ବିରୂପା କୋଳରେ କବିତା

  • 29/03/2017

ବିରୂପା କୋଳରେ
ବେପରୁଆ ଶୋଇବାର ସୁଯୋଗ
ଆଉ ବେଶୀ ଦିନ ନୁହେଁ ;
ବେଶୀ ଦିନ ନୁହେଁ
ତା’ ପଠାରେ ବସି
ଜମାଇବା କବିତା ଆସର ।
ବେଶୀ ଦିନ ନୁହେଁ
ତା’ ପାଣିରେ ବୁଡାଇ ଗୋଡକୁ
ନିରୋଳାରେ ଗୁଣୁ ଗୁଣୁ ହେବା ;
ବେଶୀ ଦିନ ନୁହେଁ
ତା’ ବାଲିରେ ବାଗୁଡି ଖେଳିବା
ଅବା ଗୁଡି ଉଡାଇବା ।
ବେଶୀ ଦିନ ନୁହେଁ
ମନ ଦ୍ୱାରା ପହଁରିବା
କୂଳରୁ ଦଉଡି ଯାଇ
ଗାଁରେ ପଶିବା
ଗାଁରୁ ଦଉଡି ଆସି
ତା’ ବାଲିରେ ନିର୍ଧୁମ ଗଡିବା ;
ଆଉ ବେଶୀ ଦିନ ନୁହେଁ,
ବେଶୀ ଦିନ ନୁହେଁ
ନିଛାଟିଆ ଖରାବେଳେ
ତା’ ବାଲିରେ
ପ୍ରେୟସୀକୁ ଅପେକ୍ଷା କରିବା
ସନ୍ଧ୍ୟା ହେଲେ
ନଈକୂଳେ ଠିଆ ହୋଇ
ସୂର୍ଯ୍ୟାସ୍ତ ଦେଖିବା
ଆଉ ବେଶୀ ଦିନ ନୁହେଁ ।

କାହିଁକି ବେଶୀ ଦିନ ନୁହେଁ ?

ମୁଁ ଦେଖୁଛି ଆଖିରେ ଆଖିଏ ପ୍ରଶ୍ନ
ଏଠି ଶ୍ରୋତାଙ୍କର ।
ତା’ର ଉତ୍ତର
ଆମର ଏ’ ବିରୂପା
ତା’ ପ୍ରବାହର କୁଳୁକୁଳୁ ନାଦ
ତା’ ପଠା, ତା’ର ଶୀତଳ ଜଳ
ବିକ୍ରି ହେବ
ଆସିଲାଣି ବେଳ ।
ଆପଣାର ବିରୂପା
ପର ହୋଇଯିବ
ଆଉ କାହା ମାଲିକାନା ତା’ ଉପରେ ଜମାଇ ବସିବ
ଆସିଲାଣି ବେଳ ।
ତୁଠ କରିବାକୁ ଗଲେ
ପଇସା ପଡିବ,
ଗୋରୁ ପାଣିରେ ମାରିଲେ ମୁଁହ
କାଞ୍ଜିଆହୁଦାରେ ପଶିବ,
ଆସିଲାଣି ବେଳ ।
ମୋର ସ୍ୱାଧୀନ ଗୋଡରେ
ପଡିବ ଶୃଙ୍ଖ,
ଆସିଲାଣି ବେଳ ।
ହେ, ମୋର ପ୍ରିୟ ଶ୍ରୋତା ବନ୍ଧୁ
ବିରୂପା ନଈର ବିମୁଗ୍ଧ ଦର୍ଶକ
ଯଦି ତୁମେ ଚାହଁ
ଏହି ଭଳି ଜମୁଥାଉ କବିତା ଆସର
ବର୍ଷ ପରେ ବର୍ଷ, ବାରବାର
ଆମ ପରେ ଆସୁ, ବସୁ
ଭବିଷ୍ୟତ ଆମ ବଂଶଧର
ଉପଭୋଗ କରୁ ନିର୍ବିରୋଧ
ଏହି ଜହ୍ନ, ଏହି ବାଲି, କୁଳୁକୁଳୁ ନାଦ ବିରୂପାର ।
ତାହାଲେ, ଏବେଠାରୁ ହୁଅ ହୁସିଆର
ଦେଖ, ବିରୂପାକୁ ନେଇ
କେହି ନ କରୁ ବେପାର ।
ବିରୂପାକୁ ରକ୍ଷାକର,
ସେ ହୋଇ ରହୁ ଆମ ସଭିଙ୍କର
ମୁକ୍ତି ଆଉ ସ୍ୱାଧୀନତାର ପବିତ୍ର ସ୍ୱାକ୍ଷର ।
(ବିରୂପା ସାହିତ୍ୟ ସଂସଦ ତରଫରୁ ଆୟୋଜିତ
୧୬-୦୪-୨୦୦୩ କବିତା ପାଠୋତ୍ସବରେ ପଠିତ)

 

Print Friendly, PDF & Email