କୋପଦୃଷ୍ଟିରେ ବିଶ୍ୱବିଦ୍ୟାଳୟ! ଲକ୍ଷ୍ୟ କ’ଣ ବାମପନ୍ଥୀ ମୁକ୍ତ ଜେ ଏନ୍ ୟୁ?

  • 05/04/2017

                                                                                                                                                                         ବୀରେନ୍ଦ୍ର ନାୟକ
ପର୍ଯ୍ୟାୟବାଚୀ ‘ଜେ ଏନ୍ ୟୁ’ ଓ ‘ଦେଶ-ବିରୋଧୀ’  !
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏ ବି ଭି ପି) ପୂର୍ବତନ ନେତା, ଦୀଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଓ ସମ୍ପ୍ରତି ଅର୍ଥମନ୍ତ୍ରୀ, ସବୁ ବିଭାଗ ଉପରେ ମନ୍ତବ୍ୟ କରୁଥିବା ଅରୁଣ ଜେଟଲୀ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେ ଏନ୍ ୟୁ)ରେ ସୃଷ୍ଟି ହୋଇଥିବା ପରିସ୍ଥିତି ପଛରେ ‘ଜିହାଦୀ’ ଓ ‘ଚରମ ବାମପନ୍ଥୀ’ ତତ୍ତ୍ୱମାନଙ୍କର ଭୂମିକା ରହିଛି ବୋଲି ନିକଟ ଅତୀତରେ ସେ ଦେଇଥିବା ବକ୍ତବ୍ୟକୁ ଉଲ୍ଲେଖ କରି ଏ ଲେଖକ ପୂର୍ବ ଖଣ୍ଡକୁ (ସମଦୃଷ୍ଟି, ୧-୧୫ ଏପ୍ରିଲ,୨୦୧୬)ସମାପ୍ତ କରିଥିଲା । କିନ୍ତୁ ଏଠାରେ ସ୍ମରଣ କରାଯାଇପାରେ ଯେ ଜେ ଏନ ୟୁରେ ଫେବୃଆରୀ ୯ (୨୦୧୬) ଘଟଣା ହେଉ ହେଉ ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣା ପଛରେ ୨୬/୧୧ ବମ୍ବେ ବିସ୍ଫୋରଣର ମୁଖ୍ୟ ଆତଙ୍କବାଦୀ ହାଫିଜ ସୟିଦ ର ସମର୍ଥନ ଅଛି ବୋଲି ଦାବି କରିଥିଲେ୧ । ଯେଉଁ ସୂତ୍ରକୁ ଅଧାର କରି ସେ ଏହି ଦାବି କରିଥିଲେ ତାହା ଏକ ଜାଲ ସୂତ୍ର ବୋଲି ପରେ ଜଣା ପଡିଲା୨ ।  ତେଣୁ ଅରୁଣ ଜେଟଲୀଙ୍କୁ ଡାହାଣୀ ସନ୍ଧାନ(Witch hunting)ରେ ବାହାରିଥିବା ପ୍ରଥମ ବିଜେପି ମନ୍ତ୍ରୀ ଭାବେ ଶ୍ରେୟ ଦିଆଯାଇ ପାରିବ ନାହିଁ ଯଦିଓ ରାଜନାଥ ସିଂହ କରିଥିବା ତ୍ରୁଟି ଅରୁଣ ଜେଟଲୀ କରିନାହାନ୍ତି, କୈାଣସି ଆତଙ୍କବାଦୀଙ୍କୁ ତାଙ୍କ ଦାବିର ପ୍ରମାଣ ଭାବେ ଉଲ୍ଲେଖ କରିନାହାନ୍ତି । କିନ୍ତୁ ଯେଉଁ ତତ୍ପରତାର ସହ ଭାରତୀୟ ଜନତା ପାର୍ଟି ସରକାରୀ କଳ, ଦଳ ଓ ସଂଘ ପରିବାରକୁୁ  ଫେବୃଆରୀ ୯ ଘଟଣାର ପ୍ରତିକ୍ରିୟାରେ ସକ୍ରିୟ କଲେ ଓ ବିଶ୍ୱବିଦ୍ୟାଳୟକୁ ବଦନାମ କରିବାର କୈାଣସି  ସୁଯୋଗ ହାତ ଛଡା କଲେ ନାହିଁ ତାହାର ପରିଣତି ହେଲା ଯେ ଗୁଗଲ(Google) ମାନଚିତ୍ରରେ ଜେ ଏନ୍ ୟୁ ଖୋଜିଲେ ତା ସହିତ ଦେଶ -ବିରୋଧୀ (Anti-national) ଦେଖାଗଲା୩ । ସତେ ଯେପରି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ଦେଶ-ବିରୋଧୀ ଦୁଇ ପର୍ଯ୍ୟାୟବାଚୀ ପଦ! ଏହି ଭଳି ଏକ ସମ୍ଭାବନାର ଅଶଙ୍କା କରି ବୋଧହୁଏ ଅନେକେ ଅନୁନୟ କରୁଥିଲେ ଯେ ଜେ ଏନ୍ ୟୁକୁ ଏକ ସନ୍ତ୍ରାସବାଦୀ ବା ଦେଶଦ୍ରୋହୀଙ୍କର ଆଶ୍ରୟସ୍ଥଳ ବୋଲି ଚିତ୍ରଣ କରା ନ ଯାଉ୪ ।
ଜେ ଏନ୍ ୟୁର ବଦନାମ ବନାମ  ଆକର୍ଷଣ
ଏହି ପରିଚିତି ସୃଷ୍ଟି ହେବା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପାଇଁ କେତେ ଦୂର ଲଜ୍ଜାର ବିଷୟ ତାହା ତ କେବଳ ମନ୍ତ୍ରଣାଳୟର ମୁଣ୍ଡିଆଳ ମାନେ ଜାଣୁଥିବେ । କିନ୍ତୁ ଆଶ୍ୱସ୍ତିର ସମ୍ବାଦ ଯେଏହାର ପ୍ରଭାବ  ଏହି ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହୀ ଅବେଦନକାରୀଙ୍କ ଉପରେ ପ୍ରାୟ ପଡି ନାହିଁ୫ । ଏହାର ମଧ୍ୟ ପ୍ରଭାବ ପଡି ନାହିଁ  ଶୈକ୍ଷିକ ପରାକାଷ୍ଠାର ପରିଚିତି ଉପରେ । କାରଣ ମନ୍ତ୍ରଣାଳୟଦ୍ୱାରା କରାଯାଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟର ର୍ୟାକିଂଗ ତାଲିକାରେ ଜେ ଏନ ୟୁର ସ୍ଥାନ ରହିଛି ତୃତୀୟ୬ । ଏଠାରେ ଏକ ଅନୁଷଂଗିକ ସୁଚନା ହେଉଛି ଯେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏହି ର୍ୟାକିଂଗରେ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ, ମାଡ୍ରାସ ଆଇ ଆଇ ଟି ଇଂଜିନିଅରିଂ ପ୍ରତିଷ୍ଠାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି୭ । ଅରୁଣ ଜେଟଲୀ ‘ଜିହାଦୀ’ ଙ୍କ ବ୍ୟତୀତ ଆଉ ଏକ ଗୋଷ୍ଟୀକୁ ଦାୟୀ କରନ୍ତି । ସେ ଗୋଷ୍ଠୀ ହେଉଛନ୍ତି ‘ଚରମ ବାମପନ୍ଥୀ’ ।  ‘ଚରମ ବାମପନ୍ଥୀ’ଙ୍କ ପ୍ରତି ଇଂଗିତ କରିବା ଅଥଚ ନରମ ବାମପନ୍ଥୀ ସିପିଆଇ (CPI) ସହବନ୍ଧିତ ଛାତ୍ର ସଂଗଠନ ଏଆଇଏସଏଫ (AISF)ର କହ୍ନୈୟା କୁମାରଙ୍କୁ ଦେଶଦ୍ରୋହ ଅଭିଯୋଗରେ ସର୍ବପ୍ରଥମେ ଗିରଫ କରିନେବା ବାମପନ୍ଥୀଙ୍କ ପାଇଁ ନରମ ବା ଚରମ ବିଶେଷଣ ପ୍ରୟୋଗକୁ ଅନ୍ତତଃ ଜେ ଏନ୍ ୟୁରେ ଘଟିଥିବା ଘଟଣା ସନ୍ଦର୍ଭରେ ଅର୍ଥହୀନ କରିଦେଇଛି ।
ଫେବୃଆରୀ ୯ ପୂର୍ବର କେତୋଟି ପ୍ରତିକ୍ରିୟା
ଏହି ଅଭିଯୋଗରେ ମଧ୍ୟ ଅରୁଣ ଜେଟଲୀ ପ୍ରଥମ ନୁହନ୍ତି । ତାଙ୍କ ଦଳର ମୁଖର ଓ ଅଦମିତ ସୁବ୍ରମଣିଅନ୍ ସ୍ୱାମୀ ଫେବୃଆରୀ ୯ ଘଟଣାର ବହୁ ପୂର୍ବରୁ (ସେପ୍ଟେମ୍ବର ୨୦୧୫ ବେଳକୁ) କହିଥିଲେ ଯେ ଜେ ଏନ୍ ୟୁର ଛାତ୍ର ଓ ପ୍ରଫେସରମାନେ ହେଉଛନ୍ତି ‘ନକ୍ସାଲ’୮ ଏବଂ ଏକ ନିଶ୍ୱାସରେ  ଦାବି କରିଥିଲେ   ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନାମକୁ ବଦଳାଯାଇ ଏହାକୁ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରାଯାଉ, କାରଣ ନେହେରୁଙ୍କ ଠାରୁ ବହୁ ଗୁଣରେ ଅଧିକ ଶିକ୍ଷିତ ଥିଲେ ସୁଭାଷ, ନେହେରୁ ଥିଲେ ‘ଥାର୍ଡ କ୍ଲାସ ପାସ’୯ା ସୁବ୍ରମଣିଅନ୍ ସ୍ୱାମୀଙ୍କର ଏପରି ଜେ ଏନ୍ ୟୁ ବିରୋଧୀ ମତ ପ୍ରକାଶ ପାଇବାର ପ୍ରାୟ ମାସକ ପରେ (ନଭେମ୍ବର ୨୦୧୫), ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖପତ୍ର ପାଂଚଜନ୍ୟ ରେ ଜେ ଏନ ୟୁ ସମ୍ପର୍କରେ ପ୍ରାୟ ସମାନ ମନ୍ତବ୍ୟ ପ୍ରକାଶ ପାଇଲା । କୁହାଗଲା ଜେ ଏନ ୟୁ ଦେଶକୁ ଖଣ୍ଡ ବିଖଣ୍ଡିତ କରିବାରେ ପ୍ରୟାସୀ ଏକ ବିଶାଳ ଦେଶଦ୍ରୋହୀ ଗୋଷ୍ଠୀ(“a huge anti-national block which has the aim of disintegrating India..”)ର ଆଶ୍ରୟସ୍ଥଳୀ ହୋଇଛି୧୦ । ଜବାହାରଲାଲ ନେହେରୁଙ୍କୁ ମଧ୍ୟ ସମାଲୋଚନା କରାଗଲା କୁହାଗଲା ଯେ ଜବାହାରଲାଲ ନେହେରୁ ଉଚ୍ଚଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକୁ ସମାଜବାଦ ଆଦର୍ଶର ଏକ କାରଖାନା ଭାବେ ପ୍ରୋତ୍ସାହିତ କରିଥିଲେ ଯାହା ତାଙ୍କୁ ଓ ତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କୁ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ବୈାଦ୍ଧିକ ଖୋରାକ ଯୋଗାଇବ ।(“Jawahar Lal Nehru promoted higher educational and research institutions as factories of socialist ideology which could provide the intellectual input for his and later Indira Gandhi’s social and economic agenda.” ଦେଶକୁ ଖଣ୍ଡ ବିଖଣ୍ଡିତ କରିବା ଅଭିଯୋଗର ଯାଥାର୍ଥ୍ୟ ଭାବେ ଯେଉଁ ଦୃଷ୍ଟାନ୍ତଟିର ଉଲ୍ଲେଖ କରାଯାଇଥିଲା ତାହା ହେଉଛି ୯ ଏପ୍ରିଲ ୨୦୧୦ ଦିନ ଜେ ଏନ୍ ୟୁ ପରିସରରେ ହୋଇଥିବା ଏକ ସାଂସ୍କୃତିକ ସନ୍ଧ୍ୟା । ଅଭିଯୋଗ ଅନୁସାରେ ଏହି ସନ୍ଧ୍ୟାର  ଆୟୋଜନ ହୋଇଥିଲା ଛତିଶଗଡର ଦାନ୍ତେୱାଡାଠାରେ ମାଓବାଦୀଙ୍କ ଦ୍ୱାରା ୭୫ ଜଣ ଅର୍ଦ୍ଧ-ସାମରିକ ବାହିନୀ ଜବାନଙ୍କର  ହତ୍ୟାର ଉଲ୍ଲାସରେ । ଏହି ଅଭିଯୋଗକୁ ଅବଶ୍ୟ ଅସ୍ୱୀକାର କରିଥିଲେ ସଭାର ଆୟୋଜକ JNU FORUM AGAINST WAR ON PEOPLE । ସେମାନଙ୍କ କେଫିୟତ ଥିଲା ଯେ ସଭାର କାର୍ଯ୍ୟ ନିର୍ଘଣ୍ଟ ପ୍ରକୃତରେ ସ୍ଥିର ହୋଇଥିଲା ୫ ଏପ୍ରିଲ ୨୦୧୦ ଦିନକୁ । କିନ୍ତୁ କେତେକ କାରଣ ଯୋଗୁଁ ଏହା ସ୍ଥଗିତ ହୋଇଗଲା ୯ ଏପ୍ରିଲ ୨୦୧୦କୁ ୧୧ା  ଏହାରି ଭିତରେ  ୬ ଏପ୍ରିଲ ୨୦୧୦ ଦିନ ଘଟିଲା ଦାନ୍ତେୱାଡା ଘଟଣା,  ତେଣୁ  ହତ୍ୟାକୁ ସ୍ୱାଗତ କରିବା ପାଇଁ -ଏହି ସଭାର ଆୟୋଜନ କରାଯାଇଥିଲା ବୋଲି ଅଭିଯୋଗ ଯଥାର୍ଥ ନୁହେଁ । JNU FORUM AGAINST WAR ON PEOPLE  ତରଫରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି (୧୨ ଏପ୍ରିଲ ୨୦୧୦) ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜେପି ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଆହ୍ୱାନ କରାଗଲା ଯେ ସେମାନେ ତାଙ୍କ ଅଭିଯୋଗ ସମର୍ଥନରେ ପ୍ରମାଣ ପେଶ କରନ୍ତୁ ତା ନହେଲେ ଜେ ଏନ୍ ୟୁ ଛାତ୍ରଙ୍କ ନିକଟରେ ଏହି ଭଳି ଅପପ୍ରଚାର ପାଇଁ କ୍ଷମା ପ୍ରର୍ଥନା କରନ୍ତୁ ।(We challenge the ABVP/BJP and the JNU Vice Chancellor to produce any evidence to prove that the event was intended to ‘celebrate’ the Dantewada killing, or else apologise to the student community of JNU for spreading canards and vicious propaganda against the Forum.” କିନ୍ତୁ ଯାହା ଉଲ୍ଲେଖନୀୟ ତାହା ହେଉଛି ଉଲ୍ଲିଖିତ ସାଂସ୍କୃତିକ ସଂଧ୍ୟାକୁ ବିରୋଧ କରିବାରେ କଂଗ୍ରେସ ଦଳର ଛାତ୍ର ସଂଗଠନ ଏନ୍ ଏସ୍ ୟୁ ଆଇ (NSUI) ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ହାତ ମିଳାଇଥିଲା । ସେମାନେ Operation Green Hunt କୁ ବିରୋଧ କରୁଥିବା JNU FORUM AGAINST WAR ON PEOPLE ନକ୍ସଲମାନଙ୍କର ସମର୍ଥକ ବୋଲି ବିଚାର କରୁଥିଲେ ଓ ବିରୋଧ କରୁଥିଲେ । ସେମାନେ ଚାହୁଁଥିଲେ ଯେ ଅର୍ଦ୍ଧ-ସାମରିକ ବାହିନୀର ଏତେ ସଂଖ୍ୟାରେ ଜବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଭଳି ସାଂସ୍କୃତିକ ସନ୍ଧ୍ୟାକୁ ସ୍ଥଗିତ ରଖାଯିବା ଉଚିତ ଥିଲା ।  ଦାନ୍ତେୱାଡା ହତ୍ୟାକୁ ଯଥାର୍ଥ ଦର୍ଶାଇବା ପାଇଁ ଏହି ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହେଉଛି ବୋଲି ଅଭିଯୋଗ ପୁଲିସ ନିକଟରେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜେ ଏନ ୟୁ ଶାଖା ତରଫରୁ  କରାଯାଇଥିଲା ଓ ଅଭିଯୋଗ ପତ୍ରରେ ଏହି ଭଳି ରାଷ୍ଟ୍ର ବିରୋଧୀ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରା୍ାଇଥିଲା ।(“We therefore request you to take some proactive measures to stop such anti-national activities in the campus..”) । ଏହା ତ ଭିନ୍ନ କଥା ଯେ ଏହି ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ କାର୍ଯ୍ୟକ୍ରମ ଥିଲା କବିତା ଆବୃତ୍ତି,  ନାଟକ ପରିବେଷଣ ଓ ଫିଲ୍ମ ପ୍ରଦର୍ଶନ । ତେବେ ପୁଲିସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ଆଗତ ଏହି ଅଭିଯୋଗକୁ  ଗୁରୁତ୍ୱ ଦେଇ ନଥିଲା ଯାହା ବିଜେପି ନେତୃତ୍ୱକୁ କ୍ଷୁବ୍ଧ କରିଥିଲା୧୨  । ଅବଶ୍ୟ ସେତେବେଳେ କେନ୍ଦ୍ରରେ ସରକାର ଚାଲି ଥିଲା କଂଗ୍ରେସ ନେତୃତ୍ୱରେ ।  କହିବା ବାହୁଲ୍ୟ ଯେ ଜେ ଏନ ୟୁର ବାମପନ୍ଥୀଙ୍କୁ ରାଷ୍ଟ୍ର ବିରୋଧୀ ବୋଲି ପ୍ରମାଣିତ କରିବାର କୈାଣସି ସୁଯୋଗ ହାତ ଛଢା କରିବାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବିଜେପି ଚାହିଁ ନାହିଁ, ଏପରି କି ବିଜେପି ନେତୃତ୍ୱରେ ସରକାର କେନ୍ଦ୍ରରେ ଗଠନ ହେବା ପୂର୍ବରୁ । କିନ୍ତୁ ସରକାର ଗଠନ ହେବା ପରେ ଏହି ଉଦ୍ୟମ ଆକ୍ରାମକ ହୋଇଛି; ଜେ ଏନ୍ ୟୁର ବାମପନ୍ଥୀଙ୍କ ପ୍ରତି ବିଜେପି ଓ ସଂଘ ପରିବାର କଠୋର ମନୋଭାବର ଆବଶ୍ୟକତା ଉପରେ ଜୋର ଦିଆଯାଇଛି । ବିଜେପି ନେତୃତ୍ୱରେ ସରକାର କ୍ଷମତାସୀନ ହେଉ ହେଉ (୨୬ ମଇ ୨୦୧୪.) Vivekananda International Foundation ର ବରିଷ୍ଠ ଫେଲୋ, ସାମ୍ବାଦିକ  କଏ K.G Suresh ଖବରକାଗଜ The Pioneer ରେ ୨ଜୁନ ୨୦୧୪ ଦିନ ହିଁ ଲେଖିଲେ ଜେ ଏନ୍ ୟୁ କିପରି ମାଓବାଦ, ସନ୍ତ୍ରାସବାଦ ଓ ବିଚ୍ଛିନ୍ନତାବାଦର ଏକ ଗଡ ହୋଇଛି ଓ   ମୋଦୀଙ୍କ ନେତୃତ୍ୱରେ ଏନ୍ ଡି ଏ ସରକାର ଏହାର ସଫେଇ ଉପରେ ଅଗ୍ରାଧିକାର ଦେବା ଉଚିତ । ସେ ମଧ୍ୟ ଲେଖିଲେ କିପରି ସାମ୍ୟବାଦ ଓ ଅଭିବ୍ୟକ୍ତିର ଅଧିକାର ତଥା ପ୍ରଗତିଶୀଳ ଚିନ୍ତାର ଅଢୁଆଳରେ ସମସ୍ତ ପ୍ରକାର ଅନ୍ତର୍ଘାତୀ ଓ ରାଷ୍ଟ୍ରବିରୋଧୀ କାର୍ଯ୍ୟ ଚାଲିଛି । ସେ ମଧ୍ୟ ଲେଖିଲେ କିପରି କାଶ୍ମୀରର ଆଜାଦି ପାଇଁ ଏଠାରେ ଡାକରା ଦିଆଯାଉଛି ଓ ଆମର ଜାତୀୟ ପତାକାକୁ ଅସମ୍ମାନ କରାଯାଉଛି । ତାଙ୍କର ବର୍ଣ୍ଣନାରୁ ଜେ ଏନ୍ ୟୁର ଯେ ଏକ ଅତ୍ୟନ୍ତ ନକାରାତ୍ମକ ଚିତ୍ର ବାହାରି ଆସେ ଏହା କହିବା ବାହୁଲ୍ୟ ମାତ୍ର୧୩ା ( “..one of the key areas of the Modi-led NDA Government has to be the cleaning up of the Augean stables of that hallowed institution called the Jawaharlal Nehru University, which one of the key areas of the Modi-led NDA Government has to be the cleaning up of the Augean stables of that hallowed institution called the Jawaharlal Nehru University, which over the years has become a den of secessionism, Maoism and terrorism……..Unfortunately, under the garb of communism, freedom of speech and progressive thought, the university has become the hub of subversive activities with anti-nationals ruling the roost…….A section of ultra-Left wing academics in tandem with few Maoist and separatist and communal student outfits has emerged as a mafia which dominates the political discourse in the campus and has penetrated academic/intellectual institutions across the country, with dangerous ideas which pose a grave threat to national unity, integrity and the fragile secular fabric of the country……Some of the vociferous agitations in support of ‘ azadi’(so-called freedom of Kashmir from India) don’t take place in the valley but at the JNU. What’s more, memorial meetings are held publicly in support of not only separatists Kashmiri militants such as Afzal Guru but also Ajmal Kasab, the butcher of 26/11.India’ s national Tricolour, for whose honour our officers and jawans proudly lay down their lives, is routinely trampled and denigrated at the JNU campus”) ଏଠାରେ ଉଲ୍ଲେଖ କରିବା ଅପ୍ରାସଂଗିକ ହେବ ନାହିଁ ଯେ Vivekananda International Foundation  ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଛାମୁଆ ସଂଗଠନ ବିବେକାନନ୍ଦ କେନ୍ଦ୍ର ସହ ସହବନ୍ଧିତ ଏକ ଅନୁଷ୍ଠାନ ଯାହାର ପ୍ରତିଷ୍ଠାତା ହେଉଛନ୍ତି ଅଜିତ ଦୋଭଲ, ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜାତୀୟ ସୁରକ୍ଷା ପରାମର୍ଶ ଦାତା୧୪ । The Pioneer, ହେଉଛି ବିଜେପିର ରାଜ୍ୟ ସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ସମ୍ପାଦିତ ଖବରକାଗଜ । ଏଇ ମାତ୍ର କିଛି ଦିନ ତଳେ (୩୧ମାର୍ଚ୍ଚ ୨୦୧୬) ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ (Appointments Committee of the Cabinet (ACC) ଏହି ନିଯୁକ୍ତିକୁ ବିରୋଧ କରୁଥିଲା) କଏ KG Suresh Indian Institute of Mass Communication  ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି୧୫ ।  ତେବେ ସୁରେଶ ଯାହା ଉପରୋକ୍ତ ବାକ୍ୟମାନଙ୍କରେ କହିଛନ୍ତି ତାହା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ବିଚାର (ଗୋଲୱାଲକରଙ୍କ ଦୃଷ୍ଟିରେ), ଯେ କମ୍ୟୁନିଷ୍ଟମାନଙ୍କ ଠାରୁ ଭାରତବର୍ଷକୁ ରହିଛି ଭିତରୁ ବିପଦ (internal threat) , ସହ ସୁସଂଗତ । ତେଣୁ କ ଏ K.G Suresh ଙ୍କୁ ତାଙ୍କର ଏତାଦୃଶ ମତ ପାଇଁ ସରକାର ଯେ ତାଙ୍କୁ ମହାନିର୍ଦ୍ଦେଶକ ପଦବୀ ଦ୍ୱାରା ପୁରସ୍କୃତ କରିଛନ୍ତି ଏହା ଉଲ୍ଲେଖ କରିବା ଅନାବଶ୍ୟକ । କିନ୍ତୁ କଏ K.G Sureshଙ୍କର ଏହି ଲେଖାଟି ବିରୋଧରେ ତୀବ୍ର ପ୍ରତିକ୍ରିୟା କରି ସମ୍ପାଦକ ଚନ୍ଦନ ମିତ୍ରଙ୍କୁ ଏକ ଖୋଲା ଚିଠି ଲେଖିଥିଲେ ଜେ ଏନ୍ ୟୁର ଏକ ଛାତ୍ର ସଂଗଠନ । ସେମାନେ ଅଭିଯୋଗ କରିଥିଲେ୧୬ ଯେ ଏହି ଲେଖାଟି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏହାର ଅଧ୍ୟାପକ ଓ ଛାତ୍ରଙ୍କ ବିରୁଦ୍ଧରେ ମିଥ୍ୟା ଓ ବିଦ୍ୱେଷମୂଳକ ଅପପ୍ରଚାର ବ୍ୟତିତ ଆଉ କିଛି ନୁହେଁ । ( ‘‘full of nothing but a bunch of lies and malicious and false propaganda, against Jawaharlal Nehru University, its faculty members and many of student organizations functioning there’ ….. ‘vile attempt by your newspaper to portray the students, teachers and various democratic organizations in such a malevolent light’  )
ଫେବୃଆରୀ ୯ ପରେ କେତୋଟି ପ୍ରତିକ୍ରିୟା
ତେଣୁ ଫେବୃଆରୀ ୯, ୨୦୧୬ ଦିନ ଜେ ଏନ ୟୁ ପରିସରରେ ଯେଉଁ ଘଟଣା ଘଟିଲା ଓ ଏହା ବିରୋଧରେ ବିଜେପି ନେତୃତ୍ୱରେ କେନ୍ଦ୍ର ସରକାର ଯେପରି ତତ୍ପରତା ଦେଖାଇଲେ ତାହା ଉପରୋକ୍ତ ଅବତାରଣାର ପୃଷ୍ଠଭୂମିରେ ବିଶେଷତଃ ବାମପନ୍ଥୀମାନଙ୍କ ପ୍ରତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସହଜାତ ନକାରାତ୍ମକ ମନୋଭାବର ପୃଷ୍ଠଭୂମିରେ, ସ୍ୱାଭାବିକ ମନେ ହୁଏ । କିନ୍ତୁ ଏହି ଘଟଣାକୁ ଉପଲକ୍ଷ  କରି ଜେ ଏନ ୟୁକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାର ସୁଯୋଗକୁ ହାତ ଛଡା ନ କରିବା ପାଇଁ ଡକ୍ଟର ଚନ୍ଦନ ମିତ୍ର ଯେଉଁ ପରାମର୍ଶ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ତାହା ଦର୍ଶାଏ ମିତ୍ର ମହାଶୟଙ୍କର ଏହି ଅନୁଷ୍ଠାନ ବିରୋଧରେ କ୍ରୋାଧର ଗଭୀରତା୧୭ । ଏହି ପରାମର୍ଶ ଦେବା ବେଳେ ସେ ଜେ ଏନ୍ ୟୁର ବାମପନ୍ଥୀ ମାନଙ୍କୁ  ନିର୍ମମ  ଭାବରେ ସମାଲୋଚନା କରନ୍ତି ଓ ଏମାନଙ୍କର ଆନ୍ଦୋଳନକୁ ସବସିଡି ବଂଚିତଙ୍କର ବ୍ୟର୍ଥ ମୋଦୀ ବିରୋଧୀ ଆନ୍ଦୋଳନ ବୋଲି ଅଭିହିତ କରନ୍ତି (What we are witnessing in Delhi for the last few days is a futile rebellion of the subsidy-deprived. They have been led to believe that only if their tin-pot agitation succeeds in islodging Modi…) । ମିତ୍ର ମହାଶୟ କେବଳ ବନ୍ଦ କରି ଦେବାର ପରାମର୍ଶ ଦେଇ ନୀରବ ହୋଇନାହାନ୍ତି ,  ଜେ ଏନ୍ ୟୁର ଏହି ବିଶାଳ ପରିସରର ବିକଳ୍ପ ବ୍ୟବହାରର ମଧ୍ୟ ଏକ ଠୋସ ପ୍ରସ୍ତାବ ରଖିଛନ୍ତି – Lal Bahadur Shastri National Academy of Adminstration  ହାତକୁ ଟେକି ଦେବାର ଏକ ବୈପ୍ଳବିକ ପ୍ରସ୍ତାବ  । ତାଙ୍କ ମତରେ ଏହା ହିଁ ସବୁଠାରୁ ବଡ ସମାଧାନ,  ପରିସରରେ ସୃଷ୍ଟି ହୋଇଥିବା ଅର୍ଥହୀନ ବିକ୍ଷୋଭ ବିରୁଦ୍ଧରେ ଯାହାର ମୂଳରେ ରହିଛି ହତାଶା ଓ ବିଜେପି ବିରୋଧୀ କଟୁତା (These will be the best and most productive outcomes of a meaningless agitation born of frustration and anti-BJP vitriol) । ଅକ୍ସଫୋର୍ଢ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଡକ୍ଟରେଟ ଚନ୍ଦନ ମିତ୍ର ଜେ ଏନ୍ ୟୁ କୁ ଶୋଷକ ଓ ବିଦ୍ରୋହୀ ଉତ୍ପାଦନର ଏକ ଫାକ୍ଟରୀ ମାତ୍ର (a factory that produces only spongers and malcontents) ବୋଲି ଅଭିହିତ କରନ୍ତି ଓ କ୍ଷୋଭ ପ୍ରକାଶ କରନ୍ତି ଯେ କିପରି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଏହାର ସ୍ଥାନ ନିମ୍ନଗାମୀ ହୋଇଛି (‘JNU’s standing among India’s educational institutions fell dramatically.’)ଏହା ତ ଭିନ୍ନ କଥା ଯେ ଚଳିତ ବର୍ଷ  ଜେ ଏନ ୟୁ ଭାରତର ସର୍ବୋକ୍ରୃଷ୍ଟ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରେ ୩ୟ ସ୍ଥାନରେ ଅଛି ବୋଲି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ତରଫରୁ ସୂଚନା ଦିଆଯାଇଛି ଓ ବର୍ଷିଆନ୍ ସାମ୍ବାଦିକ ତଥା ବିଲାତ ଦେଶକୁ ଏକଦା ହାଇକମିଶନର କୁଲଦୀପ ନାୟାରଙ୍କ ଦୃଷ୍ଟିରେ ଜେ ଏନ୍ ୟୁୁ ହେଉଛି ବିଲାତ ଦେଶର ଅକ୍ସଫୋର୍ଡ ବା ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାଡ୍  ବିଶ୍ୱବିଦ୍ୟାଳୟ ସଦୃଶ୧୮ (In fact, JNU is like Oxford in the United Kingdom or Harvard in America) ଚନ୍ଦନ ମିତ୍ରଙ୍କର ବାମପନ୍ଥୀଙ୍କ ପ୍ରତି ବିଦ୍ୱେଷ ଓ ତତ୍ଜନିତ କ୍ରୋଧ ତାଙ୍କର ସାମ୍ବାଦିକ ଭାବେ ଆବଶ୍ୟକୀୟ ନିରପେକ୍ଷତା ଓ ଇତିହାସକାର ଭାବେ ବିଶ୍ଳେଷଣର ବସ୍ତୁନିଷ୍ଠତାକୁ ଖର୍ବ କରିଦେଇଛି ଯଦିଓ  ବିଜେପି ଦଳ ପ୍ରତି ଓ ନରେନ୍ଦ୍ର ମୋଦିଙ୍କ ପ୍ରତି ତାଙ୍କର ଆନୁଗତ୍ୟକୁ  ଅଧିକ ବହଳ କରିଛି । ଉଲ୍ଲେଖନୀୟ ଯେ ବିଜେପିର ସାଂସଦ ଭାବେ ରାଜ୍ୟ ସଭାରେ ମିତ୍ର ମହାଶୟଙ୍କର କାର୍ଯ୍ୟକାଳ ଜୁନ ୨୦୧୬ ରେ ସରୁଛି । ସବୁଠୁ ମଜା କଥା ହେଉଛି ବିସ୍ଫୋରକ ଓ ଅତ୍ୟନ୍ତ ବିତର୍କିତ ବୟାନ ଦେବାରେ ପ୍ରବୀଣ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀଙ୍କୁ ମଧ୍ୟ ଚନ୍ଦନ ମିତ୍ର ପଛରେ ପକାଇ ଦେଇଛନ୍ତି । ସ୍ୱାମୀ ମହୋଦୟ ତ ଜେ ଏନ ୟୁକୁ  ମାତ୍ର ଚାରି ମାସ ପାଇଁ ବନ୍ଦ କରିବାର ଦାବି କରିଥିଲେ୧୯ । ଏହା ସ୍ମରଣ କରାଇବା ଅନାବଶ୍ୟକ ଯେ ସୁବ୍ରମଣିଅନ୍ ସ୍ୱାମୀ ମଧ୍ୟ ଜଣେ ଅତ୍ୟନ୍ତ ମେଧାବୀ ଅର୍ଥନୀତିଜ୍ଞ, ଦୀଲ୍ଲୀ ଆଇ ଆଇ ଟିରୁ ଆରମ୍ଭ କରି ହାର୍ଭାଡ ବିଶ୍ୱବିଦ୍ୟାଲୟ ପର୍ଯ୍ୟନ୍ତ ଅର୍ଥଶାସ୍ତ୍ରର ଜଣେ ଉଚ୍ଚକୋଟୀର ପ୍ରଫେସର ଭାବେ ପରିଚିତ । ମିତ୍ର ହୁଅନ୍ତୁ ବା ସ୍ୱାମୀ, ସେମାନଙ୍କର ଏକ ଆକର୍ଷଣୀୟ ବୈାଦ୍ଧିକ ପୃଷ୍ଠଭୂମି ସତ୍ତେ୍ୱ ସେମାନେ ଯେ ଜେ ଏନ୍ ୟୁ ଭଳି ଏକ ବୈାଦ୍ଧିକ ପୀଠ ସମ୍ପର୍କରେ ଏପରି ପ୍ରତିକୂଳ ମତ ପୋଷଣ କରିପାରନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ମୂଳତଃ ଏହା ବାମପନ୍ଥୀମାନଙ୍କ ବିରୋଧରେ ବିଦ୍ୱେଷର ଅଭିବ୍ୟକ୍ତି ହୋଇଥିବା ହେତୁ ବାମପନ୍ଥୀମାନଙ୍କୁ ରାଷ୍ଟ୍ର ବିରୋଧୀ ବୋଲି ବିଚାର କରୁଥିବା ଶକ୍ତି ମାନଙ୍କୁ ଉଲ୍ଲସିତ କରୁଥିବ ଏଥିରେ ସନ୍ଦେହ ନାହିଁ । ଚନ୍ଦନ ମିତ୍ର ଓ ସୁବ୍ରମଣିଅନ୍ ସ୍ୱାମୀଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ଜେ ଏନ୍ ୟୁ କୁ ବନ୍ଦ କରି ଦେବାର ଦାବି ପଛରେ ପେଶ କରିଥିବା ଆଦର୍ଶଗତ କାରଣ ସାଧାରଣ ବ୍ୟକ୍ତିଙ୍କ ପାଇଁ ହୁଏତ ବୋଧଗମ୍ୟ ନ ହୋଇ ପାରେ । କିନ୍ତୁ ରାଜସ୍ଥାନ ପ୍ରଦେଶର ବିଜେପି ବିଧାୟକ ଜ୍ଞାନଦେବ ଆହୁଜା ‘ଜେ ଏନ୍୍ ୟୁୁ ଦେଶଦ୍ରୋହୀ’ଙ୍କ ବିରୋଧରେ ଏକ ବିକ୍ଷୋଭ ସମାବେଶରେ ଜେ ଏନ୍ ୟୁ ପରିସରର ଯେଉଁ ଚିତ୍ର ପରିବେଷଣ କରନ୍ତି ତାହା ସାଧାରଣ ବ୍ୟକ୍ତିର କଳ୍ପନାକୁ ସହଜରେ ଆନ୍ଦୋଳିତ କରିଦେବ । ସେ ଦାବି କରନ୍ତି ଯେ ଜେ ଏନ୍ ୟୁ ପରିସରରେ ପ୍ରତ୍ୟେକ ଦିନ ଜଣେ ଦେଖିବାକୁ ପାଏ ଖୋଲାରେ ପଡିଥିବା ବ୍ୟବହୃତ ୩୦୦୦ ବିଅର ବୋତଲ, ୨୦୦୦ ଭାରତୀୟ ମଦ ବୋତଲ,୧୦,୦୦୦ ସିଗାରେଟ ଗୁଳା , ୪୦୦୦ ବିଡି ଖଣ୍ଡ, ୫୦,୦୦୦ ମାଂସ ହାଡ ଖଣ୍ଡ, ୨୦୦୦ ଚିପ୍ସ ଖୋଳ, ୩୦୦୦ କଣ୍ଡମ ଓ ୫୦୦ ଗର୍ଭପାତ୍ ଇଂଜେକ୍ସନ । କଦାପି  କଲେଜ ମାଟି ମାଡି ନ ଥିବା, ମାତ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢିଥିବା ଆହୁଜା ମହୋଦୟ କିପରି ଜେ ଏନ୍ ୟୁ ଭଳି ଉଚ୍ଚତ୍ତର  ଶିକ୍ଷାନୁଷ୍ଟାନ ସମ୍ପର୍କରେ ଏପରି ପରିସଂଖ୍ୟାନ ସଂଗ୍ରହ କରିପାରିଲେ ତାହାହିଁ ବିସ୍ମୟକର । ଉଲ୍ଲେଖନୀୟ ଯେ ରାମଲୀଳାରେ ରାବଣ ଭୂମିକାରେ ପ୍ରସିଦ୍ଧି ଲାଭ କରିଥିବା ଆହୁଜା ମହୋଦୟ ପିଲାଟି ଦିନରୁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହ ସଂଶ୍ଳିଷ୍ଟ  ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକଦା ସଦସ୍ୟ ଥିଲେ । ।ଅବଶ୍ୟ ଏହି ମନ୍ତବ୍ୟ ପାଇଁ ବିଜେପି ସଭାପତି ଅମିତ ଶାହ ଜ୍ଞାନଦେବ ଆହୁଜାଙ୍କୁ ତାଗିଦ କରିଛନ୍ତି ।  ଏହି ତାଗିଦର କଣ ପ୍ରଭାବ ପଡିଛି ତାହା ତ ଜଣା ନାହିଁ । କିନ୍ତୁ ସେ ତାଙ୍କ ମତରେ ଅଟଳ ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି୨୦  ।  ଜେ ଏନ ୟୁ ସମ୍ପର୍କରେ ଏପରି ପ୍ରତିକୂଳ ମନ୍ତବ୍ୟ ଓ ପ୍ରତିକ୍ରିୟା କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ହିଁ  ତୀବ୍ର ରୁ ତୀବ୍ରତର ହୋଇଛି ଏହା କହିବା ଅନାବଶ୍ୟକ । କେନ୍ଦ୍ର ସରକାର ତ ଖୁବ ତତ୍ପର ହୋଇ ପଡିଛନ୍ତି । ଏପରିକି ବିଜେପିର ଅଧ୍ୟକ୍ଷ ଅମିତ ଶାହ ତାଙ୍କର କର୍ମୀମାନଙ୍କୁ ଜେ ଏନ୍ ୟୁ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବା ପାଇଁ ଆହ୍ୱାନ ଦେଇଛନ୍ତି୨୧ା  ଅର୍ଥାତ୍ ରାର୍ଷ୍ଟୀୟ ସ୍ୱଂୟ ସେବକ, ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ବିଜେପି ତରଫରୁ ଜେ ଏନ ୟୁ ସମ୍ପର୍କରେ କୈାଣସି ଅଭିଯୋଗକୁ ଅଣଦେଖା କରାଯିବ ନାହିଁ ଏହା ହିଁ ସମ୍ବାଦ । ଏହା ମଧ୍ୟ ବିଜେପି ସରକାର କାର୍ଯ୍ୟରେ ଦେଖାଇଛନ୍ତି, ଫେବୃାଆରୀ ୯ ଘଟଣା ପରେ ଜେ ଏନ୍ ୟୁ ଛାତ୍ର ସଂଗଠନର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଛାତ୍ର ନେତାମାନଙ୍କୁ ଗିରଫ କରାଇ । ଅମିତ ଶାହଙ୍କର ଉପରୋକ୍ତ ବକ୍ତବ୍ୟ ପରେ ପରେ ଜେ ଏନ୍ ୟୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭାପତି ଘୋଷଣା କରନ୍ତି ଯେ ତାଙ୍କର ଲଢେଇ ମଧ୍ୟ ଜେ ଏନ୍ ୟୁର ସେହି ୨୦୦ ଅଧ୍ୟାପକମାନଙ୍କ ବିରୁଦ୍ଧରେ ଯେଉଁମାନେ ଜେ ଏନ ୟୁ ପରିସରକୁ ଲାଲଗଡରେ ପରିଣତ କରିଛନ୍ତିି୨୨  (“These 200 professors have created a Lalgarh and ultra-Leftist hub inside the JNU campus.”)  । ତେଣୁ କଂଗ୍ରେସ ମୁକ୍ତ ଭାରତ ଗଢିବା ପାଇଁ ଏକଦା ପ୍ରତିଶୃତିବଦ୍ଧ୨୩ ବିଜେପିର ଶାସନ କାଳରେ ଆମେ କ’ଣ ପ୍ରଥମେ ବାମପନ୍ଥୀ ମୁକ୍ତ ଜେ ଏନ୍ ୟୁ ଦେଖିବା?

ବ୍ୟବହୃତ ଉପାଦାନ ସୂଚୀ

1.Hafiz Saeed was behind the JNU incident, says Home Minister Rajnath Singh | Latest News & Go… http://www.india.com/news/india/hafiz-saeed-was-behind-the-jnu-incident-says-home-minister-…
2.Hafiz Saeed Dismisses Rajnath Singh’s Claim Over JNU Protests http://www.ndtv.com/india-news/hafiz-saeed-dismisses-rajnath-singhs-claim-over-jnu-protests-..
3.Google Maps shows JNU as ‘anti-national’!, ANI ,  Zeenews,March 25, 2016 , http://zeenews.india.com/news/india/google-maps-shows-jnu-as-anti-national_1869061.html
4.Don’t dub JNU a terrorist hub, Arvind Kejriwal tells Narendra Modi | Latest News &… http://www.india.com/news/india/jnu-row-dont-dub-jnu-a-terrorist-hub-arvind-kejriwal-tells-na…;
After 47 years of stellar work, JNU is now anti-national? For the love of our country, stop! http://www.firstpost.com/printpage.php?idno=2630166&sr_no=0
5.JNU seat-seeker queue belies ‘canards’, Basant Kumar Mohanty, The Telegraph, Calcutta, March 29,2016,http://www.telegraphindia.com/1160329/jsp/nation/story_77031.jsp#.Vvs3gTFb00Q
6.National Institutional Ranking Framework,Ministry of Human Resource Development,Government of India, https://www.nirfindia.org/univ
7.National Institutional Ranking Framework,Ministry of Human Resource Development,Government of India,https://www.nirfindia.org/engg
8.Subramanian Swamy dubs JNU students, professors as ‘naxals’, Sat, 26 Sep 2015, ANI, http://www.dnaindia.com/india/report-subramanian-swamy-dubs-jnu-students-professors-as-nax…
9.Subramanian Swamy calls Jawahar Lal Nehru ‘third class pass’, proposes to rename JNU after Netaji,Zee Media Bureau (With PTI inputs),http://zeenews.india.com/news/india/subramanian-swamy-calls-jawahar-lal-nehru-third-class-pa…
10.JNU is home to anti-national forces which aim to disintegrate India: RSS mouthpiece, Firstpost, Nov 3, 2015,http://www.firstpost.com/printpage.php?idno=2492774&sr_no=
11.Dantewada aftershocks at JNU, NDTV Correspondent,   April 12, 2010,http://www.ndtv.com/india-news/dantewada-aftershocks-at-jnu-415103
12.Dantewada massacre: BJP condemns ‘celebrations’ in JNU, : IANS  Sat, Apr 10, 2010 .http://www.sify.com/news/dantewada-massacre-bjp-condemns-celebrations-in-jnu-news-national-kekqaecjbdcsi.html
13.TOO SERIOUS TO BE BRUSHED ASIDE ,KG Suresh ,The Pioneer, 02 June 2014 , http://www.dailypioneer.com/print.php?printFOR=storydetail&story_url_key=too-serious-to-be..
14.Vivekananda International Foundation – Wikipedia, the free encyclopedia https://en.wikipedia.org/wiki/Vivekananda_International_Foundation
15.(K G Suresh is new IIMC head,Express News Service| New Delhi | Published:March 31, 2016 ,http://indianexpress.com/article/india/india-news-india/k-g-suresh-is-new-iimc-head/99/print/)
16.An Open Letter to Chandan Mitra, Editor of Daily Pioneer,June 13, 2014 ,by Democratic Students’Union (DSU), Jawaharlal Nehru University Unit ,http://sanhati.com/articles/10433.
17.Government Should Take This Chance To Shut Down JNU,Chandan Mitra , NDTV, February 17,2016, http://www.ndtv.com/opinion/government-should-take-this-chance-to-shut-down-jnu-127818
18Politicians, please spare students , Kuldip Nayar, The Statesman,| 25 February, 2016 , http://www.thestatesman.com/news/opinion/politicians-please-spare-students/  125866.html#vTYzLMtUgyQ1pgyr.99
19.Subramanian Swamy demands closing of JNU for 4 months, PTI, The Hindu , February 16, 2016,http://www.thehindu.com/news/national/subramanian-swamy-demands-closing-of-jnu-for-4-mon…
20.BJPCountsCondoms Trended. Furious Amit Shah Summons Gyandev Ahuja, by Rahul Shrivastava, NDTV, February 24, 2016 ,http://www.ndtv.com/india-news/for-making-bjpcountscondoms-trend-lawmaker-gyandev-ahuja-;
I stand by remark on JNU, says BJP MLA Gyandev Ahuja , Hamza Khan,The Indian Express , Jaipur , February 24, 2016 , http://indianexpress.com/article/india/india-news-india/i-stand-by-remark-on-jnu-says-bjp-mla-…
21.Shah tells party to focus on JNU battle ,The Telegraph, March 20,2016,http://www.telegraphindia.com/1160320/jsp/nation/story_75529.jsp#.Vu4kbEBb00Q
22.Our fight against faculty too, not just students: JNU ABVP leader ,The Indian Express, March 22, 2016 , http://indianexpress.com/article/cities/pune/our-fight-against-faculty-too-not-just-students-jnu-ab..
23.“Congress Mukt Bharat is not merely a slogan, but the determination of the people of India”: Shri Modi at Goa’s Vijay Sankalp Rally,January 12, 2014,http://www.narendramodi.in/hi/%E2%80%9

Print Friendly, PDF & Email