ଗଣମାଧ୍ୟମର ଗଣତିରେ

  • 17/09/2015

୧-୧୫ ଫେବୃୟାରୀ ୨୦୧୨

୨୦ଜାନୁଆରୀ ୨୦୧୨ଦିନ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପିଏମ୍ଜି ଛକ ଭିତରେ ଚାରୋଟି ଦୃଶ୍ୟ ଦେଖିବାକୁ ମିଳିଥିଲା । ୩/୪ଜଣ ମୁଖାପିନ୍ଧି, ଠିଆ ହୋଇଥିଲେ ଓ ସେମାନେ ପିନ୍ଧିଥିବା ଅଲବଲା ସଦୃଶ ବସ୍ତ୍ର ଉପରେ ଲେଖା ହୋଇଥିଲା- ଶାକାହାରୀ ହୁଅ ବା ଏହିପରି କିଛି । ଆଉ ଗୋଟିଏ ଦୃଶ୍ୟଥିଲା ଦଶଜଣ ଭିତରେ କିଛି ଯୁବକ ନିଜର ଦେହ ଉପରେ ଚିତ୍ରିତ ବସ୍ତ୍ର ପିନ୍ଧି ବାଜା ବଜାଇ, ଭାରତମାତାଙ୍କର ବନ୍ଦନା ଗାଇ ନୃତ୍ୟ କରୁଥିଲେ । ତୃତୀୟ ଦୃଶ୍ୟଥିଲା ଦୁଇଶହ ତିନିଶହ ଯୁବକ ମଟର ସାଇକେଲ୍ରେ, ମନ୍ତ୍ରିମଣ୍ଡଳରୁ ସଦ୍ୟ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଥିବା ପ୍ରଦୀପ ମହାରଥୀଙ୍କ ସପକ୍ଷରେ ଏକ ଶୋଭାଯାତ୍ରାରେ ବାହାରୁଥିଲେ । ଚତୁର୍ଥ ଓ ସର୍ବଶେଷ ଦୃଶ୍ୟ ଥିଲା ଅନୁ୍ୟନ ପାଞ୍ଚହଜାର ସାଧାରଣ ଲୋକଙ୍କର ଜମି, ଜଳ, ଜଙ୍ଗଲର ସୁରକ୍ଷା ପାଇଁ ବିରାଟ ଶୋଭାଯାତ୍ରା ଓ ସମାବେଶ ।
ସ୍ୱାଭାବିକ ଏତେବଡ଼ ସମାବେଶକୁ ଗଣମାଧ୍ୟମର ସବୁଠାରୁ ଅଧିକ ପ୍ରଦର୍ଶିତ ଚ୍ୟାନେଲଗୁଡ଼ିକ ଯେ ପ୍ରସାରଣ କରିବେ, ଏହା ଆଶା କରାଯାଉଥିଲା । ବିଶେଷତଃ ଯେତେବେଳେ ସେମାନଙ୍କର ସାମ୍ବାଦିକ ମାନେ ବୁଲି ବୁଲି ସୁଟିଂ କରୁଥିଲେ ଓ ଉଦ୍ୟୋକ୍ତା ମାନଙ୍କଠାରୁ ବାଇଟ୍ ନେଉଥିଲେ, ଏହା ହେଲା ନାହିଁ । ଶାକାହାରୀ ହେବାର ମୌନ ଆହ୍ୱାନ ଦେଇ ଠିଆ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଦର୍ଶିତ କରାଗଲା । ଭାରତମାତାଙ୍କର ବନ୍ଦନା ଗାଇ ନାଚୁଥିବା ଦୃଶ୍ୟର ପ୍ରସାରଣ ହେଲା । ପିପିଲି ଗଣଧର୍ଷଣ ପାଇଁ ମନ୍ତ୍ରୀପଦ ହରାଇଥିବା ପ୍ରଦୀପ ମହାରଥୀଙ୍କ ସମର୍ଥନରେ ବାହାରିଥିବା ମଟର ସାଇକେଲ ଶୋଭାଯାତ୍ରାର ପ୍ରଦର୍ଶନ ହେଲା କିନ୍ତୁ ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ପ୍ରଭୃତି ଅଞ୍ଚଳରୁ ଆସିଥିବା ପାଞ୍ଚହଜାରରୁ ଊଦ୍ଧ୍ୱର୍ ସାଧାରଣ ଲୋକଙ୍କର ଶୋଭାଯାତ୍ରା ଓ ସମାବେଶର ପ୍ରଦର୍ଶନ ଟିଭି ପରଦା ଉପରେ ହେଲାନାହିଁ ।
ଅବଶ୍ୟ ଏହା ହୋଇଥିଲେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (Press Council of India)ର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ମାର୍କଣ୍ଡେୟ କାଟ୍ଜୁଙ୍କର ଉକ୍ତି ଯେ ଆମର ସାମ୍ବାଦିକତା ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଯେଉଁଭଳି ତପôରତା ଦେଖାଇବା ଉଚିତ, ତାହା ଦେଖାଇ ନାହିଁ- ଏହି ଉକ୍ତିଟି ମିଥ୍ୟା ହୋଇଯାଇଥାନ୍ତା । ଅଧିକାଂଶ ସାମ୍ବାଦିକଙ୍କର ବୌଦ୍ଧିକ ସ୍ତର ଯେ ନିମ୍ନମାନର, ତାହା ମଧ୍ୟ ଭୁଲ୍ ହୋଇଯାଇଥାନ୍ତା ।
ତେବେ ପଇସା ଦେଇ ସମ୍ବାଦ ପ୍ରକାଶନ ଯୁଗରେ-ସାଧାରଣ ମଣିଷର ସାମର୍ଥ୍ୟ କାହିଁ ଯେ ସେ ତା’ର ସମ୍ବାଦକୁ ପ୍ରକାଶ କରାଇପାରିବ । ବରଂ ଯାହା ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରୁଛି- ତା’ର ଜମି, ଜଳ, ଜଙ୍ଗଲକୁ ହଡ଼ପ କରୁଥିବା କମ୍ପାନୀ ବିରୁଦ୍ଧରେ ସେହି କମ୍ପାନୀର ସାମର୍ଥ୍ୟ ଅଛି-ସମ୍ବାଦପତ୍ରରେ ସାଧାରଣ ମଣିଷର କଥା ପ୍ରକାଶନକୁ ବନ୍ଦ କରାଇଦେବାର । ତାହା ହିଁ ହୋଇଛି ଏହି କ୍ଷେତ୍ରରେ । ଗଣମାଧ୍ୟମର ଗଣତିରେ ହଜାର ହଜାର ସାଧାରଣ ଲୋକର ସମାବେଶ ଖୁବ୍ପଛରେ ପଡ଼ିଯାଇଛି । -ଶୁଦ୍ରକ

Print Friendly, PDF & Email