ଏରାମ୍ମାର ମାଟି

  • 30/03/2017

ବୀରେନ୍ଦ୍ର ନାୟକ

ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା ଏତେ ବଡ ଗାଁରେ ଏତେ ଲୋକଙ୍କ ଭିତରେ କ’ଣ ମରିବାକୁ ଲେଖା ହୋଇଥିଲା ଏରାମ୍ମାର ଜାତକରେ । କିଏ ଜାଣିଥିଲା – ଏ ନିରୀହ ବୁଢୀ ଯିଏ ମୁଣ୍ଡରୁ ଓଢଣା କାଢିବାର ଏ ଗାଁର କେହି ଦେଖି ନାହିଁ । ସେ ସବୁ ସ୍ତ୍ରୀଲୋକଙ୍କୁ ଗାଁରୁ କାଢି ଆଣି ଗାଁ ମୁଣ୍ଡକୁ ନେଇ ସଶସ୍ତ୍ର ପୁଲିସ ବାହିନୀକୁ ପ୍ରତିରୋଧ କରିବ । ଗାଁ ସାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବୁଢୀ ପାଗଳୀ ହୋଇଗଲା ନା’ କ’ଣ ? ଯାହା ପାଟି ଗାଁ ଲୋକ କେହି ଶୁଣି ନଥିଲେ, ସେ ହୁରିପକାଇ ଡାକୁଥିଲା, ‘‘ଆରେ ବାହାରି ଆସରେ, ପୁଲିସ ପଶି ଆସିଲାଣି । କମ୍ପାନୀ ନେଇଯିବ ଆମ ଭୂମିକୁ । ଆମକୁ ଭିକାରୀ କରିଦେବରେ । ଆରେ ପାର୍ବତୀ, ଲକ୍ଷ୍ମୀ କିଏ କେଉଁଠି ଅଛ ସବୁ ବାହାରି ଆସରେ ।’’ ଏ ମୁଣ୍ଡରୁ ସେ ମୁଣ୍ଡ ଖାଲି ଦଉଡି ଯାଉଥିଲା ଏରାମ୍ମା । ରାମ ପ୍ରଧାନ ପଚାରିଲା, ‘‘ ଆମ୍ମା କେଉଁଠି ଦେଖିଲୁ ପୁଲିସ ।’’  କିଛି ଦିନ ହେଲା ଏରାମ୍ମା ତା ବାରଣ୍ଡାରେ ବସି ମନେ ମନେ କ’ଣ ବାଉଳି ଚାଉଳି ହେଉଥିବାର ରାମ ଶୁଣିଥିଲା । ‘‘ଅଳପେଇସା କମ୍ପାନୀ ଆମ ଜାଗାକୁ ନେଇଯିବ । ମୋ କିଆବାଡ ଚାଲିଯିବ ।’’ ଏମିତି କଥା ସବୁ ଏରାମ୍ମା ତା ନିଜକୁ ନିଜେ କହୁଥିବାର ରାମ ଶୁଣିଥିଲା । କମ୍ପାନୀ ଜାଗାକୁ ନେଇଯିବ ବୋଲି ଭୟରେ କମ୍ପାନୀର ଭୂତ ଏରାମ୍ମା ଦେଖୁଛି ବୋଲି ମନେ ହୋଇଥିଲା ରାମର । ଆଜି ଏରାମ୍ମାର ପାଟି ଶୁଣି ରାମ ଭାବୁଥିଲା, ଏରାମ୍ମାକୁ କମ୍ପାନୀର ଭୂତ ଆଜି ବେଶୀ ଦୃଶ୍ୟ ହୋଇଛି ବୋଧେ । ରାମ ପ୍ରଶ୍ନ ଶୁଣି ମାଡି ଆସିଲା ଏରାମ୍ମା । ଖୁନ୍ଦାଏ ମାରିଲା ରାମକୁ । କେ’ଲି ଲାଗିଛି କିରେ । କ୍ରୋଧରେ ଲାଲପଡିଥିଲା ଏରାମ୍ମା । ରାମ ଅପ୍ରସ୍ତୁତ ହୋଇଗଲା । କହିଲା, ‘‘ଆମ୍ମା ତୋ ମୁଣ୍ଡ ଖରାପ ହୋଇଗଲାଣି । ସବୁବେଳେ ତୁ କମ୍ପାନୀ କମ୍ପାନୀ ହେଉଛୁ । ସବୁଆଡେ ତୋତେ କମ୍ପାନୀର ଭୂତ ଦେଖାଯାଉଛି ।’’
ଏରାମ୍ମା ପାଇଁ ଏହା ଥିଲା ଅସହ୍ୟ । ରାମ ଅଣ୍ଟାରେ ବନ୍ଧା ହୋଇଥିବା ଗାମୁଛାକୁ ଟାଣି ଧରି କହିଲା, ‘‘ଆ’ରେ ଅଳପେଇସା ଦେଖିବୁ ଆ । ସେ କିଆବାଡକୁ ଚାଲ ଦେଖିବୁ କେମିତି ମାଳମାଳ ପୁଲିସ ଖେତ ଭିତରକୁ ପଶିଆସିଲେଣି । ଆ ଦେଖିବୁ ।’’ ଏତକ କହି ଦଉଡିଥିଲା ଏରାମ୍ମା ସେହି କିଆଫୁଲ ବାଡ ଆଡକୁ । ତା ପଛେ ପଛେ ଦଉଡିଥିଲେ ଗାଁର ମାଇପେ, ପୁରଷ, ପିଲା । କିନ୍ତୁ ସବା ଆଗରେ ଥିଲା ଏରାମ୍ମା ।
ଏରାମ୍ମା ଏତେ ଜୋରରେ ଦଉଡିପାରେ ସତେ !
ଲଛେୟା ଅନେଇଲା ଚିତା ଉପରେ ପଡିଥିବା ଏରାମ୍ମାର ନିଃସ୍ତେଜ ପାଦ ଦୁଇଟିକୁ ।
ପୁଲିସକୁ ଦେଖି ଅଳ୍ପ ଦୂରରେ ଅଟକିଥିଲେ ଗ୍ରାମବାସୀ । କିନ୍ତୁ ଏରାମ୍ମା ଅଟକି ନଥିଲା । ପଛରୁ କାହାରି ଡାକକୁ ଶୁଣିବାକୁ ଯେପରି ସେ ପ୍ରସ୍ତୁତ ନଥିଲା ।
କାଳିଶୀ ଲାଗିଛି କି ଏରାମ୍ମାକୁ ! ମାଡିଗଲା ସେ ପୁଲିସ ଆଡକୁ । ରାମ ଡାକିଲା, ଠିଆ ହୁଅନାହିଁ ଆଉ । ମାଡି ଚାଲ । ବୁଢୀ ମାଡିଗଲା । ଆମେ ଧୀରେ କି ରହିବା କି ? ଚାଲ ।
ମାଡିଗଲେ ଗ୍ରାମବାସୀ । ତଥାପି ଆଗରେ ଏରାମ୍ମା । ‘ଚାର୍ଜ’ ବୋଲି ଅର୍ଡର ଦେଲେ ସର୍ଜାଣ୍ଟ । ଲୁହ ବୁହା ଗ୍ୟାସ ସେଲର ବର୍ଷା ହୋଇଗଲା । ତା ପରେ ଚାଲିଲା ଲାଠି । ସମସ୍ତଙ୍କୁ ଯେମିତି କାଳିଶୀ ଲାଗିଲା । ଏରାମ୍ମାର ପାଟି ଶୁଭୁଥିଲା, ‘‘ମାଡି ଯା ଡରନା । ମରିବୁ ପଛେ ଡରିବୁ ନାହିଁ, ଜନ୍ମମାଟି ଛାଡିବୁ ନାହିଁ ।’’
ଗୋଡେଇ ଯାଇଥିଲେ ଗ୍ରାମବାସୀ ପୁଲିସ ଦଳକୁ କିଛିବାଟ । ଜନସମୁଦ୍ର ଆଗରେ ପୁଲିସ ଫେରିଗଲା । କେହି ଜଣେ ବଡ ଅଫିସର ତାଙ୍କୁ ଫେରିବା ପାଇଁ ଦେଉଥିଲେ ଇଶାରା । କିନ୍ତୁ ଏରାମ୍ମା ? ରାମୁ ଦଉଡିଲା ପଛକୁ । ତା ପଛକୁ ଥିଲା ଲଛେୟା । ତା ପଛରେ ଗ୍ରାମବାସୀ । ଧପକିନା ରହିଗଲେ ସମସ୍ତେ ।
ଏରାମ୍ମା ପଡିଥିଲା ବିଲରେ । ହାତରେ ଥିଲା ତା’ର କେରାଏ ଧାନ । ଗୋଡ କଳା ପଡିଯାଇଥିଲା । ଲୁହ ବୁହା ଗ୍ୟାସ ସେଲ ଫୁଟିଥିଲା ବୋଧେ ତା’ରି ଗୋଡ ପାଖରେ ।
ଏରାମ୍ମାର ପ୍ରାଣବାୟୁ ଉଡିଯାଇଥିଲା । ପୁରୋହିତ ଡାକିଲେ ମୁଖାଗ୍ନି ଦେବାପାଇଁ । କିନ୍ତୁ ଏ କ’ଣ ! ସମସ୍ତେ ବାହାରି ଆସୁଛନ୍ତି ମୁଖାଗ୍ନି ଦେବାକୁ । ପୁରୋହିତ କହିଲେ, ‘‘ତାଙ୍କ ପୁଅ ନହେଲେ ତାଙ୍କର ବଂଶର କେହି ଜଣେ ମୁଖାଗ୍ନି ଦେବା ବିଧି । ତୁମେ ସମସ୍ତେ କ’ଣ ବାହାରି ପଡୁଛ ।’’
ଏକା ସ୍ୱରରେ ସମସ୍ତେ କହିଲେ, ‘‘ଆମେ ସମସ୍ତେ ଏରାମ୍ମାର ବଂଶଧର । ତା’ର ଦାୟାଦ । ସେ ଆମର ମା, ଆମେ ସମସ୍ତେ ମୁଖାଗ୍ନି ଦେବୁ ।’’
ପୁରୋହିତ ବାଟ ଛାଡି ଦେଇଥିଲେ । ମନ୍ତ୍ରୋଚ୍ଚାରଣ ଭିତରେ ଉଠିଥିଲା ସ୍ଲୋଗାନ, ‘‘ଏରାମ୍ମା ଅମ୍ମାର ତ୍ୟାଗକୁ ଆମେ ଭୁଲିବୁ ନାହିଁ, ଭୁଲିବୁ ନାହିଁ । ମରିବୁ ସିନା ଡରିବୁ ନାହିଁ, ଜନ୍ମ ମାଟି ଛାଡିବୁ ନାହିଁ ।’’

Print Friendly, PDF & Email