ହାୟାର ଆଣ୍ଡ ଫାୟାର(Hire & Fire)ର ମର୍ମନ୍ତୁଦ ପରିଣତି ଶ୍ରମମନ୍ତ୍ରୀଙ୍କ ଫାୟାର!

  • 08/09/2015

ଉତ୍ତରପ୍ରଦେଶର ଉଦ୍ୟୋଗ ସହର ଗ୍ରେଟର ନଏଡ଼ାର ଉଦ୍ୟୋଗ ବିହାରରେ ଥିବା ଇଟାଲୀୟ ମୂଳ କମ୍ପାନୀର ଶାଖା Oerlikon – Graziano Transmissions India Private Ltd ପରିଚାଳନା ନିଦେ୍ର୍ଧଶକ ଶ୍ରୀଯୁକ୍ତ ଏଲ.କେ. ଚୌଧୁରୀଙ୍କୁ ଏହି କମ୍ପାନୀରୁ ୨ମାସ ତଳେ ଛଟେଇ ହୋଇଥିବା ପ୍ରାୟ ୨୦୦ କର୍ମଚାରୀ ବାଡ଼େଇ ମାରିଦେବା ଘଟଣା ଉଦ୍ୟୋଗଜଗତର ମାଲିକ, ପରିଚାଳକ ଓ ଅବାରିତ ପୁଞ୍ଜିନିବେଶର ଚାତକମାନଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ଏହି ଘଟଣା ଘଟିଛି ସେପ୍ଟେମ୍ବର ୨୨, ୨୦୦୮ ମଧ୍ୟାହ୍ନ ୧୨.୩୦ ସମୟରେ । (ଦ୍ରଷ୍ଟବ୍ୟ :The Statesman, 23rd September, 2008) ଏହି ଘଟଣାର ପ୍ରତିକ୍ରିୟାରେ ବେଙ୍ଗଲ ଚାମ୍ବରସ୍ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (Bengal Chambers of Commerce and Industry))ର ସଭାପତି ଏସ୍.ରାଧାକ୍ରିଷ୍ଣନ କହନ୍ତି, ‘ଏହାକୁ ମାନି ନିଆଯାଇନପାରେ । ବିଶ୍ୱୀକରଣ ଯୁଗରେ ଏପରି ଘଟଣା ଦୁର୍ଭାଗ୍ୟଜନକ । ମୁଁ ଭାବୁଛି ଆମେ ମାନବିକତା ଖୁବ୍ ଶୀଘ୍ର ହରାଇଚାଲିଛୁ ।’ ଇଣ୍ଡିଆନ ଚାମ୍ବରସ୍ ଅଫ କମର୍ସର ସଭାପତି ଶ୍ରୀ ସଞ୍ଜୟ ବୁଧିଆ କହନ୍ତି, ‘କୌଣସି ସଭ୍ୟ ସମାଜରେ ଏଭଳି ଘଟଣା ଚିନ୍ତା କରାଯାଇ ନପାରେ ।’ ମର୍ଚ୍ୟାଣ୍ଟସ୍ ଚାମ୍ବରସ୍ ଅଫ କମର୍ସର ସଭାପତି ସୁନୀଲ କାନୋରିଆ କୁହନ୍ତି, ‘ଏହା ଅତ୍ୟନ୍ତ ଖରାପ କଥା ଓ ପ୍ରତ୍ୟେକ ଉଦ୍ୟୋଗପତିଙ୍କ ପାଇଁ ଚିନ୍ତାର କାରଣ’ । ଟାଟା ରାଏରସନ ଲିମିଟେଡ଼ର ପରିଚାଳନା ନିଦେ୍ର୍ଧଶକ କୁହନ୍ତି, ‘ଏହା ଏକ ଦାରୁଣ ସମ୍ବାଦ । କି ସୁରକ୍ଷା ରହିଛି ଅଫିସର୍ମାନଙ୍କ ପାଇଁ ଯେତେବେଳେ ସେମାନେ କମର୍ଚାରୀମାନଙ୍କ ସହ ଆଲୋଚନା କରୁଛନ୍ତି?’ କେନ୍ଦ୍ର ଶ୍ରମମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡେଜ୍ଙ୍କ ମତରେ ଏହି ଘଟଣା ଶ୍ରମିକଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷର (Simmering discontent among workers) ପରିଣତି । ତାଙ୍କ ଦୃଷ୍ଟିରେ ଏହି ଘଟଣା ପରିଚାଳକମାନଙ୍କ ପାଇଁ ଚେତାବନୀ (Warning for managements)) ସଦୃଶ କାର୍ଯ୍ୟ କରିବ । ସେ ତେଣୁ ପରିଚାଳକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଶ୍ରମିକମାନଙ୍କ ସହ ସହାନୁଭୂତିର ସହ ଆଲୋଚନା କରିବେ । (It is my appeal to managements that workers should be dealt with compassion) । ସେ ଆହୁରି କହିଛନ୍ତି ଯେ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କର ବେତନରେ ତାରତମ୍ୟ ରହିଛି । କର୍ମଚାରୀମାନଙ୍କୁ ଏଭଳି ସ୍ଥିତିକୁ ନେବା ଉଚିତ ନୁହେଁ ଯାହାଦ୍ୱାରା ସେମାନେ ନଏଡ଼ାରେ ଯାହା ହେଲା ସେପରି କାର୍ଯ୍ୟ କରିବେ ।’ ଏହିଭଳି ମନ୍ତବ୍ୟକୁ ଖବରକାଗଜThe Statesman (24th September , 2008) ‘Minister ‘Justifies’ CEO murder’ ଅଭିହିତ କରିଛନ୍ତ ।’ ଅର୍ଥାତ ମନ୍ତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର୍ଙ୍କର ହତ୍ୟାକୁ ସଠିକ୍ କହୁଛନ୍ତି ବୋଲି ଖବରକାଗଜ The Statesman ତା’ର ପାଠକମାନଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛି ।
ମନ୍ତ୍ରୀ ମହୋଦୟଙ୍କର ଏଭଳି ମନ୍ତବ୍ୟ ଉପା ସରକାରଙ୍କର ବରିଷ୍ଠ ମନ୍ତ୍ରୀମାନଙ୍କୁ ମଧ୍ୟ ଖୁବ୍ ବିଚଳିତ କରିଦେଇଛି । ସେମାନେ ଯେ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କୁ ପ୍ରାୟଃ ଏକଘରିକିଆ କରିଦେଇଛନ୍ତି, ତାହା ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ସମ୍ବାଦରୁ ଜଣାପଡ଼େ । (The Statesman, 25th September, 2008 and The Economic Times, 25th September, 2008) । ଏହି ବରିଷ୍ଠ ମନ୍ତ୍ରୀମାନେ ଆତଙ୍କିତ ଯେ ଏହାଦ୍ୱାରା ଭାରତ ପୁଞ୍ଜିନିବେଶକମାନଙ୍କ ପାଇଁ ତା’ର ଆକର୍ଷଣ ହରାଇ ବସିବ । ବେପାର ମନ୍ତ୍ରୀ କମଳନାଥ ତ କହନ୍ତି ଯେ ନଏଡ଼ାରେ ଯାହା ଘଟିଲା, ତାହା ଭାରତୀୟ ସଂସ୍କୃତିର ପରିପନ୍ଥୀ । ଏହି ମନ୍ତ୍ରୀମାନଙ୍କର ରୋଷରେ ତୀବ୍ରତା ଏତେ ଥିଲା ଯେ ତାହା ପର୍ଣ୍ଣାଣ୍ଡେଜଙ୍କ ପକ୍ଷରେ ସମ୍ଭାଳିବା ଯେ ସମ୍ଭବ ହେଲା ନାହିଁ – ତାହା ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦମାନଙ୍କରୁ ଜଣାପଡ଼େ । ତା’ ନହେଲେ ସେ କାହିଁକି କହିଥାନ୍ତେ, ‘ମୁଁ ଏହି ପ୍ରସଙ୍ଗକୁ ଏହା କହି ଶେଷ କରିବାକୁ ଚାହେଁ ଯେ ମୁଁ ଦୁଃଖିତ, ବା କାହିଁକି କହିଥାନ୍ତେ ଯେ ‘ଯଦି ମୋର କହିବାର ଅଧିକାର ନାହିଁ – ତା’ହେଲେ ମୁଁ କେଭେ ଆଉ କହିବି ନାହିଁ’ । (If I have no right to speak, I will never speak)) । ପର୍ଣ୍ଣାଣ୍ଡେଜଙ୍କ କ୍ଷୋଭ ଯେ ତାଙ୍କର ମନ୍ତବ୍ୟକୁ ଭୁଲ ବୁଝାଯାଇଛି । ସେ ସବୁବେଳେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କହନ୍ତି -ତାଙ୍କର ସ୍ୱରକୁ ଉଠାଇବା ପାଇଁ ଚେଷ୍ଟାକରନ୍ତି ।
କହିବା ବାହୁଲ୍ୟ ଯେ ଶ୍ରମମନ୍ତ୍ରୀଙ୍କର ସାମାନ୍ୟ ଶ୍ରମିକ ସପକ୍ଷବାଦୀ ମନ୍ତବ୍ୟ ବିରୋଧରେ ଉଭୟ ଶିଳ୍ପପତି ଓ ଶ୍ରମମନ୍ତ୍ରୀଙ୍କର ସହଯୋଗୀ ମନ୍ତ୍ରୀମାନେ ଏକାଠି ହୋଇଗଲେ । ଶିଳ୍ପପତିମାନେ ଶ୍ରମିକଙ୍କ ସପକ୍ଷରେ ନ କହିବା, ବର୍ତ୍ତମାନର ଉଗ୍ର ଓ ଖୋଲା ଅର୍ଥନୈତିକ ପରିବେଶରେ ଏକ ଆଶ୍ଚର୍ଯ୍ୟ କଥାନୁହେଁ । କିନ୍ତୁ ସର୍ବପୁରାତନ ଦଳ ଭାବେ ଦାବି କରୁଥିବା କଂଗ୍ରେସ ଦଳର ବରିଷ୍ଠ ମନ୍ତ୍ରୀ ଯେଉଁମାନେ ଜନତାଙ୍କ ପ୍ରତିନିଧି, ସେମାନେ ଶ୍ରମିକମାନଙ୍କର ବାସ୍ତବିକ ସମସ୍ୟା ପ୍ରତି ଉଦାସୀନ ରହିବା ଓ ଶ୍ରମମନ୍ତ୍ରୀ ଉଠାଇଥିବା ବୃହତ୍ତର ପ୍ରଶ୍ନକୁ ବିଚାରକୁ ନ ନେବା ବରଂ ତାଙ୍କୁ ଏପରି ଅପଦସ୍ଥ କରିବ ଯେ ସେ ବାଧ୍ୟ ହେବେ କହିବାକୁ ତାଙ୍କର କହିବାର ଅଧିକାର ନାହିଁ ଓ ନିଷ୍ପତ୍ତ ନେବେ ଯେ ସେ ଆଉ କେଭେ କହିବେ ନାହିଁ – ବାସ୍ତବିକ ସବୁଠାରୁ ବଡ଼ ଗଣତନ୍ତ୍ର ବୋଲି ଦାବି କରୁଥିବା ଭାରତବର୍ଷରେ ଏକ ଦୁର୍ଭାଗ୍ୟଜନକ ଦୃଶ୍ୟ । ଅବଶ୍ୟ ଯେଉଁ କମ୍ପାନୀରେ ହିଂସାର ପ୍ରସଙ୍ଗରେ ଶ୍ରମମନ୍ତ୍ରୀଙ୍କର ମନ୍ତବ୍ୟ ତାଙ୍କର ସହଯୋଗୀ ମନ୍ତ୍ରୀମାନଙ୍କ ଦ୍ୱାରା ଏପରି ବିରୋଧର ସମ୍ମୁଖୀନ ହେଲା – ସେହି କମ୍ପାନୀ ଯଦି କଂଗ୍ରେସ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କର ବାପଘର ଇଟାଲୀର ହୋଇନଥାନ୍ତା, ତା’ହେଲେ କେତେକଙ୍କ କହିବା ଅନୁସାରେ କଥାଟା ବୋଧହୁଏ ଭିନ୍ନ ହୋଇଥାନ୍ତା ।
କିନ୍ତୁ ସମୁଦାୟ ପ୍ରସଙ୍ଗଟି ଯେଉଁ ଅବସ୍ଥାରେ ଆସି ପହଞ୍ଚôଛି – ସେଥିରେ ଶୁଦ୍ରକ ଆଦୌ ଆଶ୍ଚର୍ଯ୍ୟ ହେବନାହିଁ – ଯଦି ପର୍ଣ୍ଣାଣ୍ଡେଜଙ୍କୁ ମନ୍ତ୍ରୀପଦରୁ ଫାୟାର୍ (ଛଟେଇ) କରିଦିଆଯାଏ । ତାଙ୍କୁ ତ ସୋନିଆଙ୍କ ନିଦେ୍ର୍ଧଶରେ ହିଁ ମନ୍ତ୍ରୀ ଦାୟିତ୍ୱ ନେବାପାଇଁ ହାୟାର୍ କରାଯାଇଥିଲା ।
ତେବେ ହାୟାର୍ ଓ ଫାୟାର୍ କେବଳ ଶ୍ରମିକଙ୍କ କ୍ଷେତ୍ରରେ ହେଉନାହିଁ, ମନ୍ତ୍ରୀମାନେ ଯେ ଏହାର ଶିକାର ହୋଇପାରନ୍ତି-ସେ ସମ୍ଭାବନା ମଧ୍ୟ ଏହି ପ୍ରସଙ୍ଗରୁ ଜଣାପଡ଼ୁଛି । ଏହି ହାୟାର୍ ଓ ଫାୟାର୍କୁ ମନ୍ତ୍ରୀମାନେ ହୁଏତ ମୁଣ୍ଡପାତି ସହିଯିବେ କିନ୍ତୁ ଶ୍ରମିକମାନେ ଯେ ସହ୍ୟ କରିବେ ନାହିଁ – ତାହା ନଏଡ଼ାର ଘଟଣାରୁ ଜଣାପଡ଼ୁଛି । ତେଣୁ ପର୍ଣ୍ଣାଣ୍ଡେଜଙ୍କର ମନ୍ତବ୍ୟକୁ ଗୁରୁତ୍ୱର ସହ ବିଚାର କରିବା ବିଜ୍ଞତା ହେବ ।
୧୬-୩୦ନଭେମ୍ବର, ୨୦୦୮

Print Friendly, PDF & Email