ଜଣେ ପ୍ରତିଷ୍ଠିତ ଶିକ୍ଷବିଦ୍ ଶିକ୍ଷା ସଂସ୍କାର ସଂପର୍କରେ ଏକ ଲେଖା ଗୋଟିଏ ବଡ ଖବରକାଗଜକୁ ପଠାଇଥିଲେ । କିନ୍ତୁ ସେ ଲେଖାଟି ପ୍ରକାଶ ପାଇଲା ନାହିଁ । ଏହି ଅଭିଜ୍ଞତାକୁ ଯେତେବେଳେ ସେ ତାଙ୍କର ଜଣେ ବନ୍ଧୁଙ୍କୁ କହିଲେ – ସେ କହିଲେ, “ଏବେ ପଇସା ନେଇ ଲେଖା ଛପା ହେଉଛି, ତୋ ଲେଖା କେଉଁଠି ଛପା ହେବ ।” ଶିକ୍ଷାବିଦ୍ ମହାଶୟ ବନ୍ଧୁଙ୍କର ଏତାଦୃଶ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକାଶ କରୁଥିଲେ ଓ ଏହି ଲେଖକର ମତ ଜାଣିବାକୁ ଚାହିଁଲେ । ମୁଁ କହିଲି – ଏହା ତ ପ୍ରମାଣ କରିବା ଖୁବ କଷ୍ଟ । କିନ୍ତୁ ଯେତେବେଳେ ‘ପେଡ୍ ନ୍ୟୁଜ’ (paid news) ବା ପଇସା ନେଇ ସମ୍ବାଦ ପ୍ରକାଶନର ପରମ୍ପରା ଆରମ୍ଭ ହୋଇଗଲାଣି ବୋଲି ବିଭିନ୍ନ ତଦନ୍ତରୁ ଜଣା ପଡୁଛି, ସେତେବେଳେ ପଇସା ନେଇ ଲେଖା ପ୍ରକାଶ କରିବା ଅପ୍ରତ୍ୟାଶିତ କାହିଁକି ବା ହେବ ? ଜୀବନରେ ୭୫ଟି ବସନ୍ତ ଭୋଗ କରିସାରିଥିବା, ଶିକ୍ଷାବିଦ୍ ଜଣକ ନୀରବ ହୋଇ ବସିଗଲେ । ଆଗରୁ ତାଙ୍କର ଲେଖା ବାହାରିଛି ଏହି କାଗଜରେ । ଏବେ କାହିଁକି ସେ ଏପରି ମନ୍ତବ୍ୟ ଶୁଣୁଛନ୍ତି – ଲେଖାର ପ୍ରକାଶନ ସମ୍ପର୍କରେ ?
ମୁଁ ତାଙ୍କୁ ସ୍ମରଣ କରାଇ ଦେଲି ଯେ ଆଗରୁ ତାଙ୍କର ଲେଖା ବାହାରୁଥିଲା ବୋଲି ଯାହା ସେ କହୁଛନ୍ତି – ତାହା ସମ୍ଭବ ହେଉଥିଲା କାରଣ ତାଙ୍କର ସମ୍ପର୍କ ସଂପାଦକ ବା ସେହି ଅନୁଷ୍ଠାନର କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂପର୍କ ଥିଲା । ମୋର ମଧ୍ୟ ସେହି ଅଭିଜ୍ଞତା । ମୋର ଏ ଯାବତ୍ ସମସ୍ତ ଲେଖା ପ୍ରକାଶିତ ହୋଇଛି – ସଂପାଦକ ବା ଅନୁଷ୍ଠାନର କୌଣସି ପ୍ରଭାବଶାଳୀ ଲୋକଙ୍କ ସହ ସଂପର୍କ ଯୋଗୁଁ- ଲେଖାର ଗୁଣାତ୍ମକ ମାନ ଯୋଗୁଁ ନୁହେଁ । ଯେତେବେଳେ ସେ ସମ୍ପର୍କ ଛିନ୍ନ ହୋଇଛି – ତାପରେ ଲେଖାଟିଏ ପ୍ରକାଶ କରିବା ସମ୍ଭବ ହେଉନାହିଁ – ତାହା ଯେତେ ଉଚ୍ଚକୋଟୀର ହେଉ ନା କାହିଁକି !
ସମ୍ପର୍କ ଯୋଗୁଁ ଲେଖା ପ୍ରକାଶନ ସହଜ ହେବା, ଓ ପଇସା ନେଇ ଲେଖା ପ୍ରକାଶ କରିବା ଭିତରେ ଫରକ ପ୍ରତି ସେ ମୋର ଦୃଷ୍ଟି ଆକର୍ଷଣ କରୁଥିଲେ । ମୁଁ ତାଙ୍କର ଉତ୍ତେଜନାକୁ ପ୍ରଶମିତ କରୁଥିଲି – ଦର୍ଶାଇ ଯେ ଖବରକାଗଜ ଗୁଡିକର ପରିଚାଳନା କିପରି ବଜାର ଅର୍ଥନୀତିରେ ଗୋଟିଏ ଗୋଟିଏ ବ୍ୟବସାୟିକ ସଂଗଠନର ପରିଚାଳନା ସଦୃଶ ହୋଇଛି । ଅଧିକ ଆୟ, ଅଧିକ ମୁନାଫା କରିବା ଖବରକାଗଜର ମଧ୍ୟ ଲକ୍ଷ୍ୟ ହୋଇଯାଇଛି । ସେଇଥିପାଇଁ -ଖବରକାଗଜର ପ୍ରଥମ ପୃଷ୍ଠାରେ ବିରାଟ ବିରାଟ ବିଜ୍ଞାପନ ଆମେ ଦେଖୁଛୁ, ଖବର ଲେଖା ସବୁ ଭିତର ପୃଷ୍ଠାକୁ ଠେଲି ଦିଆଯାଉଛି । ବିଜ୍ଞାପନ ଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଖବରକାଗଜର ପ୍ରସାରଣକୁ ବହୁ ଅଧିକ କରି ଦେଖାଯାଉଛି – ଓ ଏହାର ବ୍ୟାପକ ପ୍ରସାରଣର ପ୍ରମାଣ ସ୍ୱରୂପ ବିଭିନ୍ନ ଅଞ୍ଚଳର ସମ୍ବାଦ ଯାହା ମୁଖ୍ୟତଃ ଅପରାଧ ସଂପର୍କିତ-ତାହାର ପରିବେଷଣ ହେଉଛି । କାଚତି ପାଇଁ ଶିହରଣ ଉଦ୍ରେକକାରୀ ଲୋଭନୀୟ ଚିତ୍ର, ସିନେ ସମ୍ବାଦ, ଖେଳ ଖବର ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଉପାଦେୟ ଲେଖା ପାଇଁ ଖବରକାଗଜରେ ସ୍ଥାନ କେତେ ବା ବଳୁଛି ? ଯାହା ବା ବଳୁଛି – ତାହା ପାଇଁ ବହୁ ଲେଖକଙ୍କର ଭିଡ । ଉପରନ୍ତୁ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ ଯଦି ଆୟକାରୀ, ପଇସା ଦିଆ ସମ୍ବାଦ (paid news) ଯଦି ସାଧାରଣ କଥା – ତାହାଲେ ‘ପଇସା ଦିଆ ଲେଖା’(paid Article) ପ୍ରକାଶନରେ ଅସ୍ୱାଭାବିକତା ରହିଲା କେଉଁଠି ? ବରଂ ଉପଲବ୍ଧ କମ୍ ସ୍ଥାନ ପାଇଁ, ବହୁ ଲେଖକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା – ଅଧିକ ଆୟ ପାଇଁ ଅତ୍ୟନ୍ତ ଅନୁକୂଳ । ଅବଶ୍ୟ କ୍ଷମତାସୀନ ବ୍ୟକ୍ତିମାନଙ୍କର ଲେଖାପାଇଁ ଏହି ସ୍ଥାନ ବିନା ମୂଲ୍ୟରେ ଉପଲବ୍ଧ ହେବା – ବା ଯେଉଁମାନେ ଅତ୍ୟନ୍ତ ପ୍ରତିଷ୍ଠିତ, ତାଙ୍କୁ ପାରିଶ୍ରମିକ ଦେଇ ସେମାନଙ୍କର ଲେଖା ପ୍ରକାଶନ କରିବା – ବିରଳ ଦୃଷ୍ଟାନ୍ତ ନୁହେଁ । ଏମାନଙ୍କୁ ବାଦ୍ ଦେଲେ ଯେଉଁମାନେ ଲେଖକ ଭାବେ ବିଜ୍ଞପିତ ହେବାକୁ ଚାହୁଁଛନ୍ତି – ନିଜର ମୂଳ ପେଶାର ପରିଚୟରୁ ନିଷ୍କୃତି ଚାହୁଁଛନ୍ତି – ସେମାନେ ଏହି ବିଜ୍ଞପିତ ପରିଚିତି ପାଇଁ ମୂଲ୍ୟ କାହିଁକି ନ ଦେବେ ? ଏହାହିଁ ପ୍ରକାଶନର ନବ୍ୟ ଧାରା । ଯେଉଁ ଲେଖକ ମାନେ ବିଜ୍ଞପିତ ହେବାର ଦୁର୍ବଳତା ମନରେ ପୋଷଣ କରନ୍ତି ନାହିଁ ବରଂ ସେମାନଙ୍କର ମୌଳିକ ଚିନ୍ତା ଓ ମନ୍ତବ୍ୟକୁ ପାଠକଙ୍କ ଅବଗତି ପାଇଁ ଲେଖନ୍ତି, ସେମାନେ ନିଶ୍ଚିତ ଭାବରେ ପ୍ରଚଳିତ ପ୍ରକାଶନର ନବ୍ୟ ଧାରାରେ ଉପେକ୍ଷିତ ଲେଖକ ।
ଏହି ପ୍ରଚଳିତ ଧାରାକୁ ଗ୍ରହଣ କରିନେବାରେ ହିଁ – ରହିଛି ମାନସିକ ଶାନ୍ତିର ପ୍ରତିଶୃତି । ସବୁରି ମୂଳରେ ଯେତେବେଳେ ପଇସା, ପଇସା ଆୟ କରିବାର କୌଣସି ସୁଯୋଗ ଓ ସମ୍ଭାବନାକୁ ହାତଛଡା ନ କରିବା ଯେଉଁଠି ଆପ୍ତ ବାକ୍ୟ ସଦୃଶ ସେତେବେଳେ ଖବରକାଗଜରେ ‘‘ପଇସା ଦିଆ ଲେଖା’’(paid article) ର ପ୍ରଚଳନ କାହିଁକି ବା ଆମକୁ ଚକିତ କରିବ ?
ଶିକ୍ଷାବିଦ୍ ଜଣକ ନୀରବରେ ଶୁଣୁଥିଲେ । ଜୀବନର ଅବଶିଷ୍ଟ ବର୍ଷରେ ଆଉ ଏହିଭଳି କେଉଁ କେଉଁ ପ୍ରକାରର ନବ୍ୟ ଉଦ୍ୟମମାନର ସମ୍ମୁଖୀନ ହେବେ ? ଏହା ଭାବୁଥିଲେ ବୋଲି ତାଙ୍କର ଶୂନ୍ୟ ଚାହାଣୀରୁ ଜଣା ପଡୁଥିଲା ।