ଉଡ଼ିସା ହେବ ଓଡ଼ିଶା

  • 16/09/2015

୧-୧୬ ଜୁନ୍ ୨୦୦୭

ଏହି ଶିରୋନାମାରେ ସମ୍ବାଦଟିଏ ଅନେକଙ୍କର ଦୃଷ୍ଟିରେ ପଡ଼ିଥିବ । (ଦ୍ରଷ୍ଟବ୍ୟ: ଧରିତ୍ରୀ, ମେ ୧୬, ୨୦୦୭) । ଓଡ଼ିଶାକୁ ହିନ୍ଦୀରେ ‘ଉଡ଼ିସା’ ଓ ଓଡ଼ିଆକୁ ହିନ୍ଦୀରେ ‘ଉଡ଼ିୟା’ ବୋଲି ଉଲ୍ଲେଖ ହୋଇଛି ଭାରତୀୟ ସମ୍ବିଧାନରେ । ଏହାକୁ ସଂଶୋଧନ କରିବା ପାଇଁ ଏବେ ରାଜ୍ୟସରକାରଙ୍କ ତରଫରୁ ଚିଠି ଲେଖାଯାଇଛି-ସମ୍ବିଧାନ ପ୍ରଣୟନର ସତାବନ ବର୍ଷ ପରେ ଏହାହିଁ ପ୍ରକାଶିତ ସମ୍ବାଦର କଥାବସ୍ତୁ । ଏହିଭଳି ଅପଭ୍ରଂଶର ଯେ ପ୍ରତିବାଦ କରାଯାଇ ନଥିଲା-ତାହା ନେଇ କ୍ଷୋଭର ଗନ୍ଧ ମିଳେ ଏହି ସମ୍ବାଦରୁ । ଏହିଭଳି ଏକ ପ୍ରତିବାଦହୀନ ଦୀର୍ଘସମୟ ଖଣ୍ଡର ପୃଷ୍ଠଭୂମିରେ-ନବୀନ ପଟ୍ଟନାୟକଙ୍କର ସରକାର ପ୍ରତିବାଦ କରି ସଂଶୋଧନ ପାଇଁ ପତ୍ର ଲେଖିବା ନିଶ୍ଚିତ ସରକାର ସପକ୍ଷବାଦୀଙ୍କ ଦୃଷ୍ଟିରେ ଏକ ‘ବୈପ୍ଳବିକ’ ପଦକ୍ଷେପ । କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବାରେ ସିଦ୍ଧହସ୍ତ ନବୀନ ସରକାର ଏଯାବତ୍ ଯେତେ ପତ୍ର ଲେଖୁଛନ୍ତି ସବୁଠାରୁ ଏହି ପତ୍ର ଯେ ଅଧିକ ‘ମାର୍ମିକ’ ଏଥିରେ ସନେ୍ଦହ ନାହିଁ ।
ତେବେ ଏତେଦିନ ଧରି କିପରି ଏହିଭଳି ଏକ ଅପଭ୍ରଂଶ ସମସ୍ତଙ୍କ ଅଲକ୍ଷ୍ୟରେ ରହିଗଲା? ଏ ପ୍ରଶ୍ନ ସ୍ୱାଭାବିକ ମନକୁ ଆସୁଛି । କାରଣ ଏଯାବତ୍ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନେ ଓଡ଼ିଆରେ କଥା କହୁଥିବା ମୁଖ୍ୟମନ୍ତ୍ରୀ କେବଳ ନଥିଲେ, ତାଙ୍କ ଭିତରୁ ଅନେକ ଓଡ଼ିଆ ଭାଷାରେ ଦକ୍ଷ ସାହିତି୍ୟକ ମଧ୍ୟ ଥିଲେ । ପ୍ରଶାସନର ପରିଚାଳନା ଓଡ଼ିଆ ଭାଷାରେ କରିବା ପାଇଁ ଅତ୍ୟନ୍ତ ତପôର ଥିଲେ ଏବଂ ବର୍ତ୍ତମାନର କ୍ଷମତାସୀନ ନେତୃତ୍ୱ ଅପେକ୍ଷା ଜ୍ଞାନ ଓ ତତ୍ତ୍ୱରେ ଅଧିକ ପାରଦର୍ଶୀ ଥିଲେ । ତେଣୁ ଏମାନଙ୍କ ନଜରରେ ଏଭଳି ଏକ ଅପଭ୍ରଂଶ ନ ପଡ଼ିବା ଅଥଚ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯିଏ ଆଦୌ ଓଡ଼ିଆ କୁହନ୍ତି ନାହିଁ-ତାଙ୍କରି ବେଳେ ଏହା ଉପରେ ନଜର ପଡ଼ିବା ବାସ୍ତବିକ ଏକ ବିଡ଼ମ୍ବନା ବୋଲି ମନେହୁଏ । କୁହାଯାଇପାରେ ଯେ, ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ସମୟରେ ହିନ୍ଦୀଭାଷାରେ ଲିଖିତ ସମ୍ବିଧାନ ପ୍ରତି କାହାରି ଧ୍ୟାନ ଯାଇନଥିଲା – ଯାହା ଓଡ଼ିଆ କହୁନଥିବା ମୁଖ୍ୟମନ୍ତ୍ରୀଙ୍କ ସମୟରେ ବାଧ୍ୟତଃ ଗଲା ଓ ଏହି ଅପଭ୍ରଂଶ ଦୃଷ୍ଟିରେ ପଡ଼ିଲା ।
‘ଉଡ଼ିସା’ ବା ‘ଉଡ଼ିୟା’ ଏହିଭଳି ଉଚ୍ଚାରଣ ପ୍ରାୟଃ ସବୁ ଅଣଓଡ଼ିଆ ଭାଷୀ ହିଁ କରିଥାନ୍ତି ବା ଯେଉଁମାନେ ଓଡ଼ିଆ କହିପାରନ୍ତି ନାହିଁ ସେମାନେ ହିଁ କରିଥାନ୍ତି । ସାମ୍ବିଧାନିକ ଦୃଷ୍ଟିରୁ ଏହି ଭଳି ଉଚ୍ଚାରଣ ଯେ ଭୁଲ ନୁହେଁ – ତାହା ଏହାର ସଂଶୋଧନ ନହେଲା ପର୍ଯ୍ୟନ୍ତ କୁହାଯାଇପାରେ ।
ତେଣୁ ନବୀନବାବୁଙ୍କ ସମୟରେ ସରକାର ଏଭଳି ପତ୍ର ଲେଖି ଅନ୍ତତଃ ଜଣାଇଦେଲେ ଯେ, ଓଡ଼ିଆ କହି ପାରୁଥିବା ଅଥଚ ସାମ୍ବିଧାନିକ ପଦପଦବୀରେ ରହିଥିବା ବ୍ୟକ୍ତିମାନେ ଏପରି ଉଚ୍ଚାରଣ କରି କୌଣସି ଅସାମ୍ବିଧାନିକ କାର୍ଯ୍ୟ କରିନାହାନ୍ତି ବା କରୁନାହାନ୍ତି ।
କହିବା ବାହୁଲ୍ୟ ଯେ, ଯେଉଁମାନେ ଓଡ଼ିଶାରେ (ଭୁବନେଶ୍ୱର) ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ, ଆଇ.ଆଇ.ଟି.କୁ ନେଇ କେନ୍ଦ୍ରୀୟ ଅବହେଳାର ଦ୍ୱାହି ଦେଇ ରାଜଧାନୀର ରାସ୍ତାଘାଟରେ ଚାଲୁଛନ୍ତି ସେମାନେ ଆହ୍ଲାଦିତ ହେଉଥିବେ ଯେ, ସେମାନଙ୍କ ପାଇଁ ରାସ୍ତାରେ ଚାଲିବା ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଉ ଗୋଟିଏ ଅବସର ସୃଷ୍ଟି ହେଉଛି ।
ସାତବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ କୁହାଇବାରେ ଅସଫଳ ଓଡ଼ିଆ ପାଇଁ ‘ଉଡ଼ିସା’ କୁ ଓଡ଼ିଶା ଓ ‘ଉଡ଼ିୟା’କୁ ଓଡ଼ିଆ କରିବା ପାଇଁ ଦାବି କରିବା ଏକ ଛୋଟ ଆଶ୍ୱାସନା ନିଶ୍ଚୟ ।

Print Friendly, PDF & Email