ଦକ୍ଷିଣ କୋରିଆର ଏକ ବୃତ୍ତ ହରାଇଥିବା ଗଣିତ ଅଧ୍ୟାପକ ଚହଳ ପକାଇଛନ୍ତି । ତାଙ୍କର ସ୍ୱପ୍ରକାଶିତ ପୁସ୍ତକ ‘udges, Who do You Think You Are?’(ବିଚାରପତିଗଣ, ତୁମେ ନିଜକୁ କ’ଣ ଭାବୁଛ?) ଦକ୍ଷିଣ କୋରିଆର ନ୍ୟାୟପାଳିକା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଠିଆ କରିଛି । ଏହି ଅଧ୍ୟାପକଙ୍କ ନାଁ ହେଉଛି କିମ ମୁ୍ୟଙ୍ଗ-ହୋ(Kim Myung-ho) । ବୃତ୍ତ ହରାଇଥିବା ଅବସ୍ଥାରେ ଏକ ଦିୱାନୀ (civil) ମାମଲାରେ ହାରିଯିବା ପରେ ସେ ବିଚାରପତିଙ୍କ ସାମ୍ନା କଲେ ଏକ ଧନୂତୀର(Cross bow)ଧରି । ମାନ୍ୟବର ବିଚାରପତିଙ୍କ ପ୍ରତି ଏତାଦୃଶ ଆଚରଣ ପାଇଁ ୨୦୦୭ ମସିହାରେ କିମ୍ ପାଇଲେ ପାଞ୍ଚବର୍ଷ ପାଇଁ କାରାଦଣ୍ଡ । କାରାଗାରରୁ ବାହାରିବା ପରେ ଏକଦା ସନ୍ତ୍ରାସବାଦୀ (terrorist) ଅଭିଯୋଗରେ ଅଭିଯୁକ୍ତ କିମ୍ ଆଜି ଦକ୍ଷିଣ କୋରିଆରେ ନ୍ୟାୟପାଳିକାର ସ୍ୱେଚ୍ଛାଚାରିତା ଦ୍ୱାରା ତ୍ରସ୍ତ ଜନସାଧାରଣଙ୍କ ପାଇଁ ହୋଇଛନ୍ତି ଏକ ହିରୋ ।Good Law ବୋଲି ଏକ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଦକ୍ଷିଣକୋରିଆରେ ନ୍ୟାୟପାଳିକା ଉପରୁ ଆସ୍ଥା ତୁଟିବା ବ୍ୟାପକ ହୋଇଛି । ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୧୧୦୦ଜଣଙ୍କ ଭିତରୁ ୮୪୭ଜଣ (ଅର୍ଥାତ ୭୭%) ନ୍ୟାୟପାଳିକା ଉପରେ ତାଙ୍କର ଆସ୍ଥାନାହିଁ ବୋଲି କହିଛନ୍ତି । ଜନସାଧାରଣଙ୍କର ନ୍ୟାୟପାଳିକା ଉପରେ ଆସ୍ଥା ତୁଟିଯିବା ସମ୍ପର୍କରେ ମନ୍ତବ୍ୟ ଦେଇ ସିଓଲ ଜାତୀୟ ବିଶ୍ୱବିଦ୍ୟାଳୟ (Seoul National University)ର ଆଇନ ବିଭାଗ ପ୍ରଫେସର ଚୋ ଗୁକ୍(Cho Guk) କୁହନ୍ତି ଯେ ପ୍ରତିଷ୍ଠିତ(privileged)ଙ୍କୁ ସୁହାଇବା ଭଳି ରାୟ ଜନସାଧାରଣଙ୍କର ନ୍ୟାୟପାଳିକା ପ୍ରତି କ୍ଷୋଭର କାରଣ ହୋଇଛି । ସେ ଦର୍ଶାଇଛନ୍ତି କିପରି ହୁଣ୍ଡାଇ ମୋଟରର ଅଧ୍ୟକ୍ଷ ଚୁଙ୍ଗ୍-ମଙ୍ଗ୍-କୁ (Chung Mong Koo)ଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର (embezzlement) ଅଭିଯୋଗରେ ଦଣ୍ଡକୁ ସିଓଲର ଏକ ନ୍ୟାୟାଳୟ ବରଖାସ୍ତ କରିଦେଲେ । କହିଲେ ଯେ ଏସିଆ ମହାଦେଶରେ ଉପୁଜିଥିବା ଆର୍ଥିକ ସଙ୍କଟବେଳେ ଦକ୍ଷିଣକୋରିଆର ଅର୍ଥନୀତିକୁ ପୁନଃରୁଦ୍ଧାର କ୍ଷେତ୍ରରେ ଚୁଙ୍ଗ୍ଙ୍କର ଭୂମିକା ଥିଲା ଉଲ୍ଲେଖନୀୟ । ସମୁଦାୟ ପ୍ରସଙ୍ଗରୁ ଜଣାପଡ଼େ ଯେ ଦକ୍ଷିଣ କୋରିଆର ନ୍ୟାୟପାଳିକା ସାଧାରଣ ଲୋକଙ୍କ ଅପେକ୍ଷା ପ୍ରତିଷ୍ଠିତ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ବିଶେଷ ଭାବରେ ବ୍ୟବହାର ହେଉଛି ।
ଯେତେବେଳେ ଦକ୍ଷିଣକୋରିଆର ପୋସ୍କୋ (POSCO)ଭଳି ପ୍ରଭାବଶାଳୀ କମ୍ପାନୀମାନଙ୍କୁ ଭାରତମାଟିରେ ପ୍ରତିଷ୍ଠିତ କରାଇବା ପାଇଁ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରମାନେ ବ୍ୟାକୁଳ ହୋଇଉଠୁଛନ୍ତି- ସେତେବେଳେ ଦକ୍ଷିଣ କୋରିଆର ନ୍ୟାୟପାଳିକା ବା ନ୍ୟାୟ ବ୍ୟବସ୍ଥା ଭାରତର ସମାଜପତି ମାନଙ୍କର ଆଦର୍ଶ ନହେଉ- ଏହାହିଁ ଶୁଦ୍ରକର ଆନ୍ତରିକ ପ୍ରାର୍ଥନା ।
((cross bow professor Reflects Korean Anger’ by John M Glionna, The New Indian Express, 15.3.2012 ଛାୟାରେ ଲିଖିତ) -ଶୁଦ୍ରକ