୧-୧୬ଅଗଷ୍ଟ, ୨୦୧୦
କିଛିଦିନ ତଳେ ଭୁବନେଶ୍ୱର ରାଜରାସ୍ତାରେ ଗୋଟିଏ ବଳଦଗାଡ଼ିରେ ଯାଇ କିଛି ଯୁବକଯୁବତୀ ବୃକ୍ଷ ଚାରା ବାଣ୍ଟୁଥିବା ରାସ୍ତାରେ ଯାଉଥିବା ଗଣଙ୍କୁ ଓ ଗଣମାଧ୍ୟମକୁ ବେଶ୍ ଆକୃଷ୍ଟ କରିଥିଲା । ଯେଉଁମାନେ ଏହି ଦୃଶ୍ୟ ପ୍ରତ୍ୟକ୍ଷ ଦେଖିନଥିଲେ ସେମାନେ ପରଦିନ ଖବରକାଗଜ ପୃଷ୍ଠାରେ ଦେଖି ବେଶ୍ ଉଲ୍ଲସିତ ହୋଇଥିଲେ । ଯେଉଁ ସଙ୍ଗଠନର ପୃଷ୍ଠପୋଷକତାରେ ଏହି ଉଦ୍ୟମ କରାଯାଉଥିଲା- ସେ ସଙ୍ଗଠନର ଉଦେ୍ଧଶ୍ୟ ବୋଧହୁଏ ଥିଲା ଯେ ଭୁବନେଶ୍ୱରର ନାଗରିକ ଏହି ଚାରାନେଇ ଲଗାଇବେ ଓ ଭୁବନେଶ୍ୱରକୁ ଏକ ବୃକ୍ଷର ସହରରେ ପରିଣତ କରିଦେବାର ମୂଳଦୁଆ ପକାଇବେ । କ୍ୟାମେରା ସାମ୍ନାରେ ଏଭଳି ଉଦ୍ୟମ ଆନ୍ତର୍ଜାତିକ ପରିବେଶ ସଙ୍ଗଠନଗୁଡ଼ିକୁ ରୋମାଞ୍ଚôତ କରିଦେବ ଓ ଆନ୍ତର୍ଜାତିକ ସ୍ରୋତରୁ ଅନୁଦାନର ପ୍ରବାହ ଯେ ସହଜ ହୋଇଯିବ -ଏହା କହିବା ବାହୁଲ୍ୟମାତ୍ର । କିନ୍ତୁ ଏହିଭଳି ଉଦ୍ୟମ ସେମାନଙ୍କ ପାଇଁ ଉପହାସ ଯେଉଁମାନେ ବ୍ୟଥିତ ଏହା ଦେଖି ଯେ କିପରି ତିନିହଜାରରୁ ଊଦ୍ଧ୍ୱର୍ ବିରାଟ ବିରାଟ ବହୁବର୍ଷର ପୁରାତନ ଗଛଗୁଡ଼ିକୁ ନିର୍ମମ ଭାବରେ କାଟି ପକାଇ ଦିଆଗଲା- ରାସ୍ତାକୁ ଚଉଡ଼ା କରିବା ପାଇଁ । ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ଯେ ୩୮୬୮ଟି ଗଛ ବର୍ତ୍ତମାନ ସୁଦ୍ଧା କଟାଯାଇଛି ଓ ଆହୁରି ୩୦୪ଟି ଗଛ କଟାଯିବାର ପ୍ରସ୍ତାବ ରହିଛି । କାଟିବା ଅପରିହାର୍ଯ୍ୟ ହୋଇପଡ଼ିଛି କାରଣ ରାସ୍ତା ଚଉଡ଼ା ହେବ- ଗାଡ଼ିସଂଖ୍ୟା ଯେ ବଢ଼ିଲାଣି । ନିମ୍ନୋକ୍ତ ସାରଣୀରୁ ବୁଝିପାରିବା ଯେ ଏହି ସଂଖ୍ୟାରେ ବୃକ୍ଷହନନ ଦ୍ୱାରା ଅମ୍ଳଜାନ ପ୍ରସ୍ତୁତିରେ କେତେ ପରିମାଣରେ ହ୍ରାସହେଲା ଓ ଅଙ୍ଗାରକାମ୍ଳର ପରିମାଣ ବାୟୁମଣ୍ଡଳରେ କେତେ ବଢ଼ିଲା ।
ଉଦାହରଣସ୍ୱରୂପ ବୃକ୍ଷର ବ୍ୟାସ ଯଦି ୧୮ଇଞ୍ଚରୁ ୨୧ଇଞ୍ଚ ଭିତରେ ଥାଏ, ତା’ହେଲେ ବର୍ଷକୁ ସେ ୧୧୫ ପାଉଣ୍ଡ ବା ୫୧.୭୫କିଲୋଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରେ ଓ ୪୩ପାଉଣ୍ଡ ବା ୧୯.୩୫କି.ଗ୍ରା ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳରୁ ଶୋଷି ଦେଇଥାଏ । ଗୋଟିଏ ବୃକ୍ଷ ତାହାର ୫୦ବର୍ଷ ଜୀବନକାଳ ଭିତରେ ୩୧,୨୫୦ଡଲାର ମୂଲ୍ୟର ଅମ୍ଳଜାନ ପ୍ରସ୍ତୁତ କରିଥାଏ । ବାୟୁମଣ୍ଡଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯାହା ଯୋଗାଏ ତାହାର ମୂଲ୍ୟ ହେବ ପ୍ରାୟଃ ୬୨,୦୦୦ ଡଲାର ।(ଦ୍ରଷ୍ଟବ୍ୟ http://www. colradotrees.org/benefits.htm)
ତେଣୁ ୩୮୬୮ଟି ଗଛ କାଟି ଦିଆଯିବା ଫଳରେ କେଉଁ ପରିମାଣର ଅମ୍ଳଜାନ ପ୍ରସ୍ତୁତି ବାଧାପ୍ରାପ୍ତ ହେଲା ଓ କେଉଁ ପରିମାଣରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ରହିଲା- ତାହାର ଏକ ଆକଳନ ଉପରୋକ୍ତ ସାରଣୀ ଅନୁସାରେ କରାଯାଇପାରେ । ଗଛଗୁଡ଼ିକର ବୟସ ଅନୁସାରେ କେଉଁ ମୂଲ୍ୟର କ୍ଷତିହେଲା ତାହାର ମଧ୍ୟ ଆକଳନ କରାଯାଇପାରେ ।
ତେଣୁ କଟାଯାଇଥିବା ଗଛକୁ ରକ୍ଷା କରିବା ପାଇଁ ଏହି ସଙ୍ଗଠନ ଯଦି ଆଗଭର ହୋଇଥାନ୍ତେ-ଚିପ୍କୋ ଆନେ୍ଦାଳନର ଢାଞ୍ଚାରେ ଏକ ଆନେ୍ଦାଳନ ଗଢ଼ିବାରେ ନେତୃତ୍ୱ ନେଇଥାନ୍ତେ- ତା’ହେଲେ ଚାରା ବାଣ୍ଟିବା ପିଲାଳିଆ ବୋଲି ଲାଗନ୍ତା ନାହିଁ ।
-ଶୁଦ୍ରକ