ୱାଲଷ୍ଟ୍ରିଟରେ ବିକ୍ଷୋଭ- ଟିକିଏ ତଳେଇ ଦେଖିଲେ

  • 04/09/2015

୧୬-୩୧ ଡିସେମ୍ବର ୨୦୧୧

ଯୁକ୍ତରାଷ୍ଟ୍ର ଆମେରିକାର ନୁ୍ୟୟର୍କ ସହରର ୱାଲଷ୍ଟ୍ରିଟ୍ର ଯୁକୋଟି ପାର୍କ (Zuccotti Park) ଠାରେ ସେପ୍ଟେମ୍ବର ୧୭, ୨୦୧୧ଦିନ ଆରମ୍ଭ ହୋଇଥିବା ବିକ୍ଷୋଭ ଯେ ବିଶ୍ୱର ବିଭିନ୍ନସହରକୁ ସଂକ୍ରମିତ ହୋଇଛି-ତାହାର ସୂଚନା ଗଣମାଧ୍ୟମରୁ ଆମେ ପାଉ । ଏହି ବିକ୍ଷୋଭର ମୂଳ ଲକ୍ଷ୍ୟ ହେଉଛି (କ) ଅଧିକ ଓ ଭଲ ଚାକିରୀ, (ଖ) ଆୟର ସମତୁଲ ବଣ୍ଟନ,(ଗ) ବ୍ୟାଙ୍କ୍ର ସଂସ୍କାର, (ଘ) ରାଜନୀତିରେ କର୍ପୋରେଟ୍ ପ୍ରଭାବ ହ୍ରାସ । ଆମେରିକୀୟ ଜନସଂଖ୍ୟାର ଶତକଡ଼ା ୯୯ଭାଗଙ୍କୁ ପ୍ରତିଧ୍ୱନିତ କରନ୍ତି ବୋଲି ଦାବି କରନ୍ତି ଏହି ବିକ୍ଷୋଭକାରୀ ଓ ତାଙ୍କର ବିରୋଧ ଜନସଂଖ୍ୟାର ଶତକଡ଼ା ୧ଭାଗଙ୍କ ବିରୁଦ୍ଧରେ ଯେଉଁମାନେ ରାଷ୍ଟ୍ରର ଆୟ ଓ ସମ୍ପତ୍ତିର ଏକ ବିଶାଳ ଅଂଶର ମାଲିକ ହୋଇ ବସିଛନ୍ତି । ବୈଷମ୍ୟର ଗଭୀରତା କେତେ- ତା’ର ସୂଚନା ମିଳେ ଏଠାରେ ଉଦ୍ଧୃତ କିଛି ପରିସଂଖ୍ୟାନ ଭିତରୁ । ଯେପରି ୨୦୦୭ରେ ଦେଖାଯାଏ ଯେ ଆମେରିକୀୟ ଜନସଂଖ୍ୟାର ସର୍ବୋଚ୍ଚ ଧନୀ ଶତକଡ଼ା ୧ଭାଗ ରାଷ୍ଟ୍ରର ସମୁଦାୟ ସମ୍ପତ୍ତିର ଶତକଡ଼ା ୩୪.୬ ଭାଗର ମାଲିକ ହୋଇଥିବା ବେଳେ, ତାଙ୍କଠାରୁ ତଳେଥିବା ଶତକଡ଼ା ୧୯ଭାଗ ୫୦.୫ଭାଗ ସମ୍ପତ୍ତିର ମାଲିକ । ଅର୍ଥାତ ସମୁଦାୟ ଜନସଂଖ୍ୟା ଉପରେ ଥିବା ଶତକଡ଼ା ୨୦ଭାଗ ସମୁଦାୟ ସମ୍ପତ୍ତିର ଶତକଡ଼ା ୮୫ଭାଗର ମାଲିକ । ଜନସଂଖ୍ୟାର ଅବଶିଷ୍ଟ ୮୦ ଭାଗଙ୍କ ହାତରେ ମାତ୍ର ଶତକଡ଼ା ୧୫ଭାଗ ସମ୍ପତ୍ତି । ଆଉ ସବୁଠାରୁ ମଜାକଥା ହେଉଛି ଯେ ୨୦୦୮ ଅର୍ଥନୈତିକ ସଙ୍କଟକାଳରେ(Subprime  Crisis), ଉପର ଶତକଡ଼ା ୧ଭାଗ ଲୋକଙ୍କର ସମୁଦାୟ ସମ୍ପତ୍ତିର ଶତକଡ଼ା ୩୪.୬ବୃଦ୍ଧି ପାଇ ହୋଇଥିଲା ଶତକଡ଼ା ୩୭.୧ଭାଗ । ଉପର ଶତକଡ଼ା ୨୦ଭାଗ ଲୋକଙ୍କ ସମୁଦାୟ ସମ୍ପତ୍ତିର ଶତକଡ଼ା ୮୫ଭାଗ ବୃଦ୍ଧି ପାଇଥିଲା ଶତକଡ଼ା ୮୭.୭ଭାଗକୁ । ଅର୍ଥାତ୍ ଅର୍ଥନୈତିକ ସଙ୍କଟ କାଳରେ ଉପରେ ଥିବା ଶତକଡ଼ା ୨୦ଭାଗ ଲୋକଙ୍କର ସମ୍ପତ୍ତି ବୃଦ୍ଧି ପାଇଛି । ତେଣୁ କମିଛି ଅବଶିଷ୍ଟ ଶତକଡ଼ା ୮୦ଭାଗ ଲୋକଙ୍କର ।
ତେଣୁ ଶତକଡ଼ା ୯୯ଭାଗରେ ଉପର ୧୯ଭାଗ ଓ ତଳ ୮୦ଭାଗ ମଧ୍ୟରେ ଯେ ଏକ ବିଶାଳ ବୈଷମ୍ୟ ରହିଛି, ତାହା ମଧ୍ୟ ଏହି ପରିସଂଖ୍ୟାନ ଦର୍ଶାଉଛି । ମଝି ୧୯ଭାଗରେ ଥିବା ବ୍ୟକ୍ତି ହାରାହାରି ତଳ ୮୦ଭାଗରେ ଥିବା ବ୍ୟକ୍ତିଠାରୁ ହାରାହାରି ୧୪ଗୁଣ ସମ୍ପତ୍ତିର ମାଲିକ ହୋଇଥିବାବେଳେ ଉପର ୧ଭାଗରେ ଥିବା ବ୍ୟକ୍ତି ମଝି ବ୍ୟକ୍ତିଠାରୁ ହାରାହାରି ୧୪ଗୁଣ ସମ୍ପତ୍ତିର ମାଲିକ । ତେବେ ଆହ୍ୱାନ ହେଉଛି ଶତକଡ଼ା ୯୯ଭାଗ ବନାମ ଶତକଡ଼ା ୧ଭାଗ (୯୯% ଠଗ୍ଦ ୧%) ।
ବୋଧହୁଏ ଏହି ଶତକଡ଼ା ୯୯ଭାଗ ଭିତରେ ଥିବା ବୈଷମ୍ୟ ଦର୍ଶାଏ ଯେ କାହିଁକି ଏହି ବିକ୍ଷୋଭରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ (ଯାହା ଏକ ନମୂନା ସର୍ବେକ୍ଷଣରୁ ଜଣାଯାଏ) ରୋଜଗାରହୀନ ବିକ୍ଷୋଭକାରୀ ମାତ୍ର ଶତକଡ଼ା ୧୩ଭାଗ, କୃଷ୍ଣକାୟ ହେଉଛନ୍ତି ମାତ୍ର ଶତକଡ଼ା ୧.୬ଭାଗ, ଏସୀୟ ହେଉଛନ୍ତି ମାତ୍ର ଶତକଡ଼ା ୨.୮ଭାଗ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଶତକଡ଼ା ୫୦ଭାଗ ହେଉଛନ୍ତି ପୂରା ଚାକିରିଆ । ଶତକଡ଼ା ୧୩ଭାଗଙ୍କର ଆୟ ବାର୍ଷିକ ୭୫,୦୦୦ଡଲାର ଠାରୁ ଅଧିକ । ଶତକଡ଼ା ୨୭.୩ଭାଗ ଡେମୋକ୍ରାଟିକ ଦଳର ସମର୍ଥକ ହୋଇଥିବାବେଳେ ଶତକଡ଼ା ୨.୪ଭାଗ ହେଉଛନ୍ତି ରିପବ୍ଲିକାନ୍ ଦଳର ସମର୍ଥକ । ଶତକଡ଼ା ୭୦ଭାଗ ନିଜକୁ ସ୍ୱାଧୀନବୋଲି ଦାବି କରନ୍ତି । ଏହି ବିକ୍ଷୋଭ ପ୍ରତି ଜନସାଧାରଣଙ୍କର ସମର୍ଥନର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଏହି ଆନେ୍ଦାଳନ ପ୍ରତି ବଳିଷ୍ଠ ସମର୍ଥନ ଯେଉଁ ବୟସର ଲୋକଙ୍କର ରହିଛି ସେମାନଙ୍କର ବୟସ ୫୦ରୁ ୬୪ଭିତରେ । ଯେଉଁମାନେ ବାର୍ଷିକ ୫୦,୦୦୦ଡଲାରରୁ ୭୦,୦୦୦ଡଲାର ଭିତରେ ଆୟ କରୁଛନ୍ତି- ସେମାନଙ୍କର ହିଁ ରହିଛି ଏହି ଆନେ୍ଦାଳନ ପ୍ରତି ବଳିଷ୍ଠ ସମର୍ଥନ । ବାର୍ଷିକ ୭୫,୦୦୦ଡଲାର ଆୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଶତକଡ଼ା ୨୭ଭାଗଙ୍କର ଏହି ଆନେ୍ଦାଳନ ପ୍ରତି ରହିଛି ସମର୍ଥନ ।
ଏହି ସର୍ବେକ୍ଷଣରୁ ଜଣାପଡ଼ୁଛି ଯେ, ଯଦିଓ ବିକ୍ଷୋଭରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବିକ୍ଷୋଭକାରୀଙ୍କର ହାରାହାରି ବୟସ ୩୩, ଏହି ଆନେ୍ଦାଳନକୁ ସବୁଠାରୁ ଅଧିକ ସମର୍ଥନ କରୁଥିବା ଲୋକଙ୍କ ବୟସ ୫୦ରୁ ୬୪ଭିତରେ । ଏକ ସମ୍ମାନଜନକ ଆୟର ଅଧିକାରୀମାନଙ୍କ ଭିତରୁ ହିଁ ଏହି ଆନେ୍ଦାଳନ ପ୍ରତି ସର୍ବାଧିକ ସମର୍ଥନ ଦେଖାଯାଉଛି । ଶ୍ରମିକ, କୃଷ୍ଣକାୟ ବା ଯେଉଁମାନେ ସ୍ୱଳ୍ପ ଆୟକାରୀ, ସେମାନଙ୍କର ଏହି ଆନେ୍ଦାଳନରେ ଅଂଶଗ୍ରହଣ ବା ଏହା ପ୍ରତି ସମର୍ଥନ ଅତ୍ୟନ୍ତ ନାମମାତ୍ର ହୋଇଛି । (ଦ୍ରଷ୍ଟବ୍ୟ: http://en.wikipedia.org/wiki/occupy_wall_street) ।
ଏଥିରୁ ବୋଧହୁଏ ପ୍ରମାଣିତ ହେଉଛି ଯେ ଶତକଡ଼ା ୯୯ଭାଗର ଉପର ୧୯ଭାଗ ହିଁ ଏହି ଆନେ୍ଦାଳନରେ ସବୁଠାରୁ ଅଧିକ ସକ୍ରିୟ ଅଛନ୍ତି । ବ୍ୟାଙ୍କ୍ଗୁଡ଼ିକ ଦେବାଳିଆ ହୋଇଯିବା- ତାଙ୍କର ଗଚ୍ଛିତ ଧନ ପ୍ରତି ବିପଦ ସୃଷ୍ଟିକରିଛି ଓ ଦେବାଳିଆ ବ୍ୟାଙ୍କଗୁଡ଼ିକୁ ସରକାର ନିଜସ୍ୱ ଅର୍ଥରେ ମୁକୁଳାଇବା-ତାଙ୍କର ରୋଜଗାରର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ସେମାନଙ୍କର ବିକ୍ଷୋଭ । କର୍ପୋରେଟ୍ ପ୍ରତି କ୍ଷୋଭ । କିନ୍ତୁ ଯେଉଁମାନଙ୍କର ଆୟ ଅତ୍ୟନ୍ତ ସ୍ୱଳ୍ପ, ଯେଉଁମାନଙ୍କର ଫଟ୍କା ବଜାରରେ ଅଂଶଗ୍ରହଣ କରିବାର ସାମର୍ଥ୍ୟ ନାହିଁ, ଯେଉଁମାନେ ଏମିତି ହିଁ ବେକାର-ସେମାନେ ସ୍ୱାଭାବିକ ଏହି ଆନେ୍ଦାଳନ ପ୍ରତି ଉଦାସୀନ ଅଛନ୍ତି ।
ତେଣୁ ଏକ ବିରାଟ ଆହ୍ୱାନ- ଯେ କର୍ପୋରେଟ୍ ବିରୁଦ୍ଧରେ ଉଠିଥିବା ଅସନ୍ତୋଷକୁ କିପରି ଶତକଡ଼ା ୯୯ଭାଗର ତଳ ୮୦ଭାଗଙ୍କ ଭିତରେ ସଂକ୍ରମିତ କରାଯାଇପାରିବ । ତଳ ୮୦ଭାଗଙ୍କର ଅଂଶଗ୍ରହଣ ବୋଧହୁଏ ସେତେବେଳେ ହିଁ ନିଶ୍ଚିତ ହେବ ଯେତେବେଳେ ସେମାନଙ୍କର ବିକ୍ଷୋଭ ହେବ ଯେ ବିକ୍ଷୋଭର ସୁଫଳ ଉପର ୧୯ଭାଗଙ୍କ ପାଖରେ ରହି ନଯାଇ ସେମାନଙ୍କ ଆଡ଼କୁ ମଧ୍ୟ ଗଡ଼ିବ ।
ତେଣୁ ଶୁଦ୍ରକଦୃଷ୍ଟିରେ ୱାଲଷ୍ଟ୍ରିଟ୍ ବିକ୍ଷୋଭ କେବଳ ଶତକଡ଼ା ୯୯ବନାମ ଶତକଡ଼ା ୧ରେ ସୀମିତ ନୁହେଁ-ଏହା ଭିତରେ ଲୁକ୍କାୟିତ ରହିଛି ଶତକଡ଼ା ୧୯ପ୍ରତି ଶତକଡ଼ା ୮୦ର ସନେ୍ଦହର ବୀଜ ।
-ଶୁଦ୍ରକ

Print Friendly, PDF & Email