୧-୧୬ ମାର୍ଚ୍ଚ, ୨୦୧୦
ଡିମଡ଼୍ ବିଶ୍ୱବିଦ୍ୟାଳୟ (Deemed to be a University)କୁ ନେଇ ପ୍ରବଳ ହୋ ହଲ୍ଲା ଗତ ବର୍ଷେ ହେଲା ଚାଲିଛି । ଯଶପାଲ କମିଟିର ରିପୋର୍ଟରେ ଡିମଡ୍ÿ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ପ୍ରତିକୂଳ ମନ୍ତବ୍ୟ ପ୍ରକାଶ ପାଇବା ପରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ପୁନଃମୂଲ୍ୟାୟନର ଆବଶ୍ୟକତା ସରକାର ବୋଧହୁଏ ଅନୁଭବ କଲେ ଓ ବିଶିଷ୍ଟ ଶିକ୍ଷାବିତ୍ ଚାରିଜଣ (ପି.ଏନ୍. ଟଣ୍ଡନ, ଗୋବର୍ଦ୍ଧନ ମେହଟ୍ଟା, ଏମ୍.ଆନନ୍ଦକ୍ରିଷ୍ଣନ ଓ ମୃଣାଳ ଗିରି)ଙ୍କୁ ନେଇ ଏକ କମିଟି ଗଠନ କଲେ । ଏହି ରିପୋର୍ଟରେ (Source: Report of HRD Ministry review committee on Deemed Universities) ୪୪ଟି ଡିମଡ଼୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରତ୍ୟାହାର ପାଇଁ ସୁପାରିଶ କରାଯାଇଥିବାବେଳେ ଆଉ ୪୪ଟି ଡିମଡ଼୍ ବିଶ୍ୱବିଦ୍ୟାଳୟକୁ ଡିମଡ଼୍ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିବାକୁ ହେଲେ ନିଜର ସ୍ଥିତିକୁ ଆହୁରି ଉନ୍ନତ କରିବାକୁ ହେବ ବୋଲି ଚିହ୍ନଟ କରାଯାଇଛି । ଏହିଗୁଡ଼ିକୁ ଯେଉଁ ଶିରୋନାମାରେ ତାଲିକାଭୁକ୍ତ କରାଯାଇଛି ତାହା ହେଉଛି : ‘Institutions that need to take corrective measures to several criteria for satisfying deemed university status.’ ଯାହା ଜଣାପଡ଼ୁଛି ୯ଟି ଲକ୍ଷଣ (Criteria) ଉପରେ ବିଶ୍ୱବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ କରାଯାଇ ମୋଟ ୪୫ମାର୍କରୁ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କିଏ କେତେ ଅଙ୍କ ହାସଲ କରିଛନ୍ତି-ତାହାକୁ ଭିତ୍ତକରି ୩ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକ ୩୦ ବା ତା’ଠାରୁ ଅଧିକ ଅଙ୍କ ହାସଲ କରି ପାରିଛନ୍ତି-ସେମାନଙ୍କର ଡିମଡ଼୍ ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ପ୍ରଶ୍ନ କରାଯାଇ ନାହିଁ । ଯେଉଁମାନେ ୧୮ ବା ତା’ଠାରୁ କମ୍ ଅଙ୍କ ହାସଲ କରିଛନ୍ତି ସେମାନେ ଡିମଡ଼୍ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଯୋଗ୍ୟ ନୁହେଁ ବୋଲି ବିବେଚିତ ହୋଇଛନ୍ତି । ଯେଉଁମାନେ ୧୯ରୁ ୨୯ ପର୍ଯ୍ୟନ୍ତ ଅଙ୍କ ହାସଲ କରିଛନ୍ତି ସେମାନେ ଡିମଡ଼୍ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିବା ପାଇଁ ଉପରୋକ୍ତ ୯ଟି ଲକ୍ଷଣକୁ ଉନ୍ନତ କରିବାପାଇଁ ଚେଷ୍ଟା କରିବେ । ଏଥିପାଇଁ ଏକ ସମୟ ସୀମା (୩ବର୍ଷ) ଧାର୍ଯ୍ୟ କରାଯାଇଛି । (The Telegraph, Calcutta, Sunday, 14th February 2010, P. 4. 44 Deemed Institutes Found wanting but given a three-year lifeline. ‘Pioneer’ Varsity on unfit list- Charu Sudan Kasturi) ଯାହା ଜଣାପଡ଼ୁଛି ଶତକଡ଼ା ୪୦ ବା ତା’ଠାରୁ କମ୍ ଅଙ୍କ ପାଇଥିବା ଡିମଡ଼୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମାନ୍ୟତା ଅଯୋଗ୍ୟ ବୋଲି ବିଚାର କରାଯାଉଥିବା ବେଳେ, ଶତକଡ଼ା ୬୬ବା ତଦୁର୍ଦ୍ଧ ଅଙ୍କ ହାସଲ କରିଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଡିମଡ଼୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଯୋଗ୍ୟ ବୋଲି ବିବେଚିତ କରାଯାଇଛି । ଯଦି ଅଯୋଗ୍ୟ ବିବେଚିତ କରିବାର ଉପର ସୀମା ଶତକଡ଼ା ୪୦ ନହୋଇ ଶତକଡ଼ା ୫୦ ହୋଇଥାନ୍ତା- ତା’ହେଲେ ୪୪ଟି ସ୍ଥାନରେ ୬୩ଟି ଡିମଡ଼୍ ବିଶ୍ୱବିଦ୍ୟାଳୟ ଅଯୋଗ୍ୟ ବୋଲି ଘୋଷିତ ହୋଇଥାନ୍ତା । ଏହା ହୋଇଥିଲେ ଓଡ଼ିଶା ରାଜ୍ୟ ଡିମଡ଼୍ ବିଶ୍ୱବିଦ୍ୟାଳୟ ଶୂନ୍ୟ ହୋଇଯାଇଥାନ୍ତା । କାରଣ ୨୧ଅଙ୍କ ପାଇଥିବା କିଟ୍ (KIIT)ଡିମଡ଼୍ ବିଶ୍ୱବିଦ୍ୟାଳୟ ଉକ୍ତ ୬୩ଟି ବିଶ୍ୱବିଦ୍ୟାଳୟର ତାଲିକା ଭିତରେ ଥାନ୍ତା । ତେଣୁ କମିଟିର ଏତାଦୃଶ ଉଦାରତା ପାଇଁ ଓଡ଼ିଶା ଭୂଇଁ ଯେ ଡିମଡ଼୍ ବିଶ୍ୱବିଦ୍ୟାଳୟ ଶୂନ୍ୟହେବାରୁ ବର୍ତ୍ତିଗଲା- ଏହା କହିବା ବାହୁଲ୍ୟ ମାତ୍ର । ପରିସଂଖ୍ୟାନ ଦୃଷ୍ଟିରୁ ଏହି ସୂଚନା ପ୍ରାସଙ୍ଗିକ ହେବ ଉଲ୍ଲେଖ କରିବା ଯେ ୨୧ଅଙ୍କ ହାସଲ କରିଥିବା ଡିମଡ଼୍ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସଂଖ୍ୟା ସର୍ବାଧିକ-ଏମାନଙ୍କ ଭିତରୁ ଗୋଟିଏ ସରକାରୀ ହୋଇଥିବା ବେଳେ ଆଠଟି ହେଉଛନ୍ତି ଘରୋଇ । ଦେଖାଯାଉ ଏମାନଙ୍କ ଭିତରୁ କେତୋଟି ସେମାନଙ୍କୁ ଦିଆଯାଇଥିବା ସମୟସୀମା ମଧ୍ୟରେ ଉଲ୍ଲିଖିତ ୯ଟି ଲକ୍ଷଣରେ ଉନ୍ନତି ଆଣି ନିଜର ଡିମଡ଼୍ ବିଶ୍ୱିଦ୍ୟାଳୟର ମାନ୍ୟତା ବଜାୟ ରଖିବାରେ ସକ୍ଷମ ହେଉଛନ୍ତି ।
-ଶୁଦ୍ରକ