୧-୧୫ ଜୁଲାଇ ୨୦୧୨
ସାରା ଭାରତ ଶିକ୍ଷାବଞ୍ଚାଅ କମିଟିର ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ଏକ ପୁସ୍ତିକା- ‘ଇ-ଆଡମିଶନ-କାହା ସ୍ୱାର୍ଥରେ’- ‘ସମଦୃଷ୍ଟି’ରେ ପୁନଃ ପ୍ରକାଶିତ ହୋଇଛି । ଇତ୍ୟବସରରେ ମାନ୍ୟବର ହାଇକୋର୍ଟ ବାଧ୍ୟତାମୂଳକ ଇ-ଆଡମିଶନକୁ ଅଗ୍ରାହ୍ୟ କରି, ଇ-ଆଡମିଶନକୁ ଇଚ୍ଛାଧୀନ କରି- ଆବେଦନକାରୀମାନେ ଯେପରି ପୂର୍ବେ ଫର୍ମହାତରେ ପୂରଣ କରି ଆବେଦନ କରୁଥିଲେ- ସେପରି ମଧ୍ୟ କରିପାରିବେ ଓ ସରକାର ଏହାକୁ ବନ୍ଦ କରିପାରିବେ ନାହିଁ ବୋଲି ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଉଭୟ ଅନଲାଇନ ଓ ମାନୁଆଲ ନାମଲେଖ କିପରି ଏକ ସଙ୍ଗରେ ହେବ ତାହାର ପଦ୍ଧତି ସରକାର ପ୍ରସ୍ତୁତ କରିବେ ବୋଲି ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ଏତଦ୍ ଦ୍ୱାରା ସାଇବରକାଫେ ଉପରେ ନିର୍ଭର କରିବାରୁ ଆବେଦନକାରୀମାନେ ମୁକ୍ତ ହୋଇଛନ୍ତି । କିନ୍ତୁ ବିଡ଼ମ୍ବନା ଯେ ମାନ୍ୟବର ହାଇକୋର୍ଟଙ୍କର ନିଦେ୍ର୍ଧଶକୁ ବ୍ୟର୍ଥ କରିବାପାଇଁ ଅବାଧ୍ୟ ସରକାର (ଅମଲା ବୁଝିବାକୁ ହେବ) ସମସ୍ତ ପ୍ରକାର କୌଶଳର ଆଶ୍ରୟ ନେଉଛନ୍ତି । ଯେପରି ମାନୁଆଲ ପଦ୍ଧତିରେ ଆବେଦନ କରିବା ପାଇଁ ବିଜ୍ଞାପନ ପ୍ରକାଶନରେ ବିଳମ୍ବ, ଅନ୍ଲାଇନ୍ ଆଡମିଶନ ପାଇଁ ଉପଲବ୍ଧ ସମୟଠାରୁ ଯଥେଷ୍ଟ କମ୍ ସମୟ ମାନୁଆଲ ଆବେଦନକାରୀଙ୍କୁ ଉପଲବ୍ଧ ହେବା ଇତ୍ୟାଦି । ଯାହାଦ୍ୱାରା ଧାରଣା ସୃଷ୍ଟି ହେଉଛି ଯେ ମାନୁଆଲ ଆଡମିଶନ ପଦ୍ଧତି ଏକ ନିମ୍ନଶ୍ରେଣୀର ପଦ୍ଧତି-ଯେଉଁଥିରେ ଭାଗନେଲେ ଆବେଦନକାରୀ ଅନ୍ଲାଇନ ପଦ୍ଧତିରେ ଆବେଦନ କରୁଥିବା ଛାତ୍ର ଛାତ୍ରୀଙ୍କ ସହ ସମାନ ଭାବରେ ବିଚାର ଯୋଗ୍ୟ ହେବେ ନାହିଁ ।
ତେଣୁ ଛାତ୍ରଙ୍କ ସ୍ୱାର୍ଥରେ ଚିନ୍ତା କରୁଥିବା ଛାତ୍ର ସଂଗଠନ ଗୁଡିକପାଇଁ ଏହା ଏକ ବିରାଟ ଆହ୍ୱାନ ଯେ କିପରି ମାନ୍ୟବର ହାଇକୋର୍ଟଙ୍କର ନିଦେ୍ର୍ଧଶ ସଠିକ୍ ଭାବରେ କାର୍ଯ୍ୟକାରୀ ହେବ ।
ଏଠାରେ ମନେ ରଖିବାକୁ ହେବ ଯେ ଏହି ରାୟ ଦ୍ୱାରା କେନ୍ଦ୍ରୀୟ ଚୟନ ବ୍ୟବସ୍ଥା ପ୍ରଭାବିତ ହେଉନାହିଁ । କେନ୍ଦ୍ରୀୟ ଚୟନ ବ୍ୟବସ୍ଥା ଫଳରେ ଆୟର ସ୍ରୋତ ସରକାରଙ୍କ ପାଇଁ ବା ତାଙ୍କ ଜରିଆରେ ଘରୋଇ କମ୍ପାନୀପାଇଁ ଯେପରି ଥିଲା ସେପରି ହିଁ ରହିଛି । ପ୍ରତ୍ୟେକ ଆବେଦନକାରୀ ଠାରୁ ଅନୁ୍ୟନ ୧୦୦ଟଙ୍କା ଓ ସର୍ବାଧିକ ୩୫୦ ଟଙ୍କା (+୨ ରେ ନାମ ଲେଖା) ବା ଅନୁ୍ୟନ ୧୦୦ଟଙ୍କା ଓ ସର୍ବାଧିକ ୫୫୦ଟଙ୍କା (+୩ରେ ନାମଲେଖା) ସଂଗ୍ରହ ଅବ୍ୟାହତ ରହିଛି । ଯାହାର କୌଣସି ଯଥାର୍ଥତା ନାହିଁ ବୋଲି ପ୍ରଚଳିତ ଅନ୍ଲାଇନ ଆଡମିଶନ ପଦ୍ଧତିକୁ ବିଶ୍ଲେଷଣ କରିଥିବା ବିଶେଷଜ୍ଞମାନେ ମତ ଦିଅନ୍ତି । ଏହି ଅର୍ଥ ପରିମାଣକୁ କମାଇବା ଓ ସମାଜର ଅବହେଳିତବର୍ଗର ଛାତ୍ର ଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ରିହାତି ଦେବାର ଦାବି-ଛାତ୍ର ସଂଗଠନ ଓ ଲୋକ ପ୍ରତିନିଧିମାନେ କରିବା ଉଚିତ । ଓଡ଼ିଶାର ଗରିବ ଛାତ୍ର ଛାତ୍ରୀଙ୍କ ଠାରୁ ବାଧ୍ୟତାମୂଳକ ଭାବେ ଏତେ ପରିମାଣର ଅର୍ଥ ନେଇ- କମ୍ପାନୀକୁ ପୋଷିବା, ଝିଣ୍ଟିକା ମାରି ବଣି ପୋଷିବା ସଦୃଶ ହେଉଛି । ଏହାଛଡ଼ା ପ୍ରତ୍ୟେକ ପସନ୍ଦ (ଉଷକ୍ଟସମର) ପାଇଁ ୫୦ ଟଙ୍କା ଲେଖାଏଁ ଅତିରିକ୍ତ ସଂଗ୍ରହ କରା ଯାଉଥିଲେ ହେଁ- ଯାହା କେନ୍ଦ୍ରୀୟ ଚୟନବ୍ୟବସ୍ଥା ଦ୍ୱାରା ସ୍ଥିରହେଉଛି-ସେହି କଲେଜରେ ଆବେଦନକାରୀ ନାମ ଲେଖାଇବାପାଇଁ ବାଧ୍ୟ ବୋଲି ବ୍ୟବସ୍ଥା କରାଯାଇଛି-ଯାହା ଛାତ୍ର ସ୍ୱାର୍ଥବିରୋଧୀ । କହିବା ବାହୁଲ୍ୟ ଯେ ମାନ୍ୟବର ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ଆଧାରକରି ପ୍ରଚଳିତ ଇ-ଆଡମିଶନ ବ୍ୟବସ୍ଥାରେ ଥିବା ଅନ୍ୟାନ୍ୟ ବାଧ୍ୟତାମୂଳକ ଦିଗଗୁଡ଼ିକୁ ବିରୋଧ କରାଯିବା ଉଚିତ ।
ଏହି ପ୍ରସଙ୍ଗରେ ଓଡ଼ିଶାର ମହାବିଦ୍ୟାଳୟ ଶିକ୍ଷକ ସଂଘଗୁଡ଼ିକର ଭୂମିକା ବାସ୍ତବିକ ନୈରାଶ୍ୟଜନକ । ଉପରୁ ଲଦି ଦିଆ ଯାଇଥିବା ଓ ପ୍ରତିଟି ମହାବିଦ୍ୟାଳୟର ସ୍ୱାତନ୍ତ୍ର୍ୟକୁ ପଦଦଳିତ କରି ଦେଇଥିବା ଏହି ପଦ୍ଧତି ବିରୋଧରେ ଏହି ସଂଘମାନେ ସ୍ୱର ଉତ୍ତୋଳନ କରିବାର ନଜିର ନାହିଁ । ବିରୋଧ କଲେ ବଦଳି ହେବାର ଭୟ, ସରକାରୀ କାର୍ଯ୍ୟାନୁଷ୍ଠାନର ଭୟରେ-ସେମାନେ ନୀରବ ରହିଛନ୍ତି ବୋଲି ଘରୋଇ କଥୋପକଥନରେ ସ୍ୱୀକାର କରିଛନ୍ତି । ଏପରିକି ମାନ୍ୟବର ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ପାଇଁ ମଧ୍ୟ ସାହସ କରିପାରୁ ନାହାନ୍ତି । କିନ୍ତୁ ଶିକ୍ଷକ ମହାସଂଘ ଓ ସେମାନଙ୍କର ଟାଣୁଆ ଶିକ୍ଷକ ନେତା (ଯେଉଁମାନଙ୍କ ଭିତରେ ଅନେକ ଅବସରପ୍ରାପ୍ତ) ଯେ କାହିଁକି ଇ-ଆଡମିଶନର ଶିକ୍ଷା ସଙ୍କୋଚନକାରୀ ଉଦେ୍ଧଶ୍ୟକୁ ଉନ୍ମୋଚିତ କରୁନାହାନ୍ତି- ତାହା ହିଁ ଶୁଦ୍ରକକୁ ଆଶ୍ଚର୍ଯ୍ୟ କରୁଛି ।
ସରଳ ଏକଲବ୍ୟର ବୃଦ୍ଧାଙ୍ଗୁଷ୍ଠିକୁ ଦକ୍ଷିଣାଭାବେ ଦାବି କରି ଗୁରୁ ଦ୍ରୋଣ ରାଜପୁତ୍ରଙ୍କର ଏକ ପ୍ରତିଦ୍ୱନ୍ଦ୍ୱୀ ଆବିର୍ଭାବ ହେବାର ସମ୍ଭାବନାକୁ ନିର୍ବାପିତ କରିଦେଇଥିଲେ । ଏବେ ସହରୀ ଛାତ୍ରଛାତ୍ରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଠିଆହେବାର ସମ୍ଭାବନାକୁ ନିର୍ବାପିତ କରିବାପାଇଁ ଓଡ଼ିଶା ସରକାରଙ୍କର ବାଧ୍ୟତାମୂଳକ ଇ-ଆଡମିଶନ ଥିଲା ଏକ ସୁଚିନ୍ତିତ ଯୋଜନା । ଏହା ସୁଖରକଥା ଯେ ମାନ୍ୟବର ହାଇକୋର୍ଟଙ୍କ ରାୟ ଏହାକୁ ଭଣ୍ଡୁର କରିଦେଇଛି । କିନ୍ତୁ ଦୁଃଖର କଥା ଯେ ଏହି ପ୍ରସଙ୍ଗରେ ଆମର ଶିକ୍ଷକ ସମାଜର ନୀରବତା ଦ୍ରୋଣ ମାନସିକତାର ପ୍ରତିଫଳନ ବୋଲି ଆଶଙ୍କା ସୃଷ୍ଟି କରୁଛି । ଏହି ଆଶଙ୍କା ଭିତ୍ତିହୀନ ବୋଲି ପ୍ରମାଣିତ ହେଲେ ଶୁଦ୍ରକ ସବୁଠାରୁ ଅଧିକ ଖୁସି ହେବା