ମମତା-ଅମର ଘେରରେ ମେଧା

  • 08/09/2015

୨୪ଅଗଷ୍ଟ ୨୦୦୮ (ରବିବାର) ଦିନ ମମତା ବାନାର୍ଜୀଙ୍କର ଆହ୍ୱାନକ୍ରମେ ସିଙ୍ଗୁରଠାରେ ଟାଟା ପ୍ରକଳ୍ପ ଘେରାଉ ହୋଇଥିଲା । ଏହି ଅବସରରେ ଗୋଟିଏ ମଞ୍ଚରେ ମମତା ବାନାର୍ଜୀ, ସମାଜବାଦୀ ନେତା ଅମର ସିଂହ ଓ ପ୍ରଖ୍ୟାତ ସମାଜକର୍ମୀ ମେଧା ପାଟେକର ବସିଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଲଢ଼େଇ ଲୋକଙ୍କର କ୍ଷମତା ଓ କର୍ପୋରେଟ୍ କ୍ଷମତାମଧ୍ୟରେ ଚାଲିଛି ବୋଲି ମେଧା ପାଟେକର ସେହି ସମୟରେ ଏକ ସାକ୍ଷାତକାରରେ କହୁଥିବା ମଧ୍ୟ ପ୍ରସାରିତ ହୋଇଥିଲା । ଯେଉଁମାନେ ଅମର ସିଂହଙ୍କୁ ଜାଣନ୍ତି ଓ ସେ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରେ ଦ୍ୱିତୀୟ ଧନୀକ ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ଖାସ୍ଲୋକ ବୋଲି ଜାଣନ୍ତି- ସେମାନେ ମେଧା ପାଟେକରଙ୍କୁ ଅମର ସିଂହଙ୍କ ସହ ଏକ ମଞ୍ଚରେ ବସିବାକୁ ଆଦୌ ଗ୍ରହଣ କରିପାରୁ ନାହାଁନ୍ତି । କର୍ପୋରେଟ୍ କ୍ଷମତାର ଅପ୍ରତିଦ୍ୱନ୍ଦ୍ୱୀ ଦଲାଲ ସହ ବସି ସିଙ୍ଗୁରରେ ଲଢ଼େଇ ଲୋକଙ୍କ କ୍ଷମତା ଓ କର୍ପୋରେଟ୍ କ୍ଷମତା ଭିତରେ ଚାଲେଞ୍ଜ୍ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି ।
ଏଠାରେ ସ୍ମରଣକରିବା ଉଚିତ୍ହେବ ଯେ ଆସ୍ଥାଭୋଟରେ ତୃଣମୂଳ କଂଗ୍ରେସ ଅଂଶଗ୍ରହଣ ନ କରିବା ପରେ ସମାଜବାଦୀ ଦଳର ସଚିବ ଅମର ସିଂହ (ଯାହାଙ୍କ ବିରୋଧରେ ଅଭିଯୋଗ ଯେ ସେ ଆସ୍ଥାଭୋଟରେ ଅଂଶଗ୍ରହଣ ନ କରିବାକୁ ବା ଅଂଶଗ୍ରହଣ କଲେ ଉପାସରକାର ସପକ୍ଷରେ ଭୋଟ ଦେବାପାଇଁ ଏମ୍.ପି ମାନଙ୍କୁ ଟଙ୍କା ଦେଉଥିଲେ) ଓ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ବେଶ୍ ନିକଟତର ହୋଇଛନ୍ତି । ଏହାପରେ ପରେ ହିଁ ସିଙ୍ଗୁର୍ରେ ଟାଟାପ୍ରକଳ୍ପ ବିରୋଧୀ ଆନେ୍ଦାଳନ ସହ ମମତାଙ୍କଠାରୁ ଦାବି ଉଠିଛି ଯେ ବାମପନ୍ଥୀ ସରକାର କେବଳ କୌଣସି ନିର୍ଦ୍ଧିଷ୍ଟ ଶିଳ୍ପପତିଙ୍କୁ ରାଜ୍ୟର ଶିଳ୍ପୀକରଣ ପାଇଁ ଦୃଷ୍ଟିରେ ନରଖି ଅନ୍ୟ ଶିଳ୍ପପତିମାନଙ୍କୁ ମଧ୍ୟ ସମାନ ସୁଯୋଗ ଦେବା ଉଚିତ୍ । (The State government should go for industria-lisation on the basis of a uniform policy that is not “individual-industrialist specific-the statesman 20/08/2008).
ଅମର ସିଂହଙ୍କ ସଂସ୍ପର୍ଶରେ ଆସିବାପରେ ମମତା ବାନାର୍ଜୀଙ୍କ ସ୍ୱରରେ ଏହିଭଳି ପରିବର୍ତ୍ତନ ସ୍ୱାଭାବିକ ଅନେକଙ୍କ ମତରେ ଏ ସନେ୍ଦହ ସୃଷ୍ଟି କରିୁଛି-ମମତା ଅନୀଲ ଅମ୍ବାନୀଙ୍କ ପାଇଁ ସୁଯୋଗ ଦାବି କରୁନାହାଁନ୍ତି ତ! ମମତାଙ୍କର ଟାଟାପ୍ରକଳ୍ପକୁ ବିରୋଧ ଅନୀଲ ଅମ୍ବାନୀଙ୍କୁ ପଶ୍ଚିମବଙ୍ଗରେ ଶିଳ୍ପପ୍ରତିଷ୍ଠା ପାଇଁ ମୂଲଚାଲ ନୁହେଁ ତ ।
ବିଡ଼ମ୍ବନା ଯେ ମେଧା ପାଟେକରଙ୍କ ଭଳି ଜଣେ ଅଭିଜ୍ଞ ସମାଜକର୍ମୀ ଯିଏ କି ସାଧାରଣ ମଣିଷର ଜୀବନ ଜୀବିକା ପାଇଁ ବେସାଲିସ ଲଢ଼ନ୍ତି ବୋଲି ସାଧାରଣରେ ପରିଚିତ-ସେ ମମତା-ଅମର ସିଂହ ଯୁଗଳଙ୍କ ସହ ଗୋଟିଏ ମଞ୍ଚରେ ବସିଲେ । ମେଧା କଣ ଜାଣନ୍ତି ନାହିଁ ଯେ ଅମର ସିଂହଙ୍କର ଏକମାତ୍ର କାର୍ଯ୍ୟକ୍ରମ ହେଉଛି ଶିଳ୍ପପତି ଅନୀଲ ଅମ୍ବାନୀଙ୍କର ସ୍ୱାର୍ଥରକ୍ଷା କରିବା । କହିବା ବାହୁଲ୍ୟ ଯେ ମେଧା ଯଦି ସତର୍କ ନହୁଅନ୍ତି, ତାହେଲେ ଖୁବ୍ ଶୀଘ୍ର ତାଙ୍କଉପରୁ ସାଧାରଣ ମଣିଷର ଆସ୍ଥା ତୁଟିଯିବ । ସେ କ୍ରମଶଃ ହାତବାରିସୀ ହୋଇଯିବେ କୁଚକ୍ରୀ ଗୋଷ୍ଠୀର । ଅମର ସିଂହ ଯଦି କିଛିଦିନ ପରେ ମେଧା ପାଟେକରଙ୍କର ଲୋକବୋଲି ନିଜକୁ ଦାବିକରନ୍ତି , ତାହାହେଲେ ଅନେକେ ହୁଏତ ବିଶ୍ୱାସ କରିଯିବେ ଯାହା ମେଧାଙ୍କ ଭାବମୂର୍ତ୍ତି ପାଇଁ ଆଦୌ ଶୁଭଙ୍କର ହେବ ନାହିଁ ।
ଏହାର ଅର୍ଥନୁହେଁ ଯେ ମେଧା ସିଙ୍ଗୁରରେ ଜୀବନ-ଜୀବିକା ହରାଉଥିବା ଜନସାଧାରଣଙ୍କ ପାଇଁ ଲଢ଼ିବେ ନାହିଁ ବା ସେଠାକୁ ଯିବେନାହିଁ । କିନ୍ତୁ ଅମର ସିଂହଙ୍କ ଭଳି କୁଖ୍ୟାତ ବ୍ୟକ୍ତିଙ୍କ ସହ ଏକମଞ୍ଚରେ ବସି ଯଦି ଟାଟାପ୍ରକଳ୍ପକୁ ବିରୋଧ କରିବେ, ତାହାଲେ କେନ୍ଦୁଝରରେ ଲକ୍ଷ୍ମୀ ମିତ୍ତଲଙ୍କ ପ୍ରସ୍ତାବିତ ପ୍ରକଳ୍ପବିରୋଧରେ ଯଦି ପୋସ୍କୋବାହାରେ-ତାହାଲେ ପୋସ୍କୋ ସହିତ ବସି କ’ଣ ଲକ୍ଷ୍ମୀମିତ୍ତଲଙ୍କୁ ବିରୋଧ କରିବେ? ସାଧାରଣ ଲୋକର ଜୀବନଜୀବିକାର ସୁରକ୍ଷା ପାଇଁ ଲଢ଼ୁଆ ସମାଜକର୍ମୀ କର୍ପୋରେଟ୍ମାନଙ୍କ ଯୁଦ୍ଧରେ ଏକ ସୈନିକ ନୁହେଁ ।
ଏହା ଶୁଦ୍ରକର ଧୃଷ୍ଟତା ହେବ ମେଧାଙ୍କ ଭଳି ଜଣେ ଅଭିଜ୍ଞ ସମାଜକର୍ମୀଙ୍କୁ ଚେତାଇ ଦେବା ଯେ ଜୀବନ ଜୀବିକା ହରାଉଥିବା ସାଧାରଣ ମଣିଷଙ୍କ ପ୍ରତି ତାଙ୍କର ଦରଦ ବା ବ୍ୟାକୁଳତାର ସୁଯୋଗ ଅମର ସିଂହଙ୍କ ଭଳି ବ୍ୟକ୍ତିମାନେ ଯେପରି ନନେବେ, ତା’ପ୍ରତି ସଚେତ ରୁହନ୍ତୁ । ଭାରତୀୟ କମୁ୍ୟନିଷ୍ଟମାନେ ବିଭିନ୍ନ ସମୟରେ ଦକ୍ଷିଣପନ୍ଥୀଙ୍କ ସହ କ୍ଷମତାର ଭାଗୁଆଳୀ ହେବାକୁ ଯାଇ ସାମ୍ୟବାଦକୁ ଯେପରି ବଦନାମ କରିଦେଲେ ଓ ସାଧାରଣ ଲୋକର ଆସ୍ଥା ହରାଇଲେ-ଯେପରି ସାଧାରଣ ଲୋକର ଜୀବନ ଜୀବିକା ପାଇଁ ଲଢ଼ୁଥିବା ସମାଜକର୍ମୀ କ୍ଷେତ୍ରରେ ନ ହେଉ । ତେଣୁ ମେଧାଙ୍କ ଭଳି ଆଗଧାଡ଼ିର ସମାଜକର୍ମୀଙ୍କ ଉପରେ ନିର୍ଭର କରୁଛି ଯେ ବିଭିନ୍ନ ଅଞ୍ଚଳରେ ନିଷ୍ଠାର ସହ କାମକରୁଥିବା ସମାଜକର୍ମୀଙ୍କୁ ସ୍ଥାନୀୟ ଲୋକେ କେତେ ସମ୍ମାନ ଦେବେ ଓ ସେମାନଙ୍କ ଉପରେ କେତେ ଆସ୍ଥା ରଖିବେ?

Print Friendly, PDF & Email