୧୬-୩୧ ନଭେମ୍ବର ୨୦୧୧
କିରଣ ବେଦୀ, ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଓ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ସମ୍ପର୍କରେ ବିତର୍କିତ ମନ୍ତବ୍ୟ ଦ୍ୱାରା ବିବ୍ରତ ହୋଇ ତଥା ଏହି ବ୍ୟକ୍ତିମାନଙ୍କର ‘undemocratic’ ଓ ‘Fascist’ ଆଚରଣ ଦେଖି ଆନ୍ନା ହଜାରେ ଟିମ୍ ଆନ୍ନାର ପୁନର୍ଗଠନ କରିବା ପାଇଁ ମନସ୍ଥ କରିଥିଲେ ବୋଲି ତାଙ୍କର ବ୍ଲଗ୍ (Blog)ଲେଖୁଥିବା ରାଜୁ ପାରୁଲେକର ପ୍ରଘଟ କଲାପରେ- ଆନ୍ନା ଯେପରି ଭାବରେ ପାରୁଲେକରଙ୍କ ଠାରୁ ନିଜକୁ ଦୂରେଇ ଦେଲେ-ସେଥିରୁ ସନେ୍ଦହ ହେବା ସ୍ୱାଭାବିକ ଯେ, ଆନ୍ନା ଏହି ତ୍ରିମୂର୍ତ୍ତିଙ୍କର ମୋହରୁ ମୁକ୍ତ ହୋଇପାରୁ ନାହାନ୍ତି । ଏହି ତ୍ରିମୂର୍ତ୍ତିଙ୍କର ‘ଔଦ୍ଧତ୍ୟ’କୁ ସହ୍ୟ ନକରିପାରି ଜଣେ ପରେ ଜଣେ ଆନ୍ନା ଟିମ୍ରୁ ଦୂରେଇ ଯାଉଥିବା ବେଳେ ଓ ଆନ୍ନାଙ୍କର ଅନ୍ୟ ଅନୁଯାୟୀମାନଙ୍କଠାରୁ ଟିମ୍ ଆନ୍ନାର ପୁନର୍ଗଠନ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ଆନ୍ନା କୌଣସି ପଦକ୍ଷେପ ନନେବା ସ୍ୱାଭାବିକ ଏହି ତ୍ରିମୂର୍ତ୍ତିଙ୍କର ଆନ୍ନାଙ୍କ ଉପରେ ପ୍ରଭାବର ଦୃଢ଼ତାକୁ ହିଁ ପ୍ରମାଣିତ କରୁଛି । ଯଦି ଆନ୍ନା ଟିମ୍ ଆନ୍ନାର ପୁନର୍ଗଠନ କରିବା ପାଇଁ ମନସ୍ଥ କରି ଏହାକୁ ଅସ୍ୱୀକାର କରୁଛନ୍ତି-ତା’ହେଲେ ଆନ୍ନାଙ୍କର ଅସହାୟତା କେଉଁ ପର୍ଯ୍ୟାୟରେ ପହଞ୍ଚôଲାଣି ତାହା ବୁଝିହେଉଛି । ରାଜୁ ପାରୁଲେକରଙ୍କର ଦାବିକୁ ଖଣ୍ଡନ କରି ଆନ୍ନା ବକ୍ତବ୍ୟ ଦେବା ପରେ ରାଜୁ ଆନ୍ନାଙ୍କର ହାତଲେଖାକୁ ସର୍ବସାଧାରଣ ଗୋଚରାର୍ଥେ ପ୍ରକାଶ କରିଦେବା ପରେ ‘ଗାନ୍ଧୀବାଦୀ’ ଆନ୍ନାଙ୍କର ସତ୍ୟାନୁରକ୍ତି ଉପରେ ପ୍ରଶ୍ନବାଚୀ ଠିଆ କରାଇଛି । ପୁତ୍ର ମୋହରେ ଧୃତରାଷ୍ଟ୍ର ଅନ୍ଧ ହୋଇଥିଲେ । ବହୁ ସତ୍ୟ ସେ ଦେଖିପାରୁ ନଥିଲେ । ବୋଧହୁଏ କିରଣ, ଅରବିନ୍ଦ, ପ୍ରଶାନ୍ତଙ୍କ ମୋହରେ ଆନ୍ନା ସେହି ଅବସ୍ଥାରେ ଉପନୀତ ହୋଇଛନ୍ତି । ତଥାପି ଆନ୍ନା ଅନୁଗତ ପାରୁଲେକରଙ୍କର କହିବା କଥା ଯେ ଆନ୍ନାଙ୍କର ନୈତିକ ଶକ୍ତିକୁ ଆୟୁଧ କରି କିରଣ ବେଦୀ, ପ୍ରଶାନ୍ତ ଭୂଷଣ, ମନୀଷ ସିସୋଡ଼ିଆ ଆଦି ସେମାନଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବାକୁ ଉଦ୍ୟମ କରୁଛନ୍ତି । (ହିନ୍ଦୁସ୍ଥାନ ଟାଇମ୍ସ, ୯ ନଭେମ୍ବର ୨୦୧୧) । -ଶୁଦ୍ରକ