ନଭେମ୍ବର ପ୍ରଥମ ସପ୍ତାହ ଓଡ଼ିଶାରେ ଦୁର୍ନୀତି ନିବାରଣ ସପ୍ତାହ । ଏହି ସପ୍ତାହ ଆରମ୍ଭ ହୁଏ ସରକାରୀ କର୍ମଚାରୀଙ୍କ ଶପଥରୁ ଯେ ସେମାନେ ଦୁର୍ନୀତି କରିବେନାହିଁ । ରାଜନେତାମାନଙ୍କ ଉପସ୍ଥିତିରେ ଏଭଳି ଶପଥ ନିଆଯାଏ । ଖବରକାଗଜ, ଗଣମାଧ୍ୟମରେ ଏହି ସପ୍ତାହରେ ହେଉଥିବା ସଭାସମିତି, ସେମିନାର, ୱାର୍କସପ୍ ଇତ୍ୟାଦିର ପ୍ରବଳ ପ୍ରଚାର ହୁଏ । ତା’ ପରବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଆସିବା ବେଳକୁ ଦୁର୍ନୀତି ବିଭାଗ ଜାଲରେ ପଡ଼ୁଥିବା ସରକାରୀ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ଘଟିବା କିନ୍ତୁ ଦେଖାଯାଏ ନାହିଁ । ତେଣୁ ଏଭଳି ଆୟୋଜନ ଓ ଶପଥ ଗ୍ରହଣ ଯେ ପ୍ରହସନ, ତାହା ଅନେକେ କହିବା ସ୍ୱାଭାବିକ । ଏହା ପ୍ରହସନ ବୋଲି ଆହୁରି ମନେହୁଏ ଯେତେବେଳେ ଦେଖାଯାଏ ଯେ ସରକାରୀ ପ୍ରମାଣପତ୍ର ନଥିବା ଅଥଚ ଦୁର୍ନୀତିଗ୍ରସ୍ତ ହୋଇଥିବା ଲୋକ ଏହିଭଳି ଶପଥପାଠକୁ ନେତୃତ୍ୱ ଦେଉଛି । ପୁନଶ୍ଚ ଦୁର୍ନୀତି ନିବାରଣ ବିଭାଗ ଯେଉଁମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହି ତାଙ୍କ ନାମରେ ମକଦ୍ଧମା କରୁଛି-ସେମାନଙ୍କ ଭିତରୁ ଅଧିକାଂଶ ନିଦେ୍ର୍ଧାଷ ପ୍ରମାଣିତ ହେଉଛନ୍ତି । ଏହି ବିଭାଗ ହାବୁଡ଼ରେ ପଡ଼ି ସାଧାରଣ କର୍ମଚାରୀଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କର୍ମଚାରୀ ଜେଲ୍ୟିବା ଓ ତା’ପରେ ମୁକୁଳି ଆସି ସାଧାରଣ ଜୀବନଭିତରେ ପୁଣି ସାମିଲ ହୋଇଯାଉଛି । ତା’ର ସାମାଜିକ ଗ୍ରହଣୀୟତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁଥିବାର ମନେ ହେଉନାହିଁ । କହିବା ବାହୁଲ୍ୟ ଯେ,ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସଚେତନ ଭାବେ ସାମାଜିକ ବାସନ୍ଦ କରାନଯିବା ଫଳରେ ଦୁର୍ନୀତିପାଇଁ ଧରପଗଡ଼ ଏକ ପ୍ରହସନ ପରି ହିଁ ମନେ ହେଉଛି । ଅବଶ୍ୟ ଦୁର୍ନୀତି ଏକ ଚମକ୍ରାର ରାଜନୈତିକ ଅସ୍ତ୍ର ଭାବେ ଓଡ଼ିଶା ରାଜନୀତିରେ ଗତ ଚାରିଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ବ୍ୟବହାର ହୋଇ ଆସୁଅଛି । ଏହାକୁ ପ୍ରସଙ୍ଗ କରି ରାଜନୈତିକ ଦଳଗୁଡ଼ିକ କ୍ଷମତାସୀନ ହୋଇଛନ୍ତି,କ୍ଷମତାରୁ ବିତାଡ଼ିତ ହୋଇଛନ୍ତି ବା କ୍ଷମତାରେ କାଏମ ରହିଛନ୍ତି । ନବୀନ ସରକାର ପୂର୍ବରୁ ଦୁର୍ନୀତି ଏକ ପ୍ରସଙ୍ଗଭାବେ ସମୁଦାୟ ସରକାରଙ୍କୁ ପ୍ରଭାବିତ କରୁଥିଲା-କୌଣସି ମନ୍ତ୍ରୀ ବିଶେଷଙ୍କୁ ଦାୟୀ କରି ତାଙ୍କୁ ବିତାଡ଼ିତ କରିବାର ପରମ୍ପରା ପ୍ରାୟ ନଥିଲା । ନବୀନ ବାବୁଙ୍କ ନେତୃତ୍ୱରେ ଏହି ପରମ୍ପରା ଆରମ୍ଭ ହୋଇଛି ଓ ଅତି ନିଷ୍ଠାରସହ ପାଳିତ ହେଉଛି । ପ୍ରାୟତଃ ୧୦ ଜଣ ମନ୍ତ୍ରୀ ବିଭିନ୍ନ ଅଭିଯୋଗରେ ବିତାଡ଼ିତ ହେଲେଣି । ବିଡ଼ମ୍ବନା ଯେ ପ୍ରତ୍ୟେକ ବହିଷ୍କାର ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତିଶାଳୀ କରିଛି ଓ ତାଙ୍କ ନେତୃତ୍ୱରେ କାଏମ ରହିବା ପାଇଁ ସରକାରକୁ ଶକ୍ତି ଯୋଗାଇଛି ।
ଦୁର୍ନୀତିର ବୋଧହୁଏ ଅକାଟ୍ୟ ପ୍ରମାଣ ହେଉଛି ବିଭାଘରମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟ ଓ ପ୍ରାଚୁର୍ଯ୍ୟର ଅଶ୍ଳୀଳ ପ୍ରଦର୍ଶନ । କିନ୍ତୁ ଏହିଭଳି ବିଭାଘର ମାନଙ୍କରେ ଆମେ ସମସ୍ତେ ସାମିଲ ହୋଇ ଏହିଭଳି ଦୁର୍ନୀତିଭିତ୍ତକ ପ୍ରାଚୁର୍ଯ୍ୟର ପ୍ରଦର୍ଶନକୁ ସାମାଜିକ ସ୍ୱୀକୃତି ଦେଉଛୁ । ଏହା ଦୁର୍ନୀତି ବିରୋଧରେ ଆମର ଶପଥକୁ ପ୍ରହସନ କରିଦେଉ ନାହିଁ କି? ଓଡ଼ିଶା ଭଳି ରାଜ୍ୟରେ ବୈଷମ୍ୟ ନିୟନ୍ତ୍ରଣ ହିଁ ପ୍ରାଥମିକତା ପାଇବା ଉଚିତ । ଦୁର୍ନୀତି ବିରୋଧରେ ଯେଉଁମାନେ ପ୍ରକୃତରେ ପ୍ରତିବଦ୍ଧତା ଦର୍ଶାନ୍ତି-ସେମାନେ ଏହି ବୈଷମ୍ୟ ବୃଦ୍ଧିକୁ କିପରି ପ୍ରତିରୋଧ କରାଯାଇପାରିବ, ତା’ର ସୂତ୍ର ବାହାର କରିବା ଉଚିତ