ଦୁର୍ନୀତି ବିହୀନ ସମାଜରୁ ମୁଦ୍ରା ବିହୀନ ସମାଜ

  • 04/04/2017

ସ୍ୱରରେ ପରିବର୍ତ୍ତନ
ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ନଭେମ୍ବର ଆଠ ତାରିଖ (୨୦୧୬) ସଂନ୍ଧ୍ୟା ଆଠଟା ବେଳେ ସାରା ଦେଶକୁ ଯେତେବେଳେ ଜଣାଉଥିଲେ  ଯେ ଆଉ ମାତ୍ର ଚାରିଘଣ୍ଟା ପରେ ମଧ୍ୟ ରାତ୍ରରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଗୁଡିକ ଅଚଳ ହେବ ସେତେବେଳେ ଏହି ନିଷ୍ପତ୍ତି ପଛରେ ତିନୋଟି କାରଣ ଦର୍ଶାଇ ଥିଲେ : ନଗଦି କଳା ଟଙ୍କାର ବିଲୋପ କରିବା, ଜାଲି ନୋଟର ବିଲୋପ କରିବା ଓ ଆତଙ୍କବାଦକୁ ପ୍ରଭାବହୀନ କରିବା । ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ଭାଷଣ ପରେ ମାନ୍ୟବର ମୋଦୀ ଏହି ପ୍ରସଂଗରେ ଅନେକ ଭାଷଣ ଦେଇଛନ୍ତି । ଅବଶ୍ୟ ଏଯାବତ୍ ସଂସଦରେ କୈାଣସି ବୟାନ ରଖି ନାହାନ୍ତି, ବିରୋଧୀ ସାଂସଦଙ୍କର ନଛୋଡ ବନ୍ଧା ଦାବୀ ସତ୍ତେ୍ୱ । ବରଂ ସମାଲୋଚକମାନଙ୍କୁ ସେ ସୂଚନା ଦେଲେଣି ଯେ ତାଙ୍କ ପାଇଁ ଲୋକସଭା ଅପେକ୍ଷା ଜନସଭା ହେଉଛି ଅଧିକ ଗ୍ରହଣୀୟ ମଂଚ୧ । ତେବେ ମୋଦୀଙ୍କର ନଭେମ୍ବର ୮ ତାରିଖ ଭାଷଣ ସମେତ ଆଉ ଚାରୋଟି ଭାଷଣ(୧୩ ନଭେମ୍ବର, ୨୦ ନଭେମ୍ବର, ୨୫ ନଭେମ୍ବର ଓ ୨୭ ନଭେମ୍ବର)କୁ ଅନୁଶୀଳନ କରି ଦେଖାଯାଇଛି ଯେ ପ୍ରଥମ ଭାଷଣରେ କଳାଟଙ୍କା, ଜାଲି ଟଙ୍କା ନିର୍ମୂଳ ହେବାର ଯେଉଁ ଦୃଢୋକ୍ତି ଥିଲା ତାହା ପରବର୍ତ୍ତୀ ଭାଷଣ ଗୁଡିକରେ କ୍ରମଶଃ ଶିଥିଳ ହୋଇଛି । ‘କଳା ଟଙ୍କା’, ‘ଜାଲି ଟଙ୍କା’ ଓ ‘ମୁଦ୍ରା ବିହୀନତା’(cashlessness) ପଦ ତ୍ରୟର ବ୍ୟବହାର ମୋଦୀଜୀଙ୍କ ଭାଷଣରେ କେଉଁ ହାରରେ ହୋଇଛି ତାହା ଯଦି ବିଚାରକୁ ନିଆଯାଏ ତାହାହେଲେ ଏହି ଶିଥିଳତାର ସାଂଖ୍ୟିକ ସୂଚନା ମିଳିବ୨ । ଯେପରି ନଭେମ୍ବର ଆଠ ତାରିଖ ଦିନ ‘କଳା ଟଙ୍କା’ ପଦର ବ୍ୟବହାରର ହାର ଶତକଡା ୭୮.୩ ହୋଇଥିବା ବେଳେ ‘ମୁଦ୍ରାବିହୀନତା’ର ବ୍ୟବହାର ଆଦୈା ହୋଇ ନାହିଁ । ନଭେମ୍ବର ୧୩ରେ ଏହି ହାର ଯଥାକ୍ରମେ ଶତକଡା ୪୩.୮ଓ ୧୮.୮ ହୋଇଛି । ନଭେମ୍ବର ୨୦ରେ ଏହି ହାର ଯଥାକ୍ରମେ ଶତକଡା ୩୩.୩ ଓ ୩୩.୩ ହୋଇଛି । ନଭେମ୍ବର ୨୫ରେ ଏହି ହାର ଯଥାକ୍ରମେ ଶତକଡା ୩୩.୩ ଓ ୬୬.୭ ହୋଇଛି । ନଭେମ୍ବର ୨୭ରେ ଏହି ହାର ଯଥାକ୍ରମେ ୨୭.୩ ଓ ୭୨.୭ ହୋଇଛି । ଅର୍ଥାତ୍ ମୋଦୀ ମହାଶୟଙ୍କର ନଭେମ୍ବର ୨୫ ଓ ୨୭ ଭାଷଣରେ ‘ଜାଲି ଟଙ୍କା’ ସମ୍ପୂର୍ଣ୍ଣ ଅନୁଲ୍ଲେଖିତ ରହିଛି ।
କାହିଁକି ବଦଳିଲା ସ୍ୱର
ମନେ ହେବ ଯେ ମୋଦୀ ଯେତେବେଳେ ଆଭାସ ପାଇଲେ ଯେ ଅଚଳ ହୋଇଥିବା ପାଂଚ ସହ ଟଙ୍କାର ୧୫୭୮ କୋଟି ନୋଟ ଖଣ୍ଡ ସ୍ଥାନରେ ନୂତନ ନୋଟର ମୁଦ୍ରଣ ପ୍ରାୟ ୬ ମାସ ଲାଗିବ୩ ଓ ନଗଦ ଟଙ୍କାର ମରୁଡି ଇତ୍ୟବସରରେ ନିଶ୍ଚିତ ଦେଖାଯିବ, ସେତେବେଳେ ଖାଦ୍ୟାଭାବ ସମୟରେ ଉପବାସର ଉପକାରିତା ଉପରେ ଗୁରୁତ୍ୱ ଦେଉଥିବା ଚତୁର ବ୍ୟକ୍ତିଟି ପରି ସେ ମୁଦ୍ରାବିହୀନତାର ଉପକାର ବଖାଣିବାର କୈାଶଳକୁ ପ୍ରୟୋଗ କରିବା ବୋଧହୁଏ ଉଚିତ ମନେ କଲେ । କିନ୍ତୁ ଯଦି ମୁଦ୍ରା ଅଚଳ ଘୋଷଣାର ୬ମାସ ପୂର୍ବେ ମୋଦୀଙ୍କର୪ ‘ମନ କି ବାତ୍’ (୨୨ ମେ ୨୦୧୬, ସମୟ ଅପରାହ୍ନ ୨ଘ ୨୦ମି) ରେ ଭାରତକୁ ମୁଦ୍ରାବିହୀନ ସମାଜରେ ରୂପାନ୍ତରିତ କରିବାର ଆହ୍ୱାନକୁ ଲକ୍ଷ୍ୟ କରାଯାଏ , ତାହାହେଲେ ଅଚାନକ ମୁଦ୍ରା ଅଚଳ କରିବା, ତାହା ପୁଣି  ପ୍ରଚଳିତ ନୋଟର ସମୁଦାୟ ମୂଲ୍ୟର ଶତକଡା ୮୬ ଅଂଶ ଧାରଣ କରୁଥିବା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ , ଏକ ଷଡଯନ୍ତ୍ର ବୋଲି ମନେ ହୋଇପାରେ; ଏପରି ଏକ ପରିସ୍ଥିତି ସୃଷ୍ଟି କର ଯାହାଦ୍ୱାରା ନଗଦ ନୋଟ ଉପରେ ନିର୍ଭରଶୀଳତା କମିବ ଓ ମୋବାଇଲ ଜରିଆରେ ଲୋକେ କାରବାର କରିବା ପାଇଁ ବାଧ୍ୟ ହେବେ ।  ଏହା ଏକ ସାହାସୀ ଓ କ୍ରାନ୍ତିକାରୀ ପଦକ୍ଷେପ ବୋଲି ଅନେକେ କୁହନ୍ତି । ଯାହାର ଉତ୍ତରରେ ଅରୁଣ ସୈାରୀ କୁହନ୍ତି୫ ‘କୁଅ ଭିତରକୁ ଡେଇଁବା ମଧ୍ୟ କ୍ରାନ୍ତିକାରୀ ପଦକ୍ଷେପ, ଆତ୍ମହତ୍ୟା କରିବା ମଧ୍ୟ’ । ଏକଦା ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସକ୍ରିୟ ଏହି ଅର୍ଥନୈତିଜ୍ଞ-ସାମ୍ବାଦିକ ସଦସ୍ୟ ବିଶ୍ୱାସ କରନ୍ତି ନାହିଁ ଯେ ଭାରତକୁ ଏକ ମୁଦ୍ରାବିହୀନ ସମାଜ କରିବା ପାଇଁ ମୋଦୀଙ୍କର ପଦକ୍ଷେପ ସଠିକ ବାଟ, ଯଦିଓ ସେ ମୁଦ୍ରାବିହୀନ ସମାଜର ସପକ୍ଷରେ  । ତେଣୁ ମୋଦୀଙ୍କର ଟଙ୍କା ଅଚଳ ନିଷ୍ପତ୍ତିକୁ, ତାଙ୍କର ପ୍ରଥମ ଭାଷଣ ଦ୍ୱାରା ପ୍ରଭାବିତ ହୋଇ  କଳା ଟଙ୍କା, ଜାଲି ଟଙ୍କା ଓ ଆତଙ୍କବାଦ ବିରୁଦ୍ଧରେ ଏକ ସାହାସିକ  କ୍ରାନ୍ତିକାରୀ ପଦକ୍ଷେପ ବୋଲି ବିଶ୍ୱାସ କରି ଆସୁଥିବା ଲୋକେ ଯଦି ତାଙ୍କର ପରବର୍ତ୍ତୀ ଭାଷଣ ଗୁଡିକରେ ଏହି ଲକ୍ଷ୍ୟ ସ୍ଥାନରେ ମୁଦ୍ରାବିହୀନ ସମାଜର ଲକ୍ଷ୍ୟ ଅଧିକରୁ ଅଧିକ ଉଚ୍ଚରିତ ହେବା ଦେଖୁଛନ୍ତି, ତାହାହେଲେ ସେମାନେ ମୋଦୀଙ୍କର ମୂଳ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ । ଏହା ଭିନ୍ନ କଥା ଯେ ମୂଳ ଲକ୍ଷ୍ୟ ହାସଲ  ଉଦ୍ଦେଶ୍ୟରେ ନେଇଥିବା  ପଦକ୍ଷେପର ଗ୍ରହଣୀୟତା ପାଇଁ ସେ ଏକ ପ୍ରବଂଚନାର ଆଶ୍ରୟ ନେଲେ, ‘କଳା ଟଙ୍କା’, ‘ଜାଲି ଟଙ୍କା’, ‘ଆତଙ୍କବାଦ’ ବିରୋଧରେ ସଂଗ୍ରାମରେ ବାହାରିଛନ୍ତି ବୋଲି ଧାରଣା ସୃଷ୍ଟି କଲେ ।   ଜନସାଧାରଣ କଣ ଶୁଣିବାକୁ ଭଲ ପାଆନ୍ତି ଓ ତାହାକୁ କିପରି କୁହାଯିବ ସେଥିରେ ମୋଦୀ ମହାଶୟ ଆଜିର ରାଜନୈତିକ ପରିବେଶରେ ଯେ ଅପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ, ଏହା କହିବା ବାହୁଲ୍ୟ ମାତ୍ର । ‘ଅଚ୍ଛେ ଦିନ ଆସିବ’, ‘ ବୁଲେଟ ଟ୍ରେନ ଚାଲିବ’ ‘୧୫ ଲକ୍ଷ ବ୍ୟାଙ୍କ ଖାତାରେ ଜମା ହେବ’ ‘ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଇବେ’ ‘କଳା ଟଙ୍କା, ଜାଲି ଟଙ୍କାର ବିଲୋପ ହେବ’ ଇତ୍ୟାଦି ଜନସାଧାରଣଙ୍କର ଶ୍ରବଣେନ୍ଦ୍ରିୟ ପାଇଁ ଯେ ଅତ୍ୟନ୍ତ ରୋଚକ ଏହା କିଏ ବା ଅସ୍ୱୀକାର କରିବ । ସେଇଥିପାଇଁ ତ ବ୍ୟାଙ୍କ ବା ଏଟିମ ସାମନାରେ ଲମ୍ବା ଧାଡିରେ ଛିଡା ହୋଇଥିବା କେହି କେହି କ୍ୟାମେରା ସାମନାରେ କହୁଥିବାର ଶୁଣାଯାଏ ଯେ ସେମାନେ ମୋଦୀଙ୍କ ଦୁର୍ନୀତି ବିରୋଧୀ ଅଭିଯାନର ସମର୍ଥନରେ ଧାଡିରେ ଠିଆ ହୋଇ କଷ୍ଟ ସହ୍ୟ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ଏହି କଷ୍ଟ ସହିବାକୁ ପ୍ରସ୍ତୁତ ଥିବା ବ୍ୟକ୍ତିମାନେ କେତେଦୂର ଜାଣନ୍ତି ଯେ କଳା ଟଙ୍କା, ଜାଲି ଟଙ୍କାର ବିଲୋପ ପ୍ରତିଶୃତିର ଆଢୁଆଳରେ ମୋଦୀ ମୁଦ୍ରାବିହୀନ ସମାଜ ଗଠନ ପାଇଁ ବାହାରିଛନ୍ତି? ଯେଉଁ ସର୍ବେକ୍ଷଣ୬ ମୋଦୀ କରାଇ ତାଙ୍କର ପଦକ୍ଷେପ ପ୍ରତି ଶତକଡା ୯୩ ଭାଗ ଜନସାଧାରଣଙ୍କର ସମର୍ଥନ ରହିଛି ବୋଲି ଧାରଣା ସୃଷ୍ଟି କରିଲେ ସେ ୯ ଟି ପ୍ରଶ୍ନର ତାଲିକାରେ କିନ୍ତୁ ମୁଦ୍ରାବିହୀନତା ସମ୍ପର୍କରେ କୈାଣସି ପ୍ରଶ୍ନ ନ ଥିଲା ।
ମୁଦ୍ରା ପ୍ରଚଳନର ଆୟତନ
ଭାରତକୁ ଏକ ମୁଦ୍ରାବିହୀନ ସମାଜରେ ରୂପାନ୍ତରିତ କରିବାର ସ୍ୱପ୍ନ ଦେଖିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର ଭାରତୀୟ ସମାଜରେ ମୁଦ୍ରା  ପ୍ରଚଳନର ଆୟତନ କ’ଣ ଓ ହାତରେ ନଗଦ ଟଙ୍କା ରଖିବାର ଅଭ୍ୟାସ କେତେ ବ୍ୟାପକ ଓ ଗଭୀର  । ରିଜର୍ଭ ବ୍ୟାଙ୍କ ପରିସଂଖ୍ୟାନରୁୁ୭ ଜଣାପଡେ ଯେ ୩୧ ମାର୍ଚ୍ଚ ୨୦୧୬ ସୁଦ୍ଧା ୧୬.୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୯୦୧୭ କୋଟି ନୋଟ ଖଣ୍ଡ ପ୍ରଚଳନରେ ଥିଲା ଯାହା ମଧ୍ୟରୁ ୧୪.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୨୦୩ କୋଟି ଖଣ୍ଡ ୫୦୦ ଓ ୧୦୦୦ଟଙ୍କିଆ ନୋଟ ଥିଲା । ଅର୍ଥାତ୍ ୫୦୦ ଓ ୧୦୦୦ଟଙ୍କିଆ ନୋଟରେ ଥିଲା ସମୁଦାୟ  ମୂଲ୍ୟର ଶତକଡା ୮୬.୪ ଭାଗ । ପୁନଶ୍ଚ ଏହି ରିପୋର୍ଟରୁ ମଧ୍ୟ ଜଣାଯାଏ ଯେ ୩୧ ମାର୍ଚ୍ଚ ୨୦୧୪ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ୫୦୦ଟଙ୍କିଆ ନୋଟର ମୁଦ୍ରଣ ୧୧୪୧ କୋଟି ଖଣ୍ଡରୁ ୧୫୭୧ କୋଟି ଖଣ୍ଡକୁ ବୃଦ୍ଧି (୩୭.୬୮%) ପାଇଥିବା ବେଳେ , ୧୦୦୦ଟଙ୍କିଆ ନୋଟର ମୁଦ୍ରଣ୫୦୮ କୋଟି ଖଣ୍ଡରୁ ୬୩୩କୋଟି ଖଣ୍ଡକୁ ବୃଦ୍ଧି (୨୪.୬%) ପାଇଥିଲା । ଯେତେବେଳେ ଅବଶିଷ୍ଟ ମୂଲ୍ୟର (୧୦୦ଟଙ୍କା ଓ ତାଠାରୁ କମ ମୂଲ୍ୟର ଟଙ୍କା) ନୋଟ ର ମୁଦ୍ରଣ ୬୦୮୪ କୋଟି ଖଣ୍ଡରୁ ୬୮୨୪ କୋଟି ଖଣ୍ଡକୁ ବୃଦ୍ଧି (୧୨.୧୫%) ପାଇଥିଲା; ସବୁ ମୂଲ୍ୟର ନୋଟର ସମୁଦାୟ ମୁଦ୍ରଣରେ ବୃଦ୍ଧି ହୋଇଥିଲା ଶତକଡା ୧୬.୭୩ । କହିବା ବାହୁଲ୍ୟ ଯେ ୫୦୦ଟଙ୍କିଆ ନୋଟର ମୁଦ୍ରଣ ସବୁଠାରୁ ଅଧିକ ହାରରେ ବୃଦ୍ଧି ପାଇଥିଲା ଓ ତାପରେ ଥିଲା ୧୦୦୦ଟଙ୍କିଆ ନୋଟର ମୁଦ୍ରଣର ହାର । ତେଣୁ ଯେଉଁମାନେ ଲକ୍ଷ୍ୟ କରୁଥିବେ ଯେ ୫୦୦ ଓ ୧୦୦୦ଟଙ୍କିଆ ନୋଟର ଏତାଦୃଶ ବୃଦ୍ଧି  ମୋଦୀ ସରକାରଙ୍କ ସମୟରେ ହିଁ ହୋଇଛି ସେମାନେ ବିସ୍ମିତ ହେବା ସ୍ୱାଭାବିକ ଯେ କାହିଁକି ମୋଦୀ ମହାଶୟ ଏହି ନୋଟ ଗୁଡିକୁ ଅଚଳ କରି ଦେବାର  ସହସା ନିଷ୍ପତ୍ତି ନେଲେ । ସାଧାରଣତଃ ଯେଉଁ ନୋଟଗୁଡିକୁ ଅଚଳ କରିବାର ନିଷ୍ପତ୍ତି ନିଆଯାଏ ସେ ଗୁଡିକର ମୁଦ୍ରଣକୁ ଅଚଳ ନିଷ୍ପତ୍ତିର ବହୁ ପୂର୍ବରୁ ବନ୍ଦ କରି ଦିଆଯାଏ । ଯେପରି ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦୦ ଡଲାର ଓ ତଦ୍ୟୁର୍ଦ୍ଧ ମୂଲ୍ୟର ନୋଟକୁ ଅଚଳ କରାଗଲା ୧୯୬୯ରେ । କିନ୍ତୁ ୧୯୪୬ ବେଳକୁ ଏହାର ମୁଦ୍ରଣ ବନ୍ଦ ହୋଇ ଯାଇଥିଲା୮ । ଯାହା ଆମେରିକା ସରକାରକୁ ୨୩ ବର୍ଷ ଲାଗିଲା ମୋଦୀଜୀ ଭାରତରେ ଅତର୍କିତ ଭାବେ କରିଦେଇ ପାରିଲେ । ସାହାସିକତାର ଏହାଠାରୁ ବଡ ଦୃଷ୍ଟାନ୍ତ କଣ ବା ହୋଇ ପାରେ ?  ତେବେ ରିଜର୍ଭ ବ୍ୟାଙ୍କର ଉପରୋକ୍ତ ପରିସଂଖ୍ୟାନ ମୁଦ୍ରା ପ୍ରଚଳନର ବ୍ୟାପକତାକୁ ହିଁ ଇଂଗିତ କରେ ଓ ଉଚ୍ଚ ମୂଲ୍ୟର ନୋଟର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ହିଁ ପ୍ରତିଫଳିତ କରେ ।
ହାତରେ ନଗଦ ଟଙ୍କା
ଆଉ ଏକ ସର୍ବେକ୍ଷଣ୯ରୁ ଜଣାଯାଏ ଯେ ସଂଖ୍ୟାଧିକ ଭାରତୀୟ ପରମ୍ପରାଗତ ଭାବେ ନଗଦ ଆକାରରେ ଟଙ୍କା ପାଖରେ ରଖନ୍ତି ଓ ନଗଦ ଟଙ୍କାରେ ହିଁ ତାଙ୍କର ଆବଶ୍ୟକତାନୁସାରେ କାରବାର କରିଥାନ୍ତି । ଏହି ସର୍ବେକ୍ଷଣ ଅନୁସାରେ ଗତ ବର୍ଷ ସମୁଦାୟ ଉପଭୋକ୍ତା ଖର୍ଚ୍ଚର ଶତକଡା ୭୮ ଭାଗ ନଗଦ ଟଙ୍କାରେ ହୋଇଥିଲା । ଆମେରିକା ଓ ବ୍ରିଟେନରେ ଏହି ଅଂଶ ଶତକଡା ୨୦ରୁ ୨୫ । ଭାରତୀୟ ଅର୍ଥନୀତିରେ ଅଣସଂଗଠିତ କ୍ଷେତ୍ରର ଅବଦାନ ହେଉଛି ମୋଟ ଗରୋଇ ଉତ୍ପାଦନ (ଜିଡିପି)ର ଶତକଡା ୪୫ ଭାଗ ଓ ଏହି କ୍ଷେତ୍ରରେ ସମୁଦାୟ ନିଯୁକ୍ତିର ଶତକଡା ୮୦ ଭାଗ କର୍ମଚାରୀ ହିଁ ତାଙ୍କର ରୋଜଗାର ଅର୍ଜ୍ଜନ କରନ୍ତି । କିନ୍ତୁ ଏହି କ୍ଷେତ୍ରଟିରେ ଅର୍ଥନୈତିକ କାର୍ଯ୍ୟକଳାପ ମୁଖ୍ୟତଃ ନଗଦ ଟଙ୍କାରେ ହିଁ ଚାଲେ୧୦ ।   ହାତରେ ନଗଦ ଟଙ୍କା ରଖିବାର ଅଭ୍ୟାସ ଭାରତରେ ଯେ କେବଳ ସାଧାରଣ ଲୋକର, ଏପରି ନୁହେଁ । ଯେଉଁମାନେ ଆଜି ମୁଦ୍ରାବିହୀନ ସମାଜ ଗଠନର ଧ୍ୱଜା ମୋଦୀଙ୍କ ସହ ଧରିଛନ୍ତି ସେମାନଙ୍କ ହାତରେ (ମୋଦୀଙ୍କ ସମେତ) ନଗଦ ଟଙ୍କାର ପରିମାଣ ଦେଖିଲେ ନଗଦ ଟଙ୍କାର ଗୁରୁତ୍ୱକୁ ଅନୁଭବ କରିହେବ । ଯେପରି ପ୍ରଧାନମନ୍ତ୍ରୀଙ୍କ ଆଫିସିକ  ୱେବ ସାଇଟ (http://www.pmindia.gov.in/en/assets-and-liabilities-of-the-union-council-of-ministers-2015-2016/) ରୁ ଜଣାଯାଏ ଯେ ୩୧ ମାର୍ଚ୍ଚ ୨୦୧୬ ସୁଦ୍ଧା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋରଦାସ ମୋଦୀଙ୍କ ହାତରେ ନଗଦ ଟଙ୍କାର ପରିମାଣ ଥିଲା ୮୯ ହଜାର ୭୦୦ ଟଙ୍କା, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ହାତରେ ଥିଲା ୬୫ ଲକ୍ଷ ୨୯ ହଜାର ୪୦୦ଟଙ୍କା , ସୁଷମା ସ୍ୱରାଜଙ୍କ ହାତରେ ଥିଲା ୨ଲକ୍ଷ ୮୪ ହଜାର ୧୫୦ଟଙ୍କା,  ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ହାତରେ ଥିଲା ୬୦ ହଜାର ଟଙ୍କା, ଭେଙ୍କୟା ନାଇଡୁଙ୍କ ହାତରେ ଥିଲା ପାଖାପାଖି ୨୬ ହଜାର ୮୦୦ଟଙ୍କା, ରବିଶଙ୍କର ପ୍ରସାଦଙ୍କ ହାତରେ ଥିଲା ୫୯ ହଜାର ୯୬୮ଟଙ୍କା, ରାମ ବିଳାସ ପାସୱାନଙ୍କ ହାତରେ ଥିଲା ୫୦,୦୦୦ଟଙ୍କା, ସୁରେଶ ପ୍ରଭୁଙ୍କ ହାତରେ ଥିଲା ୪୦ ହଜାର ୫୦୦ଟଙ୍କା,  ମେନକା ଗାନ୍ଧୀଙ୍କ ହାତରେ ଥିଲା ୪୪ ହଜାର ଟଙ୍କା, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କ ହାତରେ ଥିଲା ୫୦ ହଜାର ଟଙ୍କା …..ା ଏହି ଅର୍ଥ ସ୍ୱଘୋଷିତ ହୋଇଥିବାରୁ ଏହାକୁ କଳାଟଙ୍କା କୁହାଯାଇ ପାରିବ ନାହିଁ । କିନ୍ତୁ ଏହି ମନ୍ତ୍ରୀମାନଙ୍କର ବ୍ୟାଙ୍କ ଖାତା ଥାଇ ମଧ୍ୟ ଏତେ ପରିମାଣର ଅର୍ଥ ହାତରେ ରଖିବା ଦର୍ଶାଉଛି ବ୍ୟବହାରିକ ଜୀବନରେ ନଗଦ ଟଙ୍କାର ଆବଶ୍ୟକତା କେତେ । ତେଣୁ ଭାରତରେ ଯେତେବେଳେ ପ୍ରାୟ ଶତକଡା ୪୦ ଭାଗ ବ୍ୟାଙ୍କ ବ୍ୟବସ୍ଥା ବାହାରେ୧୧  ସେମାନଙ୍କ ପାଇଁ ନଗଦ ଟଙ୍କାରେ ହିଁ  ରହିଛି ସେମାନଙ୍କର ଅର୍ଥନୈତିକ ଅସ୍ତିତ୍ୱର ପ୍ରତିଶୃତି । ଏହି ଲୋକ ମାନେ ଯେତେବେଳେ ସେମାନଙ୍କ ପାଖରେ ଥିବା ଅଳ୍ପ କିଛି ଅଚଳ ଘୋଷିତ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଦୀର୍ଘ ସମୟ ଧରି ବ୍ୟାଙ୍କ  ଗୁଡିକ ସାମନାରେ ଠିଆ ହେବାର ଦୃଶ୍ୟ ସାର୍ବଜନୀନ ହେଉଥିଲା ସେତେବେଳେ ଉପରୋକ୍ତ ମନ୍ତ୍ରୀମାନେ ସେମାନଙ୍କ ପାଖରେ ଥିବା ଟଙ୍କାକୁ କିପରି ବଦଳାଉ ଥିଲେ? -ଏହା ଅନେକଙ୍କୁ ବିବ୍ରତ କରୁଥିବା ସ୍ୱାଭାବିକ  । କାରଣ ଏମାନେ କେହି ଧାଡିରେ ଠିଆ ହେବା କେହି  ଦେଖୁ ନଥିଲେ୧୨ । କହିବା ବାହୁଲ୍ୟ ଯେ ବ୍ୟାଙ୍କ ବ୍ୟବସ୍ଥା ବାହାରେ ଥିବା ଉପରୋକ୍ତ ୪୦ ପ୍ରତିଶତ ଲୋକ  ମୁଦ୍ରାବିହୀନ ପରିବେଶରେ ନିଶ୍ଚିତ ପ୍ରଭାବିତ ହେବେ ।
ବିନା ନଗଦିରେ କାରବାର
ମୋଦୀଜୀଙ୍କର ମୁଦ୍ରା ବିହୀନ ସମାଜର ଆହ୍ୱାନର ମୂଳ ଉଦ୍ଦେଶ୍ୟ ହେଉଛି ଏକ ଏପରି ସମାଜ ସୃଷ୍ଟି କରିବା ଯେଉଁଠି ଦେଣ-ନେଣ, କିଣା-ବିକା ରେ ନଗଦ ଟଙ୍କାର ବ୍ୟବହାର ହେବ ନାହିଁ । ବିନା ମୁଦ୍ରାରେ ଯେ କାରବାର ଏହି ଆହ୍ୱାନ ପୂର୍ବରୁ ହେଉ ନ ଥିଲା, ଏପରି ନୁହେଁ । କେତେକ କାରବାରରେ ବ୍ୟାଙ୍କ ଚେକ ବା ଡ୍ରାଫ୍ଟ ଜରିଆରେ ବା ଏନ୍ ଇ ଏଫ ଟ(NEFT: National Electronic Fund Transfer)ି ଜରିଆରେ ଦେୟ ପଇଠ  ହେଉଥିଲା ଓ ହେଉଛି ମଧ୍ୟ, ନଗଦ ଟଙ୍କାରେ ଦେବାର ଆବଶ୍ୟକତା ନାହିଁ । କିନ୍ତୁ ଏହାର ସର୍ବନିମ୍ନ ଆବଶ୍ୟକତା ଥିଲା ଯେ ସଂପୃକ୍ତ ପକ୍ଷମାନଙ୍କର ବ୍ୟାଙ୍କ ଖାତା ଥିବା ଉଚିତ । ପୁଣି ଯେତେବେଳେ କ୍ରେଡିଟ କାର୍ଡ ବା ଡେବିଟ କାର୍ଡର ପ୍ରଚଳନ ଆରମ୍ଭ ହେଲା ସେତେବେଳେ ଏହାକୁ ବ୍ୟବହାର କରାଯାଇ ଦେୟ ପଇଠ ହେଲା । ଅର୍ଥାତ୍ ଉପରୋକ୍ତ ମୁଦ୍ରାବିହୀନ କାରବାର ଗୁଡିକରେ  ଜରିଆ ଥିଲା ବ୍ୟାଙ୍କ ।  କିନ୍ତୁ ଦୈନନ୍ଦିନ କିଣା ବିକାରେ, ହାଟରେ, ବଜାରରେ ନଗଦ ଟଙ୍କା ହିଁ ମୁଖ୍ୟତଃ କାରବାରର ଆଧାର ଥିଲା । ମୋଦୀ ଚାହାନ୍ତି ଏହା ମଧ୍ୟ ନ ହେଉ । ନଗଦ ଟଙ୍କାର ବ୍ୟବହାର ଲୋପ ପାଉ । ମୋଦୀଙ୍କ ସହ ସ୍ୱର ମିଶାଇ ଉଠିଥିବା ମୁଦ୍ରା ବିରୋଧୀ ସମବେତ କଣ୍ଠ ସ୍ୱର ବା କୋରସ ଉପରେ ମନ୍ତବ୍ୟ କରି ବିଶେଷଜ୍ଞ-ସ୍ତମ୍ଭକାର ଅଜିତ ବାଲକୃଷ୍ଣନ ଲେଖନ୍ତି୧୩, “ହଠାତ୍ ‘ନଗଦ ଟଙ୍କା’, ‘ଜାତିଆଣ’, ‘ଦାରିଦ୍ର୍ୟ’ ଏବଂ ‘ନିରକ୍ଷରତା’ ଭଳି, ଭାରତୀୟ ସମାଜର ସମସ୍ତ ଦୋଷ ତ୍ରୁଟିର ଏକ ପ୍ରତୀକ ହୋଇ ପଡିଛି ଏବଂ ଏକ ଧାରଣା ସୃଷ୍ଟି ହୋଇଛି ଯେ ଏହାର ସହସା ମୂଳୋତ୍ପାଟନ ହେବା ଉଚିତ ଯଦି ଆମେ ଉନ୍ନତି କରିବାକୁ ଚାହୁଁ ଓ ଆମର ସହନାଗରିକଙ୍କୁ ଏକ ଉକ୍ରର୍ଷ ଜୀବନ ଦେବାକୁ ଚାହୁଁ । ‘ନଗଦ ଟଙ୍କା’ ହିଁ ଭାରତରେ ଦେଖାଯାଉଥିବା ସମସ୍ତ ଦୁଷ୍କର୍ମର ମୂଳ ଯେପରି ଟିକସ ଫାଙ୍କି, ଟଙ୍କା ସଫେଇ (money laundering), ଆତଙ୍କବାଦକୁ ଆର୍ଥିକ ସାହାଯ୍ୟ ଇତ୍ୟାଦି, .ତାଲିକା ବେଶ ଲମ୍ବା ।” ସବୁଠାରୁ ଉଲ୍ଲେଖନୀୟ ଦୃଶ୍ୟ ହେଉଛି ଯେ ଏହି କୋରସର ସବା ଆଗରେ ଅଛନ୍ତି କେତେକ ଘରୋଇ କମ୍ପାନୀ ଯାହାକୁ FinTech industry କୁହାଯାଉଛି । ଏହି ବିତ୍ତିୟ କମ୍ପାନୀମାନେ ସବୁ ପ୍ରକାର ଦେଣ-ନେଣ, କିଣା-ବିକାର ମାଧ୍ୟମ ହୋଇ ପାରିବେ ଅଥଚ ମୁଦ୍ରାର କୈାଣସି ଆବଶ୍ୟକତା ପଡିବ ନାହିଁ । ମୋଦୀଙ୍କର ଟଙ୍କା ଅଚଳ ଘୋଷଣା ପରେ ପରେ ଏହି କମ୍ପାନୀ ଗୁଡିକର ସେବା ନେବା ପାଇଁ ଗରାଖଙ୍କ ସଂଖ୍ୟାରେ ବେଶ ବୃଦ୍ଧି ଘଟିଛି । ଯେପରି ଏହି ଭଳି ଏକ ବହୁ ବିଜ୍ଞପିତ କମ୍ପାନୀ ପେଟିଏମ୍ (Paytm) ରେ କେବଳ ନଭେମ୍ବର ମାସରେ ଏକ କୋଟି ନୂତନ ଗରାଖ ଯୋଡି ହୋଇଛନ୍ତି୧୪ । ଉଲ୍ଲେଖ ଯୋଗ୍ୟ ଯେ ପେଟିଏମ୍ (Paytm) ରେ ଚୀନା କମ୍ପାନୀ ଆଲିବାବା ହେଉଛି ଏକ ଅଂଶୀଦାର ଓ ଏହାର ସମୁଦାୟ ଗରାଖ ସଂଖ୍ୟା କମ୍ପାନୀର ଦାବି ଅନସାରେ ୧୬ କୋଟି । ଆଶଙ୍କା ଯେ ଏହି ଭଳି କମ୍ପାନୀ ଗୁଡିକୁ ଯଦି ସେମାନଙ୍କ ହିସାବରେ ଚାଲିବାକୁ ଦିଆଯାଏ ତାହାହେଲେ ଆମର ବ୍ୟାଙ୍କ ଗୁଡିକ ଭୁଷୁଡି ପଡିବେ, ବାଲକୃଷ୍ଣନଙ୍କ ଭାଷାରେ୧୩, ଠିକ ଯେପରି ୭୦ ଦଶକରେ ବମ୍ବେ(ମୁମ୍ବାଇ) ସ୍ଥିତ ଲୁଗା କଳ ଗୁଡିକ ଧ୍ୱଂସ ପାଇଗଲେ ।
ଉପସଂହାର
ସମୁଦାୟ ପ୍ରସଂଗକୁ ଦେଖିଲେ ମନେ ହୁଏ ଯେପରି ଦୁର୍ନୀତି ବିରୋଧୀ ଆହ୍ୱାନ ମୁଦ୍ରା ବିରୋଧୀ ଆହ୍ୱାନରେ ରୂପାନ୍ତରିତ ହୋଇଯାଇଛି । ମୋଦୀ ମଧ୍ୟ ଜାଣନ୍ତି ଯେ ଏକ ସମ୍ପୂର୍ଣ୍ଣ ମୁଦ୍ରା ବିହୀନ ସମାଜ ନିକଟ ଭବିଷ୍ୟତରେ ସମ୍ଭବ ନୁହେଁ । ତେଣୁ ସେ ପ୍ରଥମେ ‘କମ-ମୁଦ୍ରା’(Less Cash) ସମାଜର ପ୍ରସ୍ତାବ ଦେଉଛନ୍ତି ଓ ଅଧିକରୁ ଅଧିକ ଲୋକ କିପରି ପେଟିଏମ ଭଳି କମ୍ପାନୀର ସେବାର ସୁଯୋଗ ନେବେ ସେଥିପାଇଁ ପ୍ରକାରାନ୍ତରେ ପରାମର୍ଶ ଦେଉଛନ୍ତି ୧୫ା ବୋଧହୁଏ ଏହାହିଁ କାରଣ ଯେ ପେଟିଏମ, ଏକ ବିଜ୍ଞାପନରେ ନରେନ୍ଦ୍ର ମୋଦୀଙ୍କର ଫଟଚିତ୍ର ରଖି, ତାଙ୍କର ସ୍ୱାଧୀନ ଭାରତର ଇତିହାସରେ ସର୍ବାଧିକ ସାହସିକ ନିଷ୍ପତ୍ତି ପାଇଁ ଅଭିନନ୍ଦନ ଜଣାଇଛି । ଅଭିନନ୍ଦନ ବଦଳରେ ମୋଦୀଜୀଙ୍କୁ କୃତଜ୍ଞତା ଜଣାଇବା ବୋଧହୁଏ ପେଟିଏମ ପକ୍ଷରେ ଅଧିକ ଉପଯୁକ୍ତ ହୋଇଥାନ୍ତା କାରଣ ମୋଦିଜୀଙ୍କର ଏହି ସାହାସିକ ନିଷ୍ପତ୍ତିର ମାତ୍ର କେଇ ଘଣ୍ଟା ମଧ୍ୟରେ  କମ୍ପାନୀର ସେବାର ବ୍ୟବହାରରେ ଯେ ଶତକଡା ୪୩୫ ଭାଗ ବୃଦ୍ଧି ଘଟିଛି୧୬ ! କିନ୍ତୁ ଏହି ସେବାର ସୁଯୋଗ ନେଉଥିବା ବ୍ୟକ୍ତି ପାଖରେ ନିହାତି ଏକ ସ୍ମାର୍ଟଫୋନ ରହିବା ଦରକାର । ଯାହା ସହିତ କାରବାର କରିବ ତାହାର ମଧ୍ୟ ସ୍ମାର୍ଟଫୋନ ଟିଏ ରହିବା ଦରକାର । ଅନ୍ୟୁନ ୫୦୦୦ ଟଙ୍କିଆ ଏହି ସ୍ମାର୍ଟଫୋନ ଭାରତର କେତେ ଲୋକ କିଣିବାକୁ ସମର୍ଥ ତାହା ଗବେଷଣା ସାପେକ୍ଷ । ତାପରେ ଇଣ୍ଟରନେଟ ସଂଯୋଗ ଉପରେ ନିର୍ଭରଶୀଳ ଏହି ସେବାକୁ କେତେଦୂର ବ୍ୟବହାର କରାଯାଇ ପାରିବ, ଏହା ମଧ୍ୟ ଅନୁସନ୍ଧାନ ସାପେକ୍ଷ । ପୁଣି ଏହି ସେବା ବ୍ୟବହାର କରିବା ପାଇଁ କିଛିଟା ଭାଷା(ଇଂରାଜୀ) ଜ୍ଞାନ ବ୍ୟତିରେକେ ସ୍ମାର୍ଟଫୋନକୁ ସଠିକ ଭାବରେ ବ୍ୟବହାର କରିବାର ବିଶେଷ ଜ୍ଞାନ ମଧ୍ୟ ରହିବା ଦରକାର । ଏହା କେତେ ଭାରତୀୟଙ୍କର ଅଛି, ବହୁ ଶିକ୍ଷିତ ବ୍ୟକ୍ତିଙ୍କ ସମେତ । ପରିସଂଖ୍ୟାନ ତ ବେଶ ନୈରାଶ୍ୟଜନକ । ଯେପରି  ଆବଶ୍ୟକୀୟ ଇଂରାଜୀ ଜ୍ଞାନ ମାତ୍ର ଶତକଡା ୧୦ ଭାଗ ଭାରତୀୟଙ୍କର ଅଛି । ସ୍ମାର୍ଟଫୋନ ମାତ୍ର ଶତକଡା ୧୭ ଜଣଙ୍କ ପାଖରେ ଅଛି । ମାତ୍ର ଶତକଡା ୨୭ ଇଂରାଜୀ ଜ୍ଞାନ ମାତ୍ର ଶତକଡା ୧୦ ଭାଗ ଭାରତୀୟଙ୍କର ଅଛି । ସ୍ମାର୍ଟଫୋନ ମାତ୍ର ଶତକଡା ୧୭ ଜଣଙ୍କ ପାଖରେ ଅଛି । ମାତ୍ର ଶତକଡା ୨୭ ଭାଗ ଲୋକ ଇଣ୍ଟରନେଟ ସଂଯୋଗ ନେଇଛନ୍ତି୧୭ା ପୁଣି ପ୍ରଶ୍ନ ବି ଉଠୁଛି ଏପରି ସେବା କେତେ ସୁରକ୍ଷିତ । କାରଣ ଏହି ଭଳି ମୁଦ୍ରା ବିହୀନ ସେବାର ବ୍ୟବହାରକାରୀ ମାନଙ୍କର ଜମା ଅର୍ଥ ଯେ ସୁରକ୍ଷିତ ନୁହେଁ ତାହାର ବହୁ ନଜିର ଗଣମାଧ୍ୟମରେ ପ୍ରକାଶ ପାଉଛି୧୮ ।  ଅର୍ଥମନ୍ତ୍ରୀ  ଅରୁଣ ଜେଟଲୀ ମୋଦୀଙ୍କର ପଦକ୍ଷେପକୁ ଏକ ‘ନବ ସାଧାରଣ’ (new normal) ଯୁଗର ଅୟମାରମ୍ଭ ବୋଲି ଇଂଗିତ କରିଛନ୍ତି୧୯ । ଦେଖାଯାଉ ଏହି ‘ନବ ସାଧାରଣ’ ଯୁଗରେ ସାଧାରଣ ଲୋକେ କେତେଦୂର ସମ୍ମାନର ସହ ଜୀବନ ଯାପନ କରି ପାରୁଛନ୍ତି ।
ବ୍ୟବହୃତ ଉପାଦାନ ସୂଚୀ

1.Jan Sabha’ better platform than Lok Sabha for me, says PM Modi , B y ANI| Published: 10th December 2016 ,The New Indian Express ,http://www.newindianexpress.com/nation/2016/dec/10/jan-sabha-better-p.. 2.What’ s driving demonetization –black money or going cashless? ,Infographic: What’ s driving demonetization — black money or going cashl… http://timesofindia.indiatimes.com/india/Whats-driving-demonetization-b.
3.Demonetisation: Printing units need 6 months to replenish Rs 500 notes, by IANS, FIRSTPOST, Nov.17, 2016, http://www.firstpost.com/printpage.php?idno=3110796&sr_no=0.
4.Narendra Modi calls for making India a cashless society in ‘Mann Ki Baat’ ,By ET Bureau  | May 23,  2016,  02.52 AM  IST, The Economic Times
5.Committing Suicide Also Radical, Says Arun Shourie On Notes Ban , Written by Nidhi Razdan, NDTV,: November 17, http://www.ndtv.com/india-news/committing-suicide-also-radical-says-a
6.Nine questions PM Modi asks, should have asked in his app survey on demonetisation ,By Anagha Unni  |  Express News Service  |   Published: 22nd November 2016 , http://www.newindianexpress.com/nation/2016/nov/22/nine-questions-pm-modi-asks-should-have-asked-in-his-app-survey-on-demonetisation-1541472—2.html
7.Chart: Why Rs 500, Rs 1,000 notes’circulation surged in over 2 years ,  Rajesh Pandathil and Kishor Kadam , FIRSTPOST,  Nov 9, 2016 , http://www.firstpost.com/printpage.php?idno=3096964&sr_no=0
8.Why do we no longer use $1,000 bills? ,B y   Janet Nguyen , MARKETPLACE , December 23, 2015 ,https://www.marketplace.org/2015/12/23/economy/thousand-dollar-bills
9.Could India Become a Cashless Economy? – India Real Time – WSJ http://blogs.wsj.com/indiarealtime/2016/07/26/could-india-become-a-cas…
10.The On The Ground Impact Of India’s ‘Earth-Shattering’ Currency Purge, by Wade Shepard ,Forbes, 25/11/2016,http://www.forbes.com/sites/wadeshepard/2016/11/25/the-on-the-ground..
11.40% of India is unbanked & hurting the most; Exchange Of Currency Permitted Only Once Till RBI Review , Times of India, Nov 12, 2016 ,http://timesofindia.indiatimes.com/business/india-business/40-of-India-is-unbanked-hurting-the-most-Exchange-Of-Currency-Permitted-Only-Once-Till-RBI-Review/articleshowprint/55392031.cms?
12.”Cash in hand”Declaration (2016):Did Modi’s Union Ministers queue up to deposit money in banks and when? ,Written by Venkatesh Nayak , November 30, 2016, https://www.sabrangindia.in/article/cash-hand-declaration-2016-did-mod..;Did ministers queue up: RTI activist ,.Anita Joshua ,The Telegraph , December 1, 2016,http://www.telegraphindia.com/1161201/jsp/nation/story_122349.jsp#…
13.Understanding the ant-cash chorus by Ajit Balkrishnan, Business Standard, 13th December 2016.. .. (“Suddenly the word ‘cash’has taken a place alongside words such as ‘casteism’, ‘poverty’ and ‘illiteracy’ as a symbol of all that is wrong with Indian Society and which must be eradicated forthwith if we have to progress as a country and provide a better life to our fellow citizens. Cash is seen as the root cause of many evils in India: Tax evasion, money laundering, terrorism funding…the list is long. ”xxxxx  “If these FinTech start-ups have their way, the mammoth vertically integrated banks that we currently have such as the Statae Bank of India, HDFC Bank and others, will go the way Bombay’s (now Mumbai) cotton textile mills went (that is collapsed” in the 1970s.”
14. Demonetisation pain for e-commerce, big gain for mobile wallets ,Live Mint , Dec.08,2016,http://www.livemint.com/Companies/oDNiLEq9gj0D1zmOxeIeYP/Demo…
15.‘Less-cash’ first, ‘ cashless society’next: PM Narendra Modi appeals in ‘Mann ki Baat’radio
address ,TNN | Nov 27, 2016, The Times of India, http://timesofindia.indiatimes.com/india/Less-cash-first-cashless-society-..
16.PM Narendra Modi appears on Paytm advertisement; ‘What’s the deal?’ asks, Arvind Kejriwal ,By: FE Online | New Delhi | Updated: November 10, 2016 3 , The Financial Express,http://www.financialexpress.com/india-news/pm-narendra-modi-appears-on-paytm-advertisement-whats-the-deal-asks-arvind-kejriwal/442930/
17.Cashless or clueless? ,B y Express News Service| Published: 11th December 2016 ,The Indian Express,http://www.newindianexpress.com/nation/2016/dec/11/cashless-or-cluele..
18.Two e-wallet fraud gangs busted ,Dwaipayan Ghosh | TNN | Dec 8, 2016, The Times of India, http://timesofindia.indiatimes.com/city/kolkata/Two-e-wallet-fraud-gangs-busted/articleshow/55866121.cms; E-wallets: The new playing ground for cyber criminals , Written by Mohamed Thaver | Mumbai | Published:January 4, 2016 The Indian Express, http://indianexpress.com/article/cities/mumbai/e-wallets-the-new-playing-ground-for-cyber-criminals/
19.Demonetisation: PM Modi has created a new normal, will clean and expand economy, says Arun Jaitley ,By: PTI | New Delhi | Updated: November 22, 2016 , The Indian Express,http://indianexpress.com/article/india/india-news-india/demonetisation-pm-modi-has-created-a-new-normal-will-clean-and-expand-economy-says-arun-jaitley-4389821/

Print Friendly, PDF & Email