର୍ହ ।
ଏନ୍ଡିଟିଭିର ବର୍ଖା ଦତ୍ତ ଯେଉଁ ଆକ୍ରମଣାତ୍ମକ ଢଙ୍ଗରେ ବିଭିନ୍ନ ପ୍ରସଙ୍ଗଉପରେ ଆଲୋଚନା ପରିଚାଳନା କରିବା ଆମେ ଦେଖିଛୁ, ସେଥିରୁ ଅସ୍ୱାଭାବିକ ନୁହେଁ ଧାରଣା କରିବା ଯେ ସେ ଜଣେ ଅତ୍ୟନ୍ତ ସାହସୀ ଓ ସମସ୍ତ ପ୍ରକାର ପ୍ରଭାବର ଊଦ୍ଧ୍ୱର୍ରେ ବିଚରଣ କରୁଥିବା ସାମ୍ବାଦିକ । କିନ୍ତୁ ସେ ଯେ ନିଷ୍ପତ୍ତ ବଜାରରେ କିଣା-ବିକାର ଏକ ମାଧ୍ୟମ-ତାହା ଉନ୍ମୋଚିତ କରିଦେଇଛି ନୀରା ରାଡ଼ିଆଙ୍କର କଥୋପକଥନ । ବହୁ ପ୍ରତିଷ୍ଠିତ ସାମ୍ବାଦିକ ଯେଉଁମାନେ ସାଧାରଣ ଲୋକଙ୍କ ଦୃଷ୍ଟିରେ ବେଶ୍ ସଫାସୁତୁରା ବୋଲି ଏଯାବତ୍ ମନେ ହେଉଥିଲେ, ନୀରା ରାଡ଼ିଆ କଥୋପକଥନ ଦର୍ଶାଇଦେଇଛି ସେମାନେ ପ୍ରକୃତରେ କେତେ ମଇଳା । ସାମ୍ବାଦିକଙ୍କର ଭୂମିକା ସମ୍ପର୍କରେ ବିତର୍କକୁ ଜନ୍ମଦେଇଛି ନୀରା ରାଡ଼ିଆଙ୍କର କଥୋପକଥନ । ନୀରା ରାଡ଼ିଆ ଓ ସାମ୍ବାଦିକଙ୍କର କଥୋପକଥନକୁ ମୁଖ୍ୟଧାରାର ସମ୍ବାଦପତ୍ରମାନେ ସେମାନଙ୍କର ପୃଷ୍ଠାରେ ବା ବଡ଼ ବଡ଼ ଟିଭି ଚ୍ୟାନେଲ ସେମାନଙ୍କର ଉପସ୍ଥାପନାରେ ସ୍ଥାନ ନଦେବା ସମାଲୋଚିତ ହୋଇଛି । ଡିଏନ୍ଏ (DNA) ଖବରକାଗଜର ଉପ ସମ୍ପାଦକ (Deputy Editor) ତାଙ୍କର ବ୍ଲଗ୍(Blog)ରେ ଲେଖନ୍ତି, ‘What is really scary is that, despite living in a ‘democracy’ that boash of ‘free press’, if you were dependent only on TV and the big news papers for the biggest news developments of the day. You would never have known about the Niira Radia Tapes and the mussy role of media as political power broker.’. ‘This is all India Radia,’ outlook, 6 Dec 2010, p-46)(ଯାହା ପ୍ରକୃତରେ ଏକ ବିପଦର ସଙ୍କେତ ବୋଲି ମନେହୁଏ, ତାହା ହେଉଛି ଯେ ଗଣମାଧ୍ୟମର ସ୍ୱାଧୀନତା ଡିଣ୍ଡିମ ପିଟା ଯାଉଥିବା ଗଣତନ୍ତ୍ରରେ ଆମେ ରହିବାସତ୍ତ୍ୱେ ଯଦି ଆମେ କେବଳ ଟି.ଭି ଏବଂ ବଡ଼ ବଡ଼ ଖବରକାଗଜ ଉପରେ ବଡ଼ ବଡ଼ ସମ୍ବାଦ ପାଇଁ ନିର୍ଭର କରିଥାନ୍ତେ, ତା’ହେଲେ ନୀରାରାଡ଼ିଆ କଥୋପକଥନର ଟେପ ଏବଂ ରାଜନୈତିକ କ୍ଷମତା ଦଲାଲୀରେ ସମ୍ପୃକ୍ତ ଗଣମାଧ୍ୟମର କଳଙ୍କିତ ଭୂମିକା ସମ୍ପର୍କରେ ଅଜ୍ଞ ରହିଯାଇଥାନ୍ତେ ।’ ପ୍ରକୃତରେ ନୀରା ରାଡ଼ିଆଙ୍କର କଥୋପକଥନ, ବିଶେଷତଃ ଖୁବ୍ ପାରିବାର ଓ ଦୃଶ୍ୟମାନ ସାମ୍ବାଦିକମାନଙ୍କ ସହିତ, ଦୁଇଟି ପତ୍ରିକା ଯଥା ଓପନ (Open) ଓ ଆଉଟଲୁକ୍ (Outlook) ରେ ହିଁ ପ୍ରଥମେ ବାହାରିଥିଲା ।
ଜନଚେତନାର ଭୂଗୋଳରେ ନୀରା ରାଡ଼ିଆ ଏକ ଏପରି ବିନ୍ଦୁ ହୋଇ ଅବତୀର୍ଣ୍ଣ ହୋଇଛନ୍ତି ଯାହାର ଆକର୍ଷଣରେ ବାନ୍ଧି ହୋଇଛନ୍ତି ସାମ୍ବାଦିକ, ରାଜନେତା, କର୍ପୋରେଟ ବା କମ୍ପାନୀମୁଖ୍ୟ ଓ ପ୍ରଶାସନିକ ଅଫିସର । ଯଦି ତାଙ୍କ କମ୍ପାନୀରେ ବୃତ୍ତଭୋଗୀ ହେବାପାଇଁ ପ୍ରଦୀପ ବୈଜାଲ (TRAIପୂର୍ବତନ ମୁଖ୍ୟ), ସିଏମ୍ ବାସୁଦେବ (ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବତନ ସଚିବ), ଅଜୟ ଦୁଆ (ଶିଳ୍ପନୀତି ଓ ସଂପ୍ରବର୍ତ୍ତନ (Industrial Policy & promotion ମନ୍ତ୍ରଣାଳୟର ପୂର୍ବତନ ସଚିବ)ଙ୍କ ଭଳି ବରିଷ୍ଠ ଆଇ.ଏ.ଏସ୍ ଅଫିସର ଧାଡ଼ିବାନ୍ଧନ୍ତି, ତା’ହେଲେ ନୀରା ରାଡ଼ିଆଙ୍କର ପତିଆରା କେଉଁସ୍ତରର ତାହା ସହଜରେ ଅନୁମେୟ ବାସ୍ତବିକ ଏହି କଥୋପକଥନ ପ୍ରଘଟ ହୋଇନଥିଲେ ରାଜନୈତିକ ଦୃଶ୍ୟପଟକୁ ଏପଟ ସେପଟ କରିପାରୁଥିବା ଏକ ମହାମେଣ୍ଟର ଅବସ୍ଥିତି ସମ୍ପର୍କରେ ଆମେ ଅଜ୍ଞ ରହିଯାଇଥାନ୍ତେ । ତେଣୁ ଯେଉଁମାନେ ପ୍ରଘଟ କରିଛନ୍ତି, ସେମାନେ ଧନ୍ୟବାଦର ପାତ୍ର । କିନ୍ତୁ ନୀରାରାଡ଼ିଆ ଯଦି ମୂଳରୁ ସତର୍କ ହୋଇ ଫୋନ ଯୋଗେ କଥାବାର୍ତ୍ତା ହୋଇନଥାନ୍ତେ-ତା’ହେଲେ ଏହିଭଳି ଏକ ମହାମେଣ୍ଟର ଅବସ୍ଥିତି ସମ୍ପର୍କରେ ଆମେ ଜାଣିବାର ସୁଯୋଗ ଆଦୌ ପାଇପାରି ନଥାନ୍ତେ । ତେଣୁ ନୀରା ରାଡ଼ିଆ ଫୋନରେ କଥାବାର୍ତ୍ତା କରି ଆମର ଅଜ୍ଞତାକୁ ଦୂର କରିଦେଇଛନ୍ତି-ସେଥିପାଇଁ ସେ ଧନ୍ୟବାଦାର୍ହ । -ଶୁଦ୍ରକ