ଭାରତୀୟ ଶିଳ୍ପପତିଙ୍କର ଆମେରିକା ପ୍ରୀତି ଶିରୋନାମାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ଏଠାରେ ପ୍ରସଙ୍ଗ ହେଉଛି ଶିକ୍ଷା । ଏହି ପ୍ରୀତି ଦ୍ୱାରା ଆବିଷ୍ଟ ଶିଳ୍ପପତିମାନେ ଆମେରିକୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରଚୁର ଅର୍ଥ ଅନୁଦାନ ଆକାରରେ ଦେବା ପାଇଁ ଧାଡ଼ି ବାନ୍ଧିଲେଣି । ମହିନ୍ଦ୍ରା ଗୋଷ୍ଠୀର ଉପାଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ହାର୍ଭାଡ଼ ହୁ୍ୟମାନିଟିଜ ସେଣ୍ଟରକୁ ଏକ କୋଟି ଆମେରିକୀୟ ଡଲାର (ଯାହା ଟଙ୍କାରେ ପ୍ରାୟଃ ୫୦କୋଟି ଟଙ୍କା) ଦାନ କଲାପରେ ଟାଟା ଗୋଷ୍ଠୀ ହାର୍ଭାଡ଼ ବିଜିନେସ ସ୍କୁଲକୁ ୫କୋଟି ଆମେରିକୀୟ ଡଲାର (ଅର୍ଥାତ ପ୍ରାୟଃ ୨୫୦କୋଟି ଟଙ୍କା) ଦାନ କରିଛି । (ଦ୍ରଷ୍ଟବ୍ୟ: The Statesman, 16/10/2010) । କୁହାଯାଉଛି ଯେ ଅନୁଷ୍ଠାନର ୧୦୨ବର୍ଷ ଇତିହାସରେ କୌଣସି ଅଣଆମେରିକୀୟ ଗୋଷ୍ଠୀ ଏତେ ପରିମାଣରେ ଅନୁଦାନ ଦେଇନଥିଲେ । ଅବଶ୍ୟ କେହି କେହି କହିପାରନ୍ତି ଯେ, ଟାଟାଗୋଷ୍ଠୀର ଟି.ସି.ଏସ୍ ଓ ମହିନ୍ଦ୍ରା ଗୋଷ୍ଠୀର ସତ୍ୟମ୍ ମହିନ୍ଦ୍ରା ଆମେରିକାରେ ସଫ୍ଟୱେଆର ବ୍ୟବସାୟ କରି ଯେଉଁ ବିପୁଳ ଆୟ କରୁଛନ୍ତି ଏହି ଅନୁଦାନ ତା’ର ଏକ ଅତ୍ୟନ୍ତ ଲଘୁ ଅଂଶ । କିନ୍ତୁ ଏହି ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରଚୁର ଆୟ ସମ୍ଭବ ହେଉଛି । ଭାରତୀୟ ପ୍ରାକୃତିକ ସମ୍ବଳ ଓ ମାନବ ସମ୍ବଳକୁ ଶସ୍ତାରେ ପାଉଥିବାରୁ । ଏହାକୁ ବିଚାର କଲେ ଏହିଭଳି ଅନୁଦାନ ଭାରତବାସୀଙ୍କ ପ୍ରତି ଅନ୍ୟାୟ ଯେତେବେଳେ ଏହାର ଶିକ୍ଷାନୁଷ୍ଠାନଗୁଡ଼ିକ ଅର୍ଥାଭାବରୁ ମୁର୍ମୁଷୁପ୍ରାୟ ।
ବୋଧହୁଏ ଏହିଭଳି ଅନୁଦାନ ଦେଇ ଆମେରିକା ମାଟିରେ ନିକଟ ଅତୀତରେ ଉଠିଥିବା ଆଉଟସୋର୍ସିଂ (outsourcing) ବିରୋଧରେ ସ୍ୱରକୁ ନରମ କରିଦେବା ପାଇଁ ଭାରତୀୟ ଶିଳ୍ପପତିମାନେ ଏହିଭଳି ଏକ ରଣନୀତିର ଅବଲମ୍ବନ କରୁଛନ୍ତି ବୋଲି କୁହାଯାଇପାରେ । ବିଶେଷତଃ ଆମେରିକାର ରାଷ୍ଟ୍ରପତି ଓବାମାଙ୍କର ଗସ୍ତପୂର୍ବରୁ ଏହିଭଳି ଅନୁଦାନ ତାପôର୍ଯ୍ୟପୂର୍ଣ୍ଣ ମନେହୁଏ । କିନ୍ତୁ କେତେଦିନ ଏହିଭଳି ଅନୁଦାନରୂପକ ଲାଞ୍ଚ ଦେଇ ଭାରତର ଶିଳ୍ପପତିମାନେ ଆମେରିକାକୁ ସନ୍ତୁଷ୍ଟ କରି ରଖିପାରିବେ । ସଙ୍କଟ ତ ବେଶ୍ ଗଭୀର । ଏପଟେ ଭାରତରେ ଶିଳ୍ପପତି ଓ ବ୍ୟବସାୟୀ ମାନଙ୍କର ସଙ୍ଗଠନ ଫିକି (FICCI(Federation of Indian Chambers of Commerce and Industry)) ଆମେରିକା ସହିତ ମିଶି ଭାରତବର୍ଷରେ ୨୦୦୪ରୁ ପ୍ରତ୍ୟେକବର୍ଷ ଉଚ୍ଚଶିକ୍ଷା ଉପରେ ଆଲୋଚନା ସଭା କରିଆସୁଛି । ଚଳିତ ନଭେମ୍ବର ମାସରେ FICCI Higher Education Summit-2010ଅନୁଷ୍ଠିତ ହେବାକୁ ଯାଉଛି । ଏହିଭଳି ଆଲୋଚନା ସଭା ଶିକ୍ଷାକୁ ଏକ ବ୍ୟବସାୟଭାବେ ବିଚାର କରାଯିବା ପାଇଁ ଆରମ୍ଭ ହୋଇଯାଇଥିବା ଉଦ୍ୟମର ଦୃଷ୍ଟାନ୍ତ ବୋଲି କହିବା ଅଯୌକ୍ତିକ ହେବନାହିଁ । – ଶୁଦ୍ରକ