୧୬-୩୦ ଡିସେମ୍ବର, ୨୦୧୦
ଇତ୍ୟବସରରେ ରାଜଧାନୀରେ କେତୋଟି ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତାଦଳର ଏକ ସମାବେଶ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହୋଇଛି ଯାହାର ବିବରଣୀ ‘କେନ୍ଦ୍ର ବିରୋଧରେ ଛାତ୍ରଙ୍କୁ ଲଗାଇଲା ବିଜେଡ଼ି’ ଶିରୋନାମାରେ ଧରିତ୍ରୀ (୬ଡିସେମ୍ବର ୨୦୧୦)ରେ ପ୍ରକାଶ ପାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଶାଳାକୁ ଉଦ୍ଘାଟନ କରିବାର ଫଟୋ ପ୍ରକାଶ ପାଇଛି । ୯ଶହ କଲେଜରୁ ହଜାର ହଜାର ସଂଖ୍ୟାରେ ଛାତ୍ରୀଛାତ୍ର ଆସିଥିଲେ ବୋଲି ପ୍ରକାଶ ପାଇଛି-କିନ୍ତୁ ବିବରଣୀରେ ଏହି କଲେଜ ଗୁଡ଼ିକରେ ଅଧ୍ୟାପକ ନଥିବା, ଭିତ୍ତଭୂମି ନଥିବା ବିଷୟ ପ୍ରକାଶ ପାଇନାହିଁ । ଯାହା ପ୍ରକାଶ ପାଉଛି ତାହା ଖଣିଭିତ୍ତକ ବିକାଶର କଥା । ଅବଶ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଛାତ୍ରଙ୍କ ସ୍ୱପ୍ନକୁ ନଷ୍ଟ କରିବାକୁ ଦେବିନାହିଁ ।’ କଲେଜ ଗୁଡ଼ିକରେ ଅଧ୍ୟାପକ ଅଭାବ, ଭିତ୍ତଭୂମିର ଅଭାବକୁ ପଛରେ ପକାଇଦେଇ, ଖଣିର ବିକାଶରେ ଛାତ୍ରମାନଙ୍କର ସ୍ୱପ୍ନ କିପରି ସାକାର ହେବ-ତାହା ସାଧାରଣ ବୁଦ୍ଧିଥିବା ମଣିଷପାଇଁ ବୁଝିବା ନିଶ୍ଚିତ ଭାବରେ କଷ୍ଟକର । ଗତ ଦଶବର୍ଷ ଭିତରେ (ଯାହା ନବୀନ ବାବୁଙ୍କର କାର୍ଯ୍ୟକାଳ) ବେକାରଙ୍କ ସଂଖ୍ୟା ୬ଲକ୍ଷରୁ ୧୨ଲକ୍ଷରେ ପହଞ୍ଚôଲାଣି- ଏହି ସମସ୍ୟାର କୌଣସି ପ୍ରତିଫଳନ ବିବରଣୀରୁ ମିଳୁନାହିଁ । (ଦ୍ରଷ୍ଟବ୍ୟ-The New Indian Express, Dec 8, 2010, p-2) । ଏହି ସମାବେଶରେ ବହୁ ବିଜେଡ଼ି ମନ୍ତ୍ରୀ, ସାଂସଦ, ବିଧାୟକ ଯୋଗ ଦେଇଥିବାବେଳେ ବିଜେଡ଼ିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କର ଅନୁପସ୍ଥିତି ବାରି ହୋଇଯାଉଛି ।
ବିଜେପି ଦଳର ଯୁବ ମୋର୍ଚ୍ଚା ଡିସେମ୍ବର ୭ତାରିଖ ଦିନ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଇସ୍ତଫା ଦାବିକରିଛି । ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଜମିଦେବା ବେଆଇନ ବୋଲି ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପଦବୀରେ ଆଉ ମୁହୂର୍ତ୍ତେ ରହିବାର ନୈତିକ ଅଧିକାର ତାଙ୍କର ନାହିଁ ବୋଲି ଯୁବମୋର୍ଚ୍ଚା ଯୁକ୍ତିବାଢ଼ିଛି । ଏହି ଶୋଭଯାତ୍ରାର ବିବରଣୀ ଓ ଫଟୋ ଦି ନୁ୍ୟ ଇଣ୍ଡିଆନ ଏକ୍ସପ୍ରେସ (ତା.୮/୧୨/୨୦୧୦, ପୃ-୩)ରେ ପ୍ରକାଶ ପାଇଛି ।
କିନ୍ତୁ ଯେଉଁ ଯୁବ ସମାବେଶଟି କୌଣସି ମୁଖ୍ୟ ଇଂରାଜୀ ବା ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ ପାଇନାହିଁ ଆଖିଦୃଶିଆ ହୋଇ ବା ଆଦୌ ପ୍ରକାଶ ପାଇନାହିଁ, ତାହା ହେଉଛି ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେସନ (ଇଓଊଣଙ)ର ସମାବେଶ । ଏହା ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଦଳର ଯୁବ ସଙ୍ଗଠନ । ଏହି ସମାବେଶ ତିନିଦିନବ୍ୟାପୀ ଚାଲିଥିଲା । ୩ ଡିସେମ୍ବର ୨୦୧୦ଦିନ ଅପରାହ୍ଣ ଗୋଟାଏ ବେଳେ ଖୋଲା ଅଧିବେଶନରୁ ଆରମ୍ଭ ହୋଇ ୫ଡିସେମ୍ବର ୨୦୧୦ଦିନ ସନ୍ଧ୍ୟା ୭ଟାରେ ଉଦ୍ୟାପିତ ହୋଇଥିଲା । ଏହି ଖୋଲା ଅଧିବେଶନରେ ଯାହାର ସ୍ଥାନ ଥିଲା ଲୋଅର ପିଏମ୍ଜି, ପ୍ରାୟଃ ୬୦୦୦ଶ୍ରୋତା ସମବେତ ହୋଇଥିଲେ । ଭାରତର ବିଭିନ୍ନ ପ୍ରାନ୍ତରରୁ ପ୍ରାୟଃ ୨୭୦୦ପ୍ରତିନିଧି ଏହି ଅଧିବେଶନରେ ଯୋଗ ଦେଇଥିଲେ ଓ ପରବର୍ତ୍ତୀ ପ୍ରତିନିଧି ଅଧିବେଶନ (delegate sessions)ମାନଙ୍କରେ ଯୋଗ ଦେଇଥିଲେ । ଶିକ୍ଷାର ବ୍ୟବସାୟୀକରଣ, ଶିକ୍ଷାନୁଷ୍ଠାନ ପ୍ରତି ସରକାରଙ୍କର ଅବହେଳା, ବେକାରୀ ସମସ୍ୟା, ଦୁର୍ନୀତି ପ୍ରସଙ୍ଗ, ନୈତିକ ଅବକ୍ଷୟ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ନୀତି ନୈତିକତାରେ ଉନ୍ନତ, ଶୃଙ୍ଖଳିତ ସ୍ୱାଧୀନଚେତା, ଜନସାଧାରଣ ସ୍ୱାର୍ଥ ପ୍ରତି ସଚେତନ ଯୁବ ସମାଜଟିଏ କିପରି ଗଢ଼ିହେବ, ଯାହା ଏକ ଶୋଷଣହୀନ ସମାଜ ପାଇଁ ଉତ୍ସର୍ଗୀକୃତ ହେବ- ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ମୁଖ୍ୟ ସମ୍ବାଦପତ୍ରର ସାମ୍ବାଦିକଙ୍କୁ ଏହି ଅଧିବେଶନମାନଙ୍କରେ ଉପସ୍ଥିତ ଥିବାର ଦେଖାଯାଇଥିଲା । କିନ୍ତୁ ଏହି ସମାବେଶର ସମ୍ବାଦକୁ କୌଣସି ସମ୍ବାଦପତ୍ରର ମାଲିକମାନେ ଯେ ଗୁରୁତ୍ୱ ଦେଇ ପ୍ରକାଶ କଲେନାହିଁ- ତାହା ସୂଚିତକରୁଛି ଯେ ଏହି ସମ୍ବାଦପତ୍ର ମାଲିକମାନେ ତାଙ୍କ ସମ୍ବାଦପତ୍ରକୁ ମୂଳସମସ୍ୟା ପ୍ରତି ଜନସାଧାରଣ ସଚେତନ ହୁଅନ୍ତୁ, ତାହା ଚାହାନ୍ତି ନାହିଁ । ଯୁବସମାଜର ଅଧଃପତନକୁ ଅଟକାଇବା ପାଇଁ ଉଦ୍ୟମ ହେଉ ଏହା ଚାହାନ୍ତି ନାହିଁ । ଅବଶ୍ୟ ଯୁବସମାଜ ଯଦି ନୀତି ନୈତିକତାର ମାନଦଣ୍ଡରେ ଉପରକୁ ଉଠେ ତା’ହେଲେ ଅପରାଧ, ଧର୍ଷଣ, ନଗ୍ନତାର ସମ୍ବାଦ ଯାହାଉପରେ ଖବରକାଗଜ ଗୁଡ଼ିକ ସଚେତନଭାବେ ଆଜି ନିର୍ଭରଶୀଳ, ତାହା ଯେ ହ୍ରାସ ପାଇଯିବ! ଏହାକୁ ଦୃଷ୍ଟାନ୍ତ ଦେଖାଇ ପୁଲିସ ବା ଆଇନରକ୍ଷକଙ୍କୁ ସମାଲୋଚନା କରିବାର ସୁଯୋଗ ଯେ ହାତଛଡ଼ା ହୋଇଯିବ! ଏକ ସଚେତନ, ମୂଲ୍ୟବୋଧରେ ଉଦ୍ବୁଦ୍ଧ ଯୁବସମାଜ ଯେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ପ୍ରତି ବିପଦ-ଏହା ଏହି ସମ୍ବାଦପତ୍ରମାନେ ଜାଣନ୍ତି । ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ଉପôାଟନ ହେଲେ ଏହାର ଯେ ପ୍ରତିକୂଳ ପ୍ରଭାବ ଏହି ସମ୍ବାଦପତ୍ରଗୁଡ଼ିକ ଉପରେ ପଡ଼ିବ, ତାହା ମଧ୍ୟ ସେମାନେ ଜାଣନ୍ତି । – ଦୁର୍ନୀତି ଲୋପ ପାଇଲେ ଦୁର୍ନୀତି ଚାଲିଛି କହି ବ୍ୟବସ୍ଥାକୁ ଧମକାଇବାର ସୁଯୋଗ ଯେ ହାତଛଡ଼ା ହୋଇଯିବ । ତେଣୁ ଆଜିର ମୁଖ୍ୟଧାରାର ସମ୍ବାଦପତ୍ର ଚାହେଁ ଯୁବସମାଜ ନୀତି ନୈତିକତାର, ମୂଲ୍ୟବୋଧରେ ଉଦ୍ବୁଦ୍ଧ ନହେଉ-ଯେଉଁମାନେ ଏହା ଯୁବସମାଜ ପାଇଁ କହୁଛନ୍ତି, ସେମାନଙ୍କର ଉଦ୍ୟମ ମୁଖ୍ୟଧାରାର ସମ୍ବାଦପତ୍ରରେ ଗୁରୁତ୍ୱ ନପାଇବା ସ୍ୱାଭାବିକ । ତେବେ ନୀରା ରାଡ଼ିଆ ଟେପ୍ ପ୍ରସଙ୍ଗ ପରେ ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ଓ ତା’ର ମୂଲ୍ୟବୋଧ ପ୍ରତି ନିଷ୍ଠାଉପରେ ଏତେବଡ଼ ପ୍ରଶ୍ନ ଲାଗିଯାଇଛି ଯେ କୌଣସି ସାଧୁ ଉଦ୍ୟମ ଏହିଭଳି ଗଣମାଧ୍ୟମରେ ଗୁରୁତ୍ୱ ପାଇବ, ତାହା ଆଶା କରିବା ବୃଥା ।
-ଶୁଦ୍ରକ