ଓଡ଼ିଶା ଭୂମିରେ ପ୍ରଥମ ମାନ୍ୟତା (ନବ୍ୟ)ପ୍ରାପ୍ତ ବିଶ୍ୱବିଦ୍ୟାଳୟ, (Deemed university (de nmovo) କିଟ୍ (KIIT)ର ଭଗିନୀସଂସ୍ଥା କିସ (KISS)ର ଆଦିବାସୀ ଛାତ୍ର-ଛାତ୍ରୀଙ୍କୁ ଆମେରିକାରେ ପଢ଼ିବାର ସୁୁଯୋଗ ମିଳିବ ବୋଲି କେବଳ ଓଡ଼ିଶାରେ ସୀମିତ (ନା ଭୁବନେଶ୍ୱର ଓ କଟକ ମଧ୍ୟରେ ସୀମିତ) ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହେଉଛି । ଏହା ନିଶ୍ଚିତ ଭାବରେ ପ୍ରତିଷ୍ଠାନ ପାଇଁ ଏକ ଚମକ୍ରାର ବିଜ୍ଞାପନ । କିନ୍ତୁ ଏହା ସମ୍ବାଦର ରୂପ ପାଇବାଫଳରେ -ସମ୍ବାଦପତ୍ର ଗୁଡ଼ିକ ବିଜ୍ଞାପନ ରାଜସ୍ୱ ହରାଉଛନ୍ତି ବୋଲି ଜାଣି ପାରୁଛନ୍ତି ତ! ସାମ୍ବାଦିକମାନଙ୍କ ଅପେକ୍ଷା ସମ୍ବାଦପତ୍ରର ମାଲିକମାନେ ଏ ସମ୍ପର୍କରେ ଅଧିକ ସଚେତନ ହେବା ଉଚିତ । ଯଦି ଏଭଳି ସମ୍ବାଦ ପାଇଁ ସେମାନେ ବିଜ୍ଞାପନ ରାଜସ୍ୱ ଆଦାୟ କରୁଥିବେ, ତା’ହେଲେ ତ ଉତ୍ତମ ।
ତେବେ ମୂଳକଥା ହେଉଛି ଆଦିବାସୀ ଛାତ୍ର-ଛାତ୍ରୀଙ୍କର ଆମେରିକାରେ ଉଚ୍ଚଶିକ୍ଷା ଲାଭର ସୁଯୋଗ । ଯାହା ପ୍ରକାଶିତ ସମ୍ବାଦରୁ ଜଣାଯାଏ (ଦ୍ରଷ୍ଟବ୍ୟ- ଧରିତ୍ରୀ ୬/୮/୨୦୦୭, the Statesman-6th August 2007) ଏହିଭଳି ସୁଯୋଗ ଦେବା ପାଇଁ ଆଗେଇ ଆସିଛନ୍ତି ଆମେରିକାର ଏକ ବିଶ୍ୱବିଦ୍ୟାଳୟ penn State University, York,Dr. Joel M. Rodeny ତାଙ୍କର କିଟ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସମୟରେ । ଶିକ୍ଷାବର୍ଷ ଆରମ୍ଭରେ ଘରୋଇ ଅନୁଷ୍ଠାନଟିଏର ଏହିଭଳି ଏକ ଘୋଷଣା ନିଶ୍ଚିତ ଭାବରେ ଅନୁଷ୍ଠାନର ଗ୍ରହଣୀୟତା ବଢ଼ାଇବ ଓ ଅଧିକ ଅର୍ଥ ଦେଇପାରୁଥିବା ପିଲାଙ୍କୁ ଆକୃଷ୍ଟ କରିବ ।
ପ୍ରଶ୍ନ କିନ୍ତୁ ସ୍ୱାଭାବିକ ମନକୁ ଆସେ ଯେ, ଏହି ଆଦିବାସୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଖର୍ଚ୍ଚ ଆମେରିକାରେ କିଏ ବହନ କରିବ? ଏହା ତ କହିବା ନିଷ୍ପ୍ରୟୋଜନ ଯେ, ଆମେରିକାରେ ଉଚ୍ଚଶିକ୍ଷା ବେଶ୍ ବ୍ୟୟବହୁଳ, ଯାହାଫଳରେ ସେଠାରେ ଦରିଦ୍ର ଲୋକମାନଙ୍କ ପାଇଁ ଉଚ୍ଚଶିକ୍ଷା ସ୍ୱପ୍ନ ହୋଇଯାଇଛି । ତେଣୁ ନିଜ ଦେଶରେ ଆଦିବାସୀ ତୁଲ୍ୟ ଅବହେଳିତବର୍ଗକୁ ଉଚ୍ଚଶିକ୍ଷା ଯୋଗାଇବା ପାଇଁ ଅସମର୍ଥ ବ୍ୟବସ୍ଥା ଆମ ଏଠାକାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ଉଚ୍ଚଶିକ୍ଷା ଯୋଗାଇବ ବୋଲି ଯଦି କହୁଛି – କେଉଁ ସୂତ୍ରରୁ ଏଥିପାଇଁ ସେ ଅନୁଷ୍ଠାନ ଅର୍ଥ ଆଣିବ – ତାହା ନିଶ୍ଚିତ ଭାବରେ ଏକ ସ୍ୱାଭାବିକ ପ୍ରଶ୍ନ ।
ପ୍ରକାଶିତ ସମ୍ବାଦକୁ ନିରିଖେଇ ପଢ଼ିଲେ ଯାହା ଜଣାଯାଏ ଏମାନଙ୍କର ଖର୍ଚ୍ଚର ଆୟୋଜନ ବିଭିନ୍ନ ସୂତ୍ରରୁ କରାଯିବ । (funding for their study and stay at York will be arranged from different sources in USA…)ତା’ହେଲେ କେଉଁମାନଙ୍କଠାରୁ ଅର୍ଥର ଆୟୋଜନ କରାଯିବ? ଯଦିଓ ଏହା ସ୍ପଷ୍ଟ ହେଉନାହିଁ । ପ୍ରକାଶିତ ସମ୍ବାଦରୁ -ତେବେ ଚରଦ୍ଭଦ୍ଭ ବିଶ୍ୱବିଦ୍ୟାଳୟ ଯେ ଏହି ଖର୍ଚ୍ଚ ବହନ କରୁନାହିଁ, ତାହା ସ୍ପଷ୍ଟ । ତେଣୁ ଅର୍ଥ ଆୟୋଜନ କରିବା ପାଇଁ ବିଶ୍ୱବିଦ୍ୟାଳୟ କେଉଁମାନଙ୍କୁ ତାର ହିସାବ ଭିତରେ ରଖିଥାଇପାରେ? ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଥିବା ଖଣିଉପରେ ନିଜର ଲୋଲୁପ ଦୃଷ୍ଟି ପକାଇଥିବା ଅଣଆବାସିକ ଭାରତୀୟ ଶିଳ୍ପପତି, ବହୁଦେଶୀୟ କମ୍ପାନୀମାନେ ଚରଦ୍ଭଦ୍ଭ ବିଶ୍ୱବିଦ୍ୟାଳୟର ହିସାବରେ ନାହାନ୍ତି ତ? ଯଦି ଏହା ହେଉଥାଏ ତା’ହେଲେ ଏହି ‘ସୁଯୋଗ’କୁ ସନେ୍ଦହ ଚକ୍ଷୁରେ ଦେଖିବାକୁ ହେବ । ‘ବ୍ରିଟେନରେ ଓଡ଼ିଶା ଆଦିବାସୀଙ୍କ ବେଦାନ୍ତ ବିରୋଧୀ ସ୍ୱର’ ଶିରୋନାମାରେ ପ୍ରକାଶିତ ସମ୍ବାଦ (ଦ୍ରଷ୍ଟବ୍ୟ ଧରିତ୍ରୀ ୬/୮/୨୦୦୭)ରୁ ସ୍ପଷ୍ଟ ଯେ, ଏହି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ କିପରି ଆଦିବାସୀମାନଙ୍କୁ ବାସହରା କରିବାରେ ଲାଗି ପଡ଼ିଛନ୍ତି ।
କହିବା ବାହୁଲ୍ୟ ଯେ, ଆଦିବାସୀଙ୍କ ନାଁରେ ପ୍ରଚୁର ଅର୍ଥ ଅନୁଦାନର ସୁଯୋଗ ସୃଷ୍ଟି ହୋଇଛି – ଭାରତ ଭିତରେ ଓ ଭାରତ ବାହାରେ । ଆଦିବାସୀ ଉନ୍ନତିକୁ ଆୟୁଧ କରି ଭଲ ପ୍ରଚାର ମଧ୍ୟ ହୋଇପାରୁଛି । ବହୁ ସଙ୍ଗଠନ ଆଦିବାସୀଙ୍କ ପାଇଁ କାମ କରୁଛନ୍ତି ବୋଲି ପ୍ରଚାର କରାଇ ଭଲ ଅନୁଦାନ ପାଇବାରେ ସମର୍ଥ ହେଉଛନ୍ତି । ଆଦିବାସୀଙ୍କୁ ତାଙ୍କର ଭିଟାମାଟିରୁ ଉଚ୍ଛେଦ କରୁଥିବା ଶକ୍ତିମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷରେ, ଜାଣତରେ ବା ଅଜାଣତରେ ସାହାଯ୍ୟ କରୁଥିବା ସଙ୍ଗଠନମାନେ ଆଦିବାସୀଙ୍କ ଉନ୍ନତି କଳ୍ପେ ସମର୍ପିତ ଦର୍ଶାଇ ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିପାରୁଛନ୍ତି । ଆଦିବାସୀ ଛାତ୍ର-ଛାତ୍ରୀଙ୍କ ପାଇଁ ଆମେରିକାରେ ଉଚ୍ଚଶିକ୍ଷାର ସୁଯୋଗ ସୃଷ୍ଟି ଏହିଭଳି ଏକ ବିଭ୍ରାନ୍ତିର ଅଂଶବିଶେଷ ନୁହେଁ ତ?
ସମୁଦାୟ ବିଷୟକୁ ଏହିଭଳି ଦେଖାଯାଇ ପାରେ, ଯଦ୍ଧ୍ୱାରା ପ୍ରଚ୍ଛନ୍ନ କାରଣଗୁଡ଼ିକ ସ୍ପଷ୍ଟ ହୋଇପାରେ । ଓଡ଼ିଶାର ଯେଉଁ ଅଞ୍ଚଳଗୁଡ଼ିକ ଉପରେ ଦେଶୀୟ ଓ ବହୁଦେଶୀୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ଲୋଲୁପ ଦୃଷ୍ଟି ପଡ଼ିଛି – ସେଠାକାର ଅଧିବାସୀମାନେ ମୁଖ୍ୟତଃ ହେଉଛନ୍ତି ଆଦିବାସୀ । ସେମାନଙ୍କୁ ଭିଟାମାଟିରୁ ଉଚ୍ଛେଦ କରିବା ପାଇଁ ସମ୍ପ୍ରତି ଆରମ୍ଭ ହୋଇଥିବା ଆକ୍ରାତ୍ମକ ଉଦ୍ୟମକୁ ସେମାନେ ପ୍ରାଣପାତ କରି ବିରୋଧ କରୁଛନ୍ତି ଓ ଉଗ୍ର ଭାବେ ମଧ୍ୟ ବିରୋଧ କରୁଛନ୍ତି । ଏମାନଙ୍କୁ ଆୟତ୍ତ କରିବାକୁ ହେଲେ ଏମାନଙ୍କ ଭିତରୁ ଦେଶୀ-ବିଦେଶୀ ପୁଞ୍ଜିର ଏକ ଦଲାଲ ଶ୍ରେଣୀଟିଏ ସୃଷ୍ଟି କରିବାକୁ ହେବ – ବିଶେଷତଃ ପୁଞ୍ଜିପତି ରାଷ୍ଟ୍ର ଆମେରିକାର ସ୍ୱାର୍ଥରକ୍ଷା ପାଇଁ । ତେଣୁ ନବ୍ୟ ସାମ୍ରାଜ୍ୟବାଦର ପ୍ରତିଷ୍ଠାରେ ନିରବଚ୍ଛିନ୍ନ ଭାବେ ଲିପ୍ତ ଥିବା ଆମେରିକାର ଏହା ଏକ କୌଶଳ – ମ୍ୟାକଲେ ଦର୍ଶନର ପୁନରାବୃତ୍ତ – ବର୍ଣ୍ଣରେ ଦେଶୀ କିନ୍ତୁ ରୁଚିରେ ବିଦେଶୀ ଶ୍ରେଣୀଟିଏର ଗଠନ ଉଦ୍ୟମ । ଏହି ପ୍ରକ୍ରିୟାରେ ବିକଳ ହୋଇ ସାମିଲ ହୋଇଛନ୍ତି ଦେଶୀୟ ଜଗତସେଠ୍ ମାନେ । ବିଶ୍ୱୀକରଣର ଆହ୍ୱାନ ଓ ବିଜ୍ଞାପନର ନଗ୍ନ ଆବେଦନ ମଧ୍ୟବିତ୍ତମାନଙ୍କୁ ଏପରି ସମ୍ମୋହିତ କରିରଖିଛି ଯେ, ଜଗତସେଠ୍ମାନେ ସେମାନଙ୍କର ଉଦେ୍ଧଶ୍ୟ ଅନାୟାସରେ ସାଧିତ ହେବ ବୋଲି ଧରି ନେଇଛନ୍ତି ।
କିନ୍ତୁ ଯେଉଁମାନେ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦରେ ବିଶ୍ୱାସ କରନ୍ତି – ସେମାନେ ଏହିଭଳି ପ୍ରକ୍ରିୟା ଭିତରୁ ବିରୋଧ ମଧ୍ୟ ସୃଷ୍ଟି ହେବ – ସେଭଳି ଏକ ଦୃଢ଼ୋକ୍ତି କରିଥାନ୍ତି ଓ ଉଦାହରଣ ସ୍ୱରୂପ ସମ୍ପ୍ରତି ଉଚ୍ଚଶିକ୍ଷିତ ଯୁବକମାନଙ୍କ ଭିତରେ ଆମେରିକୀୟ ସାମ୍ରାଜ୍ୟବାଦ, ପୁଞ୍ଜିବାଦ ବିରୋଧରେ ବୃଦ୍ଧି ପାଉଥିବା କ୍ରୋଧ ଓ ତାହାର ଉଗ୍ର ପରିପ୍ରକାଶ ପ୍ରତି ଇଙ୍ଗିତ କରିଥାନ୍ତି । ତେଣୁ ଆଦିବାସୀ ଯୁବକଯୁବତୀଙ୍କୁ ଆମେରିକା ଭୂଇଁରେ ଶିକ୍ଷା ଦେଇ ଏକ ସହଯୋଗୀ ଗୋଷ୍ଠୀ ତିଆରି କରିବାର ଉଦ୍ୟମ ଦୀର୍ଘମିଆଦୀ ପରିଣତି ଯେ, ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ପାଇଁ ଅନୁକୂଳ ହେବନାହିଁ ଏହା ନିଶ୍ଚିତ । ତେବେ ଦେଶୀ ଜଗତସେଠ୍ମାନେ ଏହି ଅବସରରେ ପ୍ରଚୁର ଅର୍ଥ ଉପାର୍ଜନ କରିଯିବେ ଏଥିରେ ସନେ୍ଦହ ନାହିଁ ।