ମୋଦୀ ଓ ମୁଦ୍ରା

  • 04/04/2017

୮ ନଭେମ୍ବର ୨୦୧୬ । ସନ୍ଧ୍ୟା ୮ ଘଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଉଥିଲେ ଟେଲିଭିଜନ ପର୍ଦା ଉପରେ । ଗତ ଅକ୍ଟୋବର ୨୦୧୪ରୁ ପ୍ରତ୍ୟେକ ମାସ ରେଡିଓରେ ମୋଦୀଜୀଙ୍କର ରାଷ୍ଟ୍ର ଉଦ୍ଦେଶ୍ୟରେ କୋଡିଏ ମିନିଟିଆ ‘ମନ କି ବାତ୍’ ସହ ଅଭ୍ୟସ୍ତ ହୋଇପଡିଥିବା ଭାରତୀୟ ଶ୍ରବଣେନ୍ଦ୍ରିୟ ପାଇଁ ଏହା ଥିଲା ବେଶ ଉତକଣ୍ଠାର ମୁହୂର୍ତ୍ତ କାରଣ ଏହା ଗତାନୁଗତିକ ଲାଲକିଲ୍ଲାରୁ ଭାଷଣ  ନଥିଲା । ପୁନଶ୍ଚ ଯେତେବେଳେ ଏହା ପୂର୍ବରୁ ସମ୍ବାଦ ଆସୁଥିଲା ଯେ ପ୍ରଧାନମନ୍ତ୍ରୀ ତିନି ସେନାଧକ୍ଷ୍ୟଙ୍କ ସହ ମଧ୍ୟ ମନ୍ତଣା କରିଛନ୍ତି । ପାକିସ୍ଥାନ ସହ ସୀମାନ୍ତରେ ବର୍ଦ୍ଧିଷ୍ଣୁ ଉତ୍ତେଜନାର ପୃଷ୍ଠଭୂମିରେ ଆଶଙ୍କା ସ୍ୱାଭାବିକ ହେଉଥିଲା ଯେ ପ୍ରଧାନମନ୍ତ୍ରୀ କ’ଣ ପାକିସ୍ଥାନ ସହ ଯୁଦ୍ଧ ଘୋଷଣାର ନିଷ୍ପତ୍ତି ଦେଶବାସୀଙ୍କୁ ଜଣାଇବେ ? କିନ୍ତୁ ଏହି ଆଶଙ୍କା ଅମୂଳକ ଥିଲା । ଯାହା ସେ ଜଣାଇଲେ ଅବଶ୍ୟ ତାହା ଯୁଦ୍ଧ ସମ୍ବାଦ ଠାରୁ କିଛି କମ ଚମକପ୍ରଦ ନ ଥିଲା । ସେ ଯେପରି ଯୁଦ୍ଧ ଘୋଷଣା କରୁଥିଲେ  ‘ଦୁର୍ନୀତି’ ବିରୁଦ୍ଧରେ । କ’ଣ କହୁଥିଲେ୧ ମୋଦୀଜୀ?
କେତୋଟି ଉଦ୍ଧୃତି
‘ଗୋଟିଏ ପଟେ ଆମେ ଅର୍ଥନୀତିର ଅଭିବୃଦ୍ଧି ହାରରେ ଏକ ନମ୍ବର ସ୍ଥାନରେ । ଅନ୍ୟ ପଟେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ଭାବେ ସୃଷ୍ଟ ଧାରଣା ଦୃଷ୍ଟିରୁ  ଆମର ବିଶ୍ୱରେ ସ୍ଥାନ ଦୁଇ ବର୍ଷ ତଳେ ଥିଲା ପାଖା ପାଖି ଶହେ । ବହୁ ପଦକ୍ଷେପ ସତ୍ତେ୍ୱ ଅବଶ୍ୟ ଏହି ସ୍ଥାନରେ କିଛି ଉନ୍ନତି ହୋଇଛି ଓ ଏହା ଛସ୍ତୋରୀରେ ପହଂଚିଛି । ଏହା ଦର୍ଶାଉଛି ଯେ ଦୁର୍ନୀତି ଓ କଳା ପଇସା କିପରି ତାହାର ପ୍ରଭାବ ବିସ୍ତାର କରିଛି ।’
‘ଦେଶର ଇତିହାସରେ ଏପରି ଏକ ସମୟ ଆସେ ଯେତେବେଳେ ଏକ ଦୃଢ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାର ଆବଶ୍ୟକତା ଅନୁଭୂତ ହୁଏ । ଦୀର୍ଘ ଦିନ ହେବ, ଏହି ଦେଶ ଅନୁଭବ କରିଛି ଯେ ଦୁର୍ନୀତି, କଳା ପଇସା ଏବଂ ଆତଙ୍କବାଦ ହେଉଛି ପୂଯରେ ଭରା କ୍ଷତ, ଯାହା ବିକାଶ ଦିଗରେ ଆମର ଅଗ୍ରଗତିକୁ ପଛରୁ ଟାଣୁଛି ।’
‘ଆତଙ୍କବାଦ ଏକ ଭୟଙ୍କର ବିପଦ । ବହୁ ଲୋକ ଏଥିପାଇଁ ପ୍ରାଣ ହରାଇଛନ୍ତି । କିନ୍ତୁ ଆପଣମାନେ କେଭେଁ ଭାବିଛନ୍ତି କି ଏହି ଆତଙ୍କବାଦୀ ମାନେ ସେମାନଙ୍କର ପଇସା କେଉଁଠୁ ପାଆନ୍ତି ? ସୀମାନ୍ତ ସେ ପଟେ ଥିବା ଶତ୍ରୁମାନେ ଜାଲି ଟଙ୍କା ବ୍ୟବହାର କରି ସେମାନଙ୍କର କାର୍ଯ୍ୟକଳାପ ଚଳାଇଥାନ୍ତି । ଏହା ବହୁ ବର୍ଷ ଧରି ଚାଲିଛି । ବହୁବାର ୫୦୦ ଓ ୧୦୦୦ ଟଙ୍କାର ଜାଲି ନୋଟ ବ୍ୟବହାର କରୁଥିବା ଲୋକ ଧରା ପଡିଛନ୍ତି ଓ ତାଙ୍କଠାରୁ ଏହି ନୋଟ ଜବତ ହୋଇଛି ।’
‘ଗୋଟିଏ ପଟେ ଆତଙ୍କବାଦର ସମସ୍ୟା ଓ ଅନ୍ୟ ପଟେ ଦୁର୍ନୀତି ଓ କଳାପଇସାକୁ ମୁକାବିଲା କରିବାର ଆହ୍ୱାନ ।’
‘ଗତ ଅଢେଇ ବର୍ଷ ଭିତରେ ଦୁର୍ନୀତିଗ୍ରସ୍ତଙ୍କ ପାଖରୁ ଆମେ ପାଖାପାଖି ଏକ ଲକ୍ଷ ପଚିଶ ହଜାର କୋଟି ଟଙ୍କାର କଳାଧନ ବାହାର କରିବାରେ ସମର୍ଥ ହୋଇଛୁ । ସଚ୍ଚୋଟ ନାଗରିକ ଚାହାନ୍ତି ଯେ ଦୁର୍ନୀତି, କଳା ପଇସା, ବେନାମୀ ସମ୍ପତ୍ତି , ଆତଙ୍କବାଦ ଓ ଜାଲିନୋଟ ବିରୋଧରେ ସଂଗ୍ରାମ ଅବ୍ୟାହତ ରହୁ । ସରକାରୀ ବାବୁଙ୍କ ଶେଯ ତଳେ ମିଳିଛି ବିଡା ବିଡା ଟଙ୍କା ଅବା ମିଳିଛି ଅଖାରେ ଭର୍ତ୍ତି ଟଙ୍କା- ଏହି ଭଳି ସମ୍ବାଦ ପଢି  କେଉଁ ସଚ୍ଚୋଟ ନାଗରିକ ଆଗାତ ନ ପାଇବ ?’
‘ଦୁର୍ନୀତି କେଉଁ ସ୍ତରରେ ରହିଛି ତାହାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ପ୍ରଚଳନରେ ଥିବା ନଗଦ ମୁଦ୍ରାର ପରିମାଣ ସହିତ । ଦୁର୍ନୀତି ବାଟରେ ଉପାର୍ଜିତ ଟଙ୍କାର ଚଳନ ମୁଦ୍ରାସ୍ଫୀତିକୁ ବେଶୀ ଶୋଚନୀୟ କରେ । ଏହାଦ୍ୱାରା ହିଁ ଗରିବର ଦୁର୍ଦ୍ଦଶା ବଢେ । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର କ୍ରୟଶକ୍ତିକୁ ଏହା ସିଧା ସଳଖ  ପ୍ରଭାବିତ କରେ । ଆପଣମାନଙ୍କର ନିଜର ଅଭିଜ୍ଞତା ଥିବ ଜମି କିଣିଲା ବେଳେ ବା ଘର କିଣିଲା ବେଳେ, ମୂଲ୍ୟର ପରିମାଣକୁ ଚେକ୍(Cheque)ରେ ଦେବା ବାଦେ, ନଗଦ ଟଙ୍କା ଆକାରରେ ଦେବା ପାଇଁ ମଧ୍ୟ କିପରି ଦାବି କରାଯାଏ । ଏହା ଫଳରେ ସମସ୍ୟା ହୁଏ ଜମି କିଣିବା ପାଇଁ ଆଗ୍ରହୀ ସଚ୍ଚୋଟ ବ୍ୟକ୍ତିଟିର । ନଗଦ ମୁଦ୍ରାର ଅପବ୍ୟବହାର ଫଳରେ ବିଭିନ୍ନ ସାମଗ୍ରୀ ଯେପରି ଘର, ଜମି ଇତ୍ୟାଦି, ଓ ସେବା ଯେପରି ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି ର ମୂଲ୍ୟରେ କୃତ୍ରିମ ବୃଦ୍ଧି ଦେଖାଯାଏ ।’
‘ଦୁର୍ନୀତି ଓ କଳା ପଇସାର ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ, ଆମ୍ଭେ ନିଷ୍ପତ୍ତି ନେଇଛୁ ଯେ ୫୦୦ ଓ ୧୦୦୦ ଟଙ୍କାର ପ୍ରଚଳିତ ନୋଟ ୮ ନଭେମ୍ବର ୨୦୧୬, ମଧ୍ୟରାତ୍ରରୁ ଅଚଳ ହେବ ।……..୫୦୦ ଏବଂ ୧୦୦୦ଟଙ୍କିଆ ନୋଟ ଯାହା ଦେଶ ଦ୍ରୋହୀ ଓ ଅସାମାଜିକ ବ୍ୟକ୍ତି ମାନେ ଗଚ୍ଛିତ କରିଛନ୍ତି ତାହା ଅଦରକାରୀ କାଗଜ ଖଣ୍ଡରେ ପରିଣତ ହେବ । ସଚ୍ଚୋଟ କର୍ମଠ ଜନସାଧାରଣଙ୍କର ଅଧିକାର ଓ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ।’
‘ଏହି ଉଦ୍ୟମ ସାଧାରଣ ଲୋକର ଦୁର୍ନୀତି, କଳା ଟଙ୍କା ଓ ଜାଲି ମୁଦ୍ରା ବିରୋଧରେ ଲଢେଇକୁ ସୁଦୃଢ କରିବ । ଆଗାମୀ ଦିନରେ ସମ୍ଭାବ୍ୟ ଜନସାଧାରଣଙ୍କ କଷ୍ଟକୁ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପର ଯୋଜନା ହୋଇଛି ।’
‘ଏହା ସତ୍ତେ୍ୱ ସଚ୍ଚୋଟ ନାଗରିକ ସାମୟିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଭିଜ୍ଞତା ଆମକୁ କୁହେ ଯେ ସାଧାରଣ ନାଗରିକ ରାଷ୍ଟ୍ରର ହିତ ପାଇଁ ସବୁବେଳେ ତ୍ୟାଗ କରିବାକୁ ଓ କଷ୍ଟ ସହିବାକୁ ପ୍ରସ୍ତୁତ ।’

‘ତେଣୁ ଦୁର୍ନୀତି, କଳାଟଙ୍କା, ଜାଲି ନୋଟ ଓ ଆତଙ୍କବାଦ ବିରୋଧରେ ଏହି ଲଢେଇରେ, ଆମ ଦେଶର ଶୁଦ୍ଧିକରଣର ଏହି ଆନ୍ଦୋଳନରେ, ଆମ ଲୋକ କ’ଣ କିଛି ଦିନ ପାଇଁ କଷ୍ଟରେ ରହି ପାରିବେ ନାହିଁ ?’
‘ଏହି ପଦକ୍ଷେପ ପାଇଁ ଗୋପନୀୟତା ଥିଲା ଜରୁରୀ । ଏଇ ବର୍ତ୍ତମାନ ହିଁ, ଯେତେବେଳେ ମୁଁ ଆପଣମାନଙ୍କୁ କହୁଛି, ସେତିକିବେଳେ ବିଭିନ୍ନ ସଂସ୍ଥା ଯେପରି ବ୍ୟାଙ୍କ, ପୋଷ୍ଟ ଅଫିସ, ରେଳବାଇ, ହସ୍ପିଟାଲ, ଏବଂ ଅନ୍ୟମାନେ ମଧ୍ୟ ଏହି ସୂଚନା ପାଉଛନ୍ତି ।’
‘ବିଭିନ୍ନ ସମୟରେ, ମୁଦ୍ରାର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କର ଅନୁମୋଦନ କ୍ରମେ ଉଚ୍ଚ ମୂଲ୍ୟର ନୂତନ ନୋଟ ବାହାର କରିଥାଏ । ୨୦୧୪ରେ, ରିଜର୍ଭ ବ୍ୟଙ୍କ ୫୦୦୦ ଓ ୧୦,୦୦୦ ଟଙ୍କା ମୂଲ୍ୟର ନୋଟ ବାହାର କରିବାର ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଇଥିଲେ । କିନ୍ତୁ ବହୁ ବିଚାର ପରେ, ଏହି ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ । କିନ୍ତୁ ଏହି ପ୍ରକ୍ରିୟାରେ ଆରବିଆଇ(RBI)ର ୨୦୦୦ଟଙ୍କା ମୂଲ୍ୟର ନୋଟ ପ୍ରଚଳନର ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା । ଏବେ ୫୦୦ଟଙ୍କା ଏବଂ ୨୦୦୦ଟଙ୍କା ମୂଲ୍ୟର ନୂତନ ଡିଜାଇନରେ ପ୍ରସ୍ତୁତ ନୋଟର ପ୍ରଚଳନ ହେବ ।’
‘ଦେଶର ଇତିହାସରେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ସେ ମୁହୂର୍ତ୍ତର ଭାଗୀଦାର ହେବାକୁ ଉଚିତ ମନେ କରେ, ଦେଶର ପ୍ରଗତିରେ କିଛି ଅବଦାନ କରିବାକୁ ଉଚିତ ମନେ କରେ । ଏହି ମୁହୂର୍ତ୍ତ କ୍ୱଚିତ ଆସେ । ବର୍ତ୍ତମାନ ଆମର ସେହିଭଳି ସୁଯୋଗ ଆସିଛି ଯେତେବେଳେ ପ୍ରତ୍ୟେକ ନାଗରିକ ଦୁର୍ନୀତି, କଳା ଟଙ୍କା ଓ ଜାଲି ନୋଟର କୁପ୍ରଭାବ ବିରୋଧରେ ଏହି ମହାଯଜ୍ଞରେ ଯୋଗ ଦେଇ ପାରିବ । ଏହି ଅଭିଯାନରେ ଆପଣ ମାନେ ଯେତେ ମାତ୍ରାରେ ଯୋଗଦାନ କରିବେ, ସେତେ ମାତ୍ରାରେ ଏହା ସଫଳ ହେବ ।’
ମୋଦୀଙ୍କ ବକ୍ତବ୍ୟର ଉପରୋକ୍ତ ଉଦ୍ଧୃତି ଗୁଡିକରୁ ସ୍ପଷ୍ଟ ଯେ କଳା ଟଙ୍କା ୫୦୦ ଓ ୧୦୦୦ମୂଲ୍ୟର ନଗଦ ମୁଦ୍ରାରେ ହିଁ ରହିଛି । ଏହା ରଖିଥିବା ବ୍ୟକ୍ତି ମାନେ ହେଉଛନ୍ତି ଦେଶଦ୍ରୋହୀ ଓ ଅସାମାଜିକ ବ୍ୟକ୍ତି । ଆତଙ୍କବାଦୀମାନେ ଏହି ମୂଲ୍ୟର ମୁଦ୍ରାରେ ହିଁ ନିଜର କାର୍ଯ୍ୟକଳାପ ଚଳାଉଛନ୍ତି ଓ ଜାଲି ନୋଟ ଗୁଡିକର ବିତରଣ ଏହି ମୂଲ୍ୟର ମୁଦ୍ରାରେ ହିଁ ହେଉଛିି । ତେଣୁ ଏହି ମୂଲ୍ୟର ମୁଦ୍ରାକୁ ସହସା ଅଚଳ କରିଦେଲେ, ବଜାରରେ ବୁଲୁଥିବା କଳା ଟଙ୍କାର ଗତିରୋଧ ହେବ, ଜାଲି ନୋଟ ଗୁଡିକ ନିଷ୍ପ୍ରଭ ହୋଇପଡିବେ ଓ ଆତଙ୍କବାଦୀ ମାନେ କିଂକର୍ତ୍ତବ୍ୟବିମୂଢ ହୋଇପଡିବେ । ଅବଶ୍ୟ ଡିସେମ୍ବର ୩୦, ୨୦୧୬ ଯାଏ ପୂରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିହେବ ବା ବଦଳାଇ ନୂତନ ନୋଟ ଆଣିହେବ ବୋଲି ମୋଦୀ ମହାଶୟ ତାଙ୍କର ଭାଷଣରେ ପ୍ରତିଶୃତି ଦେଇଛନ୍ତି ଯଦିଓ କେତେ ଟଙ୍କା ଆଣିହେବ ତା ଉପରେ କଟକଣା ଜାରି କରିଛନ୍ତି । ଏହା ତ ଭିନ୍ନ କଥା ଯେ ଏହି କଟକଣା ଗୁଡିକ ଇତ୍ୟବସରରେରେ ବେଶ ବଦଳିଛି ଓ ବଦଳୁଛି ଓ ନିଷ୍ପତ୍ତିର କାର୍ଯ୍ୟକାରୀତା ପଛରେ ଯୋଜନାର ପରିପକ୍ୱତା ଉପରେ ସନ୍ଦେହ ଉଦ୍ରେକ କରାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ସଚେତନ ଯେ ତାଙ୍କର ଏପରି ପଦକ୍ଷେପ ସାଧାରଣ ନାଗରିକଙ୍କ ପାଇଁ  ଯେଉଁ ଅସୁବିଧା ସୃଷ୍ଟି କରିବ ତାହାକୁ ସାଧାରଣ ନାଗରିକ ଦେଶର ସ୍ୱାର୍ଥ ଦୃଷ୍ଟିରୁ ସହ୍ୟ କରିନେବେ ଓ ମହନୀୟ ତ୍ୟାଗର ଉଦାହରଣ ଦେବେ ।
ମୋଦୀଜୀଙ୍କର ଏହି ଘୋଷଣା ଯେ ବେଶ ହତଚକିତ୍କାରୀ ଥିଲା ଏହା କେହି ଅସ୍ୱୀକାର କରିପାରିବ ନାହିଁ । ଯେଉଁ କାରଣକୁ  ଉପଲକ୍ଷ କରି ମୋଦୀଙ୍କର ସରକାର ଏପରି ନିଷ୍ପତ୍ତି ନେଲେ ସେହି କାରଣ ଗୁଡିକର ଯଥାର୍ଥତାକୁ ମଧ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ । କିଏ ବା କଳା ଟଙ୍କାର ସମର୍ଥନରେ, ଦୁର୍ନୀତିର ସମର୍ଥନରେ ବାହାରିବାକୁ ଉଚିତ ମନେ କରିବ ? ବରଂ ଯାଦୁଆ ହୋଇ ମଧ୍ୟ ସେ ଯାଦୁର ମଲମ ବିକିବାକୁ ବିଜ୍ଞତା ବୋଲି ବିଚାର କରିବ । ଚୋର ହୋଇ ମଧ୍ୟ ଚୋର ଚୋର ବୋଲି ଡାକ ଦେଇ ଚୋର ଧରିବାକୁ ଦଉଡୁଥିବା ଭିଡର ଅଗ୍ରଭାଗରେ ଦଉଡିବାକୁ ହିଁ ଶ୍ରେୟସ୍କର ମନେ କରିବ ।
‘ଜୁମଲା’ ରୁ ‘ସର୍ଜିକାଲ ସ୍ଟ୍ରାଇକ’
କିଏ ବା ଭୁଲିଛି କଳାଟଙ୍କା ବିରୋଧରେ ମୋଦୀ ମହାଶୟଙ୍କର ଏକଦା ପ୍ରତିଶୃତି ଯେ ବିଦେଶରେ ଗଚ୍ଛିତ ଭାରତୀୟଙ୍କର କଳାଟଙ୍କାକୁ ସେ ଅଚିରେ ଜବତ କରିବେ ଓ ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଭର୍ତ୍ତି କରିଦେବେ, ଭାରତୀୟଙ୍କ ପାଇଁ ‘ଅଚ୍ଛେ ଦିନ’ ଆଣିବେ । ଏହା ହୋଇ ନାହିଁ କହିବାର ଆବଶ୍ୟକତା ନାହିଁ । ଏହା ବୋଧହୁଏ ହେବାର ନ ଥିଲା ତା ନହେଲେ କାହିଁକି ମୋଦୀଙ୍କର ଏକାନ୍ତ ଅନ୍ତରଂଗ ଓ ବିଜେପିର ସଭାପତି ଅମିତ ଶାହ ମୋଦୀଙ୍କର ଆସ୍ଫାଳନକୁ ନିର୍ବାଚନ ସମୟରେ ଏକ ରାଜନୈତିକ ‘ଜୁମଲା’ ବା ରୁଢି  ବୋଲି କହିଥାନ୍ତେ?୨  କିନ୍ତୁ କଳାଟଙ୍କା ବିରୋଧରେ ଲଢେଇରୁ ମୋଦୀ ଓହରି ଯାଆନ୍ତେ କିପରି? ବିଦେଶରେ ଗଚ୍ଛିତ କଳାଟଙ୍କା ଭାରତୀୟ ନାଗରିକଙ୍କ ବ୍ୟାଙ୍କ ଖାତାକୁ ଆସୁ କି ନ ଆସୁ, ଦେଶ ଭିତରେ କଳାଟଙ୍କା ଉପରେ ଅତ୍ୟନ୍ତ ଆକ୍ରମଣର ଉପକ୍ରମ ହେଉ । ଏବଂ ଆକ୍ରମଣ ଏପରି ହେଉ ଯେପରି ସମସ୍ତେ ଜାଣିବେ ଆକ୍ରମଣ ହେଉଛି ବୋଲି । ଏଥିପାଇଁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ରଖିଥିବା ସମସ୍ତଙ୍କୁ କଳାଟଙ୍କା ମହଜୁଦକାରୀ ବୋଲି ସନ୍ଦେହର ଘେରକୁ ଅଣାଯାଉ ଓ ଏପରିକି ବ୍ୟାଙ୍କରେ ଗଚ୍ଛିତ ନିଜର ଟଙ୍କାକୁ ଉଠାଇବାର ପ୍ରକ୍ରିୟାକୁ ମଧ୍ୟ ଜଟିଳ କରିଦିଆଯାଉ । କହିବା ବାହୁଲ୍ୟ ଯେ ଏହି ପଦକ୍ଷେପ ଦ୍ୱାରା ପ୍ରତ୍ୟେକ ପ୍ରଭାବିତ ବ୍ୟକ୍ତି ଜାଣିବାକୁ ବାଧ୍ୟ ହୋଇଛି ଯେ ମୋଦୀ ମହାଶୟ କଳାଟଙ୍କା ବିରୋଧୀ ଅଭିଯାନରେ ବାହାରିଛନ୍ତି । ଏକଦା ବିଦେଶୀ କଳାଧନ ବିରୋଧରେ ମୋଦୀଙ୍କର ପ୍ରତିଶୃତିକୁ ‘ଜୁମଲା’ କହିଥିବା ଅମିତ ଶାହ ଆଜି ଏହାକୁ ମୋଦୀଙ୍କର କଳାଧନ ବିରୋଧରେ  ‘ସର୍ଜିକାଲ ସ୍ଟ୍ରାଇକ’ ବୋଲି  କହି ବୁଲୁଛନ୍ତି ।୩ ଯେଉଁମାନେ ‘ସର୍ଜିକାଲ ସ୍ଟ୍ରାଇକ’ର ଅର୍ଥ ବୁଝିଛନ୍ତି ସେମାନେ ଏହାର ପ୍ରୟୋଗକୁ, ଏହି ପ୍ରସଂଗରେ, ପ୍ରଶ୍ନ କରୁଛନ୍ତି । କାରଣ ‘ସର୍ଜିକାଲ ସ୍ଟ୍ରାଇକ’ରେ କେବଳ ସେ ହିଁ ପ୍ରଭାବିତ ହୋଇଥାଏ ଯାହା ପାଇଁ ଏହା ଉଦ୍ଦିଷ୍ଟ, ଅନ୍ୟମାନେ ପ୍ରଭାବିତ ହୁଅନ୍ତି ନାହିଁ । କିନ୍ତୁ ମୋଦୀଜୀଙ୍କର ୫୦୦  ଓ ୧୦୦୦ ଟଙ୍କା ନୋଟକୁ ଅଚଳ କରିଦେବା ଫଳରେ ପ୍ରଭାବିତ ତ ସମସ୍ତେ ହେଲେ, କାରଣ ଯେଉଁ ପରିମାଣର ଅର୍ଥ ନଗଦ ନୋଟ ଜରିଆରେ ରିଜର୍ଭ ବ୍ୟାଙ୍କ ପ୍ରଚଳନ କରାଇଛନ୍ତି ତାହାର୪ (୩୧ ମାର୍ଚ୍ଚ ୨୦୧୬ ସୁଦ୍ଧା) ଶତକଡା ୮୬.୪ ଭାଗ ପରା ୫୦୦ ଓ ୧୦୦୦ ଟଙ୍କିଆ ନୋଟରେ ରହିଛି    ଓ ଏହାର ବ୍ୟବହାର  ସାଧାରଣ ଲୋକଙ୍କ ଦ୍ୱାରା ହିଁ ଅଧିକ ହେଉଛି ବିଶେଷତଃ ଯେତେବେଳେ ଅଣସଂଗଠିତ କ୍ଷେତ୍ର ବେଶ ବିଶାଳ । ତେଣୁ ‘ସର୍ଜିକାଲ ସ୍ଟ୍ରାଇକ’ର ପ୍ରୟୋଗ ମୋଦୀଙ୍କର କଳାଟଙ୍କା ବିରୋଧୀ ପଦକ୍ଷେପ ପ୍ରସଂଗରେ ହେବା କେତେଦୂର ସଠିକ? କାଶ୍ମୀରରେ ଉରି ସେନା ଘାଟି ଉପରେ ଆତଙ୍କବାଦୀଙ୍କର ଆକ୍ରମଣର ଜବାବରେ ଭାରତ ୨୯ ସେପ୍ଟେମ୍ବର ୨୦୧୬ ଦିନ ପାକିସ୍ଥାନ ଅଧିକୃତ କାଶ୍ମୀର ଭିତରେ ପଶି ଆତଙ୍କବାଦୀଙ୍କର ଶିବିର ଉପରେ ଯେଉଁ ଆକ୍ରମଣ କରିଥିଲା ତାହାକୁ ହିଁ ସାମରିକ ଭାଷାରେ ‘ସର୍ଜିକାଲ ସ୍ଟ୍ରାଇକ’ ବୋଲି ଆଖ୍ୟାୟିତ କରାଯାଇଥିଲା  ଓ ଏହା ସ୍ୱାଧୀନ ଭାରତରେ ଅଭୂତପୂର୍ବ ବୋଲି ସଘନ ପ୍ରଚାର କରାଗଲା ।ଏହା ଏକ ରୂପକ ବା ମେଟାଫର ହୋଇଛି ଇତ୍ୟବସରରେ, ଯାହାର କୈାଣସି ଘଟଣା ସହ ପ୍ରୟୋଗ ହେଉଛି ଦର୍ଶାଇବା ପାଇଁ ଯେ ଏହି ଘଟଣା ସାମରିକ ଘଟଣା ସଦୃଶ ଓ ଅଭୂତପୂର୍ବ । ଅବଶ୍ୟ ମୋଦୀଜୀ ତାଙ୍କର ଦୁର୍ନୀତି ବିରୋଧୀ ବିରୋଧୀ ଅଭିଯାନକୁ ଯୁଦ୍ଧ ବୋଲି ଅଭିହିତ କରିନାହାନ୍ତି । ବରଂ ଏହାକୁ ଏକ ‘ମହାଯଜ୍ଞ’ ବୋଲି ଆଖ୍ୟାାୟିତ କରିଛନ୍ତି ଓ ସାଧାରଣ ଲୋକେ ଏଥିରେ ସାମିଲ ହୋଇ ତ୍ୟାଗର ନଜିର ଦେବେ ବୋଲି ଆହ୍ୱାନ ଦେଇଛନ୍ତି ଠିକ ଯେପରି  ଦେଶ ପାଇଁ ଜୀବନ ଉତ୍ସର୍ଗ କରିବା ସେନାର ଧର୍ମ ବୋଲି ଆହ୍ୱାନ ଦିଆଯାଇଥାଏ । କହିବା ବାହୁଲ୍ୟ ଯେ ମୋଦୀଙ୍କର ଏହି ପଦକ୍ଷେପକୁ ବେଶ ରୋମାଂଚକର କରିଦେଇଛନ୍ତି ତାଙ୍କର ଅନୁଯାୟୀମାନେ ।‘ସର୍ଜିକାଲ ସ୍ଟ୍ରାଇକ’ ବୋଲି କହିବା ବ୍ୟତିରେକେ, ସେମାନଙ୍କ ବିଚାରରେ ବ୍ୟାଙ୍କ ବାହାରେ ଧାଡିରେ ଛିଡା ହେବା ଦେଶପ୍ରେମ୫  ଓ ମୋଦୀଙ୍କ ପଦକ୍ଷେପକୁ ପ୍ରଶ୍ନ୍ନ  କରିବା ଦେଶଦ୍ରୋହ ହୋଇଛି୬ । ମୋଦୀଙ୍କର ଏହି ପଦକ୍ଷେପକୁ ସାଧାରଣ ଲୋକଙ୍କ ବିରୋଧରେ ‘ସର୍ଜିକାଲ ସ୍ଟ୍ରାଇକ’ ବୋଲି କହୁଥିବା ସମାଲୋଚକ କପିଳ ସିବଲଙ୍କୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଟି.ଏସ ଠାକୁର  କୁହନ୍ତି , “ତୁମେ ଯାହା କହୁଛ ତାହା ତ କାର୍ପେଟ ବମ୍ବିଂ(carpet bombing) ।” କାର୍ପେଟ ବମ୍ବିଂ(carpet bombing)ର ଅର୍ଥ ହେଉଛି ଗାଲିଚା ଢାଙ୍କି ବୋମା ମାଡ କରିବା ଅର୍ଥାତ୍ କିଏ ପ୍ରଭାବିତ ହେଉଛି ତାହାକୁ ଭୃକ୍ଷେପ ନ କରି ବୋମା ନିକ୍ଷେପ କରିବା୭ ।

ଭାଷଣ ପରର ସ୍ଥିତି

ଘୋଷଣା ପରେ ପରେ ଯେଉଁ ଦୃଶ୍ୟମାନ ବୈଦୁତିକ ଗଣମାଧ୍ୟମରେ ପରିବେଷଣ କରାଯାଉଛି ଓ ଖବର କାଗଜ ମାନଙ୍କରେ ପ୍ରକାଶ ପାଉଛି ସେଥିରୁ ଜଣା ଯାଉଛି ଯେ ମୋଦୀଜୀଙ୍କର ଆଶା ଓ ଆଶଙ୍କା ସବୁ ବାସ୍ତବରେ ପରିଣତ ହୋଇଛି ଓ ହେଉଛି । ବ୍ୟାଙ୍କ ବାହାରେ ଦୀର୍ଘ ଧାଡିରେ ଦେଶର ସାଧାରଣ ନାଗରିକ ହିଁ ଠିଆ ହେଉଛନ୍ତି ଘଣ୍ଟା ଘଣ୍ଟା ଧରି । ଇତ୍ୟବସରରେ ୨୦ ଦିନ ଗତ ହେଲାଣି କିନ୍ତୁ ଏହି ଦୃଶ୍ୟରେ ବିରାମ ପଡୁ ନାହିଁ । ଅବଶ୍ୟ କୈାଣସି ଅସାଧାରଣ ଭାରତୀୟ ନାଗରିକ ଯେପରି ରାଜନେତା ବା ଶିଳ୍ପପତିଙ୍କୁ ଏହି ଧାଡିରେ ଠିଆ ହେବା ଆମେ ଦେଖୁ ନାହୁଁ ଯଦିଓ କଂଗ୍ରେସର ଉପସଭାପତି ରାହୁଳ ଗାନ୍ଧୀ କିଛି ସମୟ ବ୍ୟାଙ୍କ ବାହାରେ ଏକ ଧାଡିରେ ଛିଡା ହେବାର ଦୃଶ୍ୟ  ଓ ଏହା ପରେ ପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ବୃଦ୍ଧା ମା ବ୍ୟାଙ୍କକୁ ଯିବାର ଦୃଶ୍ୟ  ବେଶ ପ୍ରଚାରିତ ହୋଇଛି୮  । ଅବଶ୍ୟ ଏହିଭଳି ସର୍ପିଳ ଧାଡିରେ ଛିଢା ହୋଇ କଷ୍ଟ ଭୋଗୁଥିବା ସାଧାରଣ ଜନତାଙ୍କ ପ୍ରତି ସହାନୁଭୂତି ଦେଖାଇ ବିରୋଧୀ ରାଜନୈତିକ ଦଳ ଗୁଡିକର ନେତୃବୃନ୍ଦ  ଏକାଠି ହୋଇ ଧାଡି ବାନ୍ଧି ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଯିବାର ଦୃଶ୍ୟ ଗଣମାଧ୍ୟମରେ ବେଶ ପ୍ରସାରିତ ହୋଇଛି । ଧାଡିରେ ଛିଡା ହୋଇ ପ୍ରାଣ ହରାଇଥିବା, ଧାଡିରେ ଛିଡା ଲୋକଙ୍କୁ ସେବା ଦେବାକୁ ଯାଇ ବ୍ୟାଙ୍କର କିଛି କର୍ମଚାରୀ ପ୍ରାଣ ହରାଇଥିବା, ଘୋଷଣା ଜନିତ ସୃଷ୍ଟ ଅସୁବିଧାର ସମ୍ମୁଖୀନ ହୋଇ ନପାରି ଆତ୍ମହତ୍ୟା କରିଥିବା ଇତ୍ୟାଦି ବହୁବିଧ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଯାହା ଗଣମାଧ୍ୟମରୁ ଜଣା ଯାଏ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ମୋଦୀଜୀଙ୍କର ଏହି ପଦକ୍ଷେପ ଫଳରେ ପ୍ରାଣ ହରାଇଛନ୍ତି୯ । ମୋଦୀଜୀ ଯେଉଁ ତ୍ୟାଗ ପାଇଁ ଆମର ସାଧାରଣ ନାଗରିକ ପ୍ରସ୍ତୁତ ବୋଲି ଆତ୍ମବିଶ୍ୱାସର ସହ ଘୋଷଣା କରିଥିଲେ ତାହାର ଚରମ ନଜିର ଦେଇଛନ୍ତି ପ୍ରାଣ ହରାଇ ଥିବା ଏହି ବ୍ୟକ୍ତି ମାନେ । ମୋଦୀଙ୍କର  ‘ମହାଯଜ୍ଞ’ରେ ସେମାନେ ଆତ୍ମାହୁତି ଦେଇଛନ୍ତି । ତେଣୁ ଏମାନଙ୍କୁ ସହିଦର ମର୍ଯ୍ୟାଦା ଦିଆଯାଉ ବୋଲି ଯଦି ଦାବି ହେଉଛି୧୦, ତାହାହେଲେ ଏଥିରେ ଅଯୈକ୍ତିକତା ରହିଲା କେଉଁଠି ? କେବଳ ସୀମାରେ ଯୁଦ୍ଧ କରି ମୃତ୍ୟୁବରଣ କଲେ ହିଁ ଜଣେ ସହିଦ ହେବ? ନଗଦ କଳାଟଙ୍କା ବିରୋଧରେ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ବଳି ପଡୁଥିବା ନାଗରିକକୁ କାହିଁକି ସହିଦ ମର୍ଯ୍ୟଦା ନ ଦିଆଯିବ? ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ଯଦି ମୋଦୀଜୀଙ୍କ ରାଜନୈତିକ ଦଳର ମୂଖ୍ୟ ଅମିତ ଶାହ କଳା ଧନ ବିରୁଦ୍ଧରେ ‘ସର୍ଜିକାଲ ସ୍ଟ୍ରାଇକ’ ବୋଲି କହୁଛନ୍ତି ତାହାହେଲେ ଏହା ତ ଏକ ଯୁଦ୍ଧ୭ ଓ ଏଥିରେ ବଳି ପଡୁଥିବା ବ୍ୟକ୍ତି କାହିଁକି ସହିଦର ମର୍ଯ୍ୟାଦା ନ ପାଇବ?  କେତେକଙ୍କର ଯୁକ୍ତି ଯେ ଏତେ ଅସୁବିଧା ସତ୍ତେ୍ୱ ଯେ ଜନସାଧାରଣ  ରାସ୍ତା ଘାଟରେ  ସେପରି ଆଖିଦୃଶିଆ ଦଂଗା କରୁନାହାନ୍ତି, ଗାଡି ମୋଟର ପୋଡୁ ନାହାନ୍ତି, ଏହା ଦର୍ଶାଉଛି ଯେ ଜନସାଧାରଣ ମୋଦୀଙ୍କ ଆହୂତ ମହାଯଜ୍ଞରେ ସାମିଲ ଅଛନ୍ତି । ଏହା ତ ଭିନ୍ନ କଥା ଯେ ଦୀଲ୍ଲୀ ପୁଲିସ ସୂତ୍ରରୁ ଖବର ଗଣମାଧ୍ୟମରେ ଦେଖାଯାଏ ସେମାନେ କିପରି ହଜାର ସଂଖ୍ୟାରେ ହିଂସକ ଘଟଣାର ଅଭିଯୋଗ ପାଇଥିଲେ୧୧  ବା ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ କିପରି ସତର୍କ କରାଇଛି ଯେ ଯେଉଁ ଭଳି ବିଶୃଂଖଳା ସୃଷ୍ଟି ହୋଇଛି, ତାହାର କୈାଣସି ସମାଧାନ ନ କଲେ ରାସ୍ତା ଘାଟରେ ଦଂଗା ହେବା ଅସମ୍ଭବ ନୁହେଁ ୧୨ା
ମୋଦୀ କଲେ ଜନମତ ସଂଗ୍ରହ

ଗଣମାଧ୍ୟମରେ ମୋଦୀଙ୍କର ପଦକ୍ଷେପ ଉପରେ ପ୍ରତିକୂଳ ପ୍ରତିକ୍ରିୟାମାନ ପ୍ରକାଶ ପାଇବା ଓ ଲୋକମାନେ କିପରି ନଗଦ ଟଙ୍କାର ଅଭାବରେ  ହନ୍ତସନ୍ତ ହେଉଛନ୍ତି ତାହା ପ୍ରକାଶିତ ଓ ପ୍ରଦର୍ଶିତ ହେବା ମୋଦୀ ଓ ତାଙ୍କର ସମର୍ଥକ (ଯେଉଁମାନଙ୍କୁ ଭକ୍ତ ବୋଲି ଆଖ୍ୟାୟିତ କରାଯାଉଛି)ଙ୍କ ମଧ୍ୟରେ  ଏକ ବ୍ୟାକୁଳତା ସୃଷ୍ଟି କରିଛି ଦର୍ଶାଇବାକୁ ଯେ ଜନସାଧାରଣ ମୋଦୀଙ୍କ ପଦକ୍ଷେପକୁ ସମର୍ଥନ କରୁଛନ୍ତି । ମୋଦୀ ନିଜେ ତାଙ୍କର ସ୍ମାର୍ଟ ଫୋନରେ ଥିବା ହ୍ୱାଟସ୍ ଆପରେ ଲୋକମତ ସଂଗ୍ରହ କରି ଦେଖାଇଛନ୍ତି ଯେ ଶତକଡା ୯୩ ଭାଗ ଲୋକ ତାଙ୍କର ପଦକ୍ଷେପକୁ ସମର୍ଥନ କରୁଛନ୍ତି୧୩ । ଅବଶ୍ୟ ଏହିପରି ମୋବାଇଲ ଜରିଆରେ ଲୋକମତ ସଂଗ୍ରହର ବିଶ୍ୱସନୀୟତାକୁ ପ୍ରଶ୍ନ କରନ୍ତି ବିଶେଷଜ୍ଞ ମାନେ୧୪ ବିଶେଷତଃ ଯେତେବେଳେ ସାରା ଭାରତର ଜନସାଧାରଣଙ୍କୁ ପ୍ରଭାବିତ କରିଥିବା ମୋଦୀଜୀଙ୍କର ପଦକ୍ଷେପ ଓ ମୋବାଇଲ ଧରୁଥିବା ଭାରତୀୟଙ୍କ ସଂଖ୍ୟାରେ ରହିଛି ବିରାଟ ବୈଷମ୍ୟ (ଜନସଂଖ୍ୟାର ମାତ୍ର ୧୭ ପ୍ରତିଶତ ଲୋକଙ୍କ ହାତରେ ଅଛି ସ୍ମାର୍ଟ ଫୋନ) ଓ ଏହି ଲୋକମତରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା ଥିଲା ମାତ୍ର ୫ ଲକ୍ଷ । ଉପରନ୍ତୁ ଯେଉଁ ୯ଟି ପ୍ରଶ୍ନର ଉତ୍ତର ମୋଦୀ ଚାହିଁଥିଲେ ତାହାର ଗଠନ ଅତ୍ୟନ୍ତ ତୃଟିପୂର୍ଣ୍ଣ ଥିଲା; ପ୍ରଶ୍ନ କର୍ତ୍ତା ଯେପରି ଉତ୍ତର ଚାହାନ୍ତି ସେହିଭଳି ଉତ୍ତରକୁ ଲକ୍ଷ୍ୟ ରଖି ଯେପରି ପ୍ରଶ୍ନ ଗୁଡିକର ଗଠନ ହୋଇଥିଲା୧୫ ।  ବିଶେଷଜ୍ଞ ମାନଙ୍କ ମତରେ ଏହିଭଳି ମୋବାଇଲ ଦ୍ୱାରା ଜନମତ ସଂଗ୍ରହ ଓ ଏହାର ଫଳାଫଳର ପ୍ରକାଶନ ପଛରେ ଉଦ୍ଦେଶ୍ୟ ଯେତେ ଜନମତ ଜାଣିବା ପାଇଁ ନ ଥାଏ ତାହାଠାରୁ ଯଥେଷ୍ଟ ଅଧିକ ଥାଏ ଜନମତକୁ ପ୍ରଭାବିତ କରିବା । ମୋଦୀଙ୍କର ଏହି ପଦକ୍ଷେପ ଉପରେ ଜନମତ ସଂଗ୍ରହର ଆଉ ଏକ ଦୃଷ୍ଟାନ୍ତ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା କରିଛି ସି-ଭୋଟର ନାମକ ଏକ ସଂସ୍ଥା ।  ଏହାର ଫଳାଫଳ କୁହେ ଯେ ଜନମତରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ଭିତରୁ ଶତକଡା ୮୦ରୁ ୮୬ ଭାଗ ବ୍ୟକ୍ତି ମୋଦୀଙ୍କର ପଦକ୍ଷେପ ଫଳରେ ସୃଷ୍ଟ ଅସୁବିଧାକୁ ଗୁରୁତ୍ୱ ଦିଅନ୍ତି ନାହିଁ , କଳାଟଙ୍କା ବିରୋଧରେ ଅଭିଯାନ ପାଇଁ ଏହି ଅସୁବିଧାକୁ ସହ୍ୟ କରିବା ଉଚିତ ବୋଲି ସେମାନେ ବିଚାର କରନ୍ତି୧୬ । ତେବେ ଏହି ସୂଚନା ଅପ୍ରାସଂଗିକ ହେବ ନାହିଁ ଉଲ୍ଲେଖ କରିବା ଯେ ଏହି ଜନମତ ସଂଗ୍ରହ କରିଥିବା ସଂସ୍ଥାଟିର ପ୍ରତିଷ୍ଠାତା ହେଉଛନ୍ତି ସଂଘ ପରିବାର ସହ ସମ୍ପର୍କିତ ୟଶୱନ୍ତ ଦେଶମୁଖ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖପତ୍ର ପାଂଚଜନ୍ୟର ଏକଦା ସମ୍ପାଦକ ଯାଦବ ରାଓ ଦେଶମୁଖଙ୍କ ପୁତ୍ର୧୭  ।  ଏହି ସଂସ୍ଥାଟିର ବିଶ୍ୱସନୀୟତା ଉପରେ ଏକଦା ପ୍ରଶ୍ନ ମଧ୍ୟ ଉଠିଥିଲା୧୮ ଓ ଏହାକୁ ଆଧାର କରି ଏକ ପ୍ରମୁଖ ଗଣମାଧ୍ୟମ ଏହି ସଂସ୍ଥାଟିକୁ ବାସନ୍ଦ ମଧ୍ୟ କରିଥିଲେ୧୯ । କହିବା ବାହୁଲ୍ୟ ଯେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ସମର୍ଥକ ମାନେ   ୫୦୦ ଓ ୧୦୦୦ଟଙ୍କାର ଅଚଳ ନିଷ୍ପତ୍ତି ସପକ୍ଷରେ ଜନମତ ରହିଛି ବୋଲି ପ୍ରଚାର କରିବା ଅସ୍ୱାଭାବିକ ନୁହେଁ । କିନ୍ତୁ ଯେଉଁ ଗଣମାଧ୍ୟମ କ୍ଷେତ୍ର ଉପରକୁ ଯାଇ ବାସ୍ତବ ଚିତ୍ରଟି ସିଧାସଳଖ ପରିବେଷଣ କରୁଛି ଓ ଦେଖାଉଛି ଯେ କିପରି ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ କିଛି ସମର୍ଥକ ବା ‘ଭକ୍ତ’ ମାନେ ସେଠାରେ ଯାଇ ପହଂଚିଯାଇ ସାମ୍ବାଦିକଙ୍କୁ ବାଧା ଦେବା ଓ ମୋଦୀଙ୍କ ଜୟଜୟକାର ସ୍ଲୋଗାନ ଦେବାର ଦୃଶ୍ୟ  ମଧ୍ୟ ଦେଖିବାକୁ ମିଳୁଛି୨୦ । ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ ଏଥିରେ ସନ୍ଦେହ ନାହିଁ । ନିଜ ପଦକ୍ଷେପ ସପକ୍ଷରେ ସମର୍ଥନକୁ ଯେନ କେନ ଉପାୟରେ, ଅସ୍ୱଚ୍ଛ ହେଉ ପଛେ, ଗଢାଇବା  ଓ ଅନ୍ୟ ପକ୍ଷରେ ଏହି ପଦକ୍ଷେପ ପ୍ରତି ଥିବା ଅସନ୍ତୋଷର ପ୍ରଦର୍ଶନକୁ ବଳପୂର୍ବକ ବନ୍ଦ କରିବାର ଉଦ୍ୟମ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ପ୍ରତି ଏକ ବିପଦର ସୂଚନା, ଏହା କହିବା ଅତିଶୟୋକ୍ତି ହେବ କି?

ଭିନ୍ନ ମୁଦ୍ରାରେ ଆସନ୍ନ ମୋଦୀ?

ମୋଦୀ ଯେଉଁ ଦିନ ସାଂସଦ ଭାବେ ସଂସଦ ଭବନରେ ପ୍ରଥମ ଥର ପାଇଁ ପ୍ରବେଶ କଲେ ସେଦିନ ଭବନର ଚଟ୍ଟାଣରେ ତାଙ୍କର ମୁଣ୍ଡିଆ ମାରିବାର ମୁଦ୍ରାକୁ କେହି ପାଶୋର ହୋଇ ନଥିବେ । ଏହି ମୁଦ୍ରା ଦେଶବାସୀଙ୍କୁ ଯେପରି କହୁଥିଲା ସଂସଦ ହିଁ ତାଙ୍କ ପାଇଁ ମନ୍ଦିର ଓ ସେ ସଂସଦରେ ହିଁ ନିଜର ମନର କଥା ପ୍ରଥମେ ରଖିବେ । କିନ୍ତୁ ୫୦୦ ଓ ୧୦୦୦ଟଙ୍କାକୁ ଅଚଳ କରିଦେବାର ଏକତରଫା ନିଷ୍ପତ୍ତି ନେଇ, ଏହି ନିଷ୍ପତ୍ତିର ଯଥାର୍ଥତାକୁ , ବିଦେଶ ଭୂମିରୁ (ଜାପାନରୁ) ଆରମ୍ଭ କରି୨୧ , ବିଭିନ୍ନ ସଭା ସମିତି ଦେଇ ‘ମନ କି ବାତ’ରେ, ପ୍ରତିପାଦିତ କରିଥିବା ମୋଦୀ କିନ୍ତୁ ଏଯାବତ୍ ସଂସଦରେ ନୀରବ, ତାଙ୍କ ବୟାନ ପାଇଁ ବିରୋଧୀ ସାଂସଦଙ୍କର ସମସ୍ତ ଦାବି ସ୍ତ୍ତେ୍ୱ । ବାହାରେ ପ୍ରଗଳଭ ମୋଦୀ, ସଂସଦରେ ନୀରବ । କାହିଁକି? ଏହି ନିଷ୍ପତ୍ତିକୁ ରାଷ୍ଟ୍ରକୁ ସେ ହିଁ ପ୍ରଥମେ ଜଣାଇଥିଲେ ଗଣମାଧ୍ୟମ ଜରିଆରେ । ତେଣୁ ସଂସଦର ଅଧିବେଶନର ପ୍ରଥମ ଦିନରେ ଔପଚାରିକ ଭାବେ ସଂସଦକୁ ଏହି ବିଷୟ ଜଣାଇବା ସଂସଦୀୟ ଗଣତନ୍ତ୍ରର ପରମ୍ପରା ସମ୍ମତ ହୋଇଥାନ୍ତା । ଏହାତ ମୋଦୀ କଲେ ନାହିଁ, ଏଯାବତ୍ ମଧ୍ୟ ସେ ବିଷୟ ଉପରେ କୈାଣସି ବୟାନ ଉପସ୍ଥାପିତ କଲେନାହିଁ । କେହି କେହି ଏହି ନୀରବତାରେ ଦେଖୁଛନ୍ତି ମୋଦୀଙ୍କର ସଂସଦକୁ ଉପେକ୍ଷା ଓ ଲୋକଙ୍କ ସହ ସିଧାସଳଖ ସମ୍ପର୍କ କରିବାର ଅଭିପ୍ରାୟ । ଏକ ସଂସଦୀୟ ଗଣତନ୍ତ୍ର ପାଇଁ ଏହା କେତେଦୂର ଶୁଭଙ୍କର ? ତାଙ୍କ ନିଜ ଦଳ ବିଜେପି ତ ମୋଦୀଙ୍କ ସାମନାରେ ଗୈାଣ ହୋଇଗଲାଣି, ସଂସଦକୁ ଗୈାଣ କରିଦେବାର ଉତ୍ସାହ ଯେ ତାଙ୍କୁ ଆବିଷ୍ଟ କରି ନାହିଁ ଏହା କିଏ ବା କହି ପାରିବ? ଚାରି ଦଶକ ତଳେ ଆମେ ଶୁଣିଥିବା ‘ଇନ୍ଦିରା ଇଜ ଇଣ୍ଡିଆ’ ଭଳି ଆଉ କିଛି ଦିନ ପରେ ‘ମୋଦୀ ହିଁ ଭାରତ’ ବୋଲି କାହିଁକି ବା ନ ଶୁଣିବା ?  ଅବଶ୍ୟ ମୋଦୀଙ୍କ ଦଳର ମୁଖପାତ୍ର ମାନେ ଗଣମାଧ୍ୟମରେ କହୁଛନ୍ତି ଯେ  ଠିକଣା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଂଗ ଉପରେ ତାଙ୍କର ବକ୍ତବ୍ୟ ସଂସଦରେ ରଖିବେ । ଯଦି ସେ ବକ୍ତବ୍ୟ ରଖନ୍ତି ତାହାହେଲେ ନିଶ୍ଚିତ ସମସ୍ତେ ଅପେକ୍ଷା କରିବେ ଶୁଣିବାକୁ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ରିଜର୍ଭବ୍ୟାଙ୍କ ଗଭର୍ନର ମନମୋହନ ସିଂହଙ୍କର କଠୋର ସମାଲୋଚନାର ଉତ୍ତରରେ ମୋଦୀଜୀ  କ’ଣ କହୁଛନ୍ତି । ‘ମୈାନୀ’ ମନମୋହନ କହି ଏକଦା ବିଜେପି ଯାହାଙ୍କୁ ପରିହାସ କରୁଥିଲା, ସେ ତାଙ୍କର ୭ମିନିଟର ସଂକ୍ଷିପ୍ତ ଉପସ୍ଥାପନରେ    ଏହି ନିଷ୍ପତ୍ତିର ଅଯୈ÷ାକ୍ତିକତା ଦର୍ଶାଇବା ସହ ଏହାର ପରିଣତିରେ କିପରି ସଂଗଠିତ ଉପାୟରେ ଆଇନ ଭିତରେ ଲୁଣ୍ଟନ ଚାଲିଛି ତାହା ନେଇ ଉଦବେଗ ପ୍ରକାଶ କରୁଥିଲେ । ନୀରବତାର ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଏହା ଶୁଣିଥିଲେ । କିନ୍ତୁ ତା ପରେ ପରେ ସେ ଯେ ଗୃହରୁ ଗଲେ ଆଉ ଫେରିଲେ ନାହିଁ । ସେ ଗୃହରେ ରୁହନ୍ତୁ ଏହି ଦାବି ବିରୋଧୀଙ୍କ ପକ୍ଷରୁ ଏତେ ତୀବ୍ର ଭାବରେ ହେଲା ଯେ ଗୃହକୁ ମୁଲତବୀ ରଖିବାକୁ ହେଲା ।

ଉପସଂହାର   

ସଂସଦରେ ଆଲୋଚନା ଯେପରି  ହେଉ ନା କାହିଁକି ମୋଦୀଙ୍କର ଟଙ୍କା ଅଚଳ କରିବାର ସହସା ନିଷ୍ପତ୍ତି ଟଙ୍କା ଅଚଳ ପ୍ରକ୍ରିୟା ଉପରେ ଏକ ନିରପେକ୍ଷ, ତଥ୍ୟାଶ୍ରିତ ବିମର୍ଶ ପାଇଁ ଏକ ଅବସର ସୃଷ୍ଟି କରିଛି । ଏହି ପ୍ରକ୍ରିୟା ଯାହାକୁ ସାଧାରଣ ଭାବରେ  ‘ବିମୁଦ୍ରୀକରଣ’ ଶିରୋନାମା ଦିଆଯାଉଛି ତାହାର ଇତିହାସ, ଶିରୋନାମାର ଯଥାର୍ଥତା, ନିଷ୍ପତ୍ତି ପଛରେ ରାଜନୈତିକ ଓ ଅର୍ଥନୈତିକ କାରଣ, ଏହାର ରାଜନୈତିକ ଓ ଅର୍ଥନୈତିକ ପରିଣତି, ଏହି ନିଷ୍ପତ୍ତିର ପ୍ରକୃତ ହିତାଧିକାରୀ କିଏ, ଯେଉଁ ଲକ୍ଷ୍ୟ ହାସଲ କରିବାର ବୟାନ ହେଉଛି ତାହା ପଛରେ ଆନ୍ତରିକତା   କେତେଦୂର ରହିଛି ଏ ସମସ୍ତ ପ୍ରଶ୍ନର ଏକ ତଥ୍ୟ ଭିତ୍ତିକ ଅନୁଶୀଳନର ଆବଶ୍ୟକତା ରହିଛି । ତେବେ ‘ଉତ୍ତରସତ୍ୟ’(Posttruth) ରାଜନୈତିକ ସଂସ୍କୃତିରେ ଯେଉଁଠି ଗୁରୁତ୍ୱ ତାହାରି ଉପରେ ହିଁ ଦିଆଯାଏ ଯାହା ମନେ ହୁଏ ସତ୍ୟ ବୋଲି ଅଥଚ ପ୍ରକୃତରେ ତାହାର କୈାଣସି ତଥ୍ୟଗତ ଅଧାର ନ ଥାଏ, ଓ ଅପର ପକ୍ଷରେ ତଥ୍ୟକୁ କୁହାଯାଏ୨୨ ‘ତଥ୍ୟ ହେଉଛି ନାସ୍ତିବାଚକ । ତଥ୍ୟ ହେଉଛି ନୈରାଶ୍ୟତ୍ମକ । ତଥ୍ୟ ହେଉଛି ଦେଶଦ୍ରୋହୀ’(“Facts are negative. Facts are pessimistic. Facts are unpatriotic..”),  ସେହି ସଂସ୍କୃତିରେ ତଥ୍ୟ ଭିତ୍ତିକ ଅନୁଶୀଳନ କେତେଦୂର ପ୍ରଭାବୀ ହେବ? କଳା ଧନ ଭାରତରେ ଅଛି ଏହା ସତ୍ୟ, ଜାଲି ଟଙ୍କାର ପ୍ରଚଳନ ହେଉଛି ଏହା ମଧ୍ୟ ସତ୍ୟ । କିନ୍ତୁ  କଳାଟଙ୍କାର ମାତ୍ର ଶତକଡା ୫ରୁ ୬ ଭାଗ ନଗଦ ଟଙ୍କା ଆକାରରେ ଥିବା ବେଳେ (ଗତ ପାଂଚ ବର୍ଷରେ ଆୟକର ବିଭାଗର ଚଢଉରୁ ପ୍ରାପ୍ତ ସୂଚନା ଅନୁଯାୟୀ ) ଓ ଜାଲି ଟଙ୍କାର ପରିମାଣ ମାତ୍ର ୪୦୦ କୋଟି ହୋଇଥିବା ବେଳେ୨୩, ୫୦୦,୧୦୦୦ଟଙ୍କାରେ ଥିବା ସମୁଦାୟ ନଗଦ ଟଙ୍କାର ଶତକଡା ୮୬ ଅଂଶକୁ ଅର୍ଥାତ୍ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ୫୦୦ଓ ୧୦୦୦ଟଙ୍କିଆ ନୋଟକୁ ସହସା ଅଚଳ କରିଦେବା ଯେ ବିଜ୍ଞତା ନୁହେଁ ଏହା କେତେ ଜଣଙ୍କୁ ବୁଝାଇ ହେବ? ବୁଝାଉ ଥିବା ଲୋକଟି ଉପରେ ଦେଶଦ୍ରୋହୀ ମୋହର ଲାଗିଯିବ ନାହିଁକି? ଉଲ୍ଲେଖ ଯୋଗ୍ୟ ଯେ ଇତ୍ୟବସରରେ ଭାରତର ସାମ୍ପ୍ରତିକ ରାଜନୈତିକ ସଂସ୍କୃତିରେ ‘ଉତ୍ତରସତ୍ୟ’(Posttruth) ରାଜନୈତିକ ସଂସ୍କୃତିର ପ୍ରଭାବ ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଛି୨୪ ।

ବ୍ୟବହୃତ ଉପାଦାନ ସୂଚୀ

1.Full Text of Indian Prime Minister Narendra Modi’ s Speech on Replacing Largest Rupee Notes , The Wall Street Journal, Nov 8, 2016, http://blogs.wsj.com/indiarealtime/2016/11/08/full-text-of-indian-prime-…
2.Amit Shah calls Modi bluff on black money http://www.deccanherald.com/content/458045/amit-shah-calls-modi-bluff.
3.Amit Shah hails Narendra Modi for “surgical strike” against black money,… http://economictimes.indiatimes.com/news/politics-and-nation/amit-shah-.
4.Chart:Why Rs 500, Rs 1,000 notes’ circulation surged in over 2 years ,by Rajesh Pandathil and Kishor Kadam , Firstpost. Nov 9, 2016
5.’Test Of Patriotism’, Tweets Ram Madhav, Amid Long Queues At ATMs, … http://www.ndtv.com/india-news/test-of-patriotism-tweets-ram-madhav-…
6..’T reason’ jab and tax alert, The Telegraph , Tuesday , November  22 , 2016
7.Surgical strike – Wikipedia, the free encyclopedia https://en.wikipedia.org/wiki/Surgical_strike (carpet bombing, the latter which results in high collateral damage and a wide range of destruction over an affected area which may or may not include high civilian casualties; A surgical strikeis called military attack which results in, was intended to result in, or is claimed to have resulted in only damage to the intended legitimate military target, and no or minimal collateral damageto surrounding structures, vehicles, buildings, or the general public infrastructure and utilities)
8.The Debate Is No Longer About The Merits Of Demonetization, But About Nationalism, Jawans And Aged Mothers ,Sandip Roy Contributing Editor, HuffPost India, 16/11/2016 ,http://www.huffingtonpost.in/2016/11/16/the-debate-is-no-longer-about-the-merits-of-demonetization-but/
9.Demonetisation: Nearly 50 people dead, but Modi govt views it as … http://www.firstpost.com/printpage.php?idno=3109360&sr_no=0
10.Declare queue victims martyrs: Sena – Mumbai – The Hindu http://www.thehindu.com/news/cities/mumbai/Declare-queue-victims-mar..
11.http://www.dnaindia.com/india/report-demonetization-cash-strapped-people-resort-to-violence-delhi-police-gets-45k-calls-2272787.
12.Supreme court: Situation serious, may lead to riots., Business Standard, November 19, 2016,http://www.business- standard.com/article/printer-friendly-version?articl.
13.Over 93 percent support demonetisation in survey on PM Narendra Modi’s app ,The Times of India,Nov 23, 2016, http://timesofindia.indiatimes.com/india/Over-93-percent-support-for-de..
14.Media Manthan on Online Survey and Media, 26th Nov. 2016, RS TV
15.Modi’s Currency Ban Survey App is Unfairly Built to Succeed ,Pallavi Prasad , The Quint,November 23, 2016, https://www.thequint.com/india/2016/11/23/narendra-modi-survey-namo-app-demonitisation-currency-ban-leading-question-biased
16 Over 80 percent don’t mind inconvenience of demonetisation, says C-Voter poll ,The Times of India ,Nov 22, 2016 ,http://timesofindia.indiatimes.com/india/Over-80-percent-dont-mind-inc.
17.Surviving Emergency: Midnight Knocks And Days On The Run,Yashwant Deshmukh Pollster, founder of C-Voter,The Huffington Post ,30/06/2015 ,http://www.huffingtonpost.in/yashwant-deshmukh/surviving-emergency-midnight-knocks-and-days-on-the-run/
18.LIVE Operation Prime Minister: Yashwant Deshmukh’s C-voter lie out in open , News Express ,Feb 25, 2014 ,.https://www.youtube.com/watch?v=dkN3Rk74SHs
19.India Today suspends C-voter after sting alleged it fixed opinion polls ,Firstpost, Feb 26, 2014 ,http://www.firstpost.com/printpage.php?idno=1408579&sr_no=0
20.Watch: Bhakts tried to stop Ravish Kumar reporting hue and cry of demonetisation, November 18, 2016 ? India,  News, http://www.siasat.com/news/watch-bhakts-tried-stop-ravish-kumar-repor.
21.Demonetisation: Dear PM, please don’t mock the people waiting in long queues ,Ankur Bhardwaj |  New Delhi  November 14, 2016 ,http://www.business-standard.com/article/printer-friendly-version?articl.
22.In a world of post-truth politics, Andrea Leadsom will make the perfect PM , MICHAEL DEACON
PARLIAMENTARY SKETCHWRITER, The Telegraph, 9 JULY 2016, http://www.telegraph.co.uk/news/2016/07/09/in-a-world-of-post-truth-pol
23.“Black Money”and India’ s Demonetization Project, Prof Prabhat Patnaik ,Global Research, November 19, 2016 ,http://www.globalresearch.ca/black-money-and-indias-demonetization-pr…
24..Life in post-truth times: What we share with the Brexit campaign and Trump, Amulya Gopalakrishnan , The Times of India, June 30, 2016 ,  http://blogs.timesofindia.indiatimes.com/to-name-and-address/everything-but-the-truth-what-we-share-with-the-brexit-campaign-and-trump/

Print Friendly, PDF & Email