ନକ୍ସଲ ପ୍ରଜନନ କେନ୍ଦ୍ର ସରକାରୀ ବିଦ୍ୟାଳୟ!

  • 12/09/2015

ଆମର ଋଷିମୁନିମାନେ ତ୍ରିକାଳଦର୍ଶୀ ଥିଲେ ବୋଲି ଆମେ ଶୁଣିଛୁ । ଯାହା ସାଧାରଣ ମଣିଷର ଆଖିରେ ପଡ଼େନାହିଁ- ତାହା ସେମାନେ ଦେଖିପାରନ୍ତି ବୋଲି ଆମକୁ କୁହାଯାଉଥିଲା । ‘ଗୁରୁ’ରବିଶଙ୍କର ସରକାରୀ ବିଦ୍ୟାଳୟଗୁଡ଼ିକରେ ନକ୍ସଲ ସୃଷ୍ଟି ହେଉଛନ୍ତି ବୋଲି ଏକ ଅଭିନବ ମନ୍ତବ୍ୟ ଦେଇ-ନିଜକୁ ସେହି ‘ତ୍ରିକାଳଦର୍ଶୀ’ ଋଷିମୁନିଙ୍କର ଗୋଷ୍ଠୀଭୁକ୍ତ କରିଦେଇଛନ୍ତି । ଏହାର ସମାଧାନ, ସରକାରୀ ସ୍କୁଲଗୁଡ଼ିକର ଘରୋଇକରଣରେ ରହିଛି ବୋଲି ଯୁକ୍ତି ବାଢ଼ିଛନ୍ତି । ଆମର ମାନ୍ୟବର ମାନବସମ୍ବଳ ବିକାଶ ମନ୍ତ୍ରୀ କୁହାଳିଆ କପିଳ ସିବଳ- ରବିଶଙ୍କରଙ୍କର ଏତାଦୃଶ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଯଦିଓ ସ୍କୁଲଗୁଡ଼ିକର ଘରୋଇକରଣ ପରାମର୍ଶ ଉପରେ ସେ ନୀରବତା ଅବଲମ୍ବନ କରିଛନ୍ତି- କିନ୍ତୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ନକ୍ସଲ ସୃଷ୍ଟି ହେଉଛନ୍ତି- ଏହାକୁ ସେ ତାଙ୍କ ଢଙ୍ଗରେ ବିରୋଧ କରିଛନ୍ତି ।
ତେବେ ରବିଶଙ୍କର ଯେ ଶିକ୍ଷାର ଘରୋଇକରଣର ଜଣେ ଚତୁର ପ୍ରବକ୍ତା- ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ । ମାଓବାଦ ପ୍ରତି ଥିବା ବିରୋଧୀ ମାନସିକତା ଯେ ଶିକ୍ଷାର ଘରୋଇକରଣ ସପକ୍ଷରେ ରୂପାନ୍ତରିତ କରାଯାଇ ପାରିବ- ଏଭଳି ଧାରଣା ତାଙ୍କର ବେପାରୀ ମାନସିକତାର ଏକ ଉକ୍ରୃଷ୍ଟ ଉଦାହରଣ । ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଶତାଧିକ ଏକର ଜମି ରାଜ୍ୟ ସରକାରଙ୍କ ଠାରୁ ହାତେଇ ନେବା ଶିକ୍ଷା ବ୍ୟବସାୟରେ ତାଙ୍କର ଉପସ୍ଥିତିକୁ ପ୍ରମାଣିତ କରୁଛି । ଏକ ସମୟରେ ଓଡ଼ିଶାର ମାଟିରେ ମାଓବାଦୀ ଓ ରବିଶଙ୍କରଙ୍କର ଉପସ୍ଥିତି- ଶିକ୍ଷା ବ୍ୟବସାୟକୁ ଅଧିକ ବ୍ୟାପକ କରିବା ପାଇଁ ରବିଶଙ୍କରକୁ ଯେ ଏକ ବଳିଷ୍ଠ କାରଣ ଯୋଗାଇବ- ଏଥିରେ ସନେ୍ଦହ ନାହିଁ । ଶିକ୍ଷାକ୍ଷେତ୍ରରେ ବ୍ୟୟ ଦାୟିତ୍ୱରୁ ମୁକ୍ତ ହେବାପାଇଁ ଅହରହ ଚେଷ୍ଟା କରୁଥିବା ଆମ ସରକାର ରବିଶଙ୍କରାଶ୍ରିତ ହେବା ଅସମ୍ଭବ ନୁହେଁ ।
କିନ୍ତୁ ରବିଶଙ୍କର ଜାଣି ରଖିବା ଉଚିତ ଯେ ଘରୋଇ ବିଦ୍ୟାଳୟରୁ ମଧ୍ୟ ନକ୍ସଲ ସୃଷ୍ଟି ହୋଇପାରନ୍ତି । ଭାରତର ଜଣେ ଆଗଧାଡ଼ିର ମାଓବାଦୀ ନେତା କୋବାଡ଼ ଘାଣ୍ଡି (Kobad Ghandy) ହେଉଛନ୍ତି ପ୍ରସିଦ୍ଧ ଘରୋଇ ବିଦ୍ୟାଳୟ ଡୁନ୍ ସ୍କୁଲ (Doon School)ର ଛାତ୍ର । ନକ୍ସଲ ସୃଷ୍ଟି ହେବାର ସମ୍ପର୍କ ସ୍କୁଲ ସହ ନାହିଁ- ଅଛି ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା ସହ । ତେଣୁ ଏହି ସାମାଜିକ-ଅର୍ଥନୈତିକ ବ୍ୟବସ୍ଥାର ପରିବର୍ତ୍ତନ କିପରି ହୋଇପାରିବ, ତାହାର ସୂତ୍ର ରବିଶଙ୍କର ଦେବା ଉଚିତ ।
-ଶୁଦ୍ରକ

Print Friendly, PDF & Email