ଫେରିଆସ

  • 18/09/2015

‘କମ୍ରେଡ଼ ସବ୍ୟସାଚୀ, ତୁମେ ଫେରିଆସ’ ଶିରୋନାମାରେ ସୁଦର୍ଶନ ଦାସଙ୍କର ଏକ ଭାବପ୍ରବଣ, ବ୍ୟାକୁଳ ନିବେଦନ (ସମ୍ବାଦ-୨୦/୪/୨୦୧୨)ଦୁଇ ଦଶନ୍ଧି ଧରି ଦେଖିନଥିବା ପୂର୍ବତନ ବନ୍ଧୁ ସବ୍ୟସାଚୀଙ୍କର ସାନ୍ନିଧ୍ୟ ପାଇଁ ନିଶ୍ଚୟ ଏକ ମାର୍ମିକ ଆହ୍ୱାନ । ଏହାକୁ ପଢ଼ିଲାବେଳେ ମନରେ ଆସୁଥିଲା ଯେ ବାମପନ୍ଥୀ ଆଦର୍ଶରେ ବିଶ୍ୱାସ କରି ଯେଉଁ ଯୁବକମାନେ ଏକଦା ଅତ୍ୟନ୍ତ ସକ୍ରିୟ ଥିଲେ ଓ ତାଙ୍କର ସମସାମୟିକ ତଥା ବରିଷ୍ଠଙ୍କ ଭିତରେ ଏକ ନୂତନ ସମାଜର ଆଶା ଉଦ୍ରେକ କରୁଥିଲେ-ସେମାନେ ଯେତେବେଳେ ଦକ୍ଷିଣକୁ ପ୍ରତ୍ୟାବର୍ତ୍ତନ କଲେ, କ୍ରିୟାରୁ ପ୍ରତିକ୍ରିୟାକୁ ଫେରିଲେ, ସେତେବେଳେ ସେମାନଙ୍କ ଉଦେ୍ଧଶ୍ୟରେ ସୁଦର୍ଶନଙ୍କ ପରି କେହି ଆହ୍ୱାନ ଦେଇଥିଲେ କି? ଯେତେ ଖୋଜିଲେ, ଏପରି ଦୃଷ୍ଟାନ୍ତ ମିଳୁନାହିଁ । ତେଣୁ ଅନ୍ତଃସ୍ୱରର ଡାକରା/ ତାଡ଼ନା ସେ କ’ଣ ଏହି ବାମପନ୍ଥୀ ଯୁବକମାନେ ବିପ୍ଳବପଥରୁ ବାଟଭାଙ୍ଗି ଚାଲିଗଲେ ଓ ମୁଖ୍ୟଧାରାରେ ସାମିଲ ହୋଇଗଲେ-ନା ମୁଖ୍ୟଧାରାର ଆକର୍ଷଣଗୁଡ଼ିକୁ ସମ୍ବରଣ କରି ନପାରି ସେମାନେ ଏପରି କଲେ-ତାହା ପ୍ରତ୍ୟେକ ପ୍ରାକ୍ତନ ବାମପନ୍ଥୀ ନିଜକୁ ପଚାରିବା ଉଚିତ । ବାମପନ୍ଥୀରୁ ଯେଉଁମାନେ ଦକ୍ଷିଣପନ୍ଥୀ ହୋଇଛନ୍ତି- ସେମାନେ ଯେ ପରବର୍ତ୍ତୀ ସମୟରେ ଏକ ନିରାପଦ, ସୁରକ୍ଷିତ ତଥା ସମ୍ପନ୍ନ ଜୀବନଯାପନ କରିଛନ୍ତି-ଏଥିରେ ସନେ୍ଦହ ନାହିଁ । ଅପରପକ୍ଷରେ ସେମାନେ ନିରାଶ ହୋଇଛନ୍ତି ଯେଉଁମାନେ ଏହି ଯୁବକମାନଙ୍କ ଉପରେ ଭରସା ରଖିଥିଲେ-ଏକ ନୂତନ ସମାଜ ଗଠନରେ ତାଙ୍କର ଭୂମିକା ଦେଖିବା ପାଇଁ ।
-ଶୁଦ୍ରକ

Print Friendly, PDF & Email