୪/୮/୨୦୦୮ରୁ ୮/୮/୨୦୦୮ ସୁପ୍ରିମକୋର୍ଟର ଏହି ୫ଦିନିଆ ସପ୍ତାହ ଏକ ସ୍ମରଣୀୟ ସପ୍ତାହ । ୫/୮/୨୦୦୮ ଦିନ ଜଣାପଡ଼ିଲା ଯେ ସୁପ୍ରିମକୋର୍ଟ ଅସହାୟ । କାରଣ ନିଦେ୍ର୍ଧଶସତ୍ତ୍ୱେ ସରକାରୀ କ୍ୱାର୍ଟର୍ସରେ ଜବରଦସ୍ତ ରହୁଥିବା ନେତା, ଅମଲା, ବିଚାରପତି, ସାମ୍ବାଦିକଙ୍କୁ ସରକାର ବେଦଖଲ କରିପାରିଲା ନାହିଁ । ଏଠାରେ ଉଲ୍ଲେଖକରିବା ପ୍ରାସଙ୍ଗିକ ହେବ ଯେ ସରକାରଙ୍କର ସତ୍ୟପାଠ ଅନୁସାରେ ୯୯,୧୦୦ଟି ସରକାରୀ ଘର ମଧ୍ୟରୁ ୩୦୦ପାଖାପାଖି ଘର ହିଁ ଜବର-ଦଖଲରେ ରହିଛି । ସରକାରଙ୍କର ଏହି ବିଫଳତାରେ କ୍ଷୁବ୍ଧ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ମାନ୍ୟବର ବିଚାରପତି ଜି.ଏସ୍.ସିଂଘୱୀ ଯାହା କହିଲେ ତାହା ଆଜି ବହୁ ଚର୍ଚ୍ଚିତ । ବିଚାରପତିଦ୍ୱୟ ଆମଦେଶର ଚରିତ୍ର ଉପରେ ମନ୍ତବ୍ୟ କଲେ (Our country’s character has gone), ନିଜକୁ ଅସହାୟ ବୋଲି କହିଲେ (we are helpless), ଭଗବାନଙ୍କର ଅସହାୟତା ଉପରେ ମଧ୍ୟ ମୋହର ବସାଇ ଦେଲେ । (even God will not be able to save this country, even if god comes down, he can’t change our country) । ମାତ୍ର ୩୦୦ଟି ସରକାରୀ ବାସଭବନରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାରେ ସରକାରଙ୍କର ବିଫଳତା ପାଇଁ କ’ଣ ଏଭଳି ଚରମ ମନ୍ତବ୍ୟ, ନା ପୁଞ୍ଜିଭୂତ କ୍ଷୋଭରୁ ଏହାର ଜନ୍ମ ।
୭/୮/୨୦୦୮ଦିନ ବିବାଦୀୟ ୨୩କୋଟିଟଙ୍କାର ଟ୍ରେଜେରୀ ଘୋଟାଲାର ଶୁଣାଣିବେଳେ, ଏହି ଘଟଣାରେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ବିଚାରପତିମାନଙ୍କୁ ସୁପ୍ରମିକୋର୍ଟ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରନ୍ତି ବରିଷ୍ଠ ଅଧିବକ୍ତା ଓ ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଶାନ୍ତିଭୂଷଣ । ଏହି ଅଭିଯୋଗ ଶୁଣି ଏହି ମାମଲାର ଶୁଣାଣି କରୁଥିବା ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଏତେ କ୍ଷୁବ୍ଧ ହୁଅନ୍ତି ଯେ ସେ ଶାନ୍ତିଭୂଷଣଙ୍କୁ ତୁମେ ରାସ୍ତାକଡ଼ର ପିଲା ଭଳି ଯୁକ୍ତି କରୁଛ ବୋଲି କହିବାକୁ ସମ୍ବରଣ କରିପାରନ୍ତି ନାହିଁ ଓ ଏହି ମାମଲାର ଶୁଣାଣିରୁ ଓହରି ଯାଆନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଘୋଟାଲାରେ ଜଣେ ବର୍ତ୍ତମାନର ସୁପ୍ରିମକୋର୍ଟ ବିଚାରପତି, ୭ଜଣ ଆଲ୍ହାବାଦ ହାଇକୋର୍ଟର ବିଚାରପତି, ୬ଜଣ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ୧୨ଜଣ ଉତ୍ତରପ୍ରଦେଶର ଆଇନସେବା ଅନ୍ତର୍ଭୁକ୍ତ ବିଚାରପତିଙ୍କର ନାମଉଠୁଛି । (ଦ୍ରଷ୍ଟବ୍ୟ-The Economic Times, 08/08/2008) ।
୮/୮/୨୦୦୮ଦିନ ସାଧାରଣ ମଣିଷର ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହେଉଥିବା ଦୁଇଟି ଶିଳ୍ପାନୁଷ୍ଠାନ ପୋସ୍କୋ ଓ ବେଦାନ୍ତକୁ ସୁପ୍ରିମକୋର୍ଟ (ମାନ୍ୟବର ମୁଖ୍ୟ ବିଚାରପତି କେ.ଜି.ବାଲକ୍ରିଷ୍ଣନ, ବିଚାରପତି ଏସ୍.ଏଚ୍. କପାଡ଼ିଆ ଓ ବିଚାରପତି ଅରଜିତ ପଶାୟତଙ୍କୁ ନେଇ ଗଠିତ ଖଣ୍ଡପୀଠ) ଅନୁମତି ଦିଅନ୍ତି ଜଙ୍ଗଲ ଜମିକୁ ଅକ୍ତିଆର କରିବାପାଇଁ । ୩୧୩୩ ଏକର ପୋସ୍କୋକୁ ଓ ୧୬୫୧ଏକର ବେଦାନ୍ତକୁ । ଏହି ରାୟର ପ୍ରତିକ୍ରିୟାରେ ପ୍ରଭାବିତଅଞ୍ଚଳର ଅଧିବାସୀମାନଙ୍କର ପ୍ରକଳ୍ପବିରୋଧୀ ମାନସିକତା ଆହୁରି ବୃଦ୍ଧିପାଇଛି ବୋଲି ସମ୍ବାଦପତ୍ରରୁ ସୂଚନା ମିଳୁଛି । (ଦ୍ରଷ୍ଟବ୍ୟ – ଧରିତ୍ରୀ, ୧୧/୮/୨୦୦୮) । ୮/୮/୨୦୦୮ ଦିନ ମାନ୍ୟବର ବିଚାରପତି ବି.ଏନ୍. ଅଗ୍ରୱାଲ ଓ ବିଚାରପତି ଜି.ଏସ୍.ସିଂଘୱୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଳସୁଆ-ବାବୁଙ୍କୁ ଚାବୁକ ଦରକାର ବୋଲି ମନ୍ତବ୍ୟ ଦିଅନ୍ତି(ଦ୍ରଷ୍ଟବ୍ୟ-The Statesman, 9th August 2008) । ଏହିଭଳି ମନ୍ତବ୍ୟ ଓଡ଼ିଶାର ଅଧିବାସୀଙ୍କ ପାଇଁ ନୂଆନୁହେଁ ବୋଲି ବିଜୁବାବୁଙ୍କର ମାଡ଼ତତ୍ତ୍ୱକୁ ସ୍ମରଣ କରିପାରୁଥିବା ବ୍ୟକ୍ତିମାନେ କହନ୍ତି ।
ତେବେ ସୁପ୍ରିମକୋର୍ଟରେ ପ୍ରକଟିତ ଏହି ରାୟଗୁଡ଼ିକୁ ଏକାଠି କରି ଯଦି କେହି ଆଶଙ୍କା କରେ ଯେ ଜଙ୍ଗଲ ଜମିକୁ ପୋସ୍କୋ ଓ ବେଦାନ୍ତକୁ ହସ୍ତାନ୍ତରିତ କରିବାରେ ବିଳମ୍ବ କରୁଥିବା ସରକାରୀବାବୁଙ୍କୁ ଚାବୁକ ଲାଗିବ-ତା’ହେଲେ ଏଭଳି ଆଶଙ୍କାକୁ ଅମୂଳକ ବୋଲି କୁହାଯାଇ ପାରିବନାହିଁ । କହିବା ବାହୁଲ୍ୟ ଯେ ଗୋଟିଏ ପଟେ ଏହି ଜଙ୍ଗଲ ଜମି ଉପରେ ନିଜର ଜୀବନ ଜୀବିକା ଓ ଆଧ୍ୟାତ୍ମିକ ପରିତୁଷ୍ଟି ପାଇଁ ପୁରୁଷାନୁକ୍ରମେ ଚଳି ଆସୁଥିବା ଏକ ବିରାଟ ଜନସମୁଦାୟର ପ୍ରତିରୋଧ ଓ ଅନ୍ୟପଟେ ସୁପି୍ରମକୋର୍ଟର ନିଦେ୍ର୍ଧଶ ଅନୁସାରେ ଏହି ଜଙ୍ଗଲ ଜମିକୁ ଶିଳ୍ପାନୁଷ୍ଠାନକୁ ହସ୍ତାନ୍ତର, ମଝିରେ ପେଶି ହେବ ବାପୁଡ଼ା ସରକାରୀବାବୁ । ଭଗବାନ ଏ ଦେଶକୁ ରକ୍ଷା କରିପାରିବେ କି ନାହିଁ-ତାହା ତ ଭଗବାନଙ୍କ ପାଇଁ ଆହ୍ୱାନ । କିନ୍ତୁ ଯଦି ସାଧାରଣଲୋକଙ୍କ ଭିତରେ ଭଗବାନ ରୁହନ୍ତି ବୋଲି ପାରମ୍ପରିକ ବିଶ୍ୱାସକୁ ଆମେ ଆଧାର କରୁ, ତା’ହେଲେ ନିଶ୍ଚିତ ଭାବରେ ସାଧାରଣ ଲୋକର ସ୍ୱାର୍ଥର ବିରୋଧୀ ଶକ୍ତିମାନଙ୍କୁ ଭଗବାନ ରକ୍ଷା କରିବେନାହିଁ-ଏହା ନିଶ୍ଚିତ ।