ସିନେମା ତାରକା ଦେବେ ସାର୍ଟିଫିକେଟ!

  • 10/09/2015

ବ୍ୟବସାୟରେ ବିଜ୍ଞାପନର ଗୁରୁତ୍ୱକୁ କିଏ ବା ଅସ୍ୱୀକାର କରିବ । ଶିକ୍ଷା ଯେତେବେଳେ ଏକ ବ୍ୟବସାୟ ହୋଇଯାଇଛି ସେତେବେଳେ ତାର ବିଜ୍ଞାପନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ଏହିଭଳି ଏକ ଉପାୟ ହେଉଛି ଶିକ୍ଷାନୁଷ୍ଠାନର ପରିସରକୁ ଚିତ୍ରତାରକାମାନଙ୍କୁ ଆଣିବା (ସେମାନେ ଅଚଳ ହୁଅନ୍ତୁ ପଛେ) ବା ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରିବା (ସେମାନେ ଶିଶୁ ହୁଅନ୍ତୁ ପଛେ) । ଆଜିକାଲି ଏଗୁଡ଼ିକ କରିବା ପାଇଁ ଭଡ଼ାରେ ଲୋକ ମିଳୁଛନ୍ତି । ତାଙ୍କୁ Event Manager କୁହାଯାଉଛି । ସେମାନେ ବଡ଼ ବଡ଼ ରାଜନେତାଙ୍କଠାରୁ ଆରମ୍ଭ କରି ନୋବେଲ ପୁରସ୍କାରବିଜେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଣିପାରିବେ – କିନ୍ତୁ ଏଥିପାଇଁ ଶିକ୍ଷା କମ୍ପାନୀର ମାଲିକଙ୍କର ଅର୍ଥଦେବାର ସାମର୍ଥ୍ୟ ଓ ଇଚ୍ଛା ଥିବା ଜରୁରୀ । ଭୁବନେଶ୍ୱରସ୍ଥିତ କିଟ୍ (KIIT) ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ (ଡିମଡ଼୍ ୟୁନିଭରସିଟି)ର ଏହିଭଳି ସାମର୍ଥ୍ୟ ଓ ଇଚ୍ଛା ରହିଛି ବୋଲି ଜଣାପଡ଼ୁଛି । ତେବେ ଗତ କିଛିମାସ ଭିତରେ ବମ୍ବେ ସିନେମା ଜଗତର କିଛି ଅଭିନେତା-ଅଭିନେତ୍ରୀ ଯେପରି ଏହି ଅନୁଷ୍ଠାନକୁ ଆସୁଛନ୍ତି ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯାହା ସାଧାରଣତଃ ତାରକା ହୋଟେଲମାନଙ୍କରେ ହୋଇଥାଏ ସେଥିରେ ଭାଗ ନେଉଛନ୍ତି-ସେଥିରୁ ଅନେକ ସ୍ୱାଭାବିକ ବିସ୍ମିତ ଯେ କିଟ୍ ଏକ ଶିକ୍ଷାନୁଷ୍ଠାନ ନା ହୋଟେଲ ।
ଅବଶ୍ୟ ଏହାର କୋଠାବାଡ଼ି,ସାଜସଜ୍ଜା ଦେଖିଲେ ଓଡ଼ିଶା ଭିତରେ ଥିବା ଅନେକ ହୋଟେଲ ମଳିନ ପଡ଼ିଯିବେ । କେବଳ କିଟ୍ କାହିଁକି ଭୁବନେଶ୍ୱର ଉପକଣ୍ଠରେ ବହୁ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର କୋଠାବାଡ଼ି ଓ ତାର ସ୍ଥାପତ୍ୟ ସୌନ୍ଦର୍ଯ୍ୟ ହୋଟେଲର ଭ୍ରମ ସୃଷ୍ଟିକରୁଛି । ବଜାର ଅର୍ଥନୀତିରେ ଭିତର ଜିନିଷର ଗୁଣ ଅପେକ୍ଷା ପ୍ୟାକେଜିଂର ଗୁରୁତ୍ୱ ଯେତେବେଳେ ବେଶି, ସେତେବେଳେ ଶିକ୍ଷା ବ୍ୟବସାୟରେ କୋଠାବାଡ଼ି, ବାହି୍ୟକ ଚାକଚକ୍ୟ ଅଧିକ ଗୁରୁତ୍ୱ ପାଇବା ସ୍ୱାଭାବିକ । ଏହି ଚାକଚକ୍ୟରେ ଅଧିକ ଔଜ୍ଜଲ୍ୟ ଆଣିବା ପାଇଁ ବମ୍ବେଇଆ ଅଭିନେତା ଅଭିନେତ୍ରୀଙ୍କର ଉପଯୋଗିତାକୁ ଶିକ୍ଷା କମ୍ପାନୀର ମାଲିକମାନେ ଯଦି ଗୁରୁତ୍ୱ ଦେଉଛନ୍ତି ତା’ହେଲେ ଏହା ବର୍ତ୍ତମାନର ବଜାରୀ ଅର୍ଥନୀତି ସହ ସମ୍ପୂର୍ଣ୍ଣ ସଙ୍ଗତି ରକ୍ଷାକରୁଛି ବୋଲି କହିବାକୁ ହେବ ।
ଅବଶ୍ୟ ଏଭଳି ଉଦ୍ୟମ ଆଇ.ଆଇ.ଏମ୍. ବା ଆଇ.ଆଇ.ଟି ଭଳି ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳେ ନାହିଁ । ପ୍ରସିଦ୍ଧ ପ୍ରତିଷ୍ଠାନ ଟିଆଇଏଫ୍ଆର୍ (TIFR)ବା ଟି.ଆଇ.ଏସ୍.ଏସ୍. (TISS)ରେ ଦେଖିବାକୁ ମିଳେନାହିଁ, ଯଦିଓ ସେମାନେ ବମ୍ବେରେ ଅବସ୍ଥାପିତ । ଦେଖିବାକୁ ମିଳେନାହିଁ କେନ୍ଦ୍ରୀୟ ବା ରାଜ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁଗୁଡ଼ିକ ବିଧେୟକ ଦ୍ୱାରା ସ୍ଥାପିତ ।
ବଜାର ଅର୍ଥନୀତି ଘରୋଇକରଣକୁ ପ୍ରୋତ୍ସାହିତ କରିଛି – ଘରୋଇ ପ୍ରତିଷ୍ଠାନଗୁଡ଼ିକ ଶିକ୍ଷାକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଦେଇଛନ୍ତି । ଶିକ୍ଷାକୁ ପଣ୍ୟବସ୍ତୁ ଭାବେ ବିଚାର କରୁଛନ୍ତି । ତେଣୁ ସମୁଦାୟ ପରିବେଶ ବଜାରୀ ହେଉଛି । ସୁନ୍ଦରୀ ପ୍ରତିଯୋଗିତାଠୁ ଆରମ୍ଭ କରି ସିନେମା ତାରକାଙ୍କ ଦ୍ୱାରା ନାଚଗୀତର ମତୁଆଲା ପରିବେଶ ଶିକ୍ଷାନୁଷ୍ଠାନକୁ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ହୋଇପଡ଼ିଛି । ସିନେମାତାରକାଙ୍କର ସାର୍ଟିଫିକେଟ ଗୌରବ ଆଣିଦେଉଛି ।
ଏହିଭଳି ପରିବେଶ କିଟ୍ ମଧ୍ୟରେ କେବଳ ସୀମିତ ନ ରହି ଯଦି ବ୍ୟାପକ ହେବାକୁ ଆରମ୍ଭ କରେ ଓ ଅନ୍ୟାନ୍ୟ ଶିକ୍ଷା ପରିସରକୁ ଆକ୍ରାନ୍ତ କରେ, ତା’ହେଲେ ଆମର ଶିକ୍ଷାର ଭବିଷ୍ୟତ କ’ଣ ହେବ – ତାହା ସୁଧୀବୃନ୍ଦ ବିଚାର କରନ୍ତୁ ।

Print Friendly, PDF & Email