୧-୧୬ ଏପ୍ରିଲ ୨୦୦୭
ରାହୁଳ ଗାନ୍ଧୀ ଭାରତର ଭାବି ପ୍ରଧାନମନ୍ତ୍ରୀ । ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରସଭାମାନଙ୍କରେ ତାଙ୍କୁ ସେହିଭଳି ହିଁ କଂଗ୍ରେସ ଦଳ ପରିବେଷଣ କରୁଛି । ଏହା ହେଲେ ନେହେରୁ-ଗାନ୍ଧୀ ପରିବାରର ଚାରିପୁରୁଷ ଭାରତକୁ ଶାସନ କରିବାର ଖ୍ୟାତି ଅର୍ଜନ କରିବେ । ତେଣୁ ଯେଉଁ ସମୟରେ ତାଙ୍କ ପରିବାର କ୍ଷମତାରେ ନାହିଁ-ସେତେବେଳେ କୌଣସି ଅଘଟଣ ପାଇଁ – ତାହା ତାଙ୍କର ଦଳ କରୁପଛେ – ସେଥିପାଇଁ ତାଙ୍କ ପରିବାର କିପରି ଦାୟୀହେବେ? ସେଥିପାଇଁ ଯଦି ସେ କହିଲେ ଆମ ପରିବାର କ୍ଷମତାରେ ଥିଲେ – କଦାପି ବାବ୍ରି ମସ୍ଜିଦ ଭାଙ୍ଗିନଥାନ୍ତା । ପ୍ରକୃତରେ ବାବ୍ରିମସଜିଦ ଭଙ୍ଗାବେଳେ ନରସିଂହ ରାଓ ହିଁ ଥିଲେ ପ୍ରଧାନମନ୍ତ୍ରୀ ଓ ସେ ନେହେରୁ-ଗାନ୍ଧୀ ପରିବାରର ଜଣେ ଅତ୍ୟନ୍ତ ଶ୍ୱାନପ୍ରାୟ ଅନୁଗତ ଥିଲେ ବୋଲି ସମସ୍ତେ ଜାଣନ୍ତି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସେତେବେଳେ ଅର୍ଥମନ୍ତ୍ରୀ-ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ । ପରିବାର ଯେ ଦଳଠାରୁ ବଡ଼ ତାହାକୁ ରାହୁଳ ସାଧୁତାର ସହ ସ୍ୱୀକାର କରିଛନ୍ତି । ଏହା ପୂର୍ବରୁ ତାଙ୍କ ପରିବାର କାର୍ଯ୍ୟରେ, ଭାବଭଙ୍ଗୀରେ ଏହାକୁ ଦର୍ଶାଉଥିଲେ ମଧ୍ୟ ଖୋଲାଖୋଲି ଭାବରେ ବ୍ୟକ୍ତି କରିନଥିଲେ । ଏହି ଦୃଷ୍ଟିରୁ ରାହୁଳ ଅଧିକ ଆଗୁଆ ବୋଲି ଆମେ ସମସ୍ତେ ସ୍ୱୀକାର କରିବା ଉଚିତ । ଏହି ଉକ୍ତିର ପୃଷ୍ଠଭୂମିରେ ଆଗାମୀ ଦିନମାନଙ୍କରେ ଆମେ ରାହୁଳଙ୍କଠାରୁ କେଉଁ ପ୍ରକାର ଉକ୍ତି ଆଶାକରୁ ତାହାର କିଛି ନମୁନା ନିମ୍ନରେ ପେଶ୍ କରାଯାଇ ପାରେ –
• ନୂତନ ଅର୍ଥନୀତିର ପ୍ରଣୟନ ହୁଅନ୍ତା ନାହିଁ ଯଦି ଆମ ପରିବାର କ୍ଷମତାରେ ଥାଆନ୍ତେ ।
• ଜଗତୀକରଣ, ଉଦାରୀକରଣ, ଘରୋଇକରଣ ଭାରତରେ ହୋଇନଥାନ୍ତା ଯଦି ଆମର ପରିବାର କ୍ଷମତାରେ ଥାଆନ୍ତେ ଇତ୍ୟାଦି । ଆଉ କିଛିବର୍ଷ ପରେ ଯାହାସବୁ ବର୍ତ୍ତମାନ ଘଟୁଛି – ତାହାକୁ ଇଙ୍ଗିତ କରି କହିବେ –
• ଏସ୍.ଇ.ଜେଡ଼୍ ଆଇନ ହୋଇନଥାନ୍ତା ଯଦି ଆମ ପରିବାର କ୍ଷମତାରେ ଥାନ୍ତେ ।
• କୃଷକ ଆତ୍ମହତ୍ୟା କରିନଥାନ୍ତେ ଯଦି ଆମ ପରିବାର କ୍ଷମତାରେ ଥାନ୍ତେ ।
• ଭାରତୀୟ କ୍ରିକେଟଦଳର ଏପରି ଲଜ୍ଜାଜନକ ପରାଜୟ ହୋଇନଥାନ୍ତା ଯଦି ଆମ ପରିବାର କ୍ଷମତାରେ ଥାଆନ୍ତେ ।
• ଉପାର ଅଧ୍ୟକ୍ଷା ହେବା କ୍ଷମତାରେ ରହିବା ନୁହେଁ – ଇତ୍ୟାଦି ।