କିଟ୍ରେ ଶତ ପ୍ରତିଶତ ପ୍ଲେସମେଣ୍ଟ (ଧରିତ୍ରୀ-୯/୫/୨୦୦୯) ଶିରୋନାମାରେ ଏକ ସମ୍ବାଦ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଆଡ଼ମିଶନ ଋତୁ ଆରମ୍ଭ ହେବା ପୂର୍ବରୁ ଏହିଭଳି ସମ୍ବାଦଗୁଡ଼ିକ ଘରୋଇ ବୈଷୟିକ ଅନୁଷ୍ଠାନ ଗୁଡ଼ିକ ତରଫରୁ ପ୍ରକାଶ ପାଇବା ସ୍ୱାଭାବିକ । ତା’ହେଲେ ତ ସେମାନେ ଛାତ୍ରଛାତ୍ରୀଙ୍କୁ ଓ ସେମାନଙ୍କର ଅଭିଭାବକଙ୍କୁ ଆକୃଷ୍ଟ କରିପାରିବେ । ସରକାରଙ୍କ ଦ୍ୱାରା ପରିଚାଳିତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଏହିଭଳି ବିଜ୍ଞାପନ କରନ୍ତି ନାହିଁ । ଆଇ ଆଇ ଟି ବା ଏନ୍.ଆଇ.ଟି ଗୁଡ଼ିକର ପ୍ଲେସମେଣ୍ଟ ଖବର ଖବରକାଗଜ ମାନଙ୍କରେ ବାହାରେ ନାହିଁ । ଅବଶ୍ୟ ଚିହ୍ନା ବ୍ରାହ୍ମଣର ପଇତା ଦରକାର ନହେବା ସ୍ଥିତିରେ ସେମାନେ । କିନ୍ତୁ ଯେଉଁମାନେ ଗତ କେତେମାସ ହେଲା ଗଣମାଧ୍ୟମରେ କମ୍ପାନୀମାନଙ୍କରୁ କେବଳ କର୍ମଚାରୀ ଛଟେଇ ଖବର ଶୁଣି ଆସୁଛନ୍ତି ବା ପଢ଼ି ଆସୁଛନ୍ତି – ସେମାନଙ୍କ ପାଇଁ ଏହି ସମୟରେ ଏ ଶତ ପ୍ରତିଶତ ପ୍ଲେସମେଣ୍ଟର ଦାବିକୁ ଗ୍ରହଣକରିବା ସହଜ ନହେବା ସ୍ୱାଭାବିକ । ଯଦି ବି ଏହାକୁ ଗ୍ରହଣ କରାଯାଏ, ତା’ହେଲେ ଏହି ପ୍ଲେସମେଣ୍ଟ କ’ଣ ଇନଫୋସିସ, ଟି.ସି.ଏସ୍. ବା ୱିପ୍ରୋ ଭଳି ନାମୀ ଆଇ.ଟିକମ୍ପାନୀରେ ହେଉଛି- ଯେଉଁଠାରେ ପ୍ରତ୍ୟେକ ଦିନ କିଛି କିଛି କର୍ମଚାରୀଙ୍କୁ ଛଟେଇ କରାଯାଉଛି? ୨୨ଲକ୍ଷ ଆଇଟି କର୍ମଚାରୀଙ୍କ ଭିତରୁ ଶତକଡ଼ା ୫ଭାଗ କର୍ମଚାରୀ ପ୍ରଭାବିତ ହେବେ ବୋଲି ଏକ ଆକଳନରୁ ଜଣାଯାଏ । ମାଇକ୍ରୋସଫ୍ଟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଯୋଜନା କରିଛି । ଇନ୍ଫୋସିସ ୨୦୦୦ କର୍ମଚାରୀଙ୍କୁ ବାହାର କରିବ ବୋଲି ସ୍ଥିର କରିଛି । ଏହିଭଳି ପ୍ରାୟଃ ସବୁ କମ୍ପାନୀ ସେମାନଙ୍କର କର୍ମଚାରୀ ସଂଖ୍ୟା କମାଇବାରେ ଲାଗିଥିବାବେଳେ-ଶତ ପ୍ରତିଶତ ପ୍ଲେସମେଣ୍ଟର ଦାବି ସନେ୍ଦହ ଘେରକୁ ସ୍ୱାଭାବିକ ଆସୁଛି । ବର୍ତ୍ତମାନ ପରିସ୍ଥିତିରେ ଏହିଭଳି ସମ୍ବାଦଗୁଡ଼ିକୁ ପ୍ରକାଶ କରିବା ପୂର୍ବରୁ ଗଣମାଧ୍ୟମ ଅଧିକ ସତର୍କ ରହିବା ଉଚିତ । ସାଧାରଣ ଲୋକପାଖରେ ସଠିକ୍ ସମ୍ବାଦ ପହଞ୍ଚୁ ଏହା ପ୍ରତି ଦୃଷ୍ଟିଦେବା ଉଚିତ । ଅବଶ୍ୟ ଏହିଭଳି ସମ୍ବାଦକୁ ଯଦି ଗଣମାଧ୍ୟମରେ ବିଜ୍ଞାପନଭାବେ ପ୍ରକାଶ କରାଯାଏ- ତା’ହେଲେ ତ କଥା ଭିନ୍ନ । ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଘରୋଇ ମାଲିକାନାରେ ଥିବାରୁ ସେମାନେ ଅପର୍ଯ୍ୟାପ୍ତ ଅର୍ଥ (ଯାହା ଅବଶ୍ୟ ଛାତ୍ରଛାତ୍ରୀଙ୍କଠାରୁ ସଂଗୃହୀତ) ବିଜ୍ଞାପନରେ ଖର୍ଚ୍ଚ କରିପାରୁଛନ୍ତି ଓ ତାଙ୍କ ସମ୍ପର୍କରେ ତଥା ତାଙ୍କ ଅନୁଷ୍ଠାନସମ୍ପର୍କରେ କେବଳ ଅନୁକୂଳ ସମ୍ବାଦଗୁଡ଼ିକର ପରିବେଷଣ ପାଇଁ ଗଣମାଧ୍ୟମରେ ସ୍ଥାନ ସଂରକ୍ଷିତ କରିପାରୁଛନ୍ତି । ବିଜ୍ଞାପନ ରାଜସ୍ୱ ପାଇଁ ବ୍ୟାକୁଳ ଖବରକାଗଜ ଗଣମାଧ୍ୟମ-ଏହିଭଳି ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଦେ୍ର୍ଧଶରେ ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ତେଣୁ ଗଣମାଧ୍ୟମ ଏହିଭଳି ସମ୍ବାଦ ପରିବେଷଣ ବେଳେ ଅଧିକ ସତର୍କ ହେବେ ବୋଲି ଆମର ଆଶା ବୃଥା ହୋଇଯିବାର ସମ୍ଭାବନା ଯେ ବେଶ୍ ଅଧିକ, ଏଥିରେ ସନେ୍ଦହ ନାହିଁ ।