୧-୧୬ ମେ, ୨୦୧୧
୮୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୮୨,୮୭,୬୬୮ ଟଙ୍କା) ଅର୍ଜନ କରିପାରିବା ଓ ଲୋକପାଳ ଆଇନ ପ୍ରସ୍ତୁତିପାଇଁ ଯୌଥକମିଟି ଦାବିରେ ଆମରଣ ଅନଶନକୁ ୪ଦିନପାଇଁ ଅବ୍ୟାହତ ରଖିବାରେ ୩୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୩୨,୬୯,୯୦୦ଟଙ୍କା) ଖର୍ଚ୍ଚହେବା, ସୂଚିତ କରାଇଦେଉଛି ଯେ ୩୦ ଜାନୁଆରୀ ୨୦୧୧ ସହିଦ ଦିବସ ଦିନ ୯୩ବର୍ଷୀୟ ଗାନ୍ଧିବାଦୀ ଶମ୍ଭୁଦତ୍ତଙ୍କର ଦୁର୍ନୀତି ବିରୋଧୀ ଆମରଣ ଅନଶନ କାହିଁକି ପ୍ରଚାରିତ ହୋଇପାରିଲା ନାହିଁ । ୩୨ ଲକ୍ଷ ଟଙ୍କା ଖର୍ଚ୍ଚଭିତରେ ଛପାଛପି ପାଇଁ ୭ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୭,୩୨,୬୨୪ଟଙ୍କା), ଯାତାୟତ ପାଇଁ ୪ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା(୪,୬୧,୩୮୨ଟଙ୍କା), ଫୋନ ଇତ୍ୟାଦିରେ ୮ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା (୮,୯୩, ୯୩୮ ଟଙ୍କା) ଓ ତମ୍ବୁ, ବିଛଣାପତ୍ର, ମାଇକ ତଥା ହଲ୍ବୁକିଂ ପାଇଁ ୯ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୯,୪୭,୩୪୪ଟଙ୍କା) ଖର୍ଚ୍ଚହେବା ଦର୍ଶାଇଦେଉଛି ଦୁର୍ନୀତିବିରୋଧୀ ଅଭିଯାନ ବେଶ୍ ଆଡ଼ମ୍ବରମୟ ଥିଲା ।
ଅର୍ଜନ ହୋଇଥିବା ୮୨ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା ଭିତରେ ଜିନ୍ଦଲ ଶିଳ୍ପପତି ପରିବାରର ଅଂଶ ସର୍ବାଧିକ ୨୫ଲକ୍ଷ ହେବା, ଆନ୍ନା ହଜାରେଙ୍କର ‘ଦୁର୍ନୀତି ବିରୋଧୀ’ ଭଦ୍ରସମାଜର କଣ୍ଟାରେ କଣ୍ଟା କାଢ଼ିବା ଲୋକକଥାର ବିଶ୍ୱାସକୁ ପ୍ରତିଫଳିତ କରୁଛି । ଯେଉଁମାନେ ଜାଣନ୍ତି ଯେ ଜିନ୍ଦଲ ଶିଳ୍ପପତି ପରିବାରର ତରୁଣ ସଦସ୍ୟ ନବୀନ ଜିନ୍ଦଲ ହେଉଛନ୍ତି କଂଗ୍ରେସ ସାଂସଦ, ସେମାନେ ଆନ୍ନା ହଜାରେଙ୍କର ଆମରଣ ଅନଶନ ପଛରେ କଂଗ୍ରେସର ଭୂମିକାକୁ ଦେଖିବା ଅସ୍ୱାଭାବିକ ନୁହେଁ ।
କିନ୍ତୁ ଜିନ୍ଦଲକମ୍ପାନୀ ଯେ ଦୁର୍ନୀତି ବିରୋଧୀ ଅଭିଯାନ ପଛରେ ରହିଛି, ଏହା ସେ ବାରମ୍ବାର ପ୍ରତିପାଦିତ କରିଆସୁଛି । ଭାରତ ସ୍ୱାଭିମାନ ଦଳର ନେତା ଓ ଆନ୍ନାହଜାରେଙ୍କର ସହଯୋଗୀ, ବାବା ରାମଦେବଙ୍କର ଗତ ଓଡ଼ିଶା ଗସ୍ତକାଳରେ ଅନୁଗୁଳ, ତାଳଚେର ଅଞ୍ଚଳରେ ତାଙ୍କର ଯେଉଁ ସଭାସମିତି ହୋଇଥିଲା, ତାହାର ପ୍ରାୟୋଜକ ମଧ୍ୟ ଜିନ୍ଦଲ କମ୍ପାନୀ ଥିଲା-ଏହା ଅନୁଗୁଳବାସୀ କୁହନ୍ତି । ଏହା ତ’ ଭିନ୍ନ କଥା ଯେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶେଷକରି ଅନୁଗୋଳ, ତାଳଚେର ଅଞ୍ଚଳରେ ଜିନ୍ଦଲ କମ୍ପାନୀ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି । ପ୍ରାକୃତିକ ପରିବେଶକୁ ଧ୍ୱଂସ ବିଧ୍ୱସ୍ତ କରିଛି, ଜଳକୁ ପ୍ରଦୂଷିତ କରିଛି, ବାୟୁକୁ ପ୍ରଦୂଷିତ କରିଛି, ସରକାରୀ କଳକୁ ତା’ର ଲକ୍ଷ୍ୟାନୁକୂଳ କରାଇଛି । ଆଜି ଅନୁଗୁଳ-ତାଳଚେର ଅଞ୍ଚଳ ଅତ୍ୟନ୍ତ ପ୍ରଦୂଷିତ ଅଞ୍ଚଳ ବୋଲି ସର୍ବଭାରତୀୟସ୍ତରରେ କୁଖ୍ୟାତି ପାଇଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଏହାର ପ୍ରଦୂଷଣ ସୂଚାଙ୍କ (Comprehensive Pollution Index) ୮୨ରେ ପହଞ୍ଚôଛି । ଯେତେବେଳେ କି ଏହି ସୂଚାଙ୍କ ୭୦ଟପିଲେ ଅଞ୍ଚଳଟିକୁ ଅତ୍ୟନ୍ତ ପ୍ରଦୂଷିତ (Critically Polluted) ବୋଲି କୁହାଯାଇଥାଏ । ତେଣୁ ଯେଉଁମାନେ ଆନ୍ନା ହଜାରେ ବା ବାବା ରାମଦେବଙ୍କର ଦୁର୍ନୀତି ବିରୋଧୀ ଅଭିଯାନରେ ସାଧାରଣ ମଣିଷର ଜୀବନ ଜୀବିକା ପ୍ରଶ୍ନର କୌଣସି ସମାଧାନ ନାହିଁ ବୋଲି ଯୁକ୍ତି କରିଛନ୍ତି, ସେମାନଙ୍କୁ ହାଲୁକାରେ ନିଆଯାଇପାରିବ ନାହିଁ । ଗୋଟିଏ ପଟେ ବଡ଼ ବଡ଼ ପୁଞ୍ଜିପତିଙ୍କର ପୃଷ୍ଠପୋଷକତାକୁ ସ୍ୱୀକାର କରିବା ଓ ଅନ୍ୟପଟେ ସାଧାରଣ ଲୋକର ଜୀବନ-ଜୀବିକା ଓ ତା’ର ପରିବେଶର ସୁରକ୍ଷା ପ୍ରତି ନୀରବ ରହିବା ଜଣାଇଦେଇଛି ଯେ ଆନ୍ନା ହଜାରେ, ବାବା ରାମଦେବ ଓ ତାଙ୍କ ସହ ମାତିଥିବା ଭଦ୍ରସମାଜର କାର୍ଯ୍ୟସୂଚୀରେ ବର୍ଦ୍ଧିଷ୍ଣୁ ବୈଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ ନାହିଁ । ଏହା ରହିଲେ ଜିନ୍ଦଲ ବା ସେହିଭଳି କମ୍ପାନୀମାନେ ଯେ ଏହିଭଳି ଅଭିଯାନରେ ପୃଷ୍ଠପୋଷକତା କରିବେନାହିଁ-ତାହା ଆୟୋଜକମାନେ ଜାଣନ୍ତି । ତେଣୁ ଆନ୍ନାହଜାରେ ମଡ଼େଲରେ ଏକ ବଡ଼ ଧରଣର ଗଣମାଧ୍ୟମ ଆକର୍ଷଣକାରୀ ଦୁର୍ନୀତି ବିରୋଧୀ ଅଭିଯାନ-ଓଡ଼ିଶାମାଟିରେ ଯେଉଁମାନେ ଠିକା କରାଇବାକୁ ଚାହୁଁଛନ୍ତି-ସେମାନେ ବେଦାନ୍ତ ବା ପୋସ୍କୋ ଠାରୁ ଅର୍ଥ ଅର୍ଜନର ସୁଯୋଗ ନେଇପାରନ୍ତି । କେବଳ ଆନ୍ନା ହଜାରେ ଯେଉଁଭଳି ଅର୍ଥର ଉତ୍ସ୍ୱକୁ ଘୋଷଣା କରି ସ୍ୱଚ୍ଛତା (transparency) ଦର୍ଶାଇଛନ୍ତି-ସେହିଭଳି ସ୍ୱଚ୍ଛତା ଆନ୍ନା ଅନୁଯାୟୀ ଦୁର୍ନୀତିବିରୋଧୀମାନେ ରାଜ୍ୟସ୍ତରରେ ଅବଲମ୍ବନ କଲେ, ସେମାନେ ବିବେକ ଦଂଶିତ ହେବେନାହିଁ ବୋଲି ଶୁଦ୍ରକର ଅନୁମାନ ।
-ଶୁଦ୍ରକ