ବୀରେନ୍ଦ୍ର ନାୟକ

ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ (TIFR) ଠାରେ ଚାଲିଥିବା ଏକ ସାମାଜିକ ଭେଟଘାଟ ରେ ଜଣେ ପରେ ଜଣେ ବକ୍ତା ଟାଟା ପରିବାରର ବଦାନ୍ୟତାକୁ ଉଛ୍ୱସିତ ପ୍ରଶଂସାକରି ସେମାନେ କିପରି ତାଙ୍କର କଷ୍ଟୋପାର୍ଜିତ ଧନକୁ ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ନିୟୋଜିତ କରିଛନ୍ତି ଓ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ ଭଳି ପ୍ରତିଷ୍ଠାନ ଗଢିଛନ୍ତି-ତାହା ବଖାଣୁ ଥିବା ବେଳେ ସେଠାରେ ଉପସ୍ଥିତ ପ୍ରତିଷ୍ଠାନର ଗଣିତ ପ୍ରଫେସର ଓ ଅନନ୍ୟ ଐତିହାସିକ -ପ୍ରତ୍ନତ୍ତ୍ୱବିଦ ଦାମୋଦର ଧର୍ମାନନ୍ଦ କୋସାମ୍ବୀ ଭିନ୍ନମତ ରଖିଥିଲେ-ଯାହା ଉପସ୍ଥିତ ସମସ୍ତଙ୍କୁ ହତ୍ବାକ କରିଦେଇଥିଲା, ଏପରି ରୁକ୍ଷ ସ୍ପଷ୍ଟବାଦୀତା ପ୍ରତି ସେମାନେ ଯେପରି ପ୍ରସ୍ତୁତ ନ ଥିଲେ । ଟାଟା ପରିବାରର ଧନ କଷ୍ଟୋପାର୍ଜିତ- ଏହାକୁ ସେ ଗ୍ରହଣ କରିପାରି ନ ଥିଲେ ।  ସେ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ପୁଂଜି ମର୍ଯ୍ୟାଦାବନ୍ତ ହେବା ପୂର୍ବରୁ ତାହାର ଯାତ୍ରା ଏକ ଅନୈତିକ ଉପାୟରେ ଠୁଳିତ ପୁଂଜିରୁ ହିଁ ଆରମ୍ଭ କରିଥାଏ । ଉଦାହରଣ ଦେଇ ଦର୍ଶାଇଥିଲେ- କିପରି ଅଫିମ ଯୁଦ୍ଧ ସମୟରେ ଅଫିମ ବ୍ୟବସାୟ କରି ଟାଟା ପରିବାର ପ୍ରଚୁର ଅର୍ଥ ରୋଜଗାର କରିଥିଲେ ।  କୋସାମ୍ବୀଙ୍କର ଏତାଦୃଶ ସ୍ପଷ୍ଟବାଦୀତା ପ୍ରତିଷ୍ଠାନର ନିର୍ଦ୍ଦେଶକ ହୋମି ଭାବାଙ୍କ ପାଇଁ ଅସହ୍ୟ ହୋଇଥିଲା । ହୋମି ଭାବା, ଯେ ଥିଲେ ଟାଟା ପରିବାରର ନିକଟ ସଂପର୍କୀୟ । ଭାବାଙ୍କର ବହୁ ପ୍ରଚାରିତ ଅଣୁଶକ୍ତିର ଶାନ୍ତିପୂର୍ଣ ବ୍ୟବହାର ସପକ୍ଷରେ ତର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ କୋସାମ୍ବୀ ଯାହା ଭାବାଙ୍କର ପରିଚିତିକୁ ଆହତ କରୁଥିଲା ।ଏହି ଭଳି ସ୍ପଷ୍ଟବାଦୀତା କୋସାମ୍ବୀଙ୍କ ବୃତ୍ତି ଜୀବନ ପାଇଁ କାଳ ହୋଇଥିଲା । ତାଙ୍କର ପ୍ରଫେସର ପଦର ଆଉ ନବୀକରଣ ହେଲା ନାହିଁ । ଭାବାଙ୍କର ପ୍ରଭାବ ଏପରି ଥିଲା ଯେ ସେ ଆଉ କୈାଣସି ସ୍ଥାନରେ ନିୟମିତ ଚାକିରିଟିଏ ପାଇଲେ ନାହିଁ । ପ୍ରାୟ ୧୯୬୧ ମସିହାରୁ ବୃତ୍ତିିହୀନ ହୋଇଥିବା କୋସାମ୍ବୀ ୧୯୬୬ ମସିହାରେ ମାତ୍ର ୬୦ ବର୍ଷ ବୟସରେ ପ୍ରାଣତ୍ୟାଗ କଲେ । ତୋଷାମଦହୀନ ସ୍ପଷ୍ଟବାଦୀତାର କରୁଣ ପରିଣତି କୋସାମ୍ବୀଙ୍କ ଭଳି ଏକ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତିର ଜୀବନରେ ଦୃଶ୍ୟମାନ ହେବା ଯେ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ -ଏହା କହିବା ବାହୁଲ୍ୟ ମାତ୍ର । (ଦ୍ରଷ୍ଟବ୍ୟ:Kosambi the Mathematician by C.K.Raju, The Many Careers of D.D.Kosambi, ed. D.N.Jha, Leftword, New Delhi, 2011, p. 189-90) ।
ଯଦି ଟାଟା ପରିବାର ଅଫିମ ବ୍ୟବସାୟରୁ ଉପାର୍ଜିତ ଅର୍ଥ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚର ମୂଳରେ ରହିଛି ବୋଲି କୋସାମ୍ବିଙ୍କର ଇଶାରାକୁ ଗ୍ରହଣ କରିନିଆଯାଏ, ତାହାଲେ ଏହି ମର୍ଯ୍ୟଦାବନ୍ତ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଯେ ଅଫିମର ଦାନ ଏହା କହିବା ଆଦୈା ଅମୂଳକ ହେବ ନାହିଁ । କେବଳ ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ ନୁହଁ ଟାଟା ପରିବାରର ପୃଷ୍ଠପୋଷକତାରେ ଗଢି ଉଠିଥିବା ସମସ୍ତ ଶିକ୍ଷା ଓ ସାଂସ୍କୃତିକ ପ୍ରତିଷ୍ଠାନ ଗୁଡିକ ସଂପର୍କରେ ଏହା କୁହା ଯାଇ ପାରେ ।
କେବଳ ଟାଟା ପରିବାର କାହିଁକି, ବିରଳା ପରିବାର ଦ୍ୱାରା ସ୍ଥାପିତ ଶିକ୍ଷା ଓ ସାଂସ୍କୃତିକ ପ୍ରତିଷ୍ଠାନ ଗୁଡିକ ସଂପର୍କରେ ମଧ୍ୟ ଏହା କୁହା ଯାଇ ପାରେ ।  କାରଣ ବିରଳା ପରିବାରର ଉପାର୍ଜନରେ ମଧ୍ୟ ଥିଲା ଅଫିମ ବ୍ୟବସାୟରୁ ପ୍ରଚୁର ଆୟ ଯାହା ସେମାନଙ୍କର  ବ୍ୟବସାୟର ବିବିଧକରଣରେ ବିନିଯୋଗ ହୋଇଥିବା ସ୍ୱଭାବିକ । କୁହାଯାଏ ଯେ ଗାଂଧୀ ଅନୁଯାୟୀ ଶିଲ୍ପପତି ଘନଶ୍ୟାମ ଦାସ ବିରଳାଙ୍କ ପିତା ବଳଦେଓ ଦାସ ବିରଳା ତାଙ୍କର ପୁତୁରା ଫୁଲଚାନ୍ଦ ସୋଧାନୀଙ୍କ ସହ ଅଫିମ ବ୍ୟବସାୟରୁ ପ୍ରଚୁର ଲାଭ କରିଥଲେ । (‘Baldeodas’s fortune was made in partnership with his nephew, Fulchand Sodhani, through speculation in opium trade running into more than 10 million rupees….’http://en.wikipedia.org/ wiki/ Ghanshyam_Das_Birla).
ସେହିଭଳି ଶାନ୍ତିନିକେତନର ପ୍ରତିଷ୍ଠାତା କବିଗୁରୁ ରବିନ୍ଦ୍ରନାଥ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଐଶ୍ୱର୍ଯ୍ୟ ପଛରେ ଜେଜବାପା ଦ୍ୱାରକାନାଥଙ୍କର(୧୭୯୪-୧୮୪୬) ଅଫିମ ବେପାରରୁ ପ୍ରଚୁର ଆୟର ଯେ ଏକ ଶକ୍ତିଶାଳୀ ପୃଷ୍ଠଭୂମି ଥିଲା ତାହା ଇତିହାସ ପୃଷ୍ଠାରୁ ଜଣାପଡେ । (Jhttp://en.wikipedia.org/wiki/Dwarakanath_Tagore)
    ବମ୍ବେ ସହର

କେବଳ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ କାହିଁକି, ଅତ୍ୟାଧୁନିକ ବମ୍ବେ (ଆଜିର ମୁମ୍ବାଇ) ସହରର ସୃଷ୍ଟି ଓ ଅଭିବୃଦ୍ଧି ମଧ୍ୟ ଅଫିମର ଦାନ । ଏହାକୁ ଅଫିମ ନଗର ଅଭିହିତ କରାଯାଇ ଏହି ଶିରୋନାମାରେ ଲେଖାଯାଇଛି ପୁସ୍ତକ (Opium City: The Making of Early Victorian Bombay by Amar Farooqui. Three Essays Press, New Delhi, 2005, http://www.threeessays.com/books/opium-city/ ) ବମ୍ବେ ହିଁ ଥିଲା ଅଫିମ ବ୍ୟବସାୟର ମୂଳ ପେଣ୍ଠ । ୧୮୨୦ ମସିହା ବେଳକୁ, ବମ୍ବେରେ ବହୁ ସଂଖ୍ୟାରେ ପାର୍ସୀ, ମାରୱାଡି, ଗୁଜରାଟି ବଣିଆ ଓ କୋଙ୍କଣୀ ମୁସଲମାନ ଏହି ବ୍ୟବସାୟରେ ମାତିଗଲେଣି । କିନ୍ତୁ ପାର୍ସୀ ମାନେ ହିଁ ଏହି ବ୍ୟବସାୟରେ ଅନ୍ୟ ମାନଙ୍କଠାରୁ ଆଗୁଆ ଥିଲେ  । ଅଫିମ ବ୍ୟବସାୟରୁ ଏହି ପାର୍ସୀ ବ୍ୟବସାୟୀ ମାନେ ଏତେ ଅର୍ଥ ଉପାର୍ଜନ କରିଥିଲେ ଯେ ମାତ୍ର ୫୦ ବର୍ଷ ମଧ୍ୟରେ (୧୭୯୦ ରୁ ୧୮୪୦) ସେମାନେ ବମ୍ବେକୁ ବ୍ରିଟିଶ ସାମ୍ରାଜ୍ୟର ଏକ ଆଗଧାଡିର ସହରରେ ପରିଣତ କରିଦେଲେ । ବହୁ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ଗଢି ତୋଳିଲେ । ବମ୍ବେର ପ୍ରସିଦ୍ଧ ଏଲଫିନଷ୍ଟନ କଲେଜ (Elphinstone Copllege)କୁ ଠିଆ କରାଇଥିବା ସାର କୋଆସଜି ଜାହାଂଗିର ରେଡିମନି (Sir Cowasjee Jehangir Readymoney) ମୂଳତଃ ଜଣେ ଅଫିମ ବ୍ୟବସାୟୀ ଥିଲେ । ଏହି ମହାଶୟଙ୍କର ଅର୍ଥ ବମ୍ବେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ମଧ୍ୟ ନିୟୋଜିତ ହୋଇଥିଲା । ଏହିଠାରେ ଉଲ୍ଲେଖ କରିବା ପ୍ରାସଂଗିକ ହେବ ଯେ ଅଫିମ ଉତ୍ପାଦନ ର କେନ୍ଦ୍ର ଥିଲା ବିହାର ଓ ଏହି ଅଫିମକୁ ନେଇ ବ୍ୟବସାୟ କରି ପାର୍ସୀ ମାନେ ଅଜସ୍ର ମୁନାଫା ଅର୍ଜିଥିଲେ ଓ ବମ୍ବେ ସହର ଗଢିଥିଲେ । ତେଣୁ ବିହାରୀଙ୍କର ବମ୍ବେ ଉପରେ ଯେ ରହିଛି ସ୍ୱାଭାବିକ ଅଧିକାର -ଏହା କହିବା ଅଯୈ÷ାକ୍ତିକ ହେବ ନାହିଁ । କିନ୍ତୁ ବିଡମ୍ବନା ଯେ ସେମାନେ ବାହାର ଲୋକ ଭାବେ ସ୍ଥାନୀୟ ଅଧିବାସୀଙ୍କର ଆଜି ରୋଷର ଶିକାର ହେଉଛନ୍ତି;  ବମ୍ବେରୁ ବିତାଡନର ଧମକ ପାଉଛନ୍ତି

ଭାରତୀୟଙ୍କୁ ସାର୍ ଉପାଧି

  ଅଫିମର ଆଉ ଏକ ଦାନ ହେଉଛି ଭାରତୀୟଙ୍କୁ ବହୁ ପ୍ରତ୍ୟାଶିତ ସାର୍ ଉପାଧି (Knighthood) ପ୍ରଦାନ ପର୍ଯାୟର ଆରମ୍ଭ । କାରଣ ବମ୍ବେର ସବୁଠାରୁ ବଡ ପାର୍ସୀ ଅଫିମ ବ୍ୟବସାୟୀ ଜାମସେତଜୀ ଜିଜିଭୟ(Jamsetji Jejeebhoy ) ହିଁ ହେଉଛନ୍ତି ସାର ଉପାଧିରେ ଭୂଷିତ (୧୮୪୨ରେ) ପ୍ରଥମ ଭାରତୀୟ । ପ୍ରସିଦ୍ଧ ଜେଜେ  ସ୍କୁଲ ଅଫ୍ ଆର୍ଟ ଏଣ୍ଡ ଆର୍କିଟେକ୍ଚର (JJ School of Art and Architecture) ଏହି ମହାଶୟଙ୍କର ନାଁ ରେ ।

ଅଫିମ ଯୁଦ୍ଧ

ଯେଉଁ ଦେଶକୁ ଅଫିମ ଚାଲାଣ କରି ପ୍ରଚୁର ଲାଭ ଏହି ବ୍ୟବସାୟୀ ମାନେ କରୁଥିଲେ ସେ ଦେଶ ଥିଲା ଚୀନ । ଖ୍ରୀଷ୍ଟାବ୍ଦ ୪୦୦ ପୂର୍ବରୁ ଅଫିମର ପ୍ରଚଳନ ଚୀନ ଦେଶ ରେ ନ ଥିଲା; ଆରବ ବଣିକ ମାନଙ୍କ ଦ୍ୱାରା ହିଁ ପ୍ରଥମେ ଅଫିମ ପ୍ରବେଶ କରିଥିଲା ଚୀନ ଦେଶରେ । ସେହିପରି ଖ୍ରୀଷ୍ଟପୂର୍ବ ୩୩୦ ପୂର୍ବରୁ ଭାରତ ଥିଲା ଅଫିମ ସଂପର୍କରେ ଅଜ୍ଞ; ସମ୍ରାଟ ଅଲେକଜାଣ୍ଡାରଙ୍କ ଦ୍ୱାରା ଏହା ଭାରତ ବର୍ଷରେ ପ୍ରବେଶ କଲା । ଖ୍ରୀଷ୍ଟପୂର୍ବ ୩୪୦୦ ରେ ମେସୋପୋଟାମିଆର ଅବବାହିକାରେ ଅଫିମ ଚାଷ ହେଉଥିବାର ପ୍ରଥମ ସୂଚନା ମିଳେ । ଏହି ପ୍ରଥମ ସୂଚନାର ପ୍ରାୟ ୫୦୦୦ବର୍ଷ ଯାଏ ଅଫିମର ବ୍ୟବହାର ଔଷଧ ଭାବେ ହିଁ ହେଉଥିଲା । କିନ୍ତୁ ନିଶା ଭାବେ ସେବନ କରିବାର ମଜା ପ୍ରଥମେ ଜଣାଇଲେ ପର୍ତ୍ତୁଗିଜ ବଣିକମାନେ୧୫୦୦ ଖ୍ରୀଷ୍ଟାବ୍ଦ ବେଳକୁ,  ତାହା ପୁଣି ଯେତେବେଳେ ସେମାନେ ପୂର୍ବ ଚୀନ ଉପକୂଳରେ ବଣିଜ କରୁଥିଲେ । ଚୀନ ଦେଶରେ କିନ୍ତୁ ଏହି  ଅଭ୍ୟାସକୁ  ନୃଶଂସ  ଓ ଅନ୍ତର୍ଘାତୀ ବୋଲି ବିଚାର କରାଯାଉଥିଲା । ୧୭୦୦ ମସିହାରେ ଓଲନ୍ଦାଜ୍ (Dutch) ବଣିକ ମାନେ ଚୀନ ଦେଶକୁ ଅଫିମ ରପ୍ତାନି କଲାବେଳେ ଚୀନ ଅଧିବାସୀଙ୍କୁ ଅଫିମ ସେବନର କାଇଦା ମଧ୍ୟ ଶିଖାଇଲେ । ୧୭୨୯ ରେ ଚୀନ ଦେଶର ସମ୍ରାଟ ୟୁଂଗ ଚେଂଗ (Yung Cheng) ଅଫିମ ସେବନ ଓ ଏହାର ବିକ୍ରୟକୁ ନିଷିଦ୍ଧକରି ଏକ ରାଜାଜ୍ଞା (Kia King) ଜାରି କଲେ । କେବଳ  ଔଷଧ ପାଇଁ  ଅଫିମ ବିକ୍ରୟକୁ  ଅନୁମତି  ଦିଆଯାଇଥିଲା । ତେଣୁ ଅଫିମ ଆମଦାନୀକୁ ନିଷିଦ୍ଧ କରାଯାଇନଥିଲା ୧୭୯୬ରେ ଅଫିମ ଆମଦାନୀ କୁ ନିଷିଦ୍ଧ ପଦାର୍ଥର ବ୍ୟବସାୟ ବୋଲି ବିଚାର କରାଗଲା । ୧୭୯୯ରେ ସମ୍ରାଟ କିଆ କିଂଗ (କସବ କସଦ୍ଭଶ) ଅଫିମ ଚାଷ ଓ ଏହାର ବ୍ୟବସାୟକୁ ସଂପୂର୍ଣ୍ଣ ରୂପେ ବେଆଇନ ବୋଲି ଘୋଷଣା କଲେ ।ଏହା  ସତ୍ତେ୍ୱ ବ୍ୟବସାୟ ଚାଲିଲା ଓ ଚୋରାରେ ଚାଲିଲା । ଭାରତର ବିହାର, ବଂଗଳା ଓ ମାଲଓା ଅଂଚଳରେ  ଅଫିମ ଉତ୍ପାଦନକୁ ନିୟନ୍ତ୍ରଣ କରୁଥିବା ଇଷ୍ଟ ଇଣ୍ଡିଆ କଂପାନୀ ଭାରତୀୟ ବ୍ୟବସାୟୀ ମାନଙ୍କ ଜରିଆରେ ଚୋରାରେ ଚୀନ କୁ ଅଫିମ ରପ୍ତାନୀ କଲା । ଏହି ଭଳି ଚୋରା କାରବାର ଯେତେବେଳେ ବ୍ୟାପକ ହେଲା ଓ ଚୀନ ଅଧିବାସୀଙ୍କ ଉପରେ ଏହାର କୁପ୍ରଭାବ ଅତି ଆଖିଦୃଶିଆ ହୋଇଗଲା ସେତେବେଳେ ସମ୍ରାଟ କିଂଗ ୧୮୧୦ ମସିହାରେ ଆଉ ଏକ ଆଦେଶନାମା ଜାରି କଲେ ଓ କହିଲେ – ‘ଅଫିମ କ୍ଷତିକାରକ ଅଟେ । ଅଫିମ ବିଷ ଅଟେ, ଯାହା ଆମର ଭଲ ଅଭ୍ୟାସ ଓ ନୈତିକ ଆଚରଣକୁ କ୍ଷୁର୍ଣ୍ଣ କରେ । ଏହାର ବ୍ୟବହାରକୁ ଆଇନତଃ ନିଷିଦ୍ଧ କରାଯାଇଛି । ଯଦି କେହି ବ୍ୟକ୍ତି ଏହାକୁ ପ୍ରତିବନ୍ଧିତ ଅଂଚଳକୁ ଆଣିବାକୁ ଉଦ୍ୟମ କରେ, ସେ ଆଇନର ଉଲଂଘନ କରିବ । ଅବଶ୍ୟ ଦେଖାଯାଉଛି ଯେ ଅଫିମ କିଣୁଥିବା, ସେବନ କରୁଥିବା ଗରାଖଙ୍କର ସଂଖ୍ୟା ବେଶ ବଢିଯାଇଛି । ଅସାଧୁ  ବ୍ୟବସାୟୀ  ମାନେ  ମୁନାଫା  ପାଇଁ  ଏହାର  କିଣା ବିକା କରୁଛନ୍ତି ।…….ଏହି ଆଦେଶକୁ କେହି ନିର୍ଜୀବ ପତ୍ରଟିଏ ବୋଲି ବିଚାର କରିବେ ନାହିଁ ଓ ଅଫିମର ଚୋରା ଚାଲାଣକୁ ଅନୁମତି ଦେବେନାହିଁ ।’ ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିଲା ନାହିଁ । ଯେତେବେଳେ ଚୀନ ପ୍ରଶାସନ ବିଦେଶୀ ବ୍ୟବସାୟୀଙ୍କୁ ସେମାନଙ୍କ ପାଖରେ ଥିବା ଅଫିମକୁ ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଲେ ଓ ଚୀନ ଦେଶର ଯେଉଁ ବ୍ୟବସାୟୀ ଅଫିମ ବ୍ୟବସାୟରେ ଧରାପଡିଲେ ସେମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କଲେ, ସେତେବେଳେ ବିଲାତ ଦେଶର ଯୁଦ୍ଧ ଜାହଜ ଯାଇ ଚୀନ ଦେଶର ଉପକୂଳରେ ଲାଗିଲା ଓ ୧୮୩୯ ମସିହାରେ ଆରମ୍ଭ ହେଲା ପ୍ରଥମ ଅଫିମ ଯୁଦ୍ଧ ।  ଏହା ତିନି ବର୍ଷ ଯାଏ ଚାଲିଲା ୧୮୪୨ ରେ ନାନକିଂଗ୍ ଚୁକ୍ତି ସ୍ୱାକ୍ଷର ସହିତ ଏହି ଯୁଦ୍ଧର ଅବସାନ ହୋଇଥିଲା । ଏହି ଚୁକ୍ତି ଫଳରେ ବ୍ରିଟିଶ ସାମ୍ରାଜ୍ୟର ପ୍ରଜାମାନେ ଚୀନ ଦେଶର ୫ଟି ବନ୍ଦରରେ ବ୍ୟବସାୟ କରିପାରିବା ଓ ସଂଲଗ୍ନ ସହର ମାନଙ୍କରେ ପରିବାର ସହ ରହି ପାରିବାର ଅନୁମତି ପାଇଲେ । ଏହି ଚୁକ୍ତି ଫଳରେ ହଂଗକଂଗ ଚୀନ ଠାରୁ ବିଛିନ୍ନ ହେଲା ଓ ବିଲାତ ଦେଶର ଶାସନାଧୀନ ହେଲା । ଏହି ବ୍ରିଟିଶ ଉପନିବେଶରେ ଅଫିମ ବେପାରୀଙ୍କର ଅର୍ଥବଳ ଏତେ ହୋଇଯାଇଥିଲା ଯେ ବିଛିନ୍ନ ହେବାର ମାତ୍ର ୨ ବର୍ଷ ପରେ, ୧୮୪୪ ମସିହାରେ, ହଂଗକଂଗର ଗଭର୍ଣ୍ଣର ଘୋଷଣା କରିଥିଲେ ଯେ ଏହି ଉପନିବେଶରେ ଯଦି ପୁଂଜି କାହା ପାଖରେ ଅଛି ସେ ହୁଏତ ସରକାରୀ କର୍ମଚାରୀ ବା ଅଫିମ ବେପାରୀ ।  କହିବା ବାହୁଲ୍ୟ,  ଆଜିର ଅନେକ ମର୍ଯ୍ୟାଦାବନ୍ତ ଶିଳ୍ପପତି ମାନଙ୍କର  ପୂର୍ବପୁରୁଷ  ମାନେ  ହିଁ  ଅଫିମ  ଚୋରା  ବ୍ୟବସାୟରେ  ଲିପ୍ତ ଥିଲେ । ଏହା ଭିନ୍ନ କଥା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ବ୍ରିଟିଶ ଶାସନର ପୃଷ୍ଠପୋଷକତାରେ ଏହି ଚୋରା ବ୍ୟବସାୟ ଚାଲିଥିଲା । କିନ୍ତୁ  ଅଫିମ ଆମଦାନୀ  ଚୀନରେ  ବୈଧ ନ ହେବା ପର୍ଯ୍ୟନ୍ତ ବ୍ରିଟିଶ ଶାସନର ମନରେ ସତେ ଯେପରି ଶାନ୍ତି ନଥିଲା । ସେମାନେ ଏକ ଆଳ ପାଇଗଲେ ୧୮୫୬ ମସିହାରେ ଯେତେବେଳେ ଏକ ବ୍ରିଟିଶ ପତାକା ଉଡାଇ ଆସୁଥିବା ଚୋରା ବ୍ୟାପାରରେ ଲିପ୍ତ ଏକ ଜାହଜକୁ ଚୀନ ଦେଶର ପ୍ରଶାସନ ଜବତ କରିନେଲେ । ଆରମ୍ଭ ହେଲା ଦ୍ୱିତୀୟ ଅଫିମ ଯୁଦ୍ଧ । ୧୮୫୮ ମସିହା ଜୁନ (୨୬-୨୯)ମାସ ସ୍ୱାକ୍ଷରିତ ହେଲା ଟିଏନ୍ସିନ୍ ଚୁକ୍ତି (Tientsin Treaties) । ଏହି ଚୁକ୍ତି ଫଳରେ ବହୁ ପ୍ରତିକ୍ଷିତ ଅଫିମ ଆମଦାନୀ  ବୈଧ ହେଲା , ବେପାର ପାଇଁ ବିଦେଶୀ ବଣିକଙ୍କୁ ଅଧିକ ବନ୍ଦର ଉନ୍ମୁକ୍ତ କରାଗଲା । କିନ୍ତୁ ଚୁକ୍ତିରେ ଯଦିଓ ଥିଲା ଯେ ବିଦେଶୀ କୁଟନୀତିଜ୍ଞ ଓ ମିସନାରୀଙ୍କୁ ଚୀନ ଦେଶ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ, ଚୀନ ଏହାକୁ ପାଳନ କରିବାରେ କୁଣ୍ଠିତ ଭାବ ଦେଖାନ୍ତେ, ଯୁଦ୍ଧ ଅବ୍ୟାହତ ରହିଲା । ଏହାର ଅବସାନ ହେଲା ୧୮୬୦ ମସିହାରେ ଯେତେବେଳେ ବିଦେଶୀ  ଶାସକ  ମାନେ  ଯାହା  ଚାହୁଁଥିଲେ  ତାହା  ଚୀନ  ପାଳନ  କରିବାକୁ  ରାଜି ହେଲା । ଅଫିମ ଯୁଦ୍ଧକୁ ଚୀନ ଦେଶରେ ‘ଅପମାନର ଶତାବ୍ଦୀ’ (Century of humiliation) ର ଆରମ୍ଭ ଭାବେ ଚିହ୍ନିତ କରାଯାଇଛି । ଶତାବ୍ଦୀ ଶତାବ୍ଦୀ ଧରି ଅବୈଧ ଥିବା ଅଫିମ ବେପାର ଓ ସେବନ କୁ ‘ବାପ ରାଣ ଢିଙ୍କି ଗିଳ’  ନ୍ୟାୟରେ ବୈଧ କରାଇଥିବା ବ୍ରିଟିଶ ଶାସକର ସହେଯାଗୀ ଥିଲେ ଭାରତୀୟ ବ୍ୟବସାୟୀ । ଆଦୈା ବିବେକ ଦ୍ୱାରା ଦଂଶିତ ହେଉ ନ ଥିଲେ ସେମାନେ ଏହି ଭଳି ଏକ ମଣିଷ ପାଇଁ ଅହିତକର ଦ୍ରବ୍ୟର ବେପାର କରି କାରଣ ଏହା ଥିଲା ପ୍ରଚୁର ଲାଭର ଉତ୍ସ ।

ଆମେରିକରେ ହିତାଧିକାରୀ

ଅଫିମର ଦାନ କେବଳ ଭାରତ ଭୂଖଣ୍ଡରେ ସୀମିତ ନୁହେଁ । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଗୁଡିକର ଅଭିବୃଦ୍ଧି ଓ ବିକାଶରେ ଅଫିମ ବେପାରରୁ ଉପାର୍ଜିତ ଅର୍ଥର ନିୟୋଜନ ହୋଇଛି । ଯେପରି ଆମେରିକାର ସବୁଠାରୁ ବଡ ଅଫିମ ବ୍ୟବସାୟୀ ରସେଲ୍ ପରିବାର ପ୍ରସିଦ୍ଧ ୟେଲ୍ ବିଶ୍ୱବିଦ୍ୟାଳୟକୁ ପ୍ରଚୁର ଅର୍ଥ ଦାନ କରିଛି । ଅବଶ୍ୟ ୟେଲ୍ (Yale) ବିଶ୍ୱବିଦ୍ୟାଳୟ ଯେଉଁ ବଦାନ୍ୟ ବ୍ୟକ୍ତିଙ୍କ ନାମରେ ନାମିତ ହୋଇଛି ସେ ହେଉଛନ୍ତି ଏଲିହୁ ୟେଲ୍ (Elihu Yale) ଓ ଏହି ମହାଶୟ ଇଷ୍ଟ ଇଣ୍ଡିଆ କଂପାନୀ ତରଫରୁ ମାଡ୍ରାସର ଗଭର୍ଣ୍ଣର ଥିଲେ ଓ ପ୍ରଚୁର ଅର୍ଥ ତୋଷରପାତ ଅଭିଯାଗରେ ବିତାଡିତ ହୋଇଥିଲେ । ସେହିପରି ହାର୍ଭାଡ(Harvard)ବିଶ୍ୱବିଦ୍ୟାଳୟକୁ ବୋଷ୍ଟନ୍ ସହରର କାବଟ (Cabot) ପରିବାର ପ୍ରଚୁର ଅଫିମ ଅର୍ଥକୁ ଦାନ ସୂତ୍ରରେ ଦେବାର ନଜିର ମିଳୁଛି । କଲମ୍ବିଆ (Columbia)ଓ ପ୍ରିନ୍ସଟନ୍(Princeton) ବିଶ୍ୱବିଦ୍ୟାଳୟ ମଧ୍ୟ ଅଫିମ ଅର୍ଥର ହିତାଧିକାରୀ ଅଟନ୍ତି । କେବଳ ଶିକ୍ଷାନୁଷ୍ଠାନ ନୁହେଁ ଅଫିମ ପଇସାର ହିତାଧିକାରୀ ମଧ୍ୟ ପ୍ରସିଦ୍ଧ ବେଲ୍ ଟେଲିଫୋନ କଂପାନି । ଏହି ପଇସାରେ ମଧ୍ୟ ପଡିଛି ଆମେରିକାର ପ୍ରଥମ ବାଣିଜ୍ୟିକ ରେଳପଥ (http://www.pentaxforums.com/forums/general-talk/93107-opium-fortunes…. )

ବୈାଦ୍ଧିକ ସମର୍ଥନ

ତେଣୁ ଅଫିମର ଦାନ ହେଉଛି ସେହି ଅନୁଷ୍ଠାନ, ସହର ବା ରାଷ୍ଟ୍ର , ଯାହା ସହିତ ଯୋଡି ହୋବା ଆଜି ଆମର ସ୍ୱପ୍ନ ।  ଅନୈତିକ ଉପାୟରେ ଅଫିମ ବେପାରରୁ  ଉପାର୍ଜିତ ଧନର ବିବର୍ତ୍ତନ ଘଟିଛି ଇତ୍ୟବସରେ, ‘କଷ୍ଟୋପାର୍ଜିତ’ ର ବିଶେଷଣ ହାସଲ କରିଛି ଏହି ଧନରୁ ସୃଷ୍ଟ ସମ୍ପତ୍ତି, ଓ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ହୋଇଯାଇଛି । ଏହି ମର୍ଯ୍ୟାଦାବନ୍ତ ଐଶ୍ୱର୍ଯ୍ୟ ପଛରେ ଥିବା ଅତୀତର ଅନୈତିକ ଉପାର୍ଜନକୁ ସ୍ମରଣ କରିବା ଉପରେ ଯେ ଏକ ଅଲିଖିତ ନିଷେଧାଜ୍ଞା ରହିଛି, ତାହା ପ୍ରତି କୋସାମ୍ବୀଙ୍କ ଭଳି ଜଣେ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତି ସଚେତନ ହେଲେ ନାହିଁ , ସତ୍ୟ ଓ ତଥ୍ୟ ପ୍ରତି ନିଷ୍ଠାବାନ ହେଲେ-ବଦାନ୍ୟ ଟାଟା ପରିବାରର ଧନ ପୂର୍ବରୁ ‘କଷ୍ଟୋପାର୍ଜିତ’ ବିଶେଷଣ ସହ ସମ୍ମତ ହେଲେ ନାହିଁ, ମୂଳ ଉପାର୍ଜନ ଅଫିମ ବେପାରରୁ ବୋଲି ସୂଚାଇ ଦେଲେ । ହାଟ ମଧ୍ୟରେ ଦେଲେ ବ୍ରହ୍ମଜ୍ଞାନ । ଏହା ପରେ ସେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଂଟାଲ୍ ରିସର୍ଚରୁ ବିତାଡିତ ହେବା ନିଶ୍ଚିତ ଥିଲା । କେବଳ ବିତାଡନରେ ସରିଲା ନାହିଁ , ମୃତ୍ୟୁ (ଯାହା ମାତ୍ର ୬୦ ବର୍ଷ ବୟସରେ ହୋଇଥିଲା)ପର୍ଯ୍ୟନ୍ତ, ପ୍ରାୟ ୬ ବର୍ଷ ଧରି, ତାଙ୍କର ବୃତ୍ତିଗତ ଜୀବନକୁ ଅନିଶ୍ଚିତ କରିଦିଆଗଲା । (‘Bhabha’s influence with Nehru prevented any alternative appointment for Kosambi. He could get an emiritus position in CSIR only after Nehru’s death in 1964, and had some difficulty even getting affiliated to the Maharashtra Association for Cultivation of Science.’-C.K.Raju) । ସତେ ଯେପରି ଯେତେ ମର୍ଯ୍ୟାଦାବନ୍ତ ଟାଟାଙ୍କର ଐଶ୍ୱର୍ଯ୍ୟ ହୋଇ ଯାଇଥିଲେ ହେଁ  ମୂଳ ଅଫିମ ଉପାର୍ଜନରେ ଅର୍ନ୍ତନିହିତ  ନିଷ୍ଠୁରତା,  ସଂବେଦନହୀନତା  ଓ ଔଦ୍ଧତ୍ୟ ଏହାର ଗୁଣସୂତ୍ର (ଶରଦ୍ଭର)ରେ ରହିଯାଇଥିଲା । ବୋଧହୁଏ ଅନୈତିକ ଉପାର୍ଜନର ଭିତ୍ତିି ଉପରେ ଦଣ୍ଡାୟମାନ ସବୁ ମର୍ଯ୍ୟାଦାବନ୍ତ ଐଶ୍ୱର୍ଯ୍ୟର ବାହ୍ୟିକ ପରିପ୍ରକାଶ ଯେତେ ଉଦାର ଓ ନିରପେକ୍ଷ ମନେ ହେଉଥିଲେ ହେଁ ସର୍ବଶେଷ ଆଚରଣ ମୂଳ ଗୁଣସୂତ୍ର ଦ୍ୱାରା ହିଁ ନିୟନ୍ତ୍ରିତ ହୁଏ ।
ତେବେ ଅନୈତିକ ଉପାର୍ଜନର  ଅବଦାନ ଯେ ଅତ୍ୟନ୍ତ ଆକର୍ଷଣୀୟ ଏହାହିଁ ଉପରୋକ୍ତ ଉଦାହରଣ ମାନଙ୍କରୁ ସ୍ପଷ୍ଟ ହୁଏ । ପରବର୍ତ୍ତୀ ବଂଶଧର ଅବଦାନର ଆକର୍ଷଣରେ ଏତେ ସମ୍ମୋହିତ ହୁଏ ଯେ ସେ ଅନୈତିକ ଉପାର୍ଜନର ପୃଷ୍ଠଭୂମିକୁ ଆଦୈା ମନେ ପକାଇବାକୁ ଚାହେଁ ନାହିଁ , କୋସାମ୍ବୀଙ୍କ ଭଳି ପ୍ରଘଟ କରିବା ତ ଦୂରର କଥା । ଏହି ମାନସିକତାର ଏକ ‘ସୁଖକର’ ଦୃଶ୍ୟ ହେଉଛି, ଆଜି ଆମର ବୈାଦ୍ଧିକ ସମାଜ ସଂପ୍ରତି ଗଢି ଉଠୁଥିବା କୈାଣସି ଅନୁଷ୍ଠାନର ଅର୍ଥ ଉତ୍ସକୁ ପ୍ରଶ୍ନ କରୁ ନାହିଁ । ବରଂ ଏକ ସଂଭାବନା ଦର୍ଶାଉଛି ଯେ ଆମ ଚାରିପଟେ ଅନୈତିକ ଉପାର୍ଜନର ଭିତ୍ତିି ଉପରେ ଠିଆ ହୋଇଥିବା ପ୍ରତିଷ୍ଠିତ, ମର୍ଯ୍ୟାଦାବନ୍ତ, ଧନୀ, ବଦାନ୍ୟ ବ୍ୟକ୍ତିଙ୍କର ଏହି ଉପାର୍ଜନ ସବୁବେଳେ ‘କଷ୍ଟୋପାର୍ଜିତ’ ବିଶେଷଣରେ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଭୂଷିତ ହୋଇ ମର୍ଯ୍ୟାଦାବନ୍ତ ହେବ ଓ ବହୁ ଅନୁଷ୍ଠାନକୁ ପୃଷ୍ଠପୋଷକତା ଦେବ ।
ଅନୁମାନ କରନ୍ତୁ , ଯଦି ଅଫିମ ବ୍ୟବସାୟକୁ ବିରୋଧ ହୋଇଥାନ୍ତା ଓ ଏଥିରେ ସଂପୃକ୍ତ ବ୍ୟବସାୟୀ ମାନେ ଦଣ୍ଡିତ ହୋଇଥାନ୍ତେ ବା ସମାଜ ସେମାନଙ୍କୁ ବାଚ୍ଛନ୍ଦ କରିଥାନ୍ତା, ତାହେଲେ ଆମେ କ’ଣ ଉପର୍ଲିଖିତ ଅନୁଷ୍ଠାନ, ସହର ବା ରାଷ୍ଟ୍ର ସହ ଯୋଡି ହେବାର ସୈାଭାଗ୍ୟ ପାଇଥାନ୍ତେ ?

 

Print Friendly, PDF & Email