ଅଗଣିଙ୍କ ଶୋକ

  • 30/03/2017

                                                                                                                                                                            ଡଃ ବୀରେନ୍ଦ୍ର ନାୟକ

    ଜବାହରଙ୍କର ଭାଷଣ ଶୁଣିବା ପାଇଁ ଯେତେବେଳେ ଗାଁ ମୁଣ୍ଡରେ ଗୋଟିଏ ରେଡିଓ ପାଖରେ ଗାଁ ସାରା ଲୋକ ଗଦା – ସେତେବେଳେ ଭାଇ ଚେତାଶୂନ୍ୟ ହୋଇ ପଡିଥାନ୍ତି ଘରେ । ପାଖରେ ପାଖରେ ବସିଥାନ୍ତି ଅଗଣି । ପଡିଆ ଡେଇଁ ଭାସି ଆସୁଥାଏ ଜବାହରଙ୍କର ରୁଦ୍ଧକଣ୍ଠ ସ୍ୱର – ‘ଆଲୋକ ବର୍ତ୍ତିକାଟି ଆଜି ଆମ ଭିତରୁ ଚାଲିଗଲା ।’ ଚେତା ଫେରୁ ଫେରୁ ପାହାନ୍ତା ହୋଇଗଲା । ସେହିଦିନ ଠାରୁ ଯେପରି ସବୁ ଆଶା ଓ ଉଦ୍ଦୀପନା ସରିଯାଇଥିଲା ତାଙ୍କର । ଯାହା ବ୍ରିଟିଶ ତା’ ଶାସନ କାଳରେ କରିପାରି ନଥିଲା- ସ୍ୱାଧୀନ ଭାରତରେ ତାହା ହୋଇଗଲା । ‘ଯେଉଁ ଦେଶରେ ଜାତିର ପିତାଙ୍କୁ ହତ୍ୟା କରାଯାଇପାରେ – ସେ ଦେଶର ଆଉ ଭବିଷ୍ୟତ କ’ଣରେ ଅଗଣି’ – କହି ବହୁବାର ଦୀର୍ଘଶ୍ୱାସ ଛାଡିଛନ୍ତି ଭାଇ । ଆଉ ଯେଉଁଦିନ ତାଙ୍କର ଏକମାତ୍ର ପୁଅଟି ଚାକିରି ପାଇଁ ବାର ଦୁଆର ତେର ପିଣ୍ଡା ବୁଲି ତାଙ୍କୁ ଆସି ପଇସା ମାଗିଲା – କିଳା- ପୋତେଇ ନଦେଲେ ଚାକିରି ମିଳିବ ନାହିଁ – ସେ ଦିନ ସେ ନିର୍ବାକ ହୋଇଯାଇଥିଲେ । କହିଥିଲେ- ପଇସା କେଉଁଠୁ ଆଣିବି । ଭଗିଆ ମନ୍ତ୍ରୀ ହୋଇଛି ତାକୁ ଯାଇ କହୁନୁ । ମାନ୍ୟବର ଭଗବାନ ରାୟଙ୍କ ପାଖକୁ ଚିଠି ଲେଖି ପୁଅ ହାତକୁ ବଢାଇ ଦେଇଥିଲେ । ପୁଅ ସେ ଚିଠିଟିକୁ ଟୁକୁରା ଟୁକୁରା କରି ଫୋପାଡି ଦେଲା ତାଙ୍କର ଉପରକୁ । ଭାଇ ବୁଝିପାରିଥିଲେ ପୁଅର ପ୍ରତିକ୍ରିୟା । ଶାସକର ଚମଡାର ରଙ୍ଗ ବଦଳି ଯାଇଛି କେବଳ । ଭଲ ହୋଇଛି ଗାନ୍ଧୀ ଚାଲିଯାଇଛନ୍ତି – ଏ ଦଶା ଦେଖିବାକୁ ରହି ନାହାନ୍ତି । ଏ’ତ ଗାନ୍ଧୀର ଭାରତ ନୁହେଁ । କିନ୍ତୁ ପୁଅଟି ଆତ୍ମହତ୍ୟା କରିଦେଲା । ସେହିଦିନଠାରୁ ଭାଇଙ୍କର ଆଖିରେ ଯେପରି ହିମାଳୟର ଶୀତଳତା । ଫଳକ ଓହ୍ଲାଇ ଦେବାର ନିଷ୍ପତ୍ତି ଅଗଣିଙ୍କର ନୁହେଁ । ସେ ନିମିତ୍ତ ମାତ୍ର । ଗାନ୍ଧୀ ସ୍ୱପ୍ନର ଭାରତ ଯେତେବେଳେ ଆଜି ସମ୍ଭବ ନୁହେଁ – ସେତେବେଳେ ଏହି ନିତିଦିନିଆ ପଟୁଆର ମାର୍ଗରେ ମହାତ୍ମା ଗାନ୍ଧୀର ଫଳକ ରଖି ଶାସକର ଅସଫଳତାକୁ ମନେ ପକାଇ ଦେଇ – ‘ଆ ବଳଦ ମୋତେ ବିନ୍ଧ’ । ଅଗଣି ଢୋଳାଇ ପଡିଲେ । ସ୍ୱପ୍ନ ଦେଖିଲେ ଅଗଣି । ଜବାହରଙ୍କର କୋପମୂର୍ତ୍ତି । ସାମାନ୍ୟ ଦୂରରେ ବସିଛନ୍ତି ଇନ୍ଦିରା ମୁଣ୍ଡ ନୁଆଇଁ । ଜବାହରଙ୍କ ମୁହଁରୁ ଅବାରିତ ବାହାରି ଚାଲିଛି – ‘ଅତ୍ୟନ୍ତ ଲଜ୍ଜାର ବିଷୟ’ ସବୁଥିରେ ଗୋଟାଏ ସୀମା ଅଛି । ଶେଷକୁ ବାପୁଙ୍କ ନାମରେ ନାମିତ ରାସ୍ତାକୁ ତୋ ନାମରେ ବଦଳାଗଲା । ଗଣତନ୍ତ୍ର ପରା ଚାଲିଛି ମୋ ଦେଶରେ । କି ଧାରଣା ହେଉଥିବ ଜନ ମାନସରେ । ମାଡି ମକଚି ଇତିହାସକୁ ବଦଳାଯାଇ ପାରେନା । ତୋର ପିଲାଦିନେ ମୁଁ ତୋତେ ଇତିହାସ ସମ୍ପର୍କରେ ଅନେକ କଥା ଚିଠିରେ ଲେଖିଛି । ଇତିହାସର ନିଜସ୍ୱ ସ୍ରୋତ ରହିଛି । ପ୍ରବାହ ରହିଛି । ତା’ ଭିତରେ ସତଟା କେବେ ଲୁଚିଯିବ ନାହିଁ ।’ ଇନ୍ଦିରା ଲଜ୍ଜିତ ହେଉଥିଲେ । ବାପା ବୁଝିପାରୁନାହାନ୍ତି ଯେ, ତାଙ୍କ ଅକ୍ତିଆରରେ ଆଉ କିଛି ନାହିଁ । କିନ୍ତୁ ଜବାହରଙ୍କର କୋପ ସେ ଜାଣନ୍ତି । ତେଣୁ ସମାଧାନ କେବଳ ଗାନ୍ଧୀ । ‘ବାପୁ’ । ତାଙ୍କର ଗାନ୍ଧୀଙ୍କର ଆଖି ଫିଟିଯାଏ । ସାମନାରେ ଇନ୍ଦିରା ତାଙ୍କର ପ୍ରିୟ ଇନ୍ଦୁ । ‘କ’ଣ ମା ?’ – ଗାନ୍ଧୀ ବସିବାକୁ ନିର୍ଦ୍ଦେଶ ଦେଇ ପଚାରନ୍ତି । ‘ବାପୁ, ବଡ ଅସୁବିଧାରେ ମୁଁ ପଡିଯାଇଛି । ଆଜି ସକାଳୁ ବାପା ମୋ ଉପରେ ଭୀଷଣ ରାଗିଛନ୍ତି । କିନ୍ତୁ ମୋ’ର ତ ସେଥିରେ କିଛି କରିବାର ନାହିଁ ।’ ‘କିନ୍ତୁ ଘଟଣାଟି କ’ଣ ?’ ‘ମୋତେ ଲଜ୍ଜା ଲାଗୁଛି କହିବାକୁ ।’ ‘ତେବେ କହିବୁ ତ !’ ‘ଆମ ଦେଶରେ ଏକ ପ୍ରଶସ୍ତ ସଡକ ଯାହା ଏ’ଯାବତ୍ ଆପଣଙ୍କ ନାମରେ ନାମିତ ହୋଇଥିଲା, ତାହାକୁ ବଦଳାଇ ମୋ’ ନାମରେ କରାଯାଇଛି ।’ ‘ଓଃ ଏହି କଥା । ଏଥିପାଇଁ ଜବାହର ତୋ ଉପରେ ଖପ୍ପା ?’ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଖର୍ବ କରି ଦେଇଛନ୍ତି ତା ଦେଶବାସୀ – ଏହି ଅଭିଯୋଗ ଜବାହରର …ନୁହେଁ ? କହି ହାଃ,ହାଃ ହୋଇ ହସିବାକୁ ଲାଗିଲେ ଗାନ୍ଧୀ । କିନ୍ତୁ ଏଥିରେ ତୋ’ର କ’ଣ କରିବାର ଅଛି । ଜବାହରର ସବୁବେଳେ ଆଦେଶ ଗୁଡାଏ । ଆରେ ପ୍ରାପ୍ତିର ଆଶା ଯେତେଦିନ ଥିବ, ଆମେ ଥିବୁ । ଯେଉଁଦିନ ଆମଠାରୁ ଅଧିକ କିଏ ଦେଇପାରିବାର ର ପ୍ରତିଶୃତି ଦେବ ଆମେ ବାଦ ପଡିବୁ । ଏ’ତ ଅତି ସହଜ ଓ ସରଳ କଥା । ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ?’ ଗାନ୍ଧୀ ଅରଟ ଚଳାଇବାକୁ ଲାଗିଲେ । ‘ବାପାଙ୍କର ସ୍ୱରରେ ଯେପରି ମୋ ପ୍ରତି ଆକ୍ଷେପ:’ ଇନ୍ଦିରା କହିଲେ । ‘ତୁ ଯାଇ ଜବାହରକୁ କହ ଯେ, ମୁଁ ଖୁସି ସରକାରଙ୍କର ଏଭଳି ନିଷ୍ପତ୍ତିରେ । ପ୍ରଶସ୍ତ ରାଜପଥ, ଚାରିପଟେ ବିରାଟ ବିରାଟ କୋଠା, ପାର୍କ, ହୋଟେଲ ଆଉ ପାଣିର ପୁଆରା । ପାଖରେ ଗାଟିଏ ଫଳରେ ଝୁଲିବାକୁ ମୋର ଆଦୌ ଇଚ୍ଛା ନାହିଁ । ମୋ’ର ତ ଇଚ୍ଛା ସେହି ନାଳ ନର୍ଦ୍ଦମା ପାଖରେ ସହରତଳି ଲୋକଙ୍କ ଭିତରେ ରହିବାକୁ । ଯଦି ତୁ କିଛି କରିପାରୁ – ମୋର ସେହି ଫଳକଟିକୁ ନେଇ ସହରତଳି ବସ୍ତିରେ ଲଗାଇବାର ବ୍ୟବସ୍ଥା କର । ସରକାରଙ୍କୁ କହ ଯେ, ସେଗୁଡିକୁ ଭାଙ୍ଗି ଯେପରି ସେମାନଙ୍କୁ ଗୃହହୀନ ନକରୁ । ମଣିଷ ଜୀବନଟା ଗୋଲାପ ଠାରୁ ଅଧିକ ମୂଲ୍ୟବାନ । ତାଙ୍କୁ ସଜାଡିଲେ ସେ ଅସଂଖ୍ୟ ଗୋଲାପର ସୁଗନ୍ଧ ଦେବ ।’ ଇନ୍ଦିରା ଲଜ୍ଜିତ ହେଉଥିଲେ । କିନ୍ତୁ ସେ କ’ଣ ଆଉ କିଛି କରିପାରିବେ ! ଅଗଣିଙ୍କ ନିଦ ଭାଙ୍ଗିଗଲା ହଠାତ୍ ଏକ ଭୟଙ୍କର ଶବ୍ଦରେ । ସାମନାରେ ତାଙ୍କ ବସ୍ତିର ଦଳେ ଯୁବକ ରାସ୍ତା କଡରେ ଗୁମୁଟି ଦୋକାନ ଉପରେ ନିର୍ଘାତ ପ୍ରହାର କରୁଥିଲେ ଓ ଅକ ଜାନ୍ତବ ଉଲ୍ଲାସରେ ଡେଉଁଥିଲେ । ମ୍ୟୁନିସିପାଲିଟି ବାବୁ ରାସ୍ତା କଡରୁ ଦେଉଥିଲେ ନିର୍ଦ୍ଦେଶ । ଘର ଭଙ୍ଗା ଅଭିଯାନ ପରା ! ମନେ ପଡିଲା, ଅଗଣିଙ୍କର ତାଙ୍କ ବସ୍ତିକୁ ମ୍ୟୁନିସିପାଲିଟିର ନୋଟିସ ! ଭାଇଙ୍କି ଧରି ସେ ପୁଣି ଯିବେ କେଉଁଠିକି ? ଦୀର୍ଘଶ୍ୱାସ ଛାଡିଲେ ଅଗଣି ।

ରାସ୍ତାର ନାମ ‘ମହାତ୍ମା ଗାନ୍ଧୀ ମାର୍ଗ’ ରହିଲା । ଭୁବନେଶ୍ୱର, ତା ୨୭-୧୦- ସ୍ଥାନୀୟ ପି.ଏମ୍.ଜି. ଛକଠାରୁ ଷ୍ଟେସନଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନାମ ପୂର୍ବଭଳି ‘ମହାତ୍ମା ଗାନ୍ଧୀ ମାର୍ଗ’ ରହିବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏହି ମାର୍ଗର ନାମ ବଦଳାଇ ଏହାକୁ ‘ଇନ୍ଦିରା ଗାନ୍ଧୀ ମାର୍ଗ’ କରିବା ନିଷ୍ପତ୍ତିକୁ ବାତିଲ କରିଦିଆଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ଉକ୍ତ ରାସ୍ତାର ନାମ ବଦଳାଇ ଏହାକୁ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରାଯିବା ପରେ ରାଜ୍ୟରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଜନମତର ଚାପରେ ସରକାର ତାଙ୍କର ପୂର୍ବନିଷ୍ପତ୍ତି ବଦଳାଇଥିବାର କୁହାଯାଉଛି । ବିଧାନସଭାର ବିଗତ ମୌସୁମୀ ଅଧିବେଶନରେ ବିରୋଧୀ ଦଳର ବିଧାୟକ ମାନେ ଜାତିର ଜନକଙ୍କ ନାମରେ ନାମିତ ରାସ୍ତାର ନାମ ବଦଳାଯିବା ନିଷ୍ପତ୍ତିର ସମାଲୋଚନା କରିଥିଲେ । ଜନତା ଦଳର କେତେକ ବିଧାୟକ ତାଙ୍କ ସରକାର କ୍ଷମତାକୁ ଆସିବା ମାତ୍ରେ ‘ଇନ୍ଦିରା ଗାନ୍ଧୀ ମାର୍ଗ’ର ନାମ ବଦଳାଇ ପୁଣି ‘ମହାତ୍ମା ଗାନ୍ଧୀ ମାର୍ଗ’ ରଖିବେ ବୋଲି ଘୋଷଣା କରିଥିଲେ ।

 

Print Friendly, PDF & Email