କହୈ୍ନୟାଙ୍କୁୁ ମାଡ: ସମ୍ବିଧାନ ପ୍ରତି ଆନୁଗତ୍ୟ କଣ ଦେଶପ୍ରେମ ନୁହେଁ?

  • 11/04/2017

                                                                                                                                                                 ବୀରେନ୍ଦ୍ର ନାୟକ

ଦାଦ୍ରୀ ଘଟଣା ମନେ ପଡୁଛି
୧୭ ଫେବୃଆରୀ, ୨୦୧୬ ଦିନ କୋର୍ଟ ପରିସର ଭିତରେ କହୈ୍ନୟାଙ୍କ ଉପରେ ଏକ ଉନ୍ମାଦ ଗୋଷ୍ଠୀର ଆକ୍ରମଣ ମନେ ପକାଇ ଦେଉଥିଲା  ଦାଦ୍ରୀରେ ଅଖଲାକଙ୍କ ଉପରେ ହୋଇଥିବା (୨୮ ସେପ୍ଟେମ୍ବର ୨୦୧୫ ରାତିରେ) ଏକ ଉନ୍ମାଦ ଗୋଷ୍ଠୀର ଆକ୍ରମଣକୁ । କେତେକଙ୍କୁ ମଧ୍ୟ ମନେ ପକାଇ ଦେଉଥିଲା ୧୯୯୨ ମସିହାରେ (୬ ଡିସେମ୍ବର) ବାବ୍ରୀ ମସଜିଦକୁ ଧ୍ୱସ୍ତ ବିଧ୍ୱସ୍ତ କରିବାର ଘଟଣା୧ । ଦାଦ୍ରୀରେ ଅଖଲାକଙ୍କ ବିରୁଦ୍ଧରେ ପ୍ରଚାର ହୋଇଥିଲା  ଯେ ସେ ତାଙ୍କ ଘରେ ଗୋମାଂସ ରଖିଛନ୍ତି । ଘରୁ ଘୋଷାରି ଆଣି ତାଙ୍କୁ ହତ୍ୟା କରିଥିଲେ ଏହି ଉନ୍ମାଦ ଗୋଷ୍ଠୀ । ପରେ ଜଣା ପଡିଲା ଯେ ତାହା ଗୋମାଂସ ନ ଥିଲା । ସେହିପରି କହୈ୍ନୟାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ପ୍ରମାଣ ହେବା ପୂର୍ବରୁ ତାଙ୍କୁ ଦେଶଦ୍ରୋହୀ କହି ହୋଇଥିଲା ହିଂସ୍ର ଆକ୍ରମଣ୨  ଓ ଏହା ଥିଲା ଏକ ସଂଗଠିତ ଓ ପୂର୍ବ ନିୟୋଜିତ (organized and pre-planned) ଆକ୍ରମଣ । ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କର ମାନସ ମଧ୍ୟ କହୈ୍ନୟାଙ୍କୁ ହତ୍ୟା କରିବା ଥିଲା । ତା ନ ହେଲେ ସେମାନଙ୍କ ମଧ୍ୟରୁ ଜଣେ (ୟଶପାଲ ସିଂହ) ଏକ ସ୍ଟିଂଗ ଅପରେସନରେ କହୁଥିବାର ଧରା ପଡନ୍ତେ ନାହିଁ ଯେ “I will get a petrol bomb no matter what case is filed against me. I will not leave him even if I am charged with murder…” ଏହି ସ୍ଟିଂଗ ଅପରେସନରେ ସେମାନେ ଆସ୍ଫାଳନ କରିବାର ଦେଖାଯାନ୍ତି ଯେ ସେମାନେ  କହୈ୍ନୟାଙ୍କୁ ତିନି ଘଣ୍ଟା ଧରି ଏପରି ବାଡେଇଥିଲେ ଯେ ସେ ପ୍ୟାଣ୍ଟରେ ପରିସ୍ରା କରିଦେଇଥିଲେ । କହିବା ବାହୁଲ୍ୟ, ଦାଦ୍ରୀରେ ଅଖଲାକଙ୍କ ଉପରେ ଆକ୍ରମଣ ଓ ଦୀଲ୍ଲୀର ପାଟିଆଲା ହାଉସ କୋର୍ଟ ପରିସରରେ  କହୈ୍ନୟାଙ୍କ ଉପରେ ଆକ୍ରମଣ ଇଂରାଜୀରେ ଯାହାକୁ କୁହାଯାଏ ‘mob lynching’ ତାହାର ହିଁ ଦୁଇଟି ଦୃଷ୍ଟାନ୍ତ । ଫରକ କେବଳ ଏତିକି ଯେ ଅସୁରକ୍ଷିତ ଅଖଲାକଙ୍କ ଉପରେ ଆକ୍ରମଣ ରାତିରେ ହୋଇଥିଲା ଓ ଆକ୍ରମଣରେ ସାମିଲ ଥିଲେ କିଛି ଉନ୍ମାଦ ଯୁବକ,  କିନ୍ତୁ ପୁଲିସ ସୁରକ୍ଷା ଭିତରେ ଥିବା କହୈ୍ନୟାଙ୍କ ଉପରେ ଆକ୍ରମଣ ହେଉଥିଲା ସ୍ପଷ୍ଟ ଦିବାଲୋକରେ, ଅଦାଲତର ପରିସର ଭିତରେ, ସୁପ୍ରିମ କୋର୍ଟର ନିଷେଧାଜ୍ଞା ବଳବତ୍ତର ଥିବା ବେଳେ ଓ ଆକ୍ରମଣରେ ସାମିଲ ଥିଲେ କିଛି ଆଇନଜୀବୀ ବା ଓକିଲଙ୍କର ଏକ ଉନ୍ମାଦ ଗୋଷ୍ଠୀ । ଏହି ଓକିଲ ଗୋଷ୍ଠୀ ଏତେ ଉନ୍ମାଦ ଥିଲେ ଯେ କହୈ୍ନୟାଙ୍କ ଉପରେ ଆକ୍ରମଣର ସରଜମିନ ତଦନ୍ତ ପାଇଁ ଆସିଥିବା ସୁପ୍ରିମ କୋର୍ଟ ଦ୍ୱାରା ଅଧିକାର ପ୍ରାପ୍ତ ବରିଷ୍ଠ ଆଇନଜୀବୀଙ୍କର ଏକ ଛ’ ଜଣିଆ କମିଟି ମଧ୍ୟ ଏମାନଙ୍କର  କ୍ରୋଧରୁ ବାଦ ପଡି ନ ଥଲା । ଏହି କମିଟିର ସଭ୍ୟ ରାଜୀବ ଧାୱନଙ୍କ ଭାଷାରେ୫ “We would have been beaten black and blue and barely escaped with our lives”ଏହି ଉନ୍ମାଦ ଓକିଲ ଗେଷ୍ଠୀର ନେତୃତ୍ୱ ଯେଉଁମାନେ  ସ୍ଟିଂଗ ଅପରେସନରେ ଧରା ପଡିଥିଲେ, ସେମାନେ ଆସ୍ଫାଳନ କରୁଥିଲେ ଯେ କିପରି ସେମାନେ କହୈ୍ନୟାଙ୍କ ମୁହଁରେ ‘ଭାରତ ମାତା କି ଜୟ’ କୁହାଇ ପାରିଛନ୍ତି । ଅଦାଲତର ସୁପରିଚାଳନାରେ ସାହାଯ୍ୟ କରିବା ପାଇଁ ଶପଥ ନେଇଥିବା ଓକିଲ ମାନେ ଅଦାଲତ ସମ୍ମୁଖରେ ହାଜର ହୋଇ ଦେଶଦ୍ରୋହର ଅଭିଯୋଗକୁ ଅପ୍ରମାଣିତ କରିବା ପାଇଁ ଆଗ୍ରହୀ କହୈ୍ନୟାକୁ ଯଦି ହିଂସ୍ର ଆକ୍ରମଣ କରୁଛନ୍ତି ତାହାହେଲେ ସେମାନେ କ’ଣ ବୁଝି ନାହାନ୍ତି ଯେ ସେମାନେ ନିଜର ବୃତ୍ତିଗତ ଶପଥର ଉଲ୍ଲଂଘନ କରୁଛନ୍ତି ଓ ଏତଦ୍ଦ୍ୱାରା ପ୍ରଚଳିତ ସମ୍ବିଧାନ ସମ୍ମତ ବିଧି ବ୍ୟବସ୍ଥାର ଅବମାନନା କରୁଛନ୍ତି? ସେମାନେ ବୁଝି ନାହାନ୍ତି କହିବା ଆମର ଅଜ୍ଞତା ହେବ । ଭାରତୀୟ ସମ୍ବିଧାନ ପ୍ରତି କହୈ୍ନୟା ବାରମ୍ବାର ଆନୁଗତ୍ୟ ପ୍ରକାଶ କରିଥିବା ସେମାନେ ଶୁଣି ନାହାନ୍ତି କହିବା ମଧ୍ୟ ଆମର ଅଜ୍ଞତା ହେବ । କାରଣ ଫେବୃଆରୀ ୧୦ (୨୦୧୬) ରେ କହୈ୍ନୟା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇ ଯାହା କହିଥିଲେ, ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ  ପ୍ରସାରିତ ତାହାର ମୂଳ ସଂସ୍କରଣ୬ , ତାହା  ଦୀଲ୍ଲୀ ଓକିଲମାନଙ୍କର ଅଲକ୍ଷ୍ୟରେ ରହିଥିବ ତାହା ବିଶ୍ୱାସ କରାଯାଇ ନପାରେ । କାରଣ ଏହାକୁ  କାଟ ଛାଣ୍ଟ କରାଯାଇ, କିଛି ବାହାରୁ ଯୋଡାଯାଇ (ୟକ୍ଟମଗ୍ଧକ୍ଟକ୍ସରୟ), କହୈ୍ନୟାଙ୍କୁ ଦେଶ ବିରୋଧୀ ସ୍ଲୋଗାନ ଦେଉଥିବା ଦର୍ଶାଯାଇଥିଲା ଓ ଏହି ପରିବର୍ତ୍ତିତ ସଂସ୍କରଣକୁ କେତେକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲେ ଓ ଏହା ପରେ ଦେଖାଯାଇଥିଲା ଦେଶର ଗୃହମନ୍ତ୍ରୀ  ଏହି ‘ଦେଶ ବିରୋଧୀ’ତତ୍ତ୍ୱ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବା  (Rajnath Singh on Twitter: “Whatever has happened in JNU is extremely unfortunate. I have instructed Delhi CP to take strong action against anti-India elements” ରାତ୍ର:୯ଘଟିକା ୩୮ ମିନିଟ,୧୧.୨.୨୦୧୬) । ଏହାପରେ ହିଁ  କହୈ୍ନୟା ଗିରଫ ହୋଇଥିଲେ (୧୨.୨.୨୦୧୬) । ଏହା ଅବଶ୍ୟ ସେତେବେଳେ  ଜଣା ନ ଥିଲା ଯେ କାର୍ଯ୍ୟାନୁଷ୍ଠାନ ଏକ କାଟ ଛାଣ୍ଟ କରାଯାଇଥିବା ଭିଡିଓ ଉପରେ ହେଉଛି ବୋଲି । ଏହା ପରେ, ଫୋରେନସିକ ପରୀକ୍ଷା ପରେ ହିଁ ଜଣା ପଡିଲା । ତେବେ ମୂଳ ଭିଡିଓ ରେ, ୧୦ ଫେବୃଆରୀ ଦିନ , କହୈ୍ନୟା କ’ଣ କହିଥିଲେ ?

କହୈ୍ନୟାଙ୍କ ବକ୍ତବ୍ୟର କେତୋଟି ପ୍ରାସଂଗିକ ଅଂଶ
(କ) ପ୍ରଚଳିତ ଭାରତୀୟ ସମ୍ବିଧାନ ଓ ଦେଶର ଅଖଣ୍ଡତା ପ୍ରତି ଆନୁଗତ୍ୟ, ଦେଶ ବିରୋଧୀ କାର୍ଯ୍ୟକୁ ଭର୍ତ୍ସନା, ମୈାଳିକ ଅଧିକାର ର ସୁରକ୍ଷା:
(କ.୧) “ଆମେ ଏହି ଦେଶର ଏବଂ ଭାରତର ମାଟିକୁ ଭଲ ପାଉ । ଅମେ ଏହି ଦେଶର ଶତକଡା ୮୦ ଭାଗ ନାଗରିକଙ୍କ ପାଇଁ ଲଢି ଥାଉ ଯେଉଁମାନେ ଗରିବ । ଆମ ପାଇଁ ଏହାହିଁ ଦେଶ ଭକ୍ତି । ଆମର ବାବାସାହେବଙ୍କ ଠାରେ ରହିଛି ସମ୍ପୂର୍ଣ୍ଣ ବିଶ୍ୱାସ । ଆମର ଆମ ସମ୍ବିଧାନ ଉପରେ ରହିଛି ସମ୍ପୂର୍ଣ୍ଣ ଆସ୍ଥା । ଏବଂ ଆମେ ଦୃଢତାର ସହ କହିବାକୁ ଚାହୁଁ ଯେ ଆମର ସମ୍ବିଧାନ ଉପରେ ଯଦି କେହି ଆଂଗୁଳି ଉଠେଇବ, ସେ ସଂଘୀ ହେଉ ବା ଅନ୍ୟ କେହି, ଆମେ ତାହାକୁ ବରଦାସ୍ତ କରିବୁ ନାହିଁ ।”
(କ.୨) “ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ହିଁ ମୃତ୍ୟୁ ଦଣ୍ଡର ଉଚ୍ଛେଦର କଥା କହିଥିଲେ । ସେହି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ହିଁ ବାକ୍ ସ୍ୱାଧୀନତାର କଥା କହିଥିଲେ । ଆମେ ସେହି ସମ୍ବିଧାନକୁ ଶିରୋଧାର୍ଯ୍ୟ ମଣୁ । ଆମେ ଆମର ମୈାଳିକ ଅଧିକାର ଓ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଚାହୁଁ । ”
(କ.୩) “ଆମକୁ ଆମର ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ହେବ , ଆମର ସମ୍ବିଧାନକୁ ସୁରକ୍ଷା ଦେବାକୁ ହେବ ଓ ଦେଶକୁ ସୁରକ୍ଷା ଦେବାକୁ ହେବ । ଆମକୁ ଏକାଠି ରହିବାକୁ ହେବ ରାଷ୍ଟ୍ରର  ଐକ୍ୟ ପାଇଁ, ସନ୍ତ୍ରାସବାଦୀଙ୍କୁ ଆଶ୍ରୟ ଦେଉଥିବା ବିଭାଜନକାରୀ ଶକ୍ତି ଗୁଡିକର ମୁକାବିଲା ପାଇଁ । ”
(କ.୪)“ଯଦି ଲୋକଙ୍କ ସଂସ୍କୃତି, ତାଙ୍କର ମୂଲ୍ୟବୋଧ, ଅଧିକାରକୁ ଅନ୍ତର୍ଭୁକ୍ତ ନ କରା ଯାଏ ତାହାହେଲେ ରାଷ୍ଟ୍ର ହୋଇପାରେ ନା । ଆମେ ଏହି ଭଳି ଦେଶ ପାଇଁ ଠିଆ ହୋଇଛୁ, ଭଗତ ସିଂହ ଓ ବାବା ସାହେବ ଆମ୍ବେଦକର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପାଇଁ ଠିଆ ହୋଇଛୁ । ଆମେ ଠିଆ ହୋଇଛୁ ସମସ୍ତଙ୍କ ପାଇଁ ସମାନତାର ସ୍ୱପ୍ନ ସପକ୍ଷରେ, ଠିଆ ହୋଇଛୁ ବଂଚିବାର ଅଧିକାର ସପକ୍ଷରେ, ଖାଦ୍ୟ, ଜଳ ଓ ଆଶ୍ରୟର ଅଧିକାର ସପକ୍ଷରେ । ଆମେ ଏହି ସବୁ ସ୍ୱପ୍ନ ସପକ୍ଷରେ ଠିଆ ହୋଇଛୁ । ରୋହିତ ତାର ଜୀବନ ଦେଇଦେଲା ଏହି ସ୍ୱପ୍ନ ସପକ୍ଷରେ ଠିଆ ହେବାକୁ ଯାଇ ।” (କ.୫) “ଯେତେବେଳେ ଏହି ଦେଶର ପ୍ରତ୍ୟେକ ବ୍ୟକ୍ତି ଏହି ସମ୍ବିଧାନ ଅନୁସାରେ ସମାନ ବିବେଚିତ ହେବ, ସେତେବେଳେ ଆମେ ଭାବିବୁ ଯେ ଏଠାରେ ନ୍ୟାୟ ଅଛି ।”
(କ.୬) “ମୁଁ ଏହାକୁ ପୁନର୍ବାର ଜୋର ଦେଇ କହିବାକୁ ଚାହେଁ  ଯେ ଜେ ଏନ ୟୁ ଛାତ୍ର ସଂଘ କୈାଣସି ପ୍ରକାର ହିଂସାକୁ, ସନ୍ତ୍ରାସବାଦୀକୁ, ଆତଙ୍କୀ ଆକ୍ରମଣକୁ ଓ ଦେଶ ବିରୋଧୀ କାର୍ଯ୍ୟକୁ ସମର୍ଥନ କରେ ନା । କେତେକ ଅଜଣା ବ୍ୟକ୍ତି ହିଁ  ‘ପାକିସ୍ଥାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଛନ୍ତି । ଜେ ଏନ ୟୁ ଛାତ୍ର ସଂଘ ଏହାର ତୀବ୍ର ଭର୍ତ୍ସନା କରୁଛି ।”
(କ.୭) “ବନ୍ଧୁଗଣ, ମୋ ମୋବାଇଲ ନେଇ ଦେଖ, ସେମାନେ ମୋ ମା ଭଉଣୀ ପ୍ରତି କିପରି ଅଭଦ୍ର ଭାଷା ପ୍ରୟୋଗ କରିଛନ୍ତି । କେଉଁ ଭାରତମାତା ବିଷୟରେ କହୁଛ ଯଦି ସେ ଭାରତମାତାର ଅଂଶ ମୋ ମା ନୁହେଁ । ମୁଁ ସେ ଭାରତମାତାର ଅବଧାରଣା ସହ ଏକମତ ନୁହେଁ । ମୋ ମା ଜଣେ ଅଂଗନବାଡୀ କର୍ମୀ । ମୋ ପରିବାର ମାତ୍ର ଟ.୩୦୦୦ରେ ଚଳେ । ଏବଂ ସେମାନେ ମୋ ମା କୁ ଗାଳି ଦେଉଛନ୍ତି । ମୁଁ ଲଜ୍ଜିତ ଯେ ଗରିବ, ଶ୍ରମିକ, ଦଳିତ, କୃଷକର ମା ଭାରତମାତାର ଅଂଶ ନୁହେଁ । ମୁଁ ଭାରତର ସବୁ ମାତାଙ୍କୁ , ପିତାଙ୍କୁ, ଭଗିନୀଙ୍କୁ, କୃଷକ, ଦଳିତ, ଆଦିବାସୀଙ୍କୁ ମୋର ଅନ୍ତରିକ ଅଭିବାଦନ ଜଣାଉଛି ।”
(ଖ)ଆର ଏସ ଏସ -ଏବିଭିପିକୁ ବିରୋଧ, ମନୁବାଦ-ବ୍ରାହ୍ମଣବାଦ-ଜାତିବାଦକୁ ବିରୋଧ:
(ଖ.୧) “କିନ୍ତୁ ଆମର ସେ ସମ୍ବିଧାନରେ ବିଶ୍ୱାସ ନାହିଁ ଯାହା ଝଣ୍ଡେଓା୍ୱଲାରେ ଏବଂ ନାଗପୁରରେ ପଢା ଯାଉଛି । ଆମର ମନୁସ୍ମୃତିରେ ବିଶ୍ୱାସ ନାହିଁ । ଆମର ଏହି ଦେଶରେ ପ୍ରଚଳିତ ଜାତି ବ୍ୟବସ୍ଥାରେ ବିଶ୍ୱାସ ନାହିଁ ।”
(ଖ.୨) “ଆମେ ଚାହୁଁ ଶୋଷଣ, ଜାତିବାଦ, ମନୁବାଦ ଓ ବ୍ରାହ୍ମଣବାଦର ପରମ୍ପରାକୁ ଅଳିଆ ଗଦାରେ ପକାଇ ଦେବାକୁ ।”
(ଖ.୩) “ଆମେ ଚାହୁଁ ଜାତିବାଦ, ମନୁବାଦର ମୁଖା ଖୋଲିବାକୁ  ଓ ମୁଖା ଖୋଲିବାକୁ ବ୍ରାହ୍ମଣବାଦ ତଥା ପୁଂଜିବାଦ ମଧ୍ୟରେ ଥିବା ବୁଝାମଣାର । ଆମେ ଏହି ଦେଶରେ ପ୍ରକୃତ ଗଣତନ୍ତ୍ର, ପ୍ରକୃତ ସ୍ୱାଧୀନତା, ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତାକୁ ପ୍ରତିଷ୍ଠା କରିବାକୁ ଚାହୁଁ ।”
(ଖ.୪) “ଯେତେବେଳେ ବ୍ରାହ୍ମଣଙ୍କର ପ୍ରାଧାନ୍ୟ ଥିଲା ସେତେବେଳେ ଦଳିତମାନଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ ଥିଲା । ସେତେବେଳେ ତାହାହିଁ  ସେ ସମୟର ନ୍ୟାୟ ଥିଲା । ବ୍ରିଟିଶ ଔପନିବେଶିକ ଶାସନ କାଳରେ କୁକୁର ଓ ଭାରତୀୟ ମାନଙ୍କ ପାଇଁ  ରେସ୍ଟୋରାଁ ଭିତରକୁ ପ୍ରବେଶ ନିଷେଧ ଥିଲା । ତାହାହିଁ ସେତେବେଳର ନ୍ୟାୟ ଥିଲା । ଆମେ ଏହି ନ୍ୟାୟକୁ ଏକଦା ଚୁନୈାତି ଦେଇଥିଲେ । ଆଜି ଆମେ ଆର ଏସ୍ ଏସ୍ ଓ ଏ ବି ଭି ପିର ନ୍ୟାୟକୁ ଚୁନୈାତି ଦେଉଛୁ ।”
(ଖ.୫) “ସେମାନେ ଯେତେବେଳେ ‘ଭାରତ ମାତା କି ଜୟ’ର ଚିକ୍ରାର କରୁଛନ୍ତି ସେତେବେଳେ ଆପଣମାନେ ବୁଝିବେ ଯେ ସେମାନଙ୍କୁ ଚାକିରି ପାଇଁ କୈାଣସି ଇଣ୍ଟରଭ୍ୟୁକୁ ଯିବାର ଅଛି । କିନ୍ତୁ ଯେଉଁ ମୁହୂୁର୍ତ୍ତରେ ସେମାନେ ଚାକିରି ପାଆନ୍ତି, ତାପର ମୁହୂୁର୍ତ୍ତରେ ଦେଶଭକ୍ତି ଓ ଭାରତମାତାକୁ ଭୁଲି ଯାଆନ୍ତି । ତ୍ରିରଂଗା କଥା ଛାଡ, ଯାହାକୁ ସେମାନେ କେଭେ ବି ସ୍ୱୀକାର କରି ନାହାନ୍ତି, ସେମାନେ ସେମାନଙ୍କର ଗେରୁଆ ପତାକାକୁ ମଧ୍ୟ ସମ୍ମାନ ଦେବେ ନାହିଁ ।”(ଖ.୬) “ଏବିଭିପି-ଆରଏସ୍ଏସ୍ର ଦେଶଭକ୍ତି ଭାରତ-ପାକିସ୍ଥାନ ମ୍ୟାଚ୍ ମଧ୍ୟରେ ହିଁ ସୀମିତ । ସେଥିପାଇଁ ସେମାନେ ଯେତେବେଳେ ରାସ୍ତା ଉପରକୁ ଯାଆନ୍ତି ସେମାନେ ଫଳ ବିକାଳୀକୁ ଦୁର୍ବବ୍ୟବହାର କରନ୍ତି । ଯେତେବେଳେ ଫଳ ବିକାଳୀ କୁହେ,  “ସାହେବ , କଦଳୀ  ଡଜନ ହେଉଛି ୪୦ଟଙ୍କା”, ସେମାନେ ତା ଉପରେ ଗାଳି ବର୍ଷଣ କରନ୍ତି ଓ କୁହନ୍ତି “ତୁମେ ସବୁ ଆମକୁ ଲୁଟ କରୁଛ । ଆମେ ତିରିଶ ଟଙ୍କା ହିଁ ଦେବୁ ।” କିନ୍ତୁ କଣ ହେବ ସେହି ଦିନ ଯେଉଁ ଦିନ ଏହି ଫଳ ବିକାଳୀ ଲେଉଟାଇ କହିବ “ତୁମେ ହେଲ ସବୁଠାରୁ ବଡ ଲୁଟେରା । ତୁମେ କୋଟିରେ ଲୁଟ କରିଛ ।” ସେତେବେଳେ ସେମାନେ ତାକୁ କହିବେ ଦେଶଦ୍ରୋହୀ ।”
(ଖ.୭) “ଏବିଭିପି ଏହି ଦେଶକୁ ଭାଂଗିବାକୁ ଚାହୁଁଛି, ଜେ ଏନ ୟୁକୁ ଭାଂଗିବାକୁ ଚାହୁଁଛି । ଆମେ ଜେ ଏନ ୟୁକୁ ବିଭାଜିତ ହେବାକୁ ଦେବୁ ନାହିଁ । ଜେ ଏନ ୟୁ ଜିନ୍ଦାବାଦ । ଏ ଦେଶରେ ଯେତେ ପ୍ରକାର ସଂଘର୍ଷ ଚାଲିଛି ସବୁଥିରେ ଜେ ଏନ ୟୁ ପୂର୍ଣ୍ଣ ପ୍ରାଣରେ ସାମିଲ ହେବ ଓ ଗଣତନ୍ତ୍ରର ସ୍ୱରକୁ, ସ୍ୱାଧୀନତାର ସ୍ୱରକୁ, ବାକ୍ ସ୍ୱାଧୀନତାର ସ୍ୱରକୁ ଶକ୍ତିଶାଳୀ କରିବ । ”
(ଖ.୮) “ତୁମେ ବାବାସାହେବ ଆମ୍ବେଦକରଙ୍କର ୧୨୫ତମ ଜୟନ୍ତୀ ପାଳନର ଏକ ଡ୍ରାମା କରୁଛ । ଯଦି ତୁମର ସାହସ ଅଛି ତାହାହେଲେ ସେହି ପ୍ରସଂଗ ଗୁଡିକ ଉଠାଅ ଯାହା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଉଠାଇଥିଲେ । ଏହି ଦେଶରେ ଜାତିବାଦ ସବୁଠାରୁ ବଡ ପ୍ରସଂଗ । ଏହା ବିରୁଦ୍ଧରେ ବକ୍ତବ୍ୟ ରଖ । ଘରୋଇ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କର । ”
କହିବା ବାହୁଲ୍ୟ ଯେ କହୈ୍ନୟାଙ୍କ ବକ୍ତବ୍ୟରେ ଦେଶ ବିରୋଧୀ କୋଣସି ମତ ମନ୍ତବ୍ୟର ସୂଚନା ମିଳେ ନାହିଁ । ବରଂ ଭାରତୀୟ ସମ୍ବିଧାନର ଖଣ୍ଡ ୪ ଓ ୪ଏ ରେ ଯେଉଁ କଥନ ଗୁଡିକ ନିର୍ଦ୍ଦେଶୀକା ନୀତି ଓ ମୋ÷÷ଳିକ କର୍ତ୍ତବ୍ୟରେ ଉଲ୍ଲେଖ କରାଯାଇଛି ତାହା ହିଁ ମୋଟା ମୋଟି ପ୍ରତିଧ୍ୱନିତ ହେଉଛିି କହୈ୍ନୟାଙ୍କ ବକ୍ତବ୍ୟରେ । ତେଣୁ କହୈ୍ନୟା ଦେଶ ବିରୋଧୀ ସ୍ଲୋଗାନ ଦେବାର କୈାଣସି ଭିଡିଓ ପ୍ରମାଣ ନାହିଁ ବୋଲି ପୁଲିସ ଓ ଗୋଇନ୍ଦା ବିଭାଗ ସ୍ୱୀକାର ନ କରି ଅନ୍ୟ ଗତି  ନ ଥିଲା୭ । କାରଣ ଯେଉଁ ଭିଡିଓକୁ ଆଧାର କରି ଏପରି ଅଭିଯୋଗ ହୋଇଥିଲା ତାହା ଏକ କାଟ ଛାଣ୍ଟ ଭିଡିଓ ଥିଲା ବୋଲି ସମସ୍ତ ବୈଜ୍ଞାନିକ ପ୍ରମାଣ ମିଳି ସାରିଥିଲା୮ । ଅବଶ୍ୟ, ଆରଏସ୍ଏସ୍ ଓ ଏବିଭିପିର ଭୂମିକା ଉପରେ ଶାଣିତ ମନ୍ତବ୍ୟ  ରହିଛିି କହୈ୍ନୟାଙ୍କ ବକ୍ତବ୍ୟରେ । ବ୍ରାହ୍ମଣବାଦ, ମନୁବାଦ ଓ ଜାତିବାଦ ଉପରେ ପ୍ରହାର ରହିଛି କହୈ୍ନୟାଙ୍କ ବକ୍ତବ୍ୟରେ ।
କହୈ୍ନୟାଙ୍କ ‘ଦୋଷ’?
ଯେଉଁମାନେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି ବିଶ୍ୱାସ କରନ୍ତି ଓ ବ୍ରାହ୍ମଣବାଦ, ମନୁବାଦ ତଥା ଜାତି ବ୍ୟବସ୍ଥାକୁ ହିନ୍ଦୁ ରାଷ୍ଟ୍ରର ତିନୋଟି ମଜବୁତ ସ୍ତମ୍ଭ  ବୋଲି ଗ୍ରହଣ କରନ୍ତି ସେମାନେ ବ୍ରାହ୍ମଣବାଦ, ମନୁବାଦ ଓ ଜାତିବାଦ ଉପରେ କହୈ୍ନୟାଙ୍କ ପ୍ରହାରକୁ ଦେଶଦ୍ରୋହ ବୋଲି ବିଚାର କରିବା ଅସମ୍ଭବ ନୁହେଁ । ଏହି ବିଚାରର ଏକ ଅଭିବ୍ୟକ୍ତି ଦେଖିବାକୁ ମିଳିଛି ଯେତେବେଳେ ଆନ୍ତର୍ଜାତିକ ମହିଳା ଦିବସ (୮/୩/୨୦୧୬)ରେ କେତେକ ବିଦ୍ରୋାହୀ ଏବିଭିପି ଛାତ୍ର ଜେ ଏନ ୟୁ ପରିସରରେ ମହିଳା ମାନଙ୍କ ସମ୍ପର୍କରେ ଉଲ୍ଲେଖ ଥିବା ମନୁସ୍ମୃତିର କେତେକ ଅଂଶକୁ ପୋଡିଛନ୍ତି ଓ ଏହି ଘଟଣାକୁ ଜେଏନୟୁ ଛାତ୍ର ସଂଘର ଯୁଗ୍ମ ସମ୍ପାଦକ ଓ ଏବିଭିପି ନେତା ସୈାରଭ ଶର୍ମା ଫେବୃଆରୀ ୯ ଘଟଣା ପରି ଏକ ଦେଶଦ୍ରୋହୀ ଘଟଣା ବୋଲି ମନ୍ତବ୍ୟ କରିଛନ୍ତି୯ । ଏହି ବିଚାରର ଆଉ ଏକ ଅଭିବ୍ୟକ୍ତି ଦେଖିବାକୁ ମିଳିଛି ଯେତେବେଳେ କହୈ୍ନୟାଙ୍କ ଜିଭ କାଟିଲେ ୫ଲକ୍ଷ ଟଙ୍କା ଓ ତାଙ୍କୁ ମାରିଦେଲେ ୧୧ଲକ୍ଷ ଟଙ୍କା ପୁରସ୍କାର ରାଶୀର ଘୋଷଣା ବିଜ୍ଞାପନ ଆକାରରେ ଦୀଲ୍ଲୀର କାନ୍ଥ ବାଡରେ ମରାଯାଇଛି୧୦ । ଏହି ଭଳି ଘୋଷଣା ସ୍ମରଣ କରାଇ ଦିଏ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବ୍ରହ୍ମସୂତ୍ରର ଭାଷ୍ୟ (୧.୩.୩୮)ରେ କୁହାଯାଇଥିବା ଉକ୍ତି, ‘ଯଦି ଶୂଦ୍ର ବେଦ ଉଚ୍ଚାରଣ କରୁଛି ତାହାହେଲେ ତାହାର ଜିଭକୁ କାଟିଦିଆଯିବ । ଯଦି ସେ ଏହାକୁ ମନେ ରଖୁଛି ତାହାହେଲେ ତାହାର ଶରୀରକୁ କାଟି ଦିଆଯିବ୧୧( ‘‘If he recites (Vedic texts), his tongue shall be cut out.If he remembers them, his body shall be split in twain’) ।’ ଏଠାରେ ସ୍ମରଣ କରିବା ପ୍ରାସଂଗିକ ହେବ ଯେ ୨୦୧୪ ମଇ ମାସ ବିଜେପି ନେତୃତ୍ୱରେ ଏନଡିଏ ସରକାର କ୍ଷମତାସୀନ ହେଲା ପରେ ପରେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି ପ୍ରଚାର ଜୋର ଧରିଛି ଓ ଏହାର ନେତୃତ୍ୱ ନେଇଛନ୍ତି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ମାନନୀୟ ମୋହନ ଭାଗୱତଜୀ୧୨ ।୨୦୧୫ ଗଣତନ୍ତ୍ର ଦିବସରେ ପ୍ରକାଶିତ ଏକ ସରକାରୀ ବିଜ୍ଞାପନରେ ଉଲ୍ଲେଖ କରାଯାଇଥିବା ସମ୍ବିଧାନର ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷତା’ ଓ ‘ସମାଜବାଦ’୧୩ ଭଳି ଦୁଇଟି ପଦ ନିରୁଦ୍ଦିଷ୍ଟ ହେବା ବେଶ ଚର୍ଚ୍ଚିତ ହୋଇଛି । ସେତିକିବେଳେ ବିଜେପିର ସହଯୋଗୀ ଦଳ ଶିବସେନାର ମଧ୍ୟ ଦାବି ଉଠିଛି ଯେ ସମ୍ବିଧାନର ପ୍ରସ୍ତାବନାରୁ  ଏହି ଦୁଇ ପଦକୁ ବାଦ ଦିଆଯାଉ୧୪ । ଏହି ସମ୍ବାଦ ଗୁଡିକରୁ  ପ୍ରଚଳିତ ସମ୍ବିଧାନକୁ ପରିବର୍ତ୍ତନ କରିବା ପାଇଁ ଆଗ୍ରହର ଇଶାରା ମିଳୁଛି । ସନ୍ଦେହ ସ୍ୱାଭାବିକ ହେଉଛି ଯେ ସମ୍ବିଧାନକୁ କଣ ହିନ୍ଦୁ ରାଷ୍ଟ୍ରର ଅବଧାରଣା ସହ ସୁସଂଗତ କରିବାର ଉଦ୍ୟମ ହେଉଛି ? କହୈ୍ନୟା ବୋଧେ ଏହାର ହିଁ ଇଶାରା ଦେଇଛନ୍ତି ଯେତେବେଳେ ସେ କହୁଛନ୍ତି ଯେ ସେ ଝଣ୍ଡେଓା୍ୱଲାରେ ଏବଂ ନାଗପୁରରେ ପଢା ହେଉଥିବା ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ । ଦୀଲ୍ଲୀର ଝଣ୍ଡେଓା୍ୱଲା ଏବଂ ମହାରାଷ୍ଟ୍ରର ନାଗପୁରରେ ରହିଛି ରାଷ୍ଟ୍ରୀୟ ସଂୟ ସେବକ ସଂଘର ମୁଖ୍ୟ କାର୍ଯ୍ୟାଳୟ । ମନେହୁଏ ଏହାକୁ ସବୁ ଉନ୍ମୋଚିତ କରି କହୈ୍ନୟା ଆର ଏସ୍ ଏସ୍ ,ଏ ବି ଭି ପି ଓ ହିନ୍ଦୁ ରାଷ୍ଟ୍ର ସମର୍ଥକ ଗୋଷ୍ଠୀ ମାନଙ୍କୁ କ୍ରୋଧାନ୍ୱିତ କରିଛନ୍ତି ଓ  ହିଂସ୍ର ଆକ୍ରମଣର ଶୀକାର ହୋଇଛନ୍ତି । ହିଂସ୍ର ଆକ୍ରମଣର ଆଉ ଏକ କାରଣ ମଧ୍ୟ ହୋଇପାରେ କହୈ୍ନୟାଙ୍କର ଆମ୍ବେଦକରଙ୍କୁ ମୁଖର ପ୍ରଶଂସା ଓ ତାଙ୍କ ନେତୃତ୍ୱରେ ପ୍ରଣୀତ ସମ୍ବିଧାନ ପ୍ରତି ତାଙ୍କର ଅବିଚଳିତ ଆନୁଗତ୍ୟ ଯାହା ଆର ଏସ୍ ଏସ୍ ଓ ଏହାର ଛାତ୍ର ସଂଗଠନ ଏ ବି ଭି ପି ପାଇଁ ବିରକ୍ତିକର  ହେଉଥିବ ।  କାରଣ ଆର ଏସ୍ ଏସ୍  ଆମ୍ବେଦକରଙ୍କୁ ମୂଳରୁ ହିଁ ବିରୋଧ କରି ଆସିଛି । ଏହା ଐତିହାସିକ ସତ୍ୟ । ଏକଦା ଭାରତୀୟ ଜନତା ପାର୍ଟିର ମନ୍ତ୍ରୀ ଅରୁଣ ସୈାରୀ ତ ଆମ୍ବେଦକରଙ୍କୁ  ଲବକ୍ଷଗ୍ଦର ଶକ୍ଟୟ  ବା ମିଥ୍ୟା ଇଶ୍ୱର ବୋଲି ଚିତ୍ରିତ କରିଥିଲେ ତାଙ୍କ ରଚିତ  ‘Worshipping false god’(ASA Publications, 1997) ପୁସ୍ତକ ରେ । ତେଣୁ ନିକଟ ଅତୀତରେ ଆମ୍ବେଦକରଙ୍କ ପ୍ରତି ମୋହନ ଭାଗୱତଙ୍କର ଶ୍ରଦ୍ଧା ନିବେଦନ କୁ ଐତିହାସିକ ôରାମଚନ୍ଦ୍ର ଗୁହା ଛଳନା (hypocritical) ବୋଲି ଅଭିହିତ କରନ୍ତି୧୫ । କହୈ୍ନୟାଙ୍କ ଉପରେ ହିଂସ୍ର ଆକ୍ରମଣ ତୃତୀୟ କାରଣ ହୋଇପାରେ ଯେ ସେ ହେଉଛନ୍ତି କମ୍ୟୁନିଷ୍ଟ । କାରଣ ଆର ଏସ୍ ଏସ୍ ର ଦ୍ୱିତୀୟ ସରସଂଘଚାଳକ ମାନନୀୟ ଗୋଲୱାଲକରଜୀ ଯେଉଁ ତିନୋଟି ଗୋଷ୍ଟୀ ଠାରୁ ଆଭ୍ୟନ୍ତରୀଣ ବିପଦ (Internal Threats) ରହିଛି ବୋଲି ଉଲ୍ଲେଖ କରନ୍ତି ସେଥିରେ କମ୍ୟୁନିଷ୍ଟ ମାନେ ଅନ୍ତର୍ଭୁକ୍ତ୧୬ । ତେଣୁ ଏ ଲେଖକର ଅନୁମାନ ଯଦି କହୈ୍ନୟା ବ୍ରାହ୍ମଣବାଦ, ଜାତିବାଦ ଓ ମନୁବାଦରୁ ମୁକ୍ତିର ସ୍ଲୋଗାନ ଦେଇ ନ ଥାନ୍ତେ, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅବିଚଳିତ ଆନୁଗତ୍ୟ ଥିବା ଘୋଷଣା କରି ନ ଥାନ୍ତେ, ଏବଂ ନିଜେ କମ୍ୟୁନିଷ୍ଟ ହୋଇ ନ ଥାନ୍ତେ ତାହା ହେଲେ ବୋଧହୁଏ ତାଙ୍କ ଉପରେ କୋର୍ଟ ପରିସରରରେ ଯେଉଁ  ବେପରୁଆ ହିଂସ୍ର ଆକ୍ରମଣ ଆଇନଜୀବୀଙ୍କର ଏକ ଗୋଷ୍ଠୀ ତରଫରୁ ହେଲା ତାହା ହୋଇ ନ ଥାନ୍ତା । ଅଫଜଲ ଗୁରୁ, ମକବୁଲ ଭଟ୍ଟଙ୍କ ସପକ୍ଷରେ ସ୍ଲୋଗାନ ଦେବା ବା ପାକିସ୍ଥାନ ଜିନ୍ଦାବାଦ  ଭଳି ସ୍ଲୋଗାନ ଦେବା ଦ୍ୱାରା ଦେଶପ୍ରେମୀ ଆକ୍ରମଣକାରୀ ମାନେ ଯଦି ପ୍ରକୃତରେ ବିଚଳିତ ହୋଇଥାନ୍ତେ ତାହାହେଲେ ଏହି ଅଭିଯୋଗରେ ଗିରଫ ହୋଇଥିବା ଦୀଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଓ ଏକଦା ଅଫଜଲ ଗୁରୁଙ୍କର ସହ ଅଭିଯୁକ୍ତ ଏସ୍ ଏ ଆର ଗିଲାନୀ ୧୬ ତାରିଖ ଦିନ ପାଟିଆଲା ହାଉସ କୋର୍ଟରେ ପେଶ ହେବା ସମୟରେ ସେମାନଙ୍କର କ୍ରୋଧର ଶୀକାର ହୋଇଥାନ୍ତେ । କିନ୍ତୁ ସେପରି ହୋଇ ନ ଥିଲା । ସମ୍ବାଦ ପତ୍ର ଲେଖିଲେ୧୭ ‘Alongside the noise over the arrest of JNU student leader Kanhaiya Kumar, another man charged with seditionover a similar event has not got the same attention.’ ସ୍ମରଣ କରାଯାଇ ପାରେ ଯେ ଏସ୍ ଏ ଆର ଗିଲାନଙ୍କୁ  କହୈ୍ନୟାଙ୍କ ଗିରଫ ହେବାର ମାତ୍ର ୩ ଦିନ ପରେ ଗିରଫ କରାଯାଇଥିଲା । କିନ୍ତୁ ୧୫ ଓ ୧୭ ତାରିଖ ଦିନ ‘ଦେଶପ୍ରେମୀ’ ଓକିଲ ମାନଙ୍କର ଉନ୍ମାଦନା ଫଳରେ କହୈ୍ନୟା କୋର୍ଟରେ ପେଶ ହେବା ସମୟରେ ଉପୁଜି ଥିବା ସ୍ଥିତି ଯେପରି ଦୃଷ୍ଟି ଆକର୍ଷଣ କରିଥିଲା , ତାହା ୧୬ ତାରିଖ ଦିନ ଏସ୍ ଏ ଆର ଗିଲାନୀଙ୍କ ଅଦାଲତରେ ପେଶ ହେବା ସମୟରେ ଦେଖାଯାଇ ନ ଥିଲା ।
 ଉପସଂହାର
କହୈ୍ନୟାଙ୍କୁ ମାଡ ଏକ ସାଧାରଣ ଘଟଣା ନୁହେଁ । ଯେଉଁ ପରିସ୍ଥିତିରେ ଏହା ଘଟିଛି ତାହା ଯେ କୈାଣସି ବିବେକୀ ସଚେତନ ଭାରତୀୟକୁ ବିବ୍ରତ କରିବ । ହେତୁବାଦୀ ଢାଭୋଲକର, ପନ୍ସାରେ ଓ କୁଲବର୍ଗୀଙ୍କ ଉପରେ ହିଂସ୍ର ଆକ୍ରମଣ ହୋଇଛି ଚୋରାରେ, ଅତର୍କିତ ଭାବରେ । ଆତତାୟୀ ଘଟଣା ସ୍ଥଳରୁ ପଳାୟନ କରିଛି ,ଆଇନକୁ ଲୁଚିଛି । କିନ୍ତୁ  କହୈ୍ନୟା ଉପରେ ହିଂସ୍ର ଆକ୍ରମଣ ଆଇନର ସହାୟକଙ୍କ ଦ୍ୱାରା ଆଇନର ରକ୍ଷକଙ୍କ ସମ୍ମୁଖରେ ଅଦାଲତର ପରିସର ଭିତରେ ସର୍ବୋଚ୍ଚ ନ୍ୟାୟାଳୟର ନିଷେଧାଜ୍ଞା ସତ୍ତେ୍ୱ ହେଉଛି । ଗଣମାଧ୍ୟମର ବହୁ ଚାପ ଫଳରେ ଆକ୍ରମଣକାରୀଙ୍କର ଯେଉଁ ତିନିଜଣ ଗିରଫ ହେଉଛନ୍ତି ସେମାନଙ୍କୁ ମାତ୍ର କେତୋଟି ଘଣ୍ଟା ମଧ୍ୟରେ ପୁଲିସ ଥାନାରୁ ହିଁ ଜାମିନ ଦେଇ ଦିଆ ଯାଉଛି । ସେମାନେ କରୁଥିବା ଆସ୍ଫାଳନ ଯେ କହୈ୍ନୟା ଉପରେ ହିଂସ୍ର ଆକ୍ରମଣରେ ସେମାନଙ୍କ ପ୍ରତି ପୁଲିସର ସମର୍ଥନ ରହିଛି ତାହାର ଖଣ୍ଡନ ମଧ୍ୟ ପୁଲିସ କରୁ ନାହିଁ । ତେଣୁ କହୈ୍ନୟାଙ୍କୁ ମାଡ ଯେଉଁ ସମ୍ବାଦ ଦେଉଛି ତାହା ବେଶ ଗମ୍ଭୀର । ଏହା ଭିତରେ ରହିଛି ଯେପରି ଏକ ହିଂସ୍ର ଧମକ  କମ୍ୟୁନିଷ୍ଟ, ଆମ୍ବେଦକରଙ୍କ ଅନୁଯାୟୀ ଓ ହିନ୍ଦୁ ରାଷ୍ଟ୍ରର ଅବଧାରଣା ସହ ଏକମତ ହେଉ ନଥିବା ବ୍ୟକ୍ତିି ମାନଙ୍କ ପ୍ରତି । ଅଦାଲତରେ କିଏ ଦୋଷୀ ସାବ୍ୟସ୍ତ ହେବ କି ନିର୍ଦ୍ଦୋଷରେ ଖଲାସ ହେବ, ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ ।  Give the dog a bad name and hang him,  (ଅର୍ଥାତ୍ ଜଣକୁ ବଦନାମ କର ଓ ତା ପରେ ତାକୁ ଫାଶୀ ଦେଇଦିଅ) ଏହି ରୁଢି ଅନୁସାରେ ସେମାନେ ଜଣକୁ ଦେଶଦ୍ରୋହୀ କହିଦେବେ ଓ ତାଙ୍କୁ ଏକ ବେଆଇନ ଅଦାଲତ(kangaroo Court ) ରେ ବିଚାର କରି ଦଣ୍ଡ ଦେଇଦେବେ । ଦୀଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘର ବିଦ୍ୟାର୍ଥୀ ପରିଷଦ ସଭାପତି ଖୋଲାଖୋଲି କହୁଛନ୍ତି ଜେ ଏନ ୟୁ ପରିସରରେ ପଶି ଦେଶଦ୍ରୋହୀଙ୍କୁ ଗୁଳି ମାରିଦେବେ୧୮ ।  ଜେ ଏନ ୟୁ ପରିସର ଭିତରେ ବାହାର ଲୋକ ପଶି କହୈ୍ନୟାଙ୍କୁ ଇତ୍ୟବସରରେ ଆକ୍ରମଣ କଲେଣିି୧୯  , ଯଦିଓ ଏହି ଆକ୍ରମଣକାରୀ ବିରୋଧରେ ଏତଲା ଦେବା ପାଇଁ ମନା କରିଦେଇଛନ୍ତି କହୈ୍ନୟା ଏହା କହି, “ସେ କୁହନ୍ତି ସେ ଜଣେ ଛାତ୍ର । ସେ ଯେତେବେଳେ ଜାଣିବେ ଯେ ଆମେ କୃଷକ ଓ ଯୁବକଙ୍କ ପାଇଁ ସଂଗ୍ରାମ କରୁଛୁ ସେତେବେଳେ ସେ ନିଜର ମନ ପରିବର୍ତ୍ତନ କରିବେ”୨୦ । ପ୍ରତ୍ୟେକ କଥାରେ ପୁଲିସ ପାଖରେ କହୈ୍ନୟାଙ୍କ ବିରୋଧରେ ଅଭିଯୋଗ କରୁଥିବା ଏବିଭିପି ପାଇଁ  କହୈ୍ନୟାଙ୍କର ତାଙ୍କ ଆକ୍ରମଣକାରୀ ସମ୍ପର୍କରେ ଏପରି ଉଦାର ଦୃଷ୍ଟିକୋଣ ନିଶ୍ଚିତ ଭାବରେ ଅପ୍ରତ୍ୟାଶିତ ହୋଇଥିବ ।  ତେବେ ପରିବେଶ ଏପରି ହୋଇଛି ଯେ ଜଣକୁ ଦେଶଦ୍ରୋହୀ ବୋଲି ଅଭିହିତ କରି ତା ବିରୋଧରେ ହିଂସା କରିବା ଆମ ଆଇନ ବ୍ୟବସ୍ଥା ମଧ୍ୟରେ ଯେ ଏକ ଗୁରୁତର ଅପରାଧ, ଏହି ଭୟ ଯେପରି ଆକ୍ରମଣକାରୀଙ୍କ ମନରେ ଆଉ ନାହିଁ । ପାଟିଆଲା କୋର୍ଟରେ ହିଂସ୍ର ଆକ୍ରମଣର ନେତୃତ୍ୱ ନେଉଥିବା ତିନି ଅଭିଯୁକ୍ତଙ୍କୁ  ଯେପରି ହାଲୁକାରେ ଛାଡି ଦିଆଗଲା , ତାହା ହିଁ ଏପରି ଭୟଶୂନ୍ୟତା ସୃଷ୍ଟି କରିଛି ।  ଏହି ଆକ୍ରମଣକାରୀମାନେ କ୍ଷମତାସୀନ ସରକାରରେ ଥିବା ନେତୃବର୍ଗଙ୍କର ନିକଟତର ଏ ଧାରଣା ମଧ୍ୟ ସାର୍ବଜନୀନ ହୋଇଛି । ପ୍ରକୃତରେ ଯାହା ମାନ୍ୟବର ସୁପ୍ରିମ କୋର୍ଟ କହିଛନ୍ତି, କହୈ୍ନୟାଙ୍କୁ ଓକିଲ ମାନଙ୍କ ଦ୍ୱାରା ମାଡର ସମ୍ବାଦର ପ୍ରତିକ୍ରିୟାରେ, ଯେ ‘Something Extraordinary is Going on in this Country’ (କିଛି ଏକ ଅସ୍ୱାଭାବିକ ଘଟୁଛି ଏହି ଦେଶରେ). ତାହା ଆଜି ବାସ୍ତବିକତା  । ଯାହା ଘଟୁଛି ତାହା ଉପରେ କିପରି ପୂର୍ଣ୍ଣଚ୍ଛେଦ ପଡିବ ଓ ସ୍ୱାଭାବିକତା ଫେରିବ, ତାହା ହିଁ ଆଜିକା ସମୟରେ ସବୁଠାରୁ ବଡ ଆହ୍ୱାନ । ପ୍ରତ୍ୟେକ ଚିନ୍ତାଶୀଳ, ସଚେତନ ବ୍ୟକ୍ତି  ଆଜି ଅନ୍ତତଃ ଅପେକ୍ଷା କରୁଛି ଦେଖିବାକୁ ଯେ ଦେଶଦ୍ରୋହ ଅଭିଯୋଗରେ ଗିରଫ ବ୍ୟକ୍ତି ଦେଶଦ୍ରୋହୀ ବୋଲି ସାବ୍ୟସ୍ତ ହେବା ପୂର୍ବରୁ ସେ ଯେ ଦେଶଦ୍ରୋହୀ  ଏହି  ଧାରଣା ଗଣମାଧ୍ୟମ ଜନମାନସରେ ସୃଷ୍ଟି ନ କରୁ; ଦେଶପ୍ରେମର ଆବେଗ ଆଇନର ସହାୟକ ଓକିଲ ସମ୍ପ୍ରଦାୟକୁ ଏପରି ଆବିଷ୍ଟ ନ କରୁ ଯେ ସେମାନେ ସମ୍ବିଧାନ ସମ୍ମତ ବିଧି ବ୍ୟବସ୍ଥାର ବିଚାରକୁ ଅପେକ୍ଷା କରିବାର ଧୈର୍ଯ୍ୟ ହରାଇ ବସିବେ ଓ ଉଚ୍ଚନ୍ୟାୟଳୟର ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବେ । କହିବା ବାହୁଲ୍ୟ ଯେ ଏକ ଦାୟୀତ୍ୱ ସମ୍ପନ୍ନ ନିରପେକ୍ଷ ଗଣମାଧ୍ୟମ ଓ ବିଧି ବ୍ୟବସ୍ଥା ପ୍ରତି ସମର୍ପିତ ଆଇନଜୀବୀ ସମ୍ପ୍ରଦାୟ ହିଁ ବ୍ୟବସ୍ଥାର ବିଶ୍ୱସନୀୟତାକୁ ସୁରକ୍ଷା ଦେଇପାରେ ଓ ରାଷ୍ଟ୍ର ପ୍ରତି ସ୍ୱତଃସ୍ଫୁତ ପ୍ରୀତିକୁ ଯଥାର୍ଥରେ ସୁଦୃଢ କରିପାରେ ।

ସହାୟକ ଉପାଦାନ ସୂଚୀ

1..No enemy, no RSS ideology: Biggest threat to Mother India, Sandeep Pande, Daily O, 19.2.2016, http://www.dailyo.in/politics/rss-jnu-kanhaiya-kumar-hindutva-bjp-babri-masjid-rajnath-singh-hafiz-saeed-black-money-poverty/story/1/9091.html
2 Kanhaiya was ‘thoroughly, totally beaten up’,Krishnadas Rajagopal,The Hindu,NEW DELHI, February 19, 2016,http://www.thehindu.com/todays-paper/tp-national/tp-newdelhi/kanhaiya-was-thoroughly-totallet Function;JNU row: Medical reports confirm Kanhaiya Kumar assaulted in Patiala House court,PTI, The Indian Express,February 19, 2016,http://indianexpress.com/article/india/india-news-india/jnu-row-medical-reports-confirm-kanhai…
3.Coming down heavily on Delhi Police, an NHRC probe team today said that the physical assault on JNU student leader Kanhaiya Kumar in the court premises appeared to have been “organised and pre-planned”,Press Trust of Indiao n February 19, 2016 ,http://www.india.com/news/india/attack-on-kanhaiya-kumar-inside-court-appears-pre-planned-n..
4. JNU row: Lawyers ‘admit’to beating up Kanhaiya for 3 hrs till he wet his pants,Express News Service| New Delhi | Published:February 23, 2016,http://indianexpress.com/article/india/india-news-india/jnu-row-lawyers-admit-to-beating-up-k…
5.Kanhaiya was ‘thoroughly, totally beaten up’,Krishnadas Rajagopal,The Hindu,NEW DELHI, February 19, 2016,http://www.thehindu.com/todays-paper/tp-national/tp-newdelhi/kanhaiya-was-thoroughly-totally..
6.We are of this country and love the soil of India: Full text of Kanhaiya Kumar ’ s speech, Written by Kanhaiya Kuma. The Indian Express, Updated: February 18, 2016,http://indianexpress.com/article/opinion/columns/kanhaiya-kumar-speech-jnu-row-is-this-seditio
7.No video of Kanhaiya raising slogans, but we have independent witnesses, Delhi Police tells HC, PTI, The Indian Express, February 29, 2016,http://indianexpress.com/article/india/india-news-india/jnu-umar-khalid-sedition-anirban-jnusu-.
8.Forensic experts say Kanhaiya video was doctored, Bijaya Kumar Das, IndiaToday.in, February 19, 2016, http://indiatoday.intoday.in/story/forensic-experts-say-kanhaiya-video-was-doctored/1/600808.html; Words like ‘gun’inserted in Kanhaiya speech video: Report on JNU row, MAYURA JANWALKAR,The Indian Express,March 3, 2016,http://indianexpress.com/article/india/india-news-india/words-like-gun-inserted-in-kanhaiya-sp..
9.Manusmritipages set ablaze in JNU-Section of ABVP leaders joins protest,Pheroze L. Vincent, The Telegraph, Kolkata, March 9 , 2016,http://www.telegraphindia.com/1160309/jsp/nation/story_73589.jsp#.Vt-U80Bb00Q )
10.Shoot Kanhaiya Kumar, get Rs 11 lakh. Cut off his tongue and get Rs 5 lakh’,Speed News Desk.,
5 March 2016,http://www.catchnews.com/national-news/anti-national-kanhaiya-on-radar-rs-11-lakh-reward-for-shooting-him-rs-5-lakh-for-cutting-his-tongue-1457172900.html
11.BRAHMA-SUTRA-SHANKARA-VASYA, CHAPTER-1, SECTION-3 SUTRA-38, Gautama Dharma Sutra, Translated by Georg Bühler, Chapter XII Sutras 5 and 6., http://hinduwebsite.com/sacredscripts/hinduism/dharma/gautama1.asp#ch12
12.India is a Hindu Rashtra: Bhagwat,Mohammad Ali,The Hindu,February 9, 2015 03:55 IST,http://www.thehindu.com/news/national/other-states/india-is-a-hindu-rashtra-bhagwat/article68…;India is our Hindu rashtra: RSS chief,TNN | Dec 21, 2014, 02.09 AM IST,http://timesofindia.indiatimes.com/india/India-is-our-Hindu-rashtra-RSS-chief/articleshow/45590219.cms;Hindutva is India’s identity: RSS chief,Rahi Gaikwad,The Hindu,July 21, 2013 15:02 IST,http://www.thehindu.com/news/national/hindutva-is-indias-identity-rss-chief/article4937750.ec…Full text of Speech by RSS Sarasanghachalak Mohan Bhagwat at Bhubaneshwar, Orissa,August 11, 2014,http://samvada.org/2014/news/full-text-of-speech-by-rss-sarasanghachalak-mohan-bhagwat-at-b.
13.Republic Day blunder: Modi govt ad omits ‘Socialist, Secular’from Constitution preamble, Firstpost, Jan 28, 2015, http://www.firstpost.com/printpage.php?idno=2066447&sr_no=0
14.Sena wants ‘secular’, ‘socialist’deleted from preamble to Constitution,PTI, The Hindu, January 28, 2015,http://www.thehindu.com/news/national/sena-wants-secular-socialist-deleted-from-preamble-to..
15.Bhagwat’ s Ambedkar, Ramachandra Guha,The Indian Express,December 10, 2015,http://indianexpress.com/article/opinion/columns/bhagwats-ambedkar/
16.Bunch of Thoughts, M S Golwalkar, Chapter XVI:Internal Threats
17.The other sedition arrest —S A R Geelani,Muzamil Jaleel| New Delhi | Published:February 29, 2016 2:37 am, The Indian Express,http://indianexpress.com/article/india/india-news-india/the-other-sedition-arrest-s-a-r-geelani/9…;JNU row: SAR Geelani arrested, sent to two-day police custody,Kaunain Sheriff M| New Delhi |  Updated: February 29, 2016 2:23 am,The Indian Express,http://indianexpress.com/article/india/india-news-india/former-du-prof-geelani-arrested-on-char…
18.JNU agitation: Will enter their campus and shoot the traitors, says DUSU president, Kedar Nagarajan, The Indian Express, :February 25, 2016,http://indianexpress.com/article/india/india-news-india/jnu-agitation-will-enter-their-campus-an..
19.Kanhaiya Kumar attacked on JNU campus,Shiv Sunny,The Hindu, March 10, 2016,http://www.thehindu.com/news/national/kanhaiya-kumar-attacked-on-jnu-campus-by-an-outsider/..
20.Wham! The power of TV.,Pheroze L Vincent,The Telegraph,Kolkata, March 11 , 2016,http://www.telegraphindia.com/1160311/jsp/nation/story_73913.jsp#.VuP2cUBb00Q    .

Print Friendly, PDF & Email