ସନ୍ତ୍ରାସବାଦୀମାନେ ଏ ପର୍ଯ୍ୟନ୍ତ ଜନଗହଳି ବଜାର, ମେଳା, ରେଳଷ୍ଟେସନ ଇତ୍ୟାଦିରେ ବିସ୍ଫୋରଣ କରାଇ ସାଧାରଣ ମଧ୍ୟବିତ୍ତବର୍ଗ ଲୋକଙ୍କୁ ହିଁ ତାଙ୍କର ଶିକାର କରୁଥିଲେ । ୨୬ନଭେମ୍ବର ୨୦୦୮ରାତିରେ ମୁମ୍ବାଇ ସହରରେ ସନ୍ତ୍ରାସବାଦୀମାନେ ଯେଉଁ ଆତଙ୍କ ଆରମ୍ଭ କଲେ ଓ ମୁଖ୍ୟତଃ ୩ଟି ତାରକା ହୋଟେଲରେ ଯେଉଁଭଳି ସେମାନେ ନିଜର କାର୍ଯ୍ୟକୁ ସୀମିତ ରଖିଲେ – ସେଥିରୁ ମନେହୁଏ ଯେ ସେମାନେ ଏବେ ତାଙ୍କର ଶିକାରର ପରିଧି ଭିତରକୁ ଧନୀ ଲୋକମାନଙ୍କୁ ଆଣିଛନ୍ତି । ତାଜ୍ ହୋଟେଲ, ଓବରେଇ, ଟ୍ରାଇଡେଣ୍ଟ ବା ନରିମାନ ହାଉସ୍ରେ ଯେଉଁମାନେ ଆତଯାତ କରନ୍ତି, ସେମାନେ ସାଧାରଣ ସମାଜର ବେଶ ଧନୀବର୍ଗର ମଣିଷ ବା ବିଦେଶରୁ ଆସୁଥିବା ଟୁରିଷ୍ଟ । ଅନେକେ ଭାବୁଛନ୍ତି ଏହାଦ୍ୱାରା ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବେ,ସାଧାରଣଲୋକେ ଶିକାର ହେଉଥିବାବେଳେ ଯେପରି ବିବୃତ୍ତ ଦେଇ ରହିଯାଉଥିଲେ, ସେପରି କରିବେ ନାହିଁ । କୌଣସି ଗୋଟିଏ ଠୋସ ବ୍ୟବସ୍ଥା କରିବେ-କାରଣ ଏବେ ସମାଜର ଉଚ୍ଚବର୍ଗ, ଧନୀକଶ୍ରେଣୀ ଯେଉଁମାନେ ମୁଖ୍ୟତଃ ଆମ ରାଷ୍ଟ୍ର ପରିଚାଳନାର ନିଷ୍ପତ୍ତମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି – ସେମାନେ ଆତଙ୍କର ଶିକାର ହୋଇଛନ୍ତି । ଯଦି ଆମର ନିଷ୍ପତ୍ତକାର, ନୀତି ନିର୍ଦ୍ଧାରକମାନେ ସାଧାରଣ ମଣିଷ କିପରି ସୁରକ୍ଷିତ ରହିବ, ତା’ର ଜୀବନ-ଜୀବିକା କିପରି ସୁରକ୍ଷିତ ରହିବ – ସେହିଭଳି ଏକ ଦୃଷ୍ଟିକୋଣ ରଖି ନିଷ୍ପତ୍ତ ନିଅନ୍ତେ ତା’ହେଲେ ବୋଧହୁଏ ଉଚ୍ଚଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ଚିନ୍ତା କରିବାକୁ ପଡ଼ନ୍ତା ନାହିଁ । ସେମାନେ ବଳେ ବଳେ ସୁରକ୍ଷିତ ରହନ୍ତେ । ମହାତ୍ମା ଗାନ୍ଧୀ ସେଥିପାଇଁ ସବା ତଳଲୋକକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ଉପରେ ଜୋର ଦେଇଥିଲେ । ବର୍ତ୍ତମାନ କ୍ଷେତ୍ରରେ ମଧ୍ୟ ଏହା ପ୍ରାସଙ୍ଗିକ । କିନ୍ତୁ ଦାବି ହେଉଛି ଏହି ତାରକା ହୋଟେଲମାନଙ୍କୁ ସୁରକ୍ଷା ଦେବାପାଇଁ । ଯଦି ବିଶେଷଜ୍ଞମାନଙ୍କର ବକ୍ତବ୍ୟକୁ ଗ୍ରହଣ କରାଯାଏ ଯେ ଜୀବନକୁ ପାଣିଛଡ଼ାଇ ନିଜର ଲକ୍ଷ୍ୟ ସ୍ଥିର କରି ଆସିଥିବା ସନ୍ତ୍ରାସବାଦୀକୁ କୌଣସି ସୁରକ୍ଷା ବଳୟ ଅଟକାଇପାରିବ ନାହିଁ- ତା’ହେଲେ ହୋଟେଲକୁ କେବଳ ସୁରକ୍ଷା ଯୋଗାଇ ଦେଲେ ଏହା ଭିତରେ ମଉଜ ମଜଲିସ କରୁଥିବା ଧନୀଲୋକେ ସୁରକ୍ଷିତ ରହିବେ-ଏପରି କହିହେବ ନାହିଁ । ତେଣୁ ସନ୍ତ୍ରାସପାଇଁ ଏହିଭଳି ଦୃଢ଼ ପ୍ରତିଜ୍ଞ ମାନସିକତା କିପରି ସୃଷ୍ଟିନହେବ, ତା’ର ପଥ ସନ୍ଧାନରେ ହିଁ ସନ୍ତ୍ରାସବାଦର ସମାଧାନ ନିହିତ । ତେଣୁ ସମସ୍ୟାର ମୂଳକୁ ଯିବାକୁ ହେବ । ଭୟ ଓ ଅନିଶ୍ଚିତତା ସୃଷ୍ଟିକରିବା ଯଦି ସନ୍ତ୍ରାସବାଦୀର ଲକ୍ଷ୍ୟ,ତା’ହେଲେ ଶକ୍ତିଶାଳୀ ରାଷ୍ଟ୍ରମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନକରି ଯେଉଁଠି ଭୟ ଓ ଅନିଶ୍ଚିତତା ସୃଷ୍ଟି କରୁଛନ୍ତି, ସେଠାରେ ଏହି ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସନ୍ତ୍ରାସବାଦୀ ବୋଲି କାହିଁକି କୁହାନଯିବ । ସନ୍ତ୍ରାସବାଦର ନିରାକରଣ ଦିଗରେ ହୁଏତ ପ୍ରଥମ ପଦକ୍ଷେପ ହେବ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ସନ୍ତ୍ରାସବାଦୀ ଭୂମିକାରୁ ନିବୃତ୍ତ ହେବା । ଯେଉଁମାନେ ସନ୍ତ୍ରାସବାଦର ବ୍ୟାପକତାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପାଇଁ ଏକ ବିରାଟ ବଜାରର ସମ୍ଭାବନା ଦେଖୁଛନ୍ତି – ସେମାନଙ୍କୁ ଠାବ କରିବା ଓ ଅସ୍ତ୍ରଶସ୍ତ୍ର ଯୋଗାଣର ପଥକୁ ରୁଦ୍ଧ କରିବା । (ଏହି ପ୍ରସଙ୍ଗରେ ଆମେ ଭୁଲିବା ଉଚିତନୁହେଁ ଯେ, ଅସ୍ତ୍ରଶସ୍ତ୍ର କମ୍ପାନୀମାନଙ୍କର ପ୍ରଭାବ ରାଷ୍ଟ୍ରର ଅର୍ଥନୀତିରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।) ଏହି ସନ୍ଧାନରେ ସନ୍ତ୍ରାସବାଦର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଭିତ୍ତ ଓ ବର୍ତ୍ତମାନର ସ୍ଥିତିକୁ ବିଚାର କରିବାକୁ ହେବ । ବୋଧହୁଏ ଏକ ନିରପେକ୍ଷ ବିଚାରରେ ହିଁ ସନ୍ତ୍ରାସବାଦର ଏକ ସ୍ଥାୟୀ ସମାଧାନ ଆଶା କରାଯାଇ ପାରେ ।