ଦାମ-କାଳନ୍ଦୀ ବିଜେଡ଼ି ଛାଡ଼!

  • 10/09/2015

ଅଗଷ୍ଟ ୯ତାରିଖକୁ କ୍ରାନ୍ତିଦିବସଭାବେ ପାଳନ କରିବା ଓ ଭାରତଛାଡ଼ ଆନେ୍ଦାଳନର ଗାଥାକୁ ମନେ ପକାଇବା ଏକ ଭଲ ପରମ୍ପରା । ମହାତ୍ମା ଗାନ୍ଧୀ ୧୯୪୨ ମସିହାରେ ଏହି ଦିନ ଇଂରେଜଙ୍କୁ ଭାରତ ଛାଡ଼ିବାପାଇଁ ଚରମ ଆହ୍ୱାନ ଶୁଣାଇଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅର୍ଥମନ୍ତ୍ରୀ ଥିବାବେଳେ ଭାରତର ଅର୍ଥନୀତିରେ ବିଦେଶୀ ପୁଞ୍ଜିର ପ୍ରବେଶ ପଥକୁ ସୁଗମ କରିଦେଲେ ଏବଂ ଅର୍ଥନୀତିକୁ ବିଦେଶୀ ଶକ୍ତିମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନିୟନ୍ତ୍ରଣ ଭିତରକୁ ଠେଲି ଦେବାର ଉଦାରତା ପ୍ରକଟ କଲେ, ସେତେବେଳେ ‘ଭାରତଛାଡ଼’ର ଆହ୍ୱାନ ଆଉ ପ୍ରାସଙ୍ଗିକ ହେବନାହିଁ ବୋଲି ଅନେକେ ଦେଶପ୍ରେମୀ ଆଶଙ୍କା କଲେ । ଏହି ଆଶଙ୍କା ଯେ ବାସ୍ତବ ହୋଇଛି ଗତ ଦୁଇଦଶନ୍ଧି ଭିତରେ-ଏହା କହିବା ବାହୁଲ୍ୟ ମାତ୍ର । ସିଧାସଳଖ ସାମ୍ରାଜ୍ୟବାଦ କବଳରୁ ଭାରତ ମୁକ୍ତ ହୋଇ ମାର୍କିନ ନବ୍ୟସାମ୍ରାଜ୍ୟବାଦ ଦ୍ୱାରା ଯେ କବଳିତ-ଏହି ଉପଲବ୍ଧô ପାଇଁ ଆଜି ଆଉ ବିଶେଷ ବୌଦ୍ଧିକ କସରତ କରିବାକୁ ପଡ଼ୁନାହିଁ । ତେବେ ଜନ୍ମ ନେବାର ୧୪ବର୍ଷ ପରେ ହଠାତ୍ ବିଜୁ ଜନତା ଦଳ- ଏହି ଦିବସଟିକୁ ଅତ୍ୟନ୍ତ ଜାକଜକମରେ ପାଳନ କରିବା, ଏକ ବିରାଟ ମନ୍ତ୍ରୀ ପଟୁଆରକୁ କଟକ ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିଅମ୍ ଠାରେ ମଞ୍ଚାସୀନ କରାଇବା ସ୍ୱାଭାବିକ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଯେଉଁମାନେ ତୀର୍ଯ୍ୟକ ଦୃଷ୍ଟିରେ ମଞ୍ଚଆଡ଼କୁ ଦେଖୁଥିଲେ, ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ ବିଜେଡ଼ିର ଉପସଭାପତି ଦାମ ରାଉତ ଓ ବରିଷ୍ଠ ବିଧାୟକ କାଳନ୍ଦୀ ବେହେରାଙ୍କର ଅନୁପସ୍ଥିତି ଦେଖି । ଏହାସହିତ ଯେଉଁମାନେ ଦାମଙ୍କର ଗଣମାଧ୍ୟମରେ ବିବୃତ୍ତ ପଢ଼ିଲେ ‘୧୪ବର୍ଷ ପରେ କାହିଁକି?’- ସେମାନେ ଶୁଣିପାରୁଥିଲେ କ୍ରାନ୍ତିଦିବସରେ ବିଜେଡ଼ିର ନିଶବ୍ଦ ଆହ୍ୱାନ: ‘ଦାମ-କାଳନ୍ଦୀ ବିଜେଡ଼ି ଛାଡ଼’ ଯାହାର ‘ଭାରତଛାଡ଼’ ଆହ୍ୱାନ ସହ ପଦ ପଡ଼ÿୁଥିଲା । ଅବଶ୍ୟ ବିଜେଡ଼ିର ମୁଖ୍ୟ ସୁପ୍ରିମୋ ନବୀନ ‘ହକ୍ ପାଇଁ ଲଢ଼େଇ କର’ର ଆହ୍ୱାନ ଦେଉଥିଲେ ଏହି ଅବସରରେ । ଭୁଲି ନଥିଲେ ସ୍ପଷ୍ଟ କରିଦେବାକୁ କାହା ବିରୁଦ୍ଧରେ ଓ କାହାସ୍ୱାର୍ଥରେ ଯୁବଗୋଷ୍ଠୀ ଲଢ଼େଇ କରିବେ । ସେମାନେ ଲଢ଼ିବେ ‘କେନ୍ଦ୍ର’ ବିରୁଦ୍ଧରେ ଓ ‘ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ବିକାଶର ପ୍ରଗତି ରଥର ସାରଥୀହେବେ ।’ ଅର୍ଥାତ ନବୀନ ଯୁବଗୋଷ୍ଠୀଙ୍କୁ କହୁଥିଲେ ଓଡ଼ିଶାର ‘ବିକାଶ’ ପାଇଁ, ଏହାର ଖଣି, ଖାଦାନ, ଜଙ୍ଗଲ, ଜମିକୁ ହଡ଼ପ କରି ବଡ଼ବଡ଼ ଶିଳ୍ପ ବସାଇବାକୁ ଆସୁଥିବା କମ୍ପାନୀ ମାନଙ୍କର ସାରଥୀ ହୁଅ । ଯେଉଁମାନେ ତାଙ୍କର ଭିଟାମାଟି ପାଇଁ ଲଢ଼ୁଛନ୍ତି-ତାଙ୍କୁ ଦମନ କର । ପ୍ରତ୍ୟେକ ଘରୁ ଗୋଟିଏ ଗୋଟିଏ ଯୁବକ ଆଣି ଏହିପରି ଏକ ବାହିନୀ ତିଆରି କରିବାର ଯୋଜନା ସମ୍ପର୍କରେ ତ ପ୍ରକୃତ ସୁପ୍ରିମୋ ପ୍ୟାରୀମୋହନ ସୂଚନା ଦେଇଦେଲେ ଏହି ଅବସରରେ ।
ଦେଖାଯାଉ ଓଡ଼ିଶାର ଯୁବଗୋଷ୍ଠୀ ବିକାଶର ସାରଥୀ ହେବାର ବାହାନାକରି କେତେଦୂର ନିଜକୁ ଗୋଟିଏ ଦଲାଲ ଗୋଷ୍ଠୀରେ ପରିଣତ କରୁଛନ୍ତି । -ଶୁଦ୍ରକ

Print Friendly, PDF & Email