ଏ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ଼ ଦ୍ୱାରା ହୋଇଯାଇଥିବା ପରୀକ୍ଷାରେ ପ୍ରଚୁରମାତ୍ରାରେ କପି ହୋଇଛି ବୋଲି ଗଣମାଧ୍ୟମ ଉଠୁଛିପଡ଼ୁଛି । ଅବଶ୍ୟ ଧରାପଡ଼ିଥିବା ପରୀକ୍ଷାର୍ଥୀ ପରୀକ୍ଷାରେ ବସିଥିବା ପରୀକ୍ଷାର୍ଥୀଙ୍କର ଶତକଡ଼ା କେତେ ଅଂଶ- ତାହା ଜଣାପଡ଼ିଲେ କପିର ବ୍ୟାପକତାର ଏକ ସଠିକ୍ ଆକଳନ କରିହେବ । ଏହା ବୋଧହୁଏ ଏକ ସଂଯୋଗ ନୁହେଁ ଯେ ରାଷ୍ଟ୍ର ଓ ରାଜ୍ୟସ୍ତରରେ ଯେତେବେଳେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଖବରକୁ ନେଇ ଗଣମାଧ୍ୟମ ଉଠୁଛି ପଡ଼ୁଛି-ସେତିକିବେଳେ ପରୀକ୍ଷାରେ କପିର ସମ୍ବାଦ ଗଣମାଧ୍ୟମରେ ବେଶ୍ ପ୍ରାଧାନ୍ୟ ପାଉଛି । ତେବେ ଯେଉଁମାନେ କ୍ଷମତାରେ ଅଛନ୍ତି- ନେତା, ପ୍ରଶାସକ, ବିଚାରପତି ଆଜି ହୋଇଛନ୍ତି, ସେମାନେ ଆଦୌ କପି ନକରି ଏହି ଯୋଗ୍ୟତା ହାସଲ କରି ଯଦି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି, ତା’ହେଲେ କପି କରି ବାହାରୁଥିବା ପିଲାମାନେ ଆଗାମୀ ଦିନରେ କେଉଁ ପରିମାଣରେ ଦୁର୍ନୀତି କରିବେ-ସେହି ଭାବନାରେ ବିଚଳିତ ହୋଇ ବୋଧହୁଏ କପିଧରିବା ଅଭିଯାନକୁ ସକ୍ରିୟ କରାହୋଇଛି । ଅବଶ୍ୟ ଅନେକେ ସଫଳ ବ୍ୟକ୍ତି-ସେମାନଙ୍କର ଛାତ୍ରଜୀବନ କଥା ମନେ ପକାଇ-ଏତାଦୃଶ ଉଦ୍ୟମ ଦେଖି ଓଠ ଚାପି ହସୁଥିବେ ।
-ଶୁଦ୍ରକ

Print Friendly, PDF & Email