୧-୧୬ ମଇ ୨୦୦୭
ଗୁଜରାଟର ଜଣେ ଆଦିବାସୀ ସାଂସଦ ବାବୁଭାଇ କଟାରା ଜଣେ ପଞ୍ଜାବୀ ମହିଳାଙ୍କୁ ନିଜର ପନôୀ ଓ ଏହି ମହିଳାଙ୍କର ସମ୍ପର୍କୀୟଙ୍କୁ ନିଜର ପୁଅ ବୋଲି କହି ସେମାନଙ୍କୁ ସାଙ୍ଗରେ ନେଇ କାନାଡ଼ା ଯିବାପାଇଁ ଉଦ୍ୟତ ହେବାବେଳେ ବିମାନ ବନ୍ଦରଠାରେ ଗିରଫ ହେବା ଗଣମାଧ୍ୟମରେ ବାରମ୍ବାର ଖୁବ୍ ବିସ୍ତାରର ସହିତ ପ୍ରଚାରିତ ହେଉଛି । ଝାଡ଼ଖଣ୍ଡର ଆଦିବାସୀ ନେତା ଶିବୁ ସୋରେନ ନରସିଂହ ରାଓଙ୍କଠାରୁ ଲାଞ୍ଚନେବା ଓ ପରେ ନିଜ ସଚିବଙ୍କୁ ହତ୍ୟା କରିବା ଓ ଜେଲ ଯିବା ଠିକ ଏହିଭଳି ପ୍ରଚାରିତ ହୋଇଥିଲା । ଠିକ୍ ଏହିଭଳି ପ୍ରଚାରିତ ହୋଇଥିବା ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅନୁନ୍ନତ ସମ୍ପ୍ରଦାୟର ସାଂସଦମାନଙ୍କ ସମ୍ବାଦ । ସେହିଭଳି ମଧ୍ୟ ପ୍ରଚାରିତ ହୋଇଥିଲା ବି.ଜେ.ପି.ର ସଭାପତି ବାଙ୍ଗାରୁ ଲକ୍ଷ୍ମଣ ଲାଞ୍ଚ ନେବା ପ୍ରସଙ୍ଗ । ଛତିଶଗଡ଼ର ଅଜିତ ଯୋଗୀ ପ୍ରସଙ୍ଗ ମଧ୍ୟ କମ୍ ପ୍ରଚାରିତ ହୋଇନାହିଁ । ଯାହା ଲକ୍ଷ୍ୟ କରିବାର କଥା ତାହାହେଉଛି ଯେ, ଏମାନଙ୍କ ସମ୍ବନ୍ଧରେ ଗଣମାଧ୍ୟମରେ ଉଲ୍ଲେଖ କଲାବେଳେ ଏମାନେ ଆଦିବାସୀ, ଦଳିତ ବା ଅନୁନ୍ନତ ସମ୍ପ୍ରଦାୟର ବୋଲି ବାରମ୍ବାର ଦର୍ଶକମାନଙ୍କୁ ମନେ ପକାଇ ଦିଆଯାଏ । କୌଣସି ଉଚ୍ଚବର୍ଗର ଲୋକ ଯଦି ଏହିଭଳି ଅଭିଯୋଗରେ ଅଭିଯୁକ୍ତ ହୁଅନ୍ତି – କାହିଁକି ତାଙ୍କ ନାଁ ସହିତ ତାଙ୍କ ଜାତି ବା ସମ୍ପ୍ରଦାୟକୁ ତ’ ଉଲ୍ଲେଖ କରାଯାଏ ନାହିଁ? କୌଣସି ମିଶ୍ର, ମହାପାତ୍ର, ତ୍ରିପାଠୀ, ପଟ୍ଟନାୟକ ଯଦି ଅଭିଯୁକ୍ତ ହୁଅନ୍ତି, କୁହାଯାଏ ନାହିଁ ଯେ ବ୍ରାହ୍ମଣ ଜାତିର ଅମୁକ ମିଶ୍ର ବା କରଣ ଜାତିର ସମୁକ ପଟ୍ଟନାୟକ ବେଆଇନ କାର୍ଯ୍ୟ କରିଛନ୍ତି ବୋଲି । ଏହିଭଳି ବିଷମ ସମ୍ବାଦ ପରିବେଷଣ ଫଳରେ ଆଦିବାସୀ, ଦଳିତ, ତାର କୌଣସି ସଭ୍ୟର କାର୍ଯ୍ୟକଳାପ ପାଇଁ ଏକ ସମ୍ପ୍ରଦାୟ ଭାବେ ମିଳିତ ହେଲାବେଳେ, ଉଚ୍ଚବର୍ଗ ସେହିଭଳି ପରିସ୍ଥିତିରେ ଏକ ସମ୍ପ୍ରଦାୟ ଭାବେ ମିଳିତ ହୁଏ ନାହିଁ । ସତେଯେପରି ଆଦିବାସୀ, ଦଳିତ ସମ୍ପ୍ରଦାୟର ବ୍ୟକ୍ତିମାନେ ସ୍ୱଭାବତଃ ଦୁର୍ନୀତିପ୍ରବଣ ଓ ଉଚ୍ଚବର୍ଗ ବ୍ୟକ୍ତିମାନେ ଦୁର୍ନୀତି ପ୍ରବଣ ହେବା ଏକ ବ୍ୟତିକ୍ରମ । ଏହି ଧାରଣା ଯେ ସମ୍ପୂର୍ଣ୍ଣ ଭୁଲ ତାହା – ତାହା ଯେକୌଣସି ନିରପେକ୍ଷ ବ୍ୟକ୍ତି କହିବ । ବରଂ ସେ କହିବ ଯେ, ମୁଖ୍ୟଧାରା ଭିତରକୁ ଯାଇ ଉଚ୍ଚବର୍ଗ ଲୋକଙ୍କ ସଂସର୍ଗରେ ଆସି, ସଂରକ୍ଷିତ ବର୍ଗ ଭିତରୁ ଉପରକୁ ଗତିଶୀଳ ହେଉଥିବା ବ୍ୟକ୍ତିମାନେ ହିଁ ଦୁର୍ନୀତି ପ୍ରବଣତାର ଶିକାର ହେଉଛନ୍ତି ।
କହିବା ବାହୁଲ୍ୟ ଯେ, ଯେଉଁ ଦୋଷ ଉଚ୍ଚବର୍ଗର ବ୍ୟକ୍ତି କଲେ ତାର ଜାତି ମିଳିତ ହୁଏନାହିଁ, ସେହି ଦୋଷ ଅନୁନ୍ନତ, ଦଳିତ, ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଟିଏ କଲେ ତାର ସମ୍ପ୍ରଦାୟ ମିଳିତ ହୁଏ । ଉଚ୍ଚବର୍ଗ ମହଲରୁ ବାହାରି ଆସେ ଯେ, ଆଦିବାସୀ, ଦଳିତ, ଅନୁନ୍ନତ ଲୋକେ ବ୍ୟବସ୍ଥା ଭିତରକୁ ଆସି ବ୍ୟବସ୍ଥାକୁ ନଷ୍ଟ କରିଦେଲେ ।
ତେଣୁ ଆଦିବାସୀ, ଦଳିତ ଓ ଅନୁନ୍ନତ ସମ୍ପ୍ରଦାୟର ମୁଖ୍ୟ ଧାରାରେ ଉପରକୁ ଗତିଶୀଳ ହେଉଥିବା ବ୍ୟକ୍ତିଙ୍କ ଉପରେ ହିଁ ଗୁରୁ ଦାୟିତ୍ୱ (ଯଦି ଏହି ବ୍ୟକ୍ତିମାନେ ପ୍ରକୃତ ଅର୍ଥରେ ନିଜ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି) ନିଜର ସମ୍ପ୍ରଦାୟକୁ ମିଳିତ ହେବାରୁ ରକ୍ଷା କରିବା । ଏଥିପାଇଁ ଯେ ଉଚ୍ଚବର୍ଗର ବିକୃତି ଗୁଡ଼ିକୁ ଅନୁକରଣ କରିବାର ଦୁର୍ବଳତାକୁ ପ୍ରତିହତ କରିବା ପାଇଁ ସେମାନଙ୍କୁ ସଚେତନ ଉଦ୍ୟମ କରିବାକୁ ପଡ଼ିବ, ଏଥିରେ ସନେ୍ଦହ ନାହିଁ ।